ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୩)

ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷାର ଅସ୍ତିତ୍ଵ ରକ୍ଷା ପାଇଁ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡିଶାରେ ଯେଉଁ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାର ଐତିହାସିକ ବିଶ୍ଳେଷଣ ।


ତିନି

ପ୍ରଥମେ ଗୋଟିଏ ତ୍ରୁଟି ସ୍ୱୀକାର । ଓଡିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ପ୍ରମାଣ କରିବାକୁ ଯାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ କର୍ମରତ ପଣ୍ଡିତ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଯେଉଁ ପୁସ୍ତିକାଟି ବଙ୍ଗଳା ଭାଷାରେ ରଚନା କରିଥିଲେ ତାହାର ସଠିକ ଶୀର୍ଷକ ହେଉଛି "ଉଡିୟା ସ୍ୱତନ୍ତ୍ର ଭାଷା ନହେ" । ଆମେ ଅନେକ ସମୟରେ ଏହାକୁ "ଉଡିୟା ଏକଟା ସ୍ୱତନ୍ତ୍ର ଭାଷା ନହେ" ବୋଲି ଉଲ୍ଲେଖ କରିଥାଉ, ଯାହା ତ୍ରୁଟିଯୁକ୍ତ । ପଣ୍ଡିତ କାନ୍ତିଲାଲ ତାଙ୍କର ଏଇ ଚର୍ଚ୍ଚିତ ତଥା ବିତର୍କିତ ମନୋଗ୍ରାଫ୍ ରେ ନିଜ ସପକ୍ଷରେ ଅର୍ଥାତ୍ ଓଡିଆ ଭାଷାର କୌଣସି ସ୍ୱତନ୍ତ୍ର ଅସ୍ତିତ୍ୱ ନାହିଁ ବୋଲି କହିବାବେଳେ ଯେଉଁ ତର୍କମାନ ରଖିଥିଲେ ସଂକ୍ଷେପରେ କହିଲେ ତାହା ମୋଟାମୋଟି ଏହିପରି ଥିଲା । ଅନେକ ତଦଭବ ଓଡିଆ ଶବ୍ଦର ବ୍ୟବହାରକୁ ଉଲ୍ଲେଖ କରି ସେ ଏହା ବଙ୍ଗଭାଷାଠାରୁ କିପରି ଭିନ୍ନ ନୁହଁ ସେକଥାକୁ ଉପସ୍ଥାପନ କରି ଓଡିଆ ଭାଷାର ଅସ୍ତିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ । ଏହି ସବୁ ଶବ୍ଦମାନ ମୂଳତଃ ସଂସ୍କୃତରୁ ଆସିଛି ଆଉ ସେହି ଯୁକ୍ତି ଅନୁସାରେ ଦେଖିଲେ ବଙ୍ଗଭାଷା ବି ସ୍ୱତନ୍ତ୍ର ଭାଷା ହିସାବରେ ରହିବାର ଗୌରବରୁ ବଞ୍ଚିତ ହେବ । ଏହା ବ୍ୟତୀତ ପଣ୍ଡିତ କାନ୍ତିଲାଲ ତାଙ୍କର ଯୁକ୍ତି ପାଇଁ ଉଦାହରଣ ପ୍ରସ୍ତୁତ କଲାବେଳେ ତାଙ୍କୁ ଯାହା ସୁହାଇବ ଓଡିଆ ଭାଷାରୁ ସେହିଭଳି "ସିଲେକ୍ଟିଭ୍" ଅଂଶକୁ ଅନୁବାଦ କରି ଉପସ୍ଥାପନ କରିଛନ୍ତି । ତେଣୁ ଏଥିରେ ଓଡିଆ ଭାଷାର ବ୍ୟାପକତା ତଥା ବିବିଧତା ଅନୁପସ୍ଥିତ ରହିଥିଲା ।

