ଖାଣ୍ଟି ଗୁଆ ଘିଅ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଭସାପୋଲ ପାରେଇ ଉପରକୁ ରିକ୍ସା ଉଠେଇଲାବେଳକୁ ଜଡ଼ାର ମାଂସପେଶୀ ସବୁ ଟଣକେଇ ଉଠେ । ନିର୍ଧୂମ ଖରାରେ ରିକ୍ସାରେ ବସିଥିବା ପାଢ଼ୀ ଡାକ୍ତରର ଓଜନ ପ୍ରାୟ କୋଡ଼ିଏ କେଜି ଅଧିକ ବଢ଼ିଯାଇଥିବା ଭଳି ଲାଗେ ଜଡ଼ାକୁ । ଡାକ୍ତରବାବୁଙ୍କୁ ଘରେ ଛାଡ଼ି ଦେଇ ତାଙ୍କ ବାହାର ଅଗଣାରେ ଥିବା ଟିଉଲରୁ ଢକଢକ କରି ଦି’ ଲୋଟା ପାଣି ପିଇ ଯାଏ ଜଡ଼ା । ତା’ପରେ ଗାମୁଛାଟାକୁ ଓଦା କରି ଦେହ ହାତ ପୋଛି ମୁଣ୍ଡରେ ପକେଇ ଦିଏ ।

ଡାକ୍ତରବାବୁ ଭଡ଼ା ବାବଦକୁ ମହାର୍ଘ ଦାନ ଦେଲାଭଳି ଟଙ୍କା କେତେଟା ବଢ଼େଇ ଦିଏ । ଅନ୍ୟ କେହି ହେଇଥିଲେ ଏ ଟାଇଁଟାଇଁ ଖରାକୁ ଏତେଗୁଡ଼େ ବାଟ ପାଇଁ ଜଡ଼ା ଟଙ୍କା ପନ୍ଦରରୁ କମ ହାଙ୍କି ନ ଥାନ୍ତା । ପ୍ରଥମେ ଭଡ଼ା ଛିଡ଼େଇ ରିକ୍ସା ଗଡ଼େଇ ଥାଆନ୍ତା । ବନୱାରିଲାଲ ଲୁଗା ଦୋକାନରେ ଫିକ୍ସଡ ରେଟ ଲେଖା ହେଲା ଭଳି, ପାଢ଼ୀ ଡାକ୍ତର ସୋର ବଜାର କାହିଁକି, ତା’ ଆଖପାଖ ଯେଉଁ ଜାଗାକୁ ଗଲେ ବି ହରେକ ମାଲ ପାଞ୍ଚ ଟଙ୍କା ଭଡ଼ା ଧାର୍ଯ୍ୟ କରିଦେଇଛି । ଧୁ ଧୁ ଖରା କି ଢୋ ଢୋ ବର୍ଷାରେ ରିକ୍ସା ଟାଣିଟାଣି ନୟାନ୍ତ ହେଇ ଗଲେ ବି ଡାକ୍ତରବାବୁ ପାକିଟିରୁ ଆଉ କାଣି କୋଉଡ଼ିଟେ ଖସିବା ବିବର୍ଜିତ । ଏତେଦିନ ଜଡ଼ା ପ୍ରାୟ ନାଗୁଆ ରିକ୍ସାବାଲା ହେଇ ତାଙ୍କ ଘରର ପିଲାଛୁଆ, ବନ୍ଧୁଘର, ଗଲାଅଇଲା ସମସ୍ତଙ୍କର ମଣିଷ ବୋଝ ବୋହୁଛି, ନିଜର ଭଳି ହେଇ ବଜାର ହାଟରୁ ପନିପରିବା, ଡାଲିଚାଉଳ ବୋହି ଆଣୁଛି, କିନ୍ତୁ ଡାକ୍ତରବାବୁ ଘରୁ କେହି ଦିନେ ତାକୁ କହିନି ଜଡ଼ାରେ ଟିକେ ସାଷ୍ଟମ ହେଇ ବସ, ପାଣି ମୁନ୍ଦେ ପିଇଦେଇକି ଯିବୁ ।

ଡାକ୍ତରବାବୁ କୋଉ ଗୋଟେ ଗୁରୁର ଚେଲା ବନିଚି ଆଉ ଏ ଅଞ୍ଚଳ ପାଇଁ ସବୁ ଚେଲାମାନଙ୍କର ନେତା ବି ହେଇଚି । ସନ୍ଧ୍ୟାରେ ଭକ୍ତମଣ୍ଡଳୀର ଭଜନ ସଭାମାନଙ୍କୁ ଡାକ୍ତରବାବୁ ଜଡ଼ା ରିକ୍ସାରେ ଯାଏ । ଜଡ଼ା ବସିବସି ଲକ୍ଷ୍ୟ କରେ ଭକ୍ତମାନଙ୍କଠାରୁ ଗୁରୁଭେଟି ଆଦାୟ କରାଯାଇ ଗୁରୁଙ୍କ ଧାମକୁ ପଠାଯାଏ । ଡାକ୍ତରବାବୁ ନିଜେ ସବୁ ତା’ର ତଦାରଖ କରେ । ପାଞ୍ଚବର୍ଷ ଭିତରେ ଦୈନିକ ଗୁରୁଭେଟିର ଦର ଦି’ ଥର ବଢ଼ିଲାଣି । କିଏ ନୂଆ ବଢ଼ିଥିବା ଦରରେ ଭେଟି ପଇଠ କରି ନପାରିଲେ ଡାକ୍ତରବାବୁ ତାକୁ ତାଗିଦ କରେ । ଏ ଭିତରେ ଡାକ୍ତରବାବୁ ତା’ର ରୋଗୀ ଦେଖା ଫିସ ବି ଦି’ଥର ବଢ଼େଇଲାଣି । ବଜାରରେ ଡାଲିଚାଉଳ ଦାମ ବି ଦି’ଗୁଣରୁ ଅଧିକ ହେଲାଣି । ଜଡ଼ାର ରିକ୍ସା ଭଡ଼ା କିନ୍ତୁ ଡାକ୍ତରବାବୁ ରଖିଛି ‘ଗଲେ ପାଞ୍ଚ ଆଇଲେ ପାଞ୍ଚ, ପାଞ୍ଚ ଟଙ୍କିଆର ବେଢ଼ି ପଡ଼ିଅଛି, ରିକ୍ସାବାଲା ତୁ ମଲେ ମର ନହେଲେ ବଞ୍ଚିଲେ ବଞ୍ଚ’ ।

ସବୁ ଦର ଦାମ ବଢ଼ିଲେ ବି ଝାଳ ଆଉ ରକ୍ତର ଦାମ କିନ୍ତୁ ବଢ଼େ ନାଇଁ । ଅର୍ଥନୀତି ଓ ମୁଦ୍ରାସ୍ଫୀତି ଝାଳ ଆଉ ରକ୍ତ ପାଇଁ ସର୍ବଦା ଉଦାସୀନ ।

ଜଡ଼ା କିନ୍ତୁ ଡାକ୍ତରବାବୁ ପାଖରେ ମୁହଁମାଡ଼ି ପଡ଼ିଥାଏ ଗୋଟିଏ ଆଶାରେ । ପିଲାଛୁଆର ଘର, ପାଞ୍ଚପାଞ୍ଚଟା ଛୁଆ, ଆଜି ୟାକୁ ଜର ହେଲେ କାଲି ତାକୁ ଝାଡ଼ା । ଡାକ୍ତରବାବୁଙ୍କୁ କହିଲେ ତାଙ୍କୁ ଯୋଉ କୁମ୍ପାନୀମାନଙ୍କ ପାଖରୁ ଫ୍ରି ଔଷଧ ମିଳୁଛି ସେଥିରୁ କିଛି କିଛି ଦିଅନ୍ତି । ନହେଲେ ଜଡ଼ା ଔଷଧ କିଣିକିଣି ନୟାନ୍ତ ହେଇଯାଆନ୍ତା ।

ତା’ ସାଙ୍ଗକୁ ଏବେ ବୋଝ ଉପରେ ଆଉ ଗୋଟେ ନଳିତା ବିଡ଼ା ଲଦାହେଇଛି ଆସି ଜଡ଼ା ମୁଣ୍ଡରେ - ଜାଡ଼ି ପେଟରେ ଗୋଟେ କଣ ଶକ୍ତ ବେମାର ଆରମ୍ଭ ହେଲା ଭଳି ଲାଗୁଛି । ହପ୍ତା ଦି ହପ୍ତାରେ ଥରେ ଆମଶୂଳ ଭଳି ଜାଡ଼ିର ପେଟକୁ ଖୁବ ଜୋର ମାରୁଛି ଯେ ସେ ଅଥୟ ହେଇ ଗଡ଼ୁଛି । ବିକଳରେ ନାହି ଉପରେ ଓଦା ଲୁଗାଟେ କି ପାଣି କଂସାଟେ ଥୋଉଛି ।

ଜାଡ଼ି ଜଡ଼ାର ସ୍ତ୍ରୀ । ତା’ ନାଁଟା ମୂଳରୁ ଜାଡ଼ି ନଥିଲା । ବାପ ଘରେ ତା’ର ଆଉ ଗୋଟେ କଣ ନାଁ ଥିଲା । ଜଡ଼ା ଘରକୁ ବୋହୂ ହେଇ ଆସିବା ପରେ ସବୁ ବୋହୂଙ୍କ ଭଳି ତା’ର ବି ଆଉ ଗୋଟେ କଣ ଭଲ ନାଁଟେ ଦିଆ ଯାଇଥିଲା । କିନ୍ତୁ ଗାଁ ସାହିର ଟାପରା କରୁଥିବା ନଣନ୍ଦ, ଦିଅର, ଗୋସେଇଁ ଶାଶୁ, ଗୋସେଇଁ ଶଶୁର କି ଆଉ ବୁଢାବୁଢ଼ୀମାନେ ମିଶି ଜଡ଼ା ନାଁଆଁକୁ ପଦ ଯୋଡ଼ି ତା’ ନାଁଆଁଟା ଜାଡ଼ି ବୋଲି ଯୋଡ଼ି ଦେଲେ । ବାସ୍, ତା’ର ଆଉ ସବୁ ନାଁ କୁଆଡ଼େ ଲିଭିଯାଇ ଶେଷକୁ ଏଇ ଜାଡ଼ି ନାଁ ଟା ହିଁ ରହିଗଲା । ଏମିତିକି ରେସନ କାର୍ଡ ଭଳି ସରକାରୀ କାଗଜପତ୍ରରେ ବି ତା ନାଁ ଟା ଜାଡ଼ି ବୋଲି ଉଠି ଯାଇଛି । ଗାଁର ସବୁ କଥାକୁ ନେଇ ଫାର୍ଶ କରି ଗୀତ ଫାନ୍ଦୁଥିବା ଗମାତିଆ ଶାମା ରାଉତ ଗୀତ ଯୋଡ଼ିଛି - ଜଡ଼ାକୁ ଜାଡ଼ି, ପଡ଼ିଛି ଦେଖଲୋ କେମିତି ଯୋଡ଼ି
ମୋ ସଜନୀ ଲୋ, ମୋ ସଜନୀ ଲୋ
ମାଈ ବଳଦକୁ ଅଣ୍ଡିରି ଘୋଡ଼ୀ
ଦେଖି ତାଙ୍କ ଯୋଡ଼ି ହସିହସି ଲୋକେ
ଦାଣ୍ଡରେ ଯାଆନ୍ତି ଗଡ଼ି
ଜଡ଼ା ଆଣିଦେଲା ଛିଟ ଶାଢ଼ୀ ଖଣ୍ଡେ ପିନ୍ଧି ଚାଲେ ଜାଡ଼ି ଗୋଡକୁ ଫାଡ଼ି
କାନି ତା’ ଯାଉଛି ଉଡ଼ି, ପାନପିକ ପଡ଼େ ଗଡ଼ି
ଫେସନ ଦେଖି ତା’ ଅଭାଗା ଶାମାର ଫାକାସି ଯାଉଛି ବୁଡ଼ି
ବେଲିଆ ଶାମା ଜାଡ଼ିକୁ ଦେଖି ଏ ଗୀତ ମେଲିଲେ ଜାଡ଼ି ତାକୁ ଦୂରଦୂର ମାରମାର କରି ଗୋଡ଼ାଏ ।

ଜାଡ଼ିର ଏଇ ଦିହର ଚିନ୍ତାଟା ଏବେ ଜଡ଼ାକୁ ବଡ଼ ଘାରିଛି । ଘୋଡ଼ାମରା ଗାଁ ବଇଦଘରେ ପାଣି ଦେଖେଇ କେତେ ଟୁଣୁକା ଔଷଧଠାରୁ ଆରମ୍ଭ କରି ଜୋଡ଼ାମ ବିମ୍ବାଧର ପାଖରୁ ହେମେପାଥି ଔଷଧ, କିଛି ବି କାଟୁ କରୁନି । ଜାଡ଼ିର ସତରେ ଯଦି କିଛି ହେଇଯାଏ ତା’ ଭିଟା ଉଚ୍ଛନ୍ନ ହେଇ ଯିବ, ତା’ ସଂସାର ଉଜୁଡ଼ିଯିବ । ପାଞ୍ଚପାଞ୍ଚଟା ଛୁଆଙ୍କୁ ସମ୍ଭାଳିବ କେମିତି ! ଚାଷବାସ ସାଙ୍ଗକୁ ରିକ୍ସାଟଣା, ସବୁ ପାଇଟି ନ କଲେ ତ ପେଟକୁ ଦାନ ଜୁଟିବ ନାହିଁ । ହେ ଭଗବାନ ! ଜଡ଼ା ମୁଣ୍ଡରେ ହାତ ଦେଇ ବସେ ।

