କେସ୍‌ନା: ପଥର ମୂର୍ତ୍ତି କାରିଗରଙ୍କ ଗାଁ

୧୨୦୦ ବର୍ଷ ତଳର କଥା । କଳା ମୁଗୁନି ପଥରରେ ସୂକ୍ଷ୍ମ, ଜଟିଳ ଖୋଦେଇ କରିବାରେ ପାରଦର୍ଶିତା ପାଇଁ କେସ୍‌ନାର ମୂର୍ତ୍ତିକାରମାନେ କିଚକେଶ୍ୱରୀ ମନ୍ଦିର ନିର୍ମାଣ ଏବଂ ଏହାର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେବେ ପଥର ଖଣି ପାଖ ଗାଁ ଆଦିପୁରରେ ଥିଲା ।


ଫଟୋ - ସୁମିତ୍ରା ପାଢୀ

କଳା ମୁଗୁନି ପଥରରେ ମୂର୍ତ୍ତି ତିଆରିର କଳା କାରିଗରିକୁ ଆଜିଯାଏ ବଞ୍ଚାଇ ରଖିଆସିଛନ୍ତି ଆମ କେସ୍‌ନା ଗାଁର କାରିଗରମାନେ । ସେ ପୁଣି ୧୨୦୦ ବର୍ଷ ପୁରୁଣା ।

ଭୁବନେଶ୍ଵରଠାରୁ ୨୪୫ କିଲୋମିଟର ଦୂର ମୟୂରଭଞ୍ଜ ଜିଲ୍ଲାରେ ଅଛି ଏଇ ଗାଁଆଟି, ଯେଉଁଠି ପାରମ୍ପରିକ ପଥର ଖୋଦେଇ କରୁଥିବା ଶିଳ୍ପୀମାନେ ଅଛନ୍ତି । ପ୍ରତିଟି ଘରେ ଗଢ଼ାହୁଏ କଳା ମୁଗୁନି ପଥରର ମୂର୍ତ୍ତି; ସେ ପୁଣି ଦେବାଦେବୀଙ୍କର । ମୂର୍ତ୍ତି ଗଢିବା ନେଇ ସେମାନଙ୍କର ପ୍ରସିଦ୍ଧି ଯେ ରହିଆସିଛି ! ପ୍ରାଚୀନ ଖିଚିଂ କାରିଗରମାନଙ୍କ କାରିଗରି ଏବଂ ସେମାନଙ୍କର ସ୍ଥାପତ୍ୟ ଜ୍ଞାନ ମା କିଚକେଶ୍ୱରୀ ମନ୍ଦିର, କୁଟେଇତୁଣ୍ଡି ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, କିଚକଗଡ଼ ଏବଂ ବିରାଟଗଡ଼ ଦୁର୍ଗ ଆଦି ସ୍ଥାନଗୁଡ଼ିକରେ ଭଲ ଭାବରେ ପ୍ରତିଫଳିତ ହୋଇଥିବାର ଦେଖିବାକୁ ମିଳେ |

