ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା (୨)

୨୫ ଅକ୍ଟୋବର୍ ୧୯୦୩ରେ ୬୨ ଜଣ ସଦସ୍ୟଙ୍କୁ ନେଇ କଟକର ଇଦଗା ପଡିଆରେ କୁଳବୃଦ୍ଧ ମଧୁସୁଦନଙ୍କ ନେତୃତ୍ୱରେ "ଉତ୍କଳ ସମ୍ମିଳନୀ" ଗଢା ହୋଇଥିଲା । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡିଶାକୁ ଏକ ଭାଷାଦେଶ ହିସାବରେ ଗଠନ ପାଇଁ ସରକାରଙ୍କଠାରେ ଦାବୀ କରିବା ।


ଫଟୋ - ୱିକିପିଡିଆ

ଦୁଇ

ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ ବାବୁ ରାଜେନ୍ଦ୍ରଲାଲ ମିତ୍ର ୧୮୬୮ ମସିହା ଡିସେମ୍ବର ମାସରେ କଟକର ଡିବେଟିଂ ସୋସାଇଟିରେ ଓଡିଆ ଭାଷାର ସ୍ଥିତି ଆଉ ମୌଳିକତାକୁ ଅସ୍ୱୀକାର କରି ପ୍ରଦାନ କରିଥିବା ବକ୍ତବ୍ୟ କହିବାକୁ ଗଲେ ଏକ ପ୍ରମୁଖ ବକ୍ତବ୍ୟ । ପ୍ରମୁଖ ବକ୍ତବ୍ୟ ଏଇଥିପାଇଁ ଯେ ଏହା ରାଜେନ୍ଦ୍ରଲାଲଙ୍କ ଭଳି ଜଣେ ସମ୍ମାନିତ ଉଚ୍ଚପଦସ୍ଥ କର୍ମଚାରୀ ତଥା ଜଣେ ଉଚ୍ଚମାନର ବୁଦ୍ଧିଜୀବୀଙ୍କ ତରଫରୁ ଉପସ୍ଥାପିତ ହୋଇଥିଲା । ବଙ୍ଗଦେଶ ଅଧୀନରେ ଓଡିଶା ଏକ ଶାସନ - ଏକକ ହିସାବରେ ଇଂରେଜ ଶାସନରେ ରହିଥିବା କାରଣରୁ ବଙ୍ଗଭାଷୀ ଉଚ୍ଚ ରାଜନାୟକମାନଙ୍କ କ୍ଷେତ୍ରରେ ବଙ୍ଗଳା ଭାଷାକୁ ନେଇ ରହିଥିବା ଉପନିବେଶୀୟ ଦୃଷ୍ଟି ଓଡିଆ ଭାଷାର ଅସ୍ମିତା ଓ ସ୍ଥିତିକୁ ଭାଷାଗତ ତଥା ଅଂଚଳଗତ ରୂପରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଅସ୍ୱୀକୃତ ହେଉଥିଲା । ବଙ୍ଗଭାଷୀ ଶାସକ ବର୍ଗ ଓଡିଶାର ଶାସନ କ୍ଷେତ୍ରରେ ତଥା ଓଡିଶାର ଶିକ୍ଷା କ୍ଷେତ୍ରରେ ବଙ୍ଗଭାଷାକୁ ଏକ ସଂଯୋଜକ ଭାଷା ହିସାବରେ ନିଜର ଇଚ୍ଛାମତେ ପରିଚାଳନା କରୁଥିଲେ । ଯଦିଓ ଇଂରେଜ ଉପନିବେଶୀୟ ଶାସନ ଆଞ୍ଚଳିକ ଭାବରେ ଭାଷା - ପ୍ରଚଳନକୁ ନେଇ ଏକ ପ୍ରକାର ସ୍ଥିତାବସ୍ଥା ତଥା ତଟସ୍ଥ ଭାବ ପୋଷଣ କରୁଥିଲା । ଆଞ୍ଚଳିକ ଭାଷାରେ ଶାସନ ପରିଚାଳିତ ହେଲେ ସେମାନେ ନିଜର ଶାସନ ପାଇଁ (ଏବଂ ଏକଥା ସମସ୍ତ ଇଂରେଜ ଉପନିବେଶୀୟ ଶାସନ ମନେ ରଖିଥିଲା ଯେ ସେମାନେ ଏଠିକାର ନୁହଁନ୍ତି, ଚାଲିଚଳନ ରଙ୍ଗ ଆଉ ଭାଷାରେ ସେମାନେ ଫିରିଙ୍ଗୀ ଅର୍ଥାତ୍ ବିଦେଶୀ) ଏକ ପ୍ରକାର ନୈତିକ ସମର୍ଥନ ଅର୍ଜନ କରିପାରିବେ । ଇଂରେଜମାନଙ୍କର ଭାଷା - ତଟସ୍ଥତା କାରଣରୁ ବଂଗଭାଷୀ ରାଜନାୟକମାନେ ବଙ୍ଗ - ଓଡିଶା ଶାସନ - ଏକକରେ ବଂଗଳାଭାଷାର ପ୍ରସାର ଏବଂ ବ୍ୟାପକତାକୁ ନିଶ୍ଚିତ କରିବା ପାଇଁ ସୁଯୋଗ ପାଉଥିଲେ ଏବଂ ନିଜ ସପକ୍ଷରେ ଇଂରେଜ ଶାସନକୁ ପ୍ରଭାବିତ ବି କରିପାରୁଥିଲେ । ଏହି ପ୍ରସଙ୍ଗକୁ ଆଗରୁ ଉଲ୍ଲେଖ କରାଯାଇଛି । ତେଣୁ ବାବୁ ରାଜେନ୍ଦ୍ରଲାଲଙ୍କ ଅଭିମତ ଏକପ୍ରକାର କହିବାକୁ ଗଲେ ବଙ୍ଗଳା ଭାଷାକୁ "ଅମ୍ବ୍ରେଲା" ଆକାରରେ ରଖି ତାହାର ଆଢୁଆଳରେ ଓଡିଶାର ବିସ୍ତୃତ ଅଂଚଳରେ ବଙ୍ଗଭାଷୀମାନଙ୍କର ଆଧିପତ୍ୟକୁ ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଏକ ବକ୍ତବ୍ୟ । ବାବୁ ରାଜେନ୍ଦ୍ରଲାଲଙ୍କ ବକ୍ତବ୍ୟର ବିଶେଷ ପ୍ରତିବାଦ "ଉତ୍କଳ ଦୀପିକା"ର ପରବର୍ତ୍ତୀ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଥିଲା ।

