ଖଜୁରୀ ରସ ଓ ଡାଆଣୀ 

ଘରକୁ ଫେରି ଚୁପ୍ ଚାପ୍ ଶୋଇ ପଡିଲି । ଶୋଇ ଶୋଇ ଭାବିଲି ଆଚ୍ଛା, ମୁଁ ତ ଥିଲି ଜଣେ କିନ୍ତୁ ସେମାନେ ଦିଇ ଜଣଙ୍କୁ ଦେଖିଥିଲେ ଯେ ! ଜଣେ ପୁରୁଷ ଜଣେ ନାରୀ । ତେବେ ସେ ସ୍ତ୍ରୀଲୋକଟି ମୋ ଛାଇ ଥିଲା କି ? ନା ଆଉ କିଏ ? କିଏ ମୋ ସାଙ୍ଗରେ ବୁଲୁଥିଲା ? ଡାଆଣୀ ?


ଫଟୋ - ରମାକାନ୍ତ

ଆମ ଗାଁ ପାଖ ଗାଁରେ ପ୍ରଚୁର ଖଜୁରୀ ତାଡି ମିଳୁଥିଲା । ମୁଁ କିନ୍ତୁ ବେଶ୍ ବଡ଼ ହେବା ପର୍ଯ୍ୟନ୍ତ ଏ କଥା ଜାଣି ନଥିଲି । ମଝିରେ ମଝିରେ ଆମ ଗାଁ ପାଖ ମୋ ବଡ଼ ପିଇସିଙ୍କ ଘରକୁ ଗଲାବେଳକୁ ଦେଖେ ଚମାର ସାଇର ଚାରି ପାଖରେ ବଙ୍କାଟଙ୍କା ଖଜୁରୀ ଗଛର ଦେହରେ ଚିକ୍କଣ କଳା ରଙ୍ଗର ବଡ଼ ବଡ଼ ଫଳ ସବୁ ଫଳିଛି । ଅବଶ୍ୟ ସବୁ ଗଛରେ ସେ ଫଳ ନଥାଏ । ତଥାପି ଅନେକ ଖଜୁରୀ ଗଛରେ ସେ କଳା ଫଳ ଫଳିଥାଏ । ମୁଁ କ'ଣ ସେତେବେଳେ ଜାଣିଥିଲି କି ସେ କଳା ଫଳ ସବୁ ପ୍ରକୃତରେ ମାଟି ଘଡ଼ା ଓ ଚମାର ବାପୁଡ଼ା ସବୁ ସକାଳେ ଗଛ ଚଢି ତାକୁ ଏକ ସ୍ୱତନ୍ତ୍ର ବାଗରେ ବାନ୍ଧେ ଓ ଗଛରୁ ଝରିଥିବା ପୂର୍ବ ଦିନର ରସକୁ ସଂଗ୍ରହ କରେ । ମୁଁ ବଡ଼ ହେବାପରେ ଯାଇଁ ଖଜୁରୀ ରସର ମଜା କ'ଣ ଜାଣିଲି । ସେଇ ପିଲାଦିନେ କିନ୍ତୁ ମୋ ସାଙ୍ଗମାନେ ରାତିଅଧିଆ ଅଭିସାରରେ ନିୟମିତ ବ୍ୟବଧାନରେ ଆମ ଗାଁରୁ ବାହାରି ପାଖ ଗାଁକୁ ଯାଉଥିଲେ ଓ ଚୋରି କରି ଗୋପନରେ ଖଜୁରୀ ରସ ପାନ କରୁଥିଲେ ।

ଆଜିକାଲି ପରି ସେବେ ଗାଁରେ ବିଦେଶୀ ମଦର ପ୍ରଚଳନ ଆରମ୍ଭ ହେଇନଥିଲା । ତେଣୁ ମଦ କହିଲେ ଖଜୁରୀ ତାଡ଼ିକୁ ବୁଝଉଥିଲା । ଟିକେ ବଡ଼ ହେଲା ପରେ ଆମେ ବୁଝି ସାରିଥିଲୁ ସୂର୍ଯ୍ୟ ଉଦୟ ଆଗରୁ ଖଜୁରୀ ରସ ଅମୃତତୁଲ୍ୟ କିନ୍ତୁ ଖରା ପଡ଼ିବା ମାତ୍ରେ ତାହା ମଦ୍ୟରେ ରୂପାନ୍ତରିତ ହେଇଯାଏ । କାହିଁକି ହୁଏର କାରଣ ଆମେ ବୁଝିନଥିଲୁ ।

