ପିଲାଙ୍କୁ ବୁଝିବା

ଆମର ତାଙ୍କ ସହ ଏକ ସୁନ୍ଦର କଥାବାର୍ତ୍ତା ହିଁ ଜୀବନସାରା ସମାଜ ସହ ଭାବର ଆଦାନ ପ୍ରଦାନ କରିବା ଲାଗି ଏକ ସୁସ୍ଥ ମୂଳଦୁଆ ପକାଏ । ପିଲାଟେ ହିଁ ଖୁବ୍ ସହଜ ଢଙ୍ଗରେ ସାଙ୍ଗଟିଏ ବନେଇପାରେ, ବିଭିନ୍ନ ପରିବେଶ ସହ ତାଳଦେଇ ଚଳିଯାଇପାରେ ଅଥଚ ଆମେ ପାରନ୍ତି’ନି ।


ଫଟୋ - ସୁମିତ୍ରା ପାଢୀ

ପିଲାଙ୍କ ସହ କଥା ହେବା ଦ୍ୱାରା ନିବିଡ଼ତା ବଢେ଼ ଓ ଅନେକ ଅସୁବିଧାର ସହଜ ସମାଧାନ ହୋଇପାରେ ବୋଲି ଆଗରୁ କହିଛି । ଏଇ କଥାକୁ ଆଧାର କରି ଶିକ୍ଷକମାନେ କିଛି କାମ କଲେ ସିନା; ଅଭିଭାବକଙ୍କ ପାଖରେ କିନ୍ତୁ ଏକଥାଟି ହୋଇପାରିଲାନି । ଏ ବିଷୟରେ ମୁଁ ବିକଳ୍ପ ଶିକ୍ଷା ପ୍ରୟୋଗ କରୁଥିବା ଏକ ଆବାସିକ ବିଦ୍ୟାଳୟରେ ପରୀକ୍ଷା କରି ଦେଖିଥିଲି । ଅନେକ ମାଆ ବାପା ଯଦିଓ ପିଲାମାନଙ୍କ ସହ କଥା ହୁଅନ୍ତି ଘଣ୍ଟା ଘଣ୍ଟା ଧରି କିନ୍ତୁ ତାଙ୍କ କଥାଗୁଡ଼ିକ ଏମିତି ହୋଇଥାଏ ଯେ ତାହା ପିଲାକୁ ନିଜ କଥା କହିବାର ସୁଯୋଗ ଦିଏନି, କେବଳ ବାହାରର ତଥ୍ୟ ଓ ଅନ୍ୟମାନଙ୍କ ବିଷୟରେ ଏଣୁତେଣୁ କହିବାର ସୁଯୋଗ ସୃଷ୍ଟି କରିବା ଭିତରେ ସମୟ ସରିଯାଏ । ଏଇଯେମିତି;

ସଙ୍ଗୀତାର ଷଷ୍ଠ ଶ୍ରେଣୀ । ତା' ମାଆ ସବୁ ସପ୍ତାହ ଫୋନ୍ କରି ନିଜ ଝିଅ ସହ ନିଶ୍ଚୟ କଥା ହୁଅନ୍ତି । ଫୋନ୍‌ରେ ଆଜି ସକାଳେ କ’ଣ ଖାଇଛି...? କାଲି ରାତିରେ... କାଲି ଦ୍ୱିପହରେ... ତା' ପୂର୍ବଦିନ ଓ ରାତିରେ କ’ଣ ଖାଇଛୁ ପଚାରି ପଚାରି ପୂରା ସାତ ଦିନର ଖାଇବା ତାଲିକା ବୁଝନ୍ତି । ଆହୁରି ବି ଅନେକ କଥା ପଚାରନ୍ତି । ବିଦ୍ୟାଳୟରେ ସମସ୍ତେ ସକାଳେ ମଥା ଧୋଇ ଗାଧାନ୍ତି । ତା’ର କିନ୍ତୁ ଘରେ ଏସବୁର ଅଭ୍ୟାସ ନଥାଏ, ତେଣୁ ଶୀତ ଲାଗେ । ଶୀତ ନଲାଗିଲେ ବି ମୁଣ୍ଡ ଧୋଇଲେ ମାଆ କୁହନ୍ତି: 'ତୁ ତ ବାଥ୍‌ରୁମ୍‌ରେ ଗାଧୋଇବୁ । ତେଣୁ ମୁଣ୍ଡରେ ଦେହରେ ଟିକେ ପାଣି ହାତ ମାରିଦେଇ ଭଲ ଲୁଗା ପିନ୍ଧି ପଳେଇ ଆସିବୁ । କେହି ଜାଣିପାରିବେନି ।' ଖାତାରେ ପ୍ରଶ୍ନୋତ୍ତର କରିବାଠୁ ପରିବେଶ କାମ ଯାଏ ସବୁ କଥାର ଖବର ନେଇ ଏମିତି ଅଭିନବ ଚୋରା ଉପାୟମାନ ବତେଇବାରେ ତାଙ୍କର ଘଣ୍ଟା ଘଣ୍ଟା ସମୟ ଚାଲିଯାଏ ।

