କବିଗୁରୁ ରବୀନ୍ଦ୍ରନାଥ: ଯୌବନର ପ୍ରଥମ ସ୍ଵୀକାରୋକ୍ତି

କବିଗୁରୁ ରବୀନ୍ଦ୍ରନାଥଙ୍କର ଯୌବନ କାଳର ଏକ ପ୍ରେମ ଅଭିଜ୍ଞତା ଓ କିଛି ଜୀବନ ବିଶ୍ୱାସର ସ୍ଵୀକାରୋକ୍ତି । ଦିଲ୍ଲୀପ ରାୟଙ୍କ ଚର୍ଚ୍ଚିତ ଜୀବନନାମା "ତୀର୍ଥଙ୍କର"ରୁ ଅନୂଦିତ ।


ଫଟୋ - ୱିକିପିଡିଆ

"କଥା କଣ ଜାଣ, ମୁଁ ପିଲାଦିନୁ ଏକା ଏକା ମଣିଷ ହୋଇଚି ଓ ଯେଉଁ ଅବଜ୍ଞା ଭିତରେ ବଢ଼ିଛି ସେଥିରେ ମୋର ଏକ ଭୀରୁ ଭାବ ବଦ୍ଧମୂଳ ହୋଇଯାଇଛି ଯାହାର ପ୍ରଭାବ ମୁଁ ଆଜି ବି ଏଡ଼ାଇ ପାରିନାହିଁ । ମୋ ଶୈଶବରେ ମୁଁ ଯେ କି ଅନାଦର ଓ ଉଦାସୀନତା ଭିତରେ କଟାଇଛି ତାହା ତୁମେ ଜାଣ ନାହିଁ । ମୋତେ ସମସ୍ତେ ଭାବୁଥିଲେ ଅପଦାର୍ଥ ।"

"ଆଉ ଗୋଟିଏ ଦୁଃଖ କହିବି, ମୋର ଚେହେରାଟା ଯେ ନିହାତି ଅଚଳ ନୁହେଁ ତାର ଟେର ପାଇଥିଲି ପ୍ରଥମେ ମୋର ଜଣେ ଭଉଣୀଠାରୁ । ବିଲାତରେ, ସର୍ବ ପ୍ରଥମେ କହିଲା ମୋ ଭଉଣୀ । ତାର ଜଣେ ଦୁଇଜଣ ସଖୀ ଏକଥା କହିଥିଲେ କୁଆଡେ । ଆରେ ଭାଇ, ଆଗରେ ହେଲେ କୁହନ୍ତ, କେଜାଣି ମୋର ଲଜ୍ଜା ଦେଖି ଲଜ୍ଜାଶୀଳାମାନେ ଲଜ୍ଜା ପାଇଥିଲେ ।"

ଦିଲୀପ ରାୟ ପଚାରିଲେ: "କୁହନ୍ତୁ ନା, ରୂପସୀମାନଙ୍କଠାରୁ ନିଜ ରୂପର ତାରିଫ ଶୁଣି ଆପଣଙ୍କୁ କେମିତି ଲାଗୁଥିଲା ସେତେବେଳେ ?"

"ସତ କହୁଚି ପ୍ରଥମେ ବିଶ୍ୱାସ ହେଉନଥିଲା, କିନ୍ତୁ କ୍ରମେ ଯେତେବେଳେ କୀର୍ତ୍ତନ କଲ୍ଲୋଳ ବଢ଼ି ଉଠିଲା, ସେତେବେଳେ ଜାଣିଲି ଯେ ରୂପ ସମ୍ବନ୍ଧରେ ଆମ ଦେଶର ମାନଦଣ୍ଡ ଓ ବିଲାତର ମାନଦଣ୍ଡ ଭିତରେ ଏତେ ବ୍ୟବଧାନ ଯେ, କହି ହେବ ନାହିଁ ।"

