କମିକ୍ ଛବିର ଯାଦୁଗର

କିମ୍ ଜଙ୍ଗ ଜି'ଙ୍କ ଦେହାନ୍ତ ଖୁବ୍ ଦୁଃଖଦ ଖବର । ଖୁବ୍ କମ୍ ବୟସରୁ ସେ ସାରା ବିଶ୍ୱରେ ବେଶ ଲୋକପ୍ରିୟ ହୋଇସାରିଥିଲେ । କମିକ୍ ଚିତ୍ର ଓ ଅଳଂକରଣ ସହ ସାମାନ୍ୟ ସମ୍ପର୍କ ରଖିଥିବା ଯେ କୌଣସି ଚିତ୍ରଶିଳ୍ପୀ ତାଙ୍କୁ ଜାଣନ୍ତି ।


ଫଟୋ - ୱିକିମିଡିଆ

କୋରିଆନ ଚିତ୍ରଶିଳ୍ପୀ କିମ୍ ଜଙ୍ଗ ଜି'ଙ୍କର ଏଇ ଗଲା ୩ ଅକ୍ଟୋବରରେ ହୃଦଘାତରେ ମାତ୍ର ୪୭ ବର୍ଷ ବୟସରେ ପ୍ୟାରିସ୍ ଠାରେ ଦେହାନ୍ତ ହେଇଯାଇଛି । ଖବର ଅନୁସାରେ ସେ ନ୍ଯୁୟର୍କ ଯିବା ପାଇଁ ବିମାନବନ୍ଦରକୁ ଯିବା ରାସ୍ତାରେ ଛାତିରେ କଷ୍ଟ ଅନୁଭବ କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ଅଳ୍ପ ସମୟ ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କରୋନା ମହାମାରୀ ପରେ ପରେ ସାରା ବିଶ୍ୱରେ ଏଇ ହୃଦଘାତ୍ ଜନିତ ମୃତ୍ୟୁର ହାର ଢେର ବଢିଯାଇଛି । ହୃଦଘାତର ବେଶୀ ଶିକାର ପୁଣି ହେଉଛନ୍ତି ଯୁବପିଢି । ଯଦିଓ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୀରବ ଅଛି ।

କିମ୍ ଜଙ୍ଗ ଜି'ଙ୍କ ଦେହାନ୍ତ ଖୁବ୍ ଦୁଃଖଦ ଖବର । ଖୁବ୍ କମ୍ ବୟସରୁ ସେ ସାରା ବିଶ୍ୱରେ ବେଶ ଲୋକପ୍ରିୟ ହୋଇସାରିଥିଲେ । କିମ୍ ଜଙ୍ଗ ବ୍ୟକ୍ତିଗତ ଭାବରେ ମୋର ଅନ୍ୟତମ ପ୍ରିୟ ଚିତ୍ରଶିଳ୍ପୀ ଥିଲେ । କମିକ୍ ଚିତ୍ର ଓ ଅଳଂକରଣ ସହ ସାମାନ୍ୟ ସମ୍ପର୍କ ରଖିଥିବା ଯେ କୌଣସି ଚିତ୍ରଶିଳ୍ପୀ ତାଙ୍କୁ ଜାଣନ୍ତି । ମୁଁ ମଝିରେ ମଝିରେ ବହିର ପ୍ରଚ୍ଛଦ ଓ ଅଳଂକରଣ କରୁଥିବାରୁ ବିଶ୍ୱର କିଛି ନାମକରା ଅଳଂକରଣ କରୁଥିବା ଚିତ୍ରଶିଳ୍ପୀଙ୍କ ବିଷୟରେ ଖବର ରଖେ । କିମ୍ ଜଙ୍ଗ ଚିତ୍ର ଆଙ୍କୁଥିବା ସମୟର ଅନେକ ଭିଡିଓ ୟୁଟ୍ୟବ୍ ରେ ଅଛି । ସେସବୁ ଭିଡିଓ ଯେ କେହିବି ଦେଖିବ, ସେ ତାଙ୍କ ଚିତ୍ର ଅଙ୍କା ଶୈଳୀର ପ୍ରେମରେ ନିଶ୍ଚୟ ପଡିଯିବ । ମଣିଷ, ଟ୍ୟାଙ୍କ୍, ଛୋଟ ବଡ଼ ଘର ବାଡି, ବିଭିନ୍ନ ପ୍ରକାରର ଗାଡି, ମଟର ସାଇକେଲ୍, ପଶୁ ପକ୍ଷୀ, ସୁପର୍ ହିରୋ ଓ ଆହୁରି କେତେ କ'ଣ । ମହାକାବ୍ୟର ପୃଷ୍ଠା ପରି ତାଙ୍କ ଛବି । ଯେତେ ମନ ଦେଇ ଦେଖିଲେ ତଥାପି କିଛି ବାକି ରହିଯାଉଥାଏ । ଛବି ପାଖକୁ ଆଉ ଗୋଟେ ଛବି ତା' ପାଖକୁ ଆଉ ଗୋଟେ କରି ପୂରା ଜାଗାକୁ ଏକଦମ୍ ଖୁନ୍ଦି ଦେଇଥାନ୍ତି ସେ । ତାଙ୍କ ଛବି ଦେଖିଲେ ଇମେଜ୍ ର ଜଂଗଲରେ ପଶିଯିବା ପରି ପ୍ରତେ ହୁଏ ।

