ରାମଶଙ୍କର ରାୟଙ୍କ କାଞ୍ଚିକାବେରୀ; କିମ୍ବଦନ୍ତୀ - ଆଶ୍ରିତ ଏକ ଐତିହାସିକ ନାଟକ

ରାମଶଙ୍କର ରାୟ ମୁଖ୍ୟତଃ ତିନୋଟି ପ୍ରଧାନ ଭାବଧାରାକୁ ନେଇ କାଞ୍ଚିକାବେରୀ ନାଟକ ରଚନା କରିଥିବା ଜଣାଯାଏ । ଜାତୀୟତା, ଭକ୍ତି ଓ ନୂତନ ରୁଚିବୋଧ ହିଁ ଏହି ସମୟର ପ୍ରାଣସ୍ପନ୍ଦନ ।


ଫଟୋ - ନଟସମ୍ରାଟ ରାମଶଙ୍କର ରାୟ, ୱିକି

ଓଡିଆ ରଙ୍ଗମଞ୍ଚ ଜଗତରେ ରାମଶଙ୍କର ରାୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି । ଯଦିଓ ସେ ପ୍ରଥମ ଓଡିଆ ନାଟ୍ୟକାର ନୁହଁନ୍ତି, କିନ୍ତୁ ତାଙ୍କୁ ପ୍ରଥମ ସଫଳ ନାଟ୍ୟକାର ଭାବରେ ସମ୍ମାନିତ କରାଯାଇଛି । ୧୮୭୮ ମସିହାରେ ସେ କଟକରେ ଏକ ବଙ୍ଗୀୟ ନାଟକ ଦେଖି ଓଡିଆରେ ନାଟକ ରଚନା ଦିଗରେ ଉତ୍ସାହିତ ହୋଇଥିଲେ । ତାଙ୍କର ପ୍ରଥମ ନାଟକ; କାଞ୍ଚିକାବେରୀ ଯାହା ୧୮୮୦ ମସିହାରେ ରଚନା କରାଯାଇଥିବାବେଳେ ୧୮୮୧ ମସିହାରେ ମଞ୍ଚସ୍ଥ ହୋଇଥିଲା । ଏହା ଗଜପତି ପୁରୁଷୋତ୍ତମ ଦେବ ଓ କାଞ୍ଚି ରାଜା ସାଲୁଭା ନରସିଂହ ଦେବଙ୍କ ସହିତ ଐତିହାସିକ ଯୁଦ୍ଧ ମାଧ୍ୟମରେ ଓଡିଆ ଦେଶପ୍ରେମକୁ ଚିତ୍ରଣ କରିଥିଲା । ନାଟକଟି ଏହାର ଲୋକପ୍ରିୟ ଜାତୀୟତାବାଦୀ ଥିମ୍ ଏବଂ ଆକର୍ଷଣୀୟ ଉପସ୍ଥାପନା ଦ୍ୱାରା ତୁରନ୍ତ ଦର୍ଶକଙ୍କ ହୃଦୟ ଜିତିଥିଲା ।

ରାମଶଙ୍କର ରାୟ ପଛକୁ ଚାହିଁନଥିଲେ । ସେ ମୋଟ ଚଉଦଟି ଐତିହାସିକ, ପୁରାଣ ଏବଂ ସାମାଜିକ ନାଟକ ରଚନା କରିଥିଲେ । ସେ ପ୍ରଥମ ଲେଖକ ଯିଏକି ଓଡିଆରେ ସେକ୍ସପିଅରଙ୍କୁ ଉପସ୍ଥାପନ କରିଥିଲେ । ସେ ଦି ଟେମ୍ପେଷ୍ଟକୁ ବାଟିଆବାଲା ଭାବରେ ଆଡପ୍ଟ କରିଥିଲେ ଏବଂ ସେକ୍ସପିଅର ଷ୍ଟାଇଲ୍ ଗ୍ରହଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ । ଅବଶ୍ୟ, ଦର୍ଶକଙ୍କ ସ୍ୱାଦକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତୀୟ ଶାସ୍ତ୍ରୀୟ ତଥା ଲୋକ ପରମ୍ପରାକୁ ମଧ୍ୟ ଅନୁସରଣ କରିଥିଲେ । ସେ ତାଙ୍କର ସାମାଜିକ ନାଟକରେ ସେ ଜଣେ ସଂସ୍କାରବାଦୀ ଭୂମିକା ଗ୍ରହଣ କରିଥିଲେ । ୧୮୮୩ ମସିହାରେ ମଦ୍ୟପାନର କ୍ଷତିକାରକ ପ୍ରଭାବ ସହିତ ମୁକାବିଲା କରିଥିଲେ । ୧୮୯୨ ମସିହାରେ ‘ବଢ଼ାବର’ ନାଟକ ମାଧ୍ୟମରେ ବୟସ୍କ ପୁରୁଷମାନେ ଯୁବତୀଙ୍କୁ ବିବାହ କରୁଥିବା ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ । ୧୯୦୦ ମସିହାରେ ‘ବିଷମୋଦକ' ରଚନା କରିଥିଲେ ଯାହା ନିଶା ଏବଂ ଋଣ କାରବାର ଜନିତ ଅନେକ ସମସ୍ୟାକୁ ଉଠାଇଥିଲା । ଯୁଗଧର୍ମ ନାଟକ ଜରିଆରେ ହିନ୍ଦୁ ଧର୍ମର କଠୋର ରୀତିନୀତି ପ୍ରସଙ୍ଗରେ ଲେଖିଥିଲେ । ଅନେକ ନାଟକରେ ସେ ମହିଳା ଶିକ୍ଷା, ଶିଳ୍ପାୟନ ମାଧ୍ୟମରେ ବିକାଶ, ବେକାରୀ ସମସ୍ୟା ଦୂର କରିବା ଏବଂ ଯୌତୁକ ବ୍ୟବସ୍ଥାର ମନ୍ଦତା ବିଷୟରେ ଲେଖିଥିଲେ । ସେ ଏହି ବିଷୟଗୁଡ଼ିକୁ ସରଳ ଏବଂ ସୁବିଧାଜନକ ଭାଷାରେ ଉପସ୍ଥାପନ କରିଥିଲେ, ଯାହାକି ପର୍ଯ୍ୟାପ୍ତ କିନ୍ତୁ ପ୍ରଭାବଶାଳୀ ସଙ୍ଗୀତ ଦ୍ୱାରା ଦର୍ଶକାଦୃତି ଲାଭ କରିଥିଲା । ଏପରିକି ତାଙ୍କର ପୌରାଣିକ ନାଟକରେ, ଯେପରିକି ରାମବନବାସ ଆଦି ନାଟକରେ ସମାଜ ପରିବାର ଓ ଓଡ଼ିଆ ଜାତିର ନିଚ୍ଛକ ଜୀବନଯାପନ ପ୍ରଣାଳୀକୁ ଉଜାଗର କରିଥିଲେ । ସେ ଯଥାର୍ଥରେ ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ । ୧୮୫୭ ମସିହା ଜ୍ୟୈଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ । ନଟବର ରାମଶଙ୍କର ରାୟ ଭାବେ ଜନମାନସରେ ପରିଚିତ ରାମଶଙ୍କରଙ୍କୁ ପ୍ରଥମ ଓଡ଼ିଆ ଔପନ୍ୟାସିକ ମଧ୍ୟ କୁହାଯାଏ । ସେ ବହୁ ନାଟକ, ସୁଆଙ୍ଗ, ଗୀତିନାଟ୍ୟ, ଯାତ୍ରା ଆଦି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ଏକ ସୁସଙ୍ଗଠିତ ବିଭାଗରେ ପରିଣତ କରିଥିଲେ । ତାଙ୍କର ପ୍ରଥମ ନାଟକ ‘କାଞ୍ଚିକାବେରୀ’ । ଏହି ନାଟକକୁ ସେ ମଞ୍ଚସ୍ଥ ମଧ୍ୟ କରାଇଥିଲେ । ଯାହାର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବଡ଼ ଭାଇ ଗୌରୀଶଙ୍କର ରାୟ । ରାମାଭିଷେକ ତାଙ୍କର ଶେଷ ନାଟକ ଥିଲା ।

