କେହି ଜଣେ ହଜିଗଲା

ସେ ଲୋକ କିଏ ? ସେ ଲୋକ ସହିତ କଣ ବା କବିର ସମ୍ପର୍କ । ଏକ ନାମହୀନ ସମ୍ପର୍କର ଚିତ୍ରଲିପି ଏ କବିତା ।


ଏଇଠି ଗାଡିରଖ ଡ୍ରାଇଭର,
ସେ ଏଇଠି ଓହ୍ଲାଇ ଥିଲା ପରା ?

ଆମ ଆଗରେ ଥିବା
ଗୋଟିଏ ଗାଢ଼ ନେଳି ଗାଡିରୁ
ଆଉ ଜଣେ ଯେ ଓହ୍ଲାଇ
ଗଲା ତା ପଛେ ପଛେ,
ଆମେ ତାକୁ ଜାଣିନଥିଲେ,
ସେମାନେ ଦୁହେଁ ଯାଉଥିଲେ କେବେ ଆଗପଛ
କେବେ ପାଖ ପାଖ, ମୁଁ କିଛିଟା ଆଶଙ୍କିତ ଥିଲି
କିନ୍ତୁ ସେ ବେପରୁଆ ଥିଲା ତ
ସେ ମୋର ବାନ୍ଧବୀ କି ଛାଇ ସେ ?

ସେ ମୋର ଜୀବନ ସର୍ବସ୍ୱ ନା
ସେ ମୋର ଅହରହ ବିଚ୍ଛେଦ ?

ମୁଁ ତାକୁ କାହିଁକି ଛାଡିଦେଲି
ଜଣେ ଅଚିହ୍ନା ଲୋକ ସହିତ ?

କେବେ ଦୁହେଁ ନୀରବ ଥିଲେ ତ
କେବେ ଦିଶୁଥିଲେ ଉତ୍ତେଜିତ ।

କେବେ ଦୁହେଁ ଧରୁଥିଲେ ପରସ୍ପରର ହାତ
କେବେ ଛାଡି ଦେଉଥିଲେ
କେବେ ସେ ଦୁଇ ହାତରେ ଘୋଡ଼ାଇ ଦେଉଥିଲା ମୁହଁ ।

ତାକୁ ଆବୋରି ଧରି
ଟାଣି ନେଉଥିଲା ସେ ଲୋକ ।

ପ୍ରଥମେ ବୁଦାବୁଦା ଜଙ୍ଗଲ
ଧିରେ ଧୀରେ ହୋଇଥିବ କି ଗହନତର ?
ଅନ୍ଧାର ହୋଇଥିବ ଗାଢ଼ରୁ ଗାଢତର ?

ମୁଁ କାହିଁକି ନଗଲି ସେମାନଙ୍କ ପଛେ ପଛେ ?
ଏଇଠି ଗାଡି ରଖ,
ମୁଁ ତାକୁ ଖୋଜିବାକୁ ଯିବି
ହୁଏତ ସେ ଶୋଇ ପଡିଥିବ ଗଛ ତଳେ,
ହୁଏତ ସେ ଧ୍ୟାନ ମଗ୍ନ ଥିବ
କେଉଁ ଉଇ ହୁଙ୍କା ପାଖରେ,
ହୁଏତ ସେ ତା ଦେହରେ ଡେଣା ଖଞ୍ଜୁଥିବ,
ସେ ଲତା କୁଞ୍ଜରେ ଫୁଲ ତୋଳୁଥିବ
ଝୁଲୁଥିବ ସେ,
ଖେଳୁଥିବ ହରିଣ ଠେକୁଆଙ୍କ ସାଙ୍ଗରେ,
ହୁଏତ ସେ ଖୋଜୁଥିବ ବାଘର ପଦଚିହ୍ନ ?

ସେ ସେମିତି ପରା,
ଖେଳପ୍ରିୟ ଖିଆଲି ସେ,
ହଜିଯାଏ ସେ ପୁଣି ମିଳିଯାଏ
ବୁଡି ଯାଏ ସଂସାରରେ ଯଦି ପୁଣି
ଉବୁକି ଉଠେ କଇଁ ଗଡ଼ିଆରେ ।

ଫେରିବା କଥା ତାର ମନେ ପଡିବ ନାହିଁ ଯଦି
ମୁଁ ଖୋଜିବାକୁ ନ ଗଲେ ?
ସେ କଣ ହଜିଗଲା ?
ସେ ଯଦି ଆହତ, ଅସହାୟ ଥିବ
ମୋ ଅପେକ୍ଷାରେ ?
ଖାଲି ଏତିକି ମନେ ପଡନ୍ତା ଯଦି,
ସେ ଲୋକଟି କଣ ସେଦିନ ଏକା ଫେରିଥିଲା ?

ଗାଡିରୁ ପାଣି ବୋତଲ ଆଣି ସେ ଲୋକଟି
ଧୋଇଲାବେଳେ ତାର ହାତ,
ଯେଉଁ ପାଣି ନିଗିଡି ଥିଲା
ତାହା କେଉଁ ରଙ୍ଗର ଥିଲା, ମନେ ପଡୁଛି ?

କେଉଁ ରଙ୍ଗର ଥିଲା,
ଲାଲ ନା ସବୁଜ ?

Report an Error