
ମୋ ପରି ପିଲାଦିନରୁ ହଷ୍ଟେଲ୍ରେ ବଢିଥିବା ପିଲାମାନେ ଚିତା ଅଙ୍କାଯିବାର କି ମୁରୁଜ ପଡ଼ିବାର ଦେଖିବାର ସୁଯୋଗ ପାଇନଥାନ୍ତି । ତେବେ ବିଦ୍ୟାଳୟର ସକାଳୁଆ ଏକ୍ସରସାଇଜ୍ ସମୟରେ ଦିନେ ଦିନେ ଆମେ ମର୍ଣ୍ଣିଙ୍ଗ୍ ୱାକ୍ କରିବାକୁ ଗାଁ ଭିତରକୁ ଚାଲିଯାଉ । ପାଗଯୋଗ ଯଦି ଠିକ୍ ଥାଏ ତେବେ କାହା ଘର କାନ୍ଥରେ ସକାଳୁ ସକାଳୁ ସଜ ଅଙ୍କା ଯାଇଥିବା ଚିତା ଦେଖିବାକୁ ମିଳେ । ଆଉ ଯଦି ସେତେବେଳେ ମାର୍ଗଶୀର ମାଣବସା ଚାଲିଥାଏ, ତେବେ ସବୁ ଘରେ ଚିତା ପଡିଥିବାର ଦେଖିବାକୁ ମିଳେ । ବନମାଟି ଓ ଗୋବର ଲିପା କାନ୍ଥ ଉପରେ ଧଳା ରଙ୍ଗର ଚିତା ଦାଉ ଦାଉ ଜଳୁଥାଏ । ଖୁବ୍ ଆକର୍ଷିତ କରେ ମୋତେ ସେଇ ଚିତ୍ର । କେବେ କେମିତି ବାହାଘର ପରି ଅବସରରେ ବନ୍ଧୁବାନ୍ଧବଙ୍କ ଘରକୁ ଗଲେ ସେସମୟର ଯେଉଁ ବାଡି ଅଗରେ କପଡା ଲଗେଇ ଚାଉଳ ଚୁନା ପିଠଉର ଚିତା ପଟା ପଟା କରି କାନ୍ଥରେ ପକାଯାଏ ସେଇଟା ଦେଖିଛି । ଆଉ ଚାରିକୋଣିଆ କୋଠି କରି ଧଳା ପରସ୍ତ ଉପରେ ନାଲି ଅଳତାରେ ଯେଉଁ ଚିତା ଅଙ୍କାଯାଏ, ସେଇଟା ଦେଖିବା ସହ ନିଜେ ଅନେକ ସମୟରେ ଆଙ୍କିଛି ବି । ଚିତ୍ର ଭଲହୁଏ ବୋଲି କହି କେହି ଯେତେବେଳେ ଏଇ କାମଟି ମୋତେ ବରାଦ କରନ୍ତି, ବଡ କଷ୍ଟହୁଏ ସେତେବେଳେ । ତେବେ ଏବେବି କେଉଁ ଅଚିହ୍ନା ଘରେ ଝୋଟି ଚିତା ପଡିଥିବାର ଦେଖିଲେ ନିଜର ଲାଗେ, ଘରଘର ଲାଗେ ।
ଘରଦ୍ୱାର ସଫାସୁତୁରା କରି ମାଟିକାନ୍ଥକୁ ଚକାଚକ୍ କରି ବନମାଟି ଓ ଗୋବରରେ ଲିପିଲା ପରେ ଚାଉଳ ଗୁଣ୍ଡ ପିଠଉର ଝୋଟି କାନ୍ଥ ରଙ୍ଗ ସାଙ୍ଗରେ କନଟ୍ରାଷ୍ଟ ହୋଇ ଖୁବ୍ ଉଜ୍ଜ୍ୱଳ ଓ ସୁନ୍ଦର ଦିଶେ । ତେବେ କେହି କେହି ଘର ଭିତର ସଫା ନକରି ଯଦି ବାହାରେ ଚିକ୍କଣ କରି ଚିତା ପକାଇଥାଆନ୍ତି ତାଙ୍କୁ ‘ଘର ଭନ୍ ଭନ୍ ବାହାରେ ଝୁଣ୍ଟି’ କହି ଖୁଣ୍ଟା ଦିଆଯାଏ । ଏଇଟା ସମ୍ବଲପୁରର ଏକ ଲୋକପ୍ରିୟ ପହଳି ।