ମୁଁ ଏତେ ଲାଜକୁଳା ଓ ମୁହଁଚୋର ଥିଲି ଯେ ତରୁଣୀ ମହଲରେ ଏ ରକମ ପ୍ରତିଷ୍ଠା କଥା ଶୁଣି ମୁଁ ବି ସେ ଦିଗରେ ଆଗେଇବାକୁ ସାହସ କରି ନାହିଁ ।

ସତ କହୁଚି ମୋ ଭଉଣୀ ମୋତେ ତିରସ୍କାର କରି କହୁଥିଲା - "why can't you flirt a little ?" ବେଳେବେଳେ ତାର କେଉଁ ରୂପସୀ ସଖୀ ସାଙ୍ଗରେ ମୋତେ ଏକା ଛାଡ଼ି ଚାଲି ଯାଉଥିଲା ।

"ଏକେବାରେ ବୋକା ଥିଲି ମୁଁ, କାରଣ କଣ ଜାଣ, ମୋ ମନର ବୟସ ହୋଇଥିଲା ଡେରିରେ । ମୁଁ ବିଲାତରେ ପ୍ରଥମେ ଯେଉଁ ଡାକ୍ତର ପରିବାରର ଅତିଥି ହୋଇଥିଲି, ତାଙ୍କର ଦୁଇଟି ଝିଅ ଯେ ମୋତେ ଭଲ ପାଉଥିଲେ ଏଥିରେ ବର୍ତ୍ତମାନ ମୋର ଆଉ ସନ୍ଦେହ ନାହିଁ । କିନ୍ତୁ ସେତେବେଳେ ଯଦି ଏ କଥା ବିଶ୍ୱାସ କରିବା ପାଇଁ ଟିକିଏ ବି ନୈତିକ ସାହସ ଥାଆନ୍ତା ହେଲେ ।"

"ଶୁଣ ଗୋଟିଏ ଘଟଣା କହୁଛି ତାହେଲେ ସବୁ ପାଣି ପରି ସ୍ପଷ୍ଟ ହୋଇଯିବ। ସେତେବେଳେ ମୋତେ ୧୬ ବର୍ଷ । ମୋତେ ଇଂରାଜୀ ଶିଖିବା ପାଇଁ ବମ୍ବେ ପଠା ହୋଇଥିଲା, ଗୋଟିଏ ମରାଠୀ ପରିବାରକୁ । ପରିବାରର ନାୟିକା ଜଣେ ଷୋଡ଼ଶୀ, ଯେମିତି ଚାଲାକ ଚତୁର ସେମିତି ମେଳାପୀ ବି । ସେ ଏ ବୟସରେ ବି ବିଲାତ ଆସିଥିଲା, ତାର ସ୍ତାବକ ସଂଖ୍ୟା କମ୍ ନଥିଲା । ସେ ତା ନିଜ ଆଡୁ ମୋ ସାଙ୍ଗରେ ମିଶିବାକୁ ଆସୁଥିଲା । ମୋ ଆଖପାଖରେ ଘୂରିବୁଲୁଥିଲା । ମୋତେ ବିମର୍ଷ ଦେଖିଲେ ସାନ୍ତ୍ବନା ଦେଉଥିଲା, ପ୍ରଫୁଲ୍ଲ ଦେଖିଲେ ଆଖି ବୁଜି ଧରୁଥିଲା, ମୁଁ ସ୍ୱୀକାର କରୁଛି ଯେ କିଛି ଗୋଟିଏ ଘଟିଚି ବୋଲି ମୁଁ ଜାଣି ପାରିଥିଲି, କିନ୍ତୁ ହାୟରେ, ସେ କଥାଟିକୁ ଟିକିଏ ଉସୁକାଇ ଦେବା ପାଇଁ ଭିତରେ ନା ଥିଲା ତତ୍ପରତା, ନା ପ୍ରତ୍ତ୍ୟୁପନ୍ନମତିତା ।