କାଳେ କୋଉ ଅପାଣିଆ ଦେବତାର କୋପ ଦୃଷ୍ଟି ପଡ଼ିଥିବ, ନୂଆପାଟଣା ଚେମେଇ ସେଠି ଆସି ଅମିସା ରାତିରେ ଗାଁ ଦୋସୀମାଳିରେ ଦି ଦି’ଟା କଳା କୁକୁଡ଼ା ବଳି ଚଢେଇଲାଣି । ଡାହାଣୀ, ଚିରଗୁଣି, ଭୂତ, ପେତ, ଅପାଣିଆ ଦେବତାମାନଙ୍କ ଉପରେ ଚେମେଇ ସେଠୀର ଅଖଣ୍ଡ ପ୍ରତାପ । ତା’ ଗୁଣି ଡାକର କବଳରୁ ବର୍ତ୍ତିଯିବ ଏମିତି ଜନ୍ତୁ ଏ ଖଣ୍ଡମଣ୍ଡଳରେ ନାହିଁ । ହୁଏତ ସେ ଚେମେଇର ଗୁଣୀମନ୍ତ୍ର ଡାକ ପାଖରେ ଆତ୍ମସମର୍ପଣ କରି ତା’ ବଶ୍ୟତା ସ୍ଵୀକାର କରିବ ନହେଲେ ଚେମେଇ ଯେତେଦୂର ଯାକେ ଇଶାରା କରିବ ସେତେଦୂର ସେ ଏ ଇଲାକା ଛାଡ଼ି ଚାଲିଯିବ ଯେ ଆଉ ଫେରିକରି ନଜର ପକେଇବ ନାହିଁ । ଯଦି କେବେ ପୁଣି ଫେଚକାମୀ କଲା ବୋଲି ଚେମେଇ ଜାଣିବାକୁ ପାଇଲା ତ ଜାଣିବ ତାର ପାଞ୍ଜି ପୋଛାଗଲା । ଚେମେଇ ଏଥିରେ ଭାରି ନିର୍ମମ; ତା’ପରେ ଚେମେଇ ତାକୁ ଚରମ ସଜା ଦବ - ମନ୍ତ୍ର ପଢ଼ି ଗୋଡ଼ ଉପରକୁ ଆଉ ମୁଣ୍ଡ ତଳକୁ କରି ଦବ ପୋତି ଯେ ଗଲା ଏ ବିଶ୍ଵବ୍ରହ୍ମାଣ୍ଡରୁ ତା’ ନାମ ନିଶାନ ବି ତୁଟିଯିବ ।

ଚେମେଇର ଏସବୁ ଅକାଟ୍ୟ କଳାକୌଶଳ ସତ୍ତ୍ୱେ ବି ଜାଡ଼ିର ଅବସ୍ଥାରେ କିଛି ସୁଧାର ଆସିଲାନି।

ଜାଡ଼ିର କିନ୍ତୁ ଏସବୁକୁ ଖାତିର ନ ଥାଏ । ଦିନରାତି ଲୋଟଣିପାରା ଭଳି ସେ ତା’ କାମରେ ଲାଗିଥାଏ । ବାରିଘର, ଛେଳିକୁକୁଡ଼ା ସାଙ୍ଗକୁ ଛୁଆପିଲାଙ୍କ ଜଞ୍ଜାଳ - ସବୁ ସମ୍ଭାଳୁ ସମ୍ଭାଳୁ ତାକୁ ଆଉ ତର ନ ଥାଏ ତା’ ଦିହମୁଣ୍ଡ କଥା ଭାବିବାକୁ । ତା’ ଧିଅପା ପଛେ ଯାହା ହେଇ ଯାଉଛି ଯାଉ ତା’ ଛୁଆପିଲାମାନେ କେମିତି ମଣିଷ ହେଇ ଠିଆ ହୁଅନ୍ତୁ । ଜାଡ଼ି ସେଇଥିପାଇଁ ଘର ପାଇଟି ସାଙ୍ଗକୁ ଛେଳିକୁକୁଡ଼ା, ଗୋରୁଗାଈ କେତେଟା ବାନ୍ଧିଛି । ରାନ୍ଧିବାଢ଼ି ପିଲା, ଗେରସ୍ତ, ଶାଶୁଶଶୁରଙ୍କ କଥା ସମ୍ଭାଳି ସାରି ସେମାନଙ୍କ କାମରେ ବାହାରିଯାଏ ସେ ।

ତା’ସାଙ୍ଗକୁ ଜଡ଼ା ଆଉ ଜାଡ଼ି ଦି’ ପରାଣୀ ମିଶି ସକାଳେ ସଞ୍ଜେ ବାରିଘର ହଣାତଡ଼ା କରି ପନିପରିବା ଦି’ଇଟା ବି ଫଳାନ୍ତି । ରକ୍ତକୁ ପାଣି ଫଟେଇ ମରଦ ଲୋକଟା ମଣିଷ ବୋଝ ବୋହି ଆଉ କେତେ ରୋଜଗାର କରିବ ! ସାରା ପରିବାରଟା ତା’ରି ହାତକୁ ଚାହିଁ ବସିଛନ୍ତି। ଘର ଚଳେଇ ଶାଗ, ପନିପରିବା, ଘିଅ ଯାହା କିଛି ବଳକା ହୁଏ ଜାଡ଼ି ତାକୁ ଜଡ଼ା ସାଙ୍ଗରେ ବଜାରକୁ ପଠେଇ ଦିଏ । ଏମିତି ତ ଜଡ଼ା ରିକ୍ସା ନେଇ ନିଇତି ବଜାରକୁ ଯାଏ । ଯାହା ଦି’ ପଇସା ଆସେ ପିଲାଙ୍କ ବହି ଖାତା କିଣିବାକୁ ଜାଡ଼ି ତାକୁ ସାଇତି ରଖେ ।

ଏ ଭିତରେ ଜଡ଼ା ବାରିର ପନିପରିବା ସାଙ୍ଗକୁ ଜାଡ଼ି ହାତରେ ମରାଘିଅର ସୋର ବଜାରରେ ନାଆଁ ଡାକ ହେଇ ଗଲାଣି । ବିଶେଷକରି ବଜାରର ମାରୱାଡ଼ି ପରିବାରମାନଙ୍କରେ ଏସବୁର ବିଶେଷ ଚାହିଦା । ସେମାନଙ୍କର ଛୁଆମାଇପିମାନଙ୍କୁ ରିକ୍ସାରେ ବସେଇ ନେବାଆଣିବା କରିବାରେ ଜଡ଼ା ସାଙ୍ଗରେ ସେମାନଙ୍କର ଗୋଟେ ଭାରି ପରିଚୟ ଆଉ ବିଶ୍ଵାସ ଆସିଯାଇଛି । ସେଇ ସୂତ୍ରରେ ସେମାନଙ୍କୁ ଜଡ଼ା ଏସବୁ ଜିନିଷ ନେଇ ଯୋଗାଏ । ବଜାରରେ ଦୋକାନୀମାନେ କୋଉ ଚିଜକୁ ପାଞ୍ଚ ପଇସା ଦେବେ ତ ମାରୱାଡ଼ି ଘରର ସାଇବାଣୀମାନେ ଦେବେ ସାତ ପଇସା । ବଜାରରେ ମିଳୁଥିବା ସାରଦିଆ ପରିବା ତୁଳନାରେ ଜଡ଼ା ବାରିର ଖାଣ୍ଟି ଦେଶୀ ପରିବାର ସୁଆଦ ଅଲଗା । ଜାଡ଼ି ହାତମରା ଖାଣ୍ଟି ଗୁଆ ଘିଅର ବାସନା ନିଆରା । ଢାଙ୍କୁଣୀ ଖୋଲି ଦେଲେ ଘର ମହକି ଯିବ । ସେ ଘିଅରେ ବୋଳି ସଞ୍ଜବତୀଟେ ଲଗେଇଲେ ସାରା ଘରେ ଦିବ୍ୟ ଭାବଟେ ଚହଟି ଉଠେ । ଦୀପାବଳୀବେଳେ ଜାଡ଼ିମରା ଘିଅର କାକରା ପିଠା ହେଇ ଶ୍ରାଦ୍ଧ ବଢ଼ାହୁଏ; ପିତୃପୁରୁଷଙ୍କ ପାଖେ ଭୋଗ ହୁଏ । ସେଥିପାଇଁ ପୂଜାପାର୍ବଣ, ଓଷା, ଅମେଇସା ସବୁର ମାସକ ଆଗରୁ ଜଡ଼ାକୁ ଘିଅ ପାଇଁ ବରାଦ ମିଳେ । ବଜାରରେ କେଡ଼େ ବଡ଼ଘରର ମାଇପିମାନେ ତା’ ଘିଅକୁ ଏତେ ଆଦର କରୁଛନ୍ତି, ପାଞ୍ଚ ଜାଗାରେ ଖୁସି ହେଇକି ସାତ ପଇସା ଦଉଛନ୍ତି ଜାଣି ଜାଡ଼ି ଭାରି ଖିଆଲ ରଖି ଘିଅକୁ ମାରେ, ଯେମିତିକି ଘିଅ କଞ୍ଚାମରା ହେଇ କିଛିଦିନ ପରେ ଦୁର୍ଗନ୍ଧ ନ ହୁଏ । ପୁଣି ଘିଅ ସବୁ ଠାକୁର କାମ, ପୂଜାପାର୍ବଣରେ ଲାଗୁଛି ଶୁଣି ଜାଡ଼ି ବଡ଼ ଶୁଚିତା ହେଇ, ପଖଳା ଲୁଗା ପିନ୍ଧି ଘିଅ ମାରି ମାଟି ଆଟିକାରେ ଭର୍ତ୍ତିକରି ମୁହଁରେ ଠିକ ମାପର ସରାଦେଇ ଶାଳପତ୍ର ଗୁଡ଼େଇ ପଖଳା ଝୋଟ ଦଉଡ଼ିରେ ଆଣ୍ଟ କରି ବାନ୍ଧିଦିଏ । ସେଦିନ କୋଉ ମାରୱାଡ଼ି ଘର ବୁଢ଼ୀ ପୂଜାପାଇଁ ଘିଅ ବରାଦ ଦେଇଥିଲା ଯେ ଦି’କୋଡ଼ି ଜାଗାରେ ଦି’କୋଡି ଦଶ ଟଙ୍କା ଦେଇଛି । ତା ସାଙ୍ଗକୁ ଜଡ଼ା ପାଖରୁ ଜାଡ଼ି କଥା ଶୁଣି ତା’ ପାଇଁ ଜଡ଼ା ହାତରେ, ବନ୍ଧୁ ଘର କି ମେଳାମଉଛବକୁ ପିନ୍ଧି କରି ଯିବାପାଇଁ ଦାମୀ ଘରରଖା ଶାଢ଼ୀ ଖଣ୍ଡେ ପଠେଇଛି ।

ଏଣେ ଜାଡ଼ି ଘିଅର ଆଦର କି ଚାହିଦା ଯେତେ ବଢୁଛି ଜାଡ଼ି ମନରେ ଆଶଙ୍କା ବି ସେତିକି ବଢୁଛି । ଦିଇଟା ଗାଈରୁ ଗୋଟେ ଦୁହାଳ ଛାଡ଼ି ଆସିଲାଣି । ତା’ ସାଙ୍ଗକୁ ଦେହର ରୋଗଟା ବି ଟିକେ ସାନ୍ଧି ଦଉଛି । ତେବେ ଜାଡ଼ି ଅଣ୍ଟାରେ କାନି ଗୁଡ଼େଇ ଆଣ୍ଟଧରେ କିଛି ନହେଲେ ପଡ଼ିଶା ଘରୁ ଦୁଧ କିଣି ସେଥିରୁ ଲହୁଣୀ କରି ସେ ଘିଅ ଫୁଟେଇବ । ତା’ ଘିଅକୁ ଏତେ ଭଲ ପାଉଥିବା ଗରାଖମାନଙ୍କୁ ସେ ହତାଶ କରିବନି । ଏ ଗାଈଟା ବି ତ ଦୁଧ ଛାଡ଼ୁଛାଡ଼ୁ ପୁଣି ଗର୍ଭିଣୀ ହେଇଛି, ଦିନ କେଇଟାରେ ପୁଣି ଦୁହାଳ ହବ ।

ଜଡ଼ା ବାରିର ପନିପରିବା ସାଙ୍ଗକୁ ଜାଡ଼ି ହାତର କଳାକାରିତାର କଥାଟା ପାଢ଼ୀ ଡାକ୍ତରଙ୍କ କାନରେ କୋଉଠୁ ଗୋଟେ ପଡ଼ିଛି । କାହାଘରେ ଗୋଟେ କି ପୂଜା ହଉଥିଲା ଯେ ଡାକ୍ତରବାବୁ ସେଠିକି ନିମନ୍ତ୍ରଣ ପାଇ ଯାଇଥିଲେ । ସେଠିକାର ହୋମ ହେଉଥିବା ଘିଅର ବାସ୍ନା ଆଉ ଘିଅ ପିଠାର ମଧୁର ସ୍ଵାଦରୁ ହିଁ କଥାଟା ଫୁଟିଆରା ହେଲା । ଖାଲି ଜାଡ଼ି ହାତମରା ଘିଅ ନୁହେଁ, ଜଡ଼ା ବାରିର କଳମ ଶାଗଠାରୁ ଜହ୍ନି, ବାଇଗଣର ମହାତ୍ମ୍ୟ ବି ସେଠି ସାର୍ବଜନୀନ ଆଲୋଚନାର ବିଷୟବସ୍ତୁ ବନିଲା ।

ଫେରିବାବେଳେ ଜଡ଼ା ରିକ୍ସାରେ ବସି ଖଣ୍ଡେଦୂର ଗଲାପରେ ଆଗପଛ ଚାରିଆଡ଼କୁ ଚାହିଁ ଟିକେ ସତର୍କ ଗଳାରେ ପାଢ଼ୀ ଡାକ୍ତର ଆରମ୍ଭ କଲେ - “କିରେ ଜଡ଼ା ମାଟି ଆମର, ମଣିଷ ବି ଆମର ଆଉ ତାଙ୍କ ମିହନତର ଫଳ ଭୋଗିବେ ବାହାର ଲୋକ ! ଆମର ଏଇଠି ମାଟି, ପାଣିରେ ଉପୁଜୁଥିବା ଅପୂର୍ବ ଦ୍ରବ୍ୟ, ତା’ ସୁଆଦ ଚାଖିବାକୁ କୋଉ ଦୂର ରାଇଜରୁ ଆସି ଏଠି ଆସ୍ଥାନ ଜମେଇଥିବା ମାରୱାଡ଼ିମାନଙ୍କ ଜିଭ ଯୋଗ୍ୟ ହେଲା ଅଥଚ ଏଠି ଆମେମାନେ ତା’ ବାସନା ବି ଟିକେ ପାଇଲୁନି ! କିରେ ଆମ ନାକ କି ଜିଭ ତୋର କି ଦୋଷ କରିଥିଲେ କିରେ !”