ଆମର ଏଠି ଓଡ଼ିଶାରେ ବାର ମାସରେ ତେର ପର୍ବ । ଆଉ ତେର ପର୍ବରେ ଛବିଶି ସଜବାଜ । ତା’ ଭିତରେ ଅଛି ଚିତା । ବିଭିନ୍ନ ଅବସରରେ ଘର, ଅଗଣା, ବାରଣ୍ଡା, ଖଳା, ଅମାର ଘର, ଭଣ୍ଡାର ଘର, ଚଉରା, ଦୁଆର ଆଦିରେ ଚିତା ପକାଯାଏ । ପିଠଉକୁ ଡାହାଣ ପାଖରେ ରଖି ଡାହାଣ ହାତର ବୁଢା ଆଙ୍ଗୁଠି ଓ ପରି ଆଙ୍ଗୁଠି ସାହାଯ୍ୟରେ ପିଠଉ ଧାରାକୁ ବୁହାଇ ଚଟାଣ ଉପରେ ଅଙ୍କାଯାଏ ଚିତା । ଏହି ଚିତ୍ର ଆଙ୍କିବା ପ୍ରାୟତଃ ଆରମ୍ଭ ହୁଏ ପଦ୍ମରୁ । ଯେଉଁ ଅନୁସାରେ ଜାଗା ଥାଏ ପଦ୍ମର ଆକାର ମଧ୍ୟ ସେହି ଆକାରର ହୁଏ । ଯେଉଁଠି ବେଶୀ ଜାଗା ଥାଏ ସେଠି ଷୋହଳ ବା ଚଉଷଠି ପାଖୁଡିଆ ପଦ୍ମ ଅଙ୍କାଯାଏ । ପଦ୍ମ ଚାରିପାଖକୁ ଲାଗି ଅଙ୍କାଯାଏ ଆହୁରି କେତେ କଅଣ । ଭୂଇଁ ଉପରେ ନାନା ପ୍ରକାର ଲତା, ଫୁଲ, ପତ୍ର, ଧଡି, ଗଛ, ପତ୍ର, ନଦୀ, ପଶୁ, ପକ୍ଷୀ, ଅଁଳା ଗଛ, କଦମ୍ବ ଗଛ, ପଇଡ଼, ମାଛ, ଜହ୍ନ, ସୂର୍ଯ୍ୟ ଓ ଧାନପିଂଛା ବା ଶସ୍ୟଗୁଚ୍ଛ ଆଦି ଭରି ହୋଇଯାଆନ୍ତି ।
ଚିତାରେ ତୂଳୀ ଧରି ସୂକ୍ଷ୍ମ ଚିତ୍ର ସବୁ ଅଙ୍କା ଯାଇପାରେନି ବୋଲି ଅନେକ ଉପାୟ ଅବଲମ୍ବନ କରାଯାଏ । ହାତ ମୁଠାକୁ ଥାପି ତା ଉପରେ ଠୋପା ଦେଇ ଲକ୍ଷ୍ମୀ ପାଦ ଆଙ୍କିବା ସେଥିରୁ ଗୋଟିଏ । ଏପଟେ ସୁବିଧାରେ ଚିତା ଆଙ୍କି ହେବ ବୋଲି କେହି କେହି ହାତର ବୁଢା ଆଙ୍ଗୁଠି ଓ ପରି ଆଙ୍ଗୁଠି ମଝିରେ ଛୋଟ ଧଳା ପିଠଉରେ ଭିଜା ସରୁ କନାଟିଏ ରଖି ଆବଶ୍ୟକତା ଅନୁସାରେ ପିଠଉ ଧାରା ଝରେଇ ଆଙ୍କିଚାଲନ୍ତି ଚିତ୍ର । ବାର ବାର ପିଠଉ ପାତ୍ରକୁ ଆଉ ହାତ ନେବାକୁ ପଡେନି । କାନ୍ଥରେ ବି ନାନା ପ୍ରକାରର ଧାନ ଶୀଷା ଓ ଧାନ କୋଠି ଅଙ୍କାଯାଏ । ପିଠଉକୁ ଡାହାଣ ଓ ବାଁ ଆଡ଼କୁ ଏପରି ଛିଞ୍ଚାଯାଏ ଯେ, ଚିତାଟି ଠିକ୍ ଏକ ଫଳନ୍ତା ଧାନଗଛ ପରି ଦେଖାଯାଏ । ତା’ ଉପରେ ପୁଣି ଠୋପା ଦେଇ ଚୁଳିଆ ପରି ସଜାଯାଏ ।
ଚିତା ପାଇଁ ଯେ କେବଳ ଅରୁଆ ଚାଉଳ ବଟା ପିଠଉରୁ ଉଜ୍ଜ୍ୱଳ ଶୁଭ୍ର ରଙ୍ଗ ପ୍ରସ୍ତୁତ କରାଯାଏ ସେକଥା ନୁହେଁ, ଆଗରୁ ଏଥିପାଇଁ ଶାମୁକା ପୋଡ଼ା ଚୂନ, ଖଡ଼ି ପଥର ଗୁଣ୍ଡ ଚୂନ ଆଦି ବ୍ୟବହାର କରାଯାଉଥିଲା । ଅରୁଆ ଚାଉଳ ଗୁଣ୍ଡରେ ମୁରୁଜ ବି ପକାଯାଏ । ବିଭିନ୍ନ ପର୍ବପର୍ବାଣି ଅବସରରେ ଭିନ୍ନ ଭିନ୍ନ ପ୍ରକାରର ଚିତା ଦେଖିବାକୁ ମିଳେ । ଏଇଯେମିତି, ଦଶହରା ସମୟରେ କାନ୍ଥରେ ଯେଉଁ ଚିତ୍ର ହୁଏ ବା ଲେଖାଯାଏ ତାହା ରଙ୍ଗୀନ୍ ହୋଇଥାଏ । ଏହି ରଙ୍ଗ ପାଇଁ ଆଗରୁ ଢାଉ, ଗେରୁମାଟି, ହରତାଳ ଆଦି ବ୍ୟବହାର ହେଉଥିଲା । ଏବେ ତ ଭଳିକି ଭଳି ରଙ୍ଗ ବଜାରରେ ମିଳୁଛି । ତେବେ ଚିତା ବା କେଉଁ ଆଗପରି ଆଉ ଅଙ୍କାଯାଉଛି ଯେ ! କାର୍ତ୍ତିକ ମାସରେ କେହି କେହି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ଚିତ୍ର ମୁରୁଜରେ ଆଙ୍କନ୍ତି । ତା ସହ କେହି କେହି ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଦଶାବତାର ଚିତ୍ର ମଧ୍ୟ କରନ୍ତି । ପୌଷ ମାସ ପୂର୍ଣ୍ଣମୀ ତିଥିରେ କୋରାପୁଟ ଅଞ୍ଚଳର ସ୍ତ୍ରୀ ଲୋକମାନେ ଯେଉଁ ଦଣ୍ଡାରି ନାଚ କରନ୍ତି, ସେହି ନାଚର ଆସ୍ଥାନ ପାଖରେ ଶିମୁଳୀ ଗଛକୁ ଚିକିଟା ମାଟିରେ ପୋତି ତାଆରି ମୂଳରେ ମୁରୁଜରେ ନାନାପ୍ରକାର