କାଦୁଅ ଖେଳ

ଆମ ଗାଁକୁ ଫେରିଲା ପରେ ମୁଁ ନଡ଼ା ଉପରେ କାଦୁଅ ନେସି ମୂର୍ତ୍ତି ଗଢ଼ାରେ ଲାଗିଲି । ମୋ ବୁଢ଼ୀମା' କାଦୁଅରେ ବଢ଼ିଆ ଘୋଡ଼ା ଗଢ଼େ । ସାହିର ସାନ ଝିଅମାନେ ଆସି ତା' ପାଖରୁ କଣ୍ଢେଇ ବାହାଘର ପାଇଁ ମାଟି କଣ୍ଢେଇ ଗଢ଼ାନ୍ତି । ମୁଁ ବି ଏଥିର କଣ୍ଢେଇ ଗଢ଼ିଲି ଓ ଘୋଡ଼ା ବି ଗଢ଼ିଲି ।


ଫଟୋ - ରମାକାନ୍ତ ସାମନ୍ତରାୟ

ବିଶେଷକରି ଆମ ଓଡ଼ିଆ ଚିତ୍ରଶିଳ୍ପୀମାନେ ସାକ୍ଷାତକାର ସମୟରେ, କିମ୍ବା ନିଜ ନିଜର ଚିତ୍ର ଜୀବନର ପ୍ରାରମ୍ଭିକ ବିନ୍ଦୁ ସମ୍ପର୍କରେ କୁହନ୍ତି, ସେମାନେ ତାଙ୍କ ମାଆଙ୍କ ଝୋଟିଚିତାରୁ ହିଁ ତାଙ୍କ ଚିତ୍ର ଅଙ୍କାର ପ୍ରଥମ ପ୍ରେରଣା ପାଇଥିଲେ । ମୁଁ କିନ୍ତୁ ବ୍ୟକ୍ତିଗତ ଭାବରେ ମୋ ମା'ର ଝୋଟିରୁ ସେମିତି କିଛି ପ୍ରେରଣା ପାଇନି ।