ଜଡ଼ା ଆକାଶରୁ ଖସିଲା ଭଳି ଥ ହେଇକି ଠିଆ ହେଲା !

ଡାକ୍ତରବାବୁ ଫିଟେଇକି କହିଲେ - “କିରେ ଶୁଣୁଛି କଣ ବାରିରେ ବଜାର ବସେଇଛୁ, ଖଡ଼ା ଠାରୁ ଜଡ଼ା ପର୍ଯ୍ୟନ୍ତ ହରବାବ ଜିନିଷ ଫଳୁଛି ତୋ ବାରିରେ। ତୋ’ ବାରିର ଜିନିଷ ବଜାରରେ ପଶି ମାରୱାଡ଼ିଙ୍କ ଜିଭର ସୁଆଦ ବଦଳେଇ ଦେଲାଣି । ସେମାନେ ଆଉ କୁଆଡ଼େ ବଜାରୀ ପରିବା କିଣୁ ନାହାନ୍ତି । ପାଖଆଖର ମସ୍ତମସ୍ତ ପରିବା ଚାଷୀ ସବୁ କୁଆଡ଼େ ପ୍ରମାଦ ଗଣିଲେଣି । ଏ ବଜାରର ଠାକୁର ଦେବତା ତ କୁଆଡ଼େ ତୋ’ ସ୍ତ୍ରୀର ହାତମରା ଘିଅ ବିନା ହୋମ ଯଜ୍ଞକୁ ଆଉ ବିଜେ କରିବାକୁ ମଙ୍ଗୁ ନାହାନ୍ତି.....।”

ଜଡ଼ା ଟିକେ ଅପ୍ରତିଭ ପୁଣି ଆଶଙ୍କିତ ହେଇ କହିଲା - “ନାଇଁ ଆଜ୍ଞା କି କଥା ଆପଣ କହୁଛନ୍ତି । କିଏ ଗୋଟେ କଣ ବଢ଼େଇଚଢ଼େଇ କହି ଦେଇଛି । କୋଉ ଅବରେସବରେ ବାରିଘରୁ ଇଆଡ଼ୁ ସିଆଡ଼ୁ କଣ ଦି’ଟା ବାହାରେ ଯେ ସେଇଥିରୁ କିଛି ଟିକେ ଆଣି ବିକି ଦେଇ ବଜାରରୁ ତେଲ ଲୁଣ ଖର୍ଚ୍ଚ ଉଠାଏ ଆଜ୍ଞା । ଅଭାବୀ ସଂସାର ତ ଜାଣିଛନ୍ତି, କଣ ଆପଣଙ୍କୁ ଆଉ ବୁଝେଇବି । ଏଇ ଛନ୍ଦମନ୍ଦ କରି ଚଳେଇବା କଥା । ତାକୁଇ ନେଇ କିଏ କଣ ଗୋଟେ ଗମାତ କରି ଦଉଛନ୍ତି, ଆଉ ଆପଣ ତାକୁଇ ସବୁ ପରତେ ଯାଉଛନ୍ତି ....।”

“ହଉ ହଉ ହେଲା । ମୁଁ କଣ ମନା କରୁଛି ତୁ ତୋ ଜିନିଷ ବିକିକି ଦି ପଇସା କମେଇବୁନି କି ତୋ’ ଘର ସଂସାର ଚଳେଇବୁନି ବୋଲି । ତୋ ଅଭାବ ଅସୁବିଧାଟା ମୁଁ କଣ ବୁଝୁନି କିରେ । କଥା କଣ କି ଯାହାହେଲେ ବି ଆମେ ସବୁ ସାଇପଡ଼ିଶା କି ଭାଇବତିଶା ବନିକି ଗଅଁଠେଇ ହେଇ ଏଇଠି ପଡ଼ିଛନ୍ତି ନା ନାହିଁ କହିଲୁ ......ଅଥଚ.........ଆମ ଏଇଠିକା କଥାଟା ଆମେ ଜାଣି ପାରିଲୁନି, କିନ୍ତୁ ବାହାର ଲୋକ ଆଗେ ଜାଣିଲେ ....।”
ଡାକ୍ତରବାବୁଙ୍କ କଣ୍ଠରେ ଭାରି ନିଜର କଲାଭଳି ସୋହାଗଟେ ବାରି ହେଇ ପଡ଼ୁଥିଲା ।

ଜଡ଼ା ଟିକେ ଲଜ୍ଜିତ ଆଉ ଆମୋଦିତ ବି ହେଲା । ...ସତେ ତ ରାତି ପାହିଲେ ନିତି ଦେଖା ଚାହାଁ, ଡାକ୍ତରବାବୁଙ୍କର ସେ ପୁଣି ନାଗୁଆ ରିକ୍ସାବାଲା । ପୋଇଡଙ୍କ କି ବୋଇତାଳୁ ଫୁଲ ଦିଇଟା ତ ଆଣି ତାଙ୍କ ଘରେ ସେ ଦେଇ ପାରିଥାଆନ୍ତା । କାହିଁକି କେଜାଣି ଏଇ କଥାଟା ତା’ ମଗଜକୁ ଜୁଟିଲାନି । ...ହଁ ଆଣି ଦେଇ ଥାଆନ୍ତା ଯେ ପରଦିନକୁ ଜାଡ଼ି ଯେତେବେଳେ ଗୋଟିଗୋଟି କରି ହିସାବ ନେଇ ଥାଆନ୍ତା ! ମାରୱାଡ଼ି ଘର ବୋହୂ କି ବୁଢ଼ୀମାନଙ୍କ ହାତରୁ ସିନା ପାଞ୍ଚ ଜାଗାରେ ସାତ ଗଡ଼ିଆସେ, ଡାକ୍ତରବାବୁ କି ତାଙ୍କ ସ୍ତ୍ରୀ ହାତରୁ ତ ନୂଆ ପଇସାଟେ ବି ଗଡ଼ିବନି । ତା’ ସାଙ୍ଗକୁ ଡାକ୍ତରବାବୁଙ୍କ ଘରେ ଯେଉଁ ଛୁଆଁଛୁତିର ବାରଣ । ତାଙ୍କ ସ୍ତ୍ରୀକୁ ତ ଶୁଚିବାୟୀ ରୋଗ ଥିଲାଭଳି ଲାଗେ । ଅନ୍ୟ ଜାତିର ଲୋକ କେହି ଘର ଭିତର ତ ଛାଡ଼, ବାରଣ୍ଡା ଉପରକୁ ଉଠିଲେ ବି ଡାକ ପଡ଼ିବ ଝରକୁ, ଆଣି ଗୋବର ପାଣି ପକେଇବାକୁ । ଝରଟା ବି କୋଉ ଜାତିର କେଜାଣି ! ୟାଙ୍କ ଘରେ ତ କେବେଠୁ ରହି କାମ କରୁଛି । ୟା ଭିତରେ ବ୍ରାହ୍ମଣ ଅନ୍ନ ଖାଇ ପକ୍କା ବ୍ରାହ୍ମଣିଆଣୀ ଦେଖେଇ ହଉଛି । ବାବା କି ଖରଖରି ଖରତୁଣ୍ଡି ମାଇକିନିଆ ସେ । ଝର ସବୁବେଳେ ଜଡ଼ାକୁ ତାଗିଦ କରେ ଡାକ୍ତରବାବୁଙ୍କ ହତା ଭିତରେ ଟିକେ ଦେଖିଚାହିଁ ଚଳପ୍ରଚଳ ହେବାକୁ, ଲୁଗାପଟା ଶୁଖୁଥିବ କେଉଁଠି କୁଆଡ଼େ ଦେହ ବାଜି ମାରା ହେଇ ଯିବ । ଝର ଟିଉଲରୁ ପାଣି କାଢ଼ି ପିଇବା ପାଇଁ କୋଉଠୁ ଲୋଚାକୋଚା ରସ ଲୋଟାଟେ ଆଣି ଜଡ଼ା ହାତକୁ ନ ଛୁଇଁ ଟେକିକି ପକାଏ । ସେତେବେଳେ ତା’ ମୁଣ୍ଡକୁ ସେଇ ଲୋଟାରେ ଛେଚି ଦବାକୁ ଜଡ଼ାର ଭାରି ଇଚ୍ଛା ହୁଏ ।

ଘରଠାରୁ ଦଶ କିଲୋମିଟର ଦୂର ଏ ବଜାରକୁ ନିତି ରିକ୍ସା ନେଇକି ଆସୁଥିଲେ କି ଏ ବଜାରରେ ଲୋକଙ୍କ ସାଙ୍ଗରେ ନିତି ଚଳପ୍ରଚଳ ହଉଥିଲେ ବି ଜଡ଼ାକୁ ଲାଗେ ଏ ବଜାରରେ ସେ ଜଣେ ଦୂର ବିଦେଶୀ, ଏଠି ସେ ନା କାହାରି ନିଜର, ନା ଏଠି କେହି ତା’ର ନିଜର । ସବୁଆଡ଼େ ତା’ ପାଇଁ ଯେମିତି ଗୋଟେ ଛାଡ଼ଛାଡ଼ ଦୂରଦୂର ଭାବ, ସତେ ଯେମିତି ସେ ଏଠିକି ଜୋର କରି ଧସେଇ ପଶିଆସିଛି, ଗୋଟେ ମର୍ଯ୍ୟାଦାହୀନ ଅପାଂକ୍ତେୟ ମଣିଷ, କୋଉ ତାଲିକାରେ ତା’ର ନା ନାହିଁ ଏଠି । କାମସାରିବା ପରେ ସେ ସେଇଥିପାଇଁ ଏ ବଜାର ଛାଡ଼ି ଆତୁର ହେଇ ଘରକୁ ପଳେଇ ଯାଇ ତା’ ସୁଖଦୁଃଖର ସଂସାରକୁ ଜାବୁଡ଼ି ଧରେ ।

ଆହା ଏତେ ଦିନକେ ଡାକ୍ତରବାବୁ ଆତ୍ମାକୁ ଛୁଇଁଯିବା ଭଳି କେଡ଼େ ଅନ୍ତରଙ୍ଗ କଥାଟେ କହିଲେଟି....ଆମେ ସବୁ ସୁଖଦୁଃଖକୁ ନେଇ ଭାଇବିରାଦରୀ ହେଇ ରହିଛନ୍ତି । ଯାହା ହଉ କେହି ତ ଜଣେ ତାକୁ ଆପଣାର ବୋଲି ଭାବୁଛି, ସେ ପୁଣି ଏମିତି ସେମିତି ଲୋକଟେ ନୁହେଁ, ଆଖପାଖ ପଚାଶ ଖଣ୍ଡ ଗାଁର ଜଣାଶୁଣା ଡାକ୍ତର ଜଣେ ।

ଅବଶ୍ୟ ଡାକ୍ତରବାବୁ ଏବେ ସମସ୍ତଙ୍କୁ ବେଶ ଆପଣାପଣରେ ଲୋଡ଼ିବାକୁ ବ୍ୟସ୍ତ । ଡାକ୍ତରବାବୁଙ୍କ ଚରିତ୍ରରେ ଏହି ‘ବସୁଧୈବ କୁଟୁମ୍ବକମ’ ଭାବଟା ଜାଗ୍ରତ ହେଇଛି ବଜାରରେ ମହାପାତ୍ର ଡାକ୍ତରର ଆବିର୍ଭାବ ପରେ । ମହାପାତ୍ର ଡାକ୍ତର ବିଲାତ ଫେରନ୍ତା । ବିଲାତ ନାଁ ଟା ଶୁଣିଲେ ତ ଆମ ଲୋକମାନେ ବାଇ । ସବୁ ରୋଗୀ ଏବେ ଧାଡ଼ି ଲଗେଇଛନ୍ତି ମହାପାତ୍ର ଡାକ୍ତର ପାଖରେ । ଆଉ ସବୁ ଡାକ୍ତରମାନେ ଏବେ ହାତ ଟେକି ବସିଲେଣି । ଆଗରୁ, ଅପେକ୍ଷା କରି ବସିଥିବା ରୋଗୀଙ୍କୁ ଦୂରଦୂର ମାରମାର କରି ଗୋଡ଼ଉଥିବା ଡାକ୍ତରବାବୁଙ୍କ ସ୍ତ୍ରୀ କିମ୍ବା ତାଙ୍କ ଆଜ୍ଞାକାରିଣୀ ଝର ବି ଏବେ ବେଶ ଆଦର କରି ରୋଗୀମାନଙ୍କ ସାଙ୍ଗରେ କଥା ହଉଛନ୍ତି । କିଏ ପାଣି ଗିଲାସଟେ ମାଗିଲେ ଟିଉଲରୁ ଆଣି ପିଇବାକୁ ଲୋଚାକୋଚା ଲୋଟା ବଦଳରେ ଝର ଏବେ ନିଜେ ଯାଇ ଟିଉଲରୁ ନିଜ ହାତରେ ଅରଖ ନୂଆ ଷ୍ଟିଲ୍ ଗିଲାସରେ ପାଣି ଆଣି ଦଉଛି । ଏମିତିକି ଝାଡ଼ା ପରିସ୍ରା ପରୀକ୍ଷା କରିବାକୁ ସକାଳୁ ସକାଳୁ ନମୁନା ଧରି ଆସୁଥିବା ଲୋକମାନଙ୍କ ପାଖରୁ ନିଜ ହାତରେ ସେ ଅସନା ଜିନିଷ ସବୁ ନେଇ ପରୀକ୍ଷା ଜାଗାରେ ସଜେଇକି ରଖୁଛି । ଡାକ୍ତରବାବୁ ବୋଧହୁଏ ତାଙ୍କ ସ୍ତ୍ରୀ ଆଉ ଝରକୁ ତାଗିଦ କରି ଦେଇଛନ୍ତି ବେପାର ବୁଦ୍ଧି ନ ଖଟେଇଲେ ମହାପାତ୍ର ଡାକ୍ତର ବେଉସା ଚଉପଟ କରିଦବ ।

