କାନ୍ଧ ଗାମୁଛାର ମୋହ

ମୁଁ ବୁଝିପାରେ ବାପାଙ୍କ କାନ୍ଧ ଗାମୁଛା ପ୍ରତି ଦାଦାଙ୍କର ସେ ଅଦୃଶ୍ୟ ସମ୍ମାନମିଶା ମୋହକୁ । ବଡ଼ବାପା, ଦାଦା ଓ ବାପା ମୋ ପାଇଁ ବ୍ରହ୍ମା - ବିଷ୍ଣୁ - ମହେଶ୍ୱର । ତାଙ୍କଠୁ ଶିଖିଥିଲି ବଡ଼ଭାଇଙ୍କୁ ସମ୍ମାନ ଦେବା ଓ ତାଙ୍କ କଥାକୁ ଅମାନ୍ୟ ନକରିବାର ଅକାଟ୍ୟ ପରମ୍ପରା ଓ ବିଧିକୁ ।


ଗାଁଲୋକଙ୍କ ହାତରେ ବା କାନ୍ଧରେ ଆଉ କିଛି ଥାଉକି ନଥାଉ ଗାମୁଛାଟେ ନିଶ୍ଚୟ ଥିବ । ମୋ ପିଲାଦିନେ ତ ଗାମୁଛା ହିଁ ଥିଲା ମୁଖ୍ୟ ପୋଷାକ । ଗୋଟେ ପିନ୍ଧାଯାଏ ଆଉ ଗୋଟେ କାନ୍ଧରେ ପକାଯାଏ । କାନ୍ଧରେ ପଡ଼ିଥିବା ଗାମୁଛାଟି ଅନେକ କାମରେ ଲାଗେ । ଏଇ ଯେମିତି - ସିଙ୍ଘାଣି ପୋଛା, ଝାଳ ପୋଛା, ମୁହଁ ପୋଛା, ଛୋଟପିଲାଙ୍କୁ ବାନ୍ଧି ପିଠିରେ ପକେଇ ବୁଲିବା, ମଶା ଘଉଡ଼େଇବା, ପିଣ୍ଡାରେ ପାରିକି ଶୋଇବା, କମରରେ କସ କରି ବାନ୍ଧି ଗଛ ଚଢ଼ିବା, ମୁଣ୍ଡରେ ଠେକା ପିନ୍ଧି ପ୍ରତିପକ୍ଷ ଦଳକୁ ଆହ୍ୱାନ କରିବା ଏବଂ ଗାମୁଛାକୁ ଜାଲ କରି ମାଛ ଧରିବା ଇତ୍ୟାଦି ଇତ୍ୟାଦି କାର୍ଯ୍ୟରେ ଲାଗେ ଏଇ କାନ୍ଧ ଗାମୁଛା ।

