ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା - ୫

ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷାର ଅସ୍ତିତ୍ଵ ରକ୍ଷା ପାଇଁ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡିଶାରେ ଯେଉଁ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାର ଐତିହାସିକ ବିଶ୍ଳେଷଣ ।


ପାଞ୍ଚ

ଉତ୍କଳ ଦୀପିକାର ୨୭ ନଭେମ୍ବର ୧୮୬୯ ସାଲର ୪୬ତମ ସଂଖ୍ୟାର ଚତୁର୍ଥ ଭାଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂବାଦ ରହିଅଛି । ସେଇ ସଂବାଦକୁ ପାଠ କରିବା ପୂର୍ବରୁ ଆମର ମନେ ରଖିବା ଉଚିତ ଯେ, ଓଡିଆ ଭାଷାରେ ଶିକ୍ଷାଦାନର ପ୍ରସାରର କ୍ଷେତ୍ରଫଳ ବସ୍ତୁତଃ ଓଡିଶାକୁ ଏକ ଭାଷାଦେଶ ହିସାବରେ ନିର୍ମାଣ କରିବାର ପୃଷ୍ଠବନ୍ଧ ବୋଲି କହିଲେ କଥାଟି ସେତେ ଭୁଲ୍ ହୋଇଯିବ ନାହିଁ । ଓଡିଶାର ଉପକୂଳ ତଥା ଉତ୍ତର, ପୂର୍ବ ଏବଂ କେନ୍ଦ୍ରାଞ୍ଚଳ, ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣାଞ୍ଚଳ ଏବଂ ସମ୍ବଲପୁର ତଥା ପଶ୍ଚିମାଞ୍ଚଳ, ଏହି ତିନିଗୋଟି ପ୍ରମୁଖ ଅଂଚଳରେ ଜନସୁମାରିର ଆଧାରରେ ଲୋକେ ଓଡିଆଭାଷାରେ କଥାବାର୍ତ୍ତା କରିଥାନ୍ତି ବୋଲି ଓଡିଶା ଏକ ଭାଷାଦେଶ ହେବା ଯୁକ୍ତି ଉପନିବେଶୀୟ ଶାସନ ସମ୍ମୁଖରେ ଯଥେଷ୍ଟ ଗୁରୁତ୍ୱ ରଖିଥିଲା ମାତ୍ର ତାହା ସହିତ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଏହି ଅଂଚଳରେ ପିଲାମାନେ ଓଡିଆ ଭାଷାରେ ଶିକ୍ଷା ଗ୍ରହଣ କରିବା ପାଇଁ କେତେ ପରିମାଣରେ ଆଗ୍ରହୀ ।

ଭାରତରେ ଉପନିବେଶୀୟ ଶାସନ ଭାଷା ଦୃଷ୍ଟିରୁ ଗୋଟିଏ ପଟେ ଶାସକର ଭାଷା ଇଂରେଜୀକୁ ରଖିବାବେଳେ ଅନ୍ୟ ପକ୍ଷରେ ଦେଶୀୟ ଭାଷାମାନଙ୍କୁ "ଭର୍ଣ୍ଣାକୁଲାର୍" ଭାଷା ବୋଲି ଏକ ପ୍ରକାର ମର୍ଯ୍ୟାଦା ଦେଇଥିଲେ । ନିଜର ଉପନିବେଶୀୟ ଶାସନକୁ ଏକ ଉଦାରତାର ଆଟୋପ ପ୍ରଦାନ କରିବା ପାଇଁ ଭାରତୀୟ ଭର୍ଣ୍ଣାକୁଲାର୍ ଭାଷାମାନଙ୍କୁ ସେମାନଙ୍କର ସମସ୍ତ ପ୍ରୋତ୍ସାହନ ଏବଂ ମର୍ଯ୍ୟାଦା । ଉପନିବେଶ ଶାସନରେ ଯେଉଁ ଦେଶୀୟ ଭାଷାମାନେ ଭର୍ଣ୍ଣାକୁଲାର୍ ର ମର୍ଯ୍ୟାଦା ପାଇଲେ ସେଇ ଭାଷାଗୁଡିକ ଉପରେ ସ୍ଥାନୀୟତା ନିର୍ଭର କରି ରହିବାକୁ ଆରମ୍ଭ କଲା କାରଣ ଉପନିବେଶୀୟ ଶାସନ ସେହି ସବୁ ଭାଷାର ପ୍ରଚାର ପ୍ରସାରରେ ଏକ କାରକ ବିନ୍ଦୁ ସାଜୁଥିଲେ । ତାହା ଫଳରେ ଭର୍ଣ୍ଣାକୁଲାର୍ ଭାଷାମାନେ ପ୍ରାଧାନ୍ୟ ପାଇଲେ ସତ ମାତ୍ର ସେହି ଅଂଚଳରେ ପ୍ରଚଳିତ ଅନ୍ୟାନ୍ୟ ଭାଷା ଯାହାର କୌଣସି ଲିଖିତ ସ୍ୱରୂପ ବା ଲିପି ନଥିଲା ଯେଉଁମାନେ କେବଳ କଥିତ ରୂପରେ ଥିଲେ ସେମାନେ ସେହି ଅଂଚଳର ଭର୍ଣ୍ଣାକୁଲାର୍ ସହିତ ଏକ ପ୍ରକାର ସମନ୍ୱିତ ଆକାରରେ ରହିବାକୁ ଆରମ୍ଭ କଲେ । ନିଜର ସ୍ୱତନ୍ତ୍ର ସ୍ଥିତିକୁ ଆଢୁଆଳରେ ରଖିବାକୁ ପଡୁଥିଲା ସେହି ସବୁ ଭାଷାକୁ । ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି ଉପନିବେଶୀୟ ଶାସନରେ ଭର୍ଣ୍ଣାକୁଲାର୍ ର ପ୍ରତିଷ୍ଠା ଫଳରେ ସେହି ସବୁ ଭାଷା ମୁଖ୍ୟତଃ ଆଗକୁ ଆସିଲେ ଯେଉଁସବୁ ଭାଷାରେ ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳର ପିଲାଏ ଲେଖାପଢା ଶିଖିବାକୁ ଆସୁଥିଲେ । ତେଣୁ ଗୋଟିଏ ଅଂଚଳରେ ଜଣେ କେଉଁ ଭାଷାରେ କଥା କହୁଛି ଅପେକ୍ଷା ଜଣେ କେଉଁ ଭାଷାରେ ପାଠପଢିବାକୁ ଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ହୋଇଗଲା । ତେଣୁ ଭାଷା ଶିକ୍ଷା, ଭାଷା ଚର୍ଚ୍ଚା, ଭାଷାର ପ୍ରସାର ଭାଷାଦେଶ ନିର୍ମାଣରେ ପ୍ରମୁଖ କାରକ ହୋଇଥିଲା । ଓଡିଶା ଏକ ଭାଷାଦେଶ ହିସାବରେ ବିକଶିତ ହେବା ପଛରେ ଏଇ ସବୁ ଉପାଦାନ ନିର୍ଦ୍ଦିଷ୍ଟ ଭାବରେ ରହିଅଛି ।