ଗାଁରେ ଆମର ଅବଶ୍ୟ ମାଟି ଘର ଥିଲା । ମଗୁଶୀର ଗୁରୁବାରବେଳକୁ କାନ୍ଥ ସବୁରେ ଝୋଟିଚିତା ପଡୁଥିଲା ଓ ମାଣବସା ଗୁରୁବାରର ପୁର୍ବ ରାତିରୁ ଦାଣ୍ଡରୁ ବାଡି ଯାଏଁ ଲକ୍ଷ୍ମୀ ପାଦ ଓ ଡାଳି ଲଟା ସହ ପଦ୍ମ ଅଙ୍କା ଯାଉଥିଲା । ମା' ମୋର ଭଲ ଚିତା ପକାଇ ପାରୁନଥିଲା । ତଳକୋଠାର ଲକ୍ଷ୍ମୀ ପାଦ କିନ୍ତୁ ଆଙ୍କିଦିଏ । ଓଡ଼ିଆରେ ୪୪ ଲେଖେ ଓ ଚାରିର ଦୁଇ ପୁଡ଼ାକୁ ବନ୍ଦ କରି ସିଧା ସିଧା ଗାରରେ ପାଦ ଆଙ୍ଗୁଠି ଆଙ୍କେ । ଦୁଇ ପାଦରେ ସମୁଦାୟ ଦଶ ଆଙ୍ଗୁଠି ବେଳେବେଳେ ନଥାଏ । ମୁଁ ଗଣି ଗଣି କହେ ଏଠି ଆଠଟା କି ନଅଟା ଆଙ୍ଗୁଠି ହେଇଛି । କୋଉଠି କୋଉଠି ଏଗାର କି ବାର ଆଙ୍ଗୁଳିଆ ଲକ୍ଷ୍ମୀ ପାଦ ସେ ଆଙ୍କେ । କାନ୍ଥରେ ଧାନସିସା ଚିତା ଛାଟିବାକୁ ସେ ଆମ ସାହିର ଅନ୍ୟ କାହାକୁ ଡାକେ । ଯାହାର ହାତ ଆଙ୍ଗୁଠି ସରୁ ଓ ଲମ୍ବା ସେ କୁଆଡ଼େ ଭଲ ଚିତା ଛାଟି ପାରନ୍ତି । ଧାନଗଛ ସବୁ ବେଶ୍ ଲମ୍ବା ଦିଶନ୍ତି ଓ ଧାନ ଗଦା ଉପରକୁ ଲମ୍ବା ଅଙ୍ଗୁଳିର ଚିହ୍ନ ବି ବେଶ୍ ମାନେ । ମୋ ସାନବୋଉ କିନ୍ତୁ କାନ୍ଥରେ ବଢ଼ିଆ ଡାଳି ପତ୍ର ଆଙ୍କୁଥିଲେ । ପୁରା ଗୋଟେ କାନ୍ଥରେ ଗୋଟେ ଗଛ । ଗଛଟି ଗୋଟେ କୁଣ୍ଡରେ ବଢିଥାଏ । ସେ ଗଛବି ବଡ଼ କମାଲବାଲା ଗଛ ଥାଏ । ପ୍ରଥମ କଥା ସେଇଟି ଗଛ ଓ ଲଟାର ମିଶାମିଶି କିଛି ଗୋଟେ ଥିଲା । କେଉଁଠି ସେ ଗଛ ପରି ଦିଶୁଥିଲା ତ କେଉଁଠି