ପିଲାଙ୍କର ସ୍କ୍ରିନ୍‌ ଟାଇମ୍ କମାଇବାର କେତୋଟି ଉପାୟ

ହାରାହାରି ହିସାବ ଅନୁସାରେ କିନ୍ତୁ ୨୦୨୧ରେ ପ୍ରତ୍ୟେକେ ୮ ରୁ ୧୦ ଘଣ୍ଟା ଫୋନ୍‌ କଲ୍, ଫେସବୁକ୍ ବା ଅନ୍ୟ ସୋସିଆଲ୍‌ ମିଡିଆ ସ୍କ୍ରଲ୍ କରିବା କି ଭିଡିଓ ରିଲ୍‌ସ ଦେଖିବାରେ ବିତଉଛନ୍ତି ।


ଗତ ୧୨ ବର୍ଷ ଭିତରେ ମୁଁ ଯେତେବେଳେ ବି କେହି ବାପା ମାଆଙ୍କୁ ପିଲାଙ୍କ ସମସ୍ୟା ନେଇ ଭେଟିଛି, ସେତେବେଳେ ସମସ୍ତଙ୍କର ଗୋଟିଏ ଅଭିଯୋଗ ଶୁଣିବାକୁ ପାଇଛି । ନିଦ ଭଲରେ ହୁଏ ନାହିଁ, ଯଦ୍ୱାରା ଅନେକ ପ୍ରକାର ଅସୁସ୍ଥତା ଦେଖାଦିଏ । ସେଇଟା ହେଲା; "ପିଲାଏ ବହୁତ ବେଶୀ ମୋବାଇଲ୍ ନହେଲେ ଟି.ଭି ଦେଖୁଛନ୍ତି । କେମିତି କ'ଣ କରି ତାଙ୍କ ସ୍କ୍ରିନ୍‌ ଟାଇମ୍ କମ୍ କରିବାକୁ ତ ହେବ । ହେଲେ କେମିତି ? ପିଲାଙ୍କୁ ତ ଟିଭି ଦେଖିବାକୁ ମନା କଲେ ରାଗି ଯାଉଛନ୍ତି ଆଉ ମୋବାଇଲ୍ ହାତରୁ ନେଇଗଲେ କାନ୍ଦ କାନ୍ଦ ହୋଇଯାଉଛନ୍ତି । ଯେତେ ମାନ ଅଭିମାନ ସବୁ ବାହାରି ପଡ଼ୁଛି ତାଙ୍କର ଏଇ ସ୍କ୍ରିନ୍ ଟାଇମ୍ କମ୍ କରିବାକୁ କହିଲେ । ଏବେ ପୁଣି କୋଭିଡ୍‌ ଲକଡାଉନ୍ ସମୟରେ ଘରେ ରହୁଥିବାରୁ ଅଧିକ ସମୟ ସ୍କ୍ରିନ୍‌କୁ ଅନେଇ ଅନେଇ ବିତୁଛି । ଆଗରୁ ସ୍କୁଲ୍ ରୁ ଫେରିବା ପରେ ଖାଲି ସମୟରେ ନହେଲେ ଖାଇବାବେଳେ ମୋବାଇଲ୍ କି ଟି.ଭି ଦେଖୁଥିଲେ । ଏବେ ତ ବାଧ୍ୟତାମୂଳକ ଭାବେ ଅନ୍‌ଲାଇନ୍‌ କ୍ଲାସ୍ ସମୟତକ ସ୍କ୍ରିନ୍‌ରେ ବିତୁଛି, ତାପରେ ପୁଣି ଚାରି ପାଞ୍ଚ ଘଣ୍ଟା ସମୟ ଅଧିକ ଯାଉଛି ଏମିତିରେ କାର୍ଟୁନ୍‌, ଭିଡିଓ ଗେମ୍ କି ଫିଲ୍ମ ଦେଖିବାରେ।"

