ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ

ସୋସାଇଟିର ପ୍ରଥମ ଉଦଘାଟନୀ ସଭା ୬ ଏପ୍ରିଲ ୧୯୦୭ ଶନିବାର ୪.୩୦ ମିନିଟରେ ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଅଫ୍ ଆର୍ଟ, କଲିକତାରେ ହୋଇଥିଲା ଓ ପରେ ସୋସାଇଟି ଧାରା ୧୮୬୦ ଅନୁସାରେ ପଞ୍ଜିକୃତ ମଧ୍ୟ ହୋଇଥିଲା । ଉଦଘାଟନୀ ମିଟିଂ ବିଷୟରେ ମେ ୨୦, ୧୯୦୭ ଷ୍ଟେଟସମ୍ୟାନରେ ଖବର ମଧ୍ୟ ପ୍ରକାଶ ପାଇଥିଲା ।


ଫଟୋ - ୱିକିପିଡିଆ

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଭାରତବର୍ଷରେ ସାଂସ୍କୃତିକ ନବଜାଗରଣ ଉନ୍ମେଷ କରାଇବାରେ ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟର ଯଥେଷ୍ଟ ଅବଦାନ ରହିଛି । ବ୍ରିଟିଶ ଔପନିବେଶିକ ଶାସନ ବ୍ୟବସ୍ଥା ଭିତରେ ପ୍ରାଚ୍ୟ କଳାର ମହାନତାକୁ ସେମାନେ ପୁଣିଥରେ ମନେପକେଇ ଦେଇଥିଲେ । ସେତେବେଳକୁ ଅନେକ ଭାରତୀୟଙ୍କ ମନ ଭିତରେ ଏମିତି ଏକ ଧରଣା ବଦ୍ଧମୂଳ ହେଇସାରିଥିଲା ଯେ ପ୍ରାଚ୍ୟ ଭୂଖଣ୍ଡଠାରୁ ପାଶ୍ଚାତ୍ୟ ଦେଶଗୁଡିକ ସବୁଥିରେ ଉନ୍ନତ, ରୁଚିକର ଓ ପ୍ରଗତିଶୀଳ । ଏପରି ଏକ ଅଳିକ ଧରଣାକୁ ଭାଙ୍ଗିବାରେ ଇଣ୍ଡିଆନ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ ବେଶ୍ କିଛି କାମ କରିଥିଲା ।