କିମ୍ ଜଙ୍ଗ ଜି' ୭ ଫେବୃଆରୀ ୧୯୭୫ରେ ସାଉଥ୍ କୋରିଆର ସିଓଲ୍ ସହରର ଏକ ତଳିଆ ଅଞ୍ଚଳରେ ଜନ୍ମ ହୋଇଥିଲେ । ପିଲାଦିନରୁ ତାଙ୍କର ଚିତ୍ର କରିବାରେ ବଡ଼ ଆଗ୍ରହ ରହିଥିଲା । ସେ ଚିତ୍ର ଶିକ୍ଷା କରିବାକୁ ୧୯ ବର୍ଷ ବୟସରେ କଳା ବିଦ୍ୟାଳୟରେ ଯୋଗ ଦେଇଥିଲେ ଓ ପରେ ତିନିବର୍ଷ ପାଇଁ ବୁସାନ୍ ର ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ । ତାପରେ କିଛିଦିନ ଦେଶର ନିୟମ ଅନୁସାରେ ସେ ଦୁଇବର୍ଷ ରିପବ୍ଲିକ୍ ଅଫ୍ କୋରିଆନ୍ ଆର୍ମିର ସ୍ପେଶାଲ୍ ଫୋର୍ସ ୟୁନିଟରେ କାମ କରିଥିଲେ । ଆର୍ମିରେ କାମ କରୁଥିବାବେଳେ ସେ ଯେଉଁ ବିପୁଳ ଅନୁଭୂତି ସାଉଁଟିଥିଲେ ଓ ଭିଜୁଆଲ୍ ମେମୋରୀକୁ ଆପଣା ସ୍ମୃତିରେ ସଂରକ୍ଷଣ କରିଥିଲେ ତାହା ପରବର୍ତ୍ତୀ ସମୟରେ ତାଙ୍କ ଚିତ୍ରକୁ ବହୁଳ ଭାବରେ ପ୍ରଭାବିତ ଓ ସହଯୋଗ କରିଥିଲା । ବିଭିନ୍ନ ଅସ୍ତ୍ରଶସ୍ତ୍ର, ଗାଡି ଘୋଡା ଓ ଯୁଦ୍ଧ କ୍ଷେତ୍ରର ଅଲଗା ଅଲଗା ପରିସ୍ଥିତି ସବୁ ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କ ସ୍ମୃତି ପଟଳରେ ବସା ବାନ୍ଧି ରହିଯାଇଥିଲା । ସେଥିପାଇଁ ବିନା ରେଫେରେନ୍ସରେ ସେ ଯେଉଁପରି ଭାବରେ ଛବି ପରେ ଛବି ଓ ଛବି ପାଖକୁ ଛବି ଅନବରତ ଭାବରେ ଆଙ୍କି ପକାନ୍ତି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । କୁହାଯାଏ ତାଙ୍କ ପରି ଭିଜୁଆଲ୍ ମେମୋରୀ ରଖିଥିବା ଚିତ୍ରଶିଳ୍ପୀ ଏଇ ସମୟରେ ଆଉ କେହି ନଥିଲେ । ବିଭିନ୍ନ ଚରିତ୍ରଙ୍କର ଭିନ୍ନ ଭିନ୍ନ ଅଙ୍ଗଭଙ୍ଗୀ ଓ ଅଜୀବ ପରିବେଶ, ଗୋଟେ ଛବି ପାଖକୁ ଆଉ ଏକ ଛବି ଓ ସେମାନଙ୍କର ସମ୍ପର୍କ ସବୁ ମିଶି ଏକାକାର ହେଇଯିବାର ଚିତ୍ରଭାଷା ସବୁବେଳେ କିମ୍ ଙ୍କୁ ଗହଳି ଭିତରୁ ଅଲଗା କରି ରଖେ ।

କିମ୍ ଏକଦା ଏକ ସାକ୍ଷାତକାରରେ କହିଥିଲେ ପିଲାଦିନେ ସେ ଯାହା ଚାହୁଁଥିଲେ ତାହା ପାଇନଥିଲେ । ଅପ୍ରାପ୍ତିର ଦୁଃଖବୋଧରୁ ମୁକୁଳିବାକୁ ସେ ଏକ ଉପାୟ ପାଞ୍ଚିଥିଲେ । ଧର ସେ ଯେଉଁ ଯୋତା ଚାହୁଁଥିଲେ ତାହା ତାଙ୍କୁ ମିଳୁନଥିଲା । ତେଣୁ ସେ ପସନ୍ଦ କରୁଥିବା ଯୋତା ଯାହା ଅନ୍ୟମାନଙ୍କର ପାଦରେ ଥିଲା, ତାକୁ ବିଭିନ୍ନ ଦିଗରୁ ନିରୀକ୍ଷଣ କରୁଥିଲେ ଓ ପତ୍ର ପତ୍ରିକାରୁ ତା'ର ଛବି ମଧ୍ୟ ସଂଗ୍ରହ କରୁଥିଲେ । ତାପରେ ଏକ ଅଭିନବ ଯୋତାର ଛବି ଆଙ୍କୁଥିଲେ । ସେ ଛବିର ଯୋତାକୁ ନେଇ ସେ ଏଥର ଖୁସି ହେଉଥିଲେ । ସେ ଜାଣିଥିଲେ ଯେ, ସେ ପ୍ରସ୍ତୁତ କରିଥିବା ଛବିର ଯୋତା ତାଙ୍କର, ଏକଦମ୍ ତାଙ୍କର ।

ସେମିତି ଦେଖିବାକୁ ଗଲେ କିମ୍ ଜଙ୍ଗ ଜି'ଙ୍କ ସ୍ମୃତିଶକ୍ତି ହିଁ ତାଙ୍କର ସମ୍ପତ୍ତି ଥିଲା । ତାଙ୍କ ସଫଳତାର ସୂତ୍ର ଥିଲା । ତାଙ୍କ ଛବି ଦେଖିଲେ ଜଣେ ଚିତ୍ରଶିଳ୍ପୀ ନିଶ୍ଚୟ ବୁଝିପାରିବ ଏତେ ଏତେ କଥା ସଠିକ୍ ଭାବରେ ସେ ମନେରଖନ୍ତି କେମିତି ଓ ପୁଣି ତାକୁ ଅବିକଳ ଆଙ୍କନ୍ତି କେମିତି । ତାଙ୍କର ଏହି ମୌଳିକତାକୁ ହୁଏତ ସାଧାରଣ ଦର୍ଶକ ବୁଝିନପାରେ । ହଜାରେ ଅଭ୍ୟାସ ପରେ ବି ଏପରି ଅସାଧାରଣ ଭିଜୁଆଲ୍ ମେମୋରୀ ରଖିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି ଜଣେ ଚିତ୍ରଶିଳ୍ପୀ ଭାବରେ ମୁଁ ଜୋର୍ ଦେଇ କହିପାରେ । ତାଙ୍କ ଛବି ଅଙ୍କାର କଳା କୌଶଳ କୌଣସି ଯାଦୁଗରର କଳା କୌଶଳ ଦେଖାଇବା ପରି ମନେ ହୁଏ । ୟୁଟ୍ୟୁବ୍ ରେ କିମ୍ ଜଙ୍ଗ ଜି' ଛବି ଆଙ୍କୁଥିବାର ଅନେକ ଭିଡିଓ ଅଛି । ସେଇ ଭିଡିଓ ଦେଖିଲେ ତାଙ୍କ କାରିଗରୀ ଓ କୌଶଳକୁ କିଛିଟା ବୁଝିହେବ ନିଶ୍ଚୟ ।