ମୂଳ ଗାମୁଛା ବା ପିନ୍ଧା ଗାମୁଛାଟି ସ୍ଥିର ଥାଏ । କେବଳ ନାଲିଆ ଗାମୁଛା ବା ଖୋର୍ଦ୍ଧା ଗାମୁଛା । ରଙ୍ଗ ବେରଙ୍ଗର ଗାମୁଛା ସେବେ ନଥିଲା । କାଛୁ - କୁଣ୍ଡିଆ, ବଥ, ମିଳିମିଳା ଆଦି ରୋଗରେ ପୀଡ଼ିତ ବ୍ୟକ୍ତିର ଏଇ ଗାମୁଛାଟି ଅତ୍ୟନ୍ତ ଉପାଦେୟ ଥିଲା । କାଛୁ - କୁଣ୍ଡିଆ ରୋଗୀର ପୂଜ - ରକ୍ତ ଲାଗି ଗାମୁଛା ଯେତେ ଗରମ ପାଣି କି ସାବୁନ୍ ଲଗେଇ ସଫା କଲେ ବି ଆଉ ନରମ ହେବାର ନାଁ ଧରୁନଥିଲା । ପିଲାମାନଙ୍କର ଅଧବେଳେ ପୋଷ୍ଟ ଅଫିସ୍ ଖୋଲା । ନାମକୁ ମାତ୍ର ଗାମୁଛା ପିନ୍ଧା ଯାଇଥାଏ । ଗାମୁଛା ପିନ୍ଧିବା ଯେତିକି ସହଜ ତାକୁ ଖୋଲିବା ବି ସେତିକି ସହଜ । ଆଉ ପିଲାଦିନେ ଆମର ପିନ୍ଧିବା କମ୍ ଖୋଲିବା ବେଶୀ । ନଈ - ପୋଖରୀକୁ ଡେଇଁବାର ଅଛି ତ ଖୋଲ । ଝାଡ଼ା ଯିବାର ଅଛି ତ ଖୋଲ । ଖରା ଦିନ ଜହ୍ନ ରାତିରେ ଏତକ ପରିଧାନରେ ବି ଦେହ ଗିତିଗିତି ହୁଏ, ତେଣୁ ଖୋଲ । ପାଣିରେ ବଲ୍ ପଡ଼ିଗଲା ତ ଖୋଲ । କଇଁଫୁଲ ତୋଳା ଯିବ ତ ଖୋଲ । ମାଛ ଧରାହେବ ତ ଖୋଲ । ବାପା ଗାଧୋଇ ସାରି ଓଦା ଗାମୁଛା ଦୁଇଟିକୁ ଶୁଖାଇ ଦିଅନ୍ତି ଆମ ବାଡ଼ିର ବାଡ଼ରେ । ଗାମୁଛା ଦୁଇଟି ଶୁଖିଗଲା ପରେ ବୋଉ ତାକୁ ତୋଳିଆଣି ରଖିଦିଏ ସେ ଯୌତୁକରେ ଆଣିଥିବା କାଠ ଅଲଗୁଣୀରେ । ବୋଉର ଏଇଟା ନିତିଦିନିଆ କାମ । ଟିକେ ଡ଼େରି ହେଲେ କି ଅନ୍ୟମନସ୍କ ହେଲେ ଆମ ଭାଇମାନଙ୍କ ଭିତରୁ କିଏ ସେ ଗୋଟେ ନିଶ୍ଚୟ ଟାଣି ନେଇ ଚାଲିଯାଇଥିବ ସେ ଗାମୁଛାକୁ । ବାପା ଭୀଷଣ ବିଗଡ଼ନ୍ତି ତାଙ୍କ ଗାମୁଛା ଆଉ କେହି ପିନ୍ଧିଲେ । ତେଣୁ ବୋଉ ଏଇ କାମଟି ସବୁ କାମ ଛାଡ଼ି ଆଗ କରେ ।

ପିଲାଦିନୁ ମୁଁ ସୁଙ୍ଘା ପାର୍ଟି । ବାପାଙ୍କ ପଞ୍ଜାବୀ, ଗଂଜି ଓ ଗାମୁଛାର ଝାଳ ବାସ୍ନା ମୋର ଅତ୍ୟନ୍ତ ପ୍ରିୟ । ଏମିତିକି ସେ ଶୋଉଥିବା କନ୍ଥା, ବେଡସିଟ୍‌, ତକିଆ ସବୁ ମୋର ପ୍ରିୟ । ବଡ଼ ହେବାଯାଏଁ ବାପାଙ୍କ ପାଖରେ ଶୋଉଥିଲି । ବାପାଙ୍କ କାନ୍ଧ ଗାମୁଛା ରାତିରେ ଖସିପଡ଼େ ଖଟ ତଳକୁ । ବାପା ଖୋଜନ୍ତି, ନପାଇ ବିରକ୍ତ ହେବା ପୂର୍ବରୁ ମୁଁ ଖଟତଳକୁ ଗଳିଯାଇ ବାହାର କରି ଆଣେ । ବାପା ମୋ ମୁଣ୍ଡରୁ ଅଳନ୍ଧୁ ସଫା କରି ଦିଅନ୍ତି ।

ମୋ ଦାଦା ଥିଲେ ବାପାଙ୍କର ପରମ ଅନୁଗାମୀ ଭ୍ରାତା ଲକ୍ଷ୍ମଣ । ବାପାଙ୍କ ଆଜ୍ଞାକୁ ଅବଜ୍ଞା କରିବା ତାଙ୍କ ପାଇଁ ଥିଲା ଜଘନ୍ୟ ଅପରାଧ । ଠିକ୍ ସେମିତି ବଡ଼ବାପାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଥିଲେ ବାପା । ବଡ଼ବାପା ଯେତେ ଗାଳି କଲେ ବି ବାପା ନିରୁତ୍ତର । ତଳକୁ ମୁହଁ ପୋତି ଠିଆ ହେଇଥିବେ ବାପା । ବଡ଼ବାପା ମନଇଚ୍ଛା ଗାଳି କରୁଥିବେ । ବଡ଼ବାପା ଆମ ଆଞ୍ଚଳର ଜଣେ ବେଶ୍ ନାଁକରା ଯାତ୍ରା ନିର୍ଦ୍ଦେଶକ - ଲେଖକ ଓ ତବଲା ବାଦକ । କୋଉ କଳା ଆସେନି ଯେ ତାଙ୍କୁ ? ଥରେ ନୀଳମାଧବ ଗୀତିନାଟ୍ୟରେ ମୋ ବଡ଼ବାପା ବିଶ୍ୱାବସୁ ଭୂମିକାରେ ଅଭିନୟ କରୁଥାନ୍ତି । ଓଃ କି ଜୀବନ୍ତ ଅଭିନୟ ତାଙ୍କର! ନୀଳମାଧବଙ୍କୁ ଦଇତାପତି ଅପହରଣ କରିନେଲା ପରେ ମଞ୍ଚ ସାରା ବଡ଼ବାପା ନିଜ ପୁଅକୁ ଅଣ୍ଡାଳିଲା ପରି ଅଣ୍ଡାଳି ଚାଲିଥାନ୍ତି ଲୀଲାମୟ ପ୍ରଭୁ ଶ୍ରୀନୀଳମାଧବଙ୍କୁ, ସମଗ୍ର ଦର୍ଶକଙ୍କ ଆଖିରେ ଲୁହଧାର । ବଡ଼ବାପାଙ୍କ ପରିଚୟରେ ପରିଚିତ ହେବାକୁ ଆମେ ଗର୍ବ ଅନୁଭବ କରୁ ।

ନିଜ ବଡ଼ଭାଇଙ୍କ କୀର୍ତ୍ତିରେ ବାପାଙ୍କ ଛାତି ଫୁଲି ଉଠେ ସବୁଠୁ ଅଧିକ । ଦାଦା ବଡ଼ବାପାଙ୍କ ସାମ୍ନାକୁ ଯାଆନ୍ତିନି । ତାଙ୍କର ବଡ଼ବାପାଙ୍କୁ ଯାହା କହିବା କଥା ସେ ବାପାଙ୍କ ମାଧ୍ୟମରେ କହନ୍ତି । ଦାଦାଙ୍କ ସ୍ତ୍ରୀ ଅର୍ଥାତ୍ ମୋ ଖୁଡ଼ୀ ଟିକେ ଆଧୁନିକା ଥିଲେ । ତାଙ୍କର ବି ଭଲ ଅଭିନୟ ଦକ୍ଷତା ଥିଲା ବୋଲି ମୁଁ ଶୁଣିଛି । ହେଲେ ଖୁଡ଼ୀଙ୍କୁ ମୁଁ କେବେ ଦେଖିନାହିଁ । ମୁଁ ବଡ଼ ହେଲାବେଳକୁ ସେ ଦାଦାଙ୍କୁ ଛାଡ଼ି ଅଭିନୟ ଦୁନିଆରେ ମିଶି ସାରିଥିଲେ । ସେବେଠୁ ଆଉ ଘରକୁ ଫେରିନାହାନ୍ତି । ଦାଦା ବି ତାଙ୍କୁ ଆଉ ଆଣିବାକୁ ଗଲେନି । ତା’ର ଏକମାତ୍ର କାରଣ ଥିଲା ଖୁଡ଼ୀ ବାପାଙ୍କ କଥାକୁ ଅମାନ୍ୟ କରିଥିଲେ । ବାପା ଖୁଡ଼ୀଙ୍କୁ ବହୁତ ବୁଝାସୁଝା କଲା ପରେ ମଧ୍ୟ ତାଙ୍କର ଦାଦାଙ୍କୁ ନେଇ ସହରକୁ ଚାଲିଯିବା ଜିଦ୍ ରେ ଅଟଳ ରହିଲେ । ବାପା ଦାଦାଙ୍କୁ ଖୁଡ଼ୀଙ୍କ ସହିତ ଯିବାକୁ ପରାମର୍ଶ ଦେଲେ । ହେଲେ ଦାଦା ପ୍ରଥମଥର ପାଇଁ ବାପାଙ୍କ ମୁହଁରେ ଜବାବ୍ ଦେଇଥିଲେ ଯେ, ‘ଯାହାର ଇଚ୍ଛା ହଉଛି ସେ ଯାଉ ମୁଁ ମୋ ମାଆ - ମାଟିକୁ ଛାଡ଼ି କୁଆଡ଼େ ଯାଇ ପାରିବିନି ।’