ଏହା ଦ୍ୱାରା କ’ଣ ପିଲା ମିଛ କହିବା ଶିଖିବନି... ଲୁଚେଇବା ଶିଖିବନି... ଠକିବା ଶିଖିବନି... ଜୀବନକୁ ସହଜ ଢଙ୍ଗରେ ଜୀଇଁବାର ବାଟ ଖୋଜିବନି...??? ଏମାନଙ୍କ ପରି କଥା ହେବା ଅପେକ୍ଷା ବିଲ୍କୁଲ୍ କଥା ନହେବା ଆହୁରି ଭଲ । ପିଲାଙ୍କୁ ନିଜ ରାସ୍ତାରେ ଛାଡ଼ି ଦେଲେ ସେମାନଙ୍କ ଭିତରେ ଆଉ ଭୁଲ୍ ବୁଝାମଣା ବି ହେବନି । ଅନ୍ତତଃ ନିଜ ସହ କଥା ହେବାକୁ ତ ସମୟ ମିଳିବ ।

ଦିବ୍ୟର ଘରୁ ପ୍ରାୟ କେହି ଫୋନ୍ କରନ୍ତିନି କି ମାସକୁ ଥରେ ଭେଟିବାକୁ ଆସନ୍ତିନି । ସେ କେବଳ ବର୍ଷକୁ ଦୁଇଥର ଛୁଟିରେ ଘରକୁ ଯିବାବେଳେ ହିଁ ବାପା ମାଆଙ୍କ ସହ କଥା ହେବାକୁ ସୁଯୋଗ ପାଏ । କିନ୍ତୁ ସେଠାକାର ଅନୁଭୂତି ତା’ର ଏମିତି ଯେ ସେ କାଲି ରାତିରେ ମୋତେ ଦୁର୍ଗାପୂଜା ଛୁଟିରେ ଘରକୁ ଯିବନି ବୋଲି ମନା କରୁଥିଲା । ମୁଁ କ’ଣ ପାଇଁ ପଚାରିଲାରୁ କହିଲା; 'ମୁଁ ଯେତେବେଳେ ଘରକୁ ଯାଉଛି ସବୁବେଳେ ପାଟିତୁଣ୍ଡ । ବାପା ମାଆଙ୍କ ଭିତରେ ପାଟିତୁଣ୍ଡ... ବାପା, ବଡ଼ବାପା, ଦାଦାମାନଙ୍କ ଭିତରେ ପାଟିତୁଣ୍ଡ, ମାଆଙ୍କର ସାଇ ପଡ଼ିଶାଙ୍କ ସହ ପାଟିତୁଣ୍ଡ... ବାପାଙ୍କର ଗାଆଁ ଲୋକଙ୍କ ସହ ପାଟିତୁଣ୍ଡ । ସମସ୍ତଙ୍କ ସାଙ୍ଗରେ ସବୁବେଳେ ଖାଲି ପାଟିତୁଣ୍ଡ । ଘରେ ସିନା ଖାଲି ବାପା, ମାଆ ଆଉ ସାନ ଭଉଣୀ ରହୁ । କିନ୍ତୁ ଏଇସବୁ ବାହାର ଘଟଣାକୁ ନେଇ ଘର ଭିତରେ ବି କିଛି ନା କିଛି ପାଟି ଚାଲିଥାଏ । ମୋ ଲାଗି ଏଠିକି ଯିବୁନି, ସେଠିକି ଯିବୁନି, ୟା ସହ କଥା ହେବୁନି କି ତା’ ସହ କଥା ହେବୁନି ପରି ହଜାରେ କଟକଣା । ଏସବୁ ଭିତରେ ସେମାନଙ୍କର ମୋ ସହ କଥା ହେବାକୁ ସମୟ କାହିଁ ଯେ ମୁଁ ଘରକୁ ଯିବି ? ମୋର ଏଇଠି ଭଲ । ତୋ ସହ ଖେଳିବି, ବୁଲିବି ଏଇଠି ।'