ବାଲେଶ୍ୱର ଜିଲ୍ଲା ସ୍କୁଲର ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟଙ୍କ "ଓଡିଆ ଭାଷା ବିଲୋପ ଆନ୍ଦୋଳନ" ହେଉଛି ବାବୁ ରାଜେନ୍ଦ୍ରଲାଲଙ୍କ କଟକ ଡିବେଟିଂ ସୋସାଇଟିରେ ପ୍ରଦାନ କରାଯାଇଥିବା ବକ୍ତବ୍ୟର କହିବାକୁ ଗଲେ ଗୋଟିଏ ଉଗ୍ରରୂପ । ଆଉ ସେଇଥିପାଇଁ ନିଜର ଆଭିମୁଖ୍ୟକୁ ଏକ ସ୍ପଷ୍ଟ ଆଉ ଶାଣିତ ରୂପ ଦେବା ପାଇଁ ପଣ୍ଡିତ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ବଂଗଳାଭାଷାରେ ଏକ ପୁସ୍ତକ "ଉଡିଆ ଏକଟା ସ୍ୱତନ୍ତ୍ର ଭାଷା ନୟ" ରଚନା କରିଥିଲେ । ସେଥିରେ ସେ ପ୍ରମୁଖ ଭାବରେ ଯେଉଁ ବିଚାରକୁ ରଖିଥିଲେ ତାହା ବାବୁ ରାଜେନ୍ଦ୍ରଲାଲଙ୍କ ସଂଜତ ତଥା ଓଡିଆଭାଷୀଙ୍କ ପ୍ରତି ଆପାତଦୃଷ୍ଟିରେ ପିତୃସୁଲଭ ଉଦାରବାଦୀ ଭଳି ମନେହେଉଥିବା (ତମେ ଆମ ଭାଷାଧୀନ ହୋଇ ରହିଲେ ଭାବ ଏବଂ ବିଚାରଗତ ଉଭୟ ଦୃଷ୍ଟିରୁ ଉନ୍ନତ ହୋଇ ରହିବ ତେଣୁ ତମର ଆଉ ଅଲଗା ଗୋଠ କାହିଁକି ?) ବକ୍ତବ୍ୟ ଦ୍ୱାରା ଅନୁପ୍ରେରିତ । ମାତ୍ର ବାବୁ ରାଜେନ୍ଦ୍ରଲାଲଙ୍କ ଭଳି ବିଦ୍ଵାନ ପଣ୍ଡିତ କାନ୍ତିଲାଲଙ୍କ ପାଖରେ ଅନୁପସ୍ଥିତ ଥିବା କାରଣରୁ ତାଙ୍କର ସେହି ପୁସ୍ତକର ଆବେଦନ ତଥା ପ୍ରଭାବ ଅତ୍ୟନ୍ତ ସୀମିତ ହୋଇ ରହିଥିଲା ।

ବାଲେଶ୍ୱର ସମ୍ବାଦବାହିକାର ସୂଚନା ଅନୁସାରେ ୧୮୬୯ ରୁ ୧୮୭୦ ଖ୍ରୀଷ୍ଟାବ୍ଦ ଭିତରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଅନେକ ଥର ଏଇ ଭାଷା ପ୍ରସଙ୍ଗ ଉଠିଛି । ପିଲାଙ୍କୁ ଶିକ୍ଷାଦାନର ମାଧ୍ୟମ ବଙ୍ଗଳା ହେବା ଉଚିତ ବୋଲି ବାରଂବାର ପ୍ରଶ୍ନ ଉଠିଛି । ଓଡିଶାରେ କାର୍ଯ୍ୟରତ ବଂଗଭାଷୀ ଶିକ୍ଷକଙ୍କ ସଂଖ୍ୟା ଯଥେଷ୍ଟ ଥିବା କାରଣରୁ, ଓଡିଆ ଭାଷାରେ ପାଠ୍ୟପୁସ୍ତକ ଅଭାବ ଏବଂ ଓଡିଶାର ଶିକ୍ଷା କ୍ଷେତ୍ରର ପରିଚାଳକମାନେ ବଙ୍ଗଭାଷୀ ରହିଥିବା କାରଣରୁ ସ୍ଥାନୀୟ ଭାବରେ ବଂଗଭାଷା ଶିକ୍ଷାର ଏକ ପ୍ରକାର ମାଧ୍ୟମ ପାଲଟି ଯାଇଥିଲେ ମଧ୍ୟ ଏହା ସର୍ବୋଚ୍ଚ ଉପନିବେଶୀୟ ଶାସନର ସ୍ୱୀକୃତି ଲାଭ କରୁନଥିଲା । ପଣ୍ଡିତ କାନ୍ତିଲାଲଙ୍କ ଏହିଭଳି ଗୋଟିଏ ପୁସ୍ତକ ରଚନା କେବଳ ବଙ୍ଗଭାଷୀମାନଙ୍କୁ ଏହି ସମସ୍ୟା ପ୍ରତି ସଚେତନ କରିବା ସହିତ ସେମାନଙ୍କୁ ଏଇ ବିଷୟ ପ୍ରତି ଏକମତ ଏବଂ ଗୋଷ୍ଠୀଭୁକ୍ତ ହୋଇ ରହିବା ଉଦ୍ଦେଶ୍ୟରେ ଅଭିପ୍ରେତ ଥିଲା ବୋଲି କୁହାଯାଇପାରେ । ଓଡିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହଁ ବୋଲି କୁହାଯାଇଥିବା ବହିଟି ବଙ୍ଗଳା ଭାଷାରେ ଲେଖାଯାଇଥିଲା ଏବଂ ଯଦି ଏହି ବହିର ପ୍ରାମାଣିକତା ଏତେ ବ୍ୟାପକ ଏବଂ ବିସ୍ତୃତ ତାହାହେଲେ ପ୍ରଶ୍ନ ଉଠିବ, ବହିଟି ବଙ୍ଗଳାରେ କାହିଁକି ? ଏଇ ବହି ତଥା ଏହି ବହିର ସାରକଥା ଇଂରେଜୀରେ ଉଚ୍ଚ ଉପନିବେଶୀୟ କର୍ତ୍ତୃପକ୍ଷଙ୍କ ନିକଟରେ କାହିଁକି ନୁହଁ ? ଏହି ପ୍ରଶ୍ନର ଉତ୍ତର ଖୋଜିବାବେଳେ ଆମକୁ ମିଳିବ ଯେ ପଣ୍ଡିତ କାନ୍ତିଲାଲ ଓଡିଆ ଭାଷାର ବିଲୋପ ପାଇଁ ଯାହା ଯାହା ତଥ୍ୟ ପ୍ରମାଣ ଯୋଗାଡ କରିଥାନ୍ତୁ ତାହା କେବଳ ଆବେଗିକ ଭାବରେ ଓଡିଶା କ୍ଷେତ୍ରର ବଂଗଭାଷୀମାନଙ୍କୁ ସଂଗଠିତ କରିବା ଭଳି ଉଦ୍ଦେଶ୍ୟ ରଖିଥିଲା । ଉପନିବେଶୀୟ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି ନିଷ୍ପୃହ ଥିଲେ ।