ମୁଁ ଗତମାସ ଏଇ ଗାଁଟିକୁ ଯାଇଥିଲି ବାଇକ୍ ଅଭିଯାନରେ କେଉଁଝର ଜିଲ୍ଲାର ଛୋଟ ବଡ଼ ଭ୍ରମଣ ସ୍ଥାନ ସବୁ ବୁଲି ଦେଖିବାକୁ ଯାଇଥିବାବେଳେ । କେଉଁଝରରୁ ଖିଚିଂର ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିର ଯିବା ରାସ୍ତାରେ ପଡ଼େ ଏଇ ଗାଆଁଟି । ମୋତେ ମାତ୍ର ୫୫ କିଲୋମିଟର ଯିବାର ଥାଏ ଏଇ ଗାଁଟିରେ ପହଞ୍ଚିବାକୁ । ତେଣୁ ସକାଳ ୫.୩୦ଟାବେଳକୁ ଉଠି ଆମେ ବାହାରିପଡ଼ିଲୁ କେଉଁଝରରୁ । ଗୋଟେ ବାଇକ୍ ରେ ମୋ ସାନଭାଇ କୁନି ଓ ତା' ସ୍ତ୍ରୀ ସିଲୁ ଏବଂ ଆଉ ଗୋଟେ ସ୍କୁଟିରେ ମୁଁ ଏକା । ମୋ ସାଙ୍ଗରେ ବାଟରୁ ଯିବାର ଥାଏ ଚିତ୍ରଶିଳ୍ପୀ ଚିନ୍ମୟ । ସେ ରହେ କେଉଁଝର ଟାଉନ୍‌ରେ, କିନ୍ତୁ ଗାଁ ତା'ର ଖିଚିଂ ପାଖରେ । ସେଦିନ ମୋର ଗାଇଡ୍‌ ହେବାକୁ ମୁଁ ତାକୁ କହିରଖିଥାଏ ଆଗରୁ । ବାହାରିବାବେଳକୁ ବେଶୀ ଥଣ୍ଡା ନାହିଁ ବୋଲି ଆମେ ସବୁ ଗୋଟେ ଗୋଟେ ଜ୍ୟାକେଟ୍ ପିନ୍ଧିଥାଉ ଓ ହାତ ଗ୍ଲୋବ୍ସ ଆଉ ଟୋପି ରୁମ୍ ରେ ଛାଡ଼ି ଆସିଥାଉ । ଗୋଟିଏ କିଲୋମିଟର ଆସିଛୁ କି ନାହିଁ ଥଣ୍ଡା ଯେମିତି ମାଡ଼ି ଆସିଲା । ହାତ ପାପୁଲି ଥଣ୍ଡାରେ କାଲୁଆ ମାରିଗଲା । ମୁଁ ଦୁଇ ଦୁଇଟା ସୁଇଟର୍ ଓ ଜ୍ୟାକେଟ୍ ପିନ୍ଧିବା ପରେ ବି ଶୀତରେ ଥରୁଥାଏ । ଚିନ୍ମୟକୁ ବାଟରୁ ଉଠେଇଲି । ସେ ବି ହାଫ୍ ସୁଇଟର୍ ଗୋଟେ ପିନ୍ଧି ଆସିଥାଏ ବୋଲି ଗାଡ଼ି ମୁଁ ଚଲେଇଲି। ଏନ୍ଏଚ୍ ରେ ପହଞ୍ଚିଲା ପରେ କାଲୁଆ ପବନରେ ଦେହ ଥରିଯାଉଥାଏ । ସେସବୁକୁ ନଜର ନ ଦେଇ ମାଡ଼ି ଚାଲିଲୁ । ବାଟରେ ଜଳଖିଆ ଆଦି ସାରି କେସ୍‌ନା ଗାଁ ପାଖରେ ପହଞ୍ଚିଲାବେଳକୁ ୭.୩୦ ହୋଇଯାଇଥାଏ । ରାସ୍ତା ଦୁଇପାଖରେ ଧାଡ଼ି ଧାଡ଼ି ହୋଇ ରହିଥିବା ପଥର ମୂର୍ତ୍ତିର ପ୍ରାଚୁର୍ଯ୍ୟକୁ ଦେଖି ବୁଝାପଡ଼ିଗଲା ଏଇଟା ମୁଁ ଅନେକ ଦିନ ଧରି ଆସିବାକୁ ଚାହୁଁଥିବା ପାରମ୍ପରିକ ଶିଳ୍ପକଳାର ଗାଁ କେସ୍‌ନା । ଗାଁ ଭିତରେ ବିକ୍ରିବଟା ହେଉନି ବୋଲି କାଳକ୍ରମେ ଶିଳ୍ପୀମାନେ ରାସ୍ତା ଦୁଇ ପାଖରେ ଥିବା ନିଜ ନିଜ ଜାଗାରେ ୱାର୍କସପ୍ କରି ଉଠି ଆସିଛନ୍ତି ବୋଲି ପରେ ଜାଣିଲି ।

