ଜଣେ ଅଭିନେତାଙ୍କ ଆତ୍ମହତ୍ୟାର ଅନ୍ତରାଳରେ ...

ଗୋଟିଏ ଜୀବନ୍ତ ଖବର ମରିଗଲା । ଗୋଟିଏ ମୃତ୍ୟୁର ଖବର ଦୌଡ଼ିଲା । ଦୌଡ଼ିଲା ମରିପଡ଼ିଥିବା ଶବ ନିକଟକୁ । ଦୌଡ଼ିଲା ଶୋକସନ୍ତପ୍ତ ପରିବାର ନିକଟକୁ । ଏ ଖବର ଦୌଡରେ ମାନବୀୟ ସମବେଦନା ଓ ସଂବେଦନା ବି ମରିଗଲା । ଗୋଟେ କଳାକାରକୁ ବୁଝିବା ଓ ତାର ଅସହାୟତାକୁ ଦେଖିବାର ମାନବିକତା ମଧ୍ୟ ମରିଗଲା ।


‘ଆମେ ଚଳଚ୍ଚିତ୍ର, ନାଟ୍ୟ ଜଗତର ମଣିଷମାନେ ପ୍ରାୟ ସବୁବେଳେ ଗୋଟେ ଅସୁରକ୍ଷିତ ଅବସ୍ଥାରେ ରହୁ । ଆଜି ଯାହା ପାଖରେ ଲକ୍ଷେ ଟଙ୍କା କାଲି ତାଙ୍କ ହାତ ଖାଲି । ଆଜି ଯିଏ ଖ୍ୟାତିର ଶୀର୍ଷରେ, କାଲି ତାଙ୍କୁ କେହି ଚିହ୍ନୁ ନାହାଁନ୍ତି । ଇମୋସନଲ, ଫାଇନାନ୍‌ସିଆଲ, କ୍ୟାରିଅର... ରାଇଭାଇଙ୍କ ଆତ୍ମହତ୍ୟା ମତେ ଗୋଟେ ପ୍ରଶ୍ନ ସାମ୍ନାରେ ଠିଆ କରୁଛି ଯେ ମଣିଷ କୋଉ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନିଏ ? କୌଣସି ପରିସ୍ଥିତି ବି କଣ ଏତେ ଭୟଙ୍କର ହେଇପାରେ ଯେ ଜଣେ ଏମିତି ନିଷ୍ପତ୍ତି ନବ ?

ଯେତେବେଳେ ଆମମାନଙ୍କ ଭିତରେ କେହି ବି ଏଭଳି ମାନସିକ ସ୍ଥିତିରେ ପହଞ୍ଚି ଯାଉ ସେ ସମୟରେ ଆମକୁ ବଞ୍ଚେଇବାର ରାସ୍ତା କଣ ? ମତେ ଲାଗୁଛି ଅନ୍ୟ ସମସ୍ତ ପ୍ରଫେସନ ଅପେକ୍ଷା ଆମ ପ୍ରଫେସନରେ କାଉନସେଲିଂ ଖୁବ ବେଶୀ ଜରୁରୀ । ହେଲେ ନା ଆମେ କାଉନସେଲିଂ କଥା ଚିନ୍ତା କରୁ ନା ଆମ ପାଇଁ ସେଭଳି କିଛି ବ୍ୟବସ୍ଥା ଅଛି ।

ଆମେ ସମସ୍ତେ ଗୋଟେ ଗୋଟେ ନିର୍ଜନ ଦ୍ୱୀପ ଭଳି ବାସ କରୁଛୁ । ବିଚ୍ଛିନ୍ନ ।

ଆମେ କଣ ପରସ୍ପରର ପାଖରେ ଠିଆ ହେଇ ପାରିବା ? ଆମେ କଣ ପରସ୍ପରକୁ ଲକ୍ଷ୍ୟ କରୁ ? ବୁଝିବାକୁ ଚେଷ୍ଟା କରୁ ପରସ୍ପରର ଅବସ୍ଥା ? ନିଜ ମନ କଥା କଣ ଆମେ ସେୟାର କରି ପାରିବା ? ଶୁଣି ପାରିବା ଅନ୍ୟର ମନ କଥା ? ଏଭଳି ପରିସ୍ଥିତିକୁ ଏଡ଼େଇ ହବ କି ? ପ୍ଲିଜ