ଇଂରେଜ କର୍ତ୍ତୃପକ୍ଷଙ୍କୁ ଓଡିଶାର ଦକ୍ଷିଣରେ ମାନ୍ଦ୍ରାଜ ପ୍ରୋଭିନ୍ସ ଏବଂ ପଶ୍ଚିମରେ ସେଣ୍ଟ୍ରାଲ୍ ପ୍ରୋଭିନ୍ସ ର କଥା ବିଚାରକୁ ନେବାକୁ ପଡୁଥିଲା । ତାହା ସହିତ ଏହି ସମଗ୍ର ଓଡିଆଭାଷୀ ଅଂଚଳରେ ବିଶେଷତଃ ଶାସନ ଏବଂ ଶିକ୍ଷା ଉଭୟ କ୍ଷେତ୍ରରେ ଅନ୍ୟଭାଷାର ଅନୁପ୍ରବେଶ ଘଟିଲେ ଯେଉଁ ଭାଷା - ବିଶୃଙ୍ଖଳା ଦେଖାଯିବ ତାହାର ସଂଭାବନାକୁ ଆଖି ଆଗରେ ରଖି ସେମାନେ ଏହି ପ୍ରସଂଗଠାରୁ ଦୂରରେ ରହିବା ଉଚିତ ମନେ କରୁଥିଲେ । ତେଣୁ ପଣ୍ଡିତ କାନ୍ତିଲାଲଙ୍କ ଓଡିଆ ଭାଷା ସଂପର୍କିତ ଏକଦେଶଦର୍ଶୀ ବିଚାରର ଉଦ୍ଦେଶ୍ୟ ଯାହା ଟିକିଏ ଆଗରୁ ଉଲ୍ଲେଖ କରାଯାଇଛି ତାହା ହେଉଛି ଓଡିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବିଚାର ମାଧ୍ୟମରେ ଶିକ୍ଷିତ ଉଚ୍ଚପଦସ୍ଥ ବଙ୍ଗଭାଷୀ ଅମଲାମାନଙ୍କୁ ଏକାଠି କରିବା ଆଉ ତାହାର ଆଳରେ ଉପନିବେଶୀୟ ଶାସନକୁ ଯଥାସଂଭବ ପ୍ରଭାବିତ କରି ସମସ୍ତ ନିର୍ଣ୍ଣୟ ନିଜ ସପକ୍ଷକୁ ଆଣିବା । ପଣ୍ଡିତ କାନ୍ତିଲାଲଙ୍କର ଏହିଭଳି ଓଡିଆ ଭାଷା ବିଲୋପ ଆନ୍ଦୋଳନର ସୂତ୍ରଧର ହିସାବରେ ହଠାତ୍ ଉପସ୍ଥିତ ହେବା ବସ୍ତୁତଃ ବଙ୍ଗଭାଷୀ ଏବଂ ଓଡିଆଭାଷୀ ଶିକ୍ଷିତ ତଥା ପ୍ରଭାବୀ ବର୍ଗ ଭିତରେ କ୍ଷମତାଦ୍ୱନ୍ଦ୍ୱର ଉପଜ ବୋଲି କୁହାଯାଇପାରେ । ଭାରତୀୟ ଇତିହାସତତ୍ତ୍ୱର ଛାତ୍ରମାନେ ଜାଣନ୍ତି ଯେ ଭାରତର ଇତିହାସକୁ ଅଧ୍ୟୟନ କଲାବେଳେ ଏକ ବିଶେଷ "ସ୍କୁଲ୍" ର ଇତିହାସକାରମାନେ ଯେଉଁମାନଙ୍କୁ "କେମ୍ବ୍ରିଜ୍ ସ୍କୁଲ" ର ଇତିହାସକାର ବୋଲି କୁହାଯାଏ ସେମାନେ ମନେ କରନ୍ତି ଯେ ଭାରତର ଜାତୀୟତାବାଦ ତଥା ସ୍ୱାଧୀନତା ସଂଗ୍ରାମ ପଛରେ ଶିକ୍ଷିତ ଭାରତୀୟମାନେ ରହିଛନ୍ତି, ଯେଉଁମାନେ କି ନିଜର ଯୋଗ୍ୟତା ଅନୁସାରେ ଯେତିକି ଆନୁଷ୍ଠାନିକ ସରକାରୀ ସ୍ୱୀକୃତି ପାଇବା କଥା ସେଥିରୁ ବଞ୍ଚିତ । ଏହି ଅବଧାରଣାକୁ ଆଧାର କରି ଦେଖିଲେ ବଙ୍ଗଭାଷୀ ଶିକ୍ଷିତମାନେ ବ୍ୟାପକ ଓଡିଶାରେ ନିଜର ବୃତ୍ତିଗତ ଆଧିପତ୍ୟର ପ୍ରସାର ସୁଯୋଗ ଦେଖୁଥିଲେ । ଆଉ ସେଇଥିପାଇଁ ସେମାନଙ୍କ ନିକଟରେ ବଂଗଳାଭାଷାକୁ ଆଶ୍ରୟ କରିବା ବ୍ୟତୀତ ଆଉ ଭିନ୍ନ କିଛି ବିକଳ୍ପ ନଥିଲା ।