ଲଟା ପରି । ସେଥିରେ ଏମିତିକା ପତ୍ର ସବୁ ଥିଲେ ଯାହା କେହି କେଉଁଠି ବି ଆଖି ଉଠିବା ଦିନରୁ ଦେଖିନଥିବ । ଗଛରେ ଅଙ୍ଗୁର ପେନ୍ଥା ସାଙ୍ଗରେ ନଡ଼ିଆ ଓ ଆମ୍ବ ବି ଫଳିଥିବେ । ଗଛରେ ପୁଣି ବସିଥିବେ କେତେ ପ୍ରକାରର ଚଢ଼େଇ । ଆକାରରେ ଚଢ଼େଇ ପରି ଦିଶୁଥିଲେ ବି ସେମାନେ ବାସ୍ତବ ଚଢ଼େଇ ପରି ଆଦୌ ନ ଥିଲେ । ମୁଁ ସେ ଚିତ୍ର ସବୁ ଦେଖୁଥିଲି ସତ, କିନ୍ତୁ ନିଜେ ଆଙ୍କିବାର କୌଣସି ଆଗ୍ରହ ଅନୁଭବ କରୁନଥିଲି । ସତ କହିଲେ ସେ ସବୁ ଚିତ୍ରରେ ମୁଁ ହଜାରେ ଖୁଣ କାଢ଼ୁଥିଲି ।

ଅତି ସାନ ବୟସରେ ମୁଁ ଏ ଚିତ୍ର ଫିତ୍ର କିଛି କରୁନଥିଲି । କିନ୍ତୁ ସମୟ ଓ ସୁବିଧା ପାଇଲା ମାନେ କାଦୁଅରେ ଖେଳିବାକୁ ଭଲ ପାଉଥିଲି ।  ଆମ ଗାଁର ମାଟି ପ୍ରବଳ ଚିକିଟା ଥିଲା ଓ ଗଡ଼ିଆ ତୁଠରେ ଯାହାକୁ ଯେତେ କାଦୁଅ । ମୋର କାଦୁଅ ଖେଳର ସମୟ ଥିଲା ଝାଡ଼ା ଯାଇ ଧୁଆ ଧୁଇ ହେବାର ସମୟତକ I କେବେ କେବେ ମିଛରେ ଝାଡ଼ା ନାଁ କହି ମୁଁ ଗଡ଼ିଆ ପାଖକୁ ପଳଉଥିଲି । ଏଣୁ ତେଣୁ କଅଣ କଅଣ ସବୁ ଗଢ଼ୁଥିଲି ଓ ଭାଙ୍ଗୁଥିଲି । କଅଣ ସବୁ ଗଢୁଥିଲି ଏବେ ଆଉ ମନେପଡୁନି । ମନେ କିନ୍ତୁ ପଡୁଛି କାଦୁଅ ଖେଳ ସାରି ଯେତେ ସତର୍କରେ ଧୁଆ ଧୁଇ ହେଲେ ବି କେଉଁଠି ନା କେଉଁଠି କାଦୁଅ ଟିକେ ଦେହରେ ଲାଗି ରହୁଥିଲା ଓ ମା' ଆଖିରେ ପଡୁଥିଲା । ଗାଳି ଖାଉଥିଲି, କେବେ କେବେ ମାଡ଼ ବି ।