ଉପରୋକ୍ତ ପ୍ରଶ୍ନ (କ୍ଷୋଭ କୁହାଯାଇପାରେ) ବିଶିଷ୍ଟ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତ୍ରୀ, କବି ଓ କଥାକାର ଭାସ୍ୱତୀ ବସୁଙ୍କ । କ୍ଷୋଭ ସ୍ପଷ୍ଟ । ପ୍ରଶ୍ନର ଉତ୍ତର ନାହିଁ । କାହା ପାଖରେ ବି । ଏହା ହିଁ ସତ । ବଦଳି ଚାଲିଛି ସମାଜ ।

ଗତକାଲିର କଥା ନିଅନ୍ତୁ । ଅର୍ଥାତ୍ ୨୪ ଜୁନ୍ ୨୦୨୨ । ସାରା ଦେଶର ଗଣମାଧ୍ୟମ ସମେତ ଆମ ଆଞ୍ଚଳିକ ଗଣମାଧ୍ୟମରେ ଛାଇ ରହିଥିଲେ ଦ୍ରୌପଦୀ ମୁର୍ମୁ । ଜଣେ ସାନ୍ତାଳୀ ସମ୍ପ୍ରଦାୟର ସାଧାରଣ କିରାଣି ଚାକିରିରୁ ଜୀବନ ଆରମ୍ଭ କରିଥିବା ସରଳ ଦ୍ରୌପଦୀ ମୁର୍ମୁ ସାଧାରଣ ଜୀବନରୁ ଅସାଧାରଣ ହୋଇ ସାରିଥିଲେ । ଆଜି ସେ ଦେଶର ସର୍ବୋଚ୍ଚ ପଦବୀ (ରାଷ୍ଟ୍ରପତି) ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବକ ।

ଓଡ଼ିଶାର ସମସ୍ତ ଗଣମାଧ୍ୟମ ପ୍ରତି ମୁହୂର୍ତ୍ତର ଖବର ପ୍ରସାରଣ କରୁଛି । ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ସରିଗଲା । ସରିନାହିଁ ଖବର । ସାରା ଓଡ଼ିଶାବାସୀଙ୍କ ପାଇଁ ଏହି ଗର୍ବର ମୁହୂର୍ତ୍ତକୁ ଟେଲିଭିଜନ୍ ପରଦାରେ ଦେଖାଇବାର ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ଶିଥିଳତା ଆସିନି କି ଆସିଗଲା ଆଉ ଏକ ଦାରୁଣ ଖବର ।

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା !

ଆତ୍ମହତ୍ୟା !

ହଁ । ଆତ୍ମହତ୍ୟା । ଅବିଶ୍ୱାସ ଲାଗୁଥିଲେ ବି ସତ ।

ଗୋଟିଏ ଜୀବନ୍ତ ଖବର ମରିଗଲା । ଗୋଟିଏ ମୃତ୍ୟୁର ଖବର ଦୌଡ଼ିଲା । ଦୌଡ଼ିଲା ମରିପଡ଼ିଥିବା ଶବ ନିକଟକୁ । ଦୌଡ଼ିଲା ଶୋକସନ୍ତପ୍ତ ପରିବାର ନିକଟକୁ । ବାଇଟ୍ ଦରକାର, ଭିଜୁଆଲ ଦରକାର । ତାଜା । ଖୋଜା ପଡ଼ିଲା କିଏ ଅଧିକରୁ ଅଧିକ ଶୁଣାଇବା ରାଇମୋହନଙ୍କ ବିଷୟରେ । ଯୋଗାଡ଼ ହେଲା ସେମାନଙ୍କ ଫୋନ୍ ନମ୍ବର । ଫୋନ ନିଆଯିବ ।

କିଏ କାନ୍ଦିବେ, କିଏ ଭଲ କହିବେ, କିଏ ବେଶୀ କହିବେ ଆରମ୍ଭ ହେଲା ଯୋଗାଡ଼ । ଜୀବନକୁ ବଳିଗଲା ମୃତ୍ୟୁ । ଆମେ ସତରେ କ’ଣ କେବେ ବି ଜୀବନକୁ ଗୁରୁ୍‌ତ୍ୱ ଦେବାନି ?