ପଣ୍ଡିତ କାନ୍ତିଲାଲଙ୍କର ଏହି ମନୋଗ୍ରାଫର ବିସ୍ତୃତ ଚର୍ଚ୍ଚା "ଉତ୍କଳ ଦୀପିକା" ପତ୍ରିକାରେ ପ୍ରକାଶିତ ହୋଇଥିଲା ଯାହା ସମସାମୟିକ ଶିକ୍ଷିତ ଓଡିଆଭାଷୀ ବର୍ଗ ବିଶେଷଙ୍କୁ ଯଥେଷ୍ଟ ସଚେତନ କରିବା ସହ ଏକ ବିସ୍ତୃତ ସାମାଜିକ ପ୍ରଭାବର ଭାଷା - ବଳୟ ସୃଷ୍ଟି କରିପାରିଥିଲା । ଯେଉଁଠି କୌଣସି ଭୌଗାେଳିକ ପ୍ରତିବନ୍ଧକ ନାହିଁ ସେଇଠି ଗୋଟିଏ ଭାଷାର ନିରଙ୍କୁଶ ଆଧିପତ୍ୟ ରହିଥାଏ ଏହିଭଳି ପଣ୍ଡିତ କାନ୍ତିଲାଲଙ୍କ ଅବଧାରଣା ଅର୍ଥାତ୍ ବଙ୍ଗଳା ଭାଷାର ଏକଚାଟିଆ ଅପ୍ରତିହତ ବ୍ୟାପ୍ତିକୁ ତାହାର ସ୍ୱତନ୍ତ୍ରପଣର ଏକ ପ୍ରମୁଖ ବିଭାବ ବୋଲି ବିଚାରକୁ "ଉତ୍କଳ ଦୀପିକା" ସଂପୂର୍ଣ୍ଣ ଭାବରେ ବାତିଲ କରିଥିଲା । ସେଇଠି ପ୍ରଶ୍ନ ଉଠାଯାଇଥିଲା ଯେ ବଙ୍ଗଦେଶରେ ଜନଜାତିର ଭାଷା ତଥା ପ୍ରାଚୀନ ଭାଷା ଯଥା ଗାରୋ, ସାନ୍ତାଳ, ଗଣ୍ଡ ଆଉ ଶବର ଆଦି ଭାଷାର ସ୍ଥିତି ତାହାହେଲେ କେଉଁଠି ? ଯଦି ଏଇସବୁ ଜନଜାତିର କଥିତ ଭାଷା ବଙ୍ଗଳା ଭାଷାର ପ୍ରଭାବିତ ଭାଷା ଆଉ ତାହାର କୌଣସି ସ୍ୱତନ୍ତ୍ର ଅସ୍ତିତ୍ୱ ପଣ୍ଡିତ କାନ୍ତିଲାଲଙ୍କ ସାମ୍ନାରେ ନାହିଁ, ତାହାହେଲେ ଓଡିଶା ଭଳି ଏକ ଭୌଗୋଳିକ ଦେଶରେ ଯେତେ ଜନଜାତି ଅଛନ୍ତି ସେମାନଙ୍କର ଯେତେ କଥିତ ଭାଷା ରହିଛି ସେଇ ସବୁ ଭାଷା ପଣ୍ଡିତ କାନ୍ତିଲାଲଙ୍କ ଯୁକ୍ତିକୁ ପ୍ରୟୋଗ କଲେ, ଅଂଚଳ ଦୃଷ୍ଟିରୁ, ଓଡିଆ ଭାଷା ଦ୍ୱାରା ପ୍ରଭାବିତ । ତେଣୁ କାନ୍ତିଲାଲଙ୍କ ଯୁକ୍ତିକୁ ପ୍ରୟୋଗ କରି କୁହାଯାଇପାରିବ ଅନେକ ସ୍ଥାନୀୟ ପ୍ରଚଳିତ ଭାଷାକୁ ପ୍ରଭାବିତ କରିପାରୁଥିବା କାରଣରୁ (ଭାଷାର ପ୍ରଭାବ କାନ୍ତିଲାଲଙ୍କ ପାଇଁ ସବୁଠୁ ବଡ କଥା ଯେତେବେଳେ) ଓଡିଆ ଭାଷା ନିଶ୍ଚିତ ବଙ୍ଗଳା ଭାଷା ପରି ଏକ ସ୍ୱତନ୍ତ୍ର ଭାଷା ।

ସେମିତି ଦେଖିଲେ ୧୮୩୭ ଖ୍ରୀଅର ଆକ୍ଟ - ୨୯ ଅନୁସାରେ ବଙ୍ଗଳା - ପ୍ରେସିଡେନ୍ସିରେ ଶାସନ ଆଉ ବିଚାର ବିଭାଗରେ ପୂର୍ବରୁ ପ୍ରଚଳିତ ଥିବା ପାର୍ସି ଭାଷାକୁ ବାତିଲ କରାଯାଇ ତାହା ବଦଳରେ ଓଡିଆ, ବଙ୍ଗଳା ଏବଂ ହିନ୍ଦୁସ୍ଥାନୀ ଭାଷାର ପ୍ରଚଳନ କରାଯାଇଥିଲା । ଏହି ନିୟମଟି ସ୍ଥାନୀୟ ଭାଷାଭାଷୀଙ୍କ ଉପସ୍ଥିତିର ଆଧାରକୁ ନେଇ ପ୍ରଚଳନ କରାଯାଇଥିଲା । ଏହା ଭାଷା ଦୃଷ୍ଟିରୁ ଅନେକ ପରିମାଣରେ ଗଣତାନ୍ତ୍ରିକ ଥିଲା । କିନ୍ତୁ ୧୮୩୭ ପୂର୍ବରୁ ଓଡିଶାରେ ଏବଂ ଅନ୍ୟତ୍ର ଯେଉଁ ପାର୍ସି ଭାଷାର ପ୍ରଚଳନ ଥିଲା ତାହା ଏକପ୍ରକାର ଭାଷାଗତ "ଇମ୍ପୋଜିସନ" ଥିଲା । ସେଇଠି ଶାସକର ଭାଷା ଏବଂ ଶାସିତର ଭାଷା ଭିନ୍ନ ଭିନ୍ନ ରହୁଥିଲା । ଏବଂ ଏହା ଫଳରେ ସମକାଳରେ ପ୍ରଚଳିତ ଭାଷାକୁ ନେଇ ଏକପ୍ରକାର ଭାଷା - ଆଭିଜାତ୍ୟର ପରିପ୍ରକାଶ ଦେଖାଯାଉଥିଲା । ଏଇଠି କହିବା କଥା ହେଉଛି ଯେହେତୁ ପାର୍ସି ଭାଷା ଦୀର୍ଘକାଳ ଓଡିଶାରେ ଶାସନର ଭାଷା ଆକାରରେ ଥିଲା ତେଣୁ ଏହା ଅନେକ ପରିମାଣରେ ସମକାଳକୁ ପ୍ରଭାବିତ କରୁଥିବା ସ୍ୱାଭାବିକ । ତାହାହେଲେ କ'ଣ କାନ୍ତିଲାଲଙ୍କ ଯୁକ୍ତି ଅନୁସାରେ "ପାର୍ସି" ହେଉଛି ଏକମାତ୍ର ମୌଳିକ ଭାଷା, ଆଉ କୌଣସି ଭାଷା ମୌଳିକ ନୁହଁନ୍ତି ? ପଣ୍ଡିତ କାନ୍ତିଲାଲଙ୍କର ଏଇଭଳି ଭାଷା - ବିଚାରରେ କେବଳ ଉଚ୍ଚବର୍ଗର ବ୍ୟବହୃତ ଭାଷାକୁ ବିଚାରକୁ ନିଆଯାଇଛି, ମାତ୍ର ଭାଷା - ଆଭିଜାତ୍ୟରେ ଭାଷାର ନିଷ୍କର୍ଷ ସଠିକ ବାହାରି ପାରିବ ନାହିଁ । ଭାଷାର ଧାରକମାନେ ତଳୁ ଅର୍ଥାତ୍ ସମାଜର ସାଧାରଣ ନିମ୍ନବର୍ଗରୁ ଆସିଥାନ୍ତି । ପଞ୍ଚଦଶ ଶତାବ୍ଦୀର ଶୁଦ୍ରମୁନି ଶାରଳା ଦାସ ତାଙ୍କର ବିରଚିତ ମହାଭାରତରେ ଭାରତବର୍ଷର ପ୍ରେକ୍ଷାପଟକୁ ଓଡିଶା ଭଳି ଏକ ସ୍ଥାନୀୟତାର ଛାଞ୍ଚରେ ଢାଳିଦେଇଛନ୍ତି । ସେଥିରୁ ଉଦ୍ଭବ ହେଉଥିବା ଓଡିଶାର ଜନଜୀବନର ଭାଷାଟି ଅନେକ ପରିମାଣରେ ମୌଳିକ ।

