କେବେ ନା କେବେ

ଅନ୍ତର୍ୟାମୀ ମିଶ୍ରଙ୍କ କବିତାରେ ଥାଏ ଗୋଟେ ଛଳ ଛଳ ପ୍ରାଣର ଅନୁଭବ। ସେ ପ୍ରେମ ଓ ବିରହର ରୂପକାର। ତାଙ୍କ କବିତାରେ ସରଳତା ଯେତିକି, ଗଭୀରତା ବି ସେତିକି।


କେବେନା କେବେ ତୋର 

ମନେ ପଡ଼ିବି ମୁଁ...

ସଂଜହେଲେ ତୋ ଚଉରା ମୂଳରେ 

ଦ୍ୱୀପଟିଏ ହେଇ ଜଳିଯିବି 

ତୁ ଯୌବନକୁ ସାତଚଉତା କରି ରଖିଥିବା ଟ୍ରଙ୍କ୍‌ରେ

ଗନ୍ଧଗୁଳି ହେଇ 

ତତେ ନହେଲା ନାଇଁ 

ତୋ ଯୌବନକୁ ଛୁଁ ଥିବି ..।।


ତୋ ଘରେ ଉଡୁଥିବା 

ଯାବତୀୟ ପୋକ ଜୋକକୁ ଝିଟିପିଟି ପରି

ଟକ୍‌ଟାକ୍ କରି ଗିଳିଦେବି ...

ତତେ କାଳେ ନଜର ଲାଗିଯିବ ବୋଲି 

ତୋ ଦୂଆର ବନ୍ଧରେ ଲେମ୍ବୁ ଲଙ୍କା ହେଇ ଝୁଲୁଥିବି ..।। 


କେବେନା କେବେ ତୋର 

ମନେ ପଡ଼ିବି ମୁଁ...

ତୁ ତୋ ଅଜାଣତରେ ମୋତେ 

ଶାଗ ଖରଡିଲା ପରି ଖରଡି ଦଉଥିବୁ କଢକାରେ 

ଘରର ଅଳିଆ ଭାବି ଓଳେଇ ଦଉଥିବୁ ଛାଂଚୁଣୀରେ ...

ତୁ ଘରକୁ ଲକ୍ଷ୍ମୀଙ୍କୁ ଡାକିଲା ବେଳକୁ 

ମୁଁ ଫୁଲ ହେଇ ଫୁଟି ଯାଉଥିବି ତୋ କାନ୍ଥବାଡରେ...

ନିଦ ମାଉସୀକୁ ଡାକିଲା ବେଳକୁ

ମୁଁ ତାଜମହଲ ତୋଳୁଥିବି ତୋ ଆଖିରେ ..।।


କେବେନା କେବେ ତୋର ମନେ ପଡ଼ିବି ମୁଁ

ଏକ ନିଛାଟିଆ ଖରାବେଳେ ଏସବୁ ବିଷୟରେ

ଯେବେ ଭାବିବସିବୁ ତୁ...

ତୁ ଖୋଜିଲା ବେଳକୁ ମୁଁ ଆଉ ନଥିବି ଏସବୁରେ 

ମିଶିଯାଇଥିବି ପବନରେ

ଧାଉଁଥିବି ଧମନୀରେ 

ପୁ’ଣି ଥରେ ଜନ୍ମ ନେବାକୁ ପ୍ରସ୍ତୁତ ହେଉଥିବି 

ତୋରି ଗର୍ଭରେ। 

Report an Error