କେତେକଙ୍କର ତ ଅଭିଯୋଗ ତାଙ୍କ ପିଲାଏ ଖାଇବାବେଳେ ମୋବାଇଲ୍ ନ ଧରିଲେ ଖାଉନାହାନ୍ତି । କିନ୍ତୁ ପିଲାଙ୍କର ଏମିତି ଅଭ୍ୟାସ ପଛରେ ଆମ ବଡ଼ମାନଙ୍କର ଭୂମିକା ନାହିଁ ତ ? ଏମିତି କାହିଁକି ହେଉଛି ଖୋଜିଲେ ଜଣା ପଡ଼ିବ ଏଥିପାଇଁ ଆମେ ବଡ଼ମାନେ କେଉଁଠି ନା କେଉଁଠି ଦାୟୀ । କେତେବେଳେ ଘର କାମରେ ନିଜ ବ୍ୟସ୍ତତା ପାଇଁ ପିଲାଟିଏ ବଡ଼ମାନଙ୍କ ସହ ସମୟ ବିତେଇବାକୁ ଚାହୁଁଥିବାବେଳେ ଆମେ ସମୟ ଦେଇନପାରି ହାତରେ ମୋବାଇଲ୍ ଧରେଇ ଦିଅନ୍ତି ତ କେତେବେଳେ ପିଲା ନ ଖାଇଲେ ଜଲ୍ଦି ଜଲ୍ଦି ଖୁଆଇବା କାମ ସାରିବା ପାଇଁ କାର୍ଟୁନ୍ ଚଲେଇ ମୋବାଇଲ୍ ଧରେଇ ଦିଅନ୍ତି ନ ହେଲେ ଟିଭି ଲଗେଇ ଦିଅନ୍ତି । ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍‌ ଟାଇମ୍ ନିର୍ଦ୍ଧାରଣ କରିଛି । ତାହା ସମସ୍ତଙ୍କର ଜାଣିବା ପାଇଁ ମୁଁ ଏଇଠି ଲେଖୁଛି । କିନ୍ତୁ ଯଦି ଆମେ ସତକୁ ସତ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ଏଇ ନିର୍ଦ୍ଧାରିତ ସମୟକୁ ସର୍ବାଧିକ ବୋଲି ହିଁ ଗ୍ରହଣ କରିବା ।

୧ - ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଦୌ ସ୍କ୍ରିନ୍‌ ଟାଇମ୍ ରହିବ ନାହିଁ ।
୨ - ଦୁଇରୁ ବାର ବର୍ଷ ପିଲାଙ୍କ ପାଇଁ ମାତ୍ର ଏକ ଘଣ୍ଟା ସମୟ ।
୩ - ତରୁଣ ଓ ବୟସ୍କମାନଙ୍କ ପାଇଁ ମାତ୍ର ଦୁଇ ଘଣ୍ଟା ସମୟ ।

ହାରାହାରି ହିସାବ ଅନୁସାରେ କିନ୍ତୁ ୨୦୨୧ରେ ପ୍ରତ୍ୟେକେ ୮ ରୁ ୧୦ ଘଣ୍ଟା ଫୋନ୍‌ କଲ୍, ଫେସବୁକ୍ ବା ଅନ୍ୟ ସୋସିଆଲ୍‌ ମିଡିଆ ସ୍କ୍ରଲ୍ କରିବା କି ଭିଡିଓ ରିଲ୍‌ସ ଦେଖିବାରେ ବିତଉଛନ୍ତି । ଆମ ଭିତରୁ କାହାର କାହାର ସ୍କ୍ରିନ୍‌କୁ ଚ଼ାହିଁ ରହିବା ଅଭ୍ୟାସରେ ପରିଣତ ହୋଇଯାଇଛି ତ କେହି କେହି ଅଭ୍ୟାସ ଛାଡ଼ିବାକୁ ଚାହିଁ ସମାଧାନର ବାଟ ପାଉନାହାଁନ୍ତି । ସେଇମାନଙ୍କ ପାଇଁ କେତୋଟି ସମାଧାନର ସହଜ ଉପାୟ କହି ରଖୁଛି । ସବୁଠୁ ବଡ଼ କଥା ହେଲା ଆପଣଙ୍କୁ ଆଗ ନିଜ ପିଲା ପାଇଁ ଉଦାହରଣ ହେବାକୁ ହେବ ।

୧ - ଖାଇବା ସମୟରେ, ଗାଡ଼ି ଚଲେଇବା ସମୟରେ କି ପରିବାର ଲୋକଙ୍କ ସହ ସମୟ ବିତେଇବାବେଳେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ । ନିହାତି ଜରୁରୀ ନଥିଲେ ସାଇଲେଣ୍ଟ ମୋଡ୍ କରି ମୋବାଇଲ୍ ରଖି ଦିଅନ୍ତୁ । ଆପଣଙ୍କ ଉପରେ ଅନେକ ଦାୟିତ୍ୱ ଅଛି ମୁଁ ବୁଝୁଛି, କିନ୍ତୁ ଆପଣଙ୍କ ନିଜ ସୁସ୍ଥତା ମଧ୍ୟ ଆପଣଙ୍କର ଦାୟିତ୍ୱ ବୋଲି ଆପଣ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ।