ଅନ୍ୟପକ୍ଷରେ ପ୍ୟାରିମୋହନ ଆଚାର୍ଯ୍ୟଙ୍କ ରଚିତ "ଓଡିଶାର ଇତିହାସ" ଅନୁସାରେ ଓଡିଶାରେ ମରହଟ୍ଟା ଶାସନ କାଳରେ ଶାସନ କ୍ଷେତ୍ରରେ ଓଡିଆଙ୍କ ଯୋଗଦାନ ନଗଣ୍ୟ ଥିଲା ମାତ୍ର ୧୮୦୩ ଖ୍ରୀଷ୍ଟାବ୍ଦରେ ଓଡିଶା ଉପନିବେଶୀୟ ଶାସନର ଅନ୍ତର୍ଭୁକ୍ତ ହେବା ପରଠାରୁ ଶାସନ କ୍ଷେତ୍ରରେ ଓଡିଆମାନଙ୍କ ସଂଖ୍ୟା କ୍ରମଶଃ ବଢିବାକୁ ଲାଗିଲା । ଏହି ଶିକ୍ଷିତ ପ୍ରଭାବୀ ଓଡିଆ ବର୍ଗ ବଙ୍ଗଭାଷାରେ ପ୍ରଶିକ୍ଷିତ ହୋଇଥାନ୍ତୁ ପଛକେ, ନବ୍ୟବାବୁ ବିଳାସବ୍ୟସନର ସର୍ବୋତ୍ତମ ଉତ୍ସ କଲିକତା ବୋଲି ଯେତେ ବିଚାର କରନ୍ତୁ ପଛକେ, ବଙ୍ଗଦେଶର ସମକାଳର "ଭଦ୍ରଲୋକ" ସଂସ୍କୃତିକୁ ଯେତେ ଅନୁକରଣ କରୁଥାନ୍ତୁ ପଛକେ ସ୍ଥାନୀୟ ଭାବରେ ଓଡିଶାରେ ରହୁଥିବା କାରଣରୁ ସେମାନଙ୍କ ଉପରେ ଲାଗି ରହିଥିବା ବଙ୍ଗଭାଷାର ଏହିପରି ଏକ ସଂରକ୍ଷିତ ବର୍ଗୀକରଣ "ଷ୍ଟାଟସ୍" ର ଛାପ ସେମାନଙ୍କୁ ସବୁବେଳେ ଅସହଜ କରି ରଖୁଥିଲା । ଅତି ସରଳରେ କହିଲେ ମାନସିକ ଭାବରେ ଓଡିଆ ଏବଂ ଆବରଣରେ ବଙ୍ଗଭାଷୀ, ଏହିଭଳି ଗୋଟିଏ ଦ୍ୱନ୍ଦ୍ୱରୁ ସେମାନଙ୍କୁ ମୁକୁଳିବା ଆବଶ୍ୟକ ପଡୁଥିଲା । ବସ୍ତୁତଃ ଇଂରେଜ ପରେ ଆଉ ଗୋଟିଏ ଅର୍ଥାତ୍ ଦ୍ୱିତୀୟ ପ୍ରଭୁବର୍ଗ ଭଳି ପ୍ରଭାବ ବିସ୍ତାର କରିବାକୁ ଯାଉଥିବା ବର୍ଗକୁ ସେମାନେ ଚାହୁଁନଥିଲେ । ତେଣୁ ନିଜକୁ ବନ୍ଧନମୁକ୍ତ କରିବାର ଆଧାର ହିସାବରେ ସେମାନେ ବି ଓଡିଆ ଭାଷାର ଅସ୍ମିତାକୁ ଉତ୍ଥାପନ କରୁଥିଲେ । କହିବା କଥା ହେଉଛି ବଙ୍ଗଭାଷାର ଆଧିପତ୍ୟରୁ ମୁକ୍ତ ହେବାପାଇଁ ସ୍ଥାନୀୟ ଭାବରେ ଓଡିଶାରେ ଏକ ବିଚଳନ ତଳସ୍ତରରେ ଆରମ୍ଭ ହୋଇଯାଇଥିବା କାରଣରୁ ପଣ୍ଡିତ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ପ୍ରଭୃତିଙ୍କୁ ନିଜ ପକ୍ଷକୁ ଦୃଢ କରିବା ଅପରିହାର୍ଯ୍ୟ ହୋଇ ପଡିଥିଲା ।