ଉତ୍କଳ ଦୀପିକାର ୨୭ ନଭେମ୍ବର ୧୮୬୯ର ଚତୁର୍ଥ ସଂଖ୍ୟାର ସେହି ସମ୍ବାଦଟି ଉତ୍କଳରେ ଓଡିଆଭାଷାର ଶିକ୍ଷାଦାନର ସ୍ୱରୂପକୁ ନେଇ ପ୍ରକାଶିତ ହୋଇଥିଲା । ତତ୍କାଳୀନ ସ୍କୁଲମାନଙ୍କରେ ଶିକ୍ଷାଦାନ ସଂପର୍କରେ ତତ୍କାଳୀନ ଲେଫଟନାଣ୍ଟ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶାନୁଯାୟୀ ସ୍କୁଲସମୂହର ଇନସପେକ୍ଟର ଶ୍ରୀଯୁକ୍ତ ମାର୍ଟିନ ଯେଉଁ ବ୍ୟାଖ୍ୟା - ନିର୍ଦ୍ଦେଶ ପ୍ରଦାନ କରିଥିଲେ ତାହା ଏହିପରି ଥିଲା: "ପ୍ରଥମ, କଟକ ହାଇସ୍କୁଲ ଓ ଓଡିଶାର ଅନ୍ୟ ଦୁଇ ଜିଲ୍ଲା ସ୍କୁଲରେ ବଙ୍ଗଳା ଅଥବା ଓଡିଆ ଭାଷା ପାଠ କରିବା ଛାତ୍ରଙ୍କ ସ୍ୱେଚ୍ଛାଧୀନ ରହିବ ଅଥବା ଲେଫଟନାଣ୍ଟ ଗଭର୍ଣ୍ଣରଙ୍କ ମତରେ ଦୁଇଟି ଭାଷା ଶିଖିବାକୁ ହେବ । ଦ୍ୱିତୀୟ, ମଧ୍ୟ ଶ୍ରେଣୀର ଇଂରେଜୀ ଓ ଭାଷା ସ୍କୁଲ୍ ରେ ସକଳ ବିଷୟରେ ଶିକ୍ଷା ଉତ୍କଳ ଭାଷାରେ ଦିଆଯିବ, ଇଂରେଜୀ ବାଧ୍ୟତାମୂଳକ ରହିବ ଏବଂ ବଙ୍ଗଳା ସ୍ୱେଚ୍ଛାଧୀନ ରହିବ । ତୃତୀୟ, ମଧ୍ୟ ଶ୍ରେଣୀର ଉତ୍କଳ ବିଦ୍ୟାଳୟରେ ଯେ ପର୍ଯ୍ୟନ୍ତ ଉତ୍କଳ ଭାଷାରେ ଉତ୍ତମ ସାହିତ୍ୟ ପୁସ୍ତକ ହୋଇନାହିଁ କେବଳ ସେହି ସବୁ ପୁସ୍ତକକୁ ପଢିବା ନିମନ୍ତେ ଭାଷା ଶିଖିବା ପାଇଁ ବଙ୍ଗଳା ପଢାଯିବ, ଏବଂ ଚତୁର୍ଥ, ନିମ୍ନ ଶ୍ରେଣୀରେ ଉତ୍କଳ ବିଦ୍ୟାଳୟରେ କେବଳ ଉତ୍କଳ ଭାଷାରେ ଶିକ୍ଷା ଦିଆଯିବ ।"

ସ୍କୁଲ୍ ସମୂହର ଇନସପେକ୍ଟର ମିଃ ମାର୍ଟିନଙ୍କର ୧୮୬୯ ଖ୍ରୀଅରେ ପ୍ରଚଳିତ ଶିକ୍ଷାଦାନ କ୍ଷେତ୍ରରେ ଭାଷା ବ୍ୟବହାରକୁ ନେଇ ଏଇ ଯେଉଁ ନିର୍ଦ୍ଦେଶନାମା ରହିଥିଲା ସେଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ଓଡିଶାର ବାଲେଶ୍ୱର, କଟକ ପ୍ରଭୃତି ଅଂଚଳ ଯାହା ବଙ୍ଗପ୍ରଦେଶର ଶାସନାଧୀନ ରହିଥିଲା ଆଉ ଇଏ ହେଉଛି ସେହି ଅଂଚଳ ଯେଉଁଠି ବଙ୍ଗଳା ଭାଷା ସହିତ ଓଡିଆ ଭାଷାର ସିଧାସଳଖ ଆଧିପତ୍ୟର ସଂଘାତ ଚାଲିଥିଲା ସେଇ ଅଂଚଳରେ ଏହି ମାର୍ଟିନଙ୍କ ନିର୍ଦ୍ଦେଶନାମା ଫଳରେ ଶିକ୍ଷାକ୍ଷେତ୍ରରେ ବଙ୍ଗଳା ଭାଷା ତୁଳନାତ୍ମକ ଭାବରେ ଅଧିକ ପ୍ରଭାବୀ ହୋଇଥିଲା । ଯଦିଓ ଏହି ନିର୍ଦ୍ଦେଶନାମା ଫଳରେ ଉତ୍କଳର ହାଇସ୍କୁଲ୍ ଏବଂ ମିଡଲ୍ ଇଂଗ୍ଲିଶ ସ୍କୁଲ୍ ରେ ବଙ୍ଗଳା ଭାଷା ସ୍ୱେଚ୍ଛାଧୀନ ରହିଥିଲା କିନ୍ତୁ ଉପଯୁକ୍ତ ପାଠ୍ୟପୁସ୍ତକ ପାଇଁ ବଙ୍ଗଳା ଭାଷାରେ ପ୍ରଣୀତ ପାଠ୍ୟପୁସ୍ତକ ପାଇଁ "କେବଳ ଭାଷା ଶିଖିବା" ନ୍ୟାୟରେ ବଙ୍ଗଳା ଭାଷାର ଆଧିପତ୍ୟକୁ ଚତୁରତାର ସହ ପ୍ରତିଷ୍ଠିତ କରାଯାଇଥିଲା ।

ପ୍ରାଇମେରୀ ସ୍ତରରେ କେବଳ ଓଡିଆ ଏବଂ ଉପର ସ୍ତରରେ ଓଡିଆ ଏବଂ ଶିକ୍ଷା ପାଇଁ (ଯେହେତୁ ଅଧିକ ଶିକ୍ଷକ ବଙ୍ଗଭାଷୀ ଏବଂ ଅଧିକାଂଶ ପାଠ୍ୟପୁସ୍ତକ ବଙ୍ଗଭାଷାରେ ରଚିତ) ବଙ୍ଗଭାଷା ଶିକ୍ଷାର୍ଥୀଙ୍କ ପାଇଁ "ସ୍ୱେଚ୍ଛାଧୀନ" ଟ୍ଯାଗ୍ ବହନ କରୁଥିଲେ ହେଁ ଏହା ତତ୍କାଳୀନ ଶିକ୍ଷାକ୍ଷେତ୍ରରେ ଏକ ପ୍ରକାର ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡୁଥିଲା । ସେଇଥିପାଇଁ ଓଡିଶାର ନବ୍ୟଶିକ୍ଷିତମାନେ ମାନସିକ ସ୍ତରରେ ବଙ୍ଗଭାଷା ପ୍ରତି ଏକ ପ୍ରକାର ନିର୍ଭରଶୀଳ ଥିଲେ । ସେହି କାରଣରୁ ଉତ୍କଳର ସେହି ସମୟର ଅଭିଜାତ ବର୍ଗଙ୍କ ଆଚରଣରେ ବଙ୍ଗଭାଷା ପ୍ରତି ଯଥେଷ୍ଟ ଉଦାରତା ଦେଖାଯାଉଥିଲା । ବାବୁ ରାଜେନ୍ଦ୍ରଲାଲ ଅଥବା ପଣ୍ଡିତ କାନ୍ତିଚନ୍ଦ୍ରଙ୍କ ଓଡିଆ ଭାଷା ବିରୋଧି ଆଭିମୁଖ୍ୟ ସମୟରେ ବି ସେମିତି ଉଗ୍ରତା ଉତ୍କଳରେ ଦେଖାଯାଇନଥିଲା । ପଣ୍ଡିତ କାନ୍ତିଚନ୍ଦ୍ର ଓଡିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ନିଜର ଅଭିମତ ପ୍ରକାଶ କରିବା ପରେ ବାଲେଶ୍ବରରେ ବଙ୍ଗଳା ଭାଷାର ସମର୍ଥନରେ କିଛି ନବ୍ୟଶିକ୍ଷିତ ଓଡିଆ ଏବଂ କିଛି ସ୍ଥାନୀୟ ଜମିଦାର ଆଗଭର ହୋଇ ଛୋଟଲାଟଙ୍କ ନିକଟକୁ ଆବେଦନ କରିବା ଘଟଣା ଉତ୍କଳ ଦୀପିକାରେ ପ୍ରକାଶିତ ହୋଇଥିଲା । ଉତ୍କଳ ଦୀପିକା ଏଇ ଘଟଣାକୁ ନେଇ ତାହାର ସେସମୟର ସମ୍ବାଦ ବିବରଣୀରେ କ୍ଷୋଭ ପ୍ରକାଶ କରିଥିଲା ।

