ଜଣେ ଅଦୃଶ୍ୟକାମୀ ଲେଖକ

ଫ୍ରାଞ୍ଜ କାଫକା ୩ ଜୁଲାଇ, ୧୮୮୩ ରେ ଅଷ୍ଟ୍ରିଆ - ହଙ୍ଗେରୀର ଦ୍ୱୈତ ଶାସନାଧୀନ ବୋହେମିଆର ରାଜଧାନୀ ପ୍ରେଗ୍ ସହରରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟ୍ରିଆର ପ୍ରସିଦ୍ଧ ହାବସବର୍ଗ ରାଜବଂଶର ପ୍ରସିଦ୍ଧ ରାଜା ଫ୍ରାଞ୍ଜ ଜୋସେଫ୍ ଙ୍କ ନାଆଁ ଅନୁସାରେ ତାଙ୍କର ନାମକରଣ କରାଯାଇଥିଲା ଫ୍ରାଞ୍ଜ ।


ଫଟୋ - ୱିକି କମନ୍ସ

ପ୍ରସଂଗର ଏହି ଲେଖକ ଜଣକ କାଫକା, ଆମର ପ୍ରିୟ ଚର୍ଚ୍ଚିତ ଲେଖକ ଫ୍ରାଞ୍ଜ କାଫକା ।

ଫ୍ରାଞ୍ଜ କାଫକା ନିଜର ମରଣ ପରେ ସଂପୂର୍ଣ୍ଣ ଉଭାନ ହୋଇଯିବେ ବୋଲି ନିଜ ଜୀବଦ୍ଦଶାରେ ଯେମିତି କାମନା କରୁଥିଲେ ବସ୍ତୁତଃ ସେହିଭଳି ସାମାନ୍ୟ କିଛି ଘଟିନାହିଁ ଏବଂ ବିଶ୍ୱର କଥା ସାହିତ୍ୟରେ ସେ ଆଜି ବି ଏକ ପ୍ରଭାବଶାଳୀ କଥା ପୁରୁଷ । ପ୍ରତ୍ୟକ୍ଷ ଆଉ ଅପ୍ରତ୍ୟକ୍ଷ ଭାବରେ ସେ ଆମ ସହିତ ଆମର ସାହିତ୍ୟ ଏବଂ ଚେତନା ସହିତ ଉପସ୍ଥିତ ରହିଛନ୍ତି । ତେଣୁ ସେ ଆମର ସାହିତ୍ୟିକ ଉତ୍ତରାଧିକାରୀ ଆଉ ସୌଭାଗ୍ୟ ।

ଫ୍ରାଞ୍ଜ କାଫକା ୩ ଜୁଲାଇ, ୧୮୮୩ରେ ତତ୍କାଳୀନ ଅଷ୍ଟ୍ରିଆ - ହଙ୍ଗେରୀର ଦ୍ୱୈତ ଶାସନାଧୀନରେ ଥିବା ବୋହେମିଆର ରାଜଧାନୀ ପ୍ରେଗ୍ ସହରରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟ୍ରିଆର ପ୍ରସିଦ୍ଧ ହାବସବର୍ଗ ରାଜବଂଶର ପ୍ରସିଦ୍ଧ ରାଜା ଫ୍ରାଞ୍ଜ ଜୋସେଫ୍ ଙ୍କ ନାଆଁ ଅନୁସାରେ ତାଙ୍କର ନାମକରଣ କରାଯାଇଥିଲା ଫ୍ରାଞ୍ଜ । କାଫକା ଥିଲା ତାଙ୍କର ପାରିବାରିକ ପଦବୀ । ଚେକ୍ ଭାଷାରେ କାଫକାର ଆକ୍ଷରିକ ଅର୍ଥ ହେଉଛି, ଡାମରା କାଉ । ଡାମରା କାଉ ସଂପର୍କରେ ଗୋଟିଏ ତଥ୍ୟ ରଖୁଛି । ଡାମରା କାଉ ହେଉଛି ପକ୍ଷୀ ପ୍ରଜାତିର ଏକ ବିସ୍ମୟ । ନିଜର ସଂଗିନୀର ଯଦି କୌଣସି କାରଣରୁ ବିୟୋଗ ଘଟେ ତେବେ ସେ ତାହା ଜୀବନରେ ଆଉ ଦ୍ୱିତୀୟ ସଂଗିନୀ ଗ୍ରହଣ କରେ ନାହିଁ । ଡାମରା କାଉର ନିଷ୍ଠାକୁ ଏକ ଉଦାହରଣ ଆକାରରେ ଗ୍ରହଣ କରାଯାଇଥାଏ । ସେହିଭଳି ଅବିକଳ ନହେଲେ ବି ସେଇ ନିଷ୍ଠାକୁ ଏଇ ପ୍ରସଙ୍ଗରେ ସାହିତ୍ୟ ସହିତ ଯୋଡି ଦେଖାଯାଉ ।

ଫ୍ରାଞ୍ଜ କାଫକାଙ୍କ ମୃତ୍ୟୁ ପରେ ତାଙ୍କର ପ୍ରିୟ ବନ୍ଧୁ ମାକ୍ସ ବ୍ରଡ୍ ଏହି ଲେଖକଙ୍କର ଅଦୃଶ୍ୟ କାମନା କଥା ଲେଖିଛନ୍ତି । ମାକ୍ସ ବ୍ରଡ୍ ଙ୍କର ଏଇ ଲେଖାଟି କାଫକାଙ୍କର ଚର୍ଚ୍ଚିତ ଉପନ୍ୟାସ "ଦି ଟ୍ରାଏଲ୍ (ବିଚାର)"ର ଏପିଲଗ୍ ବା ଶେଷକଥାରେ ରହିଛି ।