ଏହା ସହିତ ଆମର ଆଉ ଗୋଟିଏ କଥା ମନେ ରଖିବା ଉଚିତ ଯେ କିଛି ଶିକ୍ଷିତ ବଙ୍ଗଭାଷୀ ଓଡିଆ ଭାଷାର ଅସ୍ମିତା ସଂପର୍କରେ ନିଜର ସ୍ପଷ୍ଟ ମତ ରଖୁଥିଲେ । ସେହିଭଳି ଜଣେ ନିରଳସ ଭାଷାକର୍ମୀ ହିସାବରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଅବଦାନ ସର୍ବସ୍ୱୀକୃତ । ନିଜେ ଜଣେ ବଙ୍ଗଭାଷୀ ହୋଇ ମଧ୍ୟ ସେ ନିଜର ସମସ୍ତ କର୍ମମୟ ଜୀବନ ଓଡିଆ ଭାଷା ତଥା ଓଡିଶା ଏକ ଭାଷାଦେଶ ହିସାବରେ ପ୍ରତିଷ୍ଠା ଲାଭ ନିମନ୍ତେ ଅହରହ ପ୍ରଚେଷ୍ଟା କରିଆସିଛନ୍ତି । ଓଡିଶା ଏକ ଭାଷାଦେଶ ହେବାର ପ୍ରାୟ ଦୁଇଦଶନ୍ଧି ପୂର୍ବରୁ ଗୌରୀଶଙ୍କରଙ୍କର ୧୯୧୭ରେ ବିୟୋଗ ଘଟିଥିଲା ସତ ମାତ୍ର ଏଥିପାଇଁ ତାଙ୍କର ଅବଦାନ ସର୍ବଦା ଆମର ସ୍ମରଣରେ ରହିବ । ଗୌରୀଶଙ୍କରଙ୍କ ପ୍ରତିଷ୍ଠିତ ସାପ୍ତାହିକ ସମାଚାର ପତ୍ରିକା "ଉତ୍କଳ ଦୀପିକା" (୧୮୬୬ ଖ୍ରୀଅ) କହିବାକୁ ଗଲେ ସମକାଳର ଓଡିଆମାନଙ୍କର ଅଭିବ୍ୟକ୍ତିର ସଂଭ୍ରମ ଓ ନିଷ୍ଠାପର ପରିପ୍ରକାଶର ମାଧ୍ୟମ ଥିଲା । ସେ ସମୟରେ କଟକରେ ଆଗରୁ ଉଲ୍ଲେଖ କରାଯାଇଥିବା "କଟକ ଡିବେଟିଂ ସୋସାଇଟି" ଭଳି ସମାଜର ଶିକ୍ଷିତବର୍ଗମାନଙ୍କ ମଧ୍ୟରେ ନିୟମିତ ବିଚାର ଗୋଷ୍ଠୀମାନ ଅନୁଷ୍ଠିତ ହେଉଥିଲା । ୧୮୨୯ରେ ରାଜା ରାମମୋହନ ରାୟ "ବ୍ରାହ୍ମ ସମାଜ"ର ପ୍ରତିଷ୍ଠା କରିଥିଲେ । ବ୍ରାହ୍ମ ସମାଜ ସେସମୟର ଉଚ୍ଚବର୍ଗର ଏକ ପ୍ରକାର ଧାର୍ମିକ, ସାଂସ୍କୃତିକ ବିଚାରମଂଚ ଥିଲା । ସେଇଠି ସମବେତ ସମସ୍ତେ ଧର୍ମତତ୍ତ୍ୱର ଗମ୍ଭୀର ଆଲୋଚନା କରିବା ସହିତ ସମାଜର ସ୍ଥିତାବସ୍ଥାର ବିଭିନ୍ନ ପକ୍ଷ ଉପରେ ଆଲୋଚନା କରୁଥିଲେ ଏବଂ ଏହି ସମସ୍ତ ଆଲୋଚନାର ନିଷ୍କର୍ଷ ହିସାବରେ ଯାହାକିଛି ସେମାନେ ନିର୍ଣ୍ଣୟ କରୁଥିଲେ ସେଥିରୁ କିଛି ଯଦି ନିରାକରଣ ସରକାରଙ୍କ ଦ୍ୱାରା ସମ୍ଭବ ହେବ ବୋଲି ସେମାନଙ୍କର ମନେହେଉଥିଲା ସେସବୁକୁ ସେମାନେ ଆବେଦନ ଆକାରରେ ଉପନିବେଶୀୟ ସରକାର ଆଗରେ ଉପସ୍ଥାପନ କରୁଥିଲେ । ୧୮୨୯ର ବ୍ରାହ୍ମ ସମାଜ ତତ୍କାଳୀନ ସମାଜରେ ଶିକ୍ଷିତ ତଥା ଅଭିଜାତ ବର୍ଗ ପାଇଁ ଏକ ସଂଭ୍ରାନ୍ତ ଧର୍ମଧାରା ଯେ ପ୍ରଚଳନ କରିପାରିଥିଲା, ଖାଲି ସେକଥା ନୁହଁ । ବ୍ରାହ୍ମ ସମାଜ ବି ନିଜର ସାମାଜିକ ଦୂରାବସ୍ଥାର ନିରାକରଣ ପାଇଁ ସରକାରଙ୍କୁ ଆବେଦନ ତଥା "ପେଟିସନିଙ୍ଗ" ପ୍ରକ୍ରିୟା ସହ ପରିଚିତ କରାଇଥିଲା । ଏବଂ ଏଠାରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଅନ୍ୟପକ୍ଷରେ ଉପନିବେଶୀୟ ସରକାର ମଧ୍ୟ ଏହିଭଳି ଆସୁଥିବା ଆବେଦନମାନଙ୍କୁ ଗଂଭୀରତାର ସହ ବିଚାରକୁ ନେଉଥିଲା ।

ବ୍ରାହ୍ମ ସମାଜ କଥା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ତାହା ପରେ ଭାରତବର୍ଷର ସର୍ବତ୍ର ଭିନ୍ନ ଭିନ୍ନ ବିଚାରଗୋଷ୍ଠୀମାନ ତାହାର ଆଧାରରେ ଗଢା ହେବାରେ ଲାଗିଲା । କଟକ ଡିବେଟିଙ୍ଗ ସୋସାଇଟି, ଉତ୍କଳ ସଭା, ଉତ୍କଳ ଭାଷୋଦ୍ଦୀପନ ସଭା ଆଦି ସେଇଭଳି କିଛି ବିଚାର ଗୋଷ୍ଠୀମାନ କଟକରେ ନିୟମିତ ଅନୁଷ୍ଠିତ ହେଉଥିଲା । ଯଦି କେହି ଆବଶ୍ୟକ ମନେକରୁଥିଲେ ତେବେ ଏହିଭଳି ସଭାର ନିଷ୍କର୍ଷକୁ ଆବେଦନ ଆକାରରେ ଉପନିବେଶୀୟ ସରକାର ସାମ୍ନାରେ ଉପସ୍ଥାପନ କରୁଥିଲେ । ସରକାର ସାମ୍ନାରେ ଆବେଦନ କରିବା ଅପେକ୍ଷା ଏହି ସବୁ ବିଚାର ଗୋଷ୍ଠୀର ପୂର୍ଣ୍ଣାଙ୍ଗ ବିବରଣୀ ଏବଂ ତାହାର କ୍ରିୟା ପ୍ରତିକ୍ରିୟାମାନ ବିସ୍ତାରରେ ସେସମୟର ସମାଚାର ପତ୍ର ଉତ୍କଳ ଦୀପିକା, ବାଲେଶ୍ୱର ସମ୍ବାଦ ବାହିକା ତଥା ସମ୍ବଲପୁର ହିତୈଷଣୀ ଆଦିରେ ପ୍ରକାଶ ପାଉଥିଲା । ସମାଚାର ପତ୍ରମାନଙ୍କରେ ଏହିଭଳି ପ୍ରସଂଗଭିତ୍ତିକ ସମାଚାର ବୃତ୍ତାନ୍ତମାନ ନିୟମିତ ପ୍ରକାଶିତ ହେଉଥିବା କାରଣରୁ ତାହା ଓଡିଶାର ଶିକ୍ଷିତ ବର୍ଗଙ୍କୁ ସେହି ପ୍ରସଂଗ ସଂପର୍କରେ ସଚେତନ କରାଉଥିଲା । ଓଡିଶାକୁ ଏକ ଭାଷାଦେଶ ହିସାବରେ ଗଢିତୋଳିବା ପଛରେ ଏହି ସମସ୍ତ ସମାଚାର ପତ୍ରର ସଦର୍ଥକ ଭୂମିକା ରହିଅଛି । ଗୌରୀଶଙ୍କର ସମସାମୟିକ ଓଡିଶା ବିଷୟରେ ଚର୍ଚ୍ଚା କରିବାପାଇଁ ନିୟମିତ ଭାବରେ "ଉତ୍କଳ ସଭା" ର ଆୟୋଜନମାନ କରୁଥିଲେ । ଗୌରୀଶଙ୍କରଙ୍କର ଏହିଭଳି ଅନୁଷ୍ଠାନ ଫଳରେ ଆଉ ଯାହାହେଉନା କାହିଁକି ଅନେକ ବଙ୍ଗଭାଷୀ ବି ଭାଷା ପ୍ରସଂଗରେ ଅନେକ ପରିମାଣରେ ଉଦାର ହୋଇଯାଇଥିଲେ । ଆଗରୁ ବାବୁ ଉମାଚରଣ ହାଲଦାର୍ ଓଡିଆ ଭାଷାକୁ ଦେବନାଗରୀରେ ଲେଖାଯିବା ସଂପର୍କରେ ଅଭିମତ ପୋଷଣ କରିଥିବା କଥା କୁହାଯାଇଛି ।