ଦିନେ ସଂଧ୍ୟାରେ ସେ ହଠାତ୍ ଆସି ମୋ ଘରେ ହାଜର ହେଲା ।

ମୋ ମନ ଭଲ ନଥିଲା, ଆମ ଘର ପାଇଁ, କଲିକତାର ଗଙ୍ଗାନଦୀ ପାଇଁ ମନ ଛଟପଟ ହେଉଥିଲା । ସେ ଆସି ପଚାରିଲା କଣ ଏତେ ଭାବୁଛ ?" ସେ ହଠାତ୍ ମୋ ଖଟ ଉପରେ ବସି ପଡ଼ି କହିଲା "ମୋ ହାତ ଧରି ଟାଣ ତ, tug of war ଖେଳିବା" । ମୁଁ ସତରେ ବୁଝି ପାରିନାହିଁ ଏତେ ଖେଳ ଥାଉ ଥାଉ ଏ ଖେଳ କଥା ତାର କାହିଁକି ମନେ ପଡ଼ିଲା । ମୁଁ ଏ ଶକ୍ତି ପରୀକ୍ଷା ପାଇଁ ରାଜି ହେଉ ନ ହେଉଣୁ ସେ ଶ୍ଳଥ ଭାବରେ ହାର ମାନି ଯିବା ସତ୍ତ୍ବେ ମୋର କିଛି ରୋମାଞ୍ଚ କି ପୁଲକ ହେଲା ନାହିଁ ।

ଦିନେ ପୁଣି ଆସି କହିଲା "ଜାଣିଛ, ଜଣେ ଝିଅ ଶୋଇଥିବାବେଳେ ଯଦି କେହି ତାର ଦସ୍ତାନା ଚୋରି କରି ନେଇପାରେ, ତେବେ ସେ ଝିଅଟିକୁ ଚୁମା ଦେବାର ଅଧିକାର ତାର ଅଛି ।" ଏମିତି କହି ସେ ଆରାମ ଚେୟାରରେ ଶୋଇ ପଡିଲା । ନିଦ ଭାଙ୍ଗୁ ଭାଙ୍ଗୁ ସେ ପାଖରେ ଥିବା ଦସ୍ତାନାକୁ ଚାହିଁଲା । କେହି ଚୋରି କରି ନଥିଲେ ।"

କହି ସାରିବା ପରେ କବିଙ୍କ ମୁହଁ ପୂରା ବଦଳି ଗଲା । ହାସ୍ୟ ଉଜ୍ଜଳ ଦୀପ୍ତି ସାଙ୍ଗରେ ମିଶି ଯାଇଥିଲା ଗଂଭୀର କୋମଳ ମାଧୁର୍ଯ୍ୟ ଓ ସ୍ନିଗ୍ଧତା ।

କହିଲେ - "ମୁଁ ସେ ଝିଅଟିକୁ ଭୁଲି ନାହିଁ କି ତାର ସେ ଆକର୍ଷଣକୁ ଶସ୍ତା ଭାବରେ ଦେଖି ନାହିଁ । ମୋ ଜୀବନରେ କେତେ ଅଭିଜ୍ଞତା ଆସିଛି, ବିଧାତା କେତେ ଘଟଣା ଅଘଟଣ ଘଟାଇଚି କିନ୍ତୁ ମୁଁ ଗର୍ବ କରି କହିପାରେ ଯେ କୌଣସି ଝିଅର ଭଲପାଇବାକୁ ମୁଁ ଭୁଲରେ ବି କେବେ ଅବଜ୍ଞା କରିନାହିଁ । ତାହାକୁ ସ୍ନେହ କୁହ, ପ୍ରୀତି କୁହ, ପ୍ରେମ କୁହ, ମୋତେ ତାହା ପ୍ରସାଦ ପରି ମନେ ହୁଏ । ପ୍ରତ୍ୟେକ ଭଲପାଇବା ଆମ ମନ ବନରେ କିଛି ନା କିଛି ଅଫୁଟା ଫୁଲକୁ ଫୁଟାଇ ଦିଏ ।"

Report an Error