ମାକ୍ସ ବ୍ରଡ୍ ଙ୍କର ସେହି ଲେଖାକୁ ଯିବା ପୂର୍ବରୁ ଆମର ଆଗ ଜାଣିବା ଉଚିତ ଯେ ଲେଖକ କାଫକାଙ୍କର ମାକ୍ସ ବ୍ରଡ୍ ଙ୍କ ସହ ଯେଉଁ ଅନ୍ତରଂଗ ବନ୍ଧୁତ୍ୱ ଶେଷ ଯାଏଁ ଅବ୍ୟାହତ ଥିଲା ତାହାର ପ୍ରକୃତ ସ୍ୱରୂପଟି କେଉଁଭଳି ଥିଲା । ମାକ୍ସ ଆଉ କାଫକା ପିଲାଦିନରୁ ବନ୍ଧୁ । ଅତ୍ୟନ୍ତ ଅନ୍ତରଂଗ । ଦୁହେଁ ୧୯୧୧ ଖ୍ରୀଅରେ ଗୋଟିଏ ଉପନ୍ୟାସକୁ ଯୌଥ ଭାବରେ ପରିକଳ୍ପନା କରିଥିଲେ । ଉପନ୍ୟାସଟିର ପରିବେଶ ହେଉଛି ଏକ ରେଳଯାତ୍ରା । ଦୁଇଟି ଚରିତ୍ର ରେଳଯାତ୍ରା କରିବେ ଆଉ ସେହି ସମୟରେ ସେମାନେ ନିଜ ନିଜର ଏକ କାହାଣୀକୁ ବିକଶିତ କରିବେ । ସେଇଥିପାଇଁ ଫ୍ରାଞ୍ଜ ଆଉ ମାକ୍ସ ପ୍ରତ୍ୟେକେ ଗୋଟିଏ ଗୋଟିଏ ନୋଟ ଖାତା ଧରି ପ୍ରେଗ ସହରରୁ ରେଳଯାତ୍ରାରେ ବାହାରିପଡିଥିଲେ । ସେମାନେ ଯୋଜନା କରିଥିଲେ ଯେ ଏଇ ରେଳଯାତ୍ରା ୧୯୧୧ ମସିହା ଅଗଷ୍ଟ ୨୬ ତାରିଖରୁ ଆରମ୍ଭ ହୋଇ ୧୩ ସେପ୍ଟେମ୍ବରରେ ଶେଷ ହେବ । ଆଉ ଡିସେମ୍ବର ମାସ ଭିତରେ ଏହି ପ୍ରସ୍ତାବିତ ଉପନ୍ୟାସର ଶେଷ ଅଂଶକୁ ଏକା ଫ୍ରାଞ୍ଜ ସଂପନ୍ନ କରିବେ । ତଦନୁଯାୟୀ କାଫକା ଆଉ ବ୍ରଡ୍ ଏକ ଦୀର୍ଘ ରେଳଯାତ୍ରାରେ ସ୍ୱିଜରଲାଣ୍ଡ, ଇଟାଲୀର ଉତ୍ତରାଂଶ ଦେଇ ଶେଷରେ ପାରିସ୍ ସହରରେ ପହଞ୍ଚିଥିଲେ । ଦୁର୍ଭାଗ୍ୟବଶତଃ ଏହି ଉପନ୍ୟାସଟି ଅସମାପ୍ତ ରହିଥିଲା । ଏହାର ପ୍ରଥମ ଅଧ୍ୟାୟଟି ପାଠକମାନଙ୍କ ଆଗରେ "ଏକ ଦୀର୍ଘ ରେଳଯାତ୍ରା" ଶୀର୍ଷକରେ ଉପଲବ୍ଧ ହୋଇଛି ।

ଏହି ପ୍ରସ୍ତାବିତ ଉପନ୍ୟାସର ନାଆଁ ଥିଲା "ରିଚାର୍ଡ ଆଣ୍ଡ ସାମୁଏଲ" । ରିଚାର୍ଡ ଆଉ ସାମୁଏଲ ବୋଲି ଦୁଇଟି ଚରିତ୍ର ରେଳଯାତ୍ରାରେ, ପୃଥକ ପୃଥକ ଭାବରେ ସେ ଦୁଇଜଣଙ୍କ ପାଖରେ ନୋଟ ଖାତା ରହିଛି, ଯେମିତି ଠିକ୍ ରହିଥିଲା ଫ୍ରାଞ୍ଜ ଆଉ ବ୍ରଡ୍ ଙ୍କ ହାତରେ ।

ସେମାନେ ଏହି ରିଚାର୍ଡ ଆଉ ସାମୁଏଲ ଚରିତ୍ରର ମୂଳରୂପଟି ଏକାଠି ବସି ପ୍ରସ୍ତୁତ କରିଥିଲେ ସେଥିରୁ ଆମେ ଫ୍ରାଞ୍ଜ ଆଉ ବ୍ରଡ୍ ଙ୍କ ସଂପର୍କର ଗଭୀରତାକୁ ବୁଝିପାରିବା । ପ୍ରସ୍ତାବନା ଅନୁସାରେ ସାମୁଏଲ ହେଉଛି ଜଣେ ବାସ୍ତବବୁଦ୍ଧି ସଂପନ୍ନ ତରୁଣ । ତାହାର ଅଧିକ ଜ୍ଞାନ ଅର୍ଜନର ଉଚ୍ଚାଶା ରହିଅଛି । ମାତ୍ର ଏହିଭଳି ଉଚ୍ଚାଶାରେ ଆମର ଲୋକକ୍ଷେତ୍ରର କୌଣସି ଚିନ୍ତକମାନଙ୍କ ଭଳି ପଣ୍ଡିତପଣର ଔଦ୍ଧତ୍ୟ ପ୍ରଦର୍ଶନ ରହିନାହିଁ ବରଂ ରହିଛି ସୁବିବେଚନାର ସହଜପଣଟିଏ । ସାମୁଏଲର ଆର୍ଥିକ ସ୍ୱଚ୍ଛଳତା ରହିଛି । ଅଳସ ଜୀବନ ସହ୍ୟ ହେଉନାହିଁ ବୋଲି ସେ କ'ଣ କିଛି କରିବା ପାଇଁ ସବୁବେଳେ ଆଗଭର ଥାଏ । ଏମିତିରେ ସେ ଗୋଟିଏ ଶିଳ୍ପକଳା ସମିତିର ସେକ୍ରେଟାରୀ । ଏହାଛଡା ତାହାର ଆୟର ଅନ୍ୟ ସ୍ରୋତ ବି ରହିଛି । ଅନ୍ୟପକ୍ଷରେ ରିଚାର୍ଡ ସମସ୍ତ ବିଷୟରେ ଯେମିତି ଆସକ୍ତ । ତାହାର ଅପସନ୍ଦ ବୋଲି କିଛି ନାହିଁ । ସେ ନିଜକୁ ସବୁବେଳେ ଭସାଇଦେବାକୁ ଚାହେଁ । ଏମିତି ଏକ ଆବେଗରେ ଯାହାର କୌଣସି ତର୍କସମ୍ମତ ବା ତାହାର କେଉଁଠି ହେଲେ କାର୍ଯ୍ୟକାରଣ ସଂପର୍କ କାହା ସହିତ ନଥାଏ । ବସ୍ତୁତଃ ତାହାର ଅଭିଜ୍ଞତା ସୀମିତ ଆଉ ଏହି ଅଭିଜ୍ଞତା ଅନେକ ପରିମାଣରେ ସ୍ୱାଭାବିକ ହୋଇଥିବାରୁ ବେଶ୍ ଖାପଛଡା । ନିଜର ସୀମିତପଣକୁ ସେ ଯଥେଷ୍ଟ ବୁଝେ ତଥାପି ସେ ସ୍ୱାଧୀନଚେତା । ତାହାର ଅନ୍ତରଂଗ ଆଉ ସହଜ ସରଳପଣଟି ସବୁବେଳେ ଦେଖାଯାଉଥାଏ ।