ବାବୁ ଉମାଚରଣ ହାଲଦାର ଓଡିଆ ଭାଷାର ବିଲୋପ ପାଇଁ କେଉଁଠି ମତ ପ୍ରକାଶ କରିନାହାଁନ୍ତି ବରଂ ଏହି ଭାଷା ପାଇଁ ଦେବନାଗରୀ ଲିପିର ପ୍ରଚଳନ କଥା କହିଛନ୍ତି । ଗୌରୀଶଙ୍କରଙ୍କ ଭଳି ଅନେକେ ସେତେବେଳେ "ଗୋଟିଏ ଭାରତବର୍ଷ ଏବଂ ଗୋଟିଏ ଲିପି" ଭଳି ଅଭିମତ ଦୃଢ ଭାବରେ ପୋଷଣ କରୁଥିଲେ । ସେଇଠି କୌଣସି ଗୋଟିଏ ଭାଷାକୁ ଅସ୍ୱୀକାର କରିବାର କଥା ନଥିଲା । ଠିକ୍ ସେହିଭଳି ୧୯ ମେ ୧୮୬୭ ଦିନ କଟକଠାରେ ଆୟୋଜିତ "ଉତ୍କଳ ଭାଷୋଦ୍ଦୀପନ ସଭା"ରେ ନିଜର ବକ୍ତବ୍ୟ ପ୍ରଦାନ କରି ଆଉ ଜଣେ ବଙ୍ଗଭାଷୀ ବିଦ୍ୱାନ ବାବୁ ରଙ୍ଗଲାଲ ବନ୍ଦୋପାଧ୍ୟାୟ ବଙ୍ଗଭାଷା ଏବଂ ଓଡିଆଭାଷା ସମାନ ପ୍ରକାରର ଭାଷା ବୋଲି ମତ ରଖିଥିଲେ । ଉଭୟ ଭାଷା ଭିତରେ ସେମିତି କିଛି ପାର୍ଥକ୍ୟ ନାହିଁ ବୋଲି ସେ ଅଭିମତ ପ୍ରକାଶ କରିଥିଲେ । ଏହା ସହିତ ତାଙ୍କର ଆଉ ଗୋଟିଏ ଅଭିମତ ସେସମୟରେ ବିଶେଷ ଚର୍ଚ୍ଚାରେ ଥିଲା । ତାଙ୍କର କହିବା କଥା ଥିଲା, ଅପେକ୍ଷାକୃତ ଭାବରେ ଦୀର୍ଘ କାଳ ଧରି ଯବନ ଶାସନରେ ରହିଥିବା ସତ୍ତ୍ୱେ ବଙ୍ଗଭାଷା ସେଇମାତ୍ରାରେ ଯାବନିକ ଭାଷାରେ ପ୍ରଭାବିତ ହୋଇନାହିଁ, ଅନ୍ୟପକ୍ଷରେ ଓଡିଆଭାଷା ଅଧିକ ପରିମାଣରେ ଯାବନିକ ଭାଷା ଦ୍ୱାରା ଆକ୍ରାନ୍ତ ହୋଇଅଛି । ବାବୁ ରଙ୍ଗଲାଲ ବନ୍ଦୋପାଧ୍ୟାୟ ଏଇଠି ଓଡିଆ ଭାଷାର ଅସ୍ମିତାକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହାଁନ୍ତି ବରଂ ସେ ଓଡିଆ ଭାଷାର ଶୁଦ୍ଧତା ସଂପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ସେ ଓଡିଆ ଭାଷାର ଶବ୍ଦ ଆଉ ଭାବକୁ ବୁଝିବା ପାଇଁ କବି ସମ୍ରାଟ ଉପେନ୍ଦ୍ରଭଂଜଙ୍କ ଲେଖା ସବୁ ଛପା ହୋଇ ସର୍ବସମକ୍ଷକୁ ଆସିବା ଆବଶ୍ୟକ ବୋଲି ବିଚାର ରଖିଛନ୍ତି । ବାବୁ ରଙ୍ଗଲାଲଙ୍କ ଏହିଭଳି ବକ୍ତବ୍ୟରେ ପଣ୍ଡିତ କାନ୍ତିଲାଲଙ୍କର ଓଡିଆ ଭାଷାକୁ ନେଇ ଅସହଣି ପଣ ନାହିଁ ଆଉ କିଛି ବଙ୍ଗଭାଷୀଙ୍କ କ୍ରମଶଃ ଓଡିଆ ଭାଷା ପ୍ରତି ଉଦାର ମନୋଭାବକୁ ସହଜରେ ଗ୍ରହଣ କରିପାରୁନଥିବା କାରଣରୁ "ଉଡିୟା ଏକଟା ସ୍ୱତନ୍ତ୍ର ଭାଷା ନୟ" ଭଳି ରଚନାର ସୃଷ୍ଟି ହୁଏତ ।

