ଜହ୍ନ ସୂରୁଜଙ୍କ କଥା

ପିଲାଙ୍କ ପାଇଁ ଗପ ଖାଲି ଗପ ହୋଇ ରହେନି । ସେ ତାଙ୍କ କଳ୍ପନା, ଭାବନା, ସୃଜନୀଶକ୍ତି ଓ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରେ । ତେଣୁ ପିଲାଙ୍କ ପାଇଁ ଏମିତି ସକାରାତ୍ମକ ଗପ ସବୁ କେବେ କେବେ ନିଜକୁ ହିଁ ଲେଖିବାକୁ ପଡ଼େ । କେବେ ପିଲାଙ୍କୁ ଖୁସି କରିବାକୁ ଅବା କୌତୁହଳକୁ ବଢେଇବାକୁ ।


ଚିତ୍ର - ସୁମିତ୍ରା ପାଢୀ

ଜହ୍ନ ରାଇଜଠୁ ଟିକେ ଦୂର ଖୁସି ରାଇଜରେ ଟିଟ’ର ଘର । ସେଠି ସେ ନିଜ ବାପାଙ୍କ ସହ ରହେ ।

ଟିଟର ହେତୁ ହେବା ଦିନଠୁଁ ସୂର୍ଯ୍ୟ ସହ ତା'ର ଆଉ ଭେଟ ହୋଇନି । ସେଦିନ ଜହ୍ନ ଆଲୁଅରେ ବାପାଙ୍କ ସହ ସାଙ୍ଗ ହୋଇ ନଈ କୂଳ ଆଡେ଼ ମାଛ ଧରିବାକୁ ଯାଇଥିଲା ଯେ, ଗୋଟିଏ ଅଦ୍ଭୁତ କଥା ଦେଖିଲା । ସୁନେଲି ରଙ୍ଗର ପୋଷାକ ପିନ୍ଧି, ସୂର୍ଯ୍ୟୋଦୟ ଆକାଶ ରଙ୍ଗର ଡେଣା ଲଗାଇ କୁନି ପରୀଟିଏ ଆସି ଚଟ୍ କରି ପାଣି ଭିତରକୁ ପଶିଗଲା । ତା’ ଦେହରୁ ବିଛାଡି ପଡୁଥାଏ ଅଜସ୍ର ଆଲୁଅର ଧାରା । ସତେ ଯେମିତି ସୂର୍ଯ୍ୟୋଦୟର ଆକାଶରୁ ମେଞ୍ଚାଏ ଆଲୁଅର ରଙ୍ଗ ଆଣି ତା' ଦେହରେ କିଏ ବୋଳି ଦେଇଛି । ତା’ ଆଲୁଅରେ ନଈ ପାଣିର ଉପରୁ ତଳ ମାଟି ଯାଏ ସବୁ ଜଳଜଳ ହୋଇ ଦିଶୁଥାଏ । ଆଉ ପାଣି ଭିତରେ ମାଛ, ଶାମୁକାମାନେ ଖିଲି ଖିଲି ହସି କୁନି ପରୀ ସହ ଖେଳୁଥା'ନ୍ତି ।

କୁନି ପରୀ ନଈରୁ ଉଠିବାବେଳକୁ ଟିଟ ତା’ ସାମ୍ନାକୁ ଡେଇଁପଡ଼ି ପଚାରିଲା, “ତୁମ ପାଖରେ ଏତେ ଆଲୁଅ କେଉଁଠୁ ଆସିଲା କହିଲ ? ବାପା କହୁଥିଲେ, ମୋ ଛୁଆବେଳେ ଯେବେ ସୂର୍ଯ୍ୟ ଆସୁଥିଲେ, ସେବେ ଏମିତି ଆଲୁଅ ଦିଶୁଥିଲା । ସେତେବେଳେ ଆମ ଘର ପୃଥିବୀରେ ଥିଲା ।”

ଟିଟର ପ୍ରଶ୍ନରୁ ତା’ ଭିତରେ ବିଭିନ୍ନ କଥା ଜାଣିବା ଲାଗି ଥିବା କୌତୁହଳର ଠାବ ପାଇ କୁନି ପରୀ ଖୁସି ହୋଇଗଲା । କହିଲା, “ଘରଟି ମୋର ସୂର୍ଯ୍ୟ ଦେଶରେ । ହେଲେ ଜହ୍ନ ଦେଶ ମୋର ସବୁଠୁ ପ୍ରିୟ ଜାଗା । ପିଲାବେଳେ ଜହ୍ନ ରାତିରେ ଏତେ ବୁଲିଛି ଯେ ଏବେ ଆଉ ତା’ ବିନା ରହିପାରୁନି ।”

କଥା ମଝିରୁ ଟିଟ ଅଟକାଇ ପଚାରିଲା; “ପିଲାବେଳେ ଯଦି ସବୁଦିନ ଜହ୍ନ ଆସୁଥିଲା, ସୂର୍ଯ୍ୟ ବି ଥିଲା ଏବେ କୁଆଡେ଼ ପଳେଇଲା ?”

