କବିତା ଲେଖିପାରୁନଥିବା ଝିଅ

ମୋତେ ଏବେ କାଲିର ଅଭିନୟ ପାଇଁ ସଂଳାପ ଲେଖିବାକୁ ଦିଅ - କବିତାକୁ ନେଇ ଏମିତି କିଛି ବକ୍ତବ୍ୟ ଜଣେ କବିର । ଏ କବିର କଥକ ଜଣେ ନାରୀ । ପୁରୁଷ କବିର କଲମରେ ନାରୀତ୍ଵର ଏ ସ୍ଵର ଆମ ସମୟର ସବୁଠୁ ବଡ ଆହ୍ଵାନ ।


ତୁମେ ଯେତେଥର କହିଛ,
ପ୍ରତି ଥର ଟେକି ଦେଇଛି ଏ ଦେହ,
ମୋର ସବୁତକ ଇଚ୍ଛା ତୁମ ପାଖେ ।

ରାତିସାରା ଅନିଦ୍ରା ରହି,
ଖୋଜିଛି ହସମୁଖ ମୁଖା ଆସନ୍ତାକାଲିର ଅଭିନୟ ପାଇଁ ।

କଳାଜରିରେ ପୂରେଇ,
କେହି ଦେଖିବା ଆଗରୁ,
ସଫେଇଵାଲାକୁ ପ୍ରତିଦିନ ସକାଳୁ
କିସ୍ତିରେ ଧରେଇ ଦେଇଛି ମୋ ସ୍ବପ୍ନସବୁ ।

ଦେହ, ଆଶା, ମୋ ଚିରଇପ୍ସିତ ସ୍ବପ୍ନ...
ଜାଣିଛ କି
କେତେ ହତ୍ୟାପରେ
ଖୁସି ହୁଏ ଆତତାୟୀ ?

ଏ ଡାଏରୀରେ,
ମଝାମଝି ଯେଉଁ କଲମ ଅଛି,
ସେଥିରେ ମୁଁ ମୋ ରକ୍ତ ଭରିଛି,
ଯେଉଁ ଶବ୍ଦ ଅଛନ୍ତି ସେଥିରେ ମୁଁ
ମୋ ଆତ୍ମା ରଖିଛି,
ସାତତାଳ ଦୁଃଖ,
ଦୁଃଖ ଭିତରେ ତୁମ ଅହଂକାରର ସିନ୍ଦୁକ,
ତା ଭିତରେ
ଫରୁଆରେ ସାଇତିଛି ଟିକିଏ ଏଇ ଶବ୍ଦର ସ୍ୱାଭିମାନ,
ଆତ୍ମସମର୍ପଣର ପ୍ରଶ୍ନ ନାହିଁ,
ସନ୍ଧି ଆଉ ହତ୍ୟାର ବିକଳ୍ପ ଦେଲି,
ମୋତେ ଏବେ କାଲିର ଅଭିନୟ ପାଇଁ
ସଂଳାପ ଲେଖିବାକୁ ଦିଅ ।

Report an Error