୧୮୭୦ ସାଲର ଏପ୍ରିଲ ସଂଖ୍ୟାର "ଉତ୍କଳ ଦୀପିକା"ରେ ପଣ୍ଡିତ କାନ୍ତିଲାଲଙ୍କ ବକ୍ତବ୍ୟର ସବିଶେଷ ବିରୋଧ କରାଯାଇଥିଲା । ଏବଂ କ୍ରମଶଃ ପଣ୍ଡିତ କାନ୍ତିଲାଲଙ୍କ ବକ୍ତବ୍ୟର ସେପରି କୌଣସି ଗୁରୁତ୍ୱ ରହିଲା ନାହିଁ ।

ଓଡିଶା ଏକ ଭାଷାଦେଶ ଆକାରରେ ପ୍ରତିଷ୍ଠିତ ହେବା ପଛରେ ବଂଗଭାଷୀ କର୍ମଚାରୀଙ୍କ ବିରୁଦ୍ଧରେ ଅବିରତ ସଂଘର୍ଷ କରିଥିବା ଓଡିଆଭାଷୀ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଗ୍ରଣୀ ଭୂମିକା ରହିଛି । ୧୮୬୬ ମସିହାର ଭୟାବହ ନଅଙ୍କ ଦୁର୍ଭିକ୍ଷ ପରେ ଉପନିବେଶୀୟ ଶାସନ ତାହାର ଶାସନଗତ ବିଫଳତାକୁ ତର୍ଜମା କରିବାକୁ ବାଧ୍ୟ ହୋଇଛି । ଏକଥା ଉଲ୍ଲେଖଯୋଗ୍ୟ ଯେ ଭାରତରେ ଶାସନ କରିବାର ଔଚିତ୍ୟବୋଧ ବା "ରେସନାଲେ" ହିସାବରେ ଉପନିବେଶୀୟ ସରକାର ସବୁବେଳେ କହି ଆସିଛି ଯେ ସେମାନେ ଭାରତକୁ ସଭ୍ୟକରଣ - ଅଭିଯାନରେ ଆସିଛନ୍ତି । ଭାରତବର୍ଷକୁ ନିଜର ଶାସନ ପ୍ରଣାଳୀରେ ସଭ୍ୟ କରିଦେଲାପରେ ସେମାନେ ଏଠାରୁ ଚାଲିଯିବେ ।

୧୮୬୬ର ନଅଙ୍କ ଦୁର୍ଭିକ୍ଷ ତାଙ୍କର ସମସ୍ତ ଖାଦ୍ୟଯୋଗାଣ ନୀତିର ବିଫଳତାକୁ ପରିପ୍ରକାଶ କରିବା ସହିତ ତାଙ୍କର ଶାସନ ସଂପର୍କିତ ବଖାଣ ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଇଥିଲା । ସେଇଥିପାଇଁ ନଅଙ୍କ ଦୁର୍ଭିକ୍ଷ ପରେ ଉପନିବେଶୀୟ ସରକାର ଶାସନ ଦୃଷ୍ଟିରୁ ଏକପ୍ରକାରେ ହାଇପରଆକ୍ଟିଭ୍ ହୋଇ ଉଠିଥିଲା । ଅନ୍ୟ ପ୍ରସଙ୍ଗ ନୁହଁ, ଏଇଠି କୁହାଯାଇପାରେ ଯେ ନଅଙ୍କ ଦୁର୍ଭିକ୍ଷ ପରେ ଛାପାଖାନାର ବିକାଶ ହେବା ପରେ ସମାଚାର ପତ୍ର ଆସିଲା ଏବଂ ପିଲାଙ୍କର ପଢିବା ପାଇଁ ପାଠ୍ୟପୁସ୍ତକ ବହୁଳ ମାତ୍ରାରେ ଛାପାହେବାରେ ଲାଗିଲା । ଓଡିଶା ଏକ ଭାଷାଦେଶ ହେବା ପଛରେ ଏଇ ଦୁଇଟି ଅର୍ଥାତ୍ ସମାଚାର ପତ୍ର ଓ ପାଠ୍ୟପୁସ୍ତକର ଅବଦାନ ସର୍ବାଗ୍ରେ ରହିବ ।

ସମାଚାର ପତ୍ର ପ୍ରକାଶିତ ହେବା ପୂର୍ବରୁ ସର୍ବସାଧାରଣଙ୍କ ପରିସ୍ଥିତିକୁ ଅଭିବ୍ୟକ୍ତି ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ନଥିଲା । ଯଦିଓ ଏହି ସବୁ ସମାଚାର ପତ୍ର ଓଡିଶାର ଆଦ୍ୟକାଳର ସମାଚାର ପତ୍ର ତଥାପି ଏମାନେ ସମକାଳୀନ ସମାଜର ସ୍ଥିତାବସ୍ଥାକୁ କିଛି ପରିମାଣରେ ଉପସ୍ଥାପନ କରିପାରୁଥିଲେ । ଗୌରୀଶଙ୍କର ଉତ୍କଳ ଦୀପିକାରେ ଓଡିଶାରେ ଓଡିଆ ଭାଷାର ସମସ୍ୟାକୁ "ତିନିଥେଣ୍ଟିଆ କାକୁଡିବାଡି" ବୋଲି ଉଲ୍ଲେଖ କରିଥିଲେ । ଓଡିଆ ଭାଷା ଭଳି ଏକ କାକୁଡି ବାଡିରେ ବଙ୍ଗଭାଷା, ତେଲୁଗୁ ଭାଷା ଏବଂ ହିନ୍ଦି ଭାଷା, ଏହିଭଳି ତିନୋଟି ଶକ୍ତି ନିଜର ଥଣ୍ଟ ମାରି ଚାଲିଛନ୍ତି । କ୍ରମଶଃ ଉତ୍କଳ ଦୀପିକାକୁ କେନ୍ଦ୍ରକରି ଓଡିଆ ଭାଷା ସପକ୍ଷରେ ଏକ ଶିକ୍ଷିତ ଓଡିଆ ଅଗ୍ରଣୀ ବର୍ଗ ଗଢି ଉଠିଥିଲା ଯେଉଁମାନେ ଓଡିଆ ଭାଷାର ଆଧାରରେ ଏକ ଦେଶ ଗଠନ କଥା କହିବାକୁ ଆରମ୍ଭ କଲେ ଏବଂ ଓଡିଶାରେ ସର୍ବତ୍ର ଏହି ସମସ୍ୟାକୁ ବୁଝାଇବାକୁ ଲାଗିଲେ । ଉତ୍କଳ ସଭା ଭଳି ଭିନ୍ନ ଭିନ୍ନ ବିଚାର ସଂଗୋଷ୍ଠୀମାନ ଆୟୋଜନ କରାଯାଇ ତାହାର ନିଷ୍କର୍ଷକୁ ଆବେଦନ ଆକାରରେ ଉପନିବେଶୀୟ ସରକାର ଆଗରେ ଉପସ୍ଥାପନ କରାଗଲା ।

