ଜଣେ ପାପୀର ଜଗନ୍ନାଥ

ଟିକେ ହତାଶ ହେଲି । ହେଲେ କଣ କରାଯିବ ? ଜଗନ୍ନାଥ ଦର୍ଶନ ବୋଧେ ମୋ ଭାଗ୍ୟରେ ନାହିଁ । (ବହୁତ ବର୍ଷ ପରେ ଜଣେ ଅଭିନେତ୍ରୀ ଏସବୁ ଶୁଣି ମତେ କହିଥିଲେ -"ଅପା ଆପଣ ସତରେ ପାପୀ । ସେଇଥିପାଇଁ ତାଙ୍କୁ ଦେଖି ପାରିଲେନି ।")


ଫଟୋ - ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା

ଜଗନ୍ନାଥଙ୍କ ସହ ମୋ ସମ୍ପର୍କ ବଡ଼ ଅଦ୍ଭୁତ । ମୁଁ କେବେ ତାଙ୍କୁ ସମ୍ପୂର୍ଣ୍ଣ ଦେଖିନି । ହଁ ସତ !

ମନେ ଅଛି ସାନବେଳେ ପୁରା ପରିବାର ଆମେ ପୁରୀ ଯାଇଥାଉ । ସେତେବେଳେ ବିଶେଷ କଟକଣା ବୋଧେ ନଥିଲା । ଆମେ ରତ୍ନବେଦୀ ପାଖକୁ ଯାଇ ପ୍ରଦକ୍ଷିଣ କରିଥିଲୁ । ସମସ୍ତେ ତିନି ଠାକୁରଙ୍କୁ ଦେଖି ହାତ ଯୋଡୁଥାନ୍ତି, ଭାବବିହ୍ଵଳ ହଉଥାନ୍ତି, ଅଥଚ ମୁଁ... ମୁଁ ଦେଖୁଥାଏ ଗୋଟେ ବେଦୀ...ସମ୍ପୂର୍ଣ୍ଣ ଫାଙ୍କା ! କଳା, ଚିକ୍କଣ ବେଦୀ ! କୌଣସି ଠାକୁରଙ୍କ ଚିହ୍ନବର୍ଣ୍ଣ ନାହିଁ !

ଅଥଚ ନା ସେଦିନ ରଥଯାତ୍ରା ଥିଲା, ନା ଅଣସର ।

ସେତେବେଳେ ତ ମତେ ସେଇଟା ହିଁ ସ୍ୱାଭାବିକ ଲାଗିଥିଲା କାରଣ ଜଗନ୍ନାଥଙ୍କ ବିଷୟରେ କିଛି ଧାରଣା ନଥିଲା କିନ୍ତୁ ପରେ ଯେବେ ସମସ୍ତଙ୍କୁ କହିଲି, କେହି ବିଶ୍ୱାସ କଲେନି, ଆଶ୍ଚର୍ଯ୍ୟ ହେଲେ । ସବୁ ଜାଣି ମୁଁ ବି କଣ କମ ବିସ୍ମିତ ହେଇଛି ?

ପୁରୀ ଯିବାର ସୁଯୋଗ କମ ମିଳେ ।

ଦ୍ଵିତୀୟ ଥର କଲେଜରେ ପଢ଼ୁଥିବାବେଳେ ଯାଇଥାଏ । ଭୀଷଣ ଭିଡ଼ । ପହଡ଼ ଖୋଲି ନଥାଏ । ଆମ ସହିତ ମୋ ମାମୁଁପୁଅ ଭାଇ ଥାଆନ୍ତି । ସେ ଖାଲି -"ବାବାରେ ଏତ୍ତ ଭିଡ଼ ! କି ଭୀଷନ ଭିଡ଼ ! ଠାକୁର ଦେଖବୋ କି କୋରେ !" ହଉଥାନ୍ତି । ତାଙ୍କ ମୁହଁରେ ବଙ୍ଗଳା ଶୁଣି ଜଣେ ପଣ୍ଡା ଆଗେଇ ଆସିଲେ । କହିଲେ -"ଦର୍ଶନ କରିବେ ତ ? ମୁଁ କରେଇ ଦେବି । ଏକଦମ ରତ୍ନବେଦୀ ପାଖରୁ ଦେଖିବେ । ଦୁଇ ଶହ ଟଙ୍କା ଦିଅନ୍ତୁ ।"

ଆମେ ମନା କରିବା ଆଗରୁ ଭାଇ ଟଙ୍କା ବଢ଼େଇ ଦେଲେ । ପଣ୍ଡା କହିଲେ -"ଆପଣମାନେ ଏଇଠି ଠିଆ ହେଇଥାନ୍ତୁ, ଦ୍ୱାର ଫିଟିଲାବେଳେ ମୁଁ ଆସି ଆପଣମାନଙ୍କୁ ଭିତରକୁ ନେଇଯିବି ।"

