ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୪

ଶିକ୍ଷାର ବିକଳ୍ପ ବ୍ୟବସ୍ଥାକୁ ନେଇ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।


ଫଟୋ - ସୁମିତ୍ରା ପାଢୀ

ଏଥର ସମନ୍ୱିତ ଶିକ୍ଷଣ କ'ଣ ଓ କାହିଁକି ସେ ଧାରଣା ଆହୁରି ସ୍ପଷ୍ଟ ହେଲା ସମସ୍ତଙ୍କର । ତେବେ ବିଷୟ, ଦକ୍ଷତା, ଧାରଣା, ସମୟ, ପିଲା, ଶିକ୍ଷକ, ପାଠ୍ୟକ୍ରମ ଆଦି କ୍ଷେତ୍ରରେ ସମନ୍ୱୟ କରିବାର ପ୍ରଣାଳୀ ଭିନ୍ନ ହେବ ନିଶ୍ଚିୟ । ମୋର ଏଇ ଧାରଣା ବା ବୁଝାମଣାକୁ ଆଧାର କରି ଗଛ ଉପରେ ଏଇ ଛୋଟ ପ୍ରୟାସଟି ଆରମ୍ଭ ହୋଇଥିଲା, ଯେଉଁଥିରେ ସବୁଗୁଡ଼ିକ ଏକସଙ୍ଗେ ସମନ୍ୱିତ ହୋଇପାରୁଛି କି ନାହିଁ ମୁଁ ଦେଖିଥିଲି । ଅର୍ଥାତ୍ ବିଭିନ୍ନ ବୟସର ପିଲା ଏକାଠି ବସି ଗଛକୁ ସାମଗ୍ରୀକ ଭାବେ ଜାଣିବାର ଅବସର ତିଆରି କରିଥିଲି । ଗଛକୁ କେବଳ ବିଜ୍ଞାନ, ସାମାଜିକ କି ଗଣିତ ବିଷୟର ଅଂଶ ଭାବେ ନୁହେଁ ପୂର୍ଣ୍ଣାଙ୍ଗ ଭାବେ ଜାଣିଥିଲୁ । ଭୁଲି ଯାଇଥିଲୁ ଆମ ଶିକ୍ଷା ବ୍ୟବସ୍ଥା ବିଭିନ୍ନ ବହିର ନାଁ ଅନୁସାରେ ସୃଷ୍ଟି କରିଥିବା ବିଭାଗୀକରଣକୁ । ସତ କହିବାକୁ ଗଲେ ଏସବୁର ଆବଶ୍ୟକତା ହିଁ ପଡ଼ି ନଥିଲା । ଏହି ଘଟଣା ପରେ ପରେ ଗୋଟିଏ ସମନ୍ୱିତ ପାଠ୍ୟପୁସ୍ତକକୁ ପାଞ୍ଚ ଛଅ ମାସ ପଢ଼ାଇସାରିଥିବା ଶିକ୍ଷକମାନେ ଏକାଠି ହୋଇଥିଲେ ରାଜ୍ୟ ମୂଖ୍ୟ କେନ୍ଦ୍ରରେ ବହିର ଭଲ ମନ୍ଦ ଦିଗ ଉପରେ ଆଲୋଚନା କରିବା ପାଇଁ ଓ ବହିଟିକୁ ପଢାଇବାର ତରିକା ଜାଣିବା ପାଇଁ । ସେଠି ଶିକ୍ଷକମାନଙ୍କର ଅଭିଯୋଗ ଥିଲା,

  • ନିର୍ଦ୍ଧିଷ୍ଟ ଶ୍ରେଣୀ ଓ ସମୟ ପାଇଁ ବହି ଗୁଡ଼ିକ ତିଆରି ହୋଇନିହୋଇନି ।

  • ଶିକ୍ଷକ ଶିକ୍ଷାର୍ଥୀ ଅନୁପାତରେ ଅସୁବିଧା। ଉଦାହରଣ ସ୍ୱରୂପ; ୩୪ଜଣ ୫ବର୍ଷର ପିଲାଙ୍କ ଲାଗି ଜଣେ ଶିକ୍ଷକକୁ ୩୫ମିନିଟ୍ଆ ସାତୋଟି କ୍ଲାସ ଲଗାତର ନେବାକୁ ହେଉଛି । ତେଣୁ ଅସୁବିଧା ହେଉଛି ।)

  • ବହି ସିନା ଗୋଟିଏ ହେଲେ ଖାତା କେତୋଟି ହେବ ?