ଖୁଡ଼ୀ କହିଥିଲେ - ‘ମାଆ - ମାଟି ନା ଭାଇକୁ ଛାଡ଼ି କୁଆଡ଼େ ଯିବ ନାହିଁ ?’

ଦାଦା କୁଆଡ଼େ କହିଲେ - ‘ତମେ ଯାହା ଅନୁମାନ କରିଛ ତାହା ସତ୍ୟ, ତମେ ଯାଇପାର ।’

ସେବେଠୁ ଖୁଡ଼ୀ ଆଉ କେବେବି ଗାଁକୁ ଫେରିନାହାନ୍ତି । ଦାଦା ସାରା ଜୀବନ ବିବାହିତ କୁଆଁରା ହେଇ ରହିଗଲେ ଓ ଏକ ଅଧା ସଂସାରୀ ଓ ଅଧା ସନ୍ନ୍ୟାସୀର ଜୀବନ ଜିଇଁଲେ । ଦାଦା ଖଣ୍ଡେ ଗାମୁଛା ପିନ୍ଧିଥିବେ ଓ ଆଉ ଖଣ୍ଡେ ଗାମୁଛାକୁ ଦେହରେ ବେଢେଇ ଥିବେ । କି ଶୀତ, କି ବର୍ଷା, କି ଖରା ଦାଦାଙ୍କର ପୋଷାକ କହିଲେ ସେତିକି । ବାପା ବି ସ୍କୁଲରୁ ଫେରିବା ପରେ ଗାମୁଛା ପିନ୍ଧି ବାଡ଼ି ବଗିଚାରେ କାମ କରନ୍ତି । ଗାଁର ନ୍ୟାୟ ନିଶାପରେ ସେଇ ଗାମୁଛା ପିନ୍ଧି ବସନ୍ତି । ଦିନେ ନିଶାପ କରୁକରୁ ବାପା ତାଙ୍କ କାନ୍ଧ ଗାମୁଛା ଓ ଚପଲକୁ ଛାଡ଼ି ପଳେଇ ଆସିଥାନ୍ତି କଚେରି ଦାଣ୍ଡରେ । ଦାଦା ପଦାମୁଣ୍ଡରୁ ଫେରିଲାବେଳକୁ ଦେଖିଲେ କଚେରି ଘର ପିଣ୍ଡାରେ ଖଣ୍ଡେ ଗାମୁଛା ଓ ହଳେ ଚପଲ ଥୁଆ ହେଇଛି । ବାପାଙ୍କ ପାଖ ମାଡୁନଥିବା ଦାଦା କିନ୍ତୁ ଫଟକିନା ଜାଣିଗଲେ ଯେ ସେ ଗାମୁଛା ଖଣ୍ଡିକ ଓ ଚପଲ ବାପାଙ୍କର ବୋଲି । ଚପଲକୁ ପାଦରେ ନମାଡ଼ି ହାତରେ ଧରି ଆସୁଥାନ୍ତି ଘରକୁ । ବାପା ଇଆଡୁ ଯାଉଥାନ୍ତି ଭୁଲିଯାଇଥିବା ତାଙ୍କ କାନ୍ଧ ଗାମୁଛା ଓ ଚପଲ ଆଣିବାକୁ । ବାଟରେ ଦାଦାଙ୍କୁ ଦେଖି ଠିଆ ହେଇଗଲେ । ଦାଦା ଚପଲଟିକୁ ତାଙ୍କ ପାଦ ପାଖରେ ଥୋଇଦେଲେ ଓ ଗାମୁଛାଟିକୁ ତାଙ୍କ ହାତକୁ ବଢ଼େଇ ଦେଲାବେଳେ ଦାଦା ବାପାଙ୍କ ମୁହଁକୁ ସିଧା ଚାହିଁବାକୁ ସାହସ କରିନଥିଲେ । ଏଇ ଦୃଶ୍ୟଟି ମୁଁ ଦେଖିବାର ସୌଭାଗ୍ୟ ପାଇଥିଲି । ସେବେଠୁ ଦାଦାଙ୍କ ପ୍ରତି ମୋ ମନରେ ଗୋଟେ ଅଲଗା ପ୍ରକାର ଭାବ ତିଆରି ହେଲା । କେବଳ ମୋ ବାପା କି ଦାଦା ନୁହନ୍ତି, ସେବେଳେ ଭାଇ ପ୍ରତି ଭାଇର ସମ୍ମାନବୋଧ ଓ ଭଲପାଇବା ପ୍ରାୟତଃ ଅଧିକାଂଶ ଯୌଥ ପରିବାରରେ ଏଇମିତି ହିଁ ଥିଲା । ମୁଁ କେବେକେବେ ବାପାଙ୍କ କାନ୍ଧ ଗାମୁଛାକୁ ବେକରେ ପକେଇ ଦିଏ । ଦାଦା ସହିପାରନ୍ତିନି ।

