ଜଙ୍ଗଲରେ ନାମକରଣ ଉତ୍ସବ

ସାହିତ୍ୟ କେବଳ ବଡଙ୍କ ପାଇଁ ନୁହେଁ, ଏହା ପିଲାଙ୍କ ଲାଗି ମଧ୍ୟ । ସେହି ଭାବନାରୁ "ପିଲାଙ୍କ ପାଇଁ" ସ୍ତମ୍ଭର ପରିକଳ୍ପନା । ଏଥିରେ ପିଲାଙ୍କ ପାଇଁ ଓ ପିଲାଙ୍କ ବିଷୟରେ ଲେଖା ସ୍ଥାନିତ ହେଉଛି ।


ଚିତ୍ର - ଚିନ୍ମୟୀ ପଣ୍ଡା

ଗୋଟେ ଜଙ୍ଗଲ ଥିଲା । ସେ ଜଙ୍ଗଲରେ ଅନେକ ପଶୁପକ୍ଷୀଙ୍କ ବସବାସ ଥିଲା । ବିଲୁଆ, ଗଧିଆ, କୋକିଶିଆଳ, ହେଟାବାଘ ଏମାନେ ଗୋଟିଏ ଶ୍ରେଣୀର । ସମସ୍ତେ ଦୁର୍ଦ୍ଦାନ୍ତ ଆଉ ଲଢୁଆ । ତାଙ୍କ ଭିତରୁ ବିଲୁଆ ଟିକିଏ ଶାନ୍ତ ଓ ବିବେକବୋଧ ଥିବା ଭଳି ଜଣାପଡେ । ଠେକୁଆ, କଇଁଛ, ନେଉଳ ଆଦି ଏକା ଆକାରର । ତେବେ, ହରିଣ, କୁଟୁରା ଓ ନୀଳଗାଈ ଏମାନେ ଏକାଠି ରହନ୍ତି । ଆଉ ବଡ ବଡ ପଶୁମାନଙ୍କ ଅଲଗା ଦୁନିଆ । ସେମାନେ ନିଜ ନିଜ ଦୁନିଆରେ ଥାଆନ୍ତି । ତାଙ୍କ ଦୁନିଆ ମଧ୍ୟରେ କାହାର ପ୍ରବେଶ ନାଇଁ । ଯଦି କେହି ଭୁଲରେ ଚାଲିଯାଏ ସେ ଆଉ ଫେରେନି ।

ମାଙ୍କଡମାନେ କିନ୍ତୁ ଭାରି ଦୁଷ୍ଟ ହୁଅନ୍ତି । ଦିନସାରା ଏଇଠୁ ସେଇଠି, ସେଇଠୁ ଏଇଠି, ଖାଲି ଖପ୍ ଖାପ୍ ଡିଆଁ । କୁନି ଛୋଟ ମାଙ୍କଡଟିଏ ଥାଏ । ତା’ ମା ତାକୁ ବାଘ ଓ ସିଂହର ଅଞ୍ଚଳ ଦେଖାଇ ତାଗିଦ୍ କରିଥାଏ ନ ଯିବା ପାଇଁ । ବାସ୍ ସେତିକି ଛାଡି, ସେ ଜଙ୍ଗଲ ସାରା ଘୂରି ବୁଲୁଥାଏ । ସବୁ ନୂଆ ଜିନିଷ ଦେଖିବାରେ ସେ ଖୁସି । ଯାହା ତାକୁ ନୂଆ ଲାଗେ, ଚାଲିଲା ସେଥିରେ ଗବେଷଣା କରିବା ପାଇଁ । ପୋକ ଜୋକଠାରୁ ଫୁଲ ଫଳ ସବୁ କଥା ସେ ଜାଣିବା ଦରକାର ।

ଥରେ କୋଉଠୁ କେଜାଣି ଓଟ ପକ୍ଷୀ ଗୋଟିଏ ସେ ଜଙ୍ଗଲରେ ଆସି ପହଞ୍ଚିଲା । କେହି ଜାଣିବା ଆଗରୁ ଏଇ କୁନି ମାଙ୍କଡ଼ଟି ଦେଖି ସାରିଥାଏ । ଗଛରେ ଝୁଲି ଝୁଲି ପଚାରିଲା ?

ତମେ କିଏ ?

କୋଉଠୁ ଆସିଛ ?

ତମ ସାଥିରେ ଆଉ କିଏ ଅଛି ?

ଓଟ ପକ୍ଷୀଟି ବହୁତ ଭଲ ଥିଲା । ମାଙ୍କଡ଼କୁ ଗେଲ କରି କହିଲା, ‘ନା’ ରେ ପୁଅ । ଏମିତି ବୁଲି ବୁଲି ରାସ୍ତା ପାଶୋରି ଗଲି । ଦେଖେ ତ‘ ଏଇ ଜଙ୍ଗଲରେ ଆସି ପହଁଞ୍ଚିଛି । ତୁ କେଡେ କୁନିଟିଏ । ତୋ ନାଁ କଣ ?’

ମାଙ୍କଡ଼ ଦାନ୍ତ ଦେଖେଇ ମୁଣ୍ଡ କୁଣ୍ଡେଇ ହେଲା ।

ଆଃ ! କହୁନୁ ତୋ ନାଁ କଣ ?

ପୁଣି ମାଙ୍କଡ଼ ଡିଆଁ ଡେଇଁ କରି ବାୟା ଭଳି ହେଲା ।

ଆରେ ଲାଜ କଣ ?

