କାତ ଧରି ଧୀରେ ନାଉରୀ...

ଅଜୟ ଡଙ୍ଗାରେ ଚଢିଲା । ପଛରେ ରହିଗଲେ ମା' କାଳିଜାଈ । ଭାରି ପ୍ରତ୍ୟକ୍ଷ ଦେବୀ ସେ । ଅଜୟ ଦୁଇହାତ ଯୋଡ଼ି ଆଉଥରେ ପ୍ରଣାମ କଲା ତାଙ୍କ ଉଦ୍ଦେଶ୍ୟରେ । ତାକୁ ଦେଖି ଅନ୍ୟମାନେ ବି ହାତ ଯୋଡ଼ିଲେ... ।


ଫଟୋ - ଓଡିଶା ପର୍ଯ୍ଯଟନ

ଅଜୟ ଖୁବ୍ ଏନ୍‌ଜୟ କଲା ଚିଲିକାକୁ । ତା ନୀଳଜଳରାଶିରେ ଭାସି ଭାସି ଯାଉଥିବା ଡଙ୍ଗା, ଅଥଳଥଳ ପାଣିରେ ନିଖୋଜ୍ ହେଇ ପୁଣି ମୁଣ୍ଡ ଟେକୁଥିବା ସେ ଟୋପି ଟୋପିକା ଚିତ୍ର ବିଚିତ୍ର ଚଢ଼େଇ, ଦୂର ଦିଗ୍‌ବଳୟ ସେପାରି ଗାଁ, ନାଁ ଅଜଣା ପକ୍ଷୀଙ୍କ ଗୀତ । ତାର ଇଚ୍ଛା ହେଉଥିଲା ବଡପାଟିରେ ଗାଇବାକୁ ଭାସିଯାଆ ମୋର କାଗଜ ଡ଼ଙ୍ଗା ନହେଲେ କାତ ଧରି ଧୀରେ ନାଉରୀ... । ହେଲେ ସେ ବଡ଼ ହେଇଯାଇଛି ଆଜି ସେ ମୁକ୍ତ କଣ୍ଠରେ ସେଦିନ ଭଳି ଗାଇ ପାରିବନି ଗୀତ । ମୁଖଲଜ୍ଜା, ପଦ ପଦବୀର ମାନ୍ୟତା ଛଡ଼େଇ ନେଇଛି ପିଲାବେଳର ଦୁଷ୍ଟାମୀ । ଅଜୟ କିନ୍ତୁ ଆଉ ସମ୍ଭାଳି ପାରିଲାନି । ଅଫିସ୍‌ର ସେ କପଟୀବନ୍ଧୁ ଓ ସେମାନଙ୍କ ବସ୍ତୁବାଦୀ ଆଲୋଚନାକୁ ପଛ କରି ଚାଲିଗଲା କାଳିଜାଈ ମନ୍ଦିର ପଛପାଖକୁ । ଚଢ଼ିଲା ମୁଣ୍ଡିଆ ଉପରକୁ । ପଚାଗୁହରେ ଭର୍ତ୍ତି । ଇହିଃ ଏ ଶଳା ଜାତିଟା ଆଉ ହବନି । ଅପରୂପ ସୌନ୍ଦର୍ଯ୍ୟକୁ ବିକୃତ କରିବାକୁ ଯେମିତି ରାଣ ପକେଇଛନ୍ତି ଏମାନେ । ତଥାପି ସେ ପଚାଗୁହକୁ ଆଡ଼େଇ ଖୋଜିଲା ଗୋଟେ ଜାଗା ଟିକେ ବସିବା ପାଇଁ, ଏକାନ୍ତରେ ମୁଣ୍ଡିଆ ଉପରୁ ଭଲକରି ଚିଲିକାକୁ ଭୋଗିବା ପାଇଁ । ଗୋଟେ ଗଛମୂଳେ ବସିଲା ଚିଲିକାକୁ ଚାହିଁ । ମନରେ କେତେକଣ ଭାବନା ଆସୁଥାଏ । ଗୋଟେ କବି କବି ଭାବ ତାକୁ ଆଚ୍ଛନ୍ନ କରୁଥାଏ । ଗୋଟେ କଅଁଳ ସଜଳ ମୁହଁ ତା ବିନାନୁମତିରେ ଭାସି ଉଠିଲା ଚିଲିକାବକ୍ଷର ସେଇ ଅଜଣା ପକ୍ଷୀ ପରି । ଖାଲି ବୁଡ଼ିଲା ଉଠିଲା । ତା'ର ମନେପଡ଼ିଯାଉଥିଲା ତୃତୀୟଶ୍ରେଣୀର ସେ ସାହିତ୍ୟ ବହି, ନାରଣ ସାର୍‌, କଳାହାଣ୍ଡିଆ ମେଘ ଓ କାତ ଧରି ଧୀରେ ନାଉରୀର ଅପୂର୍ବ ସମବେତ କଣ୍ଠସ୍ୱର । ଅଜୟ ଜାଣିଥିଲା ତା କଣ୍ଠସ୍ୱର ଏତେ ଭଲ ନୁହେଁ ତଥାପି ତାକୁ ଭଲ ଲାଗେ ଗୀତ । ସେ ସ୍ୱର ମିଳାଇଲା । ଭୁଲ୍‌ଭାଲ୍ କରି ଗାଇଲା । ହେଲେ ସେ ଭୁଲ୍ ଲୁଚିଗଲା ମାଳତୀର ସୁଲଳିତ କଣ୍ଠସ୍ୱର ଭିତରେ ।