ଯକ୍ଷ ପ୍ରଶ୍ନ ।

ଆତ୍ମହତ୍ୟା କରିଥିବା ଲୋକଙ୍କୁ ନେଇ ସବୁବେଳେ ଆଖପାଖ ଲୋକ କୁହନ୍ତି ଯେ 'ସେ ସେମିତି ନଥିଲା’ ।

ସେ ଦୁର୍ବଳ ନୁହଁ ଯେ ଆତ୍ମହତ୍ୟା କରିବ ।

ସେ ଖୁବ ଷ୍ଟ୍ରଙ୍ଗ ଥିଲା ଆତ୍ମହତ୍ୟା କରିବନି କେବେ ବି ।

ଆରେ ଲୋକଟା ସବୁବେଳେ ହସେ ସେ ଏମିତି କରିବ ମୁଁ ଭାବି ପାରୁନି । "ମୁଁ ବିଶ୍ୱାସ କରିପାରୁନି" ଇତ୍ୟାଦି..

କିନ୍ତୁ ମୋ ବ୍ୟକ୍ତିଗତ ମତ ହେଉଛି ମଣିଷର ଷ୍ଟ୍ରଙ୍ଗ ହେବାକୁ ପ୍ରୟାସ ବା ଚେଷ୍ଟା ହିଁ ତାକୁ ଏମିତି କରିବାକୁ ବାଧ୍ୟ କରେ । କାରଣ, ନିଜକୁ ଶକ୍ତିଶାଳୀ ବୋଲି ଅନ୍ୟମାନଙ୍କ ସାମ୍ନାରେ ଦେଖାଉଥିବା ମଣିଷଗୁଡ଼ାକ କାହାକୁ ନିଜ ମନର କ୍ଷୋଭ କହି ପାରନ୍ତି ନାହିଁ । ନିଜ ଭିତରେ ସବୁ କଷ୍ଟକୁ ଲୁଚାଇ ଲୋକଙ୍କ ସାମ୍ନାରେ ଖୁସି ରହିବାର ଅଭିନୟ କରୁଥାନ୍ତି । ଲୋକମାନେ କାଳେ କଣ ଭାବିବେ, କାଳେ କିଛି କହିଦେବେ କି ? କାଳେ ସେମାନଙ୍କ ସମସ୍ୟା ପାଇଁ କେହି ସେମାନଙ୍କୁ ହେୟଜ୍ଞାନ କରି ବସିବ, ହୁଏତ କେହି ଦୁର୍ବଳ ଭାବି ବସିବ ତେଣୁ କାହା ସାମ୍ନାରେ କାନ୍ଦି ବି ପାରନ୍ତିନି । ନିଜକୁ କାହା ଆଗରେ ଫିଟାଇ ପାରନ୍ତିନି । କ୍ରମଶଃ ନିଜକୁ ଆହୁରି ଜଟିଳ କରି ଚାଲନ୍ତି । ନିଜ ଇମେଜକୁ ବଞ୍ଚେଇବାକୁ ସବୁ କଷ୍ଟକୁ ପାଣି ଭଳି ପିଇ ଯାଆନ୍ତି । ତକିଆ ଉପରେ ଲୁହ ନିଗାଡ଼ନ୍ତି । ରାତି ରାତି ଅନିଦ୍ରା ହେଲେ ସାଙ୍ଗସାଥି, ପରିବାର ଗହଣରେ କେବେ ବି ନିଜ ଦୁଃଖ ପ୍ରକାଶ କରିପାରନ୍ତିନି କି ଦେଖାଇ ପାରନ୍ତିନି । ଆଉ ଶେଷରେ ?

ଆତ୍ମହତ୍ୟା !!!