ପଣ୍ଡିତ କାନ୍ତିଲାଲଙ୍କ ଯୁକ୍ତିକୁ ପ୍ରତିହତ କରାଗଲା ଆଉ ସଫଳ ଭାବରେ କରାଯାଇପାରିଲା ବୋଲି ଓଡିଆ ଗୋଟିଏ ସ୍ୱତନ୍ତ୍ର ଭାଷା ହିସାବରେ ରହିଛି ଆଉ ଆମର ବାପା ଜେଜେବାପାଙ୍କ ଭଳି ଆମକୁ ଓଡିଆ ସାହିତ୍ୟର ପରୀକ୍ଷା ଦେଲାବେଳେ ପଚରାଯାଉଥିବା ପ୍ରଶ୍ନପତ୍ରର ଭାଷା ବଂଗଳା ଭାଷା ହୋଇ ରହିନାହିଁ । ଏବଂ ଏହା ପଛରେ ସବୁଠୁ ବଡ କାରଣ ଉପନିବେଶୀୟ ଶାସନର ଯାହା ଆଗରୁ ଉଲ୍ଲେଖ କରାଯାଇଛି ଭାଷା ଦୃଷ୍ଟିରୁ ଏକପ୍ରକାର ତଟସ୍ଥତା ତଥା ଭାଷାଦୃଷ୍ଟିରୁ ବହୁଭାଷୀ ଏବଂ ଲଘୁଭାଷୀଙ୍କ ମଧ୍ୟରୁ ବହୁଭାଷୀଙ୍କ ଜନମତକୁ ନିରନ୍ତର ଆକଳନ କରିବା ଏବଂ ତାହାକୁ ଯଥୋଚିତ ସମ୍ମାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉପନିବେଶୀୟ ଶାସନ ଭାରତରେ ସବୁବେଳେ ମନେକରୁଥିଲା ଯେ, ଏଠାରେ ଏକ "ଜଷ୍ଟ" ଶାସନ ଦେବାକୁ ହେଲେ ସେମାନଙ୍କୁ ଏହିଭଳି ଗୋଟିଏ ଭାଷାନୀତିକୁ ପ୍ରୟୋଗ କରିବାକୁ ହେବ ।

କେନ୍ଦ୍ର, ଉପକୂଳ ତଥା ଉତ୍ତର ଓଡିଶାରେ ଏକ ଭାଷାଦେଶ ଗଠନ ପୂର୍ବରୁ ସଂଘାତ ଏଇଭଳି ଓଡିଆ ଏବଂ ବଙ୍ଗଳା ଭିତରେ ରହିଥିଲା । ଓଡିଶାର ଭାଷା ସଂଗ୍ରାମୀମାନେ ନିଜ ନିଜର ସାମର୍ଥ୍ୟ ଅନୁସାରେ ବଙ୍ଗଭାଷୀଙ୍କ ଭିତରୁ ନିଜ ଭାଷାକୁ ନେଇ ନିର୍ମାଣ କରାଯାଇଥିବା ଉପନିବେଶୀୟ ଦୃଷ୍ଟିକୁ ପ୍ରତିହତ କରିବାରେ ଲାଗିଥିଲେ । ୧୯୦୩ରେ ଗଠିତ ହୋଇଥିବା ଉତ୍କଳ ସମ୍ମିଳନୀ ବସ୍ତୁତଃ ସମସ୍ତ ଓଡିଆ ଭାଷାଭାଷୀ ଅଂଚଳକୁ ନେଇ ଏକ ସ୍ୱତନ୍ତ୍ର ଭାଷାଦେଶ ଗଠନ ଆଭିମୁଖ୍ୟକୁ ରଖି ନିରନ୍ତର କାର୍ଯ୍ୟରତ ଥିଲା । ଓଡିଶାର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ଉତ୍କଳ ସମ୍ମିଳନୀକୁ ଅଗ୍ରଣୀ ଅନୁଷ୍ଠାନ ବୋଲି ପ୍ରଥମରୁ ଗ୍ରହଣ କରି ତାହାରି ମାଧ୍ୟମରେ ନିଜ ଅଂଚଳରେ ଓଡିଆ ଭାଷାର ପ୍ରଭାବକୁ ସ୍ୱୀକାର୍ଯ୍ୟ କରିବାକୁ ଆଗଭର ହୋଇଥିଲେ । ଓଡିଶାର ଦକ୍ଷିଣାଞ୍ଚଳର ସମସ୍ୟା ଆନ୍ଧ୍ର ତଥା ତେଲୁଗୁ ଭାଷା ଏବଂ ପଶ୍ଚିମାଞ୍ଚଳର ସମସ୍ୟା ମଧ୍ୟ ପ୍ରଦେଶ ତଥା ହିନ୍ଦୁସ୍ଥାନୀ ବା ହିନ୍ଦୀ ଭାଷାର ପ୍ରଭୁତ୍ୱ ବିସ୍ତାର । ଏ କଥା ଆଗରୁ କୁହାଯାଇଛି ।

