
କେବେ ଦିନେ ଏ ଦେଶରେ ମାଟି ମୁଠେ ଥିଲା
ମାଟିରେ ମାଣ୍ଡିଆ, ଗହମ, ଧାନ
ତାର ପିଲା ଜନ୍ମ କରୁଥିଲା...
ମାଟିକୁ ଚକଟି ଯିଏ ଈଶ୍ବର ଗଢ଼ିଲା
ଈଶ୍ବର ଆଗରେ ନିଜ ଦୁଃଖକୁ ବାଢ଼ିଲା
କାନ ତରାଟିକି ଈଶ୍ବର ସବୁ ଦୁଃଖକୁ ଶୁଣିଲା
ଉପାୟ ନପାଇ ନିଜେ ମାଟିରେ ମିଶିଲା...
କେବେ ଦିନେ ଏ ଦେଶରେ ମାଟି ମୁଠେ ଥିଲା ।।
ବୁଝୁଥିଲା ପେଟ କଥା
ବୁଝୁଥିଲା ମନ କଥା
ବୁଝୁଥିଲା ଦେଶ କଥା
ଛାର ଏଇ ମାଟି ମୁଠେ...
କେବେ ଦିନେ ଏ ମାଟିରେ ଫୁଲ ଫୁଟୁଥିଲା
ଛାର ଫୁଲ କହି ଜଣେ ଗୁଳି ଫୁଟେଇଲା
ମାଟିର ଛାତିକୁ ନିଜ ନଖରେ ବିଦାରି
ଝୁଣି ଝୁଣି ଏ ମାଟିକୁ ମାଟି କରିଦେଲା
କେବେ ଦିନେ ଏ ଦେଶରେ ମାଟି ମୁଠେ ଥିଲା...।।
ମାଟି କଥା ଶୁଣିବାକୁ କେହି ଆଉ ନାହିଁ
ମାଟି କଥା ଶୁଣେ ଯେ ସେ... ମାଟିରେ ମିଶଇ
ମାଟି ବୋଇଲେ କହ ତୁ କି ଜାଣୁରେ ବାବୁ
ମାଟିରେ ଜନମି ଥିଲେ ମାଟିକୁ କହିବୁ...।।