  • ଗୋଟିଏ ବିଷୟରେ ବିଜ୍ଞାନ ଅଂଶ ବିଜ୍ଞାନ ଶିକ୍ଷକ,ଗଣିତ ଅଂଶ ଗଣିତ ଶିକ୍ଷକ, ସାହିତ୍ୟ ଆଦି ଅଂଶକୁ ଭିନ୍ନ ଭିନ୍ନ ଶିକ୍ଷକଙ୍କୁ ତ ପଢାଇବାକୁ ହେବ । ତେବେ ଖାତା କିଏ ଦେଖିବ ? (୧ ନମ୍ୱର ପ୍ରଶ୍ନ ଇଂରାଜୀ ସାର୍ ୨ ନମ୍ୱର ପ୍ରଶ୍ନ ଗଣିତ ସାର୍ ଦେଖିବେ କି ?)

  • ଅଭିଭାବକ ପଚାରୁଛନ୍ତି କେଉଁ ନମ୍ୱର ପ୍ରଶ୍ନ କେଉଁ ଖାତାରେ ହେବ ?

  • କ୍ରମାନୁସାରେ ବିଷୟବସ୍ତୁ ସବୁ ନାହିଁ ।

  • ବେଶୀ ଗୃହପାଠ ନାହିଁ, ଯାହା ବି ଅଛି ସେଥିରେ ଶିକ୍ଷକ କି ଅଭିଭାବକ କେହି ଖୁସି ହୋଇପାରୁନାହାନ୍ତି ।

  • ଧାରଣା ଓ ବିଷୟରେ ପୁନରାବୃତ୍ତି ହୋଇଛି ।

  • ଲେଖିବା କାମ କମ୍ ଅଛି ।

  • ଗଣିତ ଓ ଓଡ଼ିଆରେ କମ୍ ପାଠ ଅଛି ।

  • ପରୀକ୍ଷା କେମିତି କରିବୁ ?

  • ଟ୍ୟୁସନ୍ ସାର୍ ପଢ଼ାଇ ପାରୁନାହାନ୍ତି ।

ଏହିସବୁ ଆଲୋଚନା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବହି ଉପରେ ଥିଲା । ଆମ ଶିକ୍ଷକମାନେ ବହି ତିଆରି କରିଥିବା ଶିକ୍ଷାବିତମାନଙ୍କ ସହ ଆଲୋଚନା କରୁଥିଲେ । ଏଥିରୁ ଆମ ଲକ୍ଷ୍ୟ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନା ଜୀବନ ପାଇଁ ପ୍ରସ୍ତୁତ କରିବା ତାହା ନିଶ୍ଚୟ ବୁଝିହେଉଥିବ । ମୋର ଜଣେ ବନ୍ଧୁ ଏଥିରେ ସାମିଲ୍ ଥିବାରୁ କାର୍ଯ୍ୟକ୍ରମଟିକୁ କେବଳ ଦେଖିବାକୁ ଡାକିଥିଲେ । ତେଣୁ ମୁଁ ସେତକ କରି ତାଙ୍କୁ ନିଜର ମତାମତ ଜଣା‌ଇ ଫେରିଆସିଥିଲି । ଭାରତରେ ବିକଳ୍ପ ଶିକ୍ଷାର ପ୍ରୟୋଗ କେବଳ ନିଜେ କରୁଛନ୍ତି ବୋଲି ଦାବି କରୁଥିବା ସେହି ସଙ୍ଗଠନର ଜ୍ଞାନୀମାନଙ୍କୁ କିଛି କହିବା ମୋର ଧୃଷ୍ଟତା ହେବ ବୋଲି ମୋତେ ଚୁପ୍ ରହିବାକୁ ହେଲା ।