ସେତେବେଳେ ଇଂରେଜ ସରକାରଙ୍କ ଦ୍ୱାରା ପରିଚାଳିତ କଳା ବିଦ୍ୟାଳୟମାନଙ୍କରେ ଭାରତୀୟ ସମୃଦ୍ଧ କଳା ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ କୌଣସି ପ୍ରକାର ଉଦ୍ୟମ କରାଯାଉନଥିଲା । ପ୍ରକୃତରେ ବିଦେଶୀମାନେ ତାଙ୍କ ସୁବିଧା ପାଇଁ ଭାରତରେ କଳା ବିଦ୍ୟାଳୟ ଖୋଲିଥିଲେ ଓ ଭାରତୀୟମାନଙ୍କୁ କଳାଶିକ୍ଷା ଦେଇଥିଲେ । ଅବଶ୍ୟ ବିଦେଶୀ ନୁହେଁ ଭାରତୀୟମାନେ ହିଁ ଦେଶରେ କଳା ବିଦ୍ୟାଳୟ ଖୋଲିବାର ପ୍ରୟାସ ଆରମ୍ଭ କରିଥିଲେ । କଲିକତାରେ ୧୬ ଅଗଷ୍ଟ, ୧୮୫୪ରେ ‘ସ୍କୁଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଆର୍ଟ’ ନାମରେ ଏକ ଅନୁଷ୍ଠାନ ଚିତ୍ତପୁରର ଗରଣହତାଠାରେ ବେସରକାରୀ ଭାବରେ ଖୋଲିଲା । ଉଦ୍ଦେଶ୍ୟ ଥିଲା ଭାରତୀୟ ପିଲାମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଇଣ୍ଡଷ୍ଟ୍ରିଆଲ୍ ଆର୍ଟର ଶିକ୍ଷା ଦେବା । ପରେ ୧୮୬୪ ଜୁନ୍ ୨୯ରେ ସରକାର ହାତକୁ ନେଇଗଲେ ଓ ତା' ନାମ ପରିବର୍ତ୍ତନ ହେଇ ‘ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଅଫ୍ ଆର୍ଟ’ କରିଦେଲେ । ସ୍କୁଲ୍ ତିନି ଚାରି ଥର ଜାଗା ପରିବର୍ତ୍ତନ କରି ୧୮୯୬ରେ ଏବର ସ୍ଥାନକୁ ଅର୍ଥାତ ମ୍ୟୁଜିୟମ୍ ପାଖକୁ ଉଠିଆସିଥିଲା ଓ ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ବ୍ରିଟିଶ କଳା ପ୍ରଶାସକ ଓ କଳା ଐତିହାସିକ ଇ.ବି. ହାଭେଲ୍ ଯୋଗ ଦେଲେ । ହାଭେଲ୍ ଙ୍କ ଜନ୍ମ ୧୮୬୧ ସେପ୍ଟେମ୍ବର ୧୬ରେ ଇଂଲଣ୍ଡରେ ଏକ ପ୍ରଭାବଶାଳୀ ପରିବାରରେ ହୋଇଥିଲା । ୧୮୮୪ରୁ ଭାରତ ଆସିଲାପରେ ସେ ପ୍ରାୟ ଦଶବର୍ଷ ଧରି ମାଡ୍ରାସ କଳା ବିଦ୍ୟାଳୟରେ ପ୍ରଥମେ ସୁପରିଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ତା' ପରେ ୬ ଜୁଲାଇ ୧୮୯୭ରୁ କଲିକତା କଳା ବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ଭାବରେ ଯୋଗ ଦେଇଥିଲେ ଓ ୧୯୦୬ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ ।

ହାଭେଲ୍ ଭାରତୀୟ କଳା ଓ ସ୍ଥାପତ୍ୟ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି । ହାଭେଲ୍ ହିଁ ଭାରତରେ ପାଶ୍ଚାତ୍ୟ କଳାଶିକ୍ଷା ବଦଳରେ ଭାରତୀୟତାକୁ ଅଗ୍ରାଧିକାର ଦେଇଥିଲେ । ପାଠ୍ୟକ୍ରମରେ ଭାରତୀୟ କଳାଶିକ୍ଷାକୁ ସାମିଲ କଲେ । ତାଙ୍କ ମତରେ ଭାରତରେ ଭାରତୀୟମାନଙ୍କର ଛବି, ଛବିର ଦୃଷ୍ଟିକୋଣ ଓ ଛବିର ଅନ୍ତର୍ନିହିତ ଭାବନା ସବୁକିଛି ଭାରତୀୟ ହେବା ଉଚିତ୍ ।

