କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ; ଏକ ପରିଚୟ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଓଡିଶାର ଅନନ୍ୟ ସଂସ୍କୃତି ପୁରୁଷ । ସାହିତ୍ଯ ଓ ସଂସ୍କୃତିର ଏହି ଯୁଗପୁରୁଷ ଓଡିଶାର ସାମାଜିକ ଜୀବନକୁ ବହୁ ଭାବରେ ସମୃଦ୍ଧ କରିଥିଲେ । ସେହି ମହାନ ସ୍ରଷ୍ଟାଙ୍କ କୃତି ଓ କୃତିତ୍ଵର ଏକ ସରଳ ଆକଳନ ।


ଫଟୋ - ୱିକି ମିଡିଆ

ସେ ଯୁବକମାନଙ୍କୁ କହୁଥିଲେ କି "ଆଖି ବୁଜି ଲେଖି ଯାଅ, ମନଭରି ଲେଖା । ଭିତରେ ଯାହା କିଛି ଅଛି ତାହା ମନଭରି ବାହାରେ ଢାଳିଦିଅ । ମନରେ ଯେତେ କ୍ଲାନ୍ତି, ଅବସାଦ, ଦ୍ବନ୍ଦ୍ବ ଆଉ ସଂଘର୍ଷ; ସବୁ କାଗଜ ଉପରେ ଲେଖିଦିଅ ।"

"କବିଚରଣ କାଳୀଚରଣଙ୍କୁ କେବଳ ଜଣେ ଯୁଗ ପ୍ରବର୍ତ୍ତକ ନାଟ୍ୟକାର କିମ୍ବା ମହାନ ସଂଗୀତ ରଚୟିତା ବୋଲି ଅଭିହିତ ନକରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ଆଧୁନିକ ଓଡ଼ିଆ ସାହିତ୍ୟର ସର୍ବବରିଷ୍ଠ ନାଟ୍ୟକାର ଭାବେ ସେ ସର୍ବଜନବିଦିତ ହୋଇଥିଲେ ମଧ୍ୟ ତାଙ୍କର ବହୁମୁଖୀ ପ୍ରତିଭା ବିଷୟରେ ଆକଳନ କଲାବେଳେ ଆଶ୍ଚର୍ଯ୍ୟ ଲାଗେ । ଆଧୁନିକ ଓଡ଼ିଆ ଗୀତି କବିତା ରଚନା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ ।"- ମନୋରମା ମହାପାତ୍ର (ବରିଷ୍ଠ ସାହିତ୍ୟିକା) ।

ଏଇ ନିକଟରେ ଓଡିଶା ନାଟ୍ୟସଂଘ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର 'ଭରତମୁନି' ଅର୍ଥାତ କବିଚନ୍ଦ୍ର କାଳୀଚରଣଙ୍କ ସମ୍ମାନରେ ପ୍ରତିବର୍ଷ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ କାଳୀଚରଣ ସମ୍ମାନରେ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି ।

ଏହା ତାଙ୍କ ପ୍ରତି ଓଡ଼ିଶାର ନାଟ୍ୟକର୍ମୀଙ୍କ ଦ୍ୱାରା କୃତଜ୍ଞ ଅବଦାନ ହେବ । ସେ ପ୍ରକୃତରେ ଥିଲେ ଅନନ୍ୟ । ଓଡ଼ିଆ ନାଟକ କ୍ଷେତ୍ରରେ ଯେଉଁ କେତେଜଣଙ୍କ ନାମ ସୁନାର ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ସେମାନଙ୍କ ମଧ୍ୟରୁ କବିଚନ୍ଦ୍ର କାଳୀଚରଣଙ୍କ ନାମ ସର୍ବାଗ୍ରେ ରହିବ ଏହା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ।

ଉତ୍ତର ପିଢ଼ି ତିଆରି କରିବାର ଅଭିପ୍ରାୟ ନେଇ ସେ ଯୁବକମାନଙ୍କୁ କହୁଥିଲେ କି "ଆଖି ବୁଜି ଲେଖି ଯାଅ, ମନ ଭାରି ଲେଖା । ଭିତରେ ଯାହାକିଛି ଅଛି ତାହା ମନଭରି ବାହାରେ ଢାଳିଦିଅ । ମନରେ ଯେତେ କ୍ଲାନ୍ତି, ଅବସାଦ, ଦ୍ବନ୍ଦ୍ବ ଆଉ ସଂଘର୍ଷ; ସବୁ କାଗଜ ଉପରେ ଲେଖିଦିଅ ।"