ସେଦିନ ରିକ୍ସାରେ ଗଲାବେଳେ ଡାକ୍ତରବାବୁ ବଡ଼ ବିଷର୍ଣ୍ଣ ଗଳାରେ ଜଡ଼ାକୁ କହିଲେ - “ସତ କଥା କହିଲେ ଜଡ଼ାରେ, ତୋ ଭଳି ଲୋକ କେଡ଼େ ଭାଗ୍ୟବାନ । ନିଜ ହାତରେ ଫଳେଇ ଶୁଦ୍ଧ ଫଳଫୁଲୁରି, ପନି ପାରିବା ଖାଉଛୁ, ନିଜ ହାତରେ ଦୁହିଁ କି ମନ୍ଥିକି ଦୁଧ, ଦହି ୃ, ଘିଅ ଖାଉଛୁ । ଶୁଦ୍ଧ ଗୁଆ ଘିଅରେ ଠାକୁରଙ୍କ ପାଖରେ ସଞ୍ଜବତୀ ପକଉଛୁ; ଠାକୁର ତମ ଉପରେ ବଡ଼ ସନ୍ତୁଷ୍ଟ ଥିବେରେ । ଆମର ଆଉ ସେ ଭାଗ୍ୟ କାହିଁ ! ଦେଖୁନୁ ଆମ ହୀନିମାନିଆ ଜୀବନକୁ, କିଏ କୋଉଠି ଗୁହମୂତରେ ଲଗେଇ ସାର, ବିଷ ଦେଇ ବଜାରରେ କି କି ପନିପରିବା ଆଣି, କି କି ଔଷଧ କି ଖାଦ୍ୟ ଦେଇ ଜର୍ସି ଗାଈ କି ମଇଁଷି ଦୁଧ, ଦହି, ଘିଅ ଆଣି ବିକୁଛନ୍ତି । ଠାକୁରଙ୍କ ପାଖରେ ହୋମ କରିବାକୁ ଟିକେ ଶୁଦ୍ଧ ଗୁଆ ଘିଅ କୋଉଠୁ ମିଳୁଛି ? ରୁଦ୍ରାଭିଷେକ ଟିକେ କରେଇବି ବୋଲି କେବେଠୁ ମାନସିକ କଲିଣି ଯେ ଶୁଦ୍ଧ ଗୁଆ ଘିଅ ଟିକେ ମିଳୁନି ବୋଲି କରି ପାରୁନି । ..... ମୁଁ ବି କେତେ ଥର ଭାବିଲିଣି ଆମ ଗାଁରେ ଲୋକ ଲଗେଇ ପନିପରିବା ଚାଷ କରେଇବି, ଗାଈ ଦିଇଟା ରଖିବି । ଛୁଆପିଲାଙ୍କ ମୁହଁରେ ଶୁଦ୍ଧ, ସୁସ୍ଵାଦୁ ଜିନିଷ ଟିକେ ବାଜିବ । କିନ୍ତୁ କାହାକୁ କି ବିଶ୍ଵାସ କରି ଦାୟିତ୍ଵ ଦବ କହୁନ । ସବୁ ନିଜେ ଖାଇ ଦେବେ । ..... କିନ୍ତୁ ଏ ଡାକ୍ତରୀ ବେଉସାରେ ଆସିକି ଯାହା ଘାଟା ହେଲାଣି ଲାଗୁଛି ନିଜେ ଯାଇ ଏ ଧନ୍ଦା କରିବାକୁ ହିଁ ପଡ଼ିବ ।

କିଏ କିଏ କଥା ହଉଥିବାର ଜଡ଼ା ଶୁଣିଛି ଡାକ୍ତରବାବୁଙ୍କର ଏ ଯେଉଁ ବେପାର ମାରା ହଉଛି ସେଥିପାଇଁ ରିଷ୍ଟ ଖଣ୍ଡନ କରିବାକୁ ତାଙ୍କ ଗୁରୁ କୁଆଡ଼େ ତାଙ୍କୁ ପ୍ରତି ସଂକ୍ରାନ୍ତିରେ ରୁଦ୍ରାଭିଷେକ ଯଜ୍ଞ କରିବାକୁ ପରାମର୍ଶ ଦେଇଛି । ଯଜ୍ଞ ପାଉଁଶକୁ ମହାପାତ୍ର କ୍ଲିନିକଠାରୁ ନିଜ ଘର ପର୍ଯ୍ୟନ୍ତ ରାତିରେ ବୁଣିବୁଣି ଆସିଲେ ରୋଗୀମାନେ କୁଆଡ଼େ ମହାପାତ୍ର କ୍ଲିନିକରୁ ଗିଡ଼ିଗିଡ଼ି ହେଇ ପାଢ଼ୀ ଡାକ୍ତର କ୍ଲିନିକକୁ ପଳେଇ ଆସିବେ ।

ଯାହାବି ହଉ ଏତେବଡ଼ ଲୋକଟା ଯେତେବେଳେ ମୁହଁସାରି କହିଲାଣି, ଜଡ଼ା ତା’ ପରଦିନ ଶୁନଶୁନିଆ ଶାଗ, ଜହ୍ନି, ପୋଟଳରୁ କିଛିକିଛି ନେଇ ଡାକ୍ତରଙ୍କ ଘର ବାରଣ୍ଡାରେ ରଖିଲା । ଝର ଆସି ଦେଖି ତା’ ଆଖି ଟେରା ହେଇଗଲା । ଝଅଟ କରି ଉଠେଇକି ନେଇ ଡାକ ପକେଇ ପକେଇ ଘର ଭିତରକୁ ଦଉଡ଼ୁ ଥିବାର ଜଡ଼ା ଶୁଣିଲା “ମା, ଦେଖ ଆମ ଜଡ଼ା କି ଅପୂର୍ବ ଦରବ ସବୁ ତା’ ଘରୁ ଆଣି ଦେଇଛି ...ସେଦିନ ବାବୁ ଆସି କହୁ ନଥିଲେ ଜଡ଼ା ବାରିର ପରିବା କଥା ।”

ତା’ ପର ଦିନକୁ ଡାକ୍ତରଙ୍କ ସ୍ତ୍ରୀ ଜୀବନରେ ପ୍ରଥମ ଥର ପାଇଁ ଜଡ଼ାକୁ ଦର୍ଶନ ଦେଇ କଥାହେଲେ - “କିରେ କି ଅମୃତ ଫଳଉଛୁକିରେ ବାରି ବଗିଚାରେ । ପନିପରିବା ନା ଅମୃତ କିରେ ! ଏତେ ଦିନ ଯିବାଆସିବା କରୁଛୁ ଆଉ ଆମକୁ ତ ଟିକେ ଚଖେଇ ନଥିଲୁ । ଡାକ୍ତରବାବୁ କହୁଥିଲେ ମାରୱାଡ଼ି ଘର ମାଇକିନାମାନଙ୍କୁ ତୋ ବାରି ପନିପରିବା ଖୁଏଇ କୁଆଡ଼େ ଚୁର୍ କରି ଦେଲୁଣି । ଶୁଣିଲି ତୋ’ ସ୍ତ୍ରୀ କୁଆଡ଼େ ଭାରି ଭଲ ଘିଅ ବନଉଚିରେ । ଭାରି ପାରିବାର ସ୍ତ୍ରୀଟେ ଏକା ପାଇଛୁ....।”

“ହଁ ତା’ରି ଯୋଗୁ ଏ ସବୁ ଜିନିଷ ତ ହେଇ ପାରୁଛି । ବହୁ ପରାଣୀ କୁଟୁମ୍ବ ମା, ଏ ସବୁ ନ କଲେ ବାହାପିଟି ଏଡେ ବଡ଼ ସଂସାରଟେ କେମିତି ଚଳେଇ ହବ କହୁନ ।”

“ବାବା ବଡ଼ ଅମୃତହସ୍ତା ଝିଅ ସେ । କୋଉଠି ତା’ ବାପଘର କିରେ....।”

“ ଏଇ କଷିଗଡ଼ିଆ ମା ।”

“ କଷିଗଡ଼ିଆ, ମାନେ ନୀଳଗିରି ସେ ପାଖକୁ ତ । ଆଃ, ସେ କଥା କହୁନୁ । କଷିଗଡ଼ିଆ ଦୀକ୍ଷିତ ଘର ପରା ମୋ ମାମୁଁଘର । ତା ହେଲେ ସେ ମୋ ମାମୁଁଘର ଗାଁ ଝିଅ । ସେ ଗାଁରେ ବ୍ରାହ୍ମଣ, ଖଣ୍ଡାୟତ, ଛୁଆଁଅଛୁଆଁ ସମସ୍ତଙ୍କ ଘରେ ତ ଦୁଧ, ଦହି, ଘିଅ । ହଁ ଦୁଧ, ଦହି, ଘିଅରେ କୋଉ ଛୁଆଁଅଛୁଆଁ ବାରଣ... ଅଃ, ତାହେଲେ ବାପ ଘରୁ ଶିଖିକି ଆଇଛି ଆଉ । ମୋ ମାଆ ତ ଘିଅ ମାରି ରଖିଥିବ ଯେ ମହମହ ବାସନାରେ ପେଟ ପୂରି ଉଠୁଥିବ । ବାସନାରେ ଦେବତା ଖଟୁଲିରୁ ଓହ୍ଲେଇ ଆସିବେ । ସେଇ ଗାଁର ଝିଅମାନେ ସେମିତି ଅମୃତହସ୍ତା ହେଇଥିବ ନିଶ୍ଚେ । ତୋର ବଡ଼ ଭାଗ୍ୟରେ । ...ମା' ଗଲାଦିନୁ ଆଉ ସେମିତି ଘିଅ ଟିକେ ପାଟିରେ ବାଜିଲାନି ଏଯାକେ । ଶୁଦ୍ଧ ଗୁଆ ଘିଅରେ ମୁଗଡାଲି ଛୁଙ୍କ ଦିଆ ହେଇଥିବ, ଆହା କି ଦିବ୍ୟ ସୁଆଦ ସେ.....।”

“କିନ୍ତୁ ମା, ଅମୃତହସ୍ତା ହେଲେ କଣ ହବ ମାଇପିଟା ତ ବଡ଼ ରୋଗୀଣା ।”

“କାହିଁକି ଡାକ୍ତରବାବୁଙ୍କୁ ଆଣିକି ଦେଖଉନୁ । ଜୁଆନ ମାଇକିନିଆଟା, କଣ ଆଉ ଏମିତି ହେଇଥିବ ଯେ ।”

“କେତେଥର କଥାଟା ବାବୁଙ୍କ କାନରେ ପକେଇଲିଣି ମା । ....ସେ ତ କେତେ କାମରେ ବ୍ୟସ୍ତ ରହୁଛନ୍ତି...।”

“ମଲା ମୋର, ତୁ ତ ଆମର ନିଜ ଲୋକ । ହଉ ସେ ଆଜି ଆସନ୍ତୁ ମୁଁ ତାଙ୍କୁ କହୁଛି ।”

ଜଡ଼ା ତା’ ପରଦିନ ଭଲ କରି କାକୁଡ଼ି ଗଣ୍ଡାଏ ନେଇ ଡାକ୍ତରଙ୍କ ଘରେ ପହଞ୍ଚେଇଲା ।

ଏ ଭିତରେ ଜଡ଼ା କେତେବେଳେ ପୋଟଳ ପାଉଟେ, କେତେବେଳେ ଲାଉଟେ ଆଉ କେତେବେଳେ ଶାଗ ଦି’ ବିଡ଼ା ନେଇ ଡାକ୍ତରବାବୁଙ୍କ ଘରେ ଦେଇଆସେ । ଝର ଖାଲି ଟାକିକି ବସିଥାଏ, ଖପ କରି ଜଡ଼ା ହାତରୁ ଝାମ୍ପି ନେଇ ଘର ଭିତରକୁ ମା' ମା' ଡାକି ଦଉଡ଼ି ଯାଏ, ଯେମିତିକି ଗେହ୍ଲେଇ କୁନି ଝିଅ ନୂଆ ଖେଳଣାଟେ ପାଇଛି । ଘର ଭିତରୁ ବି ଜଡ଼ାଜଡ଼ା ବୋଲି ସାଆନ୍ତାଣୀଙ୍କ ସରାଗିଆ ଡାକଟେ ଶୁଭେ ।

ଜଡ଼ା ଲକ୍ଷ୍ୟ କରେ ଝର ଏବେ ମଝିରେ ମଝିରେ ତାକୁ ଜଡ଼ାରୁ ଜଡ଼ା ଭାଇ ବୋଲି ଡାକିଲାଣି, ଆଉ ଦାଣ୍ଡ ପିଣ୍ଡାରୁ ଦାଣ୍ଡ ଘର ଭିତରକୁ ଜଡ଼ାକୁ ପ୍ରବେଶାଧିକାର ମିଳିଲାଣି । ତା’ ଛଡା ଜାଡ଼ି ବୋଲି ଗୋଟେ ପ୍ରାଣୀ ଏ ଜଗତରେ ଚଳପ୍ରଚଳ ହଉଛି ଆଉ ତା’ର ପେଟ ବେମାରି ଅଛି ବୋଲି ଡାକ୍ତରଙ୍କ କୃପା ଦୃଷ୍ଟିକୁ ଆସିଲାଣି । ୟା’ ଭିତରେ ଡାକ୍ତର ଜାଡ଼ିପାଇଁ କେତେଥର, କମ୍ପାନୀମାନଙ୍କରୁ ମିଳୁଥିବା ମାଗଣା ଔଷଧରୁ କିଛିକିଛି ଦେଲେଣି । କହିଛନ୍ତି ଜାଡ଼ିକୁ ତାଙ୍କ ପାଖକୁ ନେଇକି ଗଲେ ସେ କୁମ୍ପାସ ପକେଇକି ତା’ ଦିହ ମୁଣ୍ଡ ପରୀକ୍ଷା କରି ଦେଖିବେ ।