ଫ୍ରାଞ୍ଜ କାଫକା ଆଉ ମାକ୍ସ ବ୍ରଡ୍ ତାଙ୍କର ଏହି ପ୍ରସ୍ତାବିତ ଉପନ୍ୟାସ "ରିଚାର୍ଡ ଓ ସାମୁଏଲ"ରେ ଯେଉଁ ଦୁଇଟି ଯାକ ଚରିତ୍ର ସ୍ୱତନ୍ତ୍ର ଭାବରେ ଦୁଇଟି ନୋଟ ଖାତା ଧରି ନିଜ ନିଜର ଦୀର୍ଘ ରେଳଯାତ୍ରାର ଅନୁଭବକୁ ସ୍ୱତନ୍ତ୍ର ଭାବରେ ଲେଖିବେ ଆଉ ପରେ ତାହାକୁ ଏକାଠି କରାଯିବ, ସେହି ଦୁଇଟିଯାକ ଚରିତ୍ର ଅତ୍ୟନ୍ତ ଅନ୍ତରଂଗ । ପରସ୍ପର ପରସ୍ପରର କଥାକୁ ସବୁବେଳେ ବିଶ୍ୱାସ କରିବା ସହ ବେଶ୍ ଭଲଭାବରେ ଉପଭୋଗ କରନ୍ତି । ସେହି ଚରିତ୍ର ଦୁଇଜଣ ପରସ୍ପର ଉପରେ ନିର୍ଭରଶୀଳ । କିନ୍ତୁ ସବୁଠୁ ବଡ କଥା ହେଲା ଉଭୟେ କେହି କାହା ଉପରେ ବିଶ୍ୱାସ କରନ୍ତି ନାହିଁ ।

ସାମୁଏଲ ଆଉ ରିଚାର୍ଡ ଭଳି କାଫକା ଏବଂ ମାକ୍ସଙ୍କ ସଂପର୍କ । ଯଥେଷ୍ଟ ଅନ୍ତରଂଗ ଏବଂ ଜଟିଳ । ବାସ୍ତବରେ କାଫକା ଏବଂ ମାକ୍ସ ବ୍ରଡ୍ ଙ୍କ ସଂପର୍କକୁ ଦେଖିଲେ ଜଣେ ପୁରୁଷର ଆଉ ଜଣେ ପୁରୁଷ ସହ ବସ୍ତୁତଃ କୌଣସି ଶରୀର - ସଂପର୍କ ନଥାଇ ବି ଏତେ ଗଭୀର ଭାବରେ ଭଲ ପାଇବାର ଦୃଷ୍ଟାନ୍ତମାନ ଆମକୁ ଆଶ୍ଚର୍ଯ୍ୟ ଲାଗିପାରେ ।

କାଫକାଙ୍କ ବିୟୋଗ ପରେ ମାକ୍ସ ବ୍ରଡ୍ କାଫକାଙ୍କ "ଦି ଟ୍ରାଏଲ୍"(ବିଚାର)ର ଏପିଲଗ୍ ବା ଶେଷକଥାରେ ଏହିପରି ଲେଖିଛନ୍ତି:

"ଫ୍ରାଞ୍ଜ କାଫକାଙ୍କର କାଗଜପତ୍ର ଭିତରେ ତାଙ୍କର କୌଣସି ଇଚ୍ଛାପତ୍ର ମିଳିନାହିଁ । ତାଙ୍କର ଲେଖିବା ଟେବୁଲ୍ ଉପରେ, ଗଦାଏ କାଗଜ ତଳେ, କାଳିରେ ଲେଖା ଗୋଟିଏ ନୋଟ୍ ମିଳିଛି । ସେଇଟି ମୋ ପାଖକୁ ଲେଖା । ସେଥିରେ ଲେଖା ଅଛି:

ପ୍ରିୟତମ ମାକ୍ସ, ମୋର ଶେଷ ଅନୁରୋଧ: ଯାହା କିଛି ମୁଁ ରଖିଯାଇଛି (ଅର୍ଥାତ୍ ମୋ ବହିର ଥାକଗୁଡିକରେ, ଲେଖିବା ଟେବୁଲ ଉପରେ, କିମ୍ବା ଯେଉଁଠାରେ ଯାହା ଯେତେବେଳେ ମିଳିବ, ଯାହା କିଛି ତମେ ଖୋଜି ପାଇବ, ସେସବୁ) ତାହା ନୋଟବହି ଆକାରରେ ହେଉ, କିମ୍ବା ପାଣ୍ଡୁଲିପି ଆକାରରେ ହେଉ, ମୋର ଲେଖା ଚିଠି, ଅନ୍ୟମାନଙ୍କର ମୋ ନିକଟକୁ ଲେଖା ଚିଠି, ଛୋଟକାଟର କୌଣସି ଖସଡାଜାତୀୟ ଲେଖା ଇତ୍ୟାଦି ଇତ୍ୟାଦି ଯାହା ବି ହେଉ, ସବୁକିଛିକୁ ତମେ ପୋଡି ପକାଇବ, ଏକଦମ୍ ଶେଷ ପୃଷ୍ଠା ପର୍ଯ୍ୟନ୍ତ, ଏପରିକି ତମ ପାଖରେ ମୋର ଯେଉଁ ଲେଖା ବା ନୋଟ୍ ଗୁଡିକ ରହିଛି କିମ୍ବା ଅନ୍ୟମାନଙ୍କ ପାଖରେ ଅଛି (ମୋ ନାଆଁ କହି ତମେ ଅନ୍ୟମାନଙ୍କଠାରୁ ଅନୁନୟ କରି ସେଇଗୁଡିକ ସଂଗ୍ରହ କରିବ), ଯାହା ଯାହା ଅଛି, ସବୁ । ଯେଉଁସବୁ ଚିଠି ତମକୁ ଦିଆଯାଇପାରିନି ସେଗୁଡିକ ଯାହା ଯାହା ପାଖରେ ଅଛି ସେମାନେ ଯେମିତି ବିଶ୍ୱସ୍ତତାର ସହ ସେଇ ସବୁକୁ ପୋଡିପକାନ୍ତି ।