ହିସାବ ଅନୁସାରେ ଗୋଟିଏ ଭାଷାରେ ବହୁଭାଷୀ ଆକାରରେ ଜଣେ ଯଦି ଯେଉଁ ଅଂଚଳରେ ବସବାସ କରୁଥାଏ ଆଉ ସେଇଠି ଯଦି ଶାସନ ଆଉ ଶିକ୍ଷାର ମାଧ୍ୟମ ଭିନ୍ନ ଗୋଟିଏ ଭାଷା ହୋଇଥାଏ ତେବେ ଭାଷାକୁ ନେଇ ନ୍ୟୁନବୋଧ ସୃଷ୍ଟି ହେବା ସ୍ୱାଭାବିକ । ମାନ୍ଦ୍ରାଜ ପ୍ରେସିଡେନ୍ସି ପ୍ରଭାବରୁ ଓଡିଶାର ଦକ୍ଷିଣାଞ୍ଚଳରେ ତେଲୁଗୁ ଭାଷା ପ୍ରମୁଖତା ଅର୍ଜନ କରିଥିଲା । ଏହାକୁ ଅନେକ ସହଜରେ ଗ୍ରହଣ କରିପାରୁନଥିଲେ । ଓଡିଆ ଭାଷାକୁ ପ୍ରଚଳନ କରିବା ଉଦ୍ଦେଶ୍ୟରେ ଦାବୀ ତଥା ଆଞ୍ଚଳିକ ସଚେତନତା ସୃଷ୍ଟି କରିବା ପାଇଁ ଚିକିଟିର ଭେଙ୍କଟେଶ୍ୱର ଦେବ, ଉଇଲିଅମ ମହାନ୍ତି ଏବଂ ବଳରାମ ମହାରଣାଙ୍କ ନେତୃତ୍ୱରେ ଊନବିଂଶ ଶତାବ୍ଦୀର ଶେଷ ଆଡକୁ "ଉତ୍କଳ ହିତକାରୀ ସମାଜ" ନାମରେ ଗୋଟିଏ ଅନୁଷ୍ଠାନ ଗଢାଯାଇଥିଲା । ଏହି ଅନୁଷ୍ଠାନଟି ଆକାରରେ କ୍ଷୀଣ ଥିଲେ ମଧ୍ୟ ଓଡିଆ ଭାଷାର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଏହି ସଂସ୍ଥାଟି ନିରବଚ୍ଛିନ୍ନ ଭାବରେ କାମ କରୁଥିଲା । ସେହି ଭାଷା ସଂଗ୍ରାମୀମାନେ ପଦଯାତ୍ରାରେ ବିଭିନ୍ନ ସ୍ଥାନକୁ ଗସ୍ତ କରି ଜନସାଧାରଣଙ୍କୁ ଓଡିଆ ଭାଷାର ସ୍ୱାଭିମାନ ବିଷୟରେ ସଚେତନ କରାଉଥିଲେ । ପରେ ୧୮୭୩ ଖ୍ରୀଅରେ ମାନ୍ଦ୍ରାଜ ଭାଷାନୀତି ଗୃହୀତ ହେଲା ଏବଂ ସେଇ ଭାଷାନୀତି ଅନୁସାରେ ଗଞ୍ଜାମ ଜିଲ୍ଲାର କୋର୍ଟ କଚେରୀମାନଙ୍କରେ ତେଲୁଗୁ ଭାଷା ସହିତ ଓଡିଆ ଭାଷାର ବି ପ୍ରଚଳନ କରାଗଲା । ଆଗରୁ ଉଲ୍ଲେଖ ଅଛି ବଙ୍ଗଳା ପ୍ରେସିଡେନ୍ସିରେ ୧୮୩୭ ମସିହାରେ ସ୍ଥାନୀୟ କୋର୍ଟକଚେରୀରେ ପାର୍ସି ଭାଷା ବଦଳରେ ବଙ୍ଗଳା ଏବଂ ଓଡିଆ ଭାଷାର ପ୍ରଚଳନ କରାଯାଇଥିଲା । ସେଇଠି ଦେଖିଲେ ଏ ଘଟଣାର ପ୍ରାୟ ୩୬ ବର୍ଷ ପରେ ଅର୍ଥାତ୍ ୧୮୭୩ ରେ ଗଞ୍ଜାମ ଜିଲ୍ଲାର କୋର୍ଟ କଚେରୀରେ ଓଡିଆ ଭାଷାର ପ୍ରଚଳନ କରାଯାଇଛି । ଓଡିଶାର ଦକ୍ଷିଣାଞ୍ଚଳରେ ଏହିଭଳି ଓଡିଆ ଭାଷା ପ୍ରଚଳନ ପାଇଁ ତିନିଦଶନ୍ଧିରୁ ଅଧିକ କାଳ ବିଳମ୍ବ ହେବା ପଛରେ କେବଳ ଗୋଟିଏ ମାତ୍ର କାରଣ, ତାହା ହେଉଛି ନିଜ ଭାଷାକୁ ଆଗକୁ ନେଇ ପ୍ରତିବାଦ । ବଙ୍ଗଭାଷାର ଆଧିପତ୍ୟ ବିପକ୍ଷରେ ପ୍ରତିବାଦ ତୁଳନାରେ ତେଲୁଗୁ ଭାଷା ବିପକ୍ଷରେ ପ୍ରତିବାଦ କହିବାକୁ ଗଲେ ସେତେ ପ୍ରଭାବୀ ନଥିଲା ସେହି ସମୟରେ । ଏବଂ ଓଡିଶାକୁ ଏକ ଭାଷାଦେଶ ଆକାରରେ ଦାବୀ କରିବା ପାଇଁ ସେମିତି କୌଣସି ପ୍ରମୁଖ ଅନୁଷ୍ଠାନ ନଥିଲା ।