ବଙ୍ଗଭାଷାର ପ୍ରଚଳନ ଆଉ ଏହାର ସମର୍ଥନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଡେପୁଟି କମିଶନର ଶ୍ରୀ ଶିବଦାସ ଭଟ୍ଟାଚାର୍ଯ୍ୟଙ୍କୁ ତତ୍କାଳ ବାଲେଶ୍ୱରରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବୀ ବି ଉତ୍କଳ ଦୀପିକା ଉଠାଇ ଥିଲା । ଏଇ ସବୁ କହିବା ଉଦ୍ଦେଶ୍ୟ ହେଉଛି ଓଡିଶାର ସେହି ଭାଷା ଆନ୍ଦୋଳନକୁ ଏକ ଆବେଗପରକ ରୂପ ଦେବା ସହିତ ଏହାକୁ ଓଡିଶାର ନବ୍ୟଶିକ୍ଷିତ ତଥା ସାଧାରଣ ବର୍ଗଙ୍କ ସହିତ ସଂଯୋଜିତ କରିବା କ୍ଷେତ୍ରରେ ଉତ୍କଳ ଦୀପିକା ଭଳି ସଂବାଦପତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେଣୁ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡିଆ ଭାଷାକୁ ନେଇ ଓଡିଶାରେ ଯେଉଁ ଅସ୍ମିତାବୋଧ ତଥା ଜାତୀୟତାବାଦର ଉତ୍ପତ୍ତି ହୋଇଥିଲା ତାହାକୁ ବ୍ୟାପ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଚାଳିତ କରିବା କାର୍ଯ୍ୟଟି ତତ୍କାଳୀନ ସ୍ଥାନୀୟ ସମ୍ବାଦପତ୍ରମାନେ ସଂପାଦନ କରିଥିଲେ । ଉତ୍କଳ ଦୀପିକା (୧୮୬୬), ବୋଧଦାୟିନୀ (୧୮୬୮), ବାଲେଶ୍ୱର ସମ୍ବାଦବାହିକା (୧୮୭୨), ଉତ୍କଳ ଦର୍ପଣ (୧୮୭୩), ସ୍ୱଦେଶୀ (୧୮୭୭, ବ୍ରହ୍ମପୁର), ସମ୍ବଲପୁର ହିତୈଷଣୀ (୧୮୮୯, ବାମଣ୍ଡା) ଆଦି ସମ୍ବାଦପତ୍ରମାନେ ଓଡିଆ ଭାଷାର ଅସ୍ମିତା ଏବଂ ଅସ୍ତିତ୍ୱ ପ୍ରଶ୍ନକୁ କହିବାକୁ ଗଲେ ସର୍ବସମ୍ମୁଖକୁ ଆଣିଥିଲେ ।

ପ୍ରାକ୍ - ନଅଙ୍କ ଦୁର୍ଭିକ୍ଷ କାଳର ଓଡିଶାରେ ଓଡିଆ ଭାଷାର ବ୍ୟବହାରକୁ ନେଇ ଓଡିଶାରେ ସଂକଟର କଥା ସମସ୍ତେ ଅନୁଭବ କରୁଥିଲେ ହେଁ ଏହାକୁ ନେଇ ଲୋକ - ଜାଗରଣର କୌଣସି କାରକ - ଉପାଦାନ ସେ ସମୟରେ ଉପଲବ୍ଧ ନଥିଲା । ଏହି ସମସ୍ୟାଟିକୁ ବିସ୍ତାରରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିବାବେଳେ ବିଶେଷତଃ ସ୍ଥାନୀୟ ଭାଷା ତଥା ଭର୍ଣ୍ଣାକୁଲାର୍ କୁ ନେଇ ଇଂରେଜ ଉପନିବେଶୀୟ ଶାସନ ଉଦାର ତଥା ତଟସ୍ଥ ରହିବା ଭଳି ନୀତିଗତ କଥାକୁ ଓଡିଆ ଜନସାଧାରଣଙ୍କ ସାମ୍ନାକୁ ଆଣିବା ଫଳରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଘଟିଥିଲା । ତାହା ଫଳରେ ଓଡିଶାର ନବ୍ୟଶିକ୍ଷିତ ବର୍ଗ ତଥା ସର୍ବସାଧାରଣଙ୍କର ଏଇଭଳି ହୃଦବୋଧ ହେବାକୁ ଲାଗିଲା ଯେ, ସେମାନେ ଓଡିଆ ଭାଷାର ସମର୍ଥନରେ ଯେଉଁ ଭାଷାଯୁଦ୍ଧ କରିବାକୁ ଆଗଭର ହେଉଛନ୍ତି ତାହା ବସ୍ତୁତଃ ଗୋଟିଏ ଭର୍ଣ୍ଣାକୁଲାର୍ ବିରୁଦ୍ଧରେ ଆଉ ଗୋଟିଏ ଭର୍ଣ୍ଣାକୁଲାର୍ ର ଯୁଦ୍ଧ, ଓଡିଆ ଭାଷାର ବଙ୍ଗଳାଭାଷା ବିରୁଦ୍ଧରେ, ତେଲୁଗୁ ଭାଷା ବିରୁଦ୍ଧରେ, ହିନ୍ଦୀ ଭାଷା ବିରୁଦ୍ଧରେ ଏକ ଯୁଦ୍ଧ, ଏବଂ ଏହା କୌଣସି ଦୃଷ୍ଟିରୁ ସରକାର ବିରୋଧୀ କାର୍ଯ୍ୟକ୍ରମ ନୁହଁ । ସେ ସମୟର ସଂବାଦପତ୍ରମାନେ ଏହିଭଳି ଏକ ଅର୍ଥାତ୍ ଏହା ସରକାର ବିରୋଧରେ ନୁହଁ ଭଳି ଅବବୋଧ ଜନସାଧାରଣରେ ସୃଷ୍ଟି କରିବା କାରଣରୁ ଓଡିଆଭାଷା ପାଇଁ ଆନ୍ଦୋଳନର ପ୍ରେକ୍ଷାପଟଟି ପ୍ରସ୍ତୁତ ହେବା ସହିତ ସୁଦୃଢ ହୋଇଥିଲା ।

