ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୪)

ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷାର ଅସ୍ତିତ୍ଵ ରକ୍ଷା ପାଇଁ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡିଶାରେ ଯେଉଁ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାର ଐତିହାସିକ ବିଶ୍ଳେଷଣ ।


ଚାରି

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଅଦମ୍ୟ ପ୍ରଚେଷ୍ଟା ଯୋଗୁ ଏବଂ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ସହାୟତାରେ ବ୍ରହ୍ମପୁରରେ ୧୯୦୧ରେ ଓଡିଆଭାଷୀଙ୍କ ଯେଉଁ ଅଧିବେଶନ ହୋଇଥିଲା ତାହା ପରବର୍ତ୍ତୀ କାଳର ଓଡିଆ ଭାଷାଦେଶ ନିର୍ମାଣରେ କହିବାକୁ ଗଲେ ଏକ ପ୍ରଥମ ଦୃଶ୍ୟମାନ ପାହାଚ । ଏହି ଅଧିବେଶନରେ ଗଞ୍ଜାମର ଓଡିଆଭାଷୀଙ୍କ ମଧ୍ୟରେ ଥିବା ଉତ୍ସାହ ଆଉ ଏକତା କଟକରୁ ଯାଇ ସେଥିରେ ଯୋଗଦାନ କରିଥିବା ମଧୁବାବୁଙ୍କ ସମେତ ସମସ୍ତ ଅଗ୍ରଣୀ ଭାଷାକର୍ମୀ ତଥା ଓଡିଶାର ସମକାଳର ଅଗ୍ରଣୀ ସମାଜପୁରୁଷମାନଙ୍କୁ ଯଥେଷ୍ଟ ପ୍ରେରିତ କରିଥିବା କଥା ଆଗରୁ କୁହାଯାଇଛି । ଏହି ଅଧିବେଶନରୁ ମଧୁବାବୁଙ୍କର "ଉତ୍କଳ ସମ୍ମିଳନୀ" ଭଳି ଏକ ଅନୁଷ୍ଠାନ ଗଠନ କରିବା ଏବଂ ତାହାର ଆଗାମୀ ସଫଳତା ପାଇଁ ହୃଦବୋଧ ହୋଇଥିଲା, ଯାହାର ଏକମାତ୍ର ଉଦ୍ଦେଶ୍ୟ ହେବ ଓଡିଶାକୁ ଏକ ସ୍ୱତନ୍ତ୍ର ଭାଷାଦେଶ ହିସାବରେ ନିର୍ମାଣ । ସେ ଯାହା ହେଉ ଏହି ବ୍ରହ୍ମପୁରରେ ଗଞ୍ଜାମର ଓଡିଆ ସମାବେଶରେ "ଉତ୍କଳ ସମାଜ" ବୋଲି ଗୋଟିଏ ଅନୁଷ୍ଠାନ ଗଠନ କରାଯାଇଥିଲା । ଏବଂ ଏହି ଅଧିବେଶନରେ "ଉତ୍କଳ ସମାଜ" ତରଫରୁ ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଥିଲା ।

କହିବା କଥା ହେଉଛି ଏହି ବ୍ରହ୍ମପୁରରେ ୧୯୦୧ର ଓଡିଆ - ସମାବେଶରେ ଗୃହୀତ ଏହି ବିଶେଷ ପ୍ରସ୍ତାବକୁ ଉପନିବେଶୀୟ ସରକାର ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଆବଶ୍ୟକୀୟ ଆନୁଷ୍ଠାନିକତା ପାଇଁ "ଉତ୍କଳ ସମାଜ" ର ସୃଷ୍ଟି । ସେହି ଗୃହୀତ ପ୍ରସ୍ତାବରେ ଚିକାକୋଲ ତାଲୁକ୍ କୁ ବାଦ ଦେଇ ଗଞ୍ଜାମ ଜିଲ୍ଲାର ବାକି ସମସ୍ତ ଅଂଚଳକୁ ବଙ୍ଗଳା ପ୍ରଦେଶରେ ମିଶାଇଦେବା ପାଇଁ ଭାରତ ବଡଲାଟଙ୍କ ସମ୍ମୁଖରେ ନିବେଦନ କରାଯାଇଥିଲା । ଏବଂ ଏହି ନିବେଦନର ପରିପ୍ରେକ୍ଷୀରେ ବଡଲାଟଙ୍କ ଦପ୍ତର ଅତିଶୀଘ୍ର ସଦର୍ଥକ ସମ୍ମତି ପ୍ରଦାନ କରିଥିଲେ । ତଦନୁଯାୟୀ ସେହି ୧୯୦୧ର ଏକ ଇଣ୍ଡିଆ ଗେଜେଟ୍ ରେ ଚିକାକୋଲ୍ ତାଲୁକ୍ ବ୍ୟତୀତ ସମଗ୍ର ଗଞ୍ଜାମ ଜିଲ୍ଲା ବଙ୍ଗଳା ପ୍ରଦେଶର ଅନ୍ତର୍ଭୁକ୍ତ ହୋଇଛି ବୋଲି ପ୍ରକାଶିତ ହୋଇଥିଲା । କିନ୍ତୁ ଉପନିବେଶୀୟ ସରକାରର ଏହିଭଳି ନିଷ୍ପତ୍ତି ଆନୁଷ୍ଠାନିକ ଭାବରେ ଇଣ୍ଡିଆ ଗେଜେଟ୍ ରେ ପ୍ରକାଶିତ ହେବା ପରେ ତେଲୁଗୁଭାଷୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ବିରୁଦ୍ଧରେ ତୁମୁଳ ପ୍ରତିବାଦ ଆରମ୍ଭ ହୋଇଥିଲା । ଏହାର ସମର୍ଥନରେ ବି ଅନେକ ଦେଶୀୟ ଶାସକ ତଥା ଜମିଦାର ଯେଉଁମାନଙ୍କର ତେଲୁଗୁ ଭାଷା ପ୍ରତି ଅନୁରକ୍ତି ଥିଲା ସେମାନେ ଆଗଭର ହୋଇଥିଲେ । ଏହି ପ୍ରତିବାଦ ଏହିଭଳି ତୁମୁଳ ଥିଲା ଯେ ସେହି ୧୯୦୧ର ଶେଷ ଆଡକୁ ସେହି ଇଣ୍ଡିଆଗେଜେଟ୍ ର ଏକ ସଂଖ୍ୟାରେ ଗଞ୍ଜାମର ବଙ୍ଗଳା ପ୍ରଦେଶ ସହ ମିଶ୍ରଣ ପ୍ରସ୍ତାବକୁ ସ୍ଥଗିତ ରଖାଯାଉଛି ବୋଲି ପୁଣି ଏକ ସାନି - ନିଷ୍ପତ୍ତି ପ୍ରକାଶିତ ହୋଇଥିଲା ।