ସେ ଯାହାହେଉ "ଉତ୍କଳ ହିତକାରୀ ସମାଜ" ଭଳି ଏକ କ୍ଷୀଣ ଅନୁଷ୍ଠାନର ପ୍ରଭାବ ଏହିଭଳି ବ୍ୟାପକ ହେବା ଅର୍ଥାତ୍ ଓଡିଆ ଭାଷାର ପ୍ରଚଳନ ଗଞ୍ଜାମ ଜିଲ୍ଲାରେ ହେବା ଭଳି କଥା ଆଜି ଆମକୁ ଆଶ୍ଚର୍ଯ୍ୟ କରିପାରେ । ଏଇଠି ଆଗରୁ କୁହାଯାଇଥିବା ଗୋଟିଏ କଥା ଆଉ ଥରେ ଉଲ୍ଲେଖ କରିବା ଉଚିତ ହେବ । ଗୋଟିଏ ଶାସନରେ ଭିନ୍ନ ଭିନ୍ନ ଭାଷାବଳୟରେ ଅଧିନରେ ଥିଲେ ମଧ୍ୟ ଓଡିଶା ଏକ ଭାଷାଦେଶ ହିସାବରେ ଏକ ଅବଧାରଣା ଆକାରରେ ସମସ୍ତଙ୍କ ଭିତରେ ରହିଥିଲା । ଗୋଟିଏ ସାଧାରଣ କଥନିକାର ଉଲ୍ଲେଖ କରୁଛି । ଓଡିଶାର ସାମଗ୍ରିକ ଉତ୍କର୍ଷପଣକୁ ନେଇ ସେ କଥନିକା । ଏଥିରେ ପିଲାଙ୍କୁ କୁହାଯାଉଛି:

"ଗଣିତରେ ଖଣ୍ଡପଡା, ସଂସ୍କୃତରେ ନୟାଗଡ
ଧରାକୋଟ ରାଜନୀତି,
ଗାନ୍ଧର୍ବ ବିଦ୍ୟାରେ ପାରଳାଖେମୁଣ୍ଡି
ମନେ ରଖିଥିବୁ ନାତି।"

ଏଥିରୁ ଯେଉଁ ସାମଗ୍ରିକ ଓଡିଶାଦେଶଟି ଆମ ସାମ୍ନାକୁ ଆସିଲା ସେଥିରେ ସାମାଜିକ ଜୀବନର ଦୁଇଟି ପ୍ରମୁଖ ଅଂଶ ଯଥା ରାଜନୀତି ଏବଂ ଜୀବନର ସୂକ୍ଷ୍ମ ଅବବୋଧ ତଥା ଗାନ୍ଧର୍ବ ବିଦ୍ୟା, ଏଇ ଦୁଇଟି ପାଇଁ ଆମେ ଯେଉଁ ସ୍ଥାନକୁ ଅନୁକରଣ କରିବା ପାଇଁ ସିଦ୍ଧାନ୍ତ ନେଇଥିଲୁ ସେଇ ଦୁଇଟି ହିଁ ଉପନିବେଶ କାଳରେ ତେଲୁଗୁ ଭାଷାର ଆଧିପତ୍ୟ - ଅଂଚଳରେ ରହିଥିଲେ । ଏଥିରୁ ଆମେ ସହଜରେ ଅନୁମାନ କରିପାରିବା ଯେ ଆମର ସେ ଅଂଚଳ ସଂପର୍କରେ ବିସ୍ତୃତ ପରିଚିତି ରହିଥିଲା ଏବଂ ଆମେ ତାହାକୁ ଆମର ଭାଷାଦେଶର ରୂପକରେ ରଖିଥିଲୁ ଏବଂ ତାହା ଉପରେ ଅନ୍ୟ ଭାଷାର ଆଧିପତ୍ୟକୁ ପ୍ରତିବାଦ କରୁଥିଲୁ । ପ୍ରତିବାଦ ଯେତେବେଳେ ଟିକିଏ ମୁଖରେ ହେବାକୁ ଲାଗିଲା ତାହାର ଉପଯୁକ୍ତ ସଦର୍ଥକ ଫଳ ଆମକୁ ମିଳିଯାଇଥିଲା ।

ଓଡିଶାର ଦକ୍ଷିଣାଞ୍ଚଳର ଭାଷା ପ୍ରତିବାଦର ସ୍ୱରୂପର ଅନେକ ଆଧାରବିନ୍ଦୁ ମଧ୍ୟରୁ ଦୁଇଟିର କଥା ଆମର ସ୍ମରଣକୁ ଆସୁ । ସେତେବେଳେ ଯେଉଁ ଅଂଚଳ ତେଲୁଗୁ ଭାଷାର ଆଧିପତ୍ୟ ଅଂଚଳ ଥିଲା ସେହି ଅଂଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବସ୍ଥାନ ଭଳି ପ୍ରସଂଗ ନିଶ୍ଚୟ ଏକ ଜଟିଳ ବିରୋଧାଭାସ । ସାଙ୍ଗୀତିକତା ଏବଂ ଶବ୍ଦାର୍ଥ ମାଧୁର୍ଯ୍ୟରେ ଓଡିଆ ଜାତିର ବିଲରେ ଥିବା ଚଷାଠାରୁ ଅନ୍ତଃପୁରରେ ଯୋଷା ଯାଏଁ କର୍ଷଣ ତ କଦାପି ସାମାନ୍ୟ ନୁହଁ ଯେ ଶାସନଗତ ଭାଷାକୁ ବଦଳାଇଦେଲେ ତାହା ନିଷ୍ପ୍ରଭ ହୋଇଯିବ । ତେଣୁ ତେଲୁଗୁ ଭାଷାର ବିପକ୍ଷରେ ଆଧାରଶିଳା ଆକାରରେ ରହିବାକୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ବାଧ୍ୟ ନିଶ୍ଚୟ । ଅନ୍ୟପକ୍ଷରେ ଭାଷା ପ୍ରତିବାଦର ଅଗ୍ରଣୀ ଥିଲେ ସେଇ ଅଂଚଳର ନବଶିକ୍ଷିତମାନେ, ଯେଉଁମାନଙ୍କ ପାଇଁ ଓଡିଆ ଭାଷା ଥିଲା ସଂଭ୍ରମତାର ପ୍ରତୀକ, ତେଣୁ ସେମାନେ ନିଜକୁ ଓଡିଆ ଭାଷା ସହିତ ସହଜରେ ପରିଚିତି ସ୍ଥାପନ କରିପାରୁଥିଲେ ।