ପ୍ରତିବର୍ଷ ଦଶହରାବେଳକୁ ପ୍ରାୟତଃ ଆମେ ସବୁ ମାମୁଁଘର ଗାଁକୁ ଯାଉଥିଲୁ । ଆମେ ମାନେ; ମା, ମୁଁ ଓ ମୋ ସାନଭାଇ । ବାପା କେବେବି ଆମ ସାଙ୍ଗରେ ଯାଉ ନଥିଲେ । ସେମିତି ଦେଖିଲେ ବାପା ମାମୁଁ ଘରକୁ ତାଙ୍କ ଜୀବନ କାଳ ଭିତରେ ସମୁଦାୟ ପାଞ୍ଚ ଛଅ ଥର ହିଁ ଯାଇଥିବେ । 

ମଝିଆ ମାମୁଁ ଆମର ତାଙ୍କ ଗାଁ ଦଶହରାର ମୁଖ୍ୟ ଉଦ୍ୟୋକ୍ତା । ଏମିତିକି ଦେବୀଙ୍କ ପାଖରେ ପୂଜା ପାଉଥିବା ଖଣ୍ଡାଟି ମାମୁଁଘର ସିନ୍ଦୁକ ଭିତରେ ଘର ଖଣ୍ଡା ସହ ସାରା ବର୍ଷ ରହେ । ଦେବୀଙ୍କ ଚଅଁର ବି ଭାଗବତ ଘର କାନ୍ଥରେ ଟଙ୍ଗା ହେଇକି ଥାଏ । ଧଳା ଚଅଁରର ରୂପା ବେଣ୍ଟ । ସେ ଚଅଁର ଉପରେ ମୋର ବଡ଼ ଲୋଭ । ଅଜା କୁହନ୍ତି ଏଗୁଡା ପାହାଡ଼ି ଗାଈଙ୍କ ଲାଞ୍ଜ । ମୁଁ ଭାବେ ବଡ଼ ହେଲେ ଚଅଁର ଗୋଟେ କିଣିବି । ମାମୁଁଘର ଗାଈ କି ବାଛୁରୀର ଲାଞ୍ଜକୁ ପରଖେ । ନା ଏଗୁଡ଼ା ଚଅଁର ପରି ନୁହଁନ୍ତି । ଦେବୀ ମୂର୍ତ୍ତି ଗଢ଼ାବେଳେ ଯେଉଁ ରଙ୍ଗ ବ୍ୟବହାର ହୁଏ ତା'ର ଶୁଖିଲା ଷଢ଼େଇ ବି ଘରର ଆଟୁ ଉପରେ ପଡ଼ି ରହେ । ମୁଁ ସେ ରଙ୍ଗଲଗା ଷଢ଼େଇରେ ପାଣି ପୁରେଇ ରଙ୍ଗକୁ ଉଖାରିବାକୁ ବସେ, ହେଲେ କିଛି ଲାଭ ହୁଏନି । ହେଲେ ଦେବୀ ମୂର୍ତ୍ତି ଗଢ଼ା କେମିତି ହୁଏ ସେକଥା ମୁଁ ଜାଣି ପାରେନି । କିନ୍ତୁ ସେଇ ଦଶହରାବେଳକୁ କାର୍ତ୍ତିକେଶ୍ଵର ମୂର୍ତ୍ତି ଗଢ଼ା ହେଉଥାଏ । ମାମୁଁଘର ଗାଁରେ ଜଣେ ଲୋକ ନିଜେ ନିଜ ହାତରେ କାର୍ତ୍ତିକେଶ୍ୱର ଗଢ଼େ । ସେଥର ମୁଁ ଦେଖିଦେଲି । ପ୍ରଥମେ ନଡ଼ା ଓ ତାପରେ କାଦୁଅ । ସେ ଚାରି କତି ପାଲ ଘୋଡେଇ ବଡ଼ ଗୁପ୍ତରେ ମୂର୍ତ୍ତି ଗଢୁଥାଏ । ମୁଁ ବି ବଡ଼ ସତର୍କରେ ଲୁଚି ଲୁଚି ଦେଖୁଥାଏ । ଧିରେଧିରେ ମୂର୍ତ୍ତି ତିଆରି ଆଗକୁ ବଢୁଥାଏ । ମୋତେ ତ ଚମତ୍କାର କିମିଆ ପରି ମନେ ହେଉଥାଏ । ମୟୂର ଉପରେ ଉପବେସନ କରିଛନ୍ତି କାର୍ତ୍ତିକେୟ । ପଛରେ ସୋଲ କାଗଜ ଓ ଅଭ୍ରର ମେଢ଼ । ମୂର୍ତ୍ତିରେ ଯେବେ ରଙ୍ଗ ଦିଆଗଲା ସେଦିନ ଢେର ବେଳ ଯାଏଁ ମୁଁ ସେଇଠି ଠିଆ ହେଲି । ଖାସ୍ ରଙ୍ଗର ବାସ୍ନା ପାଇଁ । କେଉଁ ରଙ୍ଗ ସେ ମାରୁଥିଲା କେଜାଣି । ତା' ପରଠୁଁ ସେଇ ରଙ୍ଗ ବାସ୍ନା ମୋତେ ବଡ଼ ଭଲଲାଗେ । ସୁଯୋଗ ମିଳିଲେ ନାକ ସୁଁ କରି ମୁଁ ପିଇଯାଏ । ଦାଣ୍ଡରେ ମୋଟରସାଇକେଲ୍ ଗଲାପରେ ପବନରେ ଧାଇଁ ବୁଲୁଥିବା ପେଟ୍ରୋଲର ବାସ୍ନା ପରି ନୂଆ ଏକ ବାସ୍ନା । ରଙ୍ଗ କାମ ସରିଲା ପରେ, ଗୁପ୍ତରେ ଚକ୍ଷୁ ଦାନ ହେଲା ଓ ସମସ୍ତଙ୍କ ପାଇଁ ପୂଜା ପେଣ୍ଡାଲ ଖୋଲି ଦିଆଗଲା । 