ହେଲେ ୟେ ଜାଡ଼ି କଣ ମଣ୍ଡଳରେ ବସୁଛି । ଜଡ଼ା ବୁଝେଇ ବୁଝେଇ ଥେୟା ହେଲାଣି । ସେଦିନ ଜଡ଼ା ଯାଇ ତାକୁ ଏ କଥା କହିଲାରୁ ସେ କହିଲା “ମୁଁ ମରି ଯାଉଥାଏ କି । ଡାକ୍ତର ହେଲେବି କୋଉ ଅଚିହ୍ନା ମରଦ ଲୋକ ପାଖରେ ମୁଁ ଯାଇ ବେମହତ ହେଇକି ବସିବି, ସେ ପୁଣି ମୋ ଦିହ ହାତରେ କୁମ୍ପାସ ପକେଇକି ଦେଖିବ । ଛି ଛି କି ବେସରମ କଥା । ମାଇକିନିଆ ଝିଅର ଗୋଟେ ମାନମହତ ବୋଲି କିଛି ଅଛି ନା ନାହିଁ...।”

ତା’ ସାଙ୍ଗକୁ ପୁଣି ରିକିସାରେ ବସି ବଜାର ଯାକେ ଯିବ । ଏମିତି ତ ମିଣିପଟା ମଣିଷ ବୋଝ ବୋହିକି ଆଣି ପୋଷୁଚି, ତା’ ସାଙ୍ଗକୁ ସେ ନିଜେ ପୁଣି ତା’ ଉପରେ ବୋଝହେଇ ବସିବ । କି ତା’ ଅପେକ୍ଷା ତାକୁ ଯମ ନେଇ ଯାଉ ।... ଏତେ ପାପ ମୋର କିଏ ଅରଜିବ ଲୋ ମାଆ ।

ନହେଲେ ହରିଆ ସାହୁ ରିକ୍ସାରେ ବସିକି ଚାଲୁ ବୋଲି ଜଡ଼ା ତାକୁ କହିଲାରୁ ଜାଡ଼ି କହିଲା - “ମଲା, ହରିଆ ସାହୁ ଯେମିତି ଖାଲି ନେଇ ଯିବ । କାନ ରଗଡ଼ିକି ଯିବା ଆସିବା ଖରଚକୁ ଟଙ୍କା କୋଡ଼ିଏଟା ତ ନବ । ଟଙ୍କା କୋଡ଼ିଏଟା ଆସେ କୋଉଠୁ କୁହ ତ । ମୋର ଦିହ ଭଲ ନହେଲା ନାହିଁ । କଣ ଆଉ ଏମିତି ଗୋଟେ ହେଇ ଯାଇଛି କି । କୋଡ଼ିଏ ଟଙ୍କା ଗଣି ମୋର ରିକିସାରେ ବସି ଅୟସ କରିବା ଦରକାର ନାହିଁ ।” ଜଡ଼ା ବୁଝେଇ ବୁଝେଇ ଥେୟା ହେଇଗଲା ପଛେ ଜାଡ଼ି କିନ୍ତୁ ଠୁଳୁ ମନା କରିଦେଲା । ହେଲେ ଏକଥା କଣ ସେ ଡାକ୍ତରବାବୁଙ୍କୁ କହି ପାରୁଛି । ଖାଲି ୟାଡ଼ୁସ୍ୟାଡ଼ୁ ପିଲାଛୁଆଙ୍କ ଦାୟିକା ଦେଇ ଟାଳଟୁଳ କରୁଛି ଯାହା ।

ଏବେ ଏବେ ଜାଡ଼ି ମୁଣ୍ଡକୁ ଗୋଟେ ବଡ଼ ସନ୍ଦେହ ଜୁଟିଛି । ଜଡ଼ା ମଝିରେ ମଝିରେ ଏ ଯେଉଁ ପରିବାପତ୍ର ନେଇକି ଯାଇ କାହାକୁ କଣ ଦଉଛି କାହିଁ କିଛି ପଇସା ପତ୍ର ତ ଆଣି ଦଉନି ! କେତେଥର ସେ ଜଡ଼ାକୁ ପଚାରିଲାଣି । ଜଡ଼ା ତା’ ଉପରେ ଚିଡ଼ି ଉଠି କହେ - “ତୋର ଏଇ ଅତି ହିସାବୀ ଗିଧପଣ ଯୋଗୁଁ ତୋ ଧିଅ ଏତେ ଖରାପ ହଉଛି ।... ଆଉ ଏଇ ଯେଉଁ ଔଷଧ - ଗୁଡ଼ାକ ତୋତେ ଆଣି ଦଉଛି ଯେ ଗିଳୁଛୁ, ସେଗୁଡ଼ାକ କଣ ଆକାଶରୁ ଗଳୁଚି ? ଏଇ ପରିବା ବିକିରି ପଇସାରେ ସେଗୁଡ଼ାକ କିଣିକି ଆଣୁଛି ।” ତଥାପି ଜାଡ଼ି ମନ ବୁଝେନି । ଜଡ଼ା କଣ ଗୋଟେ ଲୁଚଉଛି ବୋଲି ତାକୁ କୋଉଠି ଗୋଟେ ଖଟକା ଲାଗେ । ଲୋକଟା ଆଗରୁ ତ କେତେଥର ଆସି ବାହାଦୂରି ଦେଖେଇ କହୁଥିଲା କିଏ ଗୋଟେ ପାଢ଼ୀ ଡାକ୍ତର ସଙ୍ଗେ ଏମିତି ଭାବ ଜମେଇଛି ଯେ ସେ ତାକୁ ସବୁ କୋମ୍ପାନିରୁ ମିଳୁଥିବା ମାଗଣା ଔଷଧ ଦେଇ ଦଉଛି । ଏବେ ପୁଣି କହୁଛି ପଇସା ଦେଇ ଔଷଧ କିଣୁଛି ବୋଲି । ଯଦି ବିକିକି ପଇସା ଆଣିବା କଥା ପାଏ କି ଅଧ କେଜିଏ କଣ ପାଇଁ ନଉଛି, କେଜିଏ ଦି’ କେଜି ତ ନିଅନ୍ତା । ନା, ଲୋକଟା ଏ ସବୁ ଜିନିଷ ନେଇକି କଣ ପାଇଁ କାହାକୁ ଗୋଟେ ଦଉଛି !

ସେଦିନ ଜାଗର ଯାତ୍ରା ଆଗଦିନ ଏକବାର ପାଳିବାକୁ ଡାକ୍ତରବାବୁଙ୍କ ସ୍ତ୍ରୀ କୋଉଠୁ ଭଲ ସଜନା ଛୁଇଁ ଦିଇଟା ଯୋଗାଡ଼ କରିବାକୁ ଝରକୁ କହୁଥିଲା । ଜଡ଼ା କେଉଁ ରୋଗୀକୁ ଡାକ୍ତରବାବୁଙ୍କ ପାଖକୁ ନେଇକି ଆସିଥିଲା । ଜଡ଼ା ବସିଥିବାର ଦେଖି ଝର ଗେହ୍ଲେଇ ହେଇ କହିଥିଲା “ହଅ, ଆଜିକାଲି ଆଉ କାହିଁ ଦେଶୀ ସଜନା ଛୁଇଁଟେ ପାଟିରେ ବାଜୁଛି । ବଜାରରେ ଯଉଁ ମୋଟା ମୋଟା ଚାଲାଣି ଛୁଇଁ କୋଉଠୁ ଧରିକି ଆଣୁଚନ୍ତି... କି କରକଚିଆ ରିଗିଧିଆ ଲାଗୁଛି ଲୋ ମା, ସେ ଗୁଡ଼ାକ, ଇହିଁ ଇହିଁ ଥୁ । ... ଆମର ଜଡ଼ା ଭାଇ ଥିଲେ ଆମକୁ କଣ ଏ ପୂଣ୍ୟ ପରବ ଦିନରେ ଦେଶୀ ଛୁଇଁ ଦି’ଇଟା ଅଭାବ ହବ । କାଲି ସକାଳୁ ଗାଁରୁ କୋଉଠୁ ଖୋଜି ଲୋଡ଼ି ଆଣି ପହଞ୍ଚେଇ ଦବନି କି ।” ଅଗତ୍ୟା ଜଡ଼ା ଜାଡ଼ିକୁ ଲୁଚେଇ ପୋଥାଳ ଘର ବାରିରୁ ସଜନା ଛୁଇଁ ପୁଞ୍ଜେ କିଣି ନେଇ ଡାକ୍ତରବାବୁ ଘରେ ପହଞ୍ଚେଇ ଥିଲା । ଏବେ ଝରକୁ ଦେଖିଲେ ଜଡ଼ା ବଡ଼ ଆଶଙ୍କିତ ଅନୁଭବ କରେ; କେତେବେଳେ କଣ ଗୋଟେ ଇଆଡ଼ୁସିଆଡ଼ୁ ଲଗେଇ ବରାଦ କରି ଭାରି ଅକଳିଆ ଅବସ୍ଥାରେ ପକେଇ ଦବ ।

ଜଡ଼ା ଉପରେ ଜାଡ଼ିର ସନ୍ଦେହ ଦ୍ଵିଗୁଣିତ ହେଇଥିଲା ଯେଉଁଦିନ ଜଡ଼ା, ପାଏ ଘିଅ କୋଉଠି ବରାଦ ଅଛି ବୋଲି କହି ମାଠିଆରେ ଆଣ୍ଟ କରି ବାନ୍ଧିଦେବାକୁ ଜାଡ଼ିକୁ ବରାଦ କରିଥିଲା । ଡାକ୍ତରବାବୁ, ତାଙ୍କ ସ୍ତ୍ରୀ, ଆଉ ଝର ମିଶି ବେଳକୁବେଳ କେତେ ଉପଲକ୍ଷ ଦେଇ, ଇଙ୍ଗିତ କରି ତା’ ସ୍ତ୍ରୀ ହାତ ତିଆରି ଘିଅ ଟିକେ ତାଙ୍କୁ ଚଖେଇବାକୁ ଜଡ଼ାକୁ ଘାଇଲା କରି ପକେଇଲେଣି । ଏମିତି ଏକ ଅନ୍ତରଙ୍ଗ ଅତ୍ୟାଚାରରୁ ରକ୍ଷା ପାଇବାକୁ ବାଧ୍ୟ ହୋଇ ଜଡ଼ା ଘିଅ ପାଏ ନେଇ ସେମାନଙ୍କୁ ଧରେଇଥିଲା ।

ତା’ପରଦିନ ଡାକ୍ତରବାବୁ ଘରେ ଜଡ଼ା ଉପରେ ଶୁଭେଚ୍ଛାର ବର୍ଷା ଆଉ ତାଙ୍କ ସ୍ତ୍ରୀର ଯଉ ପ୍ରଶଂସା ! ସେ ଘିଅରେ ଦିଆ ଯାଇଥିବା ଦୀପରେ କୁଆଡ଼େ ଘରର ଠାକୁରଙ୍କ ମୁହଁ ଉଜ୍ଜଳି ଉଠି ଠାକୁର ନିମିଷକ ପାଇଁ ଜୀବନ୍ତ ହେଇ ଉଠିଥିଲେ । ଡାକ୍ତରଙ୍କ ଝିଅଜୋଇଁ ଆଇଥିଲେ ଯେ ସେ ଘିଅରେ ତିଆରି ମାଲପୁଆ ଖାଇ ସେଥିରୁ କିଛି ଝିଅ ତା’ ଶାଶୁଘରକୁ ନେଇକି ଯାଇଛି ସେମାନଙ୍କୁ ଚଖେଇବା ପାଇଁ; ଆଉ ବରାଦ କରି ଯାଇଛି ସେଇ ଘିଅରୁ ପୂରା କେଜିଟେ ତା’ର ଦରକାର, ନଗଦ ପଇସା ଦେଇକି ନବ, ଅର୍ଥାତ ଜଡ଼ାର ବ୍ୟବସାୟ ବିସ୍ତାରରେ ଡାକ୍ତର ପରିବାରର ଅକୁଣ୍ଠ ସହଯୋଗ !

ଡାକ୍ତରବାବୁ ଜଡ଼ାକୁ ତାଙ୍କ କ୍ଲିନିକ ଭିତରକୁ ନେଇ ତାଙ୍କ ପାଖ ଚୌକିରେ ବସେଇ ଜାଡ଼ିର ପେଟମରା ବେମାରି ବିଷୟରେ ଟିକିନିଖି ପଚାରିକି ବୁଝିଲେ । ତା’ର ଝାଡ଼ା ପରିସ୍ରା, ବିଶେଷ କରି ସକାଳ ଝାଡ଼ାଟା କେମିତି ହଉଛି ଆଉ କେତେ ପରିମାଣରେ ହଉଚି, କଠିନ ନା ତରଳ ହଉଚି, ସେ କଣ ଖାଉଛି, ଖାଇଲା ପରେ ପେଟକୁ ମାରୁଛି ନା ଖାଲି ପେଟରେ ପେଟକୁ ମାରୁଛି, ଆମ୍ବିଳା ହାକୁଟି ଆସୁଚିକି, ଝାଡ଼ାରେ କୃମି ଦେଖା ଯାଉଛନ୍ତିକି ଇତ୍ୟାଦି, ଯେମିତିକି ଡାକ୍ତରବାବୁ ଶପଥ ନେଇଛନ୍ତି ଜାଡ଼ିକୁ ଭଲ କରିଦେବାରେ ତାଙ୍କ ଡାକ୍ତରୀ ଜୀବନର ସାର୍ଥକତା । ଏଇ ଗୋଟିଏ କେସ ହାତକୁ ନେଇ ବିଲାତ ଫେରନ୍ତା ମହାପାତ୍ର ଡାକ୍ତରକୁ ସେ ମାତ୍ ଦେବେ । ଏମିତି ଦିବ୍ୟ ଗବ୍ୟଘୃତ ଯେଉଁ ହାତ ତିଆରି କରିପାରେ ସେ ହାତ ପାଇଥିବା ମଣିଷଟା ସୁସ୍ଥ ରହିବା ତା’ର ମୌଳିକ ଅଧିକାର ଏବଂ ସମଗ୍ର ଡାକ୍ତରୀ ପେସାର ଏ ବିଷୟରେ ଏକ ଗୁରୁ ଦାୟିତ୍ଵ ଅବଶ୍ୟ ରହିଛି... ।

ତା’ପରେ ଟିକେ କୃତ୍ରିମ କ୍ରୋଧ ଆଉ ଅଭିମାନିଆ କଣ୍ଠରେ ଡାକ୍ତରବାବୁ ଜଡ଼ାକୁ କହିଲେ - “କିରେ କେତେଥର କହିଲି ତୋ ଭାରିଯାଟାକୁ ଟିକେ ନେଇକି ଆ, ମୁଁ ଟିକେ ତା’ ଧିଅ ମୁଣ୍ଡ ପରୀକ୍ଷା କରି ଦେଖେ । କେଡ଼େ ପାରିବାର ସ୍ତ୍ରୀ ଲୋକଟା, ତୁ ତା’ର ମୂଲ୍ୟ କଣ ବୁଝିବୁ ରେ । ....ହେଃ, ମାଙ୍କଡ଼ ବେକରେ ମୋତି ହାର ! ହଅ, ତମେ ସବୁ ଏଠିକି କାହିଁକି ଆଣିବ ! ତମେ ତ ସବୁ ଘରଲୋକଙ୍କୁ ମହାପାତ୍ର ଡାକ୍ତର ପାଖକୁ ନେଇକି ଯିବ, ବିଲାତ ଫେରନ୍ତା ଡାକ୍ତର କି ନା....।” ଜଡ଼ା ସଫେଇ ଦେଲା ଭଳି କହିଲା - “ କେଡ଼େ କଥାଟେ କହିଲେ ସାଆରେ । ଆମେ ସିନା ଛୋଟ ମଣିଷ, କିନ୍ତୁ ବେଇମାନି କରିବୁନି । ଯାହାର ଲୁଣ ଖାଇବୁ ତାହାର ଗୁଣ ଗାଇବୁ । ହ, ପେଟ ପାଇଁ ରିକ୍ସା ବୋହୁଛି ସାଆରେ, କୋଉ ରୋଗୀ କେତେବେଳେ ମହାପାତ୍ର କ୍ଲିନିକକୁ ନେବା କଥା କହିଲେ ନେଇକି ଯିବାକୁ ତ ପଡୁଛି.....କିନ୍ତୁ ...”

“ସେକଥା କଣ କହିବିରେ ଜଡ଼ା । ତୋତେ ମୁଁ କହୁନାହିଁରେ । ଏଇ ଲୋକମାନଙ୍କ ବେଇମାନି ଦେଖିକି ମନଟା ବିରକ୍ତ ହେଇ ଯାଉଛିରେ । ଯେଉଁ ଲୋକମାନଙ୍କୁ ମାଗଣା ଔଷଧ ଦେଇ ଭଲକରି ଛାଡ଼ିଥିଲି ଏବେ ସେମାନେ ସବୁ ମହାପାତ୍ର କ୍ଲିନିକରେ ଯାଇ ଧାଡ଼ି ଲଗଉଛନ୍ତି । ସେବାଟେ ଗଲାବେଳେ ମୋତେ ଦେଖି କି ମୁହଁ ଲୁଚଉଛନ୍ତି, ମୁଁ କୁଆଡ଼େ ଚିହ୍ନିଦେବି ବୋଲି । ...ଆରେ, ମୁଁ କଣ ସେମାନଙ୍କ ଭଳି ଛୋଟ ଲୋକ ହେଇଛିକିରେ । ମୁଁ ଜାଣିଛି ତୁ ସେମିତି କାମ କରିବୁନି...। ଖାଲି ଚିଟା ଲାଗିଥିଲା ବୋଲି ତୋତେ ଗୋଟେ ଉପଲକ୍ଷ କରି ସିନା କହି ଦେଇଥିଲି। ... ହଉ ଯାଆ, ତୋତେ ଯାହା ଯାହା କହିଲି ଠିକ ଠିକ ସବୁ ସେୟା କରିବୁ । ଟିକେ ଏପଟ ସେପଟ କରିବୁନି । ତୋ ସ୍ତ୍ରୀକୁ ମୁଁ ଭଲ କରିକି ହିଁ ଛାଡ଼ିବି । ନେ ଏଇଟା ତୋ ଭାରିଜାକୁ ନେଇ ଦବୁ, କହିବୁ ଡାକ୍ତରବାବୁ ଦେଇଛନ୍ତି ।” “...ହଁ ଆଗ ସଂକ୍ରାନ୍ତି ଦିନ ରୁଦ୍ରାଭିଷେକ ପାଇଁ ଘିଅ ଦାୟିତ୍ଵଟା ତୋ’ ଉପରେ ରହିଲା; ବେଶିଦିନ ଆଉ ନାହିଁ ଜାଣିଥାଆ । ତୋ ସ୍ତ୍ରୀକୁ କହିଦବୁ, ମୁଁ ନିଜ ହାତରେ ସବୁ ପରୀକ୍ଷା କରି ତା’ ରୋଗଟାକୁ ନିଶ୍ଚେ ଧରିବି ଆଉ ତାକୁ ଭଲ କରିକି ଛାଡ଼ିବି । ତୋତେ ଗୋଟେ ପଇସା ଖରଚ କରିବାକୁ ପଡ଼ିବନି । ଯଜ୍ଞଦିନ ତା’ ନାଆଁରେ ଆହୁତି ଦେଇ ତା’ କଥାଟା ବି ଠାକୁରଙ୍କୁ ଟିକେ ଜଣେଇବି ।”
ଡାକ୍ତରବାବୁ ଦେଇଥିବା ଦିଇଟା ବଡ଼ ଔଷଧ ବୋତଲକୁ ନେଇ ଜଡ଼ା ବଡ଼ ଖୁସିରେ ଜାଡ଼ିକୁ ଦେଲା । ସେଥିରୁ ଗୋଟେ ଖୋଲି ଖାଇବାବେଳକୁ ବହୁତ ବାସନା ହେବାରୁ ଜାଡ଼ି ତାକୁ ଖାଇ ପାରିଲାନି । ଆରଟା ଭାରି ସୁଆଦ ଲାଗିଲା । ଜଡ଼ା ବୋତଲ ଦିଇଟାକୁ ନେଇ ପାଠପଢ଼ୁଆ ଗାଁ ପିଲାଙ୍କୁ ଦେଖେଇବାରୁ ପଢିକି ଜଣା ପଡ଼ିଲା ସେଥିରୁ ଗୋଟେ ଟନିକ ବୋତଲ ଆଉ ଆରଟା ଉକୁଣିମରା ବାସନା ତେଲ ।

ଜାଡ଼ି ମନରେ ଜଡ଼ା ଉପରେ ସନ୍ଦେହଟା ଆହୁରି ଜଡ଼ିକି ରହିଲା ଯେଉଁଦିନ ପାଏ ଘିଅର ପଇସାଟା ବି ତା’ ହାତକୁ ଆସିଲାନି ।

ଜଡ଼ା ମନେମନେ କେତେ ଫନ୍ଦି କଲା ଜାଡ଼ିକୁ କେମିତି ବୁଝେଇବ । ପ୍ରଥମେ ଭାବିଲା କହିବ ଦିହ ଭଲ କରିଦବା ପାଇଁ ବଜାରର କ୍ଷେମେଶ୍ଵର ମହାଦେବଙ୍କ ପାଖରେ ମାନସିକ କରିଥିଲା । ମହାଦେବଙ୍କ ମୁଣ୍ଡରେ ଘର୍ଷଣ କରିବା ପାଇଁ ପାଏ ଘିଅ ନେଇ ସେ ପୂଜାରୀକୁ ଦେଇଛି । ପଛରେ କେମିତି ଗୋଟେ ଭୟ ଆଉ ଦୋଷୀଦୋଷୀ ଭାବ ତାକୁ ଘାରିଲା । ଛି, ଠାକୁରଙ୍କ ନାଆଁରେ ଏତେ ବଡ଼ ମିଛଟେ କହିବ ସେ ! ପୁଣି କ୍ଷଣକୋପୀ କ୍ଷେମେଶ୍ଵର ମହାଦେବ, କଣ କେତେବେଳେ ହେଇଯିବ ! ନ ହେଲେ କହିଦେବ ଜାଡ଼ି ଦେହ ଭଲ ହେଇଯିବା ପାଇଁ ଗୋଟେ ଗରିବ ରୋଗୀକୁ ଦାନ କରି ଦେଇଛି । ଲୋକଟାର ଶକ୍ତ ମେହ ରୋଗ । ଘୋଡ଼ାମରା ଗାଁ ବଇଦ ପାଣି ଦେଖି ବତେଇଲା ମୋଦକ ବନ୍ଧାଯିବ, ଗୋଟେ ପା’ ଖାଣ୍ଟି ଗୁଆ ଘିଅ ଦରକାର। ତା’ରି ରିକିସାରେ ଲୋକଟା ବଇଦ ଘରକୁ ଯାଇଥିଲା । ପାଏ ଖାଣ୍ଟି ଗୁଆ ଘିଅ କଥା ଶୁଣି ମୁଣ୍ଡରେ ହାତଦେଇ ବସିଲା । ଭାରି ଗରିବ ଲୋକଟା, ତା’ ଦୁଃଖ ଦେଖି ......।

ଜାଡ଼ିର ମନରେ କିନ୍ତୁ ଛନକା ପଶିଛି । ଲୋକଟା ଆଉ କିଛି ଅବାଟରେ ଗଲାକି ? ବାଟରେ କୋଉଠି ଦଳେ ଛଟକି ମାଟିଆଣୀ ହାଣ୍ଡିଆ ଧରି ବସୁଛନ୍ତି । ହାଣ୍ଡିଆ ପିଏଇ ସେ ଦଳକ ଛଟକରେ ମରଦଙ୍କୁ ମେଣ୍ଢା ବନେଇ ତାଙ୍କ ରୋଜଗାର ସବୁ ଲୁଟୁଛନ୍ତି । ତାଙ୍କ ପାଲରେ ପଡ଼ି କେତେ ମରଦଙ୍କ ଘର ଉଜୁଡିଲାଣି । ସବୁ ରିକ୍ସାବାଲା କୁଆଡ଼େ ଧିଅ ଦରଜ ମାରିବାକୁ ଦି’ପହରେ ଯାଇ ତାଙ୍କରି ପାଖରେ ଆଡ୍ଡା ଜମଉଛନ୍ତି । ଦିନଯାକର ରୋଜଗାର ସେଇ ମଜଲିସରେ ମଉଜ କରି ଉଡ଼େଇ ଦଉଛନ୍ତି । ଘରେ ଏଣେ ପିଲାମାଇପ ଉପାସ । ପଚାରିଲେ ମାଇପ ଉପରେ ପିଟଣା । ହରିଆ ସାଉ ତ ହାଣ୍ଡିଆ ପିଇ ଆସି ଦିନି ମାଇକିନିଆକୁ ପିଟୁଥିଲା । ସହିସହି କି ସେଦିନ ତା’ ମାଇକିନିଆ ହରିଆ ସାଉକୁ ଓଲଟି ଛାଞ୍ଚୁଣିରେ ପିଟିପିଟି ବେହାଲ କରି ପକେଇଲା । ଝାଡୁ ଧରିକି ହରିଆ ସାଉକୁ କହିଲା ଚାଲ ଏଥର ତୋ’ରି ରିକ୍ସାରେ ବସିକି ଯିବି, ସେ ଖାନିକି ଘରଭାଙ୍ଗି ମାଟିଆଣୀମାନଙ୍କୁ ଝାଡ଼ୁରେ ପିଟି ସାବାଡ଼ କରି ଆସିବି । ସେଇଦିନୁ ହରିଆ ଟିକେ ଆଇତିରେ ଅଛି । ଏ ଲୋକଟା ଆଉ ସେମାନଙ୍କ ପାଲେ ପଡ଼ିଗଲା କି ! ହେ ଭଗବାନ ! ଘରକୁ ଫେରିଲେ ଜାଡ଼ି ଜଡ଼ା ପାଖକୁ ଲାଗି ଆସି କେତେ ବାହାନା କରି ତା’ ପାଟିକୁ ଶୁଙ୍ଘେ, ହାଣ୍ଡିଆ ବାସନା ଆସୁଚିକି ଆଉ । ନା ତ, କିଛି ଜଣା ପଡ଼ୁନି। ଲୋକଟା ବି ବେଶ ହୋସରେ ରହି କଥାବାରତା କରୁଛି । ସବୁ ଠିକେ ଠିକେ ବତଉଛି - ଡାକ୍ତର କଣକଣ କହିଛି, କି କି ପରୀକ୍ଷା ସବୁ କେମିତି ହବ ଆଉ ସେଥିପାଇଁ କେମିତି କଣ କରିବାକୁ ପଡ଼ିବ, ଯେମିତି ଟିକେ ଏପଟସେପଟ ନ ହବ, ନହେଲେ ସବୁ ବିଗିଡ଼ି ଯିବ; ଆମ ଡାକ୍ତରବାବୁ ଏ ସବୁଥିରେ ଭାରି କଡ଼ା ଲୋକ ବୋଲି କହୁଛି ।

ଜାଡ଼ିକୁ ଗୋଟେ ଭାରି ଦୋଷୀଦୋଷୀ ଭାବ ଘାରିଲା । ଲୋକଟା ତା’ ପାଇଁ କେତେ ଘୂରିସାରି ହଉଛି ଆଉ ସେ ତାକୁ ନେଇ କି କି ଅବର୍ଜ୍ୟା କଥା ସବୁ ଭାବୁଛି । ତେବେ ବି କେତେବେଳେ କୋଉ କଥା, ମରଦ ଲୋକ ମନ ତ, ମନସୁଖ କି ଧିଅସୁଖ କରିବାକୁ .... ଯଦି ...... ।

ଡାକ୍ତରବାବୁ ଯେମିତି ବତେଇଥିଲେ ଠିକ ସେମିତି, ପରୀକ୍ଷା କରିବାକୁ ଜାଡ଼ିର ନମୁନା ନେଇ ଡାକ୍ତର ବାବୁଙ୍କ ଘରେ ପହଞ୍ଚେଇ ଦେଲାପରେ ଜଡ଼ା ଭାରି ଆଶ୍ଵସ୍ତ ହେଲା । ଜାଡ଼ି ସିନା ତାଙ୍କ ପାଖକୁ ଆସିବାକୁ ମଙ୍ଗିଲାନି ହେଲେ ଡାକ୍ତର ବାବୁ ଆଶ୍ଵାସନା ଦେଇଛନ୍ତି ତା’ ରୋଗଟା ସେ ନିଶ୍ଚୟ ଧରିବେ, ଜାଡ଼ିର ଧିଅ ଭଲ ହେଇଯିବ, ତା’ ସଂସାର ଭାସିଯିବାରୁ ରହିଯିବ । ଯାଉ ପଛେ ପାଏ ଘିଅର ପଇସା । ଜାଡ଼ି ତା’ର କଦର କଣ ବୁଝିବ !