ତମର, ଫ୍ରାଞ୍ଜ କାଫକା

ଆଉ ଟିକିଏ ଭଲଭାବରେ ଖୋଜିଲା ପରେ ମୁଁ ଖଣ୍ଡିଏ ହଳଦିଆ ପଡିଯାଇଥିବା ବେଶ୍ ପୁରୁଣା କାଗଜ ପାଇଥିଲି । ସେଥିରେ ପେନସିଲ୍ ରେ ଲେଖାଥିଲା:

ପ୍ରିୟ ମାକ୍ସ, ମନେ ହେଉନି ମୋର ଆଉ ଦିନମାନ ଅଧିକ ଅଛି । ମାସେ ହେଲା ଫୁସଫୁସ୍ ସଂକ୍ରାନ୍ତ ଜ୍ୱର ଆଉ ତାହାପରେ ନିମୋନିଆ, ମନେ ହେଉଛି, ଏହା ଯଥେଷ୍ଟ....।

ଯଦି କିଛି ଘଟିଥାଏ, ତାହାହେଲେ, ମୋର ସମସ୍ତ ଲେଖା ବିଷୟରେ ଏହା ହେଉଛି ମୋର ଶେଷ ଇଚ୍ଛାପତ୍ର: ଯାହା କିଛି ମୁଁ ଲେଖିଛି ତାହାର ଭିତରୁ କେବଳ ଏଇ କେତୋଟି ବହିକୁ ହିସାବକୁ ନିଆଯାଇପାରେ: "ଦି ଟ୍ରାଏଲ୍", "ଦି ଷ୍ଟୋକର", "ଦି ମେଟାମରଫୋସିସ୍", "ଇନ୍ ଦି ପେନାଲ୍ କଲୋନି", "ଏ କଣ୍ଟ୍ରି ଡକ୍ଟର" ଏବଂ କ୍ଷୁଦ୍ରଗଳ୍ପ "ଏ ହଙ୍ଗର ଆର୍ଟିଷ୍ଟ" । ("ମେଡିଟେସନ୍" ବହିର ଯେଉଁ କେତୋଟି କପି ଏଇଲେ ମିଳୁଛି (କହିବା ବାହୁଲ୍ୟ ଏଇଟି କାଫକାଙ୍କ ପ୍ରଥମ ପ୍ରକାଶିତ ବହି), ତାହା ଥାଉ; ସେଗୁଡିକୁ କାଗଜ ମଣ୍ଡ କରିବାର ଜଂଜାଳ ମୁଁ ଆଉ କାହାକୁ ଦେବାକୁ ଚାହୁଁନାହିଁ, କିନ୍ତୁ କୌଣସି ପ୍ରକାରେ ଏଇ ବହିଟିର ଆଉ ପୁନର୍ମୁଦ୍ରଣ ହେବନାହିଁ ।) ମୁଁ ଯେତେବେଳେ କହୁଛି ଯେ ଏଇ ପାଞ୍ଚୋଟି ବହି ଏବଂ ଏହି କ୍ଷୁଦ୍ରଗଳ୍ପଟି ହିସାବକୁ ନିଆଯାଇପାରେ, ତାହାର ଅର୍ଥ ମୁଁ ଏମିତି କହୁନାହିଁ ଯେ ଏହା ପୁଣିଥରେ ଛପା ହେଉ, ଏବଂ ଭବିଷ୍ୟତ ପ୍ରଜନ୍ମ ପାଇଁ ମୁଁ ଏହାକୁ ଦେଇ ଯାଉଛି, ବରଂ ତାହାର ସଂପୂର୍ଣ୍ଣ ଓଲଟା, ଏହା ପୂରାପୂରି ଅଦୃଶ୍ୟ ହୋଇଯାଉ, ସେଇଟି ହେଉଛି ମୋର କାମନା । କେବଳ ଯେହେତୁ ଏଗୁଡିକ କାହାର ନା କାହାର ପାଖରେ ଅଛି, ଯଦି ସେମାନଙ୍କ ଭିତରୁ କେହି ଏହାକୁ ନିଜପାଖରେ ରଖିବାକୁ ଚାହାଁନ୍ତି, ମୁଁ ସେଥିରେ ବାଧା ଦେବିନାହିଁ ।