ଚିତ୍ର କରିଥାଆନ୍ତି । ଗଞ୍ଜାମ ଓ ପୁରୀରେ କର୍କଟ ସଂକ୍ରାନ୍ତି ଦିନ ଯେଉଁ ଦକ୍ଷିଣ ସଂକ୍ରାନ୍ତି ଓଷା କରାଯାଏ ସେଥିରେ ମଧ୍ୟ ଚିତା ଅଙ୍କାଯାଏ । ସେମାନେ କାନ୍ଥରେ ଏକ ମଣ୍ଡପ କରି ତାକୁ ଚାରି ଭାଗ କରନ୍ତି ଓ ପ୍ରତି ବିଭାଗରେ ଭିନ୍ନ ଭିନ୍ନ ଧରଣର ପଦ୍ମ ଆଙ୍କନ୍ତି । ଆଉ ମଣ୍ଡପ ଚାରିପାଖରେ ଧାନଅମାର, ଗାଈ ଓ ଅନ୍ୟାନ୍ୟ କୃଷି ଉପକରଣମାନ ଆଙ୍କନ୍ତି । ଏଥିସହ ଛେଳି ପ୍ରଭୃତି ଗୃହପାଳିତ ପଶୁଙ୍କର ଚିତ୍ର ମଧ୍ୟ ଅଙ୍କାଯାଏ । ଆଗରୁ କାର୍ତ୍ତିକ ଅମାବାସ୍ୟାରେ ସାଧବ ବୋହୂମାନେ ଘର ଅଗଣାରେ ଝୋଟି ବା ମୁରୁଜରେ ଏକ ବୋଇତ ଚିତ୍ର କରୁଥିଲେ । ଏହାପରେ ଘରର ସମସ୍ତ ଜିନିଷପତ୍ର ଆଣି ଏହି ଚିତ୍ର ବୋଇତ ଉପରେ ରଖି, ସକାଳେ ବନ୍ଦାପନା କରିସାରିବା ପରେ ଘର ଭିତରକୁ ନେଉଥିଲେ । ଖୁଦୁରୁକୁଣି ଓଷାରେ ଯେଉଁ ଚିତା ଅଙ୍କାଯାଏ, ସେଥିରେ ତଅପୋଇ ସହ ଘରମଣି ଛେଳିର ଚିତ୍ର ବି ଅଙ୍କାଯାଏ । ବୁଧିବାମନ ଓଷାରେ ଓଲଟା ହଂସ, ଧାନମାଣିକ ଓଷାରେ ହସ୍ତୀ ଓ ପେଚା, କାର୍ତ୍ତିକ ବ୍ରତ ବେଳେ କାପ୍ତାକାପ୍ତୀ, କାର୍ତ୍ତିକ ଶୁକ୍ଳ ପକ୍ଷର ନବମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବକପଞ୍ଚକରେ ବଗବଗୁଲି ଚିତ୍ର ଆଦି ଅଙ୍କାଯିବାର ପରମ୍ପରା ରହିଛି । କୁଆଁର ପୁନେଇଁ ଦିନ ଗାଁ ଚଉରା ମୂଳେ ଓ ଚାରିପାଖରେ ଝିଅମାନେ ଯେଉଁ କଇଁ ଫୁଲରେ କୋଠି ଆଙ୍କନ୍ତି ତାକୁ ବି ଏକପ୍ରକାର ଚିତା କୁହାଯାଏ । ଲଙ୍ଗଳଧୁଆ ପୂର୍ଣ୍ଣିମା ବା ବଳଦେବଙ୍କ ଜନ୍ମତିଥିରେ ଗୁହାଳ କାନ୍ଥରେ ଜୁଆଳି, ଲଙ୍ଗଳ ଆଦି କୃଷିଉପକରଣ ସହ ଗାଈର ଚିତ୍ର ମଧ୍ୟ କରାଯାଏ । ଅଙ୍କାଯାଏ ବି ଓଲଟ ଶୁଆ, ଯୋଡ଼ିମାଛ, ସାରୀ, ବଣି, ମୟୂର, ପ୍ରଜାପତି, ହରିଣ ଇତ୍ୟାଦି ।