କୁନି ପରୀ କହିଲା, “ସେ ବହୁତ ଦିନ ତଳର କଥା । ସେତେବେଳେ ଦୁହେଁ; ମାନେ ଜହ୍ନ ଆଉ ସୂର୍ଯ୍ୟ ଅଳ୍ପ ସମୟ ପାଇଁ ଆସୁଥିଲେ । କିନ୍ତୁ ସବୁଦିନ ଆସୁଥିଲେ । ଯିବା ଆସିବା ବାଟରେ ଦୁହିଁଙ୍କର ଭେଟ ବି ହେଉଥିଲା । ହେଲେ ଲୋକମାନେ ଦିନସାରା ଦଉଡ଼ା ଦଉଡ଼ି କରି ଥକି ପଡ଼ନ୍ତି ଓ ଜହ୍ନ ଆସିଲେ ଶୋଇ ପଡ଼ନ୍ତି ବୋଲି ସୂର୍ଯ୍ୟ ଜହ୍ନକୁ ତୋତେ କେହି ଭଲ ପାଉନାହାନ୍ତି’ କହି ଚିଡ଼ାଏ । ତଥାପି ଜହ୍ନ ଏସବୁ କଥାକୁ କାନକୁ ନିଏନି କି ମନଦୁଃଖ କରେନି । ହେଲେ ଲୋକମାନେ ଯେତେବେଳେ ଖାଲି ସୂର୍ଯ୍ୟକୁ ଖୋଜିଲେ ସେତେବେଳେ ତାକୁ ବାଧିଲା । ମନ ଉଣା କରି ଅଭିମାନରେ କାହାକୁ କିଛି ନକହି ଜହ୍ନ ଧିରେ ଧିରେ ଅଳ୍ପ ଅଳ୍ପ କରି ଲୁଚିବାକୁ ଆରମ୍ଭ କଲା, ତଥାପି କେହି ତା’ ଆଡ଼କୁ ନଜର ନଦେବା ଦେଖି ସେ ଦିନେ ଅଚାନକ୍ ଗାଏବ୍ ହୋଇଗଲା । ସାତ ସମୁଦ୍ର ପାରି ହୋଇ କେଉଁ ଦୂର ଦେଶକୁ ତାରାମାନଙ୍କୁ ସାଥିରେ ନେଇ ଚାଲିଗଲା ।

ପୃଥିବୀର ଲୋକେ ଖରାର ପ୍ରକୋପରେ ଅତିଷ୍ଠ ହୋଇ ଅନ୍ୟ ଗ୍ରହମାନଙ୍କୁ ପଳାଇଲେ । ଏବେ ପୃଥିବୀରେ ଆଉ କେହି ରହୁନାହାନ୍ତି । ହେଲେ ଜହ୍ନର ଅଭିମାନ ଏଯାଏଁ ତୁଟିନି ବୋଲି କହିଲା କୁନି ପରୀ ।

ଟିଟ ସବୁକଥା ମନ ଦେଇ ଶୁଣିବା ପରେ ତା’ର ଗୋଟେ କଥା ସୂର୍ଯ୍ୟ ଓ ଜହ୍ନ ଦୁହିଁଙ୍କ ପାଖେ ଏକା ସାଙ୍ଗେ ପହଞ୍ଚାଇ ଦେବାକୁ କୁନି ପରୀକୁ କହିଲା । କୁନି ପରୀ ରାଜି ହେବାରୁ ତା' ହାତରେ ନିଜ ହାତ ଲେଖା ଗୋଛାଏ କାଗଜ ପଠାଇଲା । ଟିଟ ଜହ୍ନ ଓ ସୂରୁଜ ଉପରେ ଅଜସ୍ର କବିତା ଲେଖିଥିଲା । ସେ ଦୁହେଁ ସବୁ ଲେଖା ପଢ଼ିସାରି, ଟିଟର ସେମାନଙ୍କ ପ୍ରତି ଥିବା ଭଲପାଇବାକୁ ଅନୁଭବ କରି. ଦୁହିଁଙ୍କ ଆଖି ଆବେଗର ଭାରାରେ ଓଦା ହୋଇଗଲା । କୁନି ପରୀ ଦୂର ଆକାଶରୁ ଥାଇ ସେମାନଙ୍କୁ ହାତଠାରି ଟିଟକୁ ଦେଖାଇ ଦେବା ପରେ ତା’ର ଗୋଲଗାଲ୍ ରୂପ, ସରଳ ଭାବନା ଓ ବିଶ୍ୱାସକୁ ଦେଖି ଦୁହିଁଙ୍କର ସବୁ ଅଭିମାନ ପାଣି ଫାଟିଗଲା ।

ସେବେଠୁ ଦୁହେଁ ସବୁଦିନ ପୃଥିବୀକୁ ଆସିବାକୁ ମଙ୍ଗିଲେ । ସେଇଦିନ ଠାରୁ ହିଁ ସବୁଦିନ ଦିନରାତି ହେଉଛି ଆଉ ଆମେ ସୂର୍ଯ୍ୟ ଓ ଜହ୍ନଙ୍କୁ ଦେଖୁଛନ୍ତି । ଜହ୍ନ କିନ୍ତୁ ମଝିରେ ମଝିରେ ସେଇ ଦୂର ରାଇଜକୁ ମାସକୁ ଥରେ ଗୋଟିଏ ଦିନ ଲାଗି ବୁଲିବାକୁ ଯାଏ ସେମାନଙ୍କ କଥା ରଖି । ଟିଟକୁ ସବୁଦିନ ଭେଟି କଥା ହେବାର ଲୋଭ ଛାଡ଼ି ପାରେନି ବୋଲି ଟିକେ ଟିକେ କରି ଯାଏ । ହେଲେ ସୂର୍ଯ୍ୟ ଆକାଶରୁ ଯିବା ବେଳକୁ ଓ ଜହ୍ନ ଆକାଶକୁ ଆସିବା ବେଳକୁ ଦୁହେଁ କିଛି ସମୟ ଦେଖା ହୋଇ ଦୁଃଖସୁଖ ହୋଇଯାଆନ୍ତି ।

ଏବେ ଟିଟ ଖୁବ୍ ଖୁସି, ତା' ସହିତ ଆମେ ବି ।