ମାଳତୀ ତା’ ସାଙ୍ଗ । ତା ପ୍ରିୟ ମିତଣୀ । ତା' ପ୍ରାଣ ସହୀ । ଏକାନ୍ତରେ ତା'ଠୁ ଅନେକ ଗୀତ ଶୁଣେ ଅଜୟ । ଟିକେ ଟିକେ ପାଟି ଲାଗିଲେ ବି ଭାରି ଛନ୍ଦମୟ ତା କଣ୍ଠସ୍ୱର । ସେ ବି କହେ - ‘ତୁ ଗାଉନୁ... ।’

ଅଜୟ ହତାଶ ହେଇ ଚାହେଁ ତା' ମୁହଁକୁ । ସେ ଭରସା ଦିଏ - ‘ତୋ ସ୍ୱର କାହାକୁ ଭଲ ନ’ଲାଗିଲେ ବି ମୋତେ ଭଲ ଲାଗେ ତୁ ଗାଆ.. ।’ ଅଜୟ ଗାଏ । ସେ ତା'ର ତ୍ରୁଟି ସୁଧାରେ । ବିଚାରୀ ମାଳତୀ । ପୋଡ଼ିଗଲା ଯୌତୁକ ନିଆଁରେ । ତା’ ସୁକୁମାରୀ ଗୋରା ନରମ ଦେହ ସହି ପାରିଲାନି ଅମାନବୀୟ ନିର୍ଯାତନା । ତା’ ବରର ପରକୀୟା ପ୍ରୀତି, ଶାଶୁ, ଯାଆଙ୍କର ଅନାଦର, ଅପ୍ରେମ ଓ ଅସହ୍ୟ ନିର୍ଯାତନା ତାକୁ ବାଧ୍ୟ କଲା ଏମିତି ଏକ ସିଦ୍ଧାନ୍ତ ନେବାକୁ ।