ସୁବିଜୟର କଥା କିନ୍ତୁ ଅଲଗା । ତା’ ବାପାଙ୍କ ବ୍ୟବହାରରୁ ଲାଗେ ସେ ସୁବିଜୟ ପାଇଁ ଖୁବ୍ ବ୍ୟସ୍ତ । ଅନେକ ସମୟ ଧରି କଥା ବି ହୁଅନ୍ତି ତା’ ସହ । ସୁବିଜୟକୁ ବିଦ୍ୟାଳୟରେ ଛାଡ଼ିବାର ଚାରିମାସ ପରେ ହଠାତ୍ ଦିନେ ଖରାବେଳେ କିଛି ନ ଜଣେଇ ସେ ଆସି ପହଞ୍ଚିଗଲେ । କହିଲେ ସୁବିଜୟକୁ ନେଇଯିବେ ବୋଲି । ତା’ ବିନା ଆମ ମନ ଗୁଡେ଼ଇ ହେଉଛି । ସେ ତା’ ଦିଦି ପାଖରେ ହିଁ ଭୁବନେଶ୍ୱରରେ ରହି ପଢ଼ିବ କହିଲେ । ତାଙ୍କର ଏତକ କଥା ନିଜ ଆଡ଼ୁ କହିବା ପରେ ପରିଚାଳକ ଆଉ ଗୋଟିଏ ବି ପ୍ରଶ୍ନ ନପଚାରି ସୁବିଜୟକୁ ଛାଡ଼ି ଦେଲେ । କୌଣସି ପ୍ରତିବନ୍ଧକ ନଥିବା ସତ୍ତ୍ୱେ ବି ଅଭିଭାବକ ପିଲା ନେଲାବେଳେ କେବେ ସତ କହିବେନି ବୋଲି ଏ ଭିତରେ ଆମର ଧାରଣା ହୋଇଯାଇଛି । ତେଣୁ କାରଣଟା ପ୍ରକୃତରେ କ’ଣ ଜାଣିବାକୁ ଆମେ ସେଇ ରବିବାର ସୁବିଜୟର ଫୋନ୍ ରେକର୍ଡିଂ (ଅଭିଭାବକଙ୍କର ମତ ଅନୁସାରେ ନୂଆ ଆସିଥିବା ପିଲାଙ୍କର ସମୟରୁ ସମୟକୁ ପରିବର୍ତ୍ତିତ ହେଉଥିବା ମନୋଭାବ ଓ ବ୍ୟବହାରକୁ ବୁଝି ସେଇ ଅନୁସାରେ ଶିକ୍ଷଣକୁ ଆଗ୍ରହଦାୟକ କରିବା ପାଇଁ ଏହି ବ୍ୟବସ୍ଥା ଗତବର୍ଷ ଆରମ୍ଭରୁ ତିନିଚାରି ମାସ ଯାଏ ରଖାଯାଇଥିଲା) ଶୁଣିଲୁ । ଫୋନ୍‌ରେ ସେ କ’ଣ କଥା ହେଲା ଶୁଣିବା ଆଗରୁ ଆମେ ସୁବିଜୟ ବିଷୟରେ କିଛି ଜାଣିନେବା ।