କିନ୍ତୁ ଏହା ବ୍ୟତୀତ ଆଉ ଯାହା ଯାହା କିଛି ମୁଁ ଲେଖିଛି (ମାଗାଜିନ୍ ରେ ହେଉ ବା ଖବରକାଗଜରେ ଛପା ହୋଇଥାଉ କି ପାଣ୍ଡୁଲିପି ଅବା ଚିଠି ଆକାରରେ ଲେଖା ହୋଇଥାଉ), ସବୁକିଛି, କୌଣସି ବ୍ୟତିକ୍ରମ ବ୍ୟତୀତ, ଯଦି ହାତପାହାନ୍ତାରେ ମିଳିଯାଏ ତେବେ, କିମ୍ବା ଯେଉଁମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲି ସେମାନଙ୍କ ନିକଟରେ ବିନତି କରି ଦଖଲ କରାଯିବା ଯଦି ସମ୍ଭବ ହୁଏ (ଏମାନଙ୍କ ଭିତରେ ଅଧିକାଂଶଙ୍କୁ ତମେ ଚିହ୍ନ, ଅସଲରେ ଯେଉଁ କେତେଜଣ ସେମାନେ ଅଛନ୍ତି...ଆଉ ଯାହା ହେଉ ପଛକେ ନୋଟବହିଗୁଡିକର କଥା ଭୁଲିବେ ନାହିଁ...) - ଏଇଭଳି କୌଣସି ବାଛ ବିଚାର ନକରି ଏବଂ ଭଲ କଥା ହେବ ଯଦି ସେମାନେ ସେଗୁଡିକୁ ପଢିନଥାନ୍ତି (ଯଦିଓ ମୁଁ କିଛି ମନେ କରିବି ନାହିଁ ତମେ ଯଦି ସେଇ ଲେଖାଗୁଡିକ ଉପରେ ଆଖି ବୁଲେଇ ନେବ, କିନ୍ତୁ ଚାହିଁବି ଯେ, ତମେ ଅନ୍ତତଃ ତାହା କରିବ ନାହିଁ, ମାତ୍ର ଯାହାବି ହେଉ ତମକୁ ବାଦ ଦେଇ ଆଉ କେହି ଯେମିତି ତାହା ଉପରେ ଦୃଷ୍ଟି ନ ପକାନ୍ତି ।) - ଏଇ ସବୁ, କୌଣସି ପ୍ରକାରର ବ୍ୟତିକ୍ରମ ବ୍ୟତୀତ, ପୋଡି ପକେଇବାକୁ ହେବ, ଆଉ ତମପାଖରେ ମୋର ମିନତି ଯେ ଯେତେ ଚଞ୍ଚଳ ସଂଭବ ସେତିକି ସମୟ ଭିତରେ ତମେ ହିଁ ଏଇ କାମଟିକୁ ଶେଷ କରିବ।

  • ଫ୍ରାଞ୍ଜ

ବନ୍ଧୁ ମାକ୍ସ ବ୍ରଡ୍ ନିଜର ପ୍ରିୟ ବନ୍ଧୁଙ୍କ କଥା ବା ଇଚ୍ଛାକୁ ସମ୍ମାନ ଦେଇ ନାହାଁନ୍ତି ତେଣୁ ଆମ ଆଗରେ କାଫକା ଉପସ୍ଥିତ ହୋଇଛନ୍ତି । ମାତ୍ର ୧୯୪୬ ମସିହାରେ ଫ୍ରାନ୍ସର କମ୍ୟୁନିଷ୍ଟମାନେ ଗୋଟିଏ ଅଭିଯାନ ଆରମ୍ଭ କରିଥିଲେ । ସେହି ଅଭିଯାନର ନାମ ଥିଲା "କାଫକାଙ୍କୁ ଅବଶ୍ୟ ପୋଡି ପକାଇବା ଉଚିତ୍" । ଏହା ପଛରେ ସେମାନଙ୍କର ଯୁକ୍ତି ଥିଲା ଯେ କାଫକା ଯେଉଁ ସାହିତ୍ୟର ପ୍ରତିନିଧିତ୍ୱ କରୁଛନ୍ତି ତାହା ହେଉଛି, "ଅନ୍ଧକାରର ସାହିତ୍ୟ" । ଏହା ଏକ ବିପଜ୍ଜନକ ପ୍ରକ୍ରିୟା । ଏହାଫଳରେ ସମାଜରେ ଏକ ବାଜେ ପ୍ରଭାବ ପଡିବ । ସେତେବେଳର କମ୍ୟୁନିଷ୍ଟମାନଙ୍କ ଭଳି ଖ୍ରୀଷ୍ଟିୟାନ୍ ମାନେ ବି କାଫକାଙ୍କ ବିଷୟରେ ସେହିଭଳି ସମାନ କଥା କହୁଥିଲେ । ସେମାନଙ୍କର ମତ ଥିଲା, କାଫକା ଯେଉଁଭଳି ପୃଥିବୀର ଚିତ୍ର ଆଙ୍କିଛନ୍ତି, ଅସଲରେ ପୃଥିବୀ ସେଇଭଳି ହେବା ଉଚିତ ନୁହଁ । ମଣିଷର ସେଇ କାଫକାକୃତ ପୃଥିବୀ ବା "କାଫକେସ୍କ୍ୟୁ" ରେ ଆଚରଣ ଇତିବାଚକ ନୁହଁ, ଏହା ନୈତିକ ଅଧଃପତନର ପରିଦୃଶ୍ୟ । କିନ୍ତୁ କାଫକାଙ୍କ ପୃଥିବୀରେ ମଣିଷର ଏକାକୀତ୍ୱ, ବିଚ୍ଛିନ୍ନତା, ଅନାତ୍ମୀୟ ପରିବେଶ ଏବଂ ରାଷ୍ଟ୍ରର ସଂତ୍ରାସ କ୍ରମଶଃ ମଣିଷର ଆଧୁନିକ ଜୀବନ ପ୍ରବାହରେ ମଣିଷର ନିକଟତର ହୋଇଗଲା । କାଫକାଙ୍କର "ନେତିବାଚକ କଥକତା"କୁ ମଣିଷ ତାହାର ସମକାଳରେ ଅଧିକ ପ୍ରାସଂଗିକ ବୋଲି ମନେ କଲା ବା ମନେ କରିଆସୁଛି । ଆଉ ସେଇଥିପାଇଁ କାଫକାଙ୍କୁ ପୋଡିବାର ସାହସ କେହି କରିବାକୁ ସକ୍ଷମ ହୋଇ ନାହାଁନ୍ତି ।