ତାହା ସହିତ ସେମାନେ ନିରବଚ୍ଛିନ୍ନ ଭାବରେ ଭାଷା - ପ୍ରତିପକ୍ଷମାନଙ୍କର କାର୍ଯ୍ୟାବଳୀର ବିବରଣୀମାନ ପ୍ରକାଶ କରିବା କାରଣରୁ ଏଠାରେ ଆଉ ଯାହା ହେଉନା କାହିଁକି ଏକ ପ୍ରତିକ୍ରିୟା ଆକାରରେ ଭାଷା - ସଚେତନତା ବୃଦ୍ଧି ପାଉଥିଲା । ଓଡିଶା ଏକ ଭାଷାଦେଶ ହିସାବରେ ରୂପ ଗ୍ରହଣ କରିବା ପଛରେ ଉତ୍କଳ ଦୀପିକା ଭଳି ସମ୍ବାଦପତ୍ରମାନଙ୍କର "ଅଲ୍ ଇନକ୍ଲୁସିଭ୍" ଭୂମିକା ରହିଥିବାବେଳେ ସେମାନଙ୍କର ଆଉ କେତୋଟି ଅବଦାନକୁ ଆମର ବିଚାର କରିବାର ଅଛି । ଉତ୍କଳ ଦୀପିକା ସମେତ ଏଇ ସମସ୍ତ ସଂବାଦପତ୍ରର ସଂବାଦ - ସଂରଚନା କହିବାକୁ ଗଲେ ଏକ ପ୍ରକାରର ଥିଲା । ଏଥିରେ ମୁଖ୍ୟତଃ ଯେଉଁ ସଂବାଦ ପ୍ରକାଶିତ ହେଉଥିଲା ତାହା ବସ୍ତୁତଃ ଉପନିବେଶୀୟ ସରକାରର ନିଷ୍ପତ୍ତି ଏବଂ ତାହାର ଉଚ୍ଚ କର୍ମକର୍ତ୍ତାଙ୍କ କିଛି କାର୍ଯ୍ୟ ବିବରଣୀ, କିଛି ଇଉରୋପର ସମକାଳୀନ ଘଟଣାବଳୀ, କିଛି ସ୍ଥାନୀୟ ସଂବାଦ ଏବଂ ଯେଉଁ କଥାଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ସମ୍ବାଦପତ୍ରମାନଙ୍କର ସେତେବେଳର ଶିକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ବିବରଣୀ ପ୍ରକାଶ ପାଉଥିଲା । ନିମ୍ନ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ହାଇସ୍କୁଲ୍ ଯାଏଁ ସେହି ସମୟର ବିଦ୍ୟାଳୟମାନଙ୍କର ସୁବିଧା ଅସୁବିଧା ତଥା ପରୀକ୍ଷାଫଳର ବିବରଣୀ ପ୍ରମୁଖତାର ସହ ପ୍ରକାଶ ପାଉଥିଲା । ସେ ସମୟର ସମସ୍ତ ସଂବାଦପତ୍ରରେ ପ୍ରତି ସଂଖ୍ୟାରେ ଆପଣମାନେ ଶିକ୍ଷାର ସମସ୍ୟାର ବିବରଣୀ ନିଶ୍ଚିତ ଭାବରେ ଦେଖିବାକୁ ପାଇଁ । ସେ ସମୟର ସଂବାଦପତ୍ରମାନେ ନିରନ୍ତର ଶିକ୍ଷା ପ୍ରସଂଗଟିକୁ ଉପସ୍ଥାପନ କରି ତତ୍କାଳୀନ ଓଡିଶାବାସୀଙ୍କୁ ଶିକ୍ଷା ସଚେତନ କରାଉଥିଲେ ଯାହାକି ଓଡିଶାକୁ ଏକ ଭାଷାଦେଶ ହିସାବରେ ଗଢି ତୋଳିବାରେ ସହାୟକ ହୋଇଥିଲା ।

୧୮୭୦ ରୁ ୧୯୦୦ ଭିତରେ ସଂବାଦପତ୍ରରେ ଭିନ୍ନ ଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଙ୍କ ନାଆଁମାନ ପ୍ରକାଶିତ ହେଉଥିଲା । ସେହି ନାଆଁମାନଙ୍କୁ ଅନୁଧ୍ୟାନ କଲେ ଦେଖାଯିବ ଯେ ସେହି ସମୟରେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କ ମଧ୍ୟରେ ଊଣା ଅଧିକେ ବଙ୍ଗଭାଷୀ ଛାତ୍ରଙ୍କ ପ୍ରମୁଖ ଉପସ୍ଥିତି ରହୁଥିଲା । ଓଡିଶାର ସ୍କୁଲମାନଙ୍କରେ ବଙ୍ଗଭାଷୀ ଛାତ୍ରମାନଙ୍କ ଉତ୍ତୀର୍ଣ୍ଣ ହାର ନିଶ୍ଚିତ ଭାବରେ ଗୋଟିଏ କଥାର ସୂଚନା ଦିଏ ଯେ, ଓଡିଶାରେ ସେସମୟର ଶିକ୍ଷା ବ୍ୟବସ୍ଥାରେ ବଙ୍ଗଭାଷୀମାନଙ୍କର ପ୍ରଭାବ ରହିଥିଲା ଏବଂ ତାହାକୁ ପ୍ରତିହତ କରିବା ପାଇଁ ଓଡିଆଭାଷୀମାନଙ୍କୁ ଶିକ୍ଷିତ ହେବାକୁ ପଡିବ ।

ଉତ୍କଳ ଦୀପିକା ସମେତ ସବୁ ସେସମୟର ସଂବାଦପତ୍ର ଓଡିଶାର ଶିକ୍ଷିତ ବର୍ଗଙ୍କୁ ମାନସିକ ଭାବରେ ଏକାଠି କରିବାର ଏକ ଉପାଦାନ ଯୋଗାଇଥିଲା । ସେ ବାଲେଶ୍ୱରର ହେଉ, ଗଞ୍ଜାମର ହେଉ କି ସମ୍ବଲପୁରର ହେଉ ତାହା ଭିତରେ ଓଡିଆଭାଷୀ ହେବାର ଏକ ଅସ୍ମିତାବୋଧ ଏହି ସଂବାଦପତ୍ରମାନ ସଫଳତାର ସହ ନିର୍ମାଣ କରିପାରିଥିଲେ । ତାହାର କାରଣ ହେଉଛି ସେ ସମୟର ସଂବାଦପତ୍ର ତାହା ବାଲେଶ୍ୱରରୁ ପ୍ରକାଶିତ ହେଉ କି ବାମଣ୍ଡାରୁ ପ୍ରକାଶିତ ହେଉ ସମସ୍ତ ସଂବାଦପତ୍ରର ସ୍ୱରୂପ ସମାନ ଥିଲା । ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବାମଣ୍ଡାରୁ ପ୍ରକାଶିତ ହେଉଥିବା "ସମ୍ବଲପୁର ହିତୈଷଣୀ"ର ଶୀର୍ଷକରେ ସମ୍ବଲପୁର ରହିଥିଲେ ହେଁ ଏଥିରେ ସ୍ଥାନୀୟତାର ସେମିତି ସଂକୁଚିତ ପରିସର ରହୁ ନଥିଲା । ଏହା କଟକ ଆଦି ସ୍ଥାନରୁ ପ୍ରକାଶ ପାଉଥିବା ଉତ୍କଳ ଦୀପିକା ସଂବାଦପତ୍ର ଭଳି ସଂରଚନା ଦୃଷ୍ଟି ଊଣା ଅଧିକେ କାରବନ୍ କପି ଭଳି ଥିଲା । ଓଡିଶା ସାରା ସବୁ ସଂବାଦପତ୍ର ଗୋଟିଏ ପ୍ରକାରରେ ପ୍ରକାଶିତ ହେଉଥିବା କାରଣରୁ ସହଜରେ ବୁଝାଯିବ ଯେ ତତ୍କାଳୀନ ଶିକ୍ଷିତ ବର୍ଗ ଯେଉଁମାନଙ୍କୁ ଏହି ସମସ୍ତ ସଂବାଦପତ୍ର ସଂବୋଧନ କରିଥାଏ ତାହାର ସଂରଚନା ବି ବସ୍ତୁତଃ ଏକ ପ୍ରକାରର । ସେ ଗଞ୍ଜାମବାସୀ କି ସମ୍ବଲପୁରବାସୀ କି ବାଲେଶ୍ୱରବାସୀ ହୁଅନ୍ତୁ ସେମାନଙ୍କ ମଧ୍ୟରେ ଯେଉଁମାନେ ନବ୍ୟଶିକ୍ଷିତ, ପ୍ରଭାବଶାଳୀ ଏବଂ ଓଡିଆ ଭାଷୀ ସେମାନେ ସବୁ ମାନସିକତା ଦୃଷ୍ଟିରୁ ଗୋଟିଏ । ଏହା ବ୍ୟତୀତ ଆଉ ଯେଉଁ କଥାଟି ସେସମୟର ସଂବାଦପତ୍ରମାନଙ୍କରେ ଲକ୍ଷ୍ୟଣୀୟ ଥିଲା ତାହା ହେଉଛି ଯଥେଷ୍ଟ "ସଂପାଦକଙ୍କୁ ପତ୍ର"। ସେ ସମୟର ସଂବାଦପତ୍ରମାନଙ୍କରେ ସଚେତନ ଓଡିଆମାନେ ନିଜ ନିଜର ଅଭିମତକୁ ପତ୍ର ଆକାରରେ ସଂପାଦକଙ୍କୁ ଲେଖୁଥିଲେ । ଏହି ସବୁ ସଂପାଦକଙ୍କୁ ପତ୍ର ମାଧ୍ୟମରେ ସେମାନେ ନିଜ ନିଜର ଦୃଷ୍ଟିକୋଣରୁ ସମସ୍ୟାର କଥା ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେମାନେ ବେନାମରେ ଏହିଭଳି ପତ୍ରମାନ ଲେଖୁଥିଲେ । କୁଳବୃଦ୍ଧ ମଧୁସୂଦନ ଏଇଭଳି କେତେଗୁଡିଏ ବେନାମୀ ପତ୍ର ସଂବାଦପତ୍ରମାନଙ୍କୁ ଲେଖିଥିବାର ସୂଚନା ମିଳେ । ନିଜର ଲେଖା ଚିଠିକୁ ଗୁରୁତ୍ୱର ସହ ନିଆଯାଉଛି (ଏହା କୌଣସି ପ୍ରକାରେ ବ୍ୟକ୍ତିଗତ ଚିଠି ନୁହଁ, ସମସ୍ୟାଭିତ୍ତିକ ଚିଠି) ବୋଲି ମନେ କଲେ ଜଣେ ନିଜକୁ ଆଢୁଆଳରେ ରଖିବାକୁ ଚାହିଁବ, ସେଇଥିପାଇଁ ତ ବେନାମୀ ଚିଠି । ସେ ସମୟର ସମସ୍ତ ସଂବାଦପତ୍ରର ଗ୍ରାହକ ତାଲିକାରେ ଶୀର୍ଷ ଉପନିବେଶ ଶାସକଠାରୁ ଆରମ୍ଭ କରି ତଳସ୍ତରର ଶିକ୍ଷିତ ଯୁବକ ଯାଏଁ ସମସ୍ତେ ଏଇ ସବୁ ସଂବାଦପତ୍ରର ଗ୍ରାହକ ଥିଲେ ।

ପ୍ରସଙ୍ଗଟି ଆରମ୍ଭ ହୋଇଥିଲା ଓଡିଶା ଏକ ଭାଷାଦେଶ ହିସାବରେ ଗଢି ଉଠିବା ପଛରେ ଓଡିଆ ଭାଷାର ଶିକ୍ଷାଦାନ କେଉଁଭଳି ଗୁରୁତ୍ୱପୂର୍ଣ୍ଣ, ସେହି କଥା । ଶିକ୍ଷାଦାନ କ୍ଷେତ୍ରରେ ବଙ୍ଗଳାଭାଷାର ଆଧିପତ୍ୟକୁ କେଉଁଭଳି ବଜାୟ ରଖାଯାଇପାରିବ ଉଚ୍ଚପଦସ୍ଥ ବଙ୍ଗଭାଷୀମାନେ ତାହାର ଯଥାସମ୍ଭବ କୌଶଳ ପ୍ରୟୋଗ କରୁଥିବା କଥାର ଉଲ୍ଲେଖ ଆଗରୁ ରହିଛି । ଓଡିଶାର ସ୍କୁଲମାନଙ୍କୁ ପାଠ୍ୟପୁସ୍ତକ ଯୋଗାଣର ପ୍ରବିଧିକୁ ଦେଖିଲେ ଆମର ସ୍ମରଣରେ ରହିବା ଉଚିତ ଯେ, ଉପନିବେଶୀୟ ଶାସନର ଆଦ୍ୟଭାଗରେ କୋର୍ଟ କଚେରୀରେ ପାର୍ସି, ଶାସନରେ ଓଡିଆ ଭାଷାର ପ୍ରଚଳନ ଥିଲା । ସେତେବେଳେ ଯଥେଷ୍ଟ ଶିକ୍ଷାନୁଷ୍ଠାନ ନଥିଲା କି ଯଥେଷ୍ଟ ପାଠ୍ୟପୁସ୍ତକ ନଥିଲା । କ୍ରମଶଃ ମିଶନାରୀମାନେ ଅନୁବାଦ ଏବଂ ମୌଳିକ ରଚନା ଦ୍ୱାରା ଭର୍ଣ୍ଣାକୁଲାର୍ ର ଶ୍ରୀବୃଦ୍ଧି କରିଥିଲେ । ୧୮୬୯ - ୭୦ ବେଳକୁ କଲିକତାର ବୁକ୍ ସୋସାଇଟି ହାତରେ ଓଡିଆଭାଷୀ ଅଂଚଳକୁ ପାଠ୍ୟପୁସ୍ତକ ନିର୍ବାଚିତ କରି ପ୍ରେରଣ କରିବାର ଦାୟିତ୍ୱ ରହିଥିଲା । ଏହା ଫଳରେ ପାଠ୍ୟପୁସ୍ତକର ପ୍ରସ୍ତୁତି ଏବଂ ତାହାର ବିପଣନର ପ୍ରମୁଖ ନିୟନ୍ତ୍ରଣ ସେହି କଲିକତା ବୁକ୍ ସୋସାଇଟି ହାତରେ ରହିଥିଲା । ଏଥିରେ କିଛି ଉଚ୍ଚପଦସ୍ଥ ଇଂରେଜ ସଦସ୍ୟ ରହିଥିଲେ ହେଁ ଏହା ମୁଖ୍ୟତଃ ବଙ୍ଗଭାଷୀମାନଙ୍କ ହାତରେ ଥିଲା । ସେମାନେ ଆବଶ୍ୟକ ମନେ କଲେ ଏଠାରୁ କିଛି ଓଡିଆଙ୍କୁ ସହଯୋଗୀ ହିସାବରେ ଡାକୁଥିଲେ । ଉପନିବେଶୀୟ ଶାସନ ଏହି ବୁକ୍ ସୋସାଇଟିକୁ ଓଡିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରୁଥିଲା ଏବଂ ଆବଶ୍ୟକ ମନେ କଲେ ଅନ୍ୟଭାଷାରୁ ପାଠ୍ୟପୁସ୍ତକ ମାନ ଓଡିଆରେ ଅନୁବାଦ କରିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଥିଲା । ଫଳତଃ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବିପଣନର ସର୍ବେସର୍ବା ଥିବା କାରଣରୁ ଏହି ବୁକ୍ ସୋସାଇଟି ଅନେକ ବଙ୍ଗଳା ଭାଷାର ପାଠ୍ୟପୁସ୍ତକ (ଇଂରେଜୀ ଭାଷାରୁ ବି)କୁ ଓଡିଆ ଭାଷାରେ ଅନୁବାଦ କରାଇଥିଲା ।