ହଁ ଆଜ୍ଞା ଜୀବନକୁ ଖୁବ ଭଲ ପାଉଥିବା ଲୋକଗୁଡ଼ାକ ହିଁ ଆତ୍ମହତ୍ୟା କରି ଦିଅନ୍ତି । ତେଣୁ ଯଦି କେହି ଆପଣଙ୍କ ସାମ୍ନାରେ ନିଜ ଭାବନାକୁ ଖୋଲି ରଖିବାକୁ ଚେଷ୍ଟା କରି, କେବେ ଲୁହ ଝରାଏ କି ନିଜ ବାବଦରେ କିଛି କୁହେ ତେବେ ଟିକେ ଚୁପଚାପ ଶୁଣନ୍ତୁ । କାନ୍ଦିବାବେଳେ ନିଜ କାନ୍ଧ ଦିଅନ୍ତୁ ହୁଏତ ଆପଣଙ୍କ ପାଇଁ କାହା ଜୀବନ ବଞ୍ଚି ଯାଇପାରେ...

ଉପରୋକ୍ତ ଆଲେଖ ଶ୍ରୀମା ଶତପଥୀଙ୍କର । ଜଣେ ଉଦୀୟମାନ ମଞ୍ଚ ଅଭିନେତ୍ରୀ, କବି, ଗାଳ୍ପିକା ଓ ସାମ୍ବାଦିକା । ନିରାଟ ସତକଥା ଲେଖିଛନ୍ତି ସେ । ଜୀବନକୁ ଭଲ ପାଉଥିବା ଲୋକମାନେ ହିଁ ଆତ୍ମହତ୍ୟା କରିଥାନ୍ତି । କାନ୍ଦିବାବେଳେ କିଏ ସତରେ କାନ୍ଧ ଦିଏ ? ଏଠିତ କାନ୍ଦିବା କଥା କହିଲେ ପୁରୁଷ ପାଇଁ ସତେ ଯେପରି ଅଭିଶାପ ଓ ଲଜ୍ଜାଜନକ କଥା । ପୁରୁଷଟିଏ କାନ୍ଦି ପାରେନା । ପ୍ରେମରେ, କି ସଂଘର୍ଷରେ । ଜୀବନରେ ହାରିଗଲେ କି ଜିତିଗଲେ । ଜୀବନରେ ହାରିବା ଓ ଜିତିବା ଅଲଗା କଥା । କିନ୍ତୁ କାନ୍ଦିପାରେ ନା ଏକଥା ସତ ।

ନିକଟରେ ଅନ୍ୟଜଣେ ଟେଲି ଅଭିନେତ୍ରୀ ତ୍ରିକୋଣୀୟ ପ୍ରେମରେ ହେଉ କି ପ୍ରେମଜନିତ କାରଣରୁ ଆତ୍ମହତ୍ୟା କରିଛନ୍ତି । ପୋଲିସ୍ ପ୍ରକୃତ ଅପରାଧୀକୁ ଖୋଜୁଛି । ଖୋଜୁଛି ଆତ୍ମହତ୍ୟା କରିବାର ପ୍ରକୃତ କାରଣକୁ । ଖୋଜୁଛି ଦୋଷୀକୁ ।

ଏଇ ମାସ ଆରମ୍ଭରୁ ବଙ୍ଗଳା ଟେଲିଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା । କ୍ରମାଗତ ଭାବେ ତିନି ତିନିଜଣ ବଙ୍ଗଳା ଅଭିନେତ୍ରୀ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ।

ପ୍ରଥମରେ ଅଭିନେତ୍ରୀ ପଲ୍ଲବୀ ଦେ । ପଲ୍ଲବୀ ଦେ’ଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ଅଭିନେତ୍ରୀ ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ କି ସେ ବୋକା ଥିଲା; ଆତ୍ମହତ୍ୟାର ପଥ ବାଛି ନେଲା । ମୋ ସହ ଏପରି କୌଣସି ପରିସ୍ଥିତି ଘଟିଲେ ବି ମୁଁ ସେପରି ପଥ ଚୟନ କରିିବି ନାହିଁ ।

ଦୁଃଖର କଥା ଏପରି ପୋଷ୍ଟ କରିବାର ମାତ୍ର ଦଶଦିନ ପରେ ସେ ମଧ୍ୟ ସମାନ ପଥ ବାଛିନେଲେ । ଶେଷ କରି ଦେଇଥିଲେ ନିଜ ଜୀବନକୁ । ଆଉ ତାଙ୍କ ମୃତ୍ୟୁର ଦୁଇଦିନ ପରେ ଆଉ ଦୁଇଜଣ ଅଭିନେତ୍ରୀ ।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମେ’ଶେଷ ଓ ଜୁନ୍ ଆରମ୍ଭ ମଧ୍ୟରେ ବଙ୍ଗଳା ଟେଲି ଜଗତର ଦୁଇଜଣ ଉଦୀୟମାନ ଅଭିନେତ୍ରୀ ଓ ଜଣେ ମଡେଲ୍ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ।