ମୋର ବିଶ୍ୱାସ ପିଲା ନିଜ ଉଦ୍ଦେଶ୍ୟ କ'ଣ ଜାଣିଛି; ଆମେ ହୁଏତ ତାକୁ ତା ରାସ୍ତାରୁ ବାଟ ଭୁଲେଇ ଦେଉଛନ୍ତି । କିନ୍ତୁ ଏ ବିଷୟ, ବହି, ସମନ୍ୱିତ ପାଠ୍ୟ ପୁସ୍ତକ ତିଆରି କରିବାର ଉଦ୍ଦେଶ୍ୟ କ'ଣ, ତାହା ଜ୍ଞାନୀ ବୋଲେଇ ହୋଇ ସିଂହାସନରେ ବସିଥିବା ବଡ଼ମାନେ ଜାଣିଛନ୍ତି ତ ? ଏ ବିଷୟରେ ଏକ ଦୃଢ଼ ଓ ସଂପୂର୍ଣ୍ଣ ବୁଝାମଣା ଆଣିବା ପରେ ଅନେକ ପ୍ରୟୋଗକୁ ଦେଖିବା ପରେ ଆମେ ଏ କାର୍ଯ୍ୟଟି କରୁଛନ୍ତି ତ ?

ଥରେ ଟିକେ ସମସ୍ତେ ନିଜ ପିଲାବେଳକୁ ମନେପକାଇବା ପିଲାବେଳେ ମାଙ୍କଡ଼ର ପିଠା ଭାଗ କରି ଖାଇବା ଗପ ବୁଢ଼ୀମା କହିବା ବେଳେ ଗପର ବିଷୟବସ୍ତୁ ଗଣିତ ବୋଲି ଓ ଗପଟି ସାହିତ୍ୟ ବୋଲି ଭାଗ କରୁନଥିଲା । ଆମ୍ୱ ଡ଼ାଳରେ ବସିଥିବା ହଳଦୀବସନ୍ତର ରଂଗ ଦେଖି ଖୁସିହୋଇ ଯାଉଥିବା ମନ ମୋର ତା'ର ଉଡ଼ିବା ଦେଖି ସେ କେମିତି ଉଡ଼ିପାରୁଛି ବୋଲି ପ୍ରଶ୍ନଟି ବିଜ୍ଞାନର ଭାବି ପଚାରିବା ଭୁଲୁନଥିଲା । ସାଇକେଲ୍‌ର ଚକ ଘରଘର ଗାଡ଼ିଯାଉଥିବା ବେଳେ 'ସାଇକେଲର ଚ଼କାରେ ପଶି ସର୍‌ସର୍ ଗଡ଼ାଇ ଦେ' ଗୀତ ଗାଇବା ସହିତ ତାଳ ଖାଇସାରି ତାକୁ ଗାଡ଼ିକରି ଚ଼ଲାଇବାର ପ୍ରବୃତ୍ତିଟି ବିଜ୍ଞାନର ଅନ୍ତର୍ଭୁକ୍ତ ବୋଲି ରୋକି ହେଉ ନଥିଲା ମାଆ କୋଳରେ କି ନାନୀ କାଖେଇ ଜହ୍ନମାମୁଁଙ୍କୁ ଦେଖେଇ କ୍ଷୀର ସର ଓ ଚ଼ୁଡ଼ାଛତୁଆ ଖୁଆଇଦେବା ବେଳେ ଗାଉଥିବା ଗୀତ ବାରମ୍ୱାର ଶୁଣିବା ପରେ ଜହ୍ନରେ ଥିବା ଦାଗଟି କାହିଁକି ବୋଲି ପ୍ରଶ୍ନଟି ଆସିବା ବନ୍ଦ ହେଉନଥିଲା ।