ଦିନେ ଦି’ ଦିନ ଗଲା । ଓର ଉଣ୍ଡି ଜଡ଼ା ଯାଇ ଡାକ୍ତରବାବୁଙ୍କ ଘର ଆଗରେ ଆଉ ଘରକୁ ଲାଗିଥିବା ତାଙ୍କ କ୍ଲିନିକ ଆଗରେ ଟହଲ ମାରିଲା । ରିପୋର୍ଟରେ ସତରେ କଣ ବାହାରିଛି କେଜାଣି, ଜଡ଼ାର ମନ ଭାଆରି ଛୁକୁପୁକୁ ହେଲା । ଜାଡ଼ିକୁ ଲୁଚେଇ ସାଙ୍ଗରେ ମଞ୍ଚାରେ ଫଳିଥିବା ଜହ୍ନି ପୁଞ୍ଜାଏ ବି ନେଇ ଯାଇଥିଲା । ଜାଡ଼ି ପଚାରିଲେ କହିଦବ ଏ ଘରବୁଡ଼ା ମାଙ୍କଡ଼ ଦଳେ ପରା, ସେ ହାଁ ହାଁ କରି ଆସୁଆସୁ ସବୁ ଟୁକଟୁକ କରି ଛିଡେଇ ନେଇ ପଳେଇଲେ । ଛନଛନିଆ ସବୁଜ ଜହ୍ନିକୁ ଦେଖି ଛଇଳି ଝର ବି ଉଚ୍ଛନ୍ନ ।

କ୍ଲିନିକ ଆଡ଼କୁ ଯାଇ କେତେ ଆଳ କରି ଜଡ଼ା ଡାକ୍ତରବାବୁଙ୍କ ସଙ୍ଗେ କଥା ଯୋଡ଼ିଲା “ମଞ୍ଚାରେ ନୂଆ କରି ଜହ୍ନି ଦିଇଟା ଫଳିଥିଲା ଯେ ଭାବିଲି ନେଇ ଡାକ୍ତରବାବୁଙ୍କୁ ଦେଇ ଆସେ” । ଡାକ୍ତରବାବୁ କୃପା ଦୃଷ୍ଟି ପକେଇ ହସିଲେ । ସେ ହସ ଭିତରେ ଜଡ଼ା ଦେଖିଲା ବରାଭୟ ମୁଦ୍ରାରେ ଅୟୁତ ଅୟୁତ ଆଶ୍ଵାସନା - ଜାଡ଼ିର ସୁସ୍ଥ ଜୀବନ ଡାକ୍ତରବାବୁଙ୍କ ଦାୟିତ୍ଵ ।

ପର ମୁହୁର୍ତ୍ତରେ ଜଡ଼ା ଟିକେ ହତାଶ ହେଲା । କାହିଁ ଡାକ୍ତରବାବୁଙ୍କ ମୁହଁରୁ ତ ରିପୋର୍ଟ ବିଷୟରେ ପଦୁଟେ ବି ବାହାରୁନି । ପରୀକ୍ଷା ପରେ କେତେ ଦିନକେ ଆଉ ରିପୋର୍ଟ ବାହାରେ କି ? କେତେ ରୋଗୀଙ୍କୁ ସେ ଡାକ୍ତରଙ୍କ ପାଖକୁ ଧରିକି ଆସୁଛି, ସେ ତ ଦେଖିଛି ଅନ୍ୟମାନଙ୍କର ସେଇ ଦିନ ସଞ୍ଜବେଳକୁ ରିପୋର୍ଟ ଆସି ଯାଇଥାଏ । ଡାକ୍ତରବାବୁଙ୍କ ସେଦିନର ନିଜର କଲାଭଳି ଉଚ୍ଛଳ ଭାବଟା ବି ନାହିଁ । ଜାଡ଼ିକୁ ଆଉ କଣ କିଛି ଶକ୍ତ ବେମାର ଧରି ପକେଇଲା କି, ଡାକ୍ତରବାବୁ କଣ କିଛି ଲୁଚଉଛନ୍ତି ?

...ନା ପାଏ ଘିଅର ପ୍ରଭାବ ଏତେ ଶୀଘ୍ର ସରିଗଲା ! ପାଏ ଘିଅର ପ୍ରଭାବ କଣ ମାତ୍ର ଚବିଶ ଘଣ୍ଟା । ଜହ୍ନି ପୁଞ୍ଜାକର ଅସର ଖାଲି କଣ ଟିକେ ମୁରୁକି ହସ !!

ତହସିଲ ଅଫିସ କି ଥାନାରେ ହାତ ଗୁଞ୍ଜା ଦେଲାଭଳି ରୁଦ୍ରାଭିଷେକ ଯଜ୍ଞ ପାଇଁ ଘିଅ କେଜିଟେ ନ ଦେଲା ପର୍ଯ୍ୟନ୍ତ କଣ କାମ ଆଗେଇବ ନି ? ହେ ଭଗବାନ ! ପାଏ ଘିଅ ପାଇଁ କେତେ ମିଛ କହିବାକୁ ପଡ଼ିଛି; ଆଉ ଏ କେଜିଏ ଘିଅ ସେ ଜାଡ଼ି ପାଖରୁ କେମିତି ବାହାର କରିବ ? ଯଜ୍ଞ ଆଉ କେତେ ଦିନଟି ? ଆଉ ମାତ୍ର ଚାରି ଦିନ । ଖାଲି ରିପୋର୍ଟଟା ହାତରେ ପଡ଼ୁ, ତାକୁଇ ଦେଖେଇ ଜାଡ଼ି ପାଖରୁ ସେ ଖାଡ଼ା ଖାଡ଼ା କିଲେ ଘିଅ ଝଡ଼େଇବ ।

………ଜାଣିଛୁ ୟେ କେଡ଼େ ବଡ଼ ପରୀକ୍ଷା, ଦେଖିଛୁ ସେ ପରୀକ୍ଷା ଯନ୍ତ୍ର ? କହିକହି ତ ବେଳେକାଳେ ବିଳରୁ ବାହାରିଲୁନି, ଦେଶ ଦୁନିଆ ବିଷୟରେ ଜାଣିବୁ କେମିତି ! ତୋର ତ ସେଇ ଘିଅ ପାଆଟେ କି ଜହ୍ନି ପୁଞ୍ଜାକର ଦୁନିଆ । ....ଧିଅ ଭିତରର ସବୁ ହାଲ ହଇକତ, ରୋଗ ବଇରାଗ ସବୁ ସେଇ ପରୀକ୍ଷା ଯନ୍ତ୍ର ଠିକେଠିକେ ବତେଇ ଦବ । ଆଉ ତା’ ପରେ ରୋଗର କାରଣଟା ଜଣା ପଡ଼ିଗଲେ ଡାକ୍ତରବାବୁ ଠିକ ଔଷଧ ଦେଇ ରୋଗଟାକୁ ତା’ ଜଡ଼ରୁ ମାରି ଦେବେ..।

...ଜାଣିଛୁ କେତେ ପଇସା ପଡ଼େ ସେ ପରୀକ୍ଷା କରିବା ପାଇଁ । ମହାମହା ବାବୁମାନେ ପରା ମୁଣ୍ଡରେ ହାତ ଦେଇ ବସନ୍ତି । ଲୋକ କଂସା, ବାସନ, ଗହଣାଗାଣ୍ଠି ବନ୍ଧା ପକାଉଛନ୍ତି ପରା ସେ ପରୀକ୍ଷା କରିବା ପାଇଁ । ଆଉ ତୋର ଏ ଘିଅ କେଜିଏର ଦାମଟା ତା’ପାଖରେ କୋଉ ପାସଙ୍ଗରେ ପଡ଼ିବ କହିଲୁ ? ଡାକ୍ତରବାବୁ ପୁଣି କିଛି ପାଉଣା ନନେଇ ତୋର ପରୀକ୍ଷା କରିଦେଇଛନ୍ତି । ଦେ, ଆଉ ହିଚିକିଚି କରନା । ଘିଅ କେଜିଟେ ମଠିଆରେ ବାନ୍ଧିଦେଲୁ । ମୁଁ ଯାଇ ଦାୟିତ୍ଵ ତୁଲେଇକି ଆସେ । କାଲି ଛାଡ଼ି ପଅରି ଦିନ ଯଜ୍ଞ, କେଡ଼େବଡ଼ କାମର କଥା । କେଡ଼େ ଭରସାରେ ଡାକ୍ତରବାବୁ କହିଲେ ଜଡ଼ାରେ ତୋ’ ସ୍ତ୍ରୀର ସ୍ୱାସ୍ଥ୍ୟ ଦାୟିତ୍ଵଟା ମୋର ଆଉ ରୁଦ୍ରାଭିଷେକ ଯଜ୍ଞ ପାଇଁ ଶୁଦ୍ଧ ଗୁଆ ଘିଅ ଯୋଗାଡ କରିବା ଦାୟିତ୍ଵଟା ତୋର । ଡାକ୍ତର ନୁହେଁ ତ ଦେବତା, ସ୍ଵୟଂ ଧନ୍ଵନ୍ତରୀ...।

ହେଲେ ରିପୋର୍ଟ ହାତକୁ ଆସୁଛି କାହିଁ ? ଆକାଶ କଇଆଁକୁ ଚିଲିକା ମାଛ ! ଜାଡ଼ିକୁ କେମିତି ବୁଝେଇବ ସେ ..... ମଝିରେ ଦିନଟେ ଛାଡ଼ି ଜଡ଼ା ପୁଣି ଯାଇ ଡାକ୍ତରବାବୁଙ୍କ ଘର ପାଖରେ ଲଟର ପଟର ହେଲା । ଘର ଭିତରୁ କଣ ଗୋଟେ ଚାପା ହୋହଲ୍ଲା ଶୁଭୁଥିବା ଭଳି ତାକୁ ଲାଗିଲା । ଘରଦ୍ଵାର ସବୁ ପାଣି ଢଳା ହେଇ ଜୋରସୋର ଧୁଆପୋଛା ଚାଲିଛି । ଭିତରୁ ଝରର ପାଟିଟା ଜୋର ଶୁଭୁଚି । ଲୋକ ଦି’ ତିନି ଜଣ କାମରେ ଲାଗିଛନ୍ତି ବୋଧହୁଏ । ଘର ଧୁଆପୋଛା କରିବାକୁ କାହାକୁ ବୋଧହୁଏ ଗୋଟେ ତାଗିଦ କରୁଛି ଝର ।

ଜଡ଼ା ଆଶ୍ଚର୍ଯ୍ୟ ହେଲା, ଆଜି କଣ ଯଜ୍ଞ କି ? ନା’ ତ ସଙ୍କରାନ୍ତି ତ ଆହୁରି ଦି’ ଦିନ । ଡାକ୍ତରବାବୁ ତ ତାକୁ ଘିଅ ପାଇଁ ବସେଇ ଉଠେଇ ଦେଇ ନଥାଆନ୍ତେ ! ତା’ର କଣ କିଛି ଦିନବାର ହିସାବ କରିବାରେ ଭୁଲ ହେଇଗଲା କି !

କଥାଟା କଣ ଜାଣିବାକୁ ଜଡ଼ା ଫାଟକଟା ଖୋଲି ଭିତରକୁ ପଶୁଚି ତାକୁ କିଏ ଜଣେ ଡାହାଳ କୁକୁର ଭଳି ଖେଦି ଆଣିଲା ।

“ଭିତରକୁ ପଶନା ଖବରଦାର କହିଦଉଛି । ବାହାରି ଯା’ ଏଠୁ; ବାହାର ବାହାର, ଅଭି ନିକଲ ।”

ଜଡ଼ା ଚାହିଁ ଦେଖିଲା, ଡାକ୍ତରବାବୁ । ତାକୁ କଣ ଚିହ୍ନି ପାରୁ ନାହାନ୍ତି ! ...ଏମିତି ଉଗ୍ର ମୂର୍ତ୍ତି କଣ ପାଇଁ, କାହିଁକି ଏମିତି ଦୂରଦୂର ମାରମାର କରୁଛନ୍ତି । ହେଇଛି କଣ !

“ହଇରେ କୁଆଳିଆ, କୁର୍ଚୁଣ୍ଡିଆ ହବାକୁ ତୋତେ ଆଉ ଲୋକ ମିଳିଲେନି, ଆମକୁ ଶେଷରେ ଅଳିଆ ଗଦା ବନେଇଲୁ ? ଗୋଟେ ଉଗୁରି ଲଗେଇଛୁ ? ଶଃ, ମଣିଷ ପୁଣି ଏମିତି ବେଇମାନି କରନ୍ତି ! କଳିଯୁଗରେ କଳାମୁଣ୍ଡିଆକୁ ସତରେ ବିଶ୍ଵାସ କରିବନି । ଗୋଟେ ଲୋକକୁ ସିଧା ନେଇ ଡାକ୍ତରଖାନାରେ ଦାଖିଲ କରେଇ ଦେଲୁ ? ଲୋକଟା ବାନ୍ତି କରିକରି ବେହାଲ । ଦି’ଇଟା ସାଲାଇନ ଲାଗିଲାଣି, ଆହୁରି କେତେଟା ଲାଗିବ କେଜାଣି ।”

ଜଡ଼ା କାକୁସ୍ଥ ହେଇ ହାତ ଯୋଡ଼ି ଠିଆ ହେଇଛି । ସେ ତ ନିଜ ଜାଣତରେ କାହାରି କିଛି ଭୁଲ କରିନି !!!