କାଫକାଙ୍କ ଭିତରେ ନିଜକୁ ସବୁବେଳେ ଅଦୃଶ୍ୟ କରି ରଖିବା ପଛରେ ଥିବା ଭାବନାର ଆଢୁଆଳରେ ଥିବା ଅସଲ ଅର୍ଥକୁ ଆମେ ତାଙ୍କର ଡାଏରୀ ଭଳି ଆତ୍ମଲେଖମାନଙ୍କରୁ, ସେ ଲେଖିଥିବା ଚିଠିମାନଙ୍କରୁ ଏବଂ ତାଙ୍କ ଉପରେ ଲେଖା ହୋଇଥିବା ଜୀବନୀମାନଙ୍କରୁ ଅନେକ ପରିମାଣରେ ବୁଝିପାରିବାକୁ ହୁଏତ ସକ୍ଷମ ହୋଇପାରିବା । ଏଇଠି ବସ୍ତୁତଃ ତାଙ୍କ ଦ୍ୱାରା ସୃଷ୍ଟ ଚରିତ୍ରମାନଙ୍କ ସହିତ ତାଙ୍କୁ ସେମିତି ଗୋଟିଏ ଚରିତ୍ର ଆକାରରେ ପାଖାପାଖି ରଖି ତୁଳନା ତଥା ବୈସାଦୃଶ୍ୟର ଅଧ୍ୟୟନ ଦ୍ୱାରା ଆମକୁ ବୁଝିବାକୁ ହେବ ଯେ ଫ୍ରାଞ୍ଜ କାଫକା ଲେଖକ ହିସାବରେ ଏମିତି ନିଜ ପାଇଁ ଆଢୁଆଳ ଖୋଜୁଥିଲେ କାହିଁକି ?

ସମକାଳର ସମାଜରେ ସେ ନିଜର ଉପସ୍ଥିତିକୁ କେଉଁଭଳି ବିବେଚନା କରୁଥିଲେ ତାହାକୁ ତାଙ୍କର ହାତଲେଖା ଡାଏରୀର ଗୋଟିଏ ଉଲ୍ଲେଖରୁ ଭଲ ଭାବରେ ବୁଝାଯାଇପାରିବ । ସେହି ଉଲ୍ଲେଖଟି ଏହିଭଳି:

"ଦୁଇଜଣ ପିଲା ସେଇଠି ବୁଲୁଥାନ୍ତି, କାସିନେଲିର ଝରକାର ପାଖାପାଖି, ପୁଅଟିର ବୟସ ଛଅ ବର୍ଷର ପାଖାପାଖି ହେବ ଆଉ ଝିଅଟିର ସାତ ହୁଏତ, ସେମାନେ ଦିଜଣ ଈଶ୍ୱର ଆଉ ପାପ ବିଷୟରେ କଥା ହେଉଥାନ୍ତି । ମୁଁ ଅଟକି ଯାଇ ସେମାନଙ୍କ ପଛରେ ଚୁପଚାପ ଛିଡା ହୋଇଗଲି । ଝିଅଟି, ହୁଏତ କାଥୋଲିକ୍, ଦୋହରାଉଥାଏ ଯେ, ଈଶ୍ୱରଙ୍କ ଆଗରେ ମିଛ କହିବା ହେଉଛି ଏକମାତ୍ର ପାପ । ପୁଅଟି ତାହାର ପିଲାଳିଆମିରେ ଜୋର୍ କରି, ହୁଏତ ପ୍ରୋଟେଷ୍ଟାଣ୍ଟ, ଲୋକଙ୍କ ଆଗରେ ମିଛ କହିବା ଆଉ ଚୋରି କରିବା ବିଷୟ କହୁଥାଏ । "ତାହା ବି ବଡ ପାପ" ଝିଅଟି କହିଲା, "କିନ୍ତୁ ଏହା ସବୁଠୁ ବଡ ପାପ ନୁହଁ, ଈଶ୍ୱରଙ୍କ ସାମ୍ନାରେ ଯେଉଁ ପାପ କରାଯାଏ ତାହା ସବୁଠାରୁ ବଡ ପାପ, କାରଣ ମଣିଷ ବିରୁଦ୍ଧରେ ହୋଇଥିବା ପାପ ପାଇଁ ଆମର କନଫେସନ ରହିଛି । ମୁଁ କନଫେସ୍ କରିବା ମାତ୍ରକେ ଗୋଟିଏ ଦେବଦୂତ ଆସି ପୁଣି ଠିଆ ହୋଇଯାଏ, କାରଣ ମୁଁ ପାପ କରିବାବେଳେ ଗୋଟିଏ ସଇତାନ ଆସି ମୋ ପଛରେ ଛିଡା ହୋଇଥିଲା, ଆଉ ତମେ ତା'କୁ କଦାପି ଦେଖି ପାରିବ ନାହିଁ" । ତାହାପରେ ସେ ଟିକିଏ ମଜା କରିବା ପାଇଁ କହିଥିଲା, "ହେଇ ଦେଖୁନୁ, ମୋ ପଛରେ ଏଇଲେ କେହି ନାହିଁ ।" ପୁଅଟି ପଛକୁ ମୁହଁ ବୁଲାଇ ମୋତେ ସେଇଠିଥିବାର ଦେଖି ପାରିଲା ।" ଦେଖ୍" ସେ କହିଥିଲା, ସେ ଯାହା କହୁଛି ସେତକ ଯେମିତି ମୁଁ ଶୁଣିନପାରେ ଆଉ ତାହା ସହିତ ଏଇ ବିଷୟରେ ସେମିତି କିଛି ନଭାବି, "ସଇତାନ ମୋ ପଛରେ ଛିଡାହୋଇଛି ।" ହଁ ମୁଁ ବି ତା'କୁ ଦେଖିପାରୁଛି" କହିଥିଲା ଝିଅ, "ମାତ୍ର ଇଏ ମୋ କହିବାର ଉଦ୍ଦେଶ୍ୟ ନୁହଁ ।"