ତେବେ କେସ୍‌ନାରେ ଦୋକାନ କମ୍ ୱାର୍କସପ୍ ଗୁଡ଼ିକ ଖୋଲି ନଥାଏ ବୋଲି ଆମେ ଚାଲିଗଲୁ ଖିଚିଂ । ଖିଚ଼ିଂର ଦୂରତା ସେଇଠୁ ମାତ୍ର ତିନି କିଲୋମିଟର୍ । ସେଠୁ ଫେରି ପୁଣି କେସ୍‌ନାରେ ପହଞ୍ଚିଲୁ ଦିନ ୧୧ଟାରେ । ସେତେବେଳକୁ ଶିଳ୍ପୀମାନେ ମଗ୍ନ ଥାଆନ୍ତି ମୂର୍ତ୍ତି ଗଢ଼ାରେ । କିଏ ଧିରେଧିରେ କରି ପଥର ଉପରେ ମୂର୍ତ୍ତିର ଆଉଟ୍ ଲାଇନ୍‌ କରୁଥାଏ ତ କିଏ ଠୁକ୍ ଠୁକ୍ କରି ମୂର୍ତ୍ତିର ଅନ୍ତିମ ଆକାରକୁ ସେପ୍ ଦେଉଥାଏ । କିଏ ବଡ଼ ପଥରକୁ ଢକ୍ ଢାକ୍ କରି ବାଡ଼େଇ ମୂର୍ତ୍ତି କରିବା ପାଇଁ ପ୍ରସ୍ତୁତ କରୁଥାଏ ତ କିଏ ଗ୍ରାଇଣ୍ଡର୍ ଚଲେଇ ପଲିସିଂ କରୁଥାଏ । ମୁଁ ଜଣ ଜଣ କରି ଅନେକ କାରିଗରଙ୍କ ସହ କଥା ହେଲି । ସମସ୍ତଙ୍କର ଏକା କଥା । ସରକାରଙ୍କର ସାହାଯ୍ୟ କିଛି ନାହିଁ । ଅଳ୍ପଦିନ ଭିତରେ କାମ କରିବା ଆଉ ସମ୍ଭବପର ହେବନି । ଆମର ଏ ପାରମ୍ପରିକ କଳା କାରିଗରି ମରିଯିବ ।