ଭୁବନେଶ୍ଵର ଆସିଲା ପରେ ମୁଁ ଜାଣ ସାବାଳକ ହେଲି । ବାପା ପ୍ରତି ଶନିବାର ଘରକୁ ଆସୁଥିଲେ ଓ ସୋମବାର ପଳାଉଥିଲେ । ତେଣୁ ବାପାଙ୍କ ଉପସ୍ଥିତିରେ ମୋ ନାବାଳକ ପଣିଆ ବଳବତ୍ତର ରହୁଥିବାରୁ ମୁଁ ଯଥାସମ୍ଭବ ଶନିବାର ଓ ରବିବାର ଗାଁ ଯିବାକୁ ଏଡାଇ ଦିଏ । ମାସ ମାସ ଧରି ମୋର ବାପାଙ୍କ ସହ ଦେଖାହୁଏନି । ଏମିତି ଥରେ ଗାଁକୁ ଯାଇଥାଏ । ଖରାଦିନ ଥାଏ । କ'ଣ ପାଇଁ କେଜାଣି ସେଦିନ ଗାଁରେ ଭିଡିଓ ଚାଲିବାର ଥାଏ । ସେତେବେଳକୁ ଏକୋଇଶିଆ, ଖୁଦୁରୁକୁଣି, ଷୋଳ ପାଲା ଓ ଅନ୍ୟାନ୍ଯ ମାନସିକ ପାଇଁ ଆଉ ପାଲା ଦାସକାଠିଆ କିମ୍ବା ସତ୍ୟନାରାୟଣଙ୍କ ବସା ମଧ୍ୟ ହେଉନଥିଲା । ସେମାନଙ୍କ ସ୍ଥାନ ନେଇସାରିଥିଲା ଏଇ ଭିଡିଓ ଓ ସିନେମା ଦେଖା । ଭୁବନେଶ୍ଵର ଆସିଲା ପରେ ମୁଁ ଓଡ଼ିଆ ସିନେମା ଅପେକ୍ଷା ବେଶୀ ହିନ୍ଦୀ ସିନେମା ଦେଖୁଥାଏ । ତେଣୁ ଗାଁ ଦାଣ୍ଡରେ ବସି ବସି ରାତି ଅନିଦ୍ରା ହେଇ ମୁଁ ଦେଖି ସାରିଥିବା ପୁରୁଣା ଓଡ଼ିଆ ସିନେମା ଆଉଥରେ ଦେଖିବାର ଆଦୌ ଆଗ୍ରହ ନ ଥାଏ । ମୁଁ ସଅଳ ଖାଇ ପିଇ ଶୋଇ ପଡିବାର ଯୋଜନା କରିଥାଏ, କିନ୍ତୁ ସାଙ୍ଗ ଜଣେ ସେଦିନ ରାତିରେ ସେମାନେ ଗୁପ୍ତରେ ପାଞ୍ଚିଥିବା ଯୋଜନା ବିଷୟରେ ମୋତେ ଅବଗତ କରାଇଲା । ଗୋପନୀୟ ନୈଶ୍ୟ ଅଭିସାରର ଆଦୌ ଅନୁଭୂତି ନଥିବା ଏ ଅକିଞ୍ଚନର ସୁବର୍ଣ୍ଣ ସୁଯୋଗ ହରାଇବାର କିଛି କାରଣ ନଥିଲା । ତାପରେ ପରିବେଶ ଓ ପରିସ୍ଥିତିର ଭରପୂର ସହଯୋଗ ମଧ୍ୟ ଥିଲା । ସନ୍ଧ୍ୟାବେଳକୁ ସାଙ୍ଗଜଣକ ଅନ୍ୟ ସାଙ୍ଗମାନଙ୍କୁ ନୈଶ୍ୟ ଅଭିସାରରେ ମୋ ଯୋଗଦାନ ବିଷୟରେ କହିବାରୁ ଅନ୍ୟମାନେ ରାଜି ହେଲେନି । ପ୍ରକୃତରେ ମୋ ପରି ଅନାଡ଼ିକୁ ଧରି ଏମିତି ଦୁଃସାହସ କରିବାକୁ ସେମାନେ ରାଜି ନଥିଲେ । ଯାହେଉ ଭୁଡି ମାରି ମୁଁ ସେମାନଙ୍କୁ ବୁଝେଇ ଦେଲି । ସେମାନେ ଶେଷକୁ ରାଜି ହେଲେ । କଥା ଛିଡିଲା ସିନେମା ଦେଖାରୁ ଜଣ ଜଣ କରି ଉଠି ଆସିବେ । ଏକାଥରେ ଉଠିଲେ ସିଆଣିଆମାନେ ବୁଝିଯିବେ । ତେଣୁ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ଓ ଏକ୍ସପେଡିସିନ୍ କୁ ଯଥାସମ୍ଭବ ଗୋପନୀୟ ରଖାଯିବ । ପୂର୍ଣ୍ଣମୀ ବୋଧେ ତିନି କି ଚାରି ଦିନ ତଳୁ ଯାଇଥାଏ । ଘଡି ମାରି ଉଠିଥାଏ ଜହ୍ନ । ଜହ୍ନ ବେଶ୍ ଉପରକୁ ଉଠିଗଲା ପରେ ଠରାଠାରି ହେଇ ଆମେ ସିନେମା ପାଖରୁ ଉଠିଲୁ । କଥା ଥିଲା ସମସ୍ତେ ଗାଁ ସ୍କୁଲ୍ ପଛରେ ଦେଖା ହେବୁ । ମୁଁ ମାଆକୁ କହିଥାଏ, ମୁଁ ଡେରି ରାତିରେ ଫେରିବି ତେଣୁ ଦାଣ୍ଡ କବାଟ ଖୋଲା ରହିବ । ସ୍କୁଲ ପଛରେ ଆମେ ସବୁ ଏକାଠି ହେଲା ପରେ ବି ଜଣେ କିଏ କହିଲା ମୁଁ ନଯାଇ ସେଇ ସ୍କୁଲ୍ ପଛରେ ସେମାନଙ୍କୁ ଅପେକ୍ଷା କଲେ ଭଲ । ମୁଁ କିନ୍ତୁ ନଛୋଡ଼ ବନ୍ଧା । ମୋର ମଧ୍ୟ ଯିବାର ଅଛି ଓ ଅନୁଭୂତିର ଉଷୁମୁ ସାଉଁଟିବାର ଅଛି । ସ୍କୁଲ୍ ପଛରୁ ସିଧା ଆମେ ଏନ୍‌.ଏଚ୍ ପାଖକୁ ଗଲୁ । ଦଶ କୋଡିଏ ଖୋଜର ରାସ୍ତା । ଆମ ଗାଁ ପାଖରେ ପାରାଦ୍ଵୀପ ଦଇତାରୀ ରାସ୍ତା ତିନି ମଣିଷର ଉଚ୍ଚା । ବନ୍ୟା ଦାଉରୁ ରକ୍ଷା ପାଇଁ ରାସ୍ତାକୁ ଏତେ ଉଚ୍ଚା କରାଯାଇଥାଏ । ରାସ୍ତା କଡରେ ବଡ଼ ବଡ଼ ଇଉକାଲିପଟାସର ଗଛ । ତେଣୁ ରାସ୍ତା ତଳକୁ ଠିଆ ହେଲେ, ତମ ଉପରେ ରାସ୍ତାରେ ଯାଉଥିବା ଟ୍ରକ୍ ଆଲୁଅ ଓ ଗଛମାନଙ୍କ ଯୋଗୁଁ ଜହ୍ନ ଆଲୁଅ ପଡିବନି । ଆମେ ଛଅଜଣ ରାସ୍ତାତଳ ଅନ୍ଧାରକୁ ଧରି ବାଟ ଚାଲିଲୁ । ପାଖ ଗାଁ ଚମାର ସାଇର ଠିକ୍ ବାରିପଟରେ ପହଞ୍ଚିଲା ପରେ ସେମାନେ ମୋତେ ସେଇ ବନ୍ଧ ତଳେ ଠିଆ ହବାକୁ କହିଲେ । ମୁଁ ଏଥର ରାଜି ହେଇଗଲି । ପ୍ରକୃତରେ ଜାଗା ମୁଣ୍ଡରେ ପହଞ୍ଚିଲାବେଳକୁ ମୁଁ ସାମାନ୍ୟ ଭୟ ପାଇ ସାରିଥାଏ । ଭୟ କାଳେ ଧରା ପଡ଼ିଯିବୁ । ଚୋରିରେ ଧରା ପଡ଼ିବାର ଭୟ ସବୁବେଳେ ଥାଏ । ମୋତେ ପଛରେ ଛାଡି ଅନ୍ୟମାନେ ରାସ୍ତାକଡ଼ ଶୁଖିଲା ଖାଲ ଟପି ଚମାର ସାଇ ବାଡି ପଟକୁ ଚାଲିଲେ । ବେଶି ଦୂର ନୁହେଁ । କିନ୍ତୁ ଘଡି ମାରି ଉଠିଥିବା ଜହ୍ନର ମହଳଣ ଆଲୁଅ ଅଳ୍ପ କୁହୁଡି ଭିତରେ ସେମାନେ ହଠାତ୍ ଉଭାନ୍ ହେଇଗଲେ । ମୁଁ ଏକା ଏକା ଆଉ କେତେ ଠିଆ ହେବି, ବସିପଡିଲି ସେଇଠି । ଅଳ୍ପ ସମୟ ପରେ ହଠାତ୍ ମୋତେ ଭୟ ଗ୍ରାସିଲା । ଧରା ପଡ଼ିବାର ଭୟ ନୁହେଁ ବରଂ ଭୂତ ଓ ଡାଆଣୀ ଭୟ । ଗାଁ ମଶାଣୀ ତଳ ଦେଇ ଆମେ ଆସିଥାଉ । ସେଠି ମୋ ଦେଖାରେ ପୋଡା ଯାଇଥିବା ଲୋକେ ଓ ଆମ ଗାଁ ଛକର ଆଗ ପଛରେ ଟ୍ରକ୍ ଦୁର୍ଘଟଣାରେ ମରିଥିବା ଲୋକେ ମନେପଡିଲେ । ମନେପଡିଲେ ମାନେ ଗୋଟି ଗୋଟି ଧାଡି ବାନ୍ଧି ମନେପଡିଲେ । ମୋର ଝାଳ ବାହାରିଲା ଭୟରେ । ଏବେ କ'ଣ କରିପାରିବି ? ଗାଁକୁ ମଶାଣୀ ତଳ ଦେଇ ଫେରି ପାରିବନି । ଏକା ବସି ବି ପାରିବିନି । ତାପରେ ଅନ୍ଧାରରେ ରହିବି ନା ଆଲୁଅକୁ ଯିବି ? ଠିକ୍ କଲି ସାଙ୍ଗମାନଙ୍କ ପାଖକୁ ଯିବା ଠିକ୍ ହେବ । ସିଧା ଚାଲିଲି । ରାସ୍ତା କଡ ଖାଲରେ ପଶି ଉପରକୁ ଉଠିଲା ପରେ ଦିଶିଲା ଗୋଟେ ସାହାଡା ଗଛ । ସେ ଗଛ କଥା ମନେ ନଥିଲା । ଡାଆଣୀ ଚିରିଗୁଣୀମାନଙ୍କର ସାହାଡା ଗଛ ଆଶ୍ରୟ ସ୍ଥଳ । ଶଃ, ଦିନରେ ବି ତା' ପାଖକୁ ଆମେ ଯାଉନା । ମୋତେ ହଠାତ୍ ସେ ଗଛଟା ହିଁ ଗୋଟାପଣ ଡାଆଣୀ ପରି ମନେ ହେଲା । ଏଥର ସିଧା ନଯାଇ ବଙ୍କାରେ ବାଟ ଚାଲିଲି । ବିଲ ଟପି ଚମାର ସାଇ ବାରିରେ ପହଞ୍ଚିଲାବେଳକୁ ଅବସ୍ଥା ଏକଦମ୍ ଖରାପ । ଖଜୁରୀ ଓ ତାଳ ଗଛମାନଙ୍କର ଜଙ୍ଗଲ ଜାଣ । ଧାପେ ଛାଇ ଧାପେ ଆଲୁଅ । କେହି କୁଆଡେ ନାହାଁନ୍ତି । ସ୍ଵର ଶବ୍ଦ ବି ଶୁଭୁ ନଥାଏ । ମୋ ଅବସ୍ଥା ଏକଦମ୍ ଖରାପ୍ । ବଡ଼ ପାଟି କରି ଡାକିବି ପାରିବିନି । ଏ ଗଛଙ୍କ ଗହଳି ଭିତରେ କୁଆଡେ ଯିବି ?  କାହାକୁ ଖୋଜିବି ?  ଭୟ ଓ ଅସହାୟତାରେ ପଛକୁ ଫେରିଲି । ମୋ ମୁଣ୍ଡ ଠିକରେ କାମ କରୁନଥାଏ । ମୁଁ ରାସ୍ତା ପାଖକୁ ଫେରିଲି । ଭୁଲରେ ମୁଁ ଆଗକୁ ପଳେଇଥାଏ । ତେଣୁ ଫେରିଲାବେଳକୁ ଦେଖିଲି ସାହାଡା ଗଛ ଘୁଞ୍ଚି ଯାଇଛି ପଛକୁ । ମୁଁ ଏଥର ସ୍ଥିର ନିଶ୍ଚିନ୍ତ ହେଇଗଲି ଯେ ଭୂତ ବୁଲେଇଲାଣି ମୋତେ । ନହେଲେ ସାହାଡା ଗଛ ଏତେ ଦୂରକୁ ଯିବ କେମିତି ? ରାସ୍ତା ପାଖରେ ପହଞ୍ଚି ପୁଣି ଅନ୍ଧାରରେ ବସିଲି । ଭୟ ଯୋଗୁଁ ଘଡିଏ ସମୟ ଘଣ୍ଟାଏ ପରି ମନେ ହେଉଥାଏ । ପିଲାଏ ଫେରୁ ନଥା'ନ୍ତି । କୁହୁଡି ବଢୁଥାଏ ଜହ୍ନ ଆଲୁଅ କ୍ରମେ ଅଧିକ ମହଳଣ ପଡି ଆସୁଥାଏ । ପିଲାଏ ଫେରୁ ନଥା'ନ୍ତି । ମୋର ଅପେକ୍ଷା କରିବାର ଧୈର୍ଯ୍ୟ ଆଉ ନଥାଏ । ମୁଁ ସାହସ ସଞ୍ଚୟ କରି ଗାଁକୁ ଫେରିବାର ଉପକ୍ରମ କଲି । ରାସ୍ତା ତଳି ଅନ୍ଧାରରେ ବାଟ ଚାଲିଲି । ମୋତେ ଖାଲି ଲାଗୁଥାଏ ମୋ ପଛରେ ଆଉ ଜଣେ କିଏ ଚାଲୁଛି ଅବା ଗଛ ଉପରୁ କିଏ ଗୋଟେ ଖପ୍ କରି ମୋ ଉପରେ ଡେଇଁବ । ରକ୍ଷା, ମଝିରେ ମଝିରେ ଗୋଟେ ଗୋଟେ ଟ୍ରକ୍ ଯାଉଥା'ନ୍ତି । ସେତିକି ଜାଣ ସାହସ ।