କହନ୍ତି - ‘ତୁ ମୋ ଗାମୁଛା ନେ । ବାପାଙ୍କ ଗାମୁଛା ରଖି ଦେଇ ଆ ଘରେ, ଧୂଳି - ମଇଳା ହେଇଯିବ ।’

ମୁଁ ବୁଝିପାରେ ବାପାଙ୍କ କାନ୍ଧ ଗାମୁଛା ପ୍ରତି ଦାଦାଙ୍କର ସେ ଅଦୃଶ୍ୟ ସମ୍ମାନମିଶା ମୋହକୁ । ବଡ଼ବାପା, ଦାଦା ଓ ବାପା ମୋ ପାଇଁ ବ୍ରହ୍ମା - ବିଷ୍ଣୁ - ମହେଶ୍ୱର । ତାଙ୍କଠୁ ଶିଖିଥିଲି ବଡ଼ଭାଇଙ୍କୁ ସମ୍ମାନ ଦେବା ଓ ତାଙ୍କ କଥାକୁ ଅମାନ୍ୟ ନକରିବାର ଅକାଟ୍ୟ ପରମ୍ପରା ଓ ବିଧିକୁ । ଅନେକ ଦିନ ଯାଏ ଆମ ଘରେ ଏ ପରମ୍ପରା ପ୍ରଚଳିତ ହେଇଆସୁଥିଲା । ଭାଉଜମାନେ ଆସିବା ପରେ ଓ ଯୌଥ ପରିବାର; ଏକକ ପରିବାର ହେଲାପରେ ବି କେବେ କେମିତି କାମ କାର୍ଯ୍ୟରେ ଏମିତିକା ଦୃଶ୍ୟ ଦୃଷ୍ଟିଗୋଚର ହୁଏ, ଯେତେବେଳେ ବଡ଼ଭାଇକୁ ମଝିଆ ଭାଇ ଓ ସାନଭାଇ, କି ମୁଁ ପ୍ରଣାମ କରୁ । ଅନେକ ଦିନ ପର୍ଯ୍ୟନ୍ତ ବଡ଼ଭାଇ ମୁହଁରେ କଥା କହିବାର ଆସ୍ପର୍ଦ୍ଧା ଆମର ନଥିଲା ।