ଫକୀରମୋହନ ତାଙ୍କର ଆଦ୍ୟ ଚାକିରି ବାଲେଶ୍ୱରର ବାରବାଟି ସ୍କୁଲ୍ ରେ ଅଙ୍କ ଶିକ୍ଷକ ଥିବାବେଳେ ପାଠ୍ୟ ପୁସ୍ତକ ଆକାରରେ ବଙ୍ଗଳା ଭାଷାରୁ ପଣ୍ଡିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ "ଜୀବନ ଚରିତ" ଏବଂ "ଭାରତବର୍ଷର ଇତିହାସ" ଓଡିଆରେ ଅନୁବାଦ କରିଥିଲେ । ବଙ୍ଗଳା ଭାଷାରୁ ପାଠ୍ୟପୁସ୍ତକ ନିମନ୍ତେ ଏହି ଅନୁବାଦ ହେଉଛି ସମ୍ଭବତଃ ଫକୀରମୋହନଙ୍କ ପ୍ରଥମ ସୃଜନକର୍ମ । ସେ ଯାହାହେଉ ସେଇ ସମୟରେ ଓଡିଆରେ ପାଠ୍ୟପୁସ୍ତକ ଆଳରେ ଯଥେଷ୍ଟ ବଙ୍ଗଳାଭାଷାର ଲିଖିତ ପାଠ୍ୟପୁସ୍ତକ ଓଡିଆଙ୍କ ମାନସରାଜ୍ୟକୁ ପ୍ରବେଶ କରିଯାଇଥିଲା । ଅନ୍ୟଭାଷାରୁ ଅନୁଦିତ ହୋଇ ଓଡିଆ ଭାଷାକୁ ପ୍ରବେଶ କରିଥିବା ଏହି ସବୁ ପାଠ୍ୟପୁସ୍ତକ ନିରପେକ୍ଷ ଦୃଷ୍ଟିରୁ ଦେଖିଲେ ଅତ୍ୟନ୍ତ ଉଚ୍ଚମାନର ଥିଲା । ଉପସ୍ଥିତ ଲେଖକ ଏଇଠି ଗୋଟିଏ ବ୍ୟକ୍ତିଗତ କଥା କହିବା ପାଇଁ ସମ୍ମତି ଲୋଡିବ । ଏହି ଘଟଣାର ପ୍ରାୟ ଶହେ ବର୍ଷ ପରେ ଅର୍ଥାତ୍ ୧୯୬୯ ମସିହାରେ ନବମ ଶ୍ରେଣୀର ଛାତ୍ର ଥିବାବେଳେ ସେ ଯେଉଁ ଆଲଜେବ୍ରା ବହିରୁ ଅଂକ କଷୁଥିଲା ତାହାର ଲେଖକ ଥିଲେ ଜଣେ ବଙ୍ଗଭାଷୀ, କେପି ବସୁ ଅର୍ଥାତ୍ କାଳିପଦ ବସୁ । କେପି ବସୁ'ସ ଆଲଜେବ୍ରା ସେ ସମୟରେ ଓଡିଶାରେ ସର୍ବତ୍ର ପ୍ରଚଳିତ ଥିଲା । ଶହେ ବର୍ଷ ଭିତରେ ଓଡିଶାରେ ଗୋଟିଏ ମୌଳିକ ଆଲଜେବ୍ରା ପୁସ୍ତକ ଉପଲବ୍ଧ ହୋଇ ନପାରିବା ଭଳି ପ୍ରସଙ୍ଗକୁ ଯିବା ନାହିଁ । ସେ ଯାହାହେଉ ପାଠ୍ୟପୁସ୍ତକ ପ୍ରସ୍ତୁତିବେଳେ ତାହାକୁ ନିୟନ୍ତ୍ରଣ କରିବାବେଳେ କଲିକତାର ବୁକ୍ ସୋସାଇଟି ଯଥେଷ୍ଟ ପାଠ୍ୟପୁସ୍ତକ ଓଡିଶାକୁ ପଠାଉନଥିଲେ । ଏହା ଫଳରେ ଶିକ୍ଷାଦାନ ବ୍ୟାହତ ହେଉଥିଲା । ବଙ୍ଗଳା ଭାଷାରୁ ପାଠ୍ୟପୁସ୍ତକ ଅନୁବାଦ କରାଇ ଏଠାରେ ସେମାନେ ବି ବଙ୍ଗଭାଷାର ସୂକ୍ଷ୍ମ ଆଧିପତ୍ୟକୁ ପାଠ୍ୟପୁସ୍ତକ ସହିତ ପ୍ରଚଳନ କରାଇପାରିଥିଲେ । ତେଣୁ ୧୮୭୦ ଆଡକୁ ଉତ୍କଳ ଦୀପିକା ଓଡିଶାବାସୀଙ୍କ ଦାବୀ ଉପସ୍ଥାପନ କରିଥିଲା ଯେ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ଯୋଗାଣ ପାଇଁ ବୁକ୍ କମିଟି ସ୍ଥାନୀୟ ଭାବରେ କଟକରେ ସ୍ଥାପିତ ହେଉ । ଏବଂ କ୍ରମଶଃ ଓଡିଆ ଭାଷାରେ ମୌଳିକ ପାଠ୍ୟପୁସ୍ତକ ରଚନା କରିବା ଉଦ୍ଦେଶ୍ୟରେ ଓଡିଆଭାଷୀମାନେ ଆଗଭର ହେବାପାଇଁ ଅନ୍ତର୍ନିହିତ ଚାପ ଅନୁଭୂତ ହେବାରେ ଲାଗିଲା ।