କିମ୍ ଜଙ୍ଗ ଜି' ବିଭିନ୍ନ ଆକାରର କାଗଜ ଓ କ୍ୟାନଭାସରେ ଛବି ଆଙ୍କନ୍ତି । ତେବେ ତାଙ୍କର ପ୍ରସିଦ୍ଧିର କାରଣ ହେଲା ବଡ଼ ବଡ଼ ଧଳା କାଗଜ ଓ କ୍ୟାନଭାସରେ ପାଖକୁ ପାଖ ଅନେକଗୁଡେ ଛବି ନିରବଚ୍ଛିନ୍ନ ଭାବରେ ଆଙ୍କିବା । କିମ୍ ମୁଖ୍ୟତଃ କାଳି ଓ ବିଭିନ୍ନ ପ୍ରକାରର ତୂଳୀରେ ସିଧାସଳଖ ଛବି ଆଙ୍କନ୍ତି । କିଛି ପୂର୍ବ ପ୍ରସ୍ତୁତି ନଥାଏ । ଯେମିତି ଛବି ଆଙ୍କିବା ଆଗରୁ ପେନସିଲରେ ଡ୍ରଇଂର ଖସଡା ପ୍ରସ୍ତୁତ କରିବା ବା କୌଣସି କଷ୍ଟକର ଆକାର ପ୍ରକାର ପାଇଁ କିଛି ରେଫେରେନସ୍ ର ସାହାଯ୍ୟ ନେବା । ୨୦୧୪ ବେଳକୁ ହିଁ ସେ ସାଧାରଣ ସ୍ଥାନରେ କିଛି ବିଶେଷ କାର୍ଯ୍ୟକ୍ରମ ପାଇଁ ଦର୍ଶକମାନଙ୍କ ଗହଣରେ ଏମିତି ଆଙ୍କିବା ଆରମ୍ଭ କରିଥିଲେ ଓ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଯାଇଥିଲେ । କିମ୍ ଜଙ୍ଗ ଜି' ଚିତ୍ର ଆଙ୍କିବା ସହ ଜଣେ ସଫଳ କ୍ଷୁଦ୍ରଗଳ୍ପ ଲେଖକ ମଧ୍ୟ ଥିଲେ । ମୁଁ ତାଙ୍କର କିଛି ଗପ ପଢିନି । ଜାଣିଛି ତାଙ୍କ ଗପ ପଢିଲା ପରେ ତାଙ୍କ ଚିତ୍ରକୁ ବେଶୀ ଟିକେ ବୁଝିହେବ ।