ଆମେ ସବୁ ଭାଇ - ଭଉଣୀ ବାପାଙ୍କ ଅପେକ୍ଷା ଦାଦାଙ୍କ ପାଖରେ ବେଶୀ ସହଜ । ଦାଦା ଆମ ଠାକୁରବାଡ଼ି ସଂଲଗ୍ନ ଏକ ଛୋଟ ବଖୁରିକିଆ ଘରେ ରହୁଥିଲେ । ଆମେ ଭାଇ - ଭଉଣୀ ସବୁବେଳେ ଦାଦାଙ୍କ ପାଖରେ । ମୁଁ ଦାଦାଙ୍କୁ ବହୁତ ଭଲପାଉଥିଲି ଏବଂ ତାଙ୍କ ପାଖେପାଖେ ରହୁଥିଲେ ବି ସେ ବଡ଼ଭାଇକୁ ବହୁତ ଭଲପାଉଥିଲେ । ଦାଦାଙ୍କ କଥା, ତାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍ ଆକର୍ଷିତ କରେ । ମୋ ଦାଦା ଚମତ୍କାର ନାଟକ ଲେଖନ୍ତି, ତାକୁ ନାଟ୍ୟରୂପ ବି ଦିଅନ୍ତି । ବଢ଼ିଆ ତବଲା ବଜାନ୍ତି । ଆଉ ଏହି ତବଲା ବଜା ସେ ଶିଖିଥିଲେ ବଡ଼ବାପାଙ୍କଠାରୁ ।

ସେ ମୋତେ ତବଲା ଶିଖାଉଥିଲେ । ମୋ ତବଲା ଶିକ୍ଷା ସରିନାହିଁ, ମୋ ଦାଦା ଜଣ୍ଡିସ୍ ରୋଗରେ ଆରପାରିକୁ ଚାଲିଗଲେ ବହୁତ୍ କମ୍ ବୟସରେ । ବାପା ଖୁବ୍ ଭାଙ୍ଗି ପଡ଼ିଲେ । ଚାଷ - ବାସ ଠୁ ଘରକାମ, ବାଡ଼ିବଗିଚା କାମଠୁ ହାଟ - ବଜାର ସବୁ କରୁଥିଲେ ଦାଦା ।

ଠାକୁରବାଡ଼ିକୁ ଆମ କୁଳଦେବତା ବୃନ୍ଦାବନ ଜୀଉଙ୍କୁ ମୁଣ୍ଡିଆ ମାରିବାକୁ ଗଲେ ଆଉ ଗୋଟେ ମୁଣ୍ଡିଆ ମୁଁ ମୋ ଦାଦାଙ୍କ ଉଦ୍ଦେଶ୍ୟରେ ମାରେ । ମୋ ଛାତି ଭିତରଟା ଭାରି ଖାଲିଖାଲି ଲାଗେ । ଅନୁଭବ କରେ ଦାଦାଙ୍କ କାନ୍ଧ ଗାମୁଛାର ବାସ୍ନାକୁ । ବିଭୂତି ଓ ଝାଳ ବାସ୍ନାର ଫେଣ୍ଟାଫେଣ୍ଟି ଗୋଟେ ଅଧା ସଂସାରୀ ଓ ଅଧା ସନ୍ନ୍ୟାସୀର ସେ ବାସ୍ନା । ଖୁବ୍ ଆନମନା ହୁଏ । ଓଡ଼ିଆ ପାରିବାରିକ ସମ୍ପର୍କରୁ ଏହି ମହାନ ଶବ୍ଦଟି ନିଖୋଜ ହେଇଯିବା ପୂର୍ବରୁ ଭାରି ଇଚ୍ଛା ହୁଏ ଖୁବ୍ ବଡ଼ପାଟିରେ ‘ଦାଦା ଦାଦା’ ବୋଲି ଲହରା ଡାକଟେ ପକେଇବାକୁ ।

Report an Error