ସୁବିଜୟର ଛଅ ବର୍ଷ ଚାଲିଥିବାବେଳେ ତା’ ବାପା ତାକୁ ବୋର୍ଡିଂରେ ଛାଡ଼ିବାକୁ ଆଣିଥିଲେ । ପଢ଼ୁଥିବା ପୂର୍ବ ସ୍କୁଲରେ ସବୁଦିନ ତା’ ନାଆଁରେ କିଛି ନା କିଛି ଅଭିଯୋଗ ଆସୁଥିଲା ବୋଲି ସ୍କୁଲରୁ ତାକୁ ବାହାର କରି ଦିଆଯାଇଥିଲା । ପୁଅକୁ ଆଣି ଛାଡ଼ିବା ଦିନ ବାପା ତା'ର ଖୁବ୍ ବିକଳ ହୋଇ କନ୍ଦାକଟା କରି 'ଛୁଆଟା ଭାରି ବଦମାସ୍ ହେଉଛି । ସେ ଟିକେ ଏଇ ବର୍ଷଟା ଭିତରେ ସୁଧୁରି ଯାଉ' କହି ଛାଡ଼ି ଦେଇଗଲେ । କହିଥିଲେ ବି 'ସେ ତା' ପିଉସୀର ଜୀବନ ଥିଲା' ବୋଲି । ଏତକ ବ୍ୟତୀତ ସୁବିଜୟ ବିଷୟରେ ଆଉ କିଛି ବି ଜଣାନଥିଲା ଆମକୁ । ପିଉସୀ ଥିବା ଯାଏ କୁଆଡେ଼ ତା' ଲାଗି କାହାର ଚିନ୍ତାଦକ ନଥିଲା, ପାଠ ବି ଭଲ ପଢ଼ୁଥିଲା । କିନ୍ତୁ ସେ ବାହା ହୋଇଯିବା ପରେ ଆଉ କିଛି ବି ନାହିଁ । ପାଠ ଘର ଶୂନକୁ ବଦମାସୀରେ ଶହେ । ସୁବିଜୟ ରହିବାର କିଛି ଦିନ ପରେ ପିଉସୀ ତା’ର ଆସିଥିଲେ ଭେଟିବାକୁ । ସେ ହିଁ ତାଙ୍କ ପରିବାର ବିଷୟରେ ଆମକୁ ଜଣାଇଲେ । ସୁବିଜୟର ମାଆ ବ୍ରାହ୍ମଣ ଥିଲେ ଓ ବାପା ଖଣ୍ଡାୟତ । ମାଆ ପଢ଼ୁଥିଲେ ଓ ବାପାଙ୍କ ଉପରେ ଖଡ଼ି ଧୂଳି ବି ପଡ଼ିନି । ମାଆ ଦଶମ ପଢ଼ୁଥିବାବେଳେ ହିଁ ବାପା ତାଙ୍କୁ ନେଇ ଆସି ବାହା ହୋଇଯାଇଥିଲେ । ତାଙ୍କ ଘରଲୋକେ ଖୋଜାଖୋଜି କରି ଖବର ପାଇବା ପରେ ସବୁବେଳେ ଫୋନ୍ କରି ଝିଅକୁ ତାଙ୍କର ଘରକୁ ଫେରେଇ ନେବାକୁ ଚାହୁଁଥିଲେ । ଦିନେ ସୁବିଜୟର ମାଆ ବି ନିଜ ବାପାମାଆଙ୍କ କଥା ବୁଝି ଚାଲିଗଲେ ଯେ ଆଉ ଆସିଲେନି । ସେତେବେଳକୁ ସୁବିଜୟକୁ ତିନି ବର୍ଷ । ସେ ତିନି ବର୍ଷର ହେବା ଯାଏ ବି ମାଆ ତାଙ୍କ ପୁଅର କିଛି କଥା ଠିକ୍‌ରେ ବୁଝୁନଥିଲେ । କିଛି ଯଦି ବତେଇ ଦିଆଯାଏ ତା’ହେଲେ କରିଦିଅନ୍ତି ଖାଲି । ବୟସ କମ୍ ଯୋଗୁଁ ହେଉ ବା ଘରଠୁ ଦୂରେଇ ମାନସିକ ଭାବେ ଅସ୍ଥିର ରହିବା ଯୋଗୁଁ ହେଉ ସେ କିଛି ବୁଝିପାରନ୍ତିନି । ସୁବିଜୟ ଜନ୍ମବେଳକୁ ତାଙ୍କୁ ବୟସ ଷୋହଳ । ବାପ ଘରକୁ ଫେରିଯିବା ପରେ ଘରେ ଆଉ କେଉଁଠି ପ୍ରସ୍ତାବ ଦେଖି ଜଣେ ଏନ୍.ଆର୍.ଆଇ. ଙ୍କ ସହ ପୁଣି ଥରେ ବାହାଘର କରି ଦେଇଛନ୍ତି ବୋଲି ଏବେ ଜଣାପଡ଼ିଛି । ସେ ଯିବାର ଛଅ ମାସ ପରେ କିନ୍ତୁ ସୁବିଜୟର ବାପା ଆଉ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ଝିଅକୁ ଘରେ କାହାକୁ କିଛି ନଜଣାଇ ବାହା ହୋଇ ନେଇ ଆସିଲେ । ବର୍ଷକ ଭିତରେ ତାଙ୍କର ପୁଣି ଗୋଟେ ପୁଅ । ତେଣୁ ସେ ବି ସୁବିଜୟକୁ ସମୟ ଦେଲେନି । ପିଉସୀର ବି ସେତେବେଳକୁ ବାହାଘର ହୋଇ ଯାଇଥିଲା ।

