ହଷ୍ଟେଲ୍ ଡେ'ଜ୍‌

ହଷ୍ଟେଲ୍ ଜୀବନ ପିଲାମାନଙ୍କ ମାନସିକତାକୁ କେମିତି ଅସୁସ୍ଥ କରେ ଓ ସେ ସମ୍ପର୍କରେ କ'ଣ କରାଯାଇ ପାରିବ, ସେ ବିଷୟରେ କିଛି କଥା ଓ କିଛି ଅନୁଭୂତି ।


ଫଟୋ - ସୁମିତ୍ରା ପାଢ଼ୀ

ବଡ଼ ହେଲା ପରେ ହଷ୍ଟେଲ୍ ରେ ପିଲାବେଳ କଟେଇଥିବା ସାଙ୍ଗସାଥିଙ୍କ ଖଟି ମଜା କଥା ଶୁଣି ମୁଁ ଗୋଟେ ଅଲଗା ଗ୍ରହରୁ ଆସିଥିବା ପରି ମୋତେ ଲାଗେ । ଅଥଚ୍ ପିଲା ଦିନ ଠାରୁ ଆରମ୍ଭ କରି ୨୫ ବର୍ଷ ବୟସ ହେବା ଯାଏଁ, ମାନେ ତଥାକଥିତ ସାର୍ଟିଫିକେଟ୍ ଶିକ୍ଷା ଶେଷ କରିବା ଯାଏଁ ମୁଁ ହଷ୍ଟେଲ୍ ରେ ସମୟ ବିତେଇଛି ଯେ ! ସମସ୍ତେ ଯେ ହଷ୍ଟେଲ୍ ଖୁସିରେ ଯାଇଛନ୍ତି କି ଯାଉ ଯାଉ ଖୁସିରେ ଦିନ ବିତେଇଛନ୍ତି ସେକଥା ଆଦୌ ନୁହେଁ । ସେମାନଙ୍କ ଭିତରେ ଏମିତି ଅନେକଙ୍କୁ ମୁଁ କାଉଁସିଲିଂ କରିବା ଅବସରରେ ଭେଟିଛି, ଯେଉଁମାନଙ୍କ ଭବିଷ୍ୟତର ଅଡ଼ୁଆ ସ୍ଵତାର ଗଣ୍ଠି ଅଟକିଛି ସେଇ ହଷ୍ଟେଲ୍ ଜୀବନ ପାଖରେ । ତେବେ ମୋ ହଷ୍ଟେଲ୍ ଜୀବନ ଅନେକଟା ଭିନ୍ନ । ପ୍ରାୟତଃ ବାପାମାଆ ପିଲାର ମଙ୍ଗଳ ହେବ ଭାବି ବା ଭଲ ପାଠ ହେବ ବୋଲି ହଷ୍ଟେଲ୍‌ରେ ଛାଡ଼ନ୍ତି, ନହେଲେ ଦୁଷ୍ଟାମୀ ସୁଧାରିବାକୁ ଅବା ସମୟ ଦେଇ ପାରନ୍ତିନି ବୋଲି ହଷ୍ଟେଲ୍‌ ଆଣନ୍ତି । ସେସବୁ କାରଣରୁ କେଉଁଟା କିନ୍ତୁ ମୋ କ୍ଷେତ୍ରରେ ଘଟିନି I ହଷ୍ଟେଲ୍ ରେ ରହିବା ଛଡ଼ା ଅନ୍ୟ ପନ୍ଥା ନଥିବାରୁ ହିଁ ମୋତେ ହଷ୍ଟେଲ୍‌ରେ ରହିବାକୁ ହୋଇଥିଲା ।