ଆଦିବାସୀମାନେ ତାଙ୍କ ଘର କାନ୍ଥରେ ହାତୀ, ବଳଦ, ମଣିଷ, ଶୁଆ, ମୟୂର, ଝିଟିପିଟି ଆଦି ଆଙ୍କନ୍ତି । ସେମାନଙ୍କ ଚିତାରେ ଧଳା ରଙ୍ଗ ସହ ହଳଦୀ, ଲାଲ୍ ଓ କୃଷ୍ଣ ରଙ୍ଗ ମଧ୍ୟ ବ୍ୟବହୃତ ହୋଇଥାଏ । ଏଥିସହ ତାଙ୍କ ମାଟିର ରଙ୍ଗ ବି ଭିନ୍ନ ଥାଏ । ସେମାନେ କେତେ ବାଗରେ ଭିନ୍ନ ଭିନ୍ନ ମାଟିକୁ ନେଇ ମିଶାମିଶି କରି ଲେପ ଦେଇ ନୂଆ ପ୍ରକାର ରଙ୍ଗ ବାହାର କରିଥାଆନ୍ତି ।
ବିବାହ ଆଦି ଶୁଭ କାର୍ଯ୍ୟରେ ଚାରିକୋଣିଆ କୋଠି ଭିତରେ ବର, କନିଆ, ପାଲିଙ୍କି, ସବାରୀ, ମୁକୁଟ, କଜଳପାତୀ, ଗୁଆକାତି, ଗହଣା, ଶଙ୍ଖ, ଛତ୍ର, ପଦ୍ମ, କଳସ ଆଦି ଚିତ୍ର ଏକ ଧଳା ପଟ୍ଟଭୂମି ଉପରେ ଢେଉ କିମ୍ବା ଗେରୁ ମାଟିରୁ ପ୍ରସ୍ତୁତ ରଙ୍ଗରେ ଅଙ୍କାଯାଏ । ଆଗରୁ ପ୍ରାୟ କିଆ ଚେରକୁ ଛେଚି ତୁଳୀ ପରି ବ୍ୟବହାର କରି ଏହା ଅଙ୍କାଯାଉଥିଲା । ମୁଁ ଦେଖିଲାବେଳକୁ କିନ୍ତୁ ବାଉଁଶ, କରଞ୍ଜ, ଖଜୁରୀ ଆଦି ଗଛର ସରୁ ଡାଳକୁ ଛେଚି ଧଳା ପଟ୍ଟଭୂମି ଉପରେ ନାଲି ଅଳତାରେ ଏସବୁ ଅଙ୍କାଯାଉଥିଲା । ସେଥିଭିତରେ ପ୍ରାୟତଃ ଶୁଆ, ସାରୀ, ବଣି, କଳସ, କଦଳୀଗଛ ଆଦି ମଧ୍ୟ ଅଙ୍କାଯାଇଥାଆନ୍ତି ।
ବିଭିନ୍ନ ଅବସରରେ ଯେମିତି ସ୍ୱତନ୍ତ୍ର ଚିତା ପଡିବାର ପରମ୍ପରା ରହିଥିଲା, ଠିକ୍ ସେମିତି ବିଭିନ୍ନ ଅଞ୍ଚଳର ଚିତାର ମଧ୍ୟ ସ୍ୱତନ୍ତ୍ରତା ରହିଥିଲା । ସେ ଅଞ୍ଚଳର ଲୋକସଂସ୍କୃତି ସହ ତାଙ୍କ ଚିତ୍ରର ମଧ୍ୟ ସମ୍ପର୍କ ରହିଥିଲା । ଏବେ କିନ୍ତୁ ସେସବୁ ନାହିଁ । ଇଣ୍ଟରନେଟ୍ ରୁ ଡିଜାଇନ୍ ବା ପ୍ୟାଟର୍ଣ୍ଣ ଦେଖି ଅଙ୍କାଯାଉଛି ଚିତା । ତେଣୁ ସବୁ ଚିତ୍ର