ନାଟକ "କାଚଘର": ଏକ ଦୃଷ୍ଟିପାତ

ଡାକ୍ତର ବସନ୍ତ କୁମାର ମହାପାତ୍ରଙ୍କ ରଚିତ ‘କାଚଘର’ ବହୁ ପରିବେଷିତ, ବହୁ ଚର୍ଚ୍ଚିତ, ବହୁ ଆଲୋଚିତ ନାଟକ । ସତୁରୀ ଦଶକର ଦର୍ଶକଙ୍କ ପାଇଁ ରଚିତ ଏହି ନାଟକକୁ ପରିବେଷଣ କରିବା ଅନେକ କଷ୍ଟକର ଥିଲା । ଅନ୍ୟ ସବୁ ନାଟକ ପ୍ରଯୋଜିତ ଦଳମାନେ ପୂର୍ବରୁ ପରିବେଷିତ କରିଥିଲେ ।


ଗତ କାଲି ସମ୍ପନ୍ନ ହୋଇଛି ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆୟୋଜିତ ତଥା ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ୫ଦିନ ବ୍ୟାପୀ ଏହି ନାଟକ ଉତ୍ସବ ସଫଳତାର ସହିତ ସମ୍ପନ୍ନ ହୋଇଛି । ଅନେକ ଦିନ ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତଥା ଭୁବନେଶ୍ୱରର ଦୁଇଟି ଟିମ୍ ୫ଦିନ ଧରି ନାଟକ ମଞ୍ଚସ୍ଥ କରିଥିଲେ । ଦେଖିବାକୁ ମିଳିଥିଲା ବିଭିନ୍ନ ଶୈଳୀର ନାଟକ ।

ଭୁବନେଶ୍ୱର ନାଟ୍ୟପ୍ରେମୀମାନେ ଏହି ୫ଦିନିଆ ନାଟକ ଉତ୍ସବର ଭରପୁର ଆନନ୍ଦ ନେଇଥିଲେ ।

ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ ୧୬ ଯାଏ ଚାଲିଥିବା ଏହି ନାଟକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ତରପୁରୁଷ ପରିବେଷଣ କରିଥିଲା ସତୁରୀ ଦଶକର ଏକ ବହୁ ଚର୍ଚ୍ଚିତ ନାଟକ ‘କାଚଘର’ । ତତ୍‌ପରେ କ୍ରମାନ୍ୱୟେ ଦ୍ୱିତୀୟ ଦିନରେ ଭବାନୀପାଟଣାର କାରୁଣ କଳାମଂଚ ପ୍ରଦୀପ ଡି ମାଝୀଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଅସୁର ଗଡ଼ର କଥା’, ତୃତୀୟ ଦିନରେ ଟ୍ରେଣ୍ଡି ଏକାଡେମୀ ପରିବେଷିତ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ‘କୁଆାଁରୀ’, ୪ର୍ଥ ଦିନରେ ସ୍ରଷ୍ଟା ବାଲେଶ୍ୱର ମନୋଜ ଦାସଙ୍କ ମୂଳ ଗଳ୍ପର ନାଟ୍ୟରୂପ କରିଥିଲେ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଓ ଶେଷ ସନ୍ଧ୍ୟାରେ ଲାବଣ୍ୟ ଥିଏଟର ପରିବେଷଣ କରିଥିଲା ଦିଲ୍ଳୀପ ବଳବନ୍ତରାୟଙ୍କ ରଚନା ଓ ସତ୍ୟ ଜେନା ନିର୍ଦ୍ଦେଶିତ ନାଟକ ‘ହାଏରେ ସତିଆ’ । ଏହି ପାଞ୍ଚ ନାଟକ ଭୁବନେଶ୍ୱର ଦର୍ଶକଙ୍କ ମନ ଜିଣିଥିଲା ।