ବୁଢ଼ା'ପା (ଜେଜେବାପାଙ୍କୁ ଆମେ ବୁଢ଼ା'ପା ଡାକୁ) ଗାଁରେ ତିଆରି କରିଥିଲେ ଗୋଟେ ଚାଳଛପର ମାଟି ଘର । ସେ ଘରେ କିଛି ଦିନ ହେଉ ପଛେ ରହିବାର ଅନେକ ଇଚ୍ଛା ଥିଲା ମୋର । ମଝି ଖୋଲା ଭାଆର (ଅଗଣା) ଚାରି ପାଖରେ ଥିଲା ଛଅଟା ରୁମ୍, ବିରାଟ ଅମାର, ରୋଷେଇ ଶାଳ ଓ ବିରାଟ ବଙ୍ଗଳା । ସେଇ ଘରେ ରହୁଥିଲେ ବୁଢ଼ା'ପା, ବୁଢ଼ୀମା, ଦୁଇ କକା, ଖୁଡ଼ି ଓ ପିଉସୀ । ବାପା ଅନୁଷ୍ଠାନ କରିବା ନିଶାରେ ଆମ ଘର ପାଖ ବାଡ଼ିରେ ଆରମ୍ଭ କରିଥିବା ଏକମଥାନିଆ ଚାଳଘରକୁ ଆଦର୍ଶ, ଦର୍ଶନର ଦ୍ୱାହି ଦେଇ ବୁଢ଼ା'ପା, ବୁଢ଼ୀମାଙ୍କ ସହ ଯୁକ୍ତି କରି ନେଇ ଆସିଥିଲେ ମାଆକୁ । ତେଣୁ ସେଇଠି ପାଠ ପଢ଼ିବାକୁ ଆସିଥିବା ବଡ଼ ବଡ଼ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଦିନ ବିତୁଥିଲା ମୋର । ହଷ୍ଟେଲ୍ ଜୀବନ କଥା କିନ୍ତୁ ମୋର କେବେ କହିବାର ନଥିଲା । ଅତୀତରେ କ'ଣ କଣ ହରେଇଛିର ହିସାବ କରି ବର୍ତ୍ତମାନକୁ ହରେଇବାର ସପକ୍ଷରେ ମୁଁ ନୁହେଁ । ତେବେ ଗତକାଲି ମାନସିକ ଭାବେ ଅସୁସ୍ଥ ଥିବା ଅମିତ୍ ଯେତେବେଳେ ତା' ହଷ୍ଟେଲ୍ ଦିନମାନଙ୍କର ଅସୁବିଧାକୁ ଖୁବ୍ ବଡ଼ ଭାବି ପାହାଡ଼ ପ୍ରମାଣ କରି ଏବେ ବି ଚାଲୁଛି ଜାଣିଲି ସେତେବେଳେ ତା' ପଥର ବୋଝଟାକୁ ତୁଳା କରି ଉଡ଼େଇ ଦେବାକୁ ମୋ କଥା କହିବାକୁ ହେଲା ତାକୁ । କହି ସାରି କହିବାଟା ଏତେ ଜରୁରୀ ଥିଲା ବୋଲି ବୁଝିଲି ଯେତେବେଳେ, ଲେଖିବା ଉଚିତ୍ ହେବ ଭାବିଲି । ହୁଏତ ଆଉ କାହା ବୋଝ ହାଲୁକା ହେବ ଆଶାରେ ।

ଘଟଣାଟି ଏମିତି । ଅମିତ୍‌ କହିବା କଥା ହେଲା, ହଷ୍ଟେଲରେ ସେ ସାଙ୍ଗସାଥି ପାଇଲା ସତ କିନ୍ତୁ ବାପାମାଆଙ୍କ ସହ ସମୟ ବିତେଇ ପାରିଲାନି । ଛୁଟି ଦିନମାନଙ୍କରେ ସେ ଘରକୁ ଆସେ ସତ, କିନ୍ତୁ ଗାଁ ବନ୍ଧୁବାନ୍ଧବ ଘର ବୁଲୁବୁଲୁ ସମୟ ସରିଯାଏ । ବାପା ମାଆଙ୍କ ସହ ବେଶୀ ସମୟ ବିତେଇ ପାରେନି ସେ I ସେଥିପାଇଁ ଉଭୟଙ୍କ ଭିତରେ ବ୍ୟବଧାନଟିଏ ରହିଛି । ସେ ଚତୁର୍ଥରୁ ଦଶମ ଯାଏ ଛଅ ବର୍ଷ ହଷ୍ଟେଲ୍ ରେ ରହିଲା ଯେ ! ଏତକ କ'ଣ ବଡ଼ କଥା ନୁହେଁ ? ବାପା ମାଆ ସପ୍ତାହକୁ ୨-୩ ଥର ତା' ସହ କଥା ହେଉଥିଲେ, ମାସକୁ ୨ ଥର ଭେଟିବାକୁ ଯାଉଥିଲେ, ପର୍ବପର୍ବାଣୀରେ ଘରକୁ ଆଣୁଥିଲେ । ସବୁ କରୁଥିଲେ ଯେ, କିନ୍ତୁ ତାକୁ ହଷ୍ଟେଲ୍ ରେ କାହିଁକି ଛାଡ଼ିଲେ ବୋଲି ରାଗରେ ସେ ଦୁଇ ବର୍ଷ ହେଲା ସେମାନଙ୍କ ସହ କଥା ହେଉନି । ପ୍ରତିଶୋଧ ନେବାର ଏଇ ବାଟ ସେ ପାଇଛି । ମୁଁ ତା କଥା ଶୁଣିସାରି ମୋ ହଷ୍ଟେଲ୍ କଥା କହି ପଚାରିଲି, "ତୁମ ହିସାବରେ ତାହେଲେ ମୁଁ କାହା ଉପରେ, କେମିତି ଆଉ କ'ଣ ପ୍ରତିଶୋଧ ନେବି ଟିକେ ବତେଇଦିଅ ।