ଊନବିଂଶ ଶତାବ୍ଦୀର ଶେଷ ତ୍ରିଦଶକ ଓଡ଼ିଆ ସାହିତ୍ୟର ଜନ୍ମକାଳ । ନଅଙ୍କ ଦୁର୍ଭିକ୍ଷର କରାଳ ତାଣ୍ଡବ ପରେ ପରବର୍ତ୍ତୀ ଓଡ଼ିଆ ଜାତିର ନବଜନ୍ମ । ଭାଷାବିଲୋପ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ନୂତନ ଆତ୍ମପ୍ରତ୍ୟୟ, ବ୍ରାହ୍ମ - ଆର୍ଯ୍ୟସମା - ଖ୍ରୀଷ୍ଟିୟାନ ଧର୍ମଧାରାର ଅନୁବର୍ତ୍ତନରେ ନୂତନ ସାମାଜିକ ଚେତନା ଓ ସର୍ବୋପରି ପାଶ୍ଚାତ୍ୟ ଶିକ୍ଷାର ବିକାଶ ଓ ପ୍ରସାର ଫଳରେ ନୂତନ ଶିକ୍ଷିତ ମାନସ ପ୍ରସ୍ତୁତି ହିଁ ଯଥାର୍ଥରେ ଏହି ସମୟରେ ଆଧୁନିକ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା । ଆଦି ନାଟ୍ୟକାର ଜଗନ୍ନୋହନ ଲାଲ ୧୮୭୭ ମସିହାରେ ବାବାଜୀ ନାଟକ ରଚନା କରିଥିଲେ । ଏହି ନାଟକ ରଚନା କରି ସେ ଆଧୁନିକ ଓଡ଼ିଆ ନାଟକ ରଚନା କରିବାର ପଥକୁ ସୁଗମ କରିଦେଲେ । ବାବାଜୀ ନାଟକ ରଚନା ହେବା ପରେ ଓଡ଼ିଆ ନାଟ୍ୟରଚନା କ୍ଷେତ୍ରରେ ଯଥାର୍ଥରେ ଏକ ନୂତନ ଜାଗରଣ ଦେଖାଗଲା ଓ ମାତୃଭାଷାରେ ନାଟକ ରଚନା କରିବା ପାଇଁ ଆତ୍ମପ୍ରତ୍ୟୟ ସୃଷ୍ଟି ହେଲା । 'ବାବାଜୀ'ର ନାଟକୀୟତା ସମ୍ପର୍କରେ ବହୁ ମତଦ୍ୱିଧା ଥିଲେ ହେଁ ବାବାଜୀ ପ୍ରଥମ ଓଡ଼ିଆ ନାଟକ ଭାବେ ପ୍ରତିଷ୍ଠା ଲାଭ କରିଛି । ବାବାଜୀ ନାଟକ ହିଁ ଥିଲା ଦର୍ଶକ ଓ ପାଠକମାନଙ୍କ ପକ୍ଷରେ ନୂଆ ଫଳ ସ୍ୱରୂପ । ଯାହାର ଆସ୍ୱାଦନ ପରେ ଓଡ଼ିଆ ନାଟ୍ୟସାହିତ୍ୟରେ ନାଟ୍ୟକାର ରାମଶଙ୍କର ରାୟଙ୍କର ଆବିର୍ଭାବ ଘଟିଲା ଏବଂ ଓଡ଼ିଆ ନାଟ୍ୟଜଗତକୁ ତାଙ୍କର ପ୍ରଥମ ଅର୍ଘ୍ୟ ହେଲା କାଞ୍ଚିକାବେରୀ ।

ରାମଶଙ୍କର ରାୟ ମୁଖ୍ୟତଃ ତିନୋଟି ପ୍ରଧାନ ଭାବଧାରାକୁ ନେଇ କାଞ୍ଚିକାବେରୀ ନାଟକ ରଚନା କରିଥିବା ଜଣାଯାଏ । ଜାତୀୟତା, ଭକ୍ତି ଓ ନୂତନ ରୁଚିବୋଧ ହିଁ ଏହି ସମୟର ପ୍ରାଣସ୍ପନ୍ଦନ । ପୂର୍ବରୁ ଓଡ଼ିଶାରେ ଇଂରାଜୀ ନାଟକ ଓ ବଙ୍ଗଳା ନାଟକ ଅଭିନୀତ ହେଉଥିଲା । ଜାତିପ୍ରାଣ ଯୁବ ନାଟ୍ୟକାର ରାମଶଙ୍କରଙ୍କ ମନରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହି ପ୍ରତିକ୍ରିୟା ଫଳସ୍ୱରୂପ ସେ ଦୀର୍ଘ ୩୬ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟକୁ ୧୪ ଖଣ୍ଡ ନାଟକ, ଯାତ୍ରା ଓ ପ୍ରହସନ ଇତ୍ୟାଦି ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଐତିହାସିକ ନାଟକ ଭାବେ କାଞ୍ଚିକାବେରୀ (୧୮୮୦) ସାମାଜିକ ନାଟକ ବିଷମୋଦକ, ଯୁଗଧର୍ମ, କାଞ୍ଚନମାଳୀ, ଲୀଳାବତୀ, କାଳ୍ପନିକ ନାଟକ ରୂପେ କଳିକାଳ, ବୁଢ଼ାବର, ବନବାଳା, ବଡ଼ଲୋକ, ବିଶ୍ୱଯଜ୍ଞ ଓ ଧର୍ମମୂଳକ ନାଟକ ଭାବେ ରାମବନବାସ, କଂସବଧ, ଚୈତନ୍ୟଲୀଳା ରାମାଭିଷେକ ଆଦି ନାଟକଗୁଡ଼ିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । କାଞ୍ଚିକାବେରୀ ନାଟକରେ ପୁରୁଷୋତ୍ତମଦେବଙ୍କ ମାନବିକ ରୂପ ଓ ହୃଦୟର ଅନ୍ତଦ୍ୱର୍ନ୍ଦ୍ୱ ପ୍ରସ୍ଫୁଟିତ ହୋଇଛି । ନାଟ୍ୟକାର ରାମଶଙ୍କର ଏହି ଦ୍ୱନ୍ଦ୍ୱକୁ ନାଟକର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରିନେଇ କାଞ୍ଚିକାବେରୀ ନାଟକର ପରିକଳ୍ପନା କରିଛନ୍ତି । ସେ ନିଶ୍ଚିତ ଭାବେ ପ୍ୟାରିମୋହନଙ୍କ ଓଡ଼ିଶା ଇତିହାସ ହୁଏତ ତାଙ୍କୁ ପ୍ରେରଣା ଦେଇଥିବ । କିମ୍ବଦନ୍ତୀ - ଇତିହାସ - କାବ୍ୟ ପ୍ରଭୃତିରୁ ପ୍ରେରଣା ଗ୍ରହଣ କରି ସେ କାଞ୍ଚିକାବେରୀ ପରି ଏକ ଐତିହାସିକ ନାଟକ ରଚନା କରିଛନ୍ତି । କାଞ୍ଚିକାବେରୀ ଘଟଣା କିମ୍ବଦନ୍ତୀମୂଳକ ନୁହେଁ ବରଂ ଐତିହାସିକ । ଏଥିରେ କିମ୍ବଦନ୍ତୀର ଛାୟା ରହିଛି ଓ କଳ୍ପନାବିଳାସର ପ୍ରଲେପ ରହିଛି । ତଥାପି ଏହା ଇତିହାସର ବୃତ୍ତରୁ ସ୍ୱତନ୍ତ୍ର ନୁହେଁ । ଏଥିରେ ଐତିହାସିକ ସତ୍ୟତା ରହିଛି । କାଞ୍ଚିର ରାଜା ସାଲୁଭା ନରସିଂହଦେବଙ୍କ ସହିତ ଓଡ଼ିଶାର ଗଜପତି ପୁରୁଷୋତ୍ତମଦେବଙ୍କ ଯୁଦ୍ଧ ଓ ବିଜୟ ଇତିହାସ ସମର୍ଥିତ। ଏହି ଐତିହାସିକ କଥାବସ୍ତୁ ଭିତରେ ଗଜପତି ପୁୁରୁଷୋତ୍ତମଦେବ ଓ କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପ୍ରେମକାହାଣୀ ବର୍ଣ୍ଣିତ ରହିଛି । ଅତଏବ କାଞ୍ଚିକାବେରୀ କିମ୍ବଦନ୍ତୀ - ଆଶ୍ରିତ ଏକ ଐତିହାସିକ ନାଟକ ଏବଂ ଏଥିରେ ଇତିହାସରେ ଅନୁଦ୍‌ଘାଟିତ ଓ ଅନାବିଷ୍କୃତ ମାନବିକ ଭାବସତ୍ତାକୁ ନାଟ୍ୟକାର ଉଦ୍‌ଘାଟିତ କରିଛନ୍ତି । ଏଥିସହିତ ସେ ଇତିହାସର ଜୀର୍ଣ୍ଣ କଥାବସ୍ତୁରେ ନୂତନ ପ୍ରାଣବିନ୍ୟାସ କରି ନାଟ୍ୟରୂପ ଦେଇଛନ୍ତି ।