ଖବର ପହଁଚିଲା ତାଙ୍କ ଗାଁରେ । ଧୂ ଧୂ ଖରାବେଳେ ଅଜୟକୁ ସାଙ୍ଗରେ ଧରି ମାଳତୀର ବାପା ଧାଇଁଲେ ଡାକ୍ତରଖାନାକୁ । ଅଧାରୁ ଅଧିକ ଜଳିଯାଇଥାଏ ସେ । ମାଳତୀର ପୋଡ଼ାଦେହ ଦିଶୁଥାଏ ଅଘିରେ ପୋଡ଼ିଯାଇଥିବା କଅଁଳ ବାଡ଼ି ବାଇଗଣ ପରି । ଯନ୍ତ୍ରଣାରେ ଚିତ୍କାର କରୁଥାଏ ବାପା ବାପା ବୋଲି । ଅଜୟ ମୁହଁ ବୁଲାଇ ନେଲା ସେ ଦୃଶ୍ୟ ଆଡୁ । ତାକୁ ଭାରି କାନ୍ଦ ମାଡ଼ିଲା । ବିଚାରୀ ଅଭାଗିନୀ ସହପାଠିନୀର କଣ୍ଠସ୍ୱରରେ ବିକଳ ରାଗିଣୀ । ଆଉଜଣେ କାଳିଜାଈ । ସେ ଯେମିତି ଗାଉଥିଲା - ‘ବର ବୋଲି ଯା'ର ଧରାଇଲ ହାତ କି ଅବା ଦେଖିଲ ଶିରୀ, ରୂପ, ଗୁଣ ଆଉ ବିଭବ ବାପା ହେ ତିନିହେଁ ତିହ୍ନିକି ବଳି.... ।’

ଧୀରେଧୀରେ ମାଳତୀର ସେ ଚିତ୍କାର ନରମି ଗଲା । ମାଳତୀର ବାପା ଓ ଅଜୟ ଧାଇଁଗଲେ ମାଳତୀ ଶୋଇଥିବା ବିଛଣା ପାଖକୁ । ମାଳତୀ ଆଖି ଖୋଲି ଚାହିଁଲା ଅଜୟକୁ । ଧାରେ ଲୁହ ବହିଗଲା ତକିଆ ଆଡ଼କୁ । ଅଜୟ ଆଖିରେ ଭାସିଗଲା ଗୋଟେ ଦୃଶ୍ୟ । ପିଲାବେଳେ ଧୂଳିଘର ଭାଂଗି ଦେଇ ଯେବେ ଫେରିଯାଏ ମାଳତୀ ତା ଚୁଟିକୁ ଭିଡ଼ି ଧରି କୈଫିୟତ୍ ତଲବ୍ କରେ ଅଜୟ - ‘କହ କାହଁକି ଭାଙ୍ଗିଲୁ ତୁ ମୋ ଘର ?’

‘ଭାଙ୍ଗିଲି ଭଅଲ କଲି । ତୁ କ'ଣ ଏକା ତୋଳିଥିଲୁ କି ? ମୁଁ ବି ତୋଳିଥିଲି ମୋର ବି ଭାଙ୍ଗିବାର ଅଧିକାର ଅଛି ତୁ ମୋର କ'ଣ କରିବୁ ଯାଆ ।’

ଅଜୟ କହେ - ‘ଘରଭାଙ୍ଗୀ, ଜହ୍ନ ପାଗିଳୀ ।’

ମାଳତୀ କହେ - ‘ତୁ ସିଙ୍ଗାଣୀନାକିଆ ଘଁ ଘଇଁଆ ।’

ଅଜୟ କହେ - ‘ତୁ ମରିବୁ ରହ ।’

