କେହି କେଉଁଠି ନ ଶୁଣିଲେ ବି

ସେ ଖୋଜୁଥିବାବେଳେ ପହଞ୍ଚି ଯାଆନ୍ତି ଓ ଦେଖୁ ଦେଖୁ ବାହୁଡି ମଧ୍ୟ ଯାଆନ୍ତି । ସେ ନଶ୍ଵର ନା ଈଶ୍ଵର ? ସେ ପ୍ରେମିକ ନା ପରମ ଅବତାର ? ସେ କିଏ, ବୁଝୁ ବୁଝୁ ଏ କବିତା ସରିଯାଏ । ଅଧାରେ ପାଠକକୁ ଅଧୀର କରିଯାଏ ।


କେହି କେଉଁଠି ନ ଶୁଣିଲେ ବି
ମୁଁ ମନେ ପକାଇଦେବା ମାତ୍ରେ ତମେ ହିଁ ପହଞ୍ଚିଯିବ ଆସି,
ମୁଁ ଜାଣିଛି ।

ଅଭିମାନୀ, ବିଷାଦର ମୁହଁ ଧରି ଆସିବ ତମେ
ଲଳିତ ନୃତ୍ୟଟିଏ ଭଳି
ମୁଁ ଗୁଡେଇ ହୋଇଯିବି ତମ ଦେହରେ ।

ଗଳିତ ମାଂସ ହାଡର ଏ ଜଗତ ମୋର
ଅଭିନନ୍ଦିତ ପୃଥିବୀଟିଏ ହୋଇଯିବ ହଠାତ୍,
ସହସ୍ର ଶରତର ଶିଶିରରେ ଭିଜିଯିବି ମୁଁ
ବସନ୍ତର ବିଳାସରେ ଭାସିଯିବି ।

ବର୍ଷା ବନ୍ୟାରେ ଉଛୁଳି ଯିବି ମୁଁ
ସାରା ଅତୀତଟିକୁ ମୋର ଓଲଟାଇ ରଖିଦେବି ଯେତେବେଳେ,
ଚମତ୍କାର ଚନ୍ଦ୍ରଟିଏ କି ତମେ ଚହଲିଯିବ
ମୋ ତରଳ ଅସ୍ତିତ୍ଵ ପ୍ରବାହରେ ?

କିଏ ସେ କେଉଁଠି କାନ୍ଦୁଥିବ ଯଦି,
ହଠାତ ତୁନି ହୋଇଯିବ,
କୁଣ୍ଠିତ ମଣିଷଟିଏ ସାମ୍ରାଜ୍ୟ ଦାନ କରିଦେବ ଆମର ଅନୁରୋଧରେ,
ଜଣାଶୁଣା ଲୋକଟିଏ ଭଳି ଯିଏ ଆମ ସଙ୍ଗେ ହାତ ମିଳାଇବ ଆସି
ସେ ହିଁ ହେଇଥିବ ଆମର ନିଦାରୁଣ ନିୟତି,
ଭୀଷଣ ଭବିଷ୍ୟତର ଭୟ
ଚୁପଚାପ ପଡିଥିବ ସେଇଠି
ମୃତ ସାପଟିଏ ଯେମିତି ।

ଆମେ କଣ ଆକାଶକୁ
ନିଜର କରିନେବା ନା ଲହଡିକୁ ?
ଆମେ ମାଟିରେ ମିଶିଯିବା ନା ନିଆଁରେ ହଜିଯିବା ?
ଆମେ ଅନ୍ଧାରକୁ ପ୍ରଗାଢ କରିଦେବା ନା ଆତ୍ମୀୟତାକୁ
ଆମେ ନିଜକୁ ଚିହ୍ନିନେବା ନା ଅସୀମକୁ ?

ତମର ଆଗ୍ରହ ମୋର
ଆଦର କୋଳ ଭିତରେ, ମୁଁ ଜାଣିଛି,
ତମର ଉପସ୍ଥିତି
ମୋ ଦେହର ଅନୁପସ୍ଥିତି ଭିତରେ ।

କାହିଁକି ତେବେ ତମେ ବାର ବାର ବାହୁଡି ଯାଅ,
ମୁଁ ଏମିତି ଏକାକୀ ଚାଲିଥାଏ ଆଗକୁ ଆଗକୁ ,
ଏଇଠାରେ ହିଁ ଆମ ଏକାଠି ଜୀବନର
ସଫଳତା ଖୋଜି ପାଇବାକୁ ?

Report an Error