୧୯୦୫ ମସିହାରେ ଲର୍ଡ କର୍ଜନ ବଙ୍ଗ ପ୍ରଦେଶକୁ ଧର୍ମର ଆଧାରରେ ଦୁଇ ଭାଗ କରିଦେଲେ । କର୍ଜନଙ୍କ ବଙ୍ଗଭଙ୍ଗ ନିଷ୍ପତ୍ତିର କିଛି ଭଲ ଫଳ ବି ଫଳିଥିଲା । ଏମିତି ଏକ ଘଟଣା ଲୋକମାନଙ୍କ ଭିତରେ ଜାତୀୟତାବୋଧର ଭାବ ଉଦ୍ରେକ କରିଥିଲା । ବିଦେଶୀ ବଦଳରେ ସ୍ୱଦେଶୀ ପ୍ରତି ନିଘା ବଢିଲା । ନିଜକୁ ଅନେଇବାର ମଉକା ମିଳିଲା । ଜାତୀୟତାବାଦ ଓ ସ୍ୱଦେଶୀ ପ୍ରୀତିରୁ ଭାରତୀୟ କଳାକାର ଓ କଳାରାଜ୍ୟ ବି ପ୍ରଭାବିତ ହେବାକୁ ଲାଗିଲେ । ବିଶେଷକରି ବଙ୍ଗ ପ୍ରଦେଶର କିଛି କଳାକାର ବେଶ୍ ସଚେତନ ଭାବରେ ବିଦେଶୀ ଚିତ୍ରଧାରା ଓ ଧାରଣାରୁ ମୁକୁଳି ଆସି ଆପଣା ଘର ଭିତରକୁ ଆଖି ପକାଇଲେ । ଭାରତବର୍ଷ ଇଂରେଜମାନଙ୍କ ଦ୍ୱାରା ପରାଧୀନ ହେଲା ପରେ ଭାରତରେ ଯେଉଁ ପାଶ୍ଚାତ୍ୟ ଚିତ୍ର, ଚିତ୍ର ଚିନ୍ତନ ଓ ଚିତ୍ରଧାରାର ପ୍ରଚଳନ ଆରମ୍ଭ ହେଇଥିଲା ଏବଂ ଭାରତୀୟ ଶିଳ୍ପୀମାନେ ଯେଉଁ ଅଧିକରୁ ଅଧିକ ୟୁରୋପୀୟ ଚିତ୍ରଧାରାକୁ ଅନୁସରଣ କରୁଥିଲେ, ସେଥିରେ ପ୍ରଥମ ଥର ପାଇଁ ଗୋଟେ ଛୋଟ ବିରାମ ଚିହ୍ନ ଲାଗିଲା । ଆରମ୍ଭ ହେଲା ପ୍ରାଚ୍ୟ ସଂସ୍କୃତିର ମୂଳ ସନ୍ଧାନ । ଏ ଅନୁସନ୍ଧାନ ପ୍ରଥମ କରି ଅଣ ୟୁରୋପୀୟ ରାସ୍ତାରେ ଯାଇ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତ ସହ ଜାପାନ ଓ ପର୍ସିଆର ଚିତ୍ରକଳା ପାଖରୁ ପ୍ରେରଣା ପାଇଁ ଆଖି ପକାଇଲା ।

ବଙ୍ଗ ଜମିଦାରମାନଙ୍କର ଏକ ସଙ୍ଘ ଗଠିତ ହୋଇଥାଏ ଯାହାର ସଭାପତି ଥାଆନ୍ତି ଏସ୍. ପି. ସିହ୍ନା । ସୁରେନ୍ଦ୍ରନାଥ ଠାକୁର ଏଥିପାଇଁ ଖୁବ୍ ପରିଶ୍ରମ କରୁଥା'ନ୍ତି । ଏଥିପାଇଁ ସେ ଗୋଟେ ଚିତ୍ର ପ୍ରଦର୍ଶନୀ ପାଇଁ ଚିନ୍ତା କରୁଥା'ନ୍ତି । ସେ ଅବନୀନ୍ଦ୍ରନାଥ ଠାକୁରଙ୍କ ଛବି, ଓକାକୁରାଙ୍କ ଜାପାନୀ ପ୍ରିଣ୍ଟ ଓ ଆଉ ଅନ୍ୟ ସୂତ୍ରରୁ କିଛି ଛବି ସଂଗ୍ରହ କରି ସରକାରୀ କଳା ବିଦ୍ୟାଳୟର ବିଲିୟାର୍ଡ କୋଠରୀରେ ଟାଙ୍ଗିଦେଲେ । ଏହା ହିଁ ସୋସାଇଟିର ପ୍ରଥମ ଚିତ୍ର ପ୍ରଦର୍ଶନୀର ପ୍ରୟାସ ଥିଲା । ଦୁଇ ତିନି ବର୍ଷ ପରେ ହାଭେଲ୍ ଚାହିଁଲେ ସେଇ ଛୋଟିଆ ଅନୁଷ୍ଠାନକୁ ବଡ଼ କରି ଠିଆ କରାଇବାକୁ ଓ ଗୋଟେ କମିଟି ଗଠନ କରାଗଲା । ଅବନୀନ୍ଦ୍ର ଠାକୁର ଆଦି ତା'ର ସଭ୍ୟ ଭାବରେ ଯୋଗ ଦେଲେ ।