ଏହି ଘଟଣାର କିଛି ଦିନ ପରେ ୧୯୦୩ ଡିସେମ୍ବର ମାସ ୩୧ ତାରିଖ ଦିନ କଟକଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା । ଏହାପୂର୍ବରୁ ଆନୁଷ୍ଠାନିକ ଭାବରେ ଉତ୍କଳ ସମ୍ମିଳନୀ ଗଠିତ ହୋଇ ବ୍ରହ୍ମପୁର ଏବଂ କଟକରେ ଦୁଇଟି ପ୍ରାକ୍ - ଅଧିବେଶନରେ ଉତ୍କଳ ସମ୍ମିଳନୀର କାର୍ଯ୍ୟପନ୍ଥା ଏବଂ ରୂପରେଖ ପ୍ରସ୍ତୁତ ହୋଇଥିଲା । ୧୯୦୩ ମସିହା ଜାନୁଆରୀ ମାସ ଅର୍ଥାତ୍ ମକରସଂକ୍ରାନ୍ତିଠାରୁ ଏହି କାର୍ଯ୍ୟକ୍ରମର ଆରମ୍ଭ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ଏହି ଅଧିବେଶନରେ ଗଞ୍ଜାମରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ୧୯୦୧ର ବ୍ରହ୍ମପୁର ସମାବେଶ ତଥା "ଉତ୍କଳ ସମାଜ" ର ସ୍ୱୀକୃତ ପ୍ରସ୍ତାବକୁ ପୁଣି ଥରେ ସୁବିଚାର କରିବା ପାଇଁ ବଡଲାଟଙ୍କ ସମକ୍ଷରେ ଉପସ୍ଥାପନ କରାଯାଇଥିଲା । ଉତ୍କଳ ସମ୍ମିଳନୀର ପରବର୍ତ୍ତୀ ଅଧିବେଶନ ଅର୍ଥାତ୍ ଦ୍ୱିତୀୟ ଅଧିବେଶନ ସେହି କଟକଠାରେ ଅନୁଷ୍ଠିତ ହୁଏ ଆଉ ଏଥିରେ ସଂଯୋଗବଶତଃ ଅଧ୍ୟକ୍ଷତା କରୁଥାନ୍ତି ଧରାକୋଟର ମହାରାଜା । ବଡଲାଟଙ୍କଠାରୁ ଗୋଟିଏ ତାର ଆସି ପହଞ୍ଚିଥିଲା । ଏହି ବିଶେଷ ତାରବାର୍ତ୍ତାକୁ ଉପସ୍ଥିତ ପ୍ରତିନିଧିଙ୍କୁ ପଢି ଶୁଣାଇ ଥିଲେ ମଧୁବାବୁ । ବଡଲାଟଙ୍କ ସେହି ତାରବାର୍ତ୍ତାରେ କୁହାଯାଇଥିଲା ଯେ ଗଞ୍ଜାମର ଚିକାକୋଲ୍ କୁ ଛାଡି ବାକି ସମସ୍ତ ଅଂଚଳକୁ ବଙ୍ଗଳା ପ୍ରଦେଶ ସହ ମିଶାଇବା ପାଇଁ ଯେଉଁ ନିବେଦନ କରାଯାଇଛି ତାହାକୁ ସରକାର ବାହାଦୁର ସଂପୂର୍ଣ୍ଣ ଅଗ୍ରାହ୍ୟ କରି ଦେଉଛନ୍ତି । ଏହି ତାରବାର୍ତ୍ତାରୁ ସ୍ପଷ୍ଟ ହୋଇଗଲା ଯେ ଆଗରୁ ଯେଉଁ ପ୍ରସ୍ତାବକୁ ପର୍ଯ୍ୟାୟକ୍ରମେ ଗ୍ରହଣ ଏବଂ ସ୍ଥଗିତ କରାଯାଇଥିଲା ତାହା ଏବେ ବାତିଲ୍ । ଉତ୍କଳ ସମ୍ମିଳନୀର ସେଇ କଟକର ଦ୍ୱିତୀୟ ସମ୍ମିଳନୀରେ ପୁଣି ଥରେ ସେହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ପୁଣିଥରେ ସୁବିଚାର ପାଇଁ ବଡଲାଟଙ୍କ ନିକଟକୁ ପ୍ରେରଣ କରାଯାଇଥିଲା ।

ଉପନିବେଶୀୟ ଶାସନ ତଥା ସେମାନଙ୍କର ଭାଷାନୀତି ଦୃଷ୍ଟିରୁ ସେତେବେଳେ ବଡଲାଟଙ୍କ ଦପ୍ତର ଏହିଭଳି ନିଷ୍ପତ୍ତି ନେବାରେ ବୈଚିତ୍ର୍ୟ କିଛି ନାହିଁ । ଏହିଭଳି ନିଷ୍ପତ୍ତି ପଛରେ ଯେଉଁ ଅସାମଞ୍ଜସ୍ୟ ରହିଛି ତାହାକୁ ଆଲୋଚନା କଲେ ଆମେ ଦେଖିବା ଯେ ଉପନିବେଶୀୟ ଶାସନ ନିଜର ଶାସନ ପ୍ରଣାଳୀକୁ ନେଇ ଯଥେଷ୍ଟ ଗମ୍ଭୀରତାର ସହ କାର୍ଯ୍ୟ କରିଥାଏ । ବ୍ରିଟିଶ୍ ଶାସନର ଏମିତି ଗୋଟିଏ ସମୟକୁ ନେଇ ଏହାକୁ "ଏକ ମୁକ୍ତ ଏବଂ ନିର୍ଲଜ ଲୁଣ୍ଠନର ସମୟ" ବୋଲି କୁହାଯାଇଛି, ତାହା ନିରାଟ ସତ । ଭାରତର ବିକଶିତ ଅର୍ଥନୀତିକୁ ସେମାନେ ନିଜର "ଅଧୀନସ୍ଥ ଅର୍ଥନୀତି"ରେ ପରିବର୍ତ୍ତନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି, ଭାରତର ଜନମତକୁ ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ ଅନେକ ଉନ୍ମୁକ୍ତ କରି ରଖିଥିବାବେଳେ ରାଜନୀତିର କ୍ଷେତ୍ରରେ ତାହାକୁ ଯଥେଷ୍ଟ ନିୟନ୍ତ୍ରିତ କରି ରଖିଛନ୍ତି । ଉପନିବେଶୀୟ ଶାସନର ସବୁଠୁ ବଡ କଥା ଥିଲା ସେମାନଙ୍କର ଶାସିତ ଉପନିବେଶର ସାମାଜିକ, ସାଂସ୍କୃତିକ ପରିବେଶର ସବୁବେଳେ ବିଧିବଦ୍ଧ ପରିସଂଖ୍ୟାନଗତ ଅନ୍ୱେଷଣ । ଓଡିଶାକୁ ବ୍ରିଟିଶମାନେ ୧୮୦୩ରେ ଶାସନ କରୁଥିଲେ ମାତ୍ର ତାହାର ଆଗରୁ ବକ୍ସାର ଯୁଦ୍ଧ ପରେ ୧୭୬୪ ଖ୍ରୀଅଠାରୁ ସେମାନେ ଓଡିଶାରୁ ରାଜସ୍ୱ ଆଦାୟର ମୁଗଲ ସମ୍ରାଟ କର୍ତ୍ତୃକ ଫରମାନ୍ ପ୍ରାପ୍ତ ହୋଇଥିଲେ । ଡବଲ୍ୟୁ ଡବଲ୍ୟୁ ହଣ୍ଟରଙ୍କ ଲିଖିତ "ଓରିଶା" ପୁସ୍ତକର ପ୍ରଥମ ଅନୁଚ୍ଛେଦରେ ୧୭୬୯ ମସିହାରେ ଓଡିଶାର ସମାଜ, ସଂସ୍କୃତି ଏବଂ ଅର୍ଥନୀତିକୁ ପରିସଂଖ୍ୟାନଗତ ଅଧ୍ୟୟନ ପାଇଁ ବ୍ରିଟିଶ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଉଥିଲା ଆଉ ଏ ବାବଦରେ ୱାରେନ ହେଷ୍ଟିଙ୍ଗସ୍ ଙ୍କ ସମୟରେ ପ୍ରାୟ ତିରିଶ ହଜାର ଟଙ୍କା ବ୍ୟୟ ହୋଇଥିବା କଥା କୁହାଯାଇଛି । ହଣ୍ଟରଙ୍କ ଏହି ଉଲ୍ଲେଖରୁ ଗୋଟିଏ କଥା ଆମେ ନିଶ୍ଚୟ ଅନୁମାନ କରିପାରିବା ଯେ, ଓଡିଶାରେ ଶାସନ କରିବାବେଳେ ଉପନିବେଶୀୟ ଶାସନର ଓଡିଶା ସଂପର୍କିତ ପ୍ରସ୍ତୁତି - ଅଧ୍ୟୟନ ଯଥେଷ୍ଟ ବ୍ୟାପକ ରହିଥିଲା । ସେମାନେ ନିଜର ଉପନିବେଶୀୟ ଶାସନକୁ ସବୁବେଳେ ଏକ ପ୍ରକାର ଉଦାରବାଦୀ ଏବଂ ଯୁକ୍ତି ସମ୍ମତ ଚେହେରା ପ୍ରଦାନ କରିବାକୁ ନିଜ ବାଟରେ ତତ୍ପର ଥିଲେ । ୧୯୦୧ର ବ୍ରହ୍ମପୁର ସମାବେଶ ବା ସେଦିନର ସେହି "ଉତ୍କଳ ସମାଜ" ର ଚିକାକୋଲ ତାଲୁକ୍ କୁ ବାଦ ଦେଇ ସମଗ୍ର ଗଞ୍ଜାମ ଅଂଚଳକୁ ବଙ୍ଗଳା ପ୍ରଦେଶରେ ମିଶ୍ରଣ ଭଳି ପ୍ରସ୍ତାବକୁ ପ୍ରଥମେ ଗ୍ରହଣ ଏବଂ ପରେ ବାତିଲ କରିବା ପଛରେ ସେମାନଙ୍କର ସେସମୟର ଗଞ୍ଜାମର ଜନମତର ଅଧ୍ୟୟନର ସ୍ୱରୂପ ବୋଲି ମନେ କରିବାକୁ ହେବ । ଉପନିବେଶୀୟ ଶାସନର ଆକଳନ ଅନୁସାରେ ତେଲୁଗୁଭାଷୀଙ୍କ ସମର୍ଥନ ତଥା ସଂଖ୍ୟାବହୁଳଙ୍କ ସମର୍ଥନ ମାନ୍ଦ୍ରାଜ ପ୍ରେସିଡେନ୍ସି ସହିତ ରହିଅଛି । ତେଣୁ ସେମାନେ ଏହିଭଳି ପ୍ରସ୍ତାବକୁ ବାତିଲ କରିଥିଲେ । ଏବଂ ଏହି ନିଷ୍ପତ୍ତିରେ ସେମାନେ ଦୃଢ ଥିଲେ । ତେଣୁ କହିବାକୁ ଗଲେ ଓଡିଶା ଭାଷାଦେଶ ହେବାର ଅଳ୍ପ କିଛିବର୍ଷ ପୂର୍ବରୁ ଗଞ୍ଜାମ ଅଂଚଳ ମାନ୍ଦ୍ରାଜ ପ୍ରେସିଡେନ୍ସିରୁ ଅଲଗା ହୋଇଥିଲା ।