ଏଥିପାଇଁ ଯେଉଁ ଓଡିଆମାନେ ପ୍ରମୁଖତାର ସହ ଆଗେଇ ଆସିଥିଲେ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଯେଉଁ ନାମ ରହିବ ତାହା ହେଉଛି ଭକ୍ତକବି ମଧୁସୂଦନ ରାଓ ଏବଂ ଶ୍ରୀଯୁକ୍ତ ଚନ୍ଦ୍ରମଣି ମହାରଣା । ସେ ସମୟର ଓଡିଆ ଶିକ୍ଷକମାନେ ଓଡିଆ ଭାଷାରେ ପାଠ୍ୟପୁସ୍ତକ ରଚନା କରିବାକୁ କ୍ରମଶଃ ଆଗ୍ରହୀ ହେଲେ । ଏବଂ ପାଠ୍ୟପୁସ୍ତକ ତଥା ବିବିଧ ମୌଳିକ ପୁସ୍ତକ ରଚନା ନିମନ୍ତେ ଦେଶୀୟ ରାଜାମାନେ ଭିନ୍ନ ଭିନ୍ନ ପାରିତୋଷିକ ପ୍ରଦାନ କରିବାର ଦେଖାଯାଉଥିଲା । ଓଡିଆ ଭାଷାରେ ମୌଳିକ ପୁସ୍ତକ ରଚନା ଭଳି ଓଡିଆ ଭାଷାରେ ପାଠ୍ୟପୁସ୍ତକର ପ୍ରଣୟନ ବି ଓଡିଆ ଭାଷାକୁ ମର୍ଯ୍ୟାଦାବନ୍ତ କରିବା ସହିତ ଓଡିଶାକୁ ଏକ ଭାଷାଦେଶ ଆକାର ନିର୍ମାଣର ସଶକ୍ତ ଆଧାର ସ୍ଥାପନ କରିଥିଲା । ଓଡିଆ ଭାଷାରେ ପ୍ରସ୍ତୁତ ପାଠ୍ୟପୁସ୍ତକ ହିଁ ନବ୍ୟଶିକ୍ଷିତ ଓଡିଆର ମାନସିକତାରୁ ବଙ୍ଗଭାଷାର ଆଧିପତ୍ୟ - ପ୍ରଭାବକୁ ପ୍ରତିହତ କରିବାକୁ ସକ୍ଷମ ହୋଇପାରିଥିଲା ବୋଲି କହିଲେ କଥାଟି ସେତେ ଭୁଲ୍ ହୋଇଯିବ ନାହିଁ । ତେଣୁ ଓଡିଆକୁ ଏକ ଭାଷାଦେଶ ହିସାବରେ ଚର୍ଚ୍ଚା କଲାବେଳେ ଓଡିଆ ଭାଷାର ପାଠ୍ୟପୁସ୍ତକର ପ୍ରଣୟନ ଏବଂ ବିବର୍ତ୍ତନର ପ୍ରେକ୍ଷାପଟକୁ ଆମର ବୁଝିବା ଦରକାର ।

୨୨ ଜୁନ୍ ୧୮୭୨ ମସିହାରେ ଉତ୍କଳ ଦୀପିକାର ୨୫ତମ ସଂଖ୍ୟାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂବାଦ ବାହାରିଥିଲା । ସେହି ସମ୍ବାଦରେ ଥିଲା, "ଓଡିଶାର ମାତୃଭାଷା ଓଡିଆ ଅଟଇ । ଯାବତୀୟ ସରକାରୀ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏଇ ଭାଷାରେ ଚଳଇ ଏବଂ ଗଭର୍ଣ୍ଣମେଣ୍ଟ ଦେଶୀୟ ଭାଷାରେ ଲୋକଙ୍କୁ ଶିକ୍ଷିତ କରାଇବା ପାଇଁ ବିଶେଷ ବ୍ୟୟ କରୁଅଛନ୍ତି ଓ କାର୍ଯ୍ୟାଳୟମାନଙ୍କରେ ଶୁଦ୍ଧଭାଷାରେ ଲିଖନ ପଠନ ହେବାପାଇଁ ଯତ୍ନବାନ ଅଛନ୍ତି । ମାତ୍ର ଦୁଃଖର ବିଷୟ ଯେ କାର୍ଯ୍ୟାଳୟର କିଛି ଭାରପ୍ରାପ୍ତ ହାକିମମାନେ ମାତ୍ର ଏ ବିଷୟରେ ମନଯୋଗ କରୁନାହାଁନ୍ତି, ଶୁଦ୍ଧାଶୁଦ୍ଧ ଏବଂ ସହଜରେ ପଢି ଅର୍ଥ ବୁଝିବା ପ୍ରତି କୌଣସି ପ୍ରକାର ଦୃଷ୍ଟି ନରଖି ସରକାରୀ କାର୍ଯ୍ୟାଳୟର ଲେଖକମାନେ ଯେ ଯାହା ଇଚ୍ଛାରେ ଲେଖାପଢା କରନ୍ତି । ଏଥିରେ ଯେ ଦିନକୁ ଦିନ ଦେଶୀୟ ଭାଷା କେଡେ ନିକୃଷ୍ଟ ଅବସ୍ଥାକୁ ଲଭୁଅଛି ବୋଲିବାର ବାହୁଲ୍ୟ । ମାତ୍ର ଆମ୍ଭମାନଙ୍କର ଜଜ୍ ସାହେବ ଶ୍ରୀଯୁକ୍ତ ବ୍ରାଉନ୍ ସାହେବ ଏ ଅନିଷ୍ଟ ନିବାରଣ ପକ୍ଷରେ ଯତ୍ନବାନ ହେବାର ଦେଖି ଅତିଶୟ ଆନନ୍ଦିତ ହେଲୁ । ସେ ସଂପ୍ରତି କେତେଗୁଡିଏ ଓଡିଆ ଲେଖିବାର ଧାରା ନିଶ୍ଚୟ କରି ବିଜ୍ଞାପନ ଦେଇ ଅଛନ୍ତି ଯେ ଉକ୍ତ ନିୟମାନୁସାରେ ଯେ କେହି ଦରଖାସ୍ତ ଲେଖକ ଦରଖାସ୍ତ ଆଦି ନଲେଖିବ ତାହାକୁ କଚେରୀରେ ଲେଖାପଢା କରିବାକୁ ଅନୁମତି ଦେବେ ନାହିଁ । ତାହାଙ୍କର ଏମନ୍ତ ଇଚ୍ଛା ଯେ ଏ ନିୟମମାନ ପ୍ରତିପାଳିତ ହେଲା ଉତ୍ତାରୁ ସେ ଆଉ କେତେଗୁଡିଏ ନିୟମ ପ୍ରଚାରିତ କରି ଶୁଦ୍ଧ ଲେଖିବାର ରୀତି ପ୍ରଚଳନ କରିବେ । ଆମ୍ଭେମାନେ ଭରସା କରୁ ଯେ ଅନ୍ୟ ହାକିମମାନେ ଆପଣା ଆପଣା ମହକୁମାରେ ଶୁଦ୍ଧ ଭାଷାରେ ଲେଖାପଢାର ନିୟମ ପ୍ରଚଳନ ପକ୍ଷରେ ଏହିପରି ଉଦ୍ୟମ କରନ୍ତୁ ।"