ଡାକ୍ତର ବସନ୍ତ କୁମାର ମହାପାତ୍ରଙ୍କ ରଚିତ ‘କାଚଘର’ ବହୁ ପରିବେଷିତ, ବହୁ ଚର୍ଚ୍ଚିତ, ବହୁ ଆଲୋଚିତ ନାଟକ । ସତୁରୀ ଦଶକର ଦର୍ଶକଙ୍କ ପାଇଁ ରଚିତ ଏହି ନାଟକକୁ ପରିବେଷଣ କରିବା ଅନେକ କଷ୍ଟକର ଥିଲା । ଅନ୍ୟ ସବୁ ନାଟକ ପ୍ରଯୋଜିତ ଦଳମାନେ ପୂର୍ବରୁ ପରିବେଷିତ କରିଥିଲେ । ମାତ୍ର ଉତ୍ତରପୁରଷ ପାଇଁ ଏହି ନାଟକ ପରିବେଷଣ କରିବା ନିଶ୍ଚିତ ଭାବେ କଷ୍ଟକର ଥିଲା । ନାଟକର ରହସ୍ୟ ତାହା ଶେଷ ଦୃଶ୍ୟରେ ହିଁ ଜଣାପଡ଼ୁଛି, ସେ ଯାଏ ଦର୍ଶକଙ୍କୁ ବାନ୍ଧି ରଖିବା କେବଳ ଅଭିନୟ ମାଧ୍ୟମରେ ବାସ୍ତବିକ କଷ୍ଟକର ଥିଲା । ଅପେକ୍ଷାକୃତ କମ୍‌, ସ୍ୱଳ୍ପ ଓ ଯଥେଷ୍ଟ ଅଭିଜ୍ଞ କଳାକାରଙ୍କ ମିଶ୍ରଣ ଯୋଗୁଁ ଅଭିନୟର ତ୍ରୁଟି ବିଚ୍ୟୁତି ବିଶେଷ ଭାବେ ପରିଲକ୍ଷିତ ହୋଇ ନଥିଲା । ନାଟକର ବିଷୟବସ୍ତୁ ତଥା ସଂଳାପ ଏତେ ରୋଚକପୂର୍ଣ୍ଣ ଥିଲା ଯେ; ନିର୍ଦ୍ଦେଶନା ସେତେ ସହଜ ହୋଇଥିଲା । ଗୋଟିଏ ଲକ୍ଷ୍ୟ ଥିଲା; ସଫଳ ଓ ସୁନ୍ଦର ଭାବରେ ନାଟକ ପରିବେଷଣ କରିବା । ଦୁଇ ଘଣ୍ଟା ଅବଧିର ଏହି ନାଟକ ଶେଷ ପର୍ଯ୍ୟନ୍ତ କରତାଳି ସହିତ ଦର୍ଶକଙ୍କ ମନରେ ଏକ ଛାପ ତିଆରିଥିଲା । ପାରମ୍ପରିକ ମଞ୍ଚ ପରିବର୍ତ୍ତେ ସାଙ୍କେତିକ ମଞ୍ଚ, କଳାକାର ତଥା ଅଭିନୟ ଉପରେ ଆଧାର କରି ଆଲୋକ ସମ୍ପାତ ଓ ସତୁରୀ ଦଶକର ସଂଗୀତ ନାଟକକୁ ଜୀବନ୍ତ କରିଥିଲା ।