ଓଡିଆ ଭାଷା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଏଇଠି ଆଉ କେତୋଟି ପ୍ରସଂଗକୁ ଆମର ବୁଝିବା ଦରକାର । ତାହା ଫଳରେ ଆମେ ଆମର ଭାଷାଦେଶ ତଥା ଭାଷା ଆନ୍ଦୋଳନର ପ୍ରେକ୍ଷାପଟକୁ ଭଲ ଭାବରେ ବୁଝିପାରିବା । ଉପନିବେଶୀୟ ଶାସନରେ ଭାରତୀୟ ଭାଷାମାନଙ୍କୁ ନେଇ ସ୍ଥାନୀୟ ସ୍ତରରେ ଏକପ୍ରକାର ତଟସ୍ଥ ନୀତି ସେମାନେ ଗ୍ରହଣ କରୁଥିଲେ ବୋଲି ଆଗରୁ ଉଲ୍ଲେଖ କରାଯାଇଛି । ଏଇଠି ଆମର ସ୍ମରଣରେ ରହିବା ଉଚିତ ଯେ, ଯେତେବେଳେ ଭାରତରେ ଉପନିବେଶ ଶାସନ ପ୍ରତିଷ୍ଠା ହେଲା, ଠିକ୍ ସେତେବେଳଠାରୁ ଭାରତରେ ପ୍ରଚଳିତ ଥିବା ସମସ୍ତ ଭାଷା ଏକ ସ୍ୱତନ୍ତ୍ର ଛାପରେ ପରିଭାଷିତ ହେଲେ । ସମସ୍ତ ଭାରତୀୟ ଭାଷାକୁ ତାହାପରେ କୁହାଗଲା "ଭର୍ଣ୍ଣାକୁଲାର୍" । ଉପନିବେଶ ଶାସନରେ ଏହି ଭର୍ଣ୍ଣାକୁଲାର୍ ଭାଷାକୁ ଶିକ୍ଷା, ରାଜସ୍ୱ ଏବଂ ବିଚାର କ୍ଷେତ୍ରରେ ପ୍ରୟୋଗ କରି ଉପନିବେଶୀୟ ଶାସନର ଏକ ଉଦାରବାଦୀ ଚେହେରା ପ୍ରସ୍ତୁତ କରାଗଲା । ତେଣୁ ଉପନିବେଶୀୟ ଶାସନରେ ଗୋଟିଏ ପଟରେ ରହିଲା ଇଂରାଜୀ ଆଉ ଅନ୍ୟପଟରେ ରହିଲା ଆଉ ସମସ୍ତ ଭର୍ଣ୍ଣାକୁଲାର୍ । ଇଂରାଜୀର ପ୍ରତିପକ୍ଷରେ ରହିବା ଫଳରେ ଏହି ଭର୍ଣ୍ଣାକୁଲାର୍ ମାନେ ବି ଏକ ଭାଷା - ସଂଭ୍ରମର ଅଧିକାରୀ ହୋଇପଡିଲେ । ଭର୍ଣ୍ଣାକୁଲାର୍ କୁ ନେଇ ଉପନିବେଶୀୟ ଶାସନରେ ଭାରତରେ ହଠାତ୍ ଗୋଟିଏ ଭାଷା - ଆଭିଜାତ୍ୟ ନିର୍ମାଣ ହୋଇଗଲା । ଏହି ନବସୃଜିତ ଭାଷା - ଆଭିଜାତ୍ୟରେ ଭର୍ଣ୍ଣାକୁଲାର୍ ମାନେ ଆଗରେ ରହିଲେ ଆଉ ଏଥିରେ ଅନ୍ୟ ସମସ୍ତ ପ୍ରଚଳିତ କଥିତ ଭାଷା ଏକପ୍ରକାର ସମାହିତ ହୋଇ ଯିବାକୁ ଲାଗିଲେ । ତେଣୁ ଏହି ସମୟରେ ଯେଉଁ ଭାଷା - ପ୍ରଭୁ ବର୍ଗ ଭାରତରେ ବିକଶିତ ହୋଇଥିଲା ସେମାନେ ଏକଧାରାରେ ଭର୍ଣ୍ଣାକୁଲାର୍ ର ଉପଜ ଏବଂ ନିଜର ଜନପ୍ରିୟତା ପାଇଁ ସେମାନଙ୍କୁ ସବୁବେଳେ ଭର୍ଣ୍ଣାକୁଲାର୍ ଉପରେ ନିର୍ଭର କରିବାକୁ ପଡିବ ।

ଉପନିବେଶ ଶାସନ ନିଜର ଭାଷାନୀତିରେ ତଟସ୍ଥ ଥିବାବେଳେ ଯେଉଁ ବିଚିତ୍ର ନିର୍ମାଣଟି ପ୍ରସ୍ତୁତ କରିଯାଇଥିଲା ତାହାର ସଂକ୍ଷେପ ହେଉଛି ଗୋଟିଏ ପଟେ ଭାଷା - ଇଂରାଜୀ ଆଉ ଆରପଟେ ଭାଷା - ବଙ୍ଗାଳି, ଭାଷା - ହିନ୍ଦି, ଭାଷା - ଓଡିଆ, ଏହିଭଳି ସବୁ ଭାରତୀୟ ଦେଶୀୟ ଭାଷା । ଭର୍ଣ୍ଣାକୁଲାର୍ ର ଏହିଭଳି ସଂରକ୍ଷିତ ପ୍ରୋତ୍ସାହନ ଫଳରେ ଅନେକ କଥିତ ଭାଷା ନିଜର ପ୍ରଭାବ ହରାଇବସିଲେ ସତ କିନ୍ତୁ ଏହାଫଳରେ ଭର୍ଣ୍ଣାକୁଲାର୍ ବା ଅନେକ ଦେଶୀୟ ତଥା ପ୍ରାନ୍ତୀୟ ଭାଷା ସେମାନଙ୍କର ସ୍ଥାନୀୟ ପ୍ରଭାବ ଏବଂ ଆଧିପତ୍ୟକୁ ଜାହିର କରିପାରିଥିଲେ । ଆମେ ଏଇଠି ଯଦି ଆଉଥରେ ୧୮୬୦ - ୭୦ର ଓଡିଆ ଭାଷାକୁ ନେଇ ସଂଘର୍ଷର କଥା ମନେ ପକାଇବା ତେବେ ଦେଖିବା ଯେ ବାବୁ ରାଜେନ୍ଦ୍ରଲାଲ ମିତ୍ର ହୁଅନ୍ତୁ କି ବାବୁ ଉମାଚରଣ ହାଲଦାର ହୁଅନ୍ତୁ କି ବିଶେଷରେ ସେ ପଣ୍ଡିତ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ହୁଅନ୍ତୁ ଯେତେବେଳେ ଓଡିଆ ଭାଷାର ସ୍ୱାତନ୍ତ୍ର୍ଯକୁ ଏକପ୍ରକାରେ ଅସ୍ୱୀକାର କରିବା ପାଇଁ ଆଗଭର ହୋଇଅଛନ୍ତି ତାହାର ପ୍ରତିକ୍ରିୟାର ସୁଫଳ ଆମକୁ ମିଳିଛି । ପୋଥିର ସୀମିତ ପ୍ରସାରଣରେ ସଂକୁଚିତ ଥିବା ଆମର ସାହିତ୍ୟ ମୁଦ୍ରଣ ଜନିତ କାରଣରୁ, ବ୍ୟାପକ ଚର୍ଚ୍ଚା ଏବଂ ବିଶେଷ ଭାବରେ ଏମିତି ଚର୍ଚ୍ଚା ଯାହା ଜଣକର ଅସ୍ମିତା ପାଇଁ ପ୍ରୟୋଜନ ସେହିଭଳି ଚର୍ଚ୍ଚାର କାରଣରୁ ଯାହାକୁ କୁହାଯିବ ନିଜର "ପେଡାଗୋଗି" ବା ଶିକ୍ଷାପରିଧିକୁ ପ୍ରାପ୍ତ ହୋଇପାରିଛି । "ଭର୍ଣ୍ଣାକୁଲାର୍ କଲୋନିଆଲ୍ ପଲିଟିକ୍ସ" ର ଏହା ଆମର ଆବଶ୍ୟକ ହେଉଥିବା ସୁଫଳ । ବଙ୍ଗଳାଭାଷା ତରଫରୁ ଏହିଭଳି ସର୍ବଗ୍ରାସୀ ଭାଷା ସଂଗ୍ରାମର ପ୍ରତିପକ୍ଷରେ ରହିବା କାରଣରୁ ଆମର ଆମ ଭାଷା ପ୍ରତି ଆମର ମର୍ଯ୍ୟାଦାରେ ଆସ୍ଥା ଯଥେଷ୍ଟ ବୃଦ୍ଧି ପାଇଛି । ଆମେ ଭାଷାକୁ ଆମର ସାହିତ୍ୟରେ ଏକ ଆବେଗାତ୍ମକ ସଂରଚନାରେ ସଂକୁଚିତ ଭାବରେ ଦେଖୁଥିଲୁ, ୧୮୬୦ - ୭୦ର ଭାଷା ସଂଗ୍ରାମ ଆମକୁ ଅଧିକ ବିଚାରପରକ ଦୃଷ୍ଟିରେ ଆମ ସାହିତ୍ୟକୁ ବୁଝିବା ପାଇଁ ସଦର୍ଥକ ଉତ୍ତେଜନା ସୃଷ୍ଟି କରିଅଛି । ସେହି ଭାଷା - ସଂଗ୍ରାମରୁ କହିବାକୁ ଗଲେ ଆମର ଜାତୀୟ ନାୟକମାନେ ସୃଷ୍ଟି ହୋଇଛନ୍ତି ଓ ଆମର ସ୍ଥାନୀୟତା ପ୍ରତିଷ୍ଠିତ ହୋଇଅଛି ।

କଲୋନିଆଲ୍ ଭର୍ଣ୍ଣାକୁଲାର୍ ପଲିଟିକ୍ସର ଆଉ ଗୋଟିଏ ବଡ ପ୍ରଭାବ ହେଉଛି, ଏହା ଭାଷା ଦୃଷ୍ଟିରୁ ସ୍ଥାନୀୟତାର ପ୍ରତିଷ୍ଠା କରିଛି ସତ, ମାତ୍ର ଏହାଫଳରେ ଭାଷାକୁ କେନ୍ଦ୍ର କରି ସ୍ଥାନୀୟ ସମାଜର ନିମ୍ନବର୍ଗଟି କ୍ରମଶଃ ଉପେକ୍ଷିତ ଏବଂ ଅବହେଳିତ ହୋଇ ପଛକୁ ରହିଯାଉଛନ୍ତି । ଏବଂ ଭାରତର ଦେଶୀୟ ନେତୃତ୍ୱମାନେ ସ୍ଥାନୀୟତା ଏବଂ ଭାଷା ଦୃଷ୍ଟିରୁ ପରସ୍ପର - ସଂପୃକ୍ତିର ବାହାରେ ରହୁଛନ୍ତି । ଏହିଭଳି ଭାଷା ଦୃଷ୍ଟିରୁ ତଟସ୍ଥ ନୀତି ଫଳରେ ଉପନିବେଶୀୟ ଶାସନ ସ୍ଥାନୀୟ ଭାବରେ ନିମ୍ନ ବର୍ଗକୁ ପରସ୍ପରଠାରୁ ଏବଂ ଦେଶୀୟ ସ୍ତରରେ ଉଚ୍ଚବର୍ଗକୁ ପରସ୍ପରଠାରୁ ଅଲଗା କରିବାକୁ ସକ୍ଷମ ହୋଇଛି । ତେଣୁ ଯେ କୌଣସି ଲୋକ ଅତି ସହଜରେ ଅନୁମାନ କରିପାରିବ ଯେ ଏହିଭଳି ଏକ ଭାଷା - ସଂରଚନାରେ ଯେଉଁ ମୌଳିକ ଦୂରତ୍ୱଗୁଡିକୁ ଚତୁରତାର ସହ ସ୍ଥାପନ କରାଯାଇଛି ତାହା ନିଶ୍ଚିତ ଭାବରେ ଉପନିବେଶୀୟ ଶାସନର ସହାୟକ ଏବଂ ଆବଶ୍ୟକ ।

ଉତ୍କଳ ସମ୍ମିଳନୀ ଭଳି ଆନୁଷ୍ଠାନିକ ମାଧ୍ୟମଟିଏ ପ୍ରତିଷ୍ଠିତ ହୋଇଗଲା ପରେ ଓଡିଶାକୁ ଏକ ସ୍ୱତନ୍ତ୍ର ଭାଷାଦେଶ ଆକାରରେ ଦାବୀ ନିମନ୍ତେ ବାରଂବାର ନିବେଦନ କରାଯାଉଥିଲା । ୧୯୧୧ ଖ୍ରୀଅରେ ଇଂଲଣ୍ଡ ତଥା ଭାରତର ରାଜା ପଞ୍ଚମ ଜର୍ଜଙ୍କ ରାଜ୍ୟାଭିଷେକ ଉତ୍ସବ ଦିଲ୍ଲୀରେ ପାଳନ କରାଯାଇଥିଲା । ୧୯୧୧ରେ ଆଉ ଦୁଇଟି ଘଟଣା ଏଇ ପ୍ରସଂଗ ସହିତ ସଂପୃକ୍ତ ନଥିଲେ ମଧ୍ୟ ଆମର ସ୍ମରଣର ରହିଲେ କୌଣସି କ୍ଷତି ହେବ ନାହିଁ । ୧୯୧୧ରେ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ସେହିବର୍ଷ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ କଲିକତାରେ ବସିଥିଲା ଏବଂ ତାହାର ଉଦବୋଧନୀ ସଂଗୀତ ହିସାବରେ ଗାନ କରାଯାଇଥିଲା ସେଇ ଗୀତ ଯାହା ଆଜି ଆମର ଜାତୀୟ ସଂଗୀତ, ଜନ ଗଣ ମନ ଅଧିନାୟକ ଜୟ ହେ । ସେଇ ଅବସରରେ ଅର୍ଥାତ୍ ରାଜା ପଞ୍ଚମ ଜର୍ଜଙ୍କ ରାଜ୍ୟାଭିଷେକ ପର୍ବ ପାଳନ ଅବସରରେ ଅନେକ ଅନୁମାନ କରୁଥିଲେ ଯେ ବଂଗଳାକୁ ଦୁଇଭାଗ ତଥା ପୂର୍ବବଙ୍ଗ ଏବଂ ପଶ୍ଚିମବଙ୍ଗ ବୋଲି ୧୯୦୫ ଖ୍ରୀଅର ଆଇନକୁ ଏହି ପର୍ବ ପାଳନ ଅବସରରେ ବାତିଲ୍ କରାଯିବ । ଏହି ଅବସରକୁ ହାତଛଡା କରିବାକୁ ଓଡିଶାର ଅଗ୍ରଣୀ ନେତାମାନେ ଚାହିଁଲେ ନାହିଁ । ତେଣୁ ମଧୁବାବୁ, ଗୋପାଳ ପ୍ରହରାଜ ପ୍ରମୁଖ କଟକରୁ ଏବଂ ନରସିଂହ ଦାସ ଓ ହରିହର ପଣ୍ଡା ପ୍ରମୁଖ ଗଞ୍ଜାମରୁ ଓଡିଆ ଭାଷାଦେଶ ମିଶ୍ରଣ ପାଇଁ ମହାମାନ୍ୟ ବଡଲାଟଙ୍କୁ ନିବେଦନ କରିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ଓଡିଶାର ଚାରିଆଡେ ସଭାମାନ ଆୟୋଜନ କରିଥିଲେ । ଓଡିଶାର ସମକାଳର ସମ୍ବାଦପତ୍ରମାନଙ୍କରେ ରାଜା ପଞ୍ଚମ ଜର୍ଜଙ୍କୁ ବେଶ୍ ଉଦାରପ୍ରାଣ ସଂବେଦନଶୀଳ ନରପତି ବୋଲି ଚିତ୍ରଣ କରାଯାଇଛି । ରାଜା ପଞ୍ଚମ ଜର୍ଜଙ୍କ ବିୟୋଗ ୧୯୩୬ ମସିହା ଜାନୁଆରୀ ମାସରେ ହୋଇଥିଲା ଆଉ ଓଡିଶା ଏକ ଭାଷାଦେଶ ହୋଇଥିଲା ୧୯୩୬ ମସିହା, ଏପ୍ରିଲ୍ ପହିଲାରେ । ରାଜା ପଞ୍ଚମ ଜର୍ଜଙ୍କ ବିୟୋଗରେ ଶୋକ ସଂବାଦ ପରିବେଷଣ କରି ସମକାଳର ସଂବାଦପତ୍ର "ନବୀନ" ରେ ଉଲ୍ଲେଖ କରାଯାଇଥିଲା ଯେ, ମହାମାନ୍ୟ ଭାରତେଶ୍ୱର ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭଳି ଆପଣଙ୍କର ଅନ୍ତିମ ଉଦାର ନିର୍ଣ୍ଣୟକୁ ଆମ୍ଭେ ଓଡିଶାବାସୀ କୃତଜ୍ଞ ଚିତ୍ତରେ ମନେ ରଖିବୁ । କାହାକୁ କିଏ କେମିତି ମନେ ରଖିବ ତାହା ଭିନ୍ନ କଥା । ୧୯୧୧ ଖ୍ରୀଅରେ ବଡଲାଟଙ୍କୁ ଏଠାରୁ ଯେଉଁ ଆବେଦନ କରାଯାଇଥିଲା ତାହା ଅନୁସାରେ ସମ୍ବଲପୁର ମଧ୍ୟ ପ୍ରଦେଶରୁ ଆସି ଓଡିଶାରେ ମିଶିଲା ଆଉ ଓଡିଶା ବଙ୍ଗଳା ପ୍ରଦେଶରୁ ଆସି ବିହାର ସହିତ ମିଶିକି ରହିଲା । ତେଲୁଗୁ ଭାଷୀଙ୍କ ପ୍ରତିବାଦ ଯୋଗୁ ଗଞ୍ଜାମ ଅଂଚଳ ଓଡିଶା ସହ ମିଶିବାକୁ ଉପନିବେଶୀୟ ସରକାର ଅନାବଶ୍ୟକ ମନେ କରିଥିଲେ । ବାରଂବାର ଉପନିବେଶୀୟ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ବିପକ୍ଷରେ ଯାଉଥିଲେ ବି ଗଞ୍ଜାମର ଓଡିଆଭାଷୀମାନେ ନିଜର ଉଦ୍ୟମରୁ ନିସ୍ପୃହ ହୋଇନଥିଲେ । ସେମାନେ ଦେଶ ମିଶ୍ରଣ ପାଇଁ କ୍ରମାଗତ ଆବେଦନ କରିବା ସହିତ ସଚେତନତା ସଭା ମାଧ୍ୟମରେ ଆନ୍ଦୋଳନକୁ ଜାରି ରଖିଥିଲେ । ଏହାର ପ୍ରଭାବକୁ ଦେଖି ସରଜମିନ ତଦନ୍ତ ପାଇଁ ଫିଲିପ୍ ହଫ୍ ଙ୍କ ନେତୃତ୍ୱରେ ଗୋଟିଏ କମିଶନ ୧୯୩୧ରେ ଗଞ୍ଜାମ ଆସିଥିଲେ । ସେହି କମିଶନ ସାମ୍ନାରେ ଗଞ୍ଜାମ ଏବଂ ଜୟପୁରର ଓଡିଆଭାଷୀମାନେ ଦେଶ ମିଶ୍ରଣ ସପକ୍ଷରେ ମତ ପ୍ରକାଶ କରିଥିଲେ ।

ଏହି ସମୟରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଚକ୍ରପାଣି ପଟ୍ଟନାୟକ "ଦି ଓଡିଶା ମୁଭମେଣ୍ଟ" ନାମରେ ଗୋଟିଏ ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକ ବସ୍ତୁତଃ ଗଞ୍ଜାମ ଓ ଜୟପୁର ଅଂଚଳ ନିଜ ସ୍ୱାର୍ଥରେ କାହିଁକି ଦେଶମିଶ୍ରଣରେ ଏକାଠି ରହିବା ଆବଶ୍ୟକ ସେକଥା ବିସ୍ତାରରେ ରହିଥିଲା । ବହିଟି ଇଂରାଜୀରେ ଲିଖିତ ହୋଇଥିବା କାରଣରୁ ଏହା ଯେ ଉପନିବେଶୀୟ ସରକାରକୁ ସେ ଅଂଚଳର ବସ୍ତୁସ୍ଥିତି ସଂପର୍କରେ ସଚେତନ କରିବା ପାଇଁ ରଚିତ, ଏକଥା ସ୍ପଷ୍ଟ । ଏହି ସମୟରେ ଆଉ ଗୋଟିଏ କଥା ଆମର ସ୍ମରଣକୁ ଆସିବା ଉଚିତ । ବସ୍ତୁତଃ ୧୯୨୧ ମସିହା ଯାଏଁ ଉତ୍କଳ ସମ୍ମିଳନୀ ନିୟମିତ ଭାବରେ ତାହାର ଅଧିବେଶନମାନଙ୍କରେ ଗଞ୍ଜାମ ଓ ଜୟପୁର ଅଂଚଳକୁ ଦେଶମିଶ୍ରଣରେ ସାମିଲ୍ କରିବା ପାଇଁ ପ୍ରସ୍ତାବମାନ ଗୃହୀତ କରିଆସୁଥିଲା ଆଉ ତଦନୁଯାୟୀ ଆନୁଷ୍ଠାନିକ ଭାବରେ ଏହା ଆବେଦନ ଆକାରରେ ବଡଲାଟଙ୍କ ନିକଟକୁ ପ୍ରେରଣ କରାଯାଉଥିଲା । ଚକ୍ରଧରପୁର ଅଧିବେଶନ ଅର୍ଥାତ ଷୋଡଶ ଅଧିବେଶନ ପରଠାରୁ ଉତ୍କଳ ସମ୍ମିଳନୀ ଅନିୟମିତ ହେବାକୁ ଲାଗିଲା । ଗଞ୍ଜାମ ଓ ଜୟପୁରର ମିଶ୍ରଣ ସପକ୍ଷରେ ପ୍ରସ୍ତାବମାନ ପାସ ହେଉଥାଏ । ଆଉ କମିଟି ପରେ କମିଟି ସରକାରଙ୍କ ତରଫରୁ ବସୁଥାଏ । ଶେଷରେ ୨୪ ଡିସେମ୍ବର ୧୯୩୨ରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଆକାରରେ ଘୋଷିତ ହେବ ବୋଲି ଗୋଟିଏ ଶ୍ୱେତପତ୍ର ସରକାରଙ୍କ ତରଫରୁ ଜାରି କରାଗଲା ।

ସେତେବେଳକୁ ଖଲିକୋଟର ରାଜା ସାହେବ ଲଣ୍ଡନରେ ଥାଆନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କର ସେହି ଶ୍ୱେତପତ୍ରରେ ପ୍ରସ୍ତାବିତ ଓଡିଶା ସ୍ୱତନ୍ତ୍ର ପ୍ରଦେଶରୁ ଜୟପୁର ଆଉ ପାରଳାଖେମୁଣ୍ଡିକୁ ବାଦ ଦିଆଯାଇଥିଲା । ତେଣୁ ଶ୍ୱେତପତ୍ର ପ୍ରକାଶିତ ହେବା ପରେ ଦକ୍ଷିଣାଞ୍ଚଳର ସମସ୍ତ ପ୍ରଭାବୀ ରାଜନ୍ୟବର୍ଗ ଯଥା ଖଲିକୋଟ, ଧରାକୋଟ, ଆଠଗଡ ଆଉ ପାରଳାଖେମୁଣ୍ଡି ଶେଷ ଚେଷ୍ଟା କରିଥିଲେ । ପାରଳାଖେମୁଣ୍ଡିର ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନିଜେ ଏଥିପାଇଁ ଲଣ୍ଡନ ଯାତ୍ରା କରିଥିଲେ । ତାଙ୍କର ଉଦ୍ୟମ ବଳରେ ଶେଷରେ ପାରଳା ଏବଂ ଜୟପୁର ପ୍ରସ୍ତାବିତ ଓଡିଶା ଭାଷାଦେଶରେ ମିଶିଥିଲା ।

ଭାଷା ଏକ ସଂସ୍କୃତି ନା ଭାଷା ଏକ ଦେଶ, ଓଡିଶା ଏକ ଭାଷାଦେଶ ହିସାବରେ ଗଢି ଉଠିବା ଭିତରେ ଏହି ପ୍ରଶ୍ନର ଜଟିଳ ଉତ୍ତର ଖୋଜିବାବେଳେ ଆଉ ଗୋଟିଏ ପ୍ରମୁଖ ଅଂଚଳ ଆଉ ତାହାର ଅବଦାନ ଏଥିରେ ପ୍ରଥମରୁ ସଂଯୁକ୍ତ ରହିଛି । ତାହା ଆମର ପଶ୍ଚିମାଞ୍ଚଳ । ଓଡିଆ ଭାଷା ଆନ୍ଦୋଳନକୁ ଆମେ ଯଦି ଅତି ସଂକ୍ଷେପରେ କହିବା ତେବେ ତାହା ହେବ ଫକୀରମୋହନ, ଉପେନ୍ଦ୍ର ଭଞ୍ଜ ଏବଂ ଗଙ୍ଗାଧର ମେହେର ।

ଭାଷା - କବି ଗଙ୍ଗାଧର ଏବଂ ତାଙ୍କର ଭାଷା - ସ୍ୱଭାବର ପରିପ୍ରେକ୍ଷ୍ୟ ଆରଥରକୁ ।

ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୩)

Report an Error