ଭାବିଥିଲି ଚାଲାକ ଚତୁର ପିଲା । ହେଲେ ତୁ ତ ଲାଜ କରୁଛୁ । କହିଲା ଓଟ ପକ୍ଷୀ ।

ମାଙ୍କଡ ଖେଁ ଖେଁ ହସି ହସି ତା ବାଟରେ ଚାଲିଗଲା । କାରଣ ସେ ବୁଝିପାରିଲାନି ନାଁ ବୋଲି ଯୋଉ ଜିନିଷ ସେଇଟା ପୁଣି କ’ଣ ?

ସେ ଜଙ୍ଗଲ ସାରା କହି କହି ଗଲା -

ହେ....ତମ ନାଁ କ’ଣ ?

ହେ......ତମ ନାଁ କ’ଣ ?

ଯିଏ ଶୁଣିଲା କହିଲା, ’ନାଁ ! ସେ ପୁଣି କ’ଣ ?'

ପାଗଳ ମାଙ୍କଡ ଛୁଆ କ’ଣ ଗୋଟେ ଶୁଣିଛି ବୋଧେ ।

ମାଙ୍କଡ କହିଲା, ”ନା’ ମ....ଗୋଟେ ବଡ ପକ୍ଷୀ ମତେ ପଚାରିଲା, ମୋ ନାଁ କ’ଣ । ଆଉ ମୁଁ କିଛି କହିପାରିଲିନି ।”

‘କ’ଣ ପକ୍ଷୀ ? ସେ ବି ତୋ ଠୁ ବଡ ?' କହିଲା ବିଲୁଆ ।

ବିଲୁଆର ପୂରା ଦଳ ଶୁଣିଲେ କଥା ।

ବଡ ପକ୍ଷୀ ?

‘ନାଁ’

କଣ ଏସବୁ ?

ପୁଣି ଶୁଣିଲେ ଠେକୁଆ କଇଁଛ ଆଦି ।

ଓଟ ପକ୍ଷୀ ଯାଇ ଗୋଟେ ଗଛତଳେ ଆରାମ କରୁଥିଲା ।

ତା ଛୁଆଟି ମା'ର ଆଖି ବନ୍ଦ ଥିବା ଦେଖି ଜଙ୍ଗଲ ସାରା ବୁଲୁଥିଲା ।

ପଶୁମାନେ ଦେଖିଲେ, ସତରେ ଗୋଟିଏ ବଡ ପକ୍ଷୀ ।

ମାଙ୍କଡ କହିଲା - ‘ମୁଁ ୟା ଠୁ ବଡ ଦେଖିଚି ।‘

ଛୁଆକୁ ଖୋଜି ଖୋଜି ନିଜେ ଓଟ ପକ୍ଷୀ ଆସି ପହଞ୍ଚିଲା ସେଠି ।

ସମସ୍ତେ ତାକୁ ଦେଖି ଆଖି ବଡବଡ କରି ଚାହିଁଲେ ।

‘ତମେ କେତେ ବଡ ।‘

‘ତମ ଗୋଡ କେତେ ଲମ୍ବା ।‘

‘ତମ ଆଖି କେତେ ସୁନ୍ଦର ।‘

ଓଟ ପକ୍ଷୀ ଖୁସିହେଲା ।

‘ହଉ ହଉ ହେଲା । ମୋ ନାଁ ଅଷ୍ଟି ।‘

‘ମୋ ବେବି ର ନାଁ ମିଷ୍ଟି ।‘

'ଏବେ ତୁମ ନାଁ ସବୁ କୁହ ।‘ କହିଲା ଓଟ ପକ୍ଷୀ ।

‘ନାଁ.....ସେ ପୁଣି କ’ଣ ଗୋଟେ ।‘ କହିଲେ ସମସ୍ତେ ।

‘ହେଁ, ତମ ନାଁ ନାଇଁ ?’

‘ଉଁହୁଁ’

‘ନାଁ ନଥିବା ଜୀବନ କ’ଣ ଗୋଟିଏ ଜୀବନ ?’

ସମସ୍ତଙ୍କ ମୁହଁ ଶୁଖିଗଲା । କ’ଣ କରିବା ? ନାଁ କୋଉଠୁ ଆଣିବା ?

ଭାଳେଣି ପଡିଲା ।

‘ହେ ଶୁଣ ନା !! ତମେ କୋଉଠୁ ନାଁ ଆଣିଲ ? କୁହ ଆମକୁ ଥରେ’ ସମସ୍ତେ କହିଲେ ଓଟପକ୍ଷୀକୁ ।

ମତେ ମୋ ମା ନାଁ ଦେଲା । ମୁଁ ମୋ ଛୁଆକୁ । ନାଁ ଏମିତି ଦିଆଯାଏ ବୁଦ୍ଦୁ ।

‘ଓ.....’ ମୁଣ୍ଡ ହଲେଇ କହିଲେ ସମସ୍ତେ ।

‘ଆଚ୍ଛା ଏବେ ସମସ୍ତେ ନିଜ ନିଜ ଛୁଆକୁ ନାଁ ଦିଅ । ଖୋଜିବ, ଭାବିବ ଆଉ ଯାହା ତମକୁ ସବୁଠୁ ଭଲ ଲାଗିବ ସେଇ ନାଁରେ ଡାକିବ ନିଜ ଛୁଆକୁ ।‘

ହରିଣ କହିଲା, ‘ଆଉ ବଡମାନଙ୍କ ନାଁ ?’

ହଁ ହଁ ଭାବିବା । ଆଉ ରଖିବା । ପ୍ରଥମେ ଛୁଆଙ୍କର ହଉ ।

ସେହି ଦିନଠୁ ସେ ଜଙ୍ଗଲରେ ବି, ପଶୁପକ୍ଷୀଙ୍କ ନାଁ ରଖିବା ଉତ୍ସବ ଆରମ୍ଭ ହେଲା ।

Report an Error