କାରଣ ଥିଲା ଗଭୀର ଅବସାଦ ।

ସିନେ ଦୁନିଆର ଚମକଦମକ ଓ ତା ତଳେ ଥିବା ସଂଘର୍ଷ ମୁଖ୍ୟତଃ ଦାୟୀ । ସତରେ ଏଠି ସଫଳତା ହଜମ କରିହୁଏନି କି ଅସଫଳତା ସହି ହୁଏନି । ଏକାଧିକ ମାମଲାରେ ପ୍ରେମ ପ୍ରସଙ୍ଗ ମଧ୍ୟ ରହିଥାଏ । ପ୍ରେମ ଜୀବନକୁ ଭଲଭାବେ ବୁଝିବା ଶିଖାଉଥିବାବେଳେ ଅକାରଣେ ଆଜିକାଲି ଜୀବନ ନେଇଯାଉଛି । ପରିତାପର ବିଷୟ ।

ଅସଲ କଥା ହେଉଛି । ଅବସାଦ । ଆଉ ଏଇ ଅବସାଦକୁ ଖୋଲିକି ନ କହିବା । ଆଜିକାଲି ଆମେ ଆଉ ଖୋଲିକି କିଛି କହୁନେ । ରହି ଯାଉଛି ଆମ ଭିତରେ ଭିତରେ ଅନେକ କଥା ।

ହରାଉଛନ୍ତି ସମ୍ପର୍କ । ହରାଉଛନ୍ତି ଭାଇଚାରା । ବନ୍ଧୁତ୍ୱ ।

ମୋର ଜଣେ ଅତି ନିକଟତର ବନ୍ଧୁ । ବଡ଼ଭାଇ । ମୋ ସହ ମାସାଧିକ କାଳ ଭଲରେ କଥା ହୋଇ ନାହାନ୍ତି । ମୁଁ କେବଳ ଅଣନିଃଶ୍ୱାସୀ ହୋଇଗଲେ ଧାଇଁଯାଏ ତାଙ୍କ ପାଖକୁ । କଥା ହୁଏ । ଭଲଲାଗେ । ହେଲେ...ଆଜିକାଲି ବନ୍ଦ ହୋଇଯାଇଛି ସେ ସୁଯୋଗ । କଥା ହେବାରେ ନିଜକୁ ଖୋଲି ଦେବାରେ କାର୍ପଣ୍ୟ କାହିିଁକି ?

ଆତ୍ମହତ୍ୟା ଗମ୍ଭୀର ମନୋବୈଜ୍ଞାନିକ ଓ ସାମାଜିକ ସମସ୍ୟା । ସିନେ ଜଗତରେ ଟିକେ ଅଧିକ । ରାତାରାତି ସଫଳତା ପାଇବାର ଲୋଭ, ସଂଘର୍ଷ ଓ ପଳାୟନ । ବାହାରରୁ ଚମକ୍ ଦେଖାଯାଉଥିବା ଭିତର କିନ୍ତୁ ପଙ୍କ ଦଳଦଳ ଥାଏ । ସରଳ ତଥା କୋମଳ ହୃଦୟ ଏସବୁ ହଜମ କରିପାରେନି । ସହି ପାରେନି । ଯଦିଓ ପ୍ରତିଭାବାନଙ୍କ ପାଇଁ ଏଠାରେ କାମର ଅଭାବ ନଥାଏ; ହେଲେ ସବୁବେଳେ ପ୍ରତିଭାବାନଙ୍କୁ ଏଠି କାମ ମିଳେନି । ସର୍ଟକଟ ସଫଳତାର ମାର୍ଗ ହେବା ଉଚିତ ନୁହେଁ । କଠିନ ପରିଶ୍ରମ ସଫଳତାର ମାର୍ଗ ହେବା ଉଚିତ୍ ।

ରାଇଭାଇଙ୍କ କ୍ଷେତ୍ରରେ ଯଦିଓ ଏସବୁ କିଛି ନଥିଲା । ସେ ଏ ସମସ୍ତ ଚାପରୁ ବାହାରି ସଫଳତା ସାଉଁଟିଥିଲେ । ସଫଳତାର ଶୀର୍ଷରେ ପହଞ୍ଚି ସାରିଥିଲେ ।

କିନ୍ତୁ କେବେ ନା କେବେ ତ ମଣିଷ ହାରିଯାଏ । ହାରି ଯାଇଥାଏ । ରାଇଭାଇ ଏପରି କରିବା ଉଚିତ୍ ନଥିଲା । କଦାଚିତ୍‌......