ମାମୁଁଘର ଗାଁ ଓ ଆଖ ପାଖ ଗାଁରେ ସେବେ ପାଖାପାଖି ପନ୍ଦର ସରିକି କାର୍ତ୍ତିକେଶ୍ୱର ମେଢ଼ ହୁଏ । ମୁଁ ମାମୁଁ ଝିଅ ଦେଇ ଓ  ଅନ୍ୟମାନଙ୍କ ସହ ମେଢ଼ ବୁଲିବାକୁ ବାହାରିଲି । ବଢ଼ିଆ ବଢ଼ିଆ ମେଢ଼ । କେଉଁଠି ପୁରା ପରିବାର ସହ ଷ୍ଟୁଡିଓରେ ଫ୍ୟାମିଲି ଫଟୋ ଉଠେଇବା ପରି ମୁଦ୍ରାରେ କୁନି କାର୍ତ୍ତିକେଶ୍ଵର ବାପା ମହାଦେବଙ୍କ କୋଳରେ ତ କେଉଁଠି ରାକ୍ଷାସ ସହ ଘମାଘୋଟ ଯୁଦ୍ଧରେ ବ୍ୟସ୍ତ । ଚର୍ତୁଦିଗ ବୁଲି ବୁଲି ଶେଷରେ ଘର ପାଖ ମେଢ଼ ପାଖରେ ପହଂଚିଲୁ । ଯୋଉ ମେଢକୁ ମୁଁ ନଡ଼ା ଭିଡ଼ାବେଳରୁ ଦେଖୁଥାଏ । ବଡ଼ଦେଈ ଲକ୍ଷ୍ୟ କଲା ମୁଁ ଅନ୍ୟଠି ହାତ ଯୋଡ଼ି, ଆଣ୍ଠୁ ତଳେ ଲଗେଇ ଭକ୍ତିପୂର୍ଣ୍ଣ ନମସ୍କାର କରିଥିବାବେଳେ ସେଇଠି ବିନା ପ୍ରଣିପାତରେ ଖାଡ଼ା ଖାଡ଼ା ଠିଆ ହେଇଛି । କାରଣ ପଚାରିଲାରୁ କହିଲି, ଏ ଠାକୁର ତ ନଡ଼ାରେ ଆଉ କାଦୁଅରେ ତିଆରି । ଏମିତିକା ଠାକୁରଙ୍କୁ ମୁଁ ଓଳଗି ହେବିନି । ମୋ କଥା ଶୁଣି ସମସ୍ତେ ହସିଲେ । ମୁଁ କିନ୍ତୁ ବୁଝିପାରିଲିନି ଏଥିରେ ହସିବାର କଥା କଅଣ ଥିଲା ।

ତା' ପରଠୁଁ କିନ୍ତୁ ଆମ ଗାଁକୁ ଫେରିଲା ପରେ ମୁଁ ନଡ଼ା ଉପରେ କାଦୁଅ ନେସି ମୂର୍ତ୍ତି ଗଢ଼ାରେ ଲାଗିଲି । ମୋ ବୁଢ଼ୀମା' କାଦୁଅରେ ବଢ଼ିଆ ଘୋଡ଼ା ଗଢ଼େ । ସାହିର ସାନ ଝିଅମାନେ ଆସି ତା' ପାଖରୁ କଣ୍ଢେଇ ବାହାଘର ପାଇଁ ମାଟି କଣ୍ଢେଇ ଗଢ଼ାନ୍ତି । ମୁଁ ବି ଏଥିର କଣ୍ଢେଇ ଗଢ଼ିଲି ଓ ଘୋଡ଼ା ବି ଗଢ଼ିଲି । ଝୋଟକୁ କାଟି ଘୋଡ଼ାର ଲାଞ୍ଜ ତିଆରିଲି । ସେତେବେଳକୁ ମୁଁ ସତସତିକା ଘୋଡ଼ା ଦେଖିନଥିଲି । ମାଟିରେ ଜଗନ୍ନାଥ, ଘର, ହାଣ୍ଡି, ମାଠିଆ, ମାଛ, ଟ୍ରକ୍, ଜିପ୍, ସାପ, ବେଙ୍ଗ, ହାତୀ ଓ ଆହୁରି କେତେ କ'ଣ । ଆହାଃ, ଲୁଚେଇକି ଗଢ଼ ଓ ପୁଣି ତାଙ୍କୁ ଲୁଚେଇକି ଖରାରେ ଶୁଖାଅ ଓ ପୁଣି ଲୁଚେଇକି ରଖ । ଧରାପଡିଲେ ମାଡ଼ ଗାଳି ଖାଅ । ହାଏ, କିଛି କମି କଷ୍ଟ କରିବାକୁ ହେଉ ନଥିଲା ।

ସେ ଦିନମାନଙ୍କରେ ଭାବୁଥିଲି, ପୃଥିବୀର ସବୁ ଜିନିଷ ମୁଁ କାଦୁଅରେ ତିଆରି କରିଦେଇ ପାରିବି ଓ ସବୁ ଭାଙ୍ଗି ଯାଇଥିବା ଓ ଚିରି ଯାଇଥିବା ଜିନିଷକୁ ସଜନା ଅଠାରେ ଯୋଡ଼ି ଦେଇ ପାରିବି ।