କଣ ଘଟେ ଗଙ୍ଗାକୂଳରେ ?

ବନାରସର ଗଙ୍ଗାକୂଳରେ କଣ ଘଟେ - ଏ ପ୍ରଶ୍ନ ସହିତ ଜୀବନର ଅସ୍ତିତ୍ଵ, ଅସ୍ମିତା ଓ ଅନୁରାଗକୁ ଗୋଟିଏ ବିନ୍ଦୁରେ ସମାହିତ କରିଦେବାର ଏକ ସୃଜନଶୀଳ ସଙ୍କଳ୍ପରୁ ଏ କବିତାର ଜନ୍ମ ।


ଫଟୋ - ୱିକିପିଡିଆ

ବନାରସର ଗଙ୍ଗାକୂଳରେ
କଣ ଘଟେ ?
ଗଙ୍ଗାଜଳରେ ବାରମ୍ବାର ଆତ୍ମହତ୍ୟା କରି
ବାରବାର ବଂଚିଛି ମୁଁ, ଯୋଗିନୀ,
ଆଜି କୁଳରେ ଠିଆ ହୋଇ ଦେଖୁଛି
କଣ ଘଟେ ଗଙ୍ଗାକୂଳରେ ବନାରସରେ ?

ଜଣେ ଶବ ହୋଇ ଶୋଇଛି ତ
ଜଣେ ଆସିଛି ଭସାଇ ଦେବାକୁ
ଗୋଟିଏ ଅନାଥ ଶବକୁ ।
ନିଜକୁ ଗଣିକା ମନେ କରୁଥିବା
କେତେଜଣ ନାରୀ ପାଣିରେ ଛାଡି ଯାଉଛନ୍ତି ପାପ
ଆଉଜଣେ ସ୍ନାନ କରି ଉଠାଇ ଆଣୁଛି ପୁଣ୍ୟ
ଗଙ୍ଗାଜଳର ମାଟିର ଆବର୍ଜନାର ଅଣୁ ପରମାଣୁରୁ ।

ଗଙ୍ଗା କୂଳରେ ଗେରୁଆ ବୈରାଗ୍ୟର ଆଲୁଅ
ସହସ୍ର ଦୀପ ପରି ଜଳୁଚି,
କିଏ ଆଳତି କରୁଚି
କିଏ ଜୀବନ ତର୍ପଣ କରୁଚି
ପତ୍ର ଠୋଲାରେ ଭାସି ଯାଉଚି
କେତେ ବେଦନା କେତେ ବୈଭବ ।

ମୁଁ ଡାକେ "ମା"
କିଏ ଉତ୍ତର ଦିଏ "ଅଛି ମୁଁ"
ଯୋଗିନୀ ମୁଁ ଶୋଇପଡ଼େ
ଉଚ୍ଛଳ ଜଳ କୋଳରେ ।

ତମେ ଆଜି ଏତେ ଦୂରରେ
ବସିଛ ଯେ, ଯୋଗୀ,
ମୁଁ ଟିକେ ପରେ ତମ ନିକଟରେ ପହଂଚିବି ।
ତମେ କହିଦେବ ତ ସମସ୍ତଙ୍କୁ
ଏ ଶବମାନଙ୍କୁ, ସ୍ନାନ ପରେ ପାପ ଛାଡି
ପୁଣ୍ୟ ନେଉଥିବା ଲୋକମାନଙ୍କୁ
ମୋକ୍ଷକୁ ମୁକ୍ତିକୁ, କହି ଦିଅତ ଆଜି
କଣ ଘଟେ ବନାରସର ଗଙ୍ଗା କୂଳରେ ?

କଣ ଘଟି ଥିଲା ସେଦିନ ସୂର୍ଯ୍ୟର ଆଦେଶରେ
କି ମନ୍ତ୍ର ଶୁଭିଥିଲା ରାତିର ବିଶେଷ ପ୍ରହରରେ
କେତେ କଳସର ଜଳରେ
ବୁଡି ଯାଇଥିଲେ ଆମେ,
ବାରମ୍ବାର ଆତ୍ମହତ୍ୟା କରି ବାରବାର ବଞ୍ଚିଥିବା
ଯୋଗିନୀଟିଏ ଦୀକ୍ଷିତ ହୋଇଥିଲା
କେଉଁ ଭାବ
ଧର୍ମରେ, ତମେ କହିଦିଅ ତ
କଣ ଘଟେ, କି ରହସ୍ୟ ଗଢି ଉଠେ,
କେତେ କୋଟି ଅଦୃଶ୍ୟ ପଦ୍ମ କଢ଼ ପ୍ରସରି ଯାଏ
ବିଶାଳ ଗଙ୍ଗା ବକ୍ଷରେ, କହି ପାରିବ ତ
କଣ ଅଲୌକିକ ଘଟିପାରେ
ଜଣେ ଯୋଗୀ ଯୋଗିନୀ ଏକତ୍ର
ଦୀକ୍ଷିତ ହେଲାବେଳେ ?

Report an Error