ସମାନ ସମୟରେ ଯେତେବେଳେ ଓଡିଶାର ଦକ୍ଷିଣାଞ୍ଚଳରେ ତେଲୁଗୁ ଭାଷାର ଆଧିପତ୍ୟ ବିରୁଦ୍ଧରେ ପ୍ରତିବାଦ ଦାନା ବାନ୍ଧୁଛି, ଠିକ୍ ସେତିକିବେଳେ ବାଲେଶ୍ୱରରେ ପଣ୍ଡିତ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ବଙ୍ଗଭାଷାରେ ଏକ ପୁସ୍ତିକା ରଚନା କରନ୍ତି ଯାହାର ଶୀର୍ଷକ ହେଉଛି ଯାହାର ଉଲ୍ଲେଖ ଆଗରୁ ଅଛି, "ଉଡିୟା ସ୍ୱାଧୀନ ଭାଷା ନହେ" । ଫକୀର ମୋହନଙ୍କୁ ଏହାର ଯେମିତି ହେଉ ପଛକେ ପ୍ରତିବାଦ କରିବାକୁ ପଡିବ । ଏଇଠି ଫକୀର ମୋହନଙ୍କ ସଂପର୍କରେ ଆମର ଗୋଟିଏ କଥା ମନେ ରଖିବା ଉଚିତ । ଫକୀର ମୋହନ ବଙ୍ଗଳା ଭାଷାରେ ଅତ୍ୟନ୍ତ ପ୍ରବୀଣ ଥିଲେ । ଓଡିଆ ଭାଷାର ଏହି ବ୍ୟାସଦେବଙ୍କର ପ୍ରଥମ ସାରସ୍ୱତ ସୃଜନ ହେଉଛି ପଣ୍ଡିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ବଙ୍ଗଭାଷାରେ ରଚିତ ପୁସ୍ତକ "ଜୀବନ ଚରିତ"ର ଓଡିଆ ଭାଷାରେ ଅନୁସୃଜନ । ଏହାଛଡା ଫକୀର ମୋହନ ସେ ସମୟର ବାଲେଶ୍ୱରର କଲେକ୍ଟର ଆର୍ ଏଚ୍ ପାସି, ଇ ସି ବି ହାଲାମ ଏବଂ ଜନ ବିମସ୍ ଭଳି ଉଚ୍ଚପଦସ୍ଥ ଇଂରେଜ କର୍ମକର୍ତ୍ତାଙ୍କ "ବଙ୍ଗଳା" ଭାଷାର ଶିକ୍ଷକ ହିସାବରେ ଅନ୍ତରଂଗତା ଅର୍ଜନ କରିଥିଲେ । ବାଲେଶ୍ୱର କଲେକ୍ଟୋରେଟରେ କିଛି ସମୟ ସେ ମୁନସି ପଦବୀରେ କାମ କରିଥିଲେ । ତାଙ୍କ ସଂପାଦିତ ସଂବାଦପତ୍ର "ବାଲେଶ୍ୱର ସମ୍ବାଦବାହିକା" ର ସଂବାଦ ପରିବେଷଣରେ ମୁଗ୍ଧ ହୋଇ ଜନ ବିମସ୍ ଫକୀର ମୋହନଙ୍କୁ ଥରେ ଦଶ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିଥିଲେ । ଏହାଛଡା ପଣ୍ଡିତ ଈଶ୍ୱର ଚନ୍ଦ୍ରଙ୍କ "ଜୀବନ ଚରିତ" ପାଇଁ ତିନିଶତ ଟଙ୍କା ପୁରସ୍କାର ଲାଭ କରିଥିଲେ । ଏ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି ସେହି ସମୟରେ ଫକୀର ମୋହନଙ୍କୁ ଜଣେ ଆଗଧାଡିର ପ୍ରତିଷ୍ଠିତ ଓଡିଆ ହିସାବରେ ଗ୍ରହଣ କରାଯାଉଥିଲା ଏବଂ ପଣ୍ଡିତ କାନ୍ତିଲାଲ ଯେହେତୁ ତାଙ୍କର "ଉଡିୟା ସ୍ୱତନ୍ତ୍ର ଭାଷା ନହେ" ରେ ଅନେକ ସ୍ଥାନରେ ଫକୀର ମୋହନଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ତେଣୁ ଏହାର ପ୍ରତିବାଦ କରିବା ପାଇଁ ନିଜେ ଫକୀର ମୋହନ ସାମ୍ନାକୁ ଆସିବା ଦରକାର ପଡିଲା । ଫକୀର ମୋହନ ତାଙ୍କର ଉଚ୍ଚପଦସ୍ଥ ସଂପର୍କ ସେ ଇଂରେଜ ହୁଅନ୍ତୁ କି ବଙ୍ଗଭାଷୀ ହୁଅନ୍ତୁ ସେମାନଙ୍କୁ କାନ୍ତିଲାଲଙ୍କ ପୁସ୍ତିକାର ଅପରପକ୍ଷ ବିଚାରକୁ ଅନ୍ତତଃ ପକ୍ଷେ ବୁଝାଇବାର ଆବଶ୍ୟକତା ଥିଲା । ସେଇଟି ହେଉଛି ଏପରି ଏକ ସମୟ ଯେତେବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୋଥିରେ ଥିଲେ । ତାଙ୍କ ଲେଖାର ମୁଦ୍ରିତ ରୂପ ଆସି ନଥିଲା । ଫକୀର ମୋହନଙ୍କର ଉପେନ୍ଦ୍ର ଭଞ୍ଜଙ୍କ ପୋଥି ଦରକାର ମାତ୍ର ସେ ସମୟରେ ତାହା ମିଳିବା ସହଜ ନଥିଲା । ନିଜର ସ୍ମରଣରୁ ଭଞ୍ଜଙ୍କର କିଛି ଉଦ୍ଧୃତିକୁ ନେଇ ସେ ନିଜ ଭାଷାର ସମର୍ଥନରେ ପକ୍ଷଟିଏ ପ୍ରସ୍ତୁତ କରିପାରିବେ ସେଇଭଳି ବିଶ୍ୱାସ ତାଙ୍କର ନଥିଲା । ଠିକ୍ ସେହି ସମୟରେ ଫକୀର ମୋହନଙ୍କ ନିକଟରେ ସୂଚନା ମିଳିଲା ଯେ ଘୁମୁସରର ଜଣେ ପ୍ରତାପ ଭଞ୍ଜ ରାଜବନ୍ଦୀ ହିସାବରେ ବାଲେଶ୍ୱରରେ ଅବସ୍ଥାନ କରୁଛନ୍ତି । ଘୁମୁସର ହେଉଛି ଆଦ୍ୟ ନିବାସ ଏବଂ ଭଞ୍ଜ ହେଉଛି ସାଙ୍ଗିଆ ଏଇ ଦୁଇଟି କଥାକୁ ଭରସା କରି ଉପେନ୍ଦ୍ର ଭଞ୍ଜଙ୍କୁ ଆବିଷ୍କାର କରିବା ଉଦ୍ଦେଶ୍ୟରେ ଫକୀର ମୋହନ ବାହାରି ପଡିଲେ ବାଲେଶ୍ୱରର ଚିଡିଆପୋଲ ଅଂଚଳକୁ । ସେଇଠି ରାଜବନ୍ଦୀ ଆକାରରେ ରହୁଥିଲେ ପ୍ରତାପ ଭଞ୍ଜ । ସୌଭାଗ୍ୟକୁ ଫକୀର ମୋହନ ରାଜବନ୍ଦୀ ପ୍ରତାପ ଭଞ୍ଜଙ୍କଠାରୁ ଉପେନ୍ଦ୍ର ଭଞ୍ଜଙ୍କର ମାଳେ ପୋଥି ପାଇଗଲେ ।

ସେହି ପୋଥିକୁ ବୁଜୁଳା କରି ଧରି ଫକୀର ମୋହନ କଲେକ୍ଟୋରେଟ୍ ଏକ ତଦନ୍ତ କମିଟି ଆଗରେ ସାକ୍ଷ୍ୟ ପ୍ରମାଣ ଦେଇଥିଲେ । ତାହାପରେ ପୋଥିରୁ ଉପେନ୍ଦ୍ର ଭଞ୍ଜଙ୍କୁ ପଢି ତାହାକୁ ବଙ୍ଗଭାଷାରେ ତର୍ଜମା କରି ସେଥିରୁ ଓଡିଆ ଭାଷାର ମୌଳିକତାର ପ୍ରସଂଗକୁ ଦୃଢ ଭାବରେ କମିଟି ସାମ୍ନାରେ ରଖିଥିଲେ ସେ ।

ଉପନିବେଶୀୟ ଶାସନ କୌଣସି ଭାଷାଗତ ବିଶୃଙ୍ଖଳାକୁ ଏଡାଇଯିବାକୁ ଚାହିଁଥିଲା । ତେଣୁ ପଣ୍ଡିତ କାନ୍ତିଲାଲଙ୍କ ପ୍ରସ୍ତାବନା ଅର୍ଥାତ୍ ଓଡିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବା ଗୋଟିଏ ସ୍ୱତନ୍ତ୍ର ଭାଷା ହେବା ପାଇଁ ଯାହା ମୌଳିକତା ରହିବା କଥା ତାହା ଓଡିଆ ଭାଷାରେ ନାହିଁ ଭଳି ବିଚାରକୁ ଯଦିଓ ସିଧାସଳଖ ଖାରିଜ କରାଯାଇନଥିଲା ମାତ୍ର ଏହା ବାତିଲ୍ ତାଲିକାରେ ରହିଗଲା । ସରକାର ସେଇ ୧୮୩୭ ର ଆକ୍ଟ ୨୯କୁ ବଳବତ୍ତର ରଖିଥିଲେ, ଯାହା ଅନୁସାରେ ବଙ୍ଗଳା ପ୍ରେସିଡେନ୍ସିରେ ବଙ୍ଗଳା, ଓଡିଆ ଏବଂ ହିନ୍ଦୁସ୍ଥାନୀ କୋର୍ଟକଚେରୀର ଭାଷା ଆକାରରେ ପ୍ରଚଳିତ ରହିବ ।

ଦକ୍ଷିଣାଞ୍ଚଳରେ ଊନବିଂଶ ଶତାବ୍ଦୀର ସେହି କ୍ଷୀଣ "ଉତ୍କଳ ହିତକାରୀ ସଭା" ର ତେଲୁଗୁ ଭାଷାର ପ୍ରଭୁତ୍ୱ ବିରୋଧୀ ଅଭିଯାନର ପରବର୍ତ୍ତୀ ମୁଖ୍ୟ ରୂପ ହେଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ୧୯୦୦ରେ ସେ ଖଲିକୋଟ ଓ ଆଠଗଡର ତତ୍କାଳୀନ ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ଗୋଟିଏ ସାପ୍ତାହିକ ସମ୍ବାଦ ପତ୍ରିକା ଆରମ୍ଭ କରନ୍ତି । ଏହି ସାପ୍ତାହିକ ସମ୍ବାଦପତ୍ରର ନାଆଁ ହେଉଛି, "ପ୍ରଜାବନ୍ଧୁ" । ଦକ୍ଷିଣାଞ୍ଚଳରୁ ଏମିତି ଗୋଟିଏ ସମ୍ବାଦପତ୍ର ପ୍ରକାଶିତ ହେବା କାରଣରୁ ସ୍ଥାନୀୟ ଅଂଚଳର ସମସ୍ୟାମାନ ସେଥିରେ ସ୍ଥାନ ପାଇଲା ଆଉ ତାହା ଫଳରେ ସେସବୁ ସରକାରଙ୍କର ନଜରକୁ ଆସିବାକୁ ଲାଗିଲା । ଏଇ ସମ୍ବାଦପତ୍ରକୁ କେନ୍ଦ୍ର କରି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବଳଭଦ୍ର ମହାପାତ୍ର ଏବଂ ରମ୍ଭାର ଜୟକୃଷ୍ଣ ଚ୍ୟାଉପଟ୍ଟନାୟକ ପ୍ରମୁଖ ଗଞ୍ଜାମର ଓଡିଆମାନଙ୍କର ଗୋଟିଏ ସମ୍ମିଳନୀ କରିବାକୁ ସ୍ଥିର କରିଥିଲେ । ସେମାନଙ୍କର ଧାରଣା ଥିଲା ଯେ ଯଦି ଗୋଟିଏ ବଡମାପର ସମ୍ମିଳନୀ ହୁଏ ତେବେ ଅନେକ ଲୋକ ସମାଗମ ହେବ ଏବଂ ସେଇଠି ଗଞ୍ଜାମରେ ଓଡିଆ ଭାଷାର ସମସ୍ୟା ସଂପର୍କରେ ବିସ୍ତାରରେ ଚର୍ଚ୍ଚା ହୋଇପାରିବ ଏବଂ ଏହିଭଳି ହୋଇପାରିଲେ ସମ୍ଭବତଃ ତାହା ମାନ୍ଦ୍ରାଜ ପ୍ରେସିଡେନ୍ସି ଉପରେ ଅଧିକ ପ୍ରଭାବ ପକାଇ ପାରିବ ।

ଶେଷରେ ଏହିଭଳି ଗୋଟିଏ ଆୟୋଜନ ପାଇଁ ରାଜା ହରିହର ମର୍ଦ୍ଦରାଜ ଆର୍ଥିକ ସହାୟତା କରିଥିଲେ । ବ୍ରହ୍ମପୁର ସହରରେ ଏଇ ଅଧିବେଶନଟି ୧୯୦୧ରେ ଆୟୋଜିତ ହୋଇଥିଲା । କଟକରୁ ମଧୁସୂଦନ ଦାସ, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ଶଶିଭୂଷଣ ରାୟ, ନନ୍ଦ କିଶୋର ବଳ ଏବଂ ଗୌରୀଶଙ୍କର ରାୟ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ । ଏହିଭଳି ଏକ ସମ୍ମାନଜନକ ଉପସ୍ଥିତିର ତାଲିକାରୁ ଆମେ ଜାଣିପାରିବା ଯେ ବଙ୍ଗଳା ଭାଷାର ଆଧିପତ୍ୟ ବିରୁଦ୍ଧରେ ନିଜର ସ୍ୱର ଉଠାଉଥିବା ସମସ୍ତ ଅଗ୍ରଗଣ୍ୟ ଓଡିଆ ଏଇଠାରେ ତେଲୁଗୁ ଭାଷାର ଆଧିପତ୍ୟ ବିରୁଦ୍ଧରେ ବି ସହାୟକ ସ୍ୱର ଆକାରରେ ଉପସ୍ଥିତ ରହିଛନ୍ତି । ବ୍ରହ୍ମପୁର ସଭାରେ ଗଞ୍ଜାମରେ ଥିବା ଓଡିଆ ଭାଷୀଙ୍କ ଉତ୍ସାହ ଏବଂ ଏକତାକୁ ଦେଖିବା ପରେ ମଧୁବାବୁ ଅତ୍ୟନ୍ତ ସଂତୁଷ୍ଟ ହୁଅନ୍ତି ଏବଂ ଏହି ସଭାର ସଫଳତାରୁ ତାଙ୍କର ମନରେ ସମସ୍ତ ଓଡିଆଭାଷୀଙ୍କୁ ଏକାଠି କରିବାର ବିଶ୍ୱାସଟି ବଳବତ୍ତର ହୁଏ ଆଉ ସେଇଥିପାଇଁ ସେ ପରିକଳ୍ପନା କରନ୍ତି "ଉତ୍କଳ ସମ୍ମିଳନୀ" ଗଢା ହେବ ।

ଭାଷାଦେଶ ଏକ ପାରସ୍ପରିକ ପ୍ରଭାବ ଏବଂ ପ୍ରତିକ୍ରିୟାର ଜଟିଳ ଉପଜ ।

ଆର ଥରକୁ ଆଉ କିଛି ।

ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୨)

Report an Error