ଏଇଠି କାଫକାଙ୍କ ଡାଏରୀରୁ ଯେଉଁ ସଂକ୍ଷିପ୍ତ ଅଥଚ ଭାବୋଦ୍ଦୀପକ ଉଲ୍ଲେଖରେ ଆମେ ଯେଉଁ ଲେଖକକୁ ଦେଖିଲେ କୌଣସି ଚରିତ୍ରର ପଛରେ ସେ ଠିକ୍ ଛିଡା ହୋଇ ରହିଛି, ତାହାକୁ ସମସ୍ତେ ଦେଖୁଛନ୍ତି, ଅଥଚ ତାହାକୁ କେହି ସଇତାନ ବୋଲି ମାନିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ । ଏମିତିରେ ଆମ ପଛରେ ଛିଡା ହୋଇଥିବା ଦେବଦୂତମାନେ ସବୁବେଳେ ଅଦୃଶ୍ୟ । ଦେଖାଯାଉଛି ମାନେ ସେ ଆଉ କେଉଁପ୍ରକାରର ଦେବଦୂତ ଯେ ! ତାହାହେଲେ ଏଇଠି ଚରିତ୍ରମାନଙ୍କର କଥାକୁ ଚୁପଚାପ ଶୁଣିବା ପାଇଁ ଆଉ ଚରିତ୍ରମାନେ ପାର୍ଥିବ ଯେହେତୁ ସେ ଦୃଷ୍ଟିରୁ ପାପର ଅନିବାର୍ଯ୍ୟତାକୁ କେହି ଅସ୍ୱୀକାର କରିପାରିବ ନାହିଁ । ତାହାହେଲେ ଚରିତ୍ରର ପାପ ସହିତ ସହଭାଗ କରୁଥିବା ଲେଖକ ଜଣକ କ'ଣ ସଇତାନ ନା ଦେବଦୂତ ନା ଆଉ କିଛି ? ଫ୍ରାଞ୍ଜ କାଫକା ନିଜକୁ ମଣିଷର ଭାଗ୍ୟ ସହିତ ଜଡିତ କରିବାବେଳେ ନିଜର ଉପସ୍ଥିତିକୁ କୌଣସି ସଇତାନ ଭଳି ଦୃଶ୍ୟ ହେଉଥିବା ଅଦୃଶ୍ୟବୋଧରେ ରଖିବାକୁ ଚାହାଁନ୍ତି ନାହିଁ ଏବଂ ସମାନ ଭାବରେ ଦେବଦୂତ ଭଳି ଅପ୍ରକଟ ଅଦୃଶ୍ୟବୋଧରେ ରଖିବାକୁ ଚାହାଁନ୍ତି ନାହିଁ । ସେ ନିଜକୁ ମଣିଷ ପଛରେ ଏକ ସହଭାଗିତାର ଛାଇ ଆଲୁଅରେ ଏକ ସଂବେଦନଶୀଳ ଆଢୁଆଳ ଚାହିଁଛନ୍ତି ।

ଆଉ ଗୋଟିଏ ଉଦାହାରଣ । କାଫକାଙ୍କ ସ୍ୱରଯନ୍ତ୍ରରେ ସଦ୍ୟ କ୍ଷୟରୋଗ ଧରା ପଡିଥାଏ । ୧୯୧୮ ମସିହା ଜାନୁଆରୀ ମାସ । ସେ ସେତେବେଳେ ତାଙ୍କର ସବୁଠୁ ପ୍ରିୟ ସାନଭଉଣୀ ଓଟଲାର ପରିଚର୍ଯ୍ୟାରେ ଜୁରାଉ ନାମକ ସ୍ଥାନରେ ରହିଥାଆନ୍ତି । କାଫକାଙ୍କ ରଚନା ଭିତରେ ଗୋଟିଏ ପ୍ରସିଦ୍ଧ ରଚନା "ଜୁରାଉ ଆଫୋରିଜମସ୍" ବା "ଜୁରାଉ ପ୍ରବଚନମାଳା" ହେଉଛି ଏହି ସମୟର ଲେଖା । ଜୁରାଉରେ ସାନଭଉଣୀ ପାଖରେ ଥିବା ସମୟରେ ଦିନେ କାଫକାଙ୍କର ଜଣେ ପ୍ରିୟ ବନ୍ଧୁ ଲେଖକ ଓସକାର ବାଉମ୍ ତାଙ୍କ ପାଖକୁ ଆସି କେତେଦିନ ବିତାଇ ଥିଲେ । ସେଇ ସମୟରେ କାଫକା ବନ୍ଧୁ ବାଉମ୍ ଙ୍କୁ ତାଙ୍କର ଭବିଷ୍ୟତ ଲେଖାଲେଖି ସଂପର୍କରେ କେତେଗୁଡିଏ କଥା କହିଥିଲେ । ସେଥିମଧ୍ୟରୁ କାଫକା କହିଥିବା ଗୋଟିଏ କ୍ଷୁଦ୍ରଗଳ୍ପର ପ୍ରସ୍ତାବିତ ରୂପରେଖ ସଂପର୍କରେ ବାଉମ୍ ପରେ ଅର୍ଥାତ୍ କାଫକାଙ୍କ ଦେହାବସାନ ପରେ ଉଲ୍ଲେଖ କରିଛନ୍ତି । କାଫକା କିନ୍ତୁ ସେହି ଗପଟିକୁ ପରେ ଆଉ ଲେଖିନାହାଁନ୍ତି । କାଫକା ଲେଖି ନଥିବା ତଥା ବନ୍ଧୁ ବାଉମ୍ ଙ୍କୁ ସେଦିନ କହିଥିବା ସେହି କ୍ଷୁଦ୍ରଗଳ୍ପର ରୂପରେଖଟି ଏଇଭଳି:

"ଜଣେ ଲୋକ ଏମିତି ଗୋଟିଏ ସଂଭାବ୍ୟ ସାମାଜିକ ଅନୁଷ୍ଠାନର ପରିକଳ୍ପନା କରେ ଯେଉଁଠିକୁ ଆଉ କାହାକୁ ନିମନ୍ତ୍ରଣ କରାଯିବ ନାହିଁ । ଲୋକମାନେ ସେଇଠି ପରସ୍ପରକୁ ଦେଖନ୍ତି, ପରସ୍ପର ସହିତ କଥାବାର୍ତ୍ତା ହୁଅନ୍ତି ମାତ୍ର କେହି କାହାକୁ ଚିହ୍ନନ୍ତି ନାହିଁ । ଭୋଜିରେ ସମସ୍ତେ ନିଜ ନିଜର ଇଚ୍ଛା ଅନୁସାରେ ଖାଆନ୍ତି, କିଏ କାହା ଉପରେ ଖାଦ୍ୟକୁ ନେଇ କୌଣସି ଚାପ ପକାନ୍ତି ନାହିଁ । ଯାହାର ଯେତେବେଳେ ଇଚ୍ଛା ହେବ ସେ ଆସିବ, ବାହାରିଯିବ, ଆତିଥ୍ୟ ପ୍ରଦାନ ନିମନ୍ତେ କେହି ବାଧ୍ୟ ନୁହଁ ଏବଂ ଆତିଥ୍ୟ ପ୍ରଦାନକାରୀ କିନ୍ତୁ ସେହି ଲୋକକୁ ଦେଖିଲେ ସତକୁ ସତ ଖୁସି ହେଉଥିବ । ଯେତେବେଳେ ସେହି ଲୋକଜଣକ ନିଜର ଏଇଭଳି ଅବାସ୍ତବ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେଲା, ପାଠକମାନେ ଜାଣିପାରିଲେ ଯେ ଏହା ଲୋକଙ୍କୁ ନିଜ ନିଜର ନିର୍ଜନତାରୁ ଉଦ୍ଧାର କରିବା ପାଇଁ ଉଦ୍ଦିଷ୍ଟ ଏବଂ ଶେଷରେ ଏହା ଗୋଟିଏ କଫି ହାଉସ୍ ର ଉଦ୍ଭାବନରେ ଶେଷ ହୋଇଗଲା ।"

