କୁମ୍ଭୀରର ପାଠପଢା

ପିଲାଙ୍କ ପା‌ଇଁ ଗପ, ଯହିଁରେ କୁମ୍ଭୀର ସ୍କୁଲକୁ ଯାଏ ।


କୁମ୍ଭୀରଟିଏ ଭାରି ଖୁସିରେ ଗୀତ ଗାଇ, ସେ ତା' ଜୀବନକୁ ଆରାମରେ କାଟୁଥାଏ । ନଦୀରେ ରହୁଥାଏ । ଇଚ୍ଛାହେଲେ ନଦୀ ବାଲିରେ ଛତାଟିଏ ପୋତିଦେଇ, ସନ୍ ଗ୍ଲାସେସ୍ ପିନ୍ଧି ଆକାଶକୁ ଚାହିଁ ରହେ । ଉଡୁଥିବା ଚଢେଇମାନଙ୍କୁ ଦେଖେ । ନଦୀକୁ ଦେଖି ଭାବେ ୟେ କଣ, ନଦୀ ଏମିତି ବହି ଚାଲିଥିବ ? ଏ ନଦୀର ଆରମ୍ଭ କୋଉଠି ? ଶେଷ କ'ଣ ନଦୀର ଥାଏ ।

କୁମ୍ଭୀର ପାଠ ପଢିଲା ନାହିଁ । ସ୍କୁଲ ଗଲା ନାହିଁ । କିନ୍ତୁ ଅନେକ କଥା ତା' ମନରେ ଚାଲେ । ସମସ୍ତେ ଛୋଟରୁ ବଡ କେମିତି ହୁଅନ୍ତି । କାହିଁକି ହୁଅନ୍ତି । ନଦୀରେ ପାଣି କୋଉଠୁ ଆସେ, ଏମିତି ବହୁତ ପ୍ରଶ୍ନର ଉତ୍ତର ତାକୁ ମିଳେନା‌ ।

ତେଣୁ ସେ, ସ୍କୁଲର ପ୍ରଧାନ ଶିକ୍ଷକଙ୍କ ପାଖକୁ ଗଲା ଏହିସବୁ ପଚାରିବା ପାଇଁ । ସେ କହିଲେ, ଏହି ସବୁର ଉତ୍ତର ବହିରୁ ମିଳେ । ଏବେଠୁ ପାଠ ପଢିବା ଆରମ୍ଭ କର ।

କୁମ୍ଭୀର ସ୍କୁଲ ଯିବାକୁ ଉଚ୍ଛନ ହେଲା । ସିଲଟ, ଖଡି ଧରି ଗଲା, ପାଠ ପଢିବାକୁ । ସ୍କୁଲରେ ପହଞ୍ଚି ମନ ମରିଗଲା ବିଚରାର । ଏତେ କୁନି କୁନି ଛୁଆ କୁମ୍ଭୀରଙ୍କ ସାଥିରେ ସେ କ'ଣ ପଢିବ ? ସ୍କୁଲରେ କେହି ତା' ସାଥିରେ କଥା ହେଲେନି ।

ତାକୁ ଦେଖି ହସିଲେ, ଆଉ କେହି କେହି ତା ଆକାର ଦେଖି ଡରିଲେ ।

କାନ୍ଦ କାନ୍ଦ ହେଇ ଗୋଟିଏ କାେଣରେ ବସିଥାଏ କୁମ୍ଭୀର । ତା ଇଚ୍ଛା ଶିକ୍ଷକଙ୍କୁ ପ୍ରଶ୍ନ ପଚାରନ୍ତା । ଏମିତି କାହଁକି, କେମିତି, କେବେ । ବହୁତ ପ୍ରଶ୍ନ । ଉତ୍ତର ପାଇବା ପାଇଁ ତ' ସେ ସ୍କୁଲକୁ ଆସିବାକୁ ଚାହିଁଲା । ହେଲେ ଏଇ ଯୋଉ ପଣିକିଆ ଘୋଷା, କାରଣ ନଜାଣି ପାଠ ତାକୁ ବା କାହିଁକି ଖୁସି ଦେବ ।

ସେ ଆଉ ସ୍କୁଲ ଆସିଲା ନାହିଁ । କେହି ପଚାରିଲେ ବି ନାହିଁ ଯେ ସେ କାହିଁକି ସ୍କୁଲ ଯାଉନି । ତା'ର ତ କେହି ସାଙ୍ଗ ନ ଥିଲେ । କିନ୍ତୁ କୁମ୍ଭୀର ଭାରି ଉଦାସ ରହିବାରେ ଲାଗିଲା । ଘରେ ମନ ମାରି ଗୁମ୍ ହେଇ ରହିଲା ।