ସୋସାଇଟିର ପ୍ରଥମ ଉଦଘାଟନୀ ମିଟିଙ୍ଗ୍ ୬ ଏପ୍ରିଲ ୧୯୦୭, ଶନିବାର ୪.୩୦ ମିନିଟରେ ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଅଫ୍ ଆର୍ଟ, କଲିକତାରେ ହୋଇଥିଲା ଓ ପରେ ସୋସାଇଟି ଧାରା ୧୮୬୦ ଅନୁସାରେ ପଞ୍ଜିକୃତ ମଧ୍ୟ ହୋଇଥିଲା । ଉଦଘାଟନୀ ମିଟିଂ ବିଷୟରେ ମେ ୨୦, ୧୯୦୭ ଷ୍ଟେଟସମ୍ୟାନରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ମୁଖ୍ୟତଃ ଠାକୁର ପରିବାର ହିଁ ଏହାର ନେତୃତ୍ୱ ନେଇଥିଲେ ।

ପ୍ରଥମେ ସୋସାଇଟିର କାର୍ଯ୍ୟାଳୟ ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଅଫ୍ ଆର୍ଟରେ ଚାଲିଥିଲା । ସଭ୍ୟ ଭାବରେ ଯୋଗ ଦେଇଥିଲେ ଲର୍ଡ କିଚେନର (ସଭାପତି), ଅନନୀନ୍ଦ୍ରନାଥ ଠାକୁର (ସଂପାଦକ), ଲର୍ଡ କରମିଚୋଲ, ଇ ବି ହାଭେଲ୍, ଗଗନେନ୍ଦ୍ରନାଥ ଠାକୁର, ଏ କେ କୁମାରସ୍ୱାମୀ, ଜଷ୍ଟିସ୍ ଜନ୍ ଉଡରଫ୍, ଜଷ୍ଟିସ୍ ରାମ୍ପିନ, ଜଷ୍ଟିସ୍ ହୋଲ୍ମଉଡ୍, ମିଃ ଇ ଥୋର୍ଣ୍ଣଟନ୍,ଏନ୍ ବ୍ଲଣ୍ଟ, ସାର୍ ରାସବିହାରୀ ଘୋଷ ଏବଂ ଅନ୍ୟ କିଛି ୟୁରୋପୀୟ ଓ ଭାରତୀୟ ବିଦ୍ୱାନ । ଭାରତୀୟ ଚିତ୍ରଧାରାକୁ ଆତ୍ମସ୍ଥ କରି ଛବି କରିଥିବା ଚିତ୍ରଶିଳ୍ପୀମାନଙ୍କର ଚିତ୍ର ପ୍ରଦର୍ଶନୀ ଆୟୋଜିତ ହେଉଥିଲା । ସେଇ ସରକାରୀ କଳା ବିଦ୍ୟାଳୟରେ ହିଁ ଏସବୁ ପ୍ରଦର୍ଶନୀ ହେଇଛି ଓ ସେଇଠୁ ପାଠ ପଢିଥିବା ଚିତ୍ରଶିଳ୍ପୀମାନେ ହିଁ ପରବର୍ତ୍ତୀ ଭାରତୀୟ ଚିତ୍ରକଳା ଡଙ୍ଗାର ମଙ୍ଗୁଆଳ ଅବା ନାଉରୀ ସାଜିଛନ୍ତି ।

ସୋସାଇଟିକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଅବନୀନ୍ଦ୍ରନାଥଙ୍କ ଭୂମିକାକୁ ସର୍ବଦା ମନେ ପକାଯାଏ । ଅବନୀନ୍ଦ୍ରନାଥ ଠାକୁର ୭ ଅଗଷ୍ଟ, ୧୮୭୧ ମସିହାରେ ଯୋଡାଶଂଖଠାରେ ସମ୍ଭ୍ରାନ୍ତ ଓ ଧନୀ ଠାକୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଗୁଣେନ୍ଦ୍ରନାଥ ଠାକୁର ଓ ମା'ଙ୍କ ନାମ ଥିଲା ସୌଦାମିନୀ ଠାକୁର । ତାଙ୍କ ଜେଜେ ଗିରିନ୍ଦ୍ରନାଥ ଠାକୁରଙ୍କ ବାପା ହେଉଛନ୍ତି ପ୍ରସିଦ୍ଧ ଦ୍ୱାରିକାନାଥ ଠାକୁର । ଏଇ ହିସାବରେ ଅବନୀନ୍ଦ୍ରନାଥ ବିଶ୍ୱକବି ରବିନ୍ଦ୍ରନାଥଙ୍କ ହିସାବରେ ପୁତୁରା । ଅବନୀନ୍ଦ୍ରନାଥ ସଂସ୍କୃତ କଲେଜରେ ପାଠ ପଢୁଥିବାବେଳେ ଅନୁକୁଳ ଚାଟାର୍ଜିଙ୍କଠାରୁ ଛବି ଅଙ୍କା ଶିଖୁଥିଲେ । ତାପରେ ତତ୍କାଳୀନ କଲିକତା ଗଭର୍ଣ୍ଣମେଣ୍ଟ କଳା ବିଦ୍ୟାଳୟର ତତ୍କାଳୀନ ଉପାଧ୍ୟକ୍ଷ ଇଟାଲୀୟ ଶିଳ୍ପୀ ସିଗନୋର ଗିଲହାର୍ଡିଙ୍କ ପାଖରୁ ୟୁରୋପୀୟ ଧାରାର କଳାଶିକ୍ଷା କଲେ ।

ସମ୍ପୂର୍ଣ୍ଣ ୟୁରୋପୀୟ ଢାଞ୍ଚାରେ ଚିତ୍ରଶିକ୍ଷା କରିଥିଲେ ମଧ୍ୟ ଅବନୀନ୍ଦ୍ରନାଥଙ୍କ ଭିତରେ ବିଭିନ୍ନ କାରଣରୁ ଭାରତୀୟତା ପ୍ରତି ବିଶେଷ ଆଗ୍ରହ ଥାଏ । ବିଶେଷକରି ମୁଗଲ୍ ମିନିଏଚର୍ ସେ ଦେଖିବାକୁ ଆରମ୍ଭ କରନ୍ତି ଓ ତା' ଦ୍ୱାରା ପ୍ରଭାବିତ ବି ହୁଅନ୍ତି । ଏନେଇ ଗୋଟିଏ ଛୋଟିଆ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ମନେ ପକାଯାଇପାରେ । ଥରେ ହାଭେଲ୍ ଅବନୀନ୍ଦ୍ରନାଥଙ୍କୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଛବି ଦେଖାଇବା ପାଇଁ ମ୍ୟୁଜିୟମ୍ କୁ ନେଇଯାଇଥା'ନ୍ତି । ଛବିଟି ହେଲା ମୁଗଲ୍ ମିନିଏଚର୍ ଚିତ୍ରଶିଳ୍ପୀ ଉସ୍ତାଦି ମନସୁରଙ୍କ ଅଙ୍କିତ ସାବେରିଆନ କ୍ରେନ୍ । କାଗଜ ଉପରେ ଛୋଟିଆ ଛବିଟି ଏତେ ସୂକ୍ଷ୍ମ ଭାବରେ ଅଙ୍କିତ ହେଇଥିଲା ଯେ ଭଲରେ ତାକୁ ଦେଖିବାକୁ ମ୍ୟାଗ୍ନିଫାଇଙ୍ଗ ଲେନ୍ସର ବ୍ୟବହାର କରିବାକୁ ପଡୁଥିଲା । କୁହାଯାଏ ଅବନୀନ୍ଦ୍ରନାଥଙ୍କ ଉପରେ ମନସୁରଙ୍କ ଛବି ଓ ତା'ର ଆବେଦନ କିନ୍ତୁ ସେଦିନ ଗଭୀର ଭାବରେ ପ୍ରଭାବ ପକାଇଥିଲା । ତାପରେ ସେ ଅଧିକରୁ ଅଧିକ ମୁଗଲ୍ ମିନିଏଚର୍ ପ୍ରତି ଆଗ୍ରହ ଦେଖାଇଥିଲେ ।