ଆଜି ମୋର ମନେ ପଡ଼ନ୍ତି ମୋର ଜଣେ ଗୁରୁ ଶ୍ରୀ ଜଗନ୍ନାଥ ପହି । ନାମ ଅନୁରୂପ ସେ ଜଗନ୍ନାଥ ହିଁ ଥଲେ । ଥିଲେ ଜଗନ୍ନାଥଙ୍କ ଶରଣାଗତ । ଇଂରାଜୀରେ ଏମ.ଏ. । ଆମ ଗାଁ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଥିଲେ । ପ୍ରଭୁ ନାରାୟଣ ଅନୁଗାମୀ ଥିଲେ । ସୁନ୍ଦର କଣ୍ଠରେ ସେ ଶାନ୍ତାକାରଂ ଭୂଜଗ ଶୟନଂ... ଗାନ କରୁଥିଲେ । ପାଠ ସହ ଆଧ୍ୟାତ୍ମିକତାର ଖୁ୍‌ବ୍ ଉପଦେଶ ଦିଅନ୍ତି । ପ୍ରଭୁଙ୍କ ଶରଣ ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ । ଏପରି କହୁଥିଲେ । ଜୀବନକୁ ନେଇ ଖୁବ୍ ସରଳ ଥିଲେ । ଶାନ୍ତ ଥିଲେ । କେବେ ବି ସାମାନ୍ୟ ଉଚ୍ଚ ସ୍ୱର ମୁଁ କି ଆମେ କେହି ଶୁଣିନୁ ତାଙ୍କ ନିକଟରୁ । ସମ୍ପୂର୍ଣ୍ଣ ରୂପେ ଈଶ୍ୱର ସମର୍ପିତ ବ୍ୟକ୍ତିତ୍ୱ ଥିଲେ । ଉଚ୍ଚଶିକ୍ଷା ପରେ ଦିଲ୍ଲୀରେ ଚାକିରି କରୁଥିବାବେଳେ ଶୁଣିଲି କି ସେ ଆତ୍ମହତ୍ୟା କରି ଦେଇଛନ୍ତି । ଆଃ । କୋରି ହୋଇଗଲା ଛାତି । ଜଗନ୍ନାଥ ସାର । ପୁଣି ଆତ୍ମହତ୍ୟା । ଅବିଶ୍ୱସନୀୟ । ମାତ୍ର ସତ୍ୟ ।

ପୁଣି ଆସିିବି ଭାସ୍ୱତୀ ଓ ଶ୍ରୀମାଙ୍କ କଥାକୁ । ଉଭୟେ ମୋର ବନ୍ଧୁ । ଉଭୟେ ମୋର ଖୁବ୍ ନିକଟତର । ମାତ୍ର ଭେଟୁଛୁ ଆମେ ?? ଶେଷ ଦେଖା କେବେ ହୋଇଥିଲା ?

ତା’ ପୂର୍ବରୁ ଶେଷ ଦେଖା କେବେ ହୋଇଥିଲା ଯେବେ ଆମେ ପରସ୍ପରକୁ କୋଳାଗ୍ରତ କରିଛୁ । ପରସ୍ପରକୁ ନିକଟରୁ ଦେଖିଛୁ ? ପରସ୍ପରକୁ ବୁଝିବା ପାଇଁ କିଛି ସମୟ ପରସ୍ପରର ଆଖିକୁ ପଢ଼ିଛୁ ?

ଭାବିବାର ସମୟ ନିଶ୍ଚିତ.....

କେଜାଣି ବଞ୍ଚିଯିବ କେଉଁଠି ଆଉ ଏକ ଜୀବନ !......

Report an Error