ସେ ଗଲେ ଯେ ଗଲେ... ଆଉ ଆସିଲେନି । ଦ୍ୱାର ଫିଟିଲା, ଭିଡ଼ ଭିତରେ ଠେଲାଠେଲି ହେଇ ଆମେ ଭିତରକୁ ଯାଇ ଦର୍ଶନ କଲୁ ।

ଅନ୍ୟମାନଙ୍କୁ କଣ ଦିଶିଲା ମୁଁ ଜାଣିନି, ମତେ ଦିଶିଲା କେବଳ ଗୋଟିଏ ଆଖି । ବିଶାଳ ଆଖି ! କେବଳ ଗୋଟିଏ ଆଖି ! କଳା, ଧଳା, ନାଲି ରଙ୍ଗର ମିଶ୍ରଣ... ମତେ ଘେରି ଯାଉଥିବା ଗୋଟେ ଆଖି । ମୋ ଦେହ ଶୀତେଇ ଗଲା ।

ବିତିଗଲା ବେଶ କିଛି ବର୍ଷ...

ବାହାଘର ପରେ ବିଜୟ ଆଉ ମୁଁ ପୁରୀ ଯାଇଥାଉ । ଗଲୁ ଶ୍ରୀ ମନ୍ଦିର ।

ବ୍ୟବସ୍ଥା ବଦଳି ଯାଇଥାଏ । ଅଫିସିଆଲ କାଉଣ୍ଟରରେ ଭୋଗ ମିଳିବାର ବ୍ୟବସ୍ଥା, ସେଇ ଅଫିସ ତରଫରୁ ହିଁ ସାହାଯ୍ୟକାରୀ ପଣ୍ଡାମାନେ ଆଗେଇ ଆସୁଛନ୍ତି ।

ଆମେ ତ ବିଶେଷ କିଛି ଜାଣିନୁ । ଇଆଡ଼େ ସିଆଡ଼େ ଆଖି ବୁଲଉଛୁ ।

ହଠାତ ଆମ ଆଗରେ ଆସି ଠିଆ ହେଲେ ଜଣେ ବ୍ରାହ୍ମଣ ।

-"ଦର୍ଶନ କରିବେ ? ଭୋଗ ନେବେ ?"

-"ହଁ ଯେ.."

-"କେହି ଡାକିଲେ ଯାଆନ୍ତୁନି । ଏଇଠି ଠିଆ ହେଇଥା'ନ୍ତୁ । ମୁଁ ଆସୁଛି । ଭୋଗ ପାଇଁ ଟଙ୍କା ଦିଅନ୍ତୁ । ମୁଁ କାଉଣ୍ଟରରୁ ଆଣି ଦଉଛି ।"

ମୋ ପୂର୍ବ ସ୍ମୃତି ମନେ ପଡ଼ିଲା । ମୁଁ ବିଜୟଙ୍କୁ ଇଶାରାରେ ମନା କଲି । ହେଲେ ସେ ଟଙ୍କା ବଢ଼େଇ ଦେଲେ ।

ବ୍ରାହ୍ମଣ ଜଣକ ଚାଲିଗଲେ ।

ମୁଁ ଜାଣିଛି ଯେ ଟଙ୍କା ତକ ଗଲା । ବିଜୟ କିନ୍ତୁ ବ୍ୟସ୍ତ ନ ହେଇ ଅପେକ୍ଷା କରିଛନ୍ତି । ଭିଡ଼ ଭିତରେ ଠିଆ ହେଇ ମୁଁ ଭିତରକୁ ଅନେଇ ଦେଖିଲି ଜଗନ୍ନାଥଙ୍କୁ ।

ବଳଭଦ୍ର ନାହାଁନ୍ତି, ସୁଭଦ୍ରା ନାହାଁନ୍ତି, କେବଳ ଜଗନ୍ନାଥ ! ମାତ୍ର ହାତେ ଉଚ୍ଚତାର ଛୋଟିଆ ଠାକୁର !

ମୁଁ ହତଚକିତ !

ବିଜୟଙ୍କୁ ପଚାରିଲି -"ତମକୁ ତିନି ଠାକୁର ଦିଶୁଛନ୍ତି ?"

-"ହଁ ଦିଶୁଛନ୍ତି ଯେ ଭିତରକୁ ଗଲେ ଭଲରେ ଦିଶିବେ ।"

-"ତିନି ଜଣ ଯାକ ଦିଶୁଛନ୍ତି ?"

-"ହଁ । କାହିଁକି ?"