ପ୍ରଧାନ ଶିକ୍ଷକ ଥରେ କ୍ଲାସ୍ ବୁଲିବା ପାଇଁ ଆସିଲେ ।

ସେ ଶ୍ରେଣୀ ଶିକ୍ଷକଙ୍କୁ କୁମ୍ଭୀର କଥା ପଚାରିଲେ । ଶ୍ରେଣୀ ଶିକ୍ଷକ କହିଲେ ଯେ ଏଇ କିଛିଦିନ ସେ କାହଁକି କେଜାଣି ଆସୁନି । କିଛିଦିନ ପାଇଁ ଆସିଥିଲା । ଅତି ଚୁପଚାପ ରହୁଥିଲା । କାହା ସାଥିରେ କଥା ବି ହୁଏନି ।

ପ୍ରଧାନ ଶିକ୍ଷକ ପିଲାଙ୍କୁ ପଚାରିଲେ, ନୂଆ ସାଙ୍ଗ କଥା ।

ପିଲେ କହିଲେ ସେମାନେ ତା ନାଁ ବି' ଜାଣନ୍ତି ନାହିଁ । କେହି କେହି କହିଲେ ସେ ବହୁତ ବଡ ତେଣୁ ତାଙ୍କୁ ଡର ମାଡୁଛି ।

ସେଦିନ ସନ୍ଧ୍ୟାବେଳେ କୁମ୍ଭୀର ଘରକୁ ପ୍ରଧାନ ଶିକ୍ଷକ ବୁଲିବା ପାଇଁ ଗଲେ । ଦେଖିଲେ କୁମ୍ଭୀର ମୁହଁ ଶୁଖାଇ ବସିଚି । ଦୁନିଆର ଅନେକ ଜ୍ଞାନ ଓ କୌଶଳ କଥା ତା' ସାଥିରେ ଗପିଲେ । ଦେଖିଲେ ତା' ମୁଁହ ଉଜ୍ଜ୍ବଳ ଦିଶିଲା । ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସ୍କୁଲ ପୁଣି ଆରମ୍ଭ କରିବା ପାଇଁ କହି ଫେରିଗଲେ ପ୍ରଧାନ ଶିକ୍ଷକ ।

କୁମ୍ଭୀର ପ୍ରଧାନ ଶିକ୍ଷକ କହିଥିବା ଦିନ ସ୍କୁଲରେ ଯାଇ ହାଜର ହେଲା । ତା'ରି କ୍ଲାସର ଛୋଟ ଛୁଆଟିଏ ଫୁଲତୋଡା ଦେଇ ତା'କୁ ସ୍ବାଗତ କଲା । କୁମ୍ଭୀରକୁ ଭାରି ଭଲ ଲାଗିଲା । ପ୍ରଧାନ ଶିକ୍ଷକ ପ୍ରାର୍ଥନା ସଭାରେ ଏତେ ବଡ ହେବା ପରେ ମଧ୍ଯ କେମିତି ପାଠ ପଢିବାର ପ୍ରବଳ ଇଚ୍ଛାଶକ୍ତି କୁମ୍ଭୀରକୁ ସ୍କୁଲକୁ ଆଣିଛି, ସେ ବିଷୟରେ ଉଚ୍ଚ ସ୍ବରରେ ସୁନ୍ଦର ଓ ସାବଲୀଳ ଭାଷାରେ କହିଲେ । ସମସ୍ତେ ତାଳି ସହିତ ସ୍ବାଗତ କଲେ ।

କୁମ୍ଭୀରର ଖୁସି କହିଲେ ନସରେ । ଶ୍ରେଣୀ ଶିକ୍ଷକ କହିଲେ, କୁମ୍ଭୀର ତ ଏତେ ଚୁପ୍ ରହୁଥାଏ, ଏବେ ତ' ଭାରି ଖୁସି ?

ପ୍ରଧାନ ଶିକ୍ଷକ କହିଲେ, ଶିକ୍ଷକର କାମ ହେଲା କେବଳ ପାଠ ପଢାଇବା ନୁହଁ, ପାଠ ପଢିବା ପାଇଁ ଇଚ୍ଛାକୁ ଜାଗ୍ରତ କରାଇବା । ମାଟିରେ ମଞ୍ଜି ପୋତିଦେଲେ କ'ଣ କାମ ସରିଯାଏ ? ପାଣି, ଖତ ପୁଣି କେତେ କାମ ଅଛିକି ନାହିଁ ?

Report an Error