‘କାଚଘର’ର କାହାଣୀ ଜୀବନର ଏକ ରହସ୍ୟପୂର୍ଣ୍ଣ, ଆବେଗକୁ ନେଇ । ଏକ ସ୍ନାୟୁବିକ ଅସୁସ୍ଥତାକୁ ନେଇ । ଏହି ଅସୁସ୍ଥତା ମସ୍ତିଷ୍କର କୌଣସି ଆଘାତ, ଯଥା ଶାରିରୀକ କିମ୍ବା ମାନସିକ କିମ୍ବା ରୋଗଗ୍ରସ୍ତ ଅବସ୍ଥା ଯୋଗୁ ଉତ୍ପନ୍ନ ହୋଇଥାଏ । ରୋଗୀ ଅପରିତିତ ମଣିଷ ତଥା ଅଜଣା ପରିବେଶକୁ ଅତି ପରିଚିତ ବୋଲି ସାବ୍ୟସ୍ତ କରିପାରେ । ମାନବ ଚରିତ୍ର ରହସ୍ୟମୟ । ଜୀବନରେ ହିଁ ଥାଏ ଅନେକ ରୋମାଞ୍ଚକର ଅନୁଭୁତି । ମଣିଷ ଜୀବନରେ ଅନେକ ରହସ୍ୟ ରହିଛି, ପ୍ରେମ ରହିଛି, କରୁଣ ଆବେଗ ରହିଛି । ଆମେ ଜୀବନରେ ଅନେକ କିଛି ଦେଖନ୍ତି, ଭୋଗନ୍ତି, ଅନେକ ବିକଟ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି; ସବୁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ନିଜ ଭିତରେ ସାହସର ଅଣ୍ଟା ଭିଡ଼ନ୍ତି । ମଣିଷ ଜୀବନରେ ଅନେକ କିଛି ଘଟେ । ସେ ସବୁ ଘଟଣାର ବାସ୍ତବତା ସହିତ ଦୂର ଦୂର ପର୍ଯ୍ୟନ୍ତ କୌଣସି ମେଳ ନାହିଁ; ସେତେବେଳେ ସେ ଭାଙ୍ଗିପଡ଼େ । ନିଜ ଭିତରେ ନିଜେ ସଙ୍କୁଚିତ ହୋଇଯାଏ । କାଚଘରେ ବନ୍ଦୀ ହୋଇଯାଏ । ଏହି ସବୁ ଘଟଣାକ୍ରମକୁ ନେଇ କାଚଘରର କାହାଣୀ ।

ବାସ୍ତବ ଜୀବରେ ଏପରି ଚରିତ୍ର ଥାନ୍ତି ? ଥିଲେ ବୋଲି ତ ଲେଖିଛନ୍ତି ଡାକ୍ତର ବସନ୍ତ ମହାପାତ୍ର । ପ୍ରକୃତରେ ଏହା ଏକ ବାସ୍ତବ ଜୀବନର କାହାଣୀ । ରଚନାକାର ଏକଥା ମୁଖବନ୍ଧରେ ଲେଖିଛନ୍ତି କି ଯେହେତୁ ସେ ନିଜେ ମାନସିକ ରୋଗର ଡାକ୍ତର ଥିଲେ ଓ ଏପରି ଅନେକ ଘଟଣା ତାଙ୍କ ନଜରକୁ ଆସୁଥିଲା; ସେପରି କିଛି ଘଟଣାକ୍ରମକୁ ନେଇ ସୃଷ୍ଟି କରିଥିଲେ ସେ ଏହି ନାଟକ । କୌଣସି ଅପରିଚିତ ଲୋକଙ୍କୁ କିମ୍ବା ଅପରିଚିତ ସ୍ଥାନକୁ ନିଜର କରିବା କି୍‌ମ୍ବା ନିଜର ଭାବିବା ଏତେ ସହଜ ନୁହେଁ । ମାନସିକ ଭାବେ ବିକ୍ଷିପ୍ତ ତଥା ବିଚଳିତ ଓ ରୋଗଗ୍ରସ୍ତ କେହି ବି ଏପରି କରିବା ନିଶ୍ଚିତ ଭାବେ ସେ ବ୍ୟକ୍ତି ଭିତରେ ତିଆରି କରିଥିବା ସରଳପଣ । ଏହି ସରଳପଣରେ ହିଁ ତ ସେ ଏପରି କରିପାରିଥାଏ । ନିର୍ଦ୍ଦେଶକ ଭାବେ ଏ ନାଟକ ପଢ଼ିବା ପରେ ମୋତେ ପ୍ରଥମେ ଏହି କଥା ଖୁବ୍ ଆକର୍ଷିତ କରିଥିଲା ।

