
ମେଘାତୁର ମୋ ଆଖିରେ
ତୁମେ ଛିନା ଛିନା ଭସାବାଦଲ
ଆକାଶ ଛାତିରୁ ଓହ୍ଲେଇ ଆସି ଖୁବ
ବର୍ଷି ଯାଅ, ଉନ୍ମତ୍ତ ସତେ ଅବା
ତୁମର ପ୍ରତି ସ୍ପର୍ଶରେ ଶିହରଣ ପ୍ରତି ସ୍ପର୍ଶରେ କମ୍ପନ ।
ଏ କି ନିଶା ଗୋ !
ନା ତୁମେ ବୁଝ ନା ମୁଁ
କେତେ ନିରୀହ ଏ ପ୍ରେମ ସତେ
କେବେ ନିଶା ପରି ଘାରେ
ଉଠେଇ ପକେଇ କଚାଡେ
ବାଟ ଭୁଲାଏ
କହ ଏ ପ୍ରେମ ନୁହେଁ ତ ଆଉ କ'ଣ !
ତୁମେ ଯେତେ ବିସ୍ତରି ଯାଅ
ମୁଁ ସେତେ ତୁମ ଦେହରେ ଗୁଡେଇ ହୁଏ
କହ ତ ମୋର ଭଲା ଅସ୍ତିତ୍ଵ କାଇଁ ତୁମ ବିନା
କେବେ ଯଦି ଉଡେଇ ନିଅନ୍ତ
ତୁମ ରାଇଜକୁ
ରହି ଯାଆନ୍ତି ଚିର ବନ୍ଦିନୀ ହୋଇ, ତୁମର ।
ଆଃ ସ୍ଵପ୍ନ ଯାହା ଖାଲି ସ୍ଵପ୍ନ ହୋଇ ରହିଯାଏ
କହିହୁଏନା
ଘୁଡ ଘୁଡ ମେଘର ଡମ୍ବରୁ ବାଜିଲେ
ମନ ଉଚ୍ଛନ୍ନ ହୁଏ, ଝୁରିମରେ
ତୁମେ ଯାହା ବୁଝନା ଜମା !