ଅବନୀନ୍ଦ୍ରନାଥଙ୍କର ବଡଭାଇ ଗଗନେନ୍ଦ୍ରନାଥ ଠାକୁର ଜଣେ ମାନ୍ଯଗଣ୍ୟ ବ୍ୟକ୍ତିତ୍ୱ ଥିଲେ । ତତ୍କାଳୀନ ଅନେକ ଇଂରେଜ ଅଧିକାରୀଙ୍କ ସହ ସେ ସୁସମ୍ପର୍କରେ ଥିଲେ ଓ କଲିକତାରେ ବସବାସ କରୁଥିବା ଉଚ୍ଚବର୍ଗ ସଂଭ୍ରାନ୍ତ ମାନ୍ଯଗଣ୍ୟ ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ତା ସହ ସେ ଜଣେ ଭଲ ସଂଗଠକ ମଧ୍ୟ ଥିଲେ । ତେଣୁ ସୋସାଇଟି ଗଠନ ହେବାର ପ୍ରଥମ ଦିନରୁ ହିଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ ।

ସୋସାଇଟିର ଆଜୀବନ ସଭ୍ୟ ଭାବରେ ଯୋଗ ଦେଇଥିଲେ ଅର୍ଦ୍ଧେନ୍ଦୁ କୁମାର ଗାଙ୍ଗୁଲି, ଅସିତ ହାଲଦର, ନନ୍ଦଲାଲ ବୋଷ ଓ ସମରେନ୍ଦ୍ରନାଥ ଗୁପ୍ତ । ଅସିତ ହାଲଦର, ନନ୍ଦଲାଲ, ସମରେନ୍ଦ୍ରନାଥ ଗୁପ୍ତ ଅବନୀନ୍ଦ୍ରନାଥଙ୍କର ସିଧାସଳଖ ଛାତ୍ରଥିଲେ । ଅର୍ଦ୍ଧେନ୍ଦୁ କୁମାର ଗାଙ୍ଗୁଲି ଯିଏକି ଓ.ସି.ଗାଙ୍ଗୁଲି ନାମରେ ବିଖ୍ୟାତ ଥିଲେ ସେ ସୋସାଇଟିର ସାଧାରଣ ସମ୍ପାଦକ ଥିଲେ ଓ ପରେ ଉପ ସଭାପତି ହୋଇଥିଲେ । ଜଣେ କଳା ସମାଲୋଚକ ପ୍ରାଚ୍ୟଧାରାର ଭାରତୀୟ ଚିତ୍ରଶିଳ୍ପୀ ସହ ଭାରତର କଳା ସାମ୍ବାଦିକତାର ମୂଳଦୁଆ ପକାଇଥିଲେ । ତାଙ୍କରି ସମ୍ପାଦନା ଓ ଦିଗଦର୍ଶନରେ ହିଁ ପ୍ରକାଶ ପାଇଥିଲା ସୋସାଇଟିର ପତ୍ରିକା ‘ରୂପମ୍’ । ଓ.ସି.ଗାଙ୍ଗୁଲି ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟର ପ୍ରଦର୍ଶନୀମାନଙ୍କର ନିୟମିତ ରିଭ୍ୟୁ ଲେଖୁଥିଲେ । ତା' ସହ ଉପନିବେଶୀ ଇଂରେଜ ଲୋକମାନେ ଭାରତୀୟ ଚିତ୍ରଧାରା ବିରୋଧରେ ଯେଉଁ ଧାରଣା ସୃଷ୍ଟି କରିଥିଲେ ତା' ବିରୋଧରେ ଲେଖାଲେଖି ମଧ୍ୟ କରୁଥିଲେ ।

Report an Error