ମୁଁ ଚୁପ ରହିଲି । ହୁଏତ ଭିତରକୁ ଗଲେ ସତରେ ଭଲରେ ଦିଶିବେ ।

ମୋ ପୂର୍ବ ଅଭିଜ୍ଞତାକୁ ଭୁଲ ପ୍ରମାଣିତ କରି ଅଳ୍ପ ସମୟ ଭିତରେ ଫେରି ଆସିଲେ ବ୍ରାହ୍ମଣ ଜଣକ । ଆମ ହାତରେ ଭୋଗ ଚାଙ୍ଗୁଡ଼ି ଧରେଇ ଭିଡ଼ ଠେଲି ନେଇଗଲେ ଭିତରକୁ ।

ଠାକୁରଙ୍କ ପାଖକୁ ଯିବା ପରେ ବି ମୋ ଆଖିକୁ କେତେବେଳେ ପ୍ରଭୁଙ୍କ ଉତ୍ତରୀୟ, କେତେବେଳେ ଗୋଟିଏ ହାତ, କେତେବେଳେ ହସ ହସ ଅଧର ଦେଖାଗଲା । କିନ୍ତୁ ପୁରା ଦିଶିଲେନି । ଆଉ ଅନ୍ୟ ଦୁଇ ମୂର୍ତ୍ତି ତ ଆଦୌ ଦିଶିଲେନି ।

ଟିକେ ହତାଶ ହେଲି । ହେଲେ କଣ କରାଯିବ ? ଜଗନ୍ନାଥ ଦର୍ଶନ ବୋଧେ ମୋ ଭାଗ୍ୟରେ ନାହିଁ । (ବହୁତ ବର୍ଷ ପରେ ଜଣେ ଅଭିନେତ୍ରୀ ଏସବୁ ଶୁଣି ମତେ କହିଥିଲେ -"ଅପା ଆପଣ ସତରେ ପାପୀ । ସେଇଥିପାଇଁ ତାଙ୍କୁ ଦେଖି ପାରିଲେନି ।")

ନନା ଆମକୁ ବାଇଶି ପାହାଚ ଯାଏଁ ଛାଡ଼ିବାକୁ ଆସିଲେ ।

ମୋ ମନ ଗୋଟେ ଆଡ଼ୁ ଖୁସି । ଯା ହଉ ଏଥର ଠକାମୀରେ ପଡ଼ିନି ।

ନନାଙ୍କୁ କିଛି ଟଙ୍କା ଯାଚିଲୁ । ସେ ମନା କଲେ । ମୁଁ ତାଙ୍କୁ ଭଲରେ ଦେଖିଲି । ମଧ୍ୟମ ଉଚ୍ଚତା, ସବଳ ଚେହେରା, ଟିକେ ଶ୍ୟାମଳ ବର୍ଣ୍ଣ, ହସ ହସ ମୁହଁ । ମୁଁ ପଚାରିଲି - "ଆର ଥରକୁ ଆସିଲେ ଆପଣଙ୍କୁ କେମିତି ପାଇବୁ ?"

ସେ ମୋ ଆଡ଼କୁ ଅନେଇ ଚଉଡ଼ା ହସଟିଏ ଦେଲେ ।

-"କାଉଣ୍ଟରରେ ଯାଇ କହିବେ ଯେ କାଳିଆ ନନାଙ୍କୁ ଡାକି ଦିଅନ୍ତୁ, ସେ ମତେ ଡାକିଦେବେ ।"

ତା ପର ବର୍ଷ ଯୋଗକୁ ପୁରୀ ଗଲୁ । ତାଙ୍କୁ ଖୋଜିଲୁ, କିନ୍ତୁ ପାଇଲୁନି । କାଉଣ୍ଟରରେ ପଚାରିଲାରୁ ସେମାନେ ଆଶ୍ଚର୍ଯ୍ୟ ହେଇ କହିଲେ -"କାଳିଆ ନନା ? ସେ ନାଁରେ ତ ଏଠି କେହି ନାହାଁନ୍ତି !"

ମୁଁ ସେଦିନ ମନ୍ଦିର ଭିତରକୁ ଆଉ ଗଲିନି ।

ମୋର ବେଳେବେଳେ ସେଇ ଅଭିନେତ୍ରୀଙ୍କ କଥା ମନେ ପଡେ ।

ସତରେ ବୋଧହୁଏ ପାପୀମାନଙ୍କ ପାଇଁ ଜଗନ୍ନାଥ ଏମିତି ହିଁ । ସେଇଥିପାଇଁ ମୁଁ ବିନା ମୂର୍ତ୍ତି ଦର୍ଶନରେ ବି ଜଗନ୍ନାଥ - ସମ୍ପନ୍ନ ।

Report an Error