ନାୟିକା ତଟିନୀ ମାନସିକ ଭାବେ ବିକ୍ଷିପ୍ତ । ସେ ଭୁଲିଯାଇଛି ସବୁ କିଛି । ଡାକ୍ତରଖାନାରୁ ଲୁଚି ପଳାଇ ଆସିଛି । ତନ୍ମୟ ଘରେ ଆଶ୍ରୟ ନେବା ସହିତ ତନ୍ମକୁ ନିଜ ପତି ବୋଲି ଭାବିଛି । ତନ୍ମୟ ଭଉଣୀର ଭାଙ୍ଗିଯାଇଥିବା ଘରକୁ ସଜାଡ଼ିଛି । ତନ୍ମୟର ବାପାଙ୍କୁ ସେବା ସୁଶ୍ରୁଷା ବଳରେ ଆପଣାର କରିଛି । ନଣନ୍ଦ ନିହାରୀକା ମନରେ ଭରି ଦେଇଛି ବଡ଼ ଭଉଣୀର ଆତ୍ମୀୟତା । ନିଜ ଦିଅର ପରି ସ୍ନେହ ଅଜାଡ଼ି ଦେଇଛି ତନ୍ମୟର ତିନି ସାଙ୍ଗଙ୍କୁ । ଚାକର ସାଧୁଆକୁ ମଧ୍ୟ ଆପଣାର କରିପାରିିଛି । ଜଣେ ରୋଗଗ୍ରସ୍ତ ଏପରି କିପରି କରିପାରେ ?

ମୁଁ ତଟିନୀ ଚରିତ୍ର ଭିତରର ସରଳପଣକୁ ଖୋଜିଲି, ଝୁରି ହେଲି । ତାକୁ ଖୁସି ଦେବାକୁ ଚେଷ୍ଟା କଲି । ସାଙ୍ଗମାନଙ୍କ ଦ୍ୱାରା, ନିହାରୀକା ଜରିଆରେ, ନିହାରୀକାର ପତି ସୁବିମଳ ଜରିଆରେ, ସାଧୁଆ ଜରିଆରେ, ତନ୍ମୟର ବାପାଙ୍କ ଜରିଆରେ । ନାଟକ ଅଭ୍ୟାସବେଳେ ମୋତେ ଅନେକ ସମୟରେ ଇଚ୍ଛା ହେଉଥାଏ କି ଏମିତି ହୋଇନଥାନ୍ତା କି ସେ ଠିକ୍ ହୋଇଯାଇଥାନ୍ତା । ଶେଷ ଦୃଶ୍ୟରେ ଯେତେବେଳେ ଡାକ୍ତର କହି ଦେଇଯାଉଛି କି ବାଜା ବାଜିବ, ରୋଷଣୀ ଜଳିବ, ଝାଡ଼ ବାଜିବ, ତଟିନୀ ବୋହୁ ହୋଇ ସବାରୀରେ ଶାଶୁ ଘରକୁ ଯିବ, ମାତ୍ର ବାଟରେ ମେଣ୍ଟାଲ ହସ୍ପିଟାଲ ପାଖରେ ତଟିନୀକୁ ଯୋର ଜବରଦସ୍ତି ଓହ୍ଲାଇ ନିଆଯିବ । ସେ ମାନସିକ ରୋଗୀ । କାଳେ ସୁସ୍ଥ ଲୋକଙ୍କ ପାଖରେ ରହିଲେ ସେ ସେମାନଙ୍କର କ୍ଷତି କରିବ, କାଳେ ସେ ଭୟଙ୍କର ବ୍ୟବହାର କରିବ! କାଳେ ସେ କିଛି କରିଯିବ....!

ଆହା! ଡାକ୍ତରି ବିଦ୍ୟା ଭାବାବେଗକୁ ବୁଝେନି କାହିଁକି ? ଶେଷରେ ପୁଣି ତଟିନୀକୁ ଫେରିବାକୁ ପଡ଼େ କାଚଘରକୁ ବନ୍ଦୀ ହୋଇ । ଚିକିତ୍ସା ପାଇଁ ।