ମୁଁ ମୁଖ୍ୟରାସ୍ତାରେ ଆସି ସ୍କୁଲ୍ ପଛରେ ପହଞ୍ଚିଲାବେଳକୁ ସେମାନେ ପହଞ୍ଚି ସାରିଥା'ନ୍ତି । ସାଙ୍ଗରେ ଆଣିଥା'ନ୍ତି ଦିଇ ଘଡା ରସ । ମୋତେ ଦେଖି ସେମାନଙ୍କ ହୋସ ଆସିଲା ଓ ସେମାନଙ୍କୁ ଦେଖି ମୋର । ପ୍ରଥମେ ତ ଆମେ ପରସ୍ପରକୁ ବହେ ଲେଖା ଗାଳି କଲୁ । ସେମାନେ ମୋତେ ଛାଡିଦେଇ ପଳେଇ ଆସିଲେ କେମିତି ? ପ୍ରକୃତ କଥା ହେଲା, ଭୁଲଟି ମୁଁ କରିଥିଲି । ମୁଁ ସେମାନଙ୍କୁ ଯାଇ ଖଜୁରୀ ବଣରେ ଖୋଜିବା ହିଁ ଭୁଲ୍ ଥିଲା । ଅଧା ଛାଇ ଆଲୁଅରେ ସେମାନେ ଦେଖିଲେ ଦିଇ ଜଣ ଲୋକ ବଣ ଭିତରେ ବୁଲୁଛନ୍ତି । ଜଣେ ପୁରୁଷ ଜଣେ ନାରୀ । ସେଥିପାଇଁ ସେମାନେ ଧରା ପଡ଼ିଯିବା ଭୟରେ ଛପି ଯାଇଥିଲେ ଓ ମାତ୍ର ଦିଇ ଘଡା ରସ ଆଣିଥିଲେ । ଘଡା ଭିତରେ ପ୍ରବଳ ଜନ୍ଦା । ଛାଣି ପିଇବାର ସରଞ୍ଜାମ ପାଖରେ ନଥାଏ ।  ଘଡା ମୁହଁରେ ଗାମୁଛା ବାନ୍ଧି ରସ ପିଇବାକୁ ହବ । ମୋ ପାଖରେ ଘଡା ପହଞ୍ଚିଲା ପରେ ସେଥିରେ ମୁହଁ ଲଗାଇଲି । ତେଲ ଚିକିଟା ଗାମୁଛାର ଗମରିଆ ଝାଳୁଆ ଗନ୍ଧ ସହ ଖଜୁରୀ ରସର ମିଳିତ ସ୍ଵାଦ ବିଚିକିଟିଆ ଲାଗୁଥିଲା । ମୁଁ ଦିଇ ଢୋକରୁ ଅଧିକ ପିଇଲିନି I

ଘରକୁ ଫେରି ଚୁପ୍ ଚାପ୍ ଶୋଇ ପଡିଲି । ଶୋଇ ଶୋଇ ଭାବିଲି ଆଚ୍ଛା, ମୁଁ ତ ଥିଲି ଜଣେ କିନ୍ତୁ ସେମାନେ ଦିଇଜଣଙ୍କୁ ଦେଖିଥିଲେ ଯେ ! ଜଣେ ପୁରୁଷ ଜଣେ ନାରୀ । ତେବେ ସେ ସ୍ତ୍ରୀଲୋକଟି ମୋ ଛାଇ ଥିଲା କି ? ନା ଆଉ କିଏ ? କିଏ ମୋ ସାଙ୍ଗରେ ବୁଲୁଥିଲା ? ଡାଆଣୀ ?

Report an Error