ଏସବୁ ଶୁଣିବାର ତିନି, ଚାରି ମାସ ପରେ ଥରେ ସୁବିଜୟ ଏତେ ଅନ୍ୟମନସ୍କ କାହିଁକି ହେଉଛି ଓ ଦୁଃଖି ଦୁଃଖି କାହିଁକି ରହୁଛି ବୋଲି ପଚାରିବାରୁ ଯାଇ ତା' ବାପା ଏସବୁ କଥା ଜଣାଇଲେ । କହିଲେ, 'ଏବେର ତା' ମାଆ ବି ତାକୁ ଖୁବ୍ ଭଲ ପାଏ । ଲୋକେ ସାବତ ମାଆ କିଛି ବୁଝୁନି ନ କୁହନ୍ତୁ ବୋଲି ତ ସେ ପଇସା ଖର୍ଚ୍ଚ କରି ଭଲ ଜାଗାରେ ଛାଡୁଛି । ବାହାର ପିଲାଙ୍କ ସାଙ୍ଗରେ ନହେଲେ ୟା' ତା ଘରେ ଯାଇ ପାଟିତୁଣ୍ଡ କରେ ବୋଲି ମାଆ ତା'ର ଘର ଭିତରେ ତାକୁ ବନ୍ଦ ସିନା କରିଦିଏ, ତା' କଥା ସବୁ ବୁଝେ କିନ୍ତୁ । ମୁଁ ବି ତାକୁ ମାରେ, ଗାଳି ବି ଦିଏ, କିନ୍ତୁ ସେ ଯାହା ଜିଦ୍ କରେ ମୁଁ ତାକୁ ଆଣିଦିଏ ।'