ମାଳତୀ କହେ - ‘ତୁ ମରୁନୁ ।’ ଖତେଇ ହୁଏ ମାଙ୍କଡ଼ ଭଳି ଅଜୟ ମାରି ଗୋଡ଼ାଏ ତାକୁ । ସେ ବିଜୁଳି ବେଗରେ ଧାଇଁ ପଳାଏ । ଅଜୟ ରାଗରେ ଭାଙ୍ଗି ଦିଏ ଧୂଳିଘରର ଅବଶିଷ୍ଟାଂଶ । ଧୂଳିର ଭାତ ତରକାରୀ, ପତରର ଶାଗ, ଗୋଡ଼ିମାଟି ମିଶା ପାଣିଆ ଡାଲି ସବୁକୁ ଢାଳିଦିଏ ରାଗରେ । ନିଷ୍ପତ୍ତି ନିଏ ଆଉ ମାଳତୀ ସାଙ୍ଗରେ ଖେଳିବନି ବୋଲି । ହେଲେ ସକାଳ ଚାଟିଚୁଟି ସଫା କରିଦିଏ ଗତକାଲିର ନିଷ୍ପତ୍ତି । ନିଷ୍ପାପ ପିଲାମନ ଧରି ରଖି ପାରେନା ଜଟିଳତାକୁ, ପ୍ରତିଜ୍ଞାକୁ । ପୁଣି ବସେ ଭାତହାଣ୍ଡି । ଧୂଳିଘରେ କନିଆଁ ସାଜେ ମାଳତୀ । ବାପା ସାଜି ଦୂର ବିଦେଶକୁ ଯାଏ ଅଜୟ । ପିଲାବେଳର ସେଇ ସାଙ୍ଗ ତା ପ୍ରିୟ ପ୍ରାଣ ସହୀ ଆଜି କେଉଁ ଅପରାଧରେ ଦଣ୍ଡିତ ସେ ବୁଝି ପାରେନା । ଖାଲି ଗୀତ ନୁହେଁ କେଡ଼େ ସୁନ୍ଦର ଘର ତୋଳେ ଧୂଳିରେ ମାଳତୀ ! କେତେ ତରକାରୀ, କେତେ ପ୍ରକାର ଶାଗ ରାନ୍ଧେ ସେ ? ମିଛି ମିଛିକା ଧୂଳିଘର ଆଉ ସତସତିକା ଘର ଭିତରେ କେତେ ଫରକ୍ ସତେ ?

ଆଉ ଥରେ ଖୁବ୍ ଜୋର୍‌ରେ ବାପା ବାପା ଡାକ ଦେଲା ମାଳତୀ । ତା’ ବାପା ଧାଇଁଗଲେ ତା’ ପାଖକୁ । ଧାଇଁ ଆସିଲେ ଡାକ୍ତର, ନର୍ସ । ହେଲେ ସବୁଶେଷ । ତା’ର ସେଇଟା ଥିଲା ଶେଷ ବାପା ଡାକ । ବୁଡ଼ିଗଲା ଜୀବନ ନୌକା ଦୁନିଆଁ ଚିଲିକାର ନୀଳ ଜଳରେ । କାତ ପାଉନଥିବା ଗଣ୍ଡରେ ଅସହାୟ ନାବିକ ପରି ତା’ ବାପା ଦରାଣ୍ଡୁଥିଲେ ମାଳତୀକୁ । ବୁଡ଼ିଗଲା ମାଳତୀବାପାର ବଂଶ । ଏକମାତ୍ର ଅଲିଅଳି ଝିଅର ମୃତ୍ୟୁକୁ ସେ ଦେଖିଲେ ତାଙ୍କ ଆଖି ସାମ୍ନାରେ । ଇଂଜେକ୍ସନ୍‌କୁ ଡରି ଲୁଚୁଥିବା ମାଳତୀ ଦେହରେ ଫୋଡ଼ାହେଇଥାଏ ସାଲାଇନ୍ ଛୁଞ୍ଚି । ଅସଖ୍ୟ କ୍ଷତ ତା କୋମଳ ଦେହରେ । ଷ୍ଟାଣ୍ଡରେ ଝୁଲୁଥାଏ ସାଲାଇନ୍ ବୋତଲ । ଟୋପାଟୋପା ହେଇ ଝରିଯାଉଥାଏ ସାଲାଇନ୍ । ନର୍ସ ଚିପିଦେଲେ ତା’ ତଣ୍ଟିକୁ । ବନ୍ଦ ହେଇଗଲା ତା' ଝରିବା । ପୋଲିସ୍ ଆସି ଷ୍ଟେଟ୍‌ମେଣ୍ଟ୍ ନେଲା । ବଡ଼ି ପୋଷ୍ଟମର୍ଟମ ପାଇଁ ଗଲା । ସବୁ କାମ ତୁଟେଇ ଅଜୟ ଓ ମାଳତୀର ବାପା ଫେରିଲାବେଳକୁ ସଂଜ ରାତି ଘଡ଼ିଏ । ସାରା ଗାଁଟା ଶୁନ୍‌ଶାନ୍ । କେବଳ ରାହାଧରି ବାହୁନୁଥାଏ ମାଳତୀର ବୋଉ । ମାଳତୀର ରୂପ, ଗୁଣକୁ ବାହୁନି ବାହୁନି । ଅଜୟ ଧୁଆଧୋଇ ହେବା ପାଇଁ ଗଲା ପୋଖରୀକୁ । ବାଉଁଶବୁଦା ମୂଳେ ଦେଖିଲା ମାଳତୀକୁ । ମାଳତୀ ଠିଆ ହେଇଛି ହସ ହସ ମୁହଁରେ । କହୁଛି ଯେମିତି - ‘ଅଜୁ ! ଆ ଖେଳିବା ଆ..’