୨ - ପିଲା ଓ ଘରର ଅନ୍ୟ ସଦସ୍ୟଙ୍କ ସହ ସାଙ୍ଗ ହୋଇ କେତେବେଳେ କେମିତି ପାଖଆଖର ଲାଇବ୍ରେରୀ କି ବହି ଦୋକାନ ଆଡ଼େ ବୁଲି ଯାଆନ୍ତୁ । ପିଲାଙ୍କୁ ଭଲ ଲାଗିବା ପରି ତାଙ୍କ ପସନ୍ଦର ଦୁଃସାହସିକ ଅଭିଯାନ କାହାଣୀ, ପରୀ କଥା, ପଞ୍ଚତନ୍ତ୍ର ପରି ଜୀବଜନ୍ତୁଙ୍କ କାହାଣୀ ବା ଭଲ ଲାଗୁଥିବା ଯେ କୌଣସି ବହି ନେଇ ଆସନ୍ତୁ ବା ସେମିତି ବହି କିଣି ଉପହାର ଦିଅନ୍ତୁ । ଦିନରେ କିଛି ସମୟ ସାଙ୍ଗରେ ବସି ବହି ପଢନ୍ତୁ ବା ସେ କହୁଥିବା କାହାଣୀ ଶୁଣନ୍ତୁ ।

୩ - ସ୍କ୍ରିନ୍‌ ଟାଇମ୍ ଲାଗି ନିର୍ଦ୍ଦିଷ୍ଟ ସମୟ ଠିକ୍ କରିଦିଅନ୍ତୁ । ପ୍ରତ୍ୟେକ ଦିନ ସ୍କ୍ରିନ୍‌ ଅଫ୍ ଟାଇମ୍ ସମସ୍ତଙ୍କ ପାଇଁ ରଖନ୍ତୁ । କମ୍ ସ୍କ୍ରିନ୍‌ ଟାଇମ୍ କରିବାକୁ ଏମିତି କିଛି କରନ୍ତୁନି ଯାହା ପିଲାଙ୍କୁ ଦଣ୍ଡ ଦେବା ପରି ଲାଗିବ । ଖାଲି ପିଲା ପାଇଁ ନୁହେଁ, ନିଜେ ବି ସେ ନିୟମ ପାଳନ୍ତୁ । ସ୍କ୍ରିନ୍‌ ଟାଇମ୍ ମାନିବା ନିୟମକୁ ଠିକ୍ ଠାକ୍ ପାଳିଲେ ଆତ୍ମ ନିୟନ୍ତ୍ରଣ ଆସିବ, ଯାହା ଜୀବନର ଲମ୍ବା ଦଉଡ଼ ଲାଗି ବି ସହାୟକ ହେବ ।

୪ - ପିଲାମାନେ ଟି.ଭି. କି ମୋବାଇଲରେ ଯେଉଁ ପ୍ରକାର କଣ୍ଟେଣ୍ଟ ଦେଖୁଛନ୍ତି ସେ ବିଷୟରେ କଥା ହୁଅନ୍ତୁ । ନିଜେ କେବେ କିଛି ଭଲ କଣ୍ଟେଣ୍ଟ ଦେଖିଲେ ତାହା ପିଲାକୁ ବି ଦେଖାନ୍ତୁ । ତେବେ ଯାଇ ସେ ନିଜେ ଦେଖୁଥିବା ଜିନିଷ ବିଷୟରେ ଆପଣଙ୍କୁ କହିପାରିବ ।

୫ - ପିଲାଙ୍କର ଅନ୍ୟ ଯେଉଁ ସବୁ କାର୍ଯ୍ୟକଳାପ କରିବାରେ ଆଗ୍ରହ ରହିଛି ତାହା କରିବାକୁ ଉତ୍ସାହିତ କରନ୍ତୁ । ଏଇ ଯେମିତି ଗୀତ, ନାଚ, ଖେଳ, ଚିତ୍ର ଆଙ୍କିବା, ବହି ପଢ଼ିବା, ଗପ କବିତା ଲେଖିବା ଇତ୍ୟାଦି । ଏସବୁକୁ ସମୟ ଦେବା ବଢିଗଲେ ସେପଟର ସମୟ ଆପେ ଆପେ କମିଯିବ । ପିଲାର ଏସବୁ କାର୍ଯ୍ୟରେ ନିଜେ ବି କେବେ କେବେ ସାମିଲ୍ ହୁଅନ୍ତୁ ।