ନାଟକର ଶେଷ ଦୃଶ୍ୟରେ ନାଟ୍ୟକାର ସାମାନ୍ୟ ସାଙ୍କେତିକ ଦୃଶ୍ୟ ଖଂଜିଛନ୍ତି କି ତଟିନୀ କାଚଘର ଭିତରେ ଛଟପଟ ହେଉଛି ଓ ତନ୍ମୟ ଶୋଇଥିବା ଅବସ୍ଥାରେ ଅଚାନକ ଉଠିପଡ଼ି ତଟିନୀ ବୋଲି ଡାକୁଛି । ବାସ୍ ସାରି ଦେଇଛନ୍ତି ଏଇଠି ନାଟ୍ୟକାର ନାଟକ । ମୁଁ ନିର୍ଦ୍ଦେଶକୀୟ ସ୍ୱାଧୀନତା ପ୍ରୟୋଗ କରି ଡାକ୍ତର ମୁଁହରେ ଏକ ସଂଳାପ ରଖିଥିଲି । ଡାକ୍ତର ସବୁ ସତକଥା କହିସାରିବା ପରେ କହୁଛି ‘ଆପଣମାନଙ୍କ ନିକଟରେ ସୁଯୋଗ ରହିଛି, ଆପଣ ଚାହିଁଲେ ତଟିନୀର ପରିବାର ସହିତ ଯୋଗାଯୋଗ କରି ଓ ଆଇନ୍‌ର ଆଶ୍ରୟ ନେଇ ପୁଣି ତଟିନୀକୁ ନିଜର କରିପାରିବେ’ । ତଟିନୀର ବିଦାୟବେଳେ ନାୟକକୁ ସ୍ଥାଣୁ କରି ଠିଆ କରାଇଥିଲି । ସେ ବାକ୍‌ରୁଦ୍ଧ, ନୀରବ ଓ ନିଶବ୍ଦ ଥିଲା । ସାରା ନାଟକରେ ସେ ଅସ୍ତବ୍ୟସ୍ତ ଥିଲା । ତଟିନୀ ବିରୋଧରେ ଯୁଝୁଥିଲା । ତଟିନୀକୁ ଘରୁ ବାହାର କରିବାକୁ ଅସଫଳ ପ୍ରୟାସ କରୁଥିଲା । ମାତ୍ର ଯେତେବେଳେ ତଟିନୀ ଘରୁ ବାହାରି ଯାଉଛି ସେତେବେଳେ ସେ ନୀରବ, ନିସ୍ଥର, ବାକ୍‌ରୁଦ୍ଧ । ତଟିନୀ ବୋଲି ଡାକିବା ପରେ ମଧ୍ୟ ତନ୍ମୟ ଚରିତ୍ରରେ ଆଉ ଧାଡ଼ିଏ ନୀରବତା ଯୋଡ଼ିଥିଲି, କେବଳ ଦୁଇପାଦ ଚାଲିବା । ଯାହା ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀ ସହିତ ଚାଲିବାକୁ ଚାହେଁ, ହାତରେ ହାତ ମିଶାଇ, ପାଦରେ ପାଦ ମିଶାଇ ।

ଆମେ ନାଟକକୁ ସେତେ ବୁଝି ପାରୁନା, ସେତେ ନାଟକ ବିଷୟରେ ଆଲୋଚନା କରୁନା, ସମୟ ନଥାଏ । ସୌଖୀନ କଳାକାର ଆମେ । ପ୍ରତିବଦ୍ଧତାର ଅଭାବ, ଅଙ୍ଗୀକାରବଦ୍ଧତାର ଅଭାବ ନିଶ୍ଚିତ ଭାବେ ରହିବ । ନାଟକ ସଫଳ ଭାବେ ମଞ୍ଚସ୍ଥ ହୋଇଛି । ଦର୍ଶକମାନେ ଆଦରିଛନ୍ତି । ମାତ୍ର ଆହୁରି ନୀରବତା ଆସିପାରିଥାନ୍ତା । ନିର୍ଦ୍ଦେଶକ ଭାବେ ସ୍ୱୀକାର କରିବାରେ ଦ୍ୱିଧା ନାହିଁ କି ଏ ନାଟକ କାମ କରିବାରେ, ନିର୍ଦ୍ଦେଶକୀୟ କୌଶଳ ପ୍ରୟୋଗ କରିବାରେ ଭରପୁର ସୁଯୋଗ ଦେଇଛି । ସବୁ କଳାକାରମାନେ ନିଜର ସାଧ୍ୟମତେ ଅଭିନୟ କରିଛନ୍ତି । ବାକି କିିଛି ଶେଷ ନଥାଏ । ପୁଣି ଆରମ୍ଭ । ନିଶ୍ଚିତ ଭାବେ ଆସ୍ଥାର କାଚଘର ଖୋଲିବ । ତଟିନୀ ପୁଣି ବାହାରି ଆସିବ । ଅନାସ୍ଥାରୁ ।

Report an Error