ମୋତେ ଆଠ ଦଶ ମାସ ହୋଇଥିବା ବେଳେ କି କ'ଣ ମୁଁ ହଷ୍ଟେଲ୍ ରେ ଆସି ରହିଲି । ପାଟି ଖୋଲିଲା ବେଳକୁ ବାପାଙ୍କୁ ଡାକୁଥିଲି ଭାଇ ଓ ମାଆଙ୍କୁ ଭାଉଜ । ଡାକୁଥିଲି କ'ଣ ଯେ ଡାକିବାକୁ ହୋଇଥିଲା । କେବେ ଥରେ ଭୁଲ୍ ରେ ବାପା ଡାକିଦେଇଥିଲି ବୋଲି ଯେଉଁ ନିଆଁ ବାହାରିବା ପରି ଚଟକଣାଟେ ଗାଲରେ ବସିଥିଲା, ସେଇଟା ମନେ ରଖିବାକୁ ହେଇଥିଲା । "ଅନୁଷ୍ଠାନ ଭିତରେ ବାପା ଫାପା କେହି ନାହିଁ । ଆମେ ଏଠି ତୁମ ପାଇଁ ଯାହା ସମସ୍ତଙ୍କ ପାଇଁ ସେଇଆ। " ବୋଲି ଶେଷ କଥା ଶୁଣେଇ ଦିଆଯାଇଥିଲା । ସେମାନଙ୍କର ସମସ୍ତଙ୍କ ପାଇଁ ସମାନ ହେବା ନ୍ୟାୟରେ ମୁଁ ସେଇ ଦୁଇ କି ଅଢେଇ ବର୍ଷ ବୟସରେ ହରେଇ ଥିଲି ଉଭୟ ବାପା ମାଆଙ୍କୁ । ବାପାଙ୍କର ଯାହା ହଉ ଏତିକି କହିବାକୁ କି ଚଟକଣା ମାରିବାକୁ ସମୟ ଥିଲା, କିନ୍ତୁ ମାଆ ଉପରେ ଏତେ କାମ ଥିଲା ଯେ ସେ ନିଜେ ଘଡିଏ ଶୋଇବାକୁ ସମୟ ପାଉନଥିଲା । ହଷ୍ଟେଲ୍‌ର ସବୁ ପିଲା ଓ ଶିକ୍ଷକଙ୍କ ଲାଗି ତିନି ଓଳି ରୋଷେଇ କରିବା ଠୁ ଆରମ୍ଭ କରି ମନ୍ଦିର ଫୁଲ ସଜା, ଶହେ କି ଦୁଇ ଶହ ବାଲ୍‌ତି ପାଣି କୁଣ୍ଡରୁ ନେଇ ଫୁଲ ବଗିଚ଼ା ସାରା ଦେବା, ପିଲାଙ୍କୁ ପଢ଼େଇବା, ପିଲା/ଅଭିଭାବକ/ଶିକ୍ଷକ ବାପାଙ୍କର ରୁକ୍ଷ ବ୍ୟବହାରରେ ରାଗି ପଳେଇବା ବେଳେ ତାଙ୍କୁ ବୁଝାସୁଝା କରିବା ଆଦି କାମ ଲାଗି ରହୁଥିଲା ପଛକୁ ପଛ । ମୁଁ ତେଣୁ ମାଆକୁ ଦେଖିବାକୁ ହିଁ ପାଏନି । ସେଇଥିପାଇଁ ବାପା ମାଆ ପିଲାଙ୍କୁ କେମିତି ସମୟ ଦିଅନ୍ତି, ଭଲ ପାଆନ୍ତି, ଜିନିଷ କିଣି ଦିଅନ୍ତି, କଥା ହୁଅନ୍ତି, ସେକଥା ମୁଁ କେବେ ଅଙ୍ଗେ ନିଭେଇନି ।

ଛୁଟିଦିନରେ ହଷ୍ଟେଲ୍ ପିଲା ସବୁ ଘରକୁ ଯାଇ ବୁଲନ୍ତି । ଆମର ସେତକ ସୁଯୋଗ ବି ନ ଥାଏ । ସବୁ ପିଲା ଘରକୁ ଯାଇ ନସାରିବା ଯାଏ ଆମେ କୁଆଡ଼େ ଯିବାର ପ୍ରଶ୍ନ ଉଠୁନି । କାଳେ ଶେଷରେ ରହିଥିବା ପିଲାଟାକୁ ଏକା ଲାଗିବ ଯେ ! ଆମେ ତ ପିଲା ନୁହେଁ ନା! ସବୁ ପିଲା ଯିବା ପରେ ଅଳ୍ପ କେଇ ଦିନ ପାଇଁ ମାମୁଁ ଘରକୁ ହିଁ ଯିବା ହୁଏ । ସେ ପୁଣି ବର୍ଷକୁ ମାତ୍ର ଦୁଇ ଥର । ସବୁ ପିଲାଙ୍କ ପାଇଁ ଏ ନିୟମ ଦଶମ ଶ୍ରେଣୀ ପରେ ସରିଯାଇଥିଲା ସିନା ଆମ ପାଇଁ କିନ୍ତୁ ଏମ୍. ଏ