ଏଇ ଛୋଟ ଛୋଟ ସହଜ ବାଟସବୁ ଆପଣେଇ ଥରେ ଦେଖନ୍ତୁ, ଦୈନନ୍ଦିନ ଜୀବନ କେମିତି ବଦଳି ଯିବ ।

ଶେଷରେ ସ୍କ୍ରିନ୍‌ କୁ ବେଶୀ ସମୟ ଅନେଇ ରହିବାର କୁପରିଣାମ ବିଷୟରେ ଟିକେ କହିଦିଏ । ତାପରେ ହୁଏତ ପିଲାଙ୍କ ପାଇଁ ନହେଲେ ନିଜ ପାଇଁ ଆପଣମାନେ ଟିକେ ବ୍ୟସ୍ତ ହେବେ, ସଚେତନ ହେବେ ଓ ସମାଧାନର ବାଟ ଆପଣେଇବେ; ଯଦ୍ଵାରା ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହେବା ସହ ଆପଣ ସୁଖୀ ମଧ୍ୟ ହୋଇପାରିବେ ।

୧ - ଅନେକ ସମୟ ମୋବାଇଲ୍ ଧରି ବସି ରହିବାରୁ ଖେଳା ବୁଲା ଆଦି ଶାରୀରିକ କସରତ ହୋଇ ନ ପାରି ଶରୀର ଅସୁସ୍ଥ ହୁଏ ।

୨ - ଲମ୍ବା ସମୟ ଧରି ବସି ରହିବା ବା ଅର୍ଦ୍ଧଶାୟିତ ଅବସ୍ଥାରେ ଶୋଇ ରହିବା ଦ୍ବାରା ସ୍ପଣ୍ଡିଲାଇଟିସ୍, ଦୃଷ୍ଟିଶକ୍ତି ଓ ମେରୁଦଣ୍ଡ ସମ୍ବନ୍ଧିତ ଅନ୍ୟାନ୍ୟ ରୋଗ ମଧ୍ୟ ହୁଏ ।

୩ - ସାଙ୍ଗସାଥି, ପରିବାରବର୍ଗଙ୍କ ସହ କଥାବାର୍ତ୍ତା ନକରିବାରୁ ମାନସିକ ସ୍ୱାସ୍ଥ୍ୟ ଖରାପ ହୁଏ, ଏକୁଟିଆପଣ ଅନୁଭୂତ ହୁଏ । ଏହାର ଅନେକ କୁପରିଣାମ ବୟସ ବଢିବା ସହ ଦେଖିବାକୁ ମିଳେ । ଡିପ୍ରେସନ୍‌, ଏଙ୍ଗଜାଇଟି, ସୁଇସାଇଡାଲ୍ ଟେଣ୍ଡେନ୍ସି ଆଦି ଦେଖାଯାଏ ।

୪ - ମସ୍ତିଷ୍କର କାର୍ଯ୍ୟକାରିଣୀ ଶକ୍ତି କମିଯାଏ । ବୋଧଗମ୍ୟତା, ସୃଜନାତ୍ମକତା, ଲଜିକାଲ୍ ଥିଙ୍କିଙ୍ଗ, ସ୍ମୃତି ଶକ୍ତି ଇତ୍ୟାଦିରେ ଅସୁବିଧା ହୁଏ ।

୫ - ନିଦ ଭଲରେ ହୁଏ ନାହିଁ, ଯଦ୍ୱାରା ଅନେକ ପ୍ରକାର ଅସୁସ୍ଥତା ଦେଖାଦିଏ ।

୬ - ମୋବଇଲ୍ ରୁ ବାହାରୁଥିବା ରେଡିଏସନ୍‌ ବିଭିନ୍ନ ପ୍ରକାରର ଛୋଟ ବଡ଼ ରୋଗର କାରଣ ହୋଇଥାଏ । ରୋଗର ନାଁ କହି ଆପଣକୁ ଡରାଇବାକୁ ଚାହୁଁନି ବୋଲି ନିର୍ଦ୍ଦିଷ୍ଟ ନାଁ ଲେଖୁନାହିଁ । ଆଶା ଆପଣ ବିପଦର ପରିମାଣ ବୁଝିପାରୁଥିବେ ।

ତେଣୁ ଯେମିତି ବି ହେଉ ନିଜର ଓ ନିଜ ପିଲାଙ୍କର ସ୍କ୍ରିନ୍‌ ଟାଇମ୍ କମାଇ ସୁସ୍ଥ ରୁହନ୍ତ ଓ ଖୁସି ରୁହନ୍ତୁ । ଆଉଥରେ କେବେ ସ୍କ୍ରିନ୍‌ ଟାଇମ୍ ର ସଦୁପଯୋଗ କେମିତି କରିବେ ସେ ବିଷୟରେ କହିବି ।

Report an Error