ଥରେ ୨୦୧୧ ମସିହାରେ କିମ୍ ଜଙ୍ଗ ଏକ କମିକ୍ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଫେଷ୍ଟିଭାଲରେ ପ୍ରାୟତଃ କମିକ୍ ଆଙ୍କୁଥିବା ଶିଳ୍ପୀମାନେ ସେମାନଙ୍କ ଛବିକୁ ଫ୍ରେମ୍ କରି ଟାଙ୍ଗିଥା'ନ୍ତି । କିମ୍ କିଛି ନୂଆ କରି ଦେଖାଇବାକୁ ମନସ୍ଥ କରି ସେଠି ପହଞ୍ଚିଥା'ନ୍ତି । ସେଠି ତାଙ୍କୁ ଗୋଟେ ଯାଗା ମିଳିଥାଏ । ମିଳିଥିବା ସ୍ଥାନର ତିନି କାନ୍ଥରେ ସେ ବଡ଼ କାଗଜ ଲଗେଇ ସିଧାସଳଖ ତାଙ୍କ ଚିତ୍ର ଆଙ୍କିବା ଆରମ୍ଭ କଲେ । ବିନା କୌଣସି ପେନସିଲ୍ ଡ୍ରଇଂ ଓ ପୂର୍ବ ପ୍ରସ୍ତୁତିରେ ସେ ଚଟାପଟ୍ ଏତେ ସଠିକ୍ କରି ଛବି ଆଙ୍କିଲେ ଯେ ଦେଖଣାହାରୀ ଚ଼ମତ୍କୃତ ଓ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଛବି ଆଙ୍କିବା ପ୍ରକ୍ରିୟାକୁ ଏକ ବହି ପ୍ରକାଶନ ସଂସ୍ଥାର ସି.ଇ.ଓ ଭିଡିଓ କରି ସେଇଠି ୟୁଟ୍ୟୁବ୍ ରେ ଅପଲୋଡ୍ କରିଦେଲେ । ଭିଡିଓ ଦେଖି ଅନେକ ଆମୋଦିତ ହେଲେ । କେହି ବୁଝିପାରିଲେନି ଯେ କିମ୍ ତାଙ୍କ ଛବିକୁ କେଉଁଠୁ ଆରମ୍ଭ କରି କେଉଁଠି ସାରୁଛନ୍ତି । ଭିଡିଓ ଭାଇରାଲ୍ ହୋଇଗଲା ଓ ଅଳ୍ପ ଦିନରେ ମିଲିୟନ୍ ଭିଉ ଟପିଗଲା । ସାରା ପୃଥିବୀରୁ ଏଥର କିମ୍ ଙ୍କୁ ଏମିତି ଆଙ୍କିବାକୁ ନିମନ୍ତ୍ରଣ ମିଳିବାକୁ ଲାଗିଲା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବଡ଼ ବଡ଼ କାର୍ଯ୍ୟକ୍ରମରେ ତାଙ୍କ କଳା କୌଶଳକୁ ଦେଖିବାକୁ ଲୋକେ ପସନ୍ଦ କଲେ । କିମ୍ ଙ୍କର ପ୍ରସିଦ୍ଧି କ୍ରମେ ବଢିବାକୁ ଲାଗିଲା ।

ଗଲା ବାରବର୍ଷ ଭିତରେ କିମ୍ ଙ୍କର ଛଅଟି ସ୍କେଚ୍ ବହି ପ୍ରକାଶିତ ହୋଇଛି । ସବୁଗୁଡାକୁ ମିଶାଇଲେ ସେମାନଙ୍କ ପୃଷ୍ଠା ସଂଖ୍ୟା ସାଢେ ଚାରି ହଜାର ପୃଷ୍ଠା ହେବ । ଏହାଛଡା କିମ୍ କିଛି ଲେଖକଙ୍କ ସହ ମଧ୍ୟ ମିଶି କାମ କରିଛନ୍ତି । ସବୁଠାରୁ ଲମ୍ବା ଛବି ଆଙ୍କିଥିବା ଶିଳ୍ପୀ ଭାବରେ ତାଙ୍କ ନାମରେ ଏକ ଗିନିଜ୍ ବିଶ୍ୱ ରେକର୍ଡ ମଧ୍ୟ ରହିଛି । ଅନେକ ପ୍ରଖ୍ୟାତ କମିକ୍ ବହିର ଲେଖକଙ୍କ ବହି ପାଇଁ ସେ ଛବି ଆଙ୍କିଛନ୍ତି । ଛଅ ଭାଗରେ ପ୍ରକାଶିତ ‘ଟାଇଗର୍ ଦି ଲଙ୍ଗ ଟେଲ୍’ କମିକ୍ ବହିର ସବୁଗୁଡା ଛବି ସେ ଚମତ୍କାର ଭାବରେ ଆଙ୍କିଛନ୍ତି । କମିକ୍ ଚିତ୍ରର ଚିତ୍ର ଭାଷା ଅଲଗା । ଜହ୍ନମାମୁଁ ଓ ଶିଶୁଲେଖା ଅବା ଛବିଳ ମଧୁ ବର୍ଣ୍ଣବୋଧର ଅଳଂକରଣଠାରୁ ଆଜିର ଗ୍ରାଫିକ୍ ନୋଭେଲ୍, ମିମ୍, କମିକ୍ ବହିର ଛବି ଢେର୍ ଅଲଗା । ତାହା ଆଜିର ଛବି । ଆଜିର ପିଲାମାନଙ୍କ ପସନ୍ଦର ଛବି ।

Report an Error