ଆଜି ଯଥାର୍ଥରେ କବିଚନ୍ଦ୍ର କାଳିଚରଣଙ୍କ ଜୀବନ କାହାଣୀ ଓ ଓଡ଼ିଆ ନାଟକର ଇତିହାସ ମିଶିକି ଏକ ହୋଇଯାଇଛି । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର, ୧୮୯୭ - ୨୪ ଜୁଲାଇ, ୧୯୭୮) ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ବୋଲି ମଧ୍ୟ କୁହାଯାଏ । ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା । କାଳୀଚରଣ ୧୮୯୭, ଡିସେମ୍ବର ୨୩ ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ ।

ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି 'ମହାପର୍ବତ' ନାମକ ଖଣ୍ଡକାବ୍ୟ ଓ 'କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ରେଭେନ୍ସା କଲେଜରେ ପଢୁଥିବା ସମୟରେ 'କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । କବିତାଟି ପଢ଼ି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟନାଟିକା, କାବ୍ୟନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ।

ନୃତ୍ୟନାଟିକା (ଲୀଳା ନାଟକ)

  1. କଳଙ୍କ ଭଞ୍ଜନ
  2. ଦାରିଦ୍ର୍ୟ ଭଞ୍ଜନ
  3. ମିଳନ ମାଧୁରୀ
  4. ଶ୍ରୀ ରାଧା
  5. ବାଂସୁରୀର ବିଳାପ
  6. ଶ୍ରୀ ଗୀତଗୋବିନ୍ଦ
  7. ପ୍ରୀତି ସୁଧାକର
  8. ଲକ୍ଷ୍ମୀ
  9. କୌତୁକ ଚିନ୍ତାମଣି
  10. କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ
  11. ମାନିନୀ
  12. ଆଖିର ଦେଖା
  13. ଦେହି ପଦପଲ୍ଲବ ମୁଦାରଂ

ପୌରାଣିକ ନାଟକ

  1. ଧ୍ରୁବ
  2. ମୃଗୟା
  3. ବନ ବିହାର
  4. ବିଦ୍ୟାବଳୀ
  5. ଶକୁନ୍ତଳା
  6. ହରିଶ୍ଚନ୍ଦ୍ର
  7. ଚକ୍ରୀ
  8. ଦଶଭୁଜା

ଐତିହାସିକ ନାଟକ

  1. ଅଭିଯାନ (୧୯୪୬)
  2. ମାଳତୀ
  3. ରକ୍ତ ମନ୍ଦାର

ସାମାଜିକ ନାଟକ

  1. ପ୍ରତିଶୋଧ
  2. ଆହୂତି
  3. ଚୁମ୍ବନ (ପ୍ରେମଲତା, ମଦନ)
  4. ଗାର୍ଲ ସ୍କୁଲ (୧୯୩୯) (ପ୍ରଥମେ ନାରୀମାନେ ଅଭିନୟର ସୁଯୋଗ ପାଇଲେ)
  5. କମଳ (୧୯୪୩)
  6. ଭାତ (୧୯୪୫) (ରମା, ଜୟୀ)
  7. ରକ୍ତମତି (୧୯୪୭)
  8. ଫଟାଭୂଇଁ
  9. ସନ୍ଧାନ (୧୯୫୩)
  10. ହୀରାଖଣ୍ଡ (୧୯୫୩)

ଜୀବନୀ ଆଧାରିତ ନାଟକ

  1. ଜୟଦେବ
  2. ସାରଳା ଦାସ
  3. ଜଗନ୍ନାଥ ଦାସ

କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ । ସେ ଲଳିତା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ।

ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ - ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କ ଦ୍ୱାରା ୧୯୨୬ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍ ଉପାଧି ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ - କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ 'ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

• କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
• ଡି.ଲିଟ୍, ୧୯୭୫
• ଫେଲୋସିପ୍ (ରତ୍ନ ସଦସ୍ୟ) - କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ୧୯୬୮
• ନାଟ୍ୟାଚାର୍ଯ୍ୟ, ୧୯୪୪ - ଉତ୍କଳ ସାହିତ୍ୟ ସମାଜ
• କବିଚନ୍ଦ୍ର, ୧୯୨୬
• ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ
କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।