ଭଞ୍ଜ ଶାସନ କାଳରେ କେସ୍‌ନା ଗାଁକୁ ଶିଳ୍ପଗ୍ରାମର ମାନ୍ୟତା ମିଳିଥିଲା ମୁଗୁନି ପଥର ଖୋଦେଇ କାମ ପାଇଁ । ସେ ପ୍ରାୟ ୧୨୦୦ ବର୍ଷ ତଳର କଥା । କଳା ମୁଗୁନି ପଥରରେ ସୂକ୍ଷ୍ମ, ଜଟିଳ ଖୋଦେଇ କରିବାରେ ପାରଦର୍ଶିତା ପାଇଁ କେସ୍‌ନାର ମୂର୍ତ୍ତିକାରମାନେ କିଚକେଶ୍ୱରୀ ମନ୍ଦିର ନିର୍ମାଣ ଏବଂ ଏହାର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେବେ ପଥର ଖଣି ପାଖ ଗାଁ ଆଦିପୁରରେ ଥିଲା । ଏବେ ବି ଅଛି । କିନ୍ତୁ ଏବେ ସରକାର ପଥର ଖଣି ଲିଜ୍‌ ଉପରେ ବ୍ୟାନ୍‌ ଲଗେଇଛନ୍ତି । ଅଳ୍ପ କିଛି ଗାଁ ଲୋକ ନିଜ ବାଡ଼ିରୁ ପଥର ବାହାର କରି ଦେଲେ ହିଁ ଶିଳ୍ପୀଟିଏ କାମ କରେ, ପେଟ ପୋଷେ । ଏବେ ଅଳ୍ପ ପଥର ମିଳୁଛି ବୋଲି ଦାମ୍ ବି ଖୁବ୍ ବେଶୀ । ଯାହା ଆଗରୁ ୩୦୦ ଟଙ୍କାର ମିଳୁଥିଲା ସେ ଏବେ ମିଳୁଛି ତିନି ହଜାର ଟଙ୍କାରେ । ପଥର ଅଭାବରୁ କାମ କମି ଆସୁଛି ବୋଲି ଅନିଶ୍ଚିତତା ଭିତରେ ଗତି କରୁଛି ଏଇ ଶିଳ୍ପଗ୍ରାମର ଭବିଷ୍ୟତ । ତେଣୁ ଯୁବଗୋଷ୍ଠୀ ବି ଏଥିରେ ଆଗ୍ରହ ଦେଖାଉ ନାହାନ୍ତି । ପରିଶ୍ରମ ଅନୁସାରେ ମୂଲ୍ୟ ବି ମିଳୁନି । କାରିଗରଙ୍କ କହିବାନୁସାରେ, ମାର୍କେଟିଂ ସୁଯୋଗ ଅଭାବରୁ ପଥର ଶିଳ୍ପୀମାନେ ସେମାନଙ୍କର କଳାକୃତିକୁ ମଧ୍ୟସ୍ଥିମାନଙ୍କୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ବି ସେମାନଙ୍କୁ ମାର୍କେଟିଂ ସହାୟତା କିମ୍ବା ପଥର ପାଇବା ପାଇଁ କିଛି ସୁବିଧା ଯୋଗାଇ ଦେଉନାହାଁନ୍ତି । ୧୯୫୦ ମସିହାରେ ସରକାର ଏକ ସମବାୟ ସମିତି ଗଠନ କରିଥିଲେ ହେଁ ତାହା କାମରେ ଲାଗୁନାହିଁ ।

ମୟୂରଭଞ୍ଜ ଜିଲ୍ଲାର ଏହି ପାରମ୍ପରିକ କଳା କାରିଗରି ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି । ସମସ୍ତେ ସେଥିପାଇଁ ଗର୍ବିତ ଅନୁଭବ କରନ୍ତି । ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ନିଜ ଭାଷଣରେ ଏସବୁ ପାଇଁ କ୍ରେଡିଟ୍ ବି ବେଶ୍ ନିଅନ୍ତି । କିନ୍ତୁ ସେଇ ଶିଳ୍ପୀମାନଙ୍କ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କ ପାଖେ ସମୟର ଅଭାବ । ଯେଉଁଥିପାଇଁ ଗର୍ବ ଓ ଗୌରବ, ଯେଉଁ ଶିଳ୍ପୀମାନେ ଏହାର ସଂରଚକ, ତାଙ୍କ ପାଇଁ ଆବଶ୍ଯକ ହେଉଥିବା କଞ୍ଚାମାଲ୍ ବି ସରକାର ଯୋଗେଇ ପାରୁନାହାଁନ୍ତି । ପଥର ଯୋଗେଇବା ତ ପଛ କଥା; ଯଦି ନିଜେ ଶିଳ୍ପୀ ବି କେଉଁଠୁ କେମିତି ପଥର ଯୋଗାଡ କରୁଛି ତାକୁ ସିଜ୍ କରି ଫାଇନ୍‌ ଆଦାୟ କରିବାରେ ହେଳା କରୁନାହାନ୍ତି ପଦସ୍ଥ ଅଧିକାରୀମାନେ । ଏମିତି ହେଲେ ଆମ ପାରମ୍ପରିକ ଶିଳ୍ପକଳା ବଞ୍ଚିରହିବ କେମିତି, କେମିତି ବଞ୍ଚି ରହିବ ଶିଳ୍ପୀଟିଏ ???

Report an Error