ଏବେ ସୁବିଜୟ ପାଖକୁ ଫେରି ଆସିବା । ତୋଫା ଗୋରା ରଙ୍ଗର ଚେହେରା ତା’ର । ହାତ ଓ ବେକରେ ଯୋଡ଼ାଏ ଲେଖାଏଁ ଡେଉଁରିଆ ବନ୍ଧା ହୋଇଥାଏ ମୋଟା ସୂତାରେ । ରାତିକୁ, ଅନ୍ଧାରକୁ ଡର ତା'ର... କାହା ସାଙ୍ଗରେ ରହିବାକୁ ଡର... ଖାଇବା ଖୁବ୍ କମ୍... ଏକା ଏକା ଖେଳେ... ପାଣିକୁ ଗଲେ ତିନି ଚାରି ଘଣ୍ଟାରୁ କମ୍ ବୁଡେ଼ନି... ଦିନକୁ ଚାରି, ପାଞ୍ଚ ଥର ଗାଧୁଆ ଓ ଲୁଗାବଦଳା । ତା' ପାଖେ ପାଖେ ଦୁଇ ଜଣ ମଣିଷ ନିହାତି ଦରକାର ତାକୁ ଜଗିବାକୁ । ନହେଲେ ତା’ର ଚିତ୍କାର ଶୁଣିଲେ କାଳେ କିଛି ଅଘଟଣ ଘଟିଲା କି’ ଭାବି ରହିହୁଏନି । ସମସ୍ତଙ୍କୁ ମାର୍‌ଧର୍‌ କରେ ବୋଲି କିଏ କୁଆଡେ଼ ପ୍ରତ୍ୟୁତ୍ତରରେ କାଳେ ମାରିବ ବୋଲି ବି ଡର ଥାଏ । କାମ ତ କିଛି କରିପାରେନି, କିନ୍ତୁ ସମସ୍ତେ କାମ କରୁଥିବା ଦେଖିଲେ ଆସି ତାଙ୍କ ସହ ଖେଳେ । ଏମିତି ସମୟ ବିତିବା ଭିତରେ ତା' ବାପା ରବିବାର ଦିନ ଫୋନ୍ କରି କଥା ହେଉଥିଲେ;

ହଁ ବାପା, କୁହ । ଆଜି ରବିବାର ଛୁଟି ତ, ମୁଁ ସକାଳୁ ଚାଲିବାକୁ ଯାଇଥିଲି, ଗୀତ ବୋଲିଲି, ବଗିଚା ଗଲି, ଘାସ ବାଛିଲି ।

ହଁ, ହଁ ତୁ ଖାଲି କାମ କର । ପାଠ ଆଉ ପଢ଼ନା ।

ତୁମେ ଜାଣିନ କିଛି । ସେଇଟା କ’ଣ କାମ କି ? ମୋ ପାଇଁ ତ ଏକ୍ସର୍‌ସାଇଜ୍ । ଏକ୍ସର୍‌ସାଇଜ୍ ହେଲେ ଦେହ ସୁସ୍ଥ ରହିବ । ତମେ ବି କର ।

ତତେ ଖାଲି କାମ କରଉଛନ୍ତି ନା ...? ହଉ ହଉ ଆଜିଟା କରିଦେ... ଗୋବର ଉଠା, କୋଇଲା ବହ... ଆଜିଟା ସବୁ କର । କାଲିକି ତ ପଳେଇ ଆସିବୁ । ଖାଲି କାମ, ପାଠ ଶାଠ କେବେ ପଢ଼ାହେବ ?

ହଁ, ମୁଁ ତ ପାଠ ପଢ଼ୁଛି, ଖେଳ, ଗୀତ, ଗପ ଭିତରେ ବି ପଢ଼ୁଛି ।

ହଁ, ହଁ, ଆଉ ଦୁଇଚାରି ଦିନ ଭିତରେ ତ ତୁ ପଢ଼ି ସବୁ ତାଡ଼ି ପକାଇବୁ ଯାହା ଜଣାପଡୁଛି ।

ବାପା, ତମେ ରାଗୁଛ କାହିଁକି ?

ମୁଁ ତ ରାଗିନି । ମୁଁ କାହିଁକି ରାଗିବି ? ତୋର କ’ଣ ହେଇଛି କହ ।

ମୁଁ ତ ଭଲ ଅଛି । ଖେଳୁଛି, ବୁଲୁଛି ।

ମୁଁ ଜାଣିଛି ତୁ ଭଲନାହୁଁ । ସତ କହ ।

ହଁ ତ ଭଲ ଅଛି । କ’ଣ ହେବ ମୋର ?