“ଆରେ ଗୁରୁ ଆଶ୍ରୟ ନେଇଛି, ହିଂସା ଆଚରଣ କରିବିନି । ନହେଲେ ପିଟିପିଟି ଆଜି ତୋ ହାତ ଗୋଡ଼ ଚୂନା କରି ଦେଇ ଥାଆନ୍ତି । ତୋତେ ଆମେ କେତେ ବିଶ୍ଵାସ କରିଥିଲୁ ଘରର ପୁଅ ଭଳି, ଆଉ ତୁ ଶେଷରେ ଏୟା କଲୁ, ଆଏଁ ? ତୁ ଆଣି ଦେଇଛୁ କଣରେ, ଅମୃତ ନାମରେ ବିଷ ? ତୁ ସେଦିନ ମାଠିଆରେ ଆଣି ଝର ହାତରେ ଦେଇଛୁ କଣରେ ???....”

“ସାରେ, ଆପଣ ଯାହା ଯେମିତି କହିଲେ ସେମିତି ଆଣି ଦେଇଛି ।”

“ହଇରେ ଅଲକ୍ଷଣା ମୁଁ ତୋତେ କଣ ଆଣିବାକୁ କହିଥିଲି ?? ”

“ତୋ ମା' ଆଜି ସକାଳୁ ଉଠି ଭଣ୍ଡାର ଘରୁ ରୋଷେଇ ପାଇଁ ଚାଉଳ, ଡାଲି, ପରିବା କାଢ଼ୁକାଢ଼ୁ କହିଲେ ଯେ ମାଠିଆ ତ କଣ ଦିନକୁ ଦିନ ଏମିତି ଭାଆରି ଗନ୍ଧ ଛାଡୁଛି ! ମୁଁ କହିଲି ହେଇଥିବ ବେଳେବେଳେ ଘିଅ ଟିକେ କଞ୍ଚାମରା ରହିଗଲେ ଏମିତି ବାସେ । ପୁଣି ଜଡ଼ାର ସ୍ତ୍ରୀଟା ବିଚାରୀ ବେମାରିଆ ଲୋକଟା ତ ଠିକ କରି ଘିଅଟା ମାରିପାରି ନଥିବ । ଯାହାହଉ ତା’ ଧିଅ ଖରାପ ଥାଇ ବି ଯଜ୍ଞ ପାଇଁ ଖାଣ୍ଟି ଗୁଆ ଘିଅ ଟିକେ ପଠେଇଛି ସେଇ ବଡ଼ କଥା । ଆମର ଟିକେ ଚୁଲିରେ ବସେଇ ଫୁଟେଇ ଦିଅ । କାଲି ଛାଡ଼ି ପଅରି ଦିନ ଯଜ୍ଞ, କାମରେ ଲାଗିଯିବ । ଢାଙ୍କୁଣୀ ଖୋଲି କରେଇରେ ଢାଳି ଦେଲା ବେଳକୁ ତ ........

ଜଡ଼ା ସେଦିନ ଘଟଣାର ଚିତ୍ରଟାକୁ ମନେ ପକେଇ ଦେଖି ପାରିଲା । ହଁ ତ ଡାକ୍ତରବାବୁ ତାକୁ କହିଲେ “ଠିକ ଅଛି, ଯଦି ପିଲାଛୁଆ ଘର ଜଞ୍ଜାଳ ଛାଡ଼ି ମାଇପିଟା ଆସି ପାରୁନି ତ ଆଉ କଣ କାମଟା ରହିଯିବ । ତା’ର ସକାଳ ଝାଡ଼ାଟା ନେଇ ଆ । ସେଇଟା ପରୀକ୍ଷା କରି ଦେଲେ ତା’ ପେଟ ଭିତରର ସବୁ ହାଲ ହଇକତ ଧରା ପଡ଼ିଯିବ । ଭଲ କରି ଟିକିନିଖି ମୁଁ ନିଜେ ସବୁ ପରୀକ୍ଷା କରି ଦେଖିବି, କମ୍ପାଉଣ୍ଡରକୁ ପରୀକ୍ଷା କରିବାକୁ ଦେବିନି। ତୁ ଚିନ୍ତା କର ନା ।”

ଜାଡ଼ିର ସକାଳ ଝାଡ଼ାଟା ମାଠିଆରେ ରଖି ଦେବାକୁ ଜଡ଼ା ଜାଡ଼ିକୁ ତାଗିଦ କରିଦେଇଥିଲା । ଜାଡ଼ି ଆଶ୍ଚର୍ଯ୍ୟ ହେଇ କହିଥିଲା କାହିଁ ସେଦିନ ପଡ଼ିଶା ଘର ଗେଡ଼ିର ଟିକେ ଝାଡ଼ା ଜରିରେ ନେଇ ତ ତା’ ଗେରସ୍ତ ପରୀକ୍ଷା କରିବା ପାଇଁ ଯାଇଥିଲା !! ଆଉ ଆମର ଏ ମାଠିଆରେ ।

ଜଡ଼ା ଚିଡ଼ି ଉଠି କହିଥିଲା “ଗେଡ଼ି ଘଇତା ନରିଆ ଯେଉଁ କଖାରୁଶୁଣ୍ଠା, ଡାକତରକୁ ଟଙ୍କା ପାଞ୍ଚଟା ପକେଇଥିବ ଆଉ ଡାକ୍ତର କଣ ଜରିରେ ଟିପେ ପରୀକ୍ଷା ନକରି ଠେକିଟେ ଝାଡ଼ା ପରୀକ୍ଷା କରନ୍ତା ନା କଣ ? ଡାକ୍ତରଗୁଡ଼ା କଣ ମୁଫତ ପଡ଼ିଛନ୍ତି କି ? ଗେଡ଼ି ପରା ତା’ରି ରିକ୍ସାରେ ଯାଇଥିଲା ।

ସେଦିନ ଡାକ୍ତର ସାଙ୍ଗରେ ପଇସା ପାଇଁ ନରିଆର ଯେଉଁ ରିଗିଡ଼ିଝିଗିଡ଼ି, କି ନେହୁରା ହେଇ କହୁଥାଏ ଗରିବ ଲୋକ ଆଜ୍ଞା, ଘରେ ଖାଇବାକୁ ଗଣ୍ଡେ ନାହିଁ । ଶଳା ଦାନ୍ତ ମଳିଖିଆ ଗିଧ, ଏଣେ ଲୋକଙ୍କୁ ଧାନ କରଜ ଲଗେଇ ଆଣ୍ଟିକି ଛେଲାରେ ଦଶ ଗଉଣୀ ଧାନ ସୁଧ ନଉଛି...ମୁଁ ସେମିତି ସୁଣ୍ଠା ନୁହଁ ଜାଣି ଥା । ଆଉ ଆମ ଡାକ୍ତରବାବୁ ବି ସେମିତିଆ ନୁହେଁ । ସେ କହିଛନ୍ତି ଖୁଣ୍ଟିନାଣ୍ଟି ସେ ନିଜେ ଦେଖିବେ ପେଟ ଭିତରେ କି କି ଗୋଳମାଳ ରହୁଛି । ଜରିରେ ଟିପେରୁ ଏତେ ବଡ଼ ଶରୀରଟାର ସବୁ ଟିକିନିଖି କଣ ଜଣା ପଡ଼ିବ କହିଲୁ । ନା, ଆମେ ସେମିତି ହୀନିମାନିଆ କାମ କରିବାନି । ଆମେ କୋଉ ମୁଫତ ଫାଇଦା ନଉଛନ୍ତି କି ?”

.....ତା’ ପରେ ମନେ ମନେ ଭାବିଲା ହକ ପାଞ୍ଚ ପା ଖାଣ୍ଟି ଗୁଆ ଘିଅ ଦଉଛନ୍ତି । ଯେମିତି ଖାଣ୍ଟି ଜିନିଷ ଦବା ସେମିତି ଖାଣ୍ଟି କାମ ନବା ।

ଜାଡ଼ି କେମିତି ଥତମତ ହେଇ ପୁରା କେଜିକିଆ ଘିଅ ମାଠିଆରେ ମାଠିଆଏ ସକାଳ ପାଇଖାନାଟା ଭର୍ତ୍ତି କରି ଦେଲା । ଆଗଦିନ ରାତିରେ ଡାକ୍ତରବାବୁଙ୍କ ଦିଆ ଟନିକ ଖାଇ ସକାଳେ ସକାଳେ ପେଟଟା ଭଲ କରି ଖୋଲାସା ହେଇଯାଇଥିଲା । ରିକ୍ସାରେ ନେଲାବେଳେ କି କୋଉଠି ନେଇ ରଖିଲେ ଲୋକଙ୍କୁ ଅସକରା ଲାଗିବ ବୋଲି ଠେକି ମୁହଁକୁ ସରା ଆଉ ଜରି ଦେଇ ଘିଅ ମାଠିଆ ଭଳି ଆଣ୍ଟିକି ବାନ୍ଧି ଦେଇଥିଲା ଜାଡ଼ି, ଯେମିତି ମୋଟେ ଜଣା ପଡ଼ିବନି ତା’ ଭିତରେ ଶାଗ କି ମୁଗ କଣ ଅଛି ବୋଲି ।

ସେଦିନ ଜଡ଼ା ହାତରେ ଜରିଗୁଡ଼ା ଏଡେବଡ଼ ମାଠିଆଟେ ଦେଖି ଝର ଖପ କରି ଝପଟି ଆସି ତା’ ହାତରୁ ମାଠିଆଟା ଅଲଗଛ ଝାମ୍ପି ନେଇ ତା’ ଚିରାଚରିତ ଉଚ୍ଛଳତାରେ ମା' ମା' ଡାକି ଭିତରକୁ ନେଇ ଯାଇଥିଲା ।

କଣ କହିଥିବ ମା'କୁ ....ଏଇ ଦେଖ ମା' ତମ କଥା ରହିଲା । ତମ କଥା ମାନି ବାବୁ ଜଡ଼ା ଭାଇ ଭାରିଜାର ଚିକିଛା ଆରମ୍ଭ କରିଦେଲେଣି । ଦେଖ ଏଇ ପରୀକ୍ଷା କରିବା ପାଇଁ ଜଡ଼ା ଭାଇ ତା’ ସ୍ତ୍ରୀର ..... ମୁଁ ନେଇ ସାରଙ୍କ ପରୀକ୍ଷା ଜାଗାରେ ରଖି ଦଉଛି । ବିଚାରୀ କେଡ଼େ ପାରିବାର ମାଇକିନିଆଟା, କେତେ କଷ୍ଟ ପାଉଛି । ତା’ ଦୁଃଖର ଦିନ ସରିଆସିଲା ଏଥର ଜାଣ....।”

ସେ ମାଠିଆ ତାହେଲେ ପରୀକ୍ଷାଗାରକୁ ନ ଯାଇ ଭଣ୍ଡାର ଘରକୁ ଯାଇଥିଲା !!

ଜଡ଼ା ଆଖି ଆଗରେ ଶହଶହ ଜୁଳୁଜୁଳିଆ ପୋକ ଦେଖାଦେଲେ । ସେ ପଛେଇ ପଛେଇ ଆସି ଖପ କରି ରିକ୍ସା ସିଟ ଉପରକୁ କୁଦି ପଡ଼ି ରିକ୍ସା ଝପଟେଇ ଦେଲା ଦୌଡ଼, ଯେମିତି ସେ ଏ ଦୁନିଆର ସୀମା ସରହଦ ଡେଇଁ ପାତାଳକୁ ଭେଦିଯିବ କି ଆକାଶରେ ଉଡ଼ିଯିବ । ତା’ ପଛରେ ଯେମିତି ସାରା ଦୁନିଆର ଲୋକ ଗୋଡ଼େଇଛନ୍ତି ଧରଧର ମାରମାର କରି । କିଏ ଜଣେ କାନ୍ଦିଲା ଭଳି ତାକୁ ଶୁଭିଲା, ଡାକ୍ତରବାବୁ କଣ କାନ୍ଦୁଛନ୍ତି ! ତାକୁ ଅଭିସମ୍ପାତ ଦଉଚନ୍ତି !!

ତା’ପରେ ଜଡ଼ା ସବୁଦିନେ ବଜାରକୁ ରିକ୍ସା ନେଇ ଯାଏ, ପେଟ ପାଟଣାର କଥା । କିନ୍ତୁ ପାଢ଼ୀ ଡାକ୍ତର କି ଜଡ଼ା କେହି କାହାରି ଆଗକୁ ଆସିବାକୁ ସାହସ କରି ନାହାନ୍ତି । ନଜର ପଡ଼ିଲେ ଖଣ୍ଡେ ଦୂରରୁ ବାଟ ଭାଙ୍ଗି ଯେ ଯାହା ବାଟରେ ଚାଲି ଯାଆନ୍ତି । ଦିହେଁ ମନେମନେ ମୁଣ୍ଡିଆ ମାରନ୍ତି ଏ କଥା ଦୁନିଆରେ ଯେମିତି ଆଉ କେହି ନ ଜାଣନ୍ତୁ ।

ଜାଡ଼ିର ପେଟ ବେମାରି ନେଇ ଜଡ଼ା ଆଉ ଏବେ ବ୍ୟସ୍ତ ହୁଏନା । ଜାଡ଼ିର ପେଟଟା ଠିକଠାକ ଅଛି ବୋଲି ତାକୁ ଲାଗେ ।

ଜାଡ଼ି କିନ୍ତୁ ଚିହିଁକି ଉଠିଲା ଭଳି ମଝିରେ ମଝିରେ ଜଡ଼ାକୁ ପଚାରେ ମୋ ମୁଣ୍ଡ ଛୁଇଁ ସତ କହିଲ ସେ ଘିଅ ପାଆକ ନେଇ ତମେ କାହାକୁ ଦେଇଥିଲ..... ।

Report an Error