୧୭ ନଭେମ୍ବର ୧୮୮୮ରେ ବଙ୍ଗଳାର ବଡଲାଟଙ୍କ ଆଗମନ ଉଦ୍ଦେଶ୍ୟରେ କଟକରେ ଗୋଟିଏ ଦରବାର ବସିଥିଲା । ଏହି ଦରବାରରେ ଓଡିଆ ଭାଷାଭାଷୀଙ୍କୁ ଏକତ୍ରୀକରଣ କରି ଗୋଟିଏ ଭାଷାଦେଶ ଗଠନ କରିବାକୁ ଗୋଟିଏ ପ୍ରସ୍ତାବ "ଉତ୍କଳ ସଭା" ତରଫରୁ ପ୍ରଦାନ କରାଯାଇଥିଲା । ଉତ୍କଳ ଦୀପିକାରେ ଗୌରୀଶଙ୍କର "ଓଡିଆମାନଙ୍କର ସ୍ଥାନାନ୍ତର" ଶୀର୍ଷକରେ ସଂପାଦକୀୟ ଲେଖୁଥିଲେ । ଏଥିରେ ଓଡିଆଭାଷୀମାନଙ୍କର ସମସ୍ୟା କଥା ବାରଂବାର ଉପସ୍ଥାପନା କରାଯାଉଥିଲା । ୧୮୯୫ରେ ଗୋଟିଏ ପ୍ରତିନିଧିମଣ୍ଡଳକୁ ଇଂଲଣ୍ଡ ପଠାଯାଇ ସେଠାରେ ପାର୍ଲିଆମେଣ୍ଟ ତଥା ଅନ୍ୟାନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଓଡିଆ ଭାଷାର ଏକତ୍ରୀକରଣ ବିଷୟ ଅବଗତ କରାଇବା ପାଇଁ ନିଷ୍ପତ୍ତି କରାଯାଇଥିଲା । ସେଇ ଉଦ୍ଦେଶ୍ୟ ସେଇ ସଭାରେ ଏକ ହଜାର ଟଙ୍କା ଚାନ୍ଦା ଆକାରରେ ସଂଗୃହିତ ହୋଇଥିଲା । ଏବଂ ଏହି ଅଗ୍ରଣୀ ଓଡିଆ ଭାଷା କର୍ମୀଙ୍କ ପରବର୍ତ୍ତୀ ପଦକ୍ଷେପ ଥିଲା "ଉତ୍କଳ ସମ୍ମିଳନୀ "ର ଗଠନ । ୨୫ ଅକ୍ଟୋବର୍ ୧୯୦୩ରେ ୬୨ ଜଣ ସଦସ୍ୟଙ୍କୁ ନେଇ କଟକର ଇଦଗା ପଡିଆରେ କୁଳବୃଦ୍ଧ ମଧୁସୁଦନ ଦାସଙ୍କ ନେତୃତ୍ୱରେ ଏହା ଗଢା ହୋଇଥିଲା । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡିଶାକୁ ଏକ ଭାଷାଦେଶ ହିସାବରେ ଗଠନ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବୀ ଯଥାଯଥ ଭାବରେ ଉପସ୍ଥାପନ କରିବା । ଏହା ଭିତରେ ଓଡିଶାର ଶିକ୍ଷିତ ବର୍ଗ ପିଲାଙ୍କ ପଢିବା ପାଇଁ ମୌଳିକ ହେଉ କି ହେଉ ପାଠ୍ୟପୁସ୍ତକ ରଚନା କରିଚାଲିଥିଲେ ।

ଏଇଠି ଆମ ସ୍ମରଣରେ ଆଉ ଗୋଟିଏ ତଥ୍ୟ ରହିବା ଆବଶ୍ୟକ । ୧୮୬୮ରେ ସାର୍ ଷ୍ଟାଫୋର୍ଡ ନର୍ଥକୋଟ୍ ସର୍ବ ପ୍ରଥମେ ବଙ୍ଗଳା ଭାଷାଠାରୁ ଓଡିଆ ଭାଷାକୁ ମୁକ୍ତ କରିବା କଥା ବ୍ରିଟିଶ ପାର୍ଲିଆମେଣ୍ଟରେ କହିଥିଲେ । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଶାସନ ସଂସ୍କାର ସଂପର୍କରେ ଏହା ତାଙ୍କର ଅଭିମତ ଥିଲା । ପରେ ସାର୍ ଷ୍ଟାଫୋର୍ଡ ନର୍ଥକୋଟ୍ ଲର୍ଡ ଏକ୍ସଚେକର ହେଲେ । ଏବଂ ଓଡିଆ ଭାଷାକୁ ନେଇ ଭାଷାଦେଶ ଗଠନ କରିବାର ଅଭିଳାଷ ରଖିଥିବା ଆଗୁଆ ଭାଷାକର୍ମୀମାନେ ଭଲ ଭାବରେ ଜାଣିଥିଲେ ଯେ ଓଡିଶାକୁ ଏକ ଭାଷାଦେଶ ଆକାରରେ ବାସ୍ତବାୟିତ କରିବାପାଇଁ ସର୍ବୋଚ୍ଚ ସ୍ତରରେ ଇଂଲଣ୍ଡରେ ସାର୍ ଷ୍ଟାଫୋର୍ଡ ନର୍ଥକୋଟ୍ ଆକାରରେ ଗୋଟିଏ ବିଶ୍ୱସ୍ତ ସମର୍ଥନ ରହିଛି । ତଥାପି ଘଟଣା ୧୯୩୬ ଯାଏଁ ଗଡିଗଲା ।

ତିନିଥେଣ୍ଟିଆ କାକୁଡିବାଡିର ଆଉ ଦୁଇ ଥଣ୍ଟ କଥା ଆର ଥରକୁ ।

ଓଡିଶା: ଏକ ଭାଷାଦେଶ ତଥା ତିନୋଟି ମୁକାବିଲାର କଥା

Report an Error