ଅଜୟ ପାଟିରୁ ବାହାରିଗଲା - ‘ନା ନା ମୁଁ ତୋ ସାଙ୍ଗରେ ଖେଳିବିନି ତୁ ଟା ବଡ଼ ମିଛେଇ, ଠକ । ତୁ ପୁଣି ଘରଭାଙ୍ଗି ଚାଲିଯିବୁ ।

-- ‘ନା ଅଜୁ ସତକହୁଛି, ମୋ ପାଠରାଣ, ମୋ ବିଦ୍ୟାରାଣ ଆଉ କେବେ ବି ଘର ଭାଙ୍ଗିବିନିରେ.. । ଆ ଖେଳିବା ଆ.. ।’

ଅଜୟ ଅଫିସ୍‌ର ପିଅନ ବନମାଳି କହିଲା - ‘ଅଜୟବାବୁ ! ଆପଣ ଯିବେନି କି ? ଏଠି କ'ଣ କରୁଛନ୍ତି ? ଆପଣଙ୍କୁ ପରା ଆମେ କେତେ ଖୋଜିଲୁଣି ? ଆପଣ ଆସି ଏଇଠି ବସିଛନ୍ତି ଆସନ୍ତୁ ଆସନ୍ତୁ ।’

-- ‘ହଁ ଚାଲ ଚାଲ ମୁଁ ଯାଉଛି ଚାଲ.. ।’

ଅଜୟ ଡଙ୍ଗାରେ ଚଢିଲା । ପଛରେ ରହିଗଲେ ମା' କାଳିଜାଈ । ଭାରି ପ୍ରତ୍ୟକ୍ଷ ଦେବୀ ସେ । ଅଜୟ ଦୁଇହାତ ଯୋଡ଼ି ଆଉଥରେ ପ୍ରଣାମ କଲା ତାଙ୍କ ଉଦ୍ଦେଶ୍ୟରେ । ତାକୁ ଦେଖି ଅନ୍ୟମାନେ ବି ହାତ ଯୋଡ଼ିଲେ... । ପବନରେ କାହାର ଗୋଟେ ବ୍ୟାଗ୍‌ରୁ ଉଡ଼ିଗଲା ମା’ କାଳିଜାଈଙ୍କ ଫଟୋ । ଫଟୋଟି ଭାସି ଯାଉଥିଲା ଚିଲିକାର ଅତଳ ଜଳରେ । ସେ ଫଟୋରେ ଥିବା ମା’ କାଳିଜାଈଙ୍କ ମୁହଁ ତାକୁ ଅବିକଳ ମାଳତୀର ମୁହଁ ପରି ଦିଶୁଥିଲା । ଅଜୟ ମୁହଁ ବୁଲାଇ ନେଲା ସେ ଆଡୁ । ଚାହିଁଲା ଚିଲିକାର ବିସ୍ତୀର୍ଣ୍ଣତାକୁ । ଦି'ଟୋପା ଲୁହ ଟପ୍‌ଟପ୍ କରି ଝରି ପଡ଼ିଲା ଚିଲିକା ପାଣିରେ ।

Report an Error