"ଉତ୍କଳ ଦୀପିକା" ର ଏହି ଦୀର୍ଘ ଉଦ୍ଧୃତିରୁ ସେହି ସମୟର ଆଉ ଗୋଟିଏ ସାମୂହିକ ଉଦବେଗର ଚିତ୍ର ସାମନାକୁ ଆସୁଛି । ଖାଲି ଭାଷା ପ୍ରଚଳନ କରିଦେଲେ ଯେ କଥାଟି ସେଇଠି ଶେଷ ଏକଥା ଆଦୌ ନୁହଁ । ଭାଷାର ଶୁଦ୍ଧାଶୁଦ୍ଧ ବିଚାର କରିବାକୁ ହେବ, ତାହାକୁ ସମସ୍ତ ଶୁଦ୍ଧତାର ସହିତ ଯେମିତି ସହଜରେ ବୁଝିହେବ, ସେକଥା ବି ଗୁରୁତ୍ୱପୂର୍ଣ୍ଣ । ସେହି ମର୍ମରେ ଜଜ୍ ସାହେବ ମିଃ ମାର୍ଟିନ୍ ଦରଖାସ୍ତ ଲେଖିବା ପାଇଁ ଯେଉଁ ନିର୍ଦ୍ଦେଶନାମା ପ୍ରଚଳନ କରିଥିଲେ ଏବଂ ତାହାର ପ୍ରଚଳନକୁ ଅନିବାର୍ଯ୍ୟ ଘୋଷଣା କରିଥିଲେ ତାହାର ସ୍ୱରୂପଟିକୁ ଦେଖିବାର ସୁଯୋଗ ନଥିଲେ ମଧ୍ୟ ଏହା କେଉଁପରି ତାହାର ଏକ ପ୍ରାକ୍ - ରୂପ କଳ୍ପନା କରାଯାଇପାରିବ । ସଂକ୍ଷେପରେ କହିଲେ ତାହା ହେଉଛି ଯାହାକୁ ଇଂରେଜୀରେ କହନ୍ତି, ଟୁ ଦି ପଏଣ୍ଟ । ତେଣୁ ଭାଷା ସଂଗ୍ରାମରେ ଭାଷା ପ୍ରଚଳନ ପରେ ଆସୁଛି ଶୁଦ୍ଧାଶୁଦ୍ଧ, ସହଜ ଏବଂ ସଂଜତ ବସ୍ତୁପରକତା ।

"ଇନ୍ଦ୍ରଧନୁ" ଆଉ "ବିଜୁଳି" ର ସଂଘର୍ଷ କ'ଣ ସେହି ଶୁଦ୍ଧାଶୁଦ୍ଧ, ସହଜ ଏବଂ ସଂଜତ ବସ୍ତୁପରକତାର ସଂଘର୍ଷ ? ଆରଥରକୁ ସେକଥା ।

ସମ୍ବଲପୁର ଜିଲ୍ଲାକୁ କିନ୍ତୁ ଓଡିଆ ଭାଷାର ପାଠ୍ୟପୁସ୍ତକ ଯୋଗାଣ ଦାୟିତ୍ୱ କଲିକତା ବା ପରେ କଟକ ସ୍ଥିତ ବୁକ୍ ସୋସାଇଟିର ନଥିଲା । ସେଠିକାର ଗଭର୍ଣ୍ଣମେଣ୍ଟ ତଥା ସେଠିକାର ଡେପୁଟି କମିଶନର୍ ଆଉ ସେଠିକାର ବିଦ୍ୟାଳୟ ସମୂହର କମିଶନର ନିଜ ତହବିଲ୍ ରୁ ସ୍ଥାନୀୟ ବିଦ୍ୟାଳୟଗୁଡିକ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ତଥା କ୍ରୟ କରୁଥିଲେ । ତେଣୁ ଏହି ଅଂଚଳରେ ଯେଉଁ ପାଠ୍ୟପୁସ୍ତକମାନ ପ୍ରସ୍ତୁତ ହେଉଥିଲା ତାହା ବିଶେଷ ଭାବରେ ମଧ୍ୟପ୍ରଦେଶର ହିନ୍ଦୀ ଭାଷାରେ ପ୍ରଣୀତ ପାଠ୍ୟପୁସ୍ତକର ଅନୁବାଦ ତଥା ଅନୁରୂପରେ ପ୍ରସ୍ତୁତ ହେଉଥିଲା । ଉଦାହରଣ ସ୍ୱରୂପ ମଧୁ ରାଓ କୃତ ବର୍ଣ୍ଣବୋଧ (୧୮୭୫) ପ୍ରଥମପାଠ ରୂପରେ କଟକ, ପୁରୀ, ବାଲେଶ୍ୱର ଆଦି ଅଂଚଳରେ ପ୍ରଚଳିତ ଥିବାବେଳେ ସମ୍ବଲପୁର ଅଂଚଳରେ "ପ୍ରଥମ ଉଡିୟା ପାଠ୍ୟପୁସ୍ତକ" ଶୀର୍ଷକରେ ଗୋଟିଏ ବହି ପ୍ରଚଳିତ ଥିଲା । ଏହି ବହିଟିର ମୂଳ ହିନ୍ଦୀ ଭାଷାରେ ଲେଖକ ହେଉଛନ୍ତି ଜବଲପୁର୍ ମେଲ୍ ନର୍ମାଲ୍ ସ୍କୁଲ୍ ର ସୁପରିଟେଣ୍ଡେଣ୍ଟ ପଣ୍ଡିତ ବିନାୟକ ରାଓ । ୧୮୯୮ରେ ପ୍ରକାଶିତ ଏହି ବହିର ଭୂମିକା ଲେଖିଛନ୍ତି ସମ୍ବଲପୁର ସ୍କୁଲ ସମୂହର ଡେପୁଟି ଇନସପେକ୍ଟର ଶ୍ରୀ ହନୁମାନ ପ୍ରସାଦ । ସେହି ଭୂମିକାରେ ଲେଖା ହୋଇଛି:

"ଏହି ପ୍ରଥମ ପାଠ୍ୟ ପୁସ୍ତକ ଖଣ୍ଡିକ ହିନ୍ଦୀ ପ୍ରଥମ ପୁସ୍ତକରୁ ଅବିକଳ ଅନୁବାଦ କରାଯାଇଅଛି । ମାତ୍ର ବାଳକ ବୃନ୍ଦ ସହଜରେ ବୁଝିପାରିବ ଓ ଶିକ୍ଷାରୀତି ଅନୁସାରେ ଶବ୍ଦ ଯୋଜନା କରାଯିବା ଆଶାରେ ସଂସ୍କୃତ ଶବ୍ଦ ପ୍ରତି ଧ୍ୟାନ ନଦେଇ ଉକ୍ତ ପୁସ୍ତକରୁ କେତେକ ଶବ୍ଦ ପରିତ୍ୟାଗ କରି ସମ୍ବଲପୁର ଜିଲ୍ଲାର ପ୍ରଚଳିତ ଭାଷା ଅନୁସାରେ ଶବ୍ଦମାନ ଉଲ୍ଲେଖ କରାଯାଇଛି । ଏଣୁ ପଣ୍ଡିତମଣ୍ଡଳୀରେ ପ୍ରାର୍ଥନା ଯେ ଏହି ପୁସ୍ତକରେ ଯେ କିଛି ଦୋଷ ଦେଖାଯିବ ତାହା ମାର୍ଜନା କରି ପୁସ୍ତକ ଖଣ୍ଡିକୁ ଆଦର କରିବେ ।"

ଏଇଠି ବି ଶୁଦ୍ଧ ଆଉ ସହଜର କଥା ସହିତ ସଂସ୍କୃତ ଭାଷା ବର୍ଜନର କଥା ଅଛି, ସମ୍ବଲପୁରର ସ୍ଥାନୀୟତାର କଥା ରହିଛି ।

ଆର ଥରକୁ ଆଉ ।

ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୪)