ମୁଁ ଭାବୁଛି ମୋ ପରି ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏଇଆ ଘଟିଥିବ। ତେବେ ବିଷୟର ଭିନ୍ନତା, ପାଠ୍ୟକ୍ରମ-ପାଠ୍ୟଖସଡ଼ାର ଭିନ୍ନତା ଆସିଲା କେଉଁଠୁ ? ଯେଉଁମାନେ ଭିନ୍ନତା ଆଣିଲେ ସେମାନେ ଯଦି ବିଭିନ୍ନତା ଆବଶ୍ୟକ ବୋଲି ଭାବୁଛନ୍ତି, ତେବେ ଗପ ଶୁଣି ଶୋଇଯାଉଥିବା ନିଜ ପିଲା ଯେତେବେଳେ ପ୍ରଶ୍ନ ପଚାରୁଛି ତା'ର ସେ ପ୍ରସଙ୍ଗକୁ ଏବେ ବିଜ୍ଞାନ ସମୟ ନୁହେଁ କହି ବନ୍ଦ କରିପାରୁନାହାନ୍ତି କାହିଁକି ? ଯେଉଁମାନେ ସମନ୍ୱିତ କହି ଏହି ଅଧ୍ୟାୟରେ ଗଣିତର ମିଶାଣ ଫେଡ଼ାଣ ଶିଖିବ, ସାହିତ୍ୟର ପଢ଼ିବା ଓ ବ୍ୟାକରଣ ଶିଖିବ ବୋଲି କାର୍ଯ୍ୟ ଦେଇଛନ୍ତି ସେମାନେ ଆପଣାର ଜୀବନକୁ ବ୍ୟାକରଣ ଓ ଗଣିତ ଅନୁସାରେ ବିଭାଗୀକରଣ କରୁନାହାନ୍ତି କାହିଁକି ?

ପ୍ରଶ୍ନଗୁଡ଼ିକ ଥରେ ନା ଥରେ ନିହାତି ପଚାରିବା ଦରକାର ବୋଲି ପଚାରିଦେଲି ଏଇଠି । କିନ୍ତୁ ତଥାପି ଯେଉଁ କେତେଜଣ ଜୀବନଟା ସମନ୍ୱିତ ବୋଲି ଜାଣିଛନ୍ତି, ପିଲାବେଳଠୁ ସାମଗ୍ରୀକ ଭାବେ ଦୁନିଆକୁ ଦେଖିଛନ୍ତି ଓ ଜୀବନବ୍ୟାପୀ ଏହି ସମନ୍ୱିତ ସାମଗ୍ରୀକତା ରହିପାରିବ ବୋଲି ବିଶ୍ୱାସ ରଖିଛନ୍ତି, ସେମାନେ ନିଶ୍ଚିୟ ପିଲାଟି ଠାରୁ ହିଁ ଖିଅଟିଏ ପାଇଯିବେ ଶିକ୍ଷଣ ଲାଗି । ଯାହାକୁ ଆଧାର କରି ଜୀବନର ପାହାଚ ପରେ ପାହାଚ ଚଢ଼ି ହେବ, ଶିକ୍ଷଣ ପଦ୍ଧତିର ହିଡ଼ ସବୁ ଡ଼େଇଁ ହେବ । ସର୍ବୋପରି ଏଇ ଭିତରେ ପିଲାଟି ଜୀବନକୁ ଓ ଶିଖିବାକୁ ଭଲପାଇବା ଶିଖିଯିବ ବୋଲି ମୋର ବିଶ୍ୱାସ ।

ପିଲାଙ୍କ ସହ ଏକ ସମନ୍ବିତ ଶିକ୍ଷଣ କ୍ଲାସ୍ - ୩

Report an Error