ଏକା ଲାଗୁଛି । ମେହେନ୍ଦୀ ଡିଜାଇନ୍ ପରି ଦିଶୁଛି । ଆପଣାର ଲାଗିପାରୁନି । କମ୍ପିଟିସନ୍ ରେ ହେଉଥିବା ଚିତା ଦେଖିଲେ ୟୁଟ୍ୟୁବ୍ ଭିଡିଓରେ ପ୍ୟାଟର୍ଣ୍ଣ ସବୁ ଦେଖିବା ପରି ଲାଗୁଛି । ତେବେ ସମସ୍ତେ ଯଦି ନିଜ ଅଂଚଳର ସ୍ୱତନ୍ତ୍ର ଶୈଳୀ ବିଷୟରେ କଥା ହୁଅନ୍ତେ, ତେବେ ଚିତା ବିଷୟରେ ଆହୁରି ଅନେକ କଥା ଜାଣି ହୁଅନ୍ତା ।
ଚିତା କେବଳ ଗାଁ ଗହଳିର ଘର କାନ୍ଥରେ ନଥିଲା, ଥିଲା ବି ଆମ ସାହିତ୍ୟରେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଭଦ୍ରା ପରିଣୟରେ ବିବାହ ବେଦୀର ଚିତା ସମ୍ପର୍କରେ ଲେଖିଛନ୍ତି,
‘ଶୋଭାରେ ନବତନ ମୋତି ଚୂନଚୂର୍ଣ୍ଣ
ସୁଧାଲେପନ ନିକର କରେ ବିଲେପନ ଯେ ।’
ପଲ୍ଲୀକବି ନନ୍ଦକିଶୋର ବଳ ପଲ୍ଲୀଚିତ୍ର ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି,
‘ବଡଘର କୁମାରୀ ଦୁହିତା
ଦାଣ୍ଡକାନ୍ଥେ ଲେଖିଛନ୍ତି ଚିତା
ପଦ୍ମବଂଧ, ନାଗବଂଧ - ଆଦି କେତେ ଚିତ୍ରବଂଧ
ଅନ୍ତର୍ଲିପି, ବହିର୍ଲିପି, ଗୋମୂତ୍ରାଦି ଛନ୍ଦ...’
ଡକ୍ଟର କୁଞ୍ଜବିହାରୀ ଦାଶ ଗାଁର ଘରେ ଘରେ ମାର୍ଗଶୀର ଝୋଟିକୁ ନେଇ ଲେଖିଛନ୍ତି,
‘ପଲ୍ଲୀବଧୂର ହୁଳୁହୁଳି ନାଦେ ପୂରିଲାଣି ଶତ ସରଣୀ
ପିଠଉର ଛେରା ଛାଟି ଧାନଚିତ୍ର ରଚଇ ଘରଣୀ
ମାଆ ପାଦଚିତା ସଦନେ ସଦନେ
କ୍ଷେତଖଳା ମେଢ଼ି ବଦନେ ବଦନେ
ରଜତ ତୂଳୀରେ ବୋଇତର ଛବି ସ୍ମରି ଲେଖେ କେଉଁ ରମଣୀ
ଧାନଗଦା ଚେଳେ ଆବରି ଦୀନତା ହସେ ଉତ୍କଳ ଅବନୀ ।’
କବି ରାଧାମୋହନ ଗଡ଼ନାୟକଙ୍କର ସ୍ୱାଗତ ଲକ୍ଷ୍ମୀ ପଉଷ କବିତାରେ ଲେଖା ଅଛି,
‘ପିଠଉର ଝୋଟି ମେଢ଼ିପାଶେ ଲେଖି ସରସର
ପଲ୍ଲୀ ଘରଣୀ ଲକ୍ଷ୍ମୀ ପୂଜଇ ହରଷେ ।