ଲେଖକ ଶେଷରେ ଗୋଟିଏ କଫିହାଉସ୍ ରେ ପରିଣତ ହୋଇଯିବ ସେଇଭଳି ଏକ ଅବସ୍ଥିତି କାଫକାଙ୍କ କାମନା ନଥିଲା । ସେ ଲେଖକକୁ ଭିନ୍ନ କିଛି ମାନବୀୟ ଉପସ୍ଥିତିରେ ଦେଖିବାକୁ ଚାହୁଁଥିଲେ । ସେଇଥିପାଇଁ ସେ ଏକ ଅଦୃଶ୍ୟ କାମନାରେ ସନ୍ତୁଳି ହେଉଥିଲେ ।

କହିବାକୁ ଗଲେ କାଫକା ନିଜର ଯୌବନକାଳରୁ ନିଜର ପରିଣତ ତଥା ଶେଷ ସମୟ ଯାଏଁ ଅନ୍ୟମାନଙ୍କ ଦୃଷ୍ଟିରେ ଯେମିତି ଗୋଟିଏ କାଚକାନ୍ଥର ଆରପଟେ ରହିଥିବା ଗୋଟିଏ ଚରିତ୍ର ଭଳି ରହିଛନ୍ତି । କହିବା କଥା ହେଉଛି ଏଇଠି କାଫକା ଜଣେ ଲେଖକ ଆଉ ତାଙ୍କର ଯେତେକ ପାଠକ ଅଛନ୍ତି ଉଭୟଙ୍କ ମଝିରେ ରହିଛି ଗୋଟିଏ ମସୃଣ କାଚକାନ୍ଥର ବ୍ୟବଧାନ । କାଚକାନ୍ଥର ଏପଟରେ ରହି ଆମେ ଦେଖୁଛୁ ଆରପଟେ ଗୋଟିଏ ଚରିତ୍ର କେମିତି ଚାଲବୁଲ କରୁଛି, ଭାବଭଂଗୀ, ହସ, କଥାବାର୍ତ୍ତା, ସବୁ ପ୍ରାଣୋଚ୍ଛଳ, ସବୁ ଅଭିଜାତ ସୁଲଭ । କାଚକାନ୍ଥର ଆରପଟେ ସେହି ଚରିତ୍ରଟି ଯେମିତି ଆମକୁ କହୁଛି, ମୁଁ ତମ ଭଳି, ଠିକ୍ ତମ ଭଳି ମଣିଷ ମୁଁ, ମୁଁ ତମଭଳି ସୁଖଦୁଃଖ ଭୋଗୁଥାଏ । ମାତ୍ର ସେ ଯେତିକି ଯେତିକି ଅନ୍ୟର ନିୟତି ସହ ଜଡିତ ହୋଇଯାଉଥାଏ, ଯେତିକି ଯେତିକି ଅନ୍ୟର ଯାତନାକୁ ନିଜର ଯାତନା ଭଳି ଭୋଗୁଥାଏ ସେ ସେତିକି ସେତିକି ଏଇଠୁ, ଏଇ ଖେଳରୁ ଦୂରେଇ ଯାଉଥାଏ । ପ୍ରକୃତ ସାହିତ୍ୟିକର ତାହାର ଚରିତ୍ରମାନଙ୍କ ସହ ଖେଳଟିର ସ୍ୱରୂପ ଏଇଭଳି । ଚରିତ୍ର ଭିତରକୁ ଅନ୍ତର୍ଗମନ ଆଉ ବହିର୍ଗମନ ଉଭୟ ଏକା ସମୟରେ ସଂଘଟିତ ହେଉଥାଏ । ସେଇଥିପାଇଁ, ଠିକ୍ ସେହି ସାହିତ୍ୟ କାରଣରୁ ଫ୍ରାଞ୍ଜ କାଫକା ଏଇଠି ଉପସ୍ଥିତ ହୋଇ ରହିପାରିବେ ନାହିଁ ଏଇଲେ, କାରଣ ସେ ବହୂଦୂରରେ ଏମିତି ଏକ ପୃଥିବୀରେ ବାସ କରନ୍ତି ଯାହା କେବେହେଲେ ତାଙ୍କର ନୁହଁ ।

ସେ ଅଦୃଶ୍ୟକାମୀ ଥିଲେ ମାତ୍ର ଆମେ ଯେତେବେଳେ ଆମର ନିରର୍ଥକପଣକୁ ଅର୍ଥବହ କରିବା ପାଇଁ ଏକ ସନ୍ତୋଷ ଅଥବା ଆଶ୍ରାଟିଏ ଖୋଜୁ ଦେଖୁ ସେ ଆମ ପଛରେ ଠିକ୍ କେତେବେଳେ ଆସି ଚୁପଚାପ୍ ଛିଡା ହୋଇଯାଇଛନ୍ତି । ତାଙ୍କର ସ୍ୱର ଯନ୍ତ୍ରରେ କ୍ଷୟରୋଗ । ଜୀବାଣୁ ବାହାରି ଆସି କାଳେ ଆମକୁ ସଂକ୍ରମିତ କରିଦେବେ ସେଇଥିପାଇଁ ନିଜ ମୁହଁକୁ ସେ ହାତ ପାପୁଲିରେ ଘୋଡାଇଦେଇଛନ୍ତି ।

ମାତ୍ର ଶବ୍ଦ ମାନେ ଜୀବାଣୁ ନୁହଁନ୍ତି, ଆମେ ଏକଥା ଜାଣୁ ।

Report an Error