ହଁ ତ, ତୋର କ’ଣ ହେଇଛି ନିଶ୍ଚୟ ।

ମାଆକୁ ଦିଅ...

(ମାଆ) ତୁ କାଲି ପଳେଇ ଆସିବୁ ।

ହଉ, ମୁଁ ଯାଇ ଦି’ଦିନ ବୁଲି ପଳେଇଆସିବି ଏଇଠିକି ।

ନା ନା ଆଉ କାମ କରିବାକୁ ଯିବା ଦରକାର ନାହିଁ । ମୁଁ କାଲି ଯାଉଛି ତୋତେ ଆଣିବାକୁ ।

ନିଜେ ବଡ଼ ହୋଇ କିଛି ସଂଗତି ନଥିବା କଥା ସବୁ କହୁଥିବାବେଳେ, ଛଅ ବର୍ଷର ପିଲାଟି; ଯାହାକୁ ଘରଠୁ ଆରମ୍ଭ କରି ପୁରୁଣା ସ୍କୁଲର ପିଲା, ଶିକ୍ଷକ ଓ ସାଇପଡ଼ିଶା ସମସ୍ତେ ପାଗଳ କୁହନ୍ତି ସେ କେତେ ସୁନ୍ଦର କରି ବୁଝଉ ନଥିଲା ସତେ ?

ଆମ ଧାରଣା, ଆମ ବୁଝିବାପଣିଆ କଥା ଭାବି ଟିକେ ବିଚାରିବା ପିଲାକୁ ବାଟ ଦେଖେଇବାର ଯୋଗ୍ୟତା ଆମର ଅଛି ତ ? ଯଦି ନାହିଁ ଆମ ପିଲା ବାଟ ଜାଣି, ସମାଜକୁ ବୁଝି ବାଟ ବତେଇ ଦେଉଥିବାବେଳେ ସେଇ ରାସ୍ତାରେ ଚାଲିବାର କ୍ଷମତା ଆମର ଅଛି ତ ?

ଆମର ତାଙ୍କ ସହ ଏକ ସୁନ୍ଦର କଥାବାର୍ତ୍ତା ହିଁ ଜୀବନସାରା ସମାଜ ସହ ଭାବର ଆଦାନ ପ୍ରଦାନ କରିବା ଲାଗି ଏକ ସୁସ୍ଥ ମୂଳଦୁଆ ପକାଏ । ପିଲାଟେ ହିଁ ଖୁବ୍ ସହଜ ଢଙ୍ଗରେ ସାଙ୍ଗଟିଏ ବନେଇପାରେ, ବିଭିନ୍ନ ପରିବେଶ ସହ ତାଳଦେଇ ଚଳିଯାଇପାରେ ଅଥଚ ଆମେ ପାରନ୍ତି’ନି । ତେଣୁ ଯଦି ସମ୍ଭବ ହୁଏ ଆମେ ତା’ ସହ ଟିକେ ଭଲରେ କଥା ହେବା ଏବଂ ଆମ କଥା ହେବାର ଉଦ୍ଦେଶ୍ୟ ହେବ ପିଲା ମନର କଥାକୁ ଜାଣିବା, ତା’ କଥାକୁ କେହି ଜଣେ ଅନ୍ତର ଦେଇ ଶୁଣୁଛିର ଭାବଟିଏ ତା’ ଭିତରେ ତିଆରିବା । ତେବେ ସେ ଆଉ ଏକୁଟିଆ ଅନୁଭବ କରିବନି, ମେଳକୁ ଡରିବନି କି ନିରାଶ ହେବନି । ଏ କର୍ତ୍ତବ୍ୟ ବାପା - ମାଆଙ୍କଠାରୁ ଆରମ୍ଭ କରି ଶିକ୍ଷକଙ୍କ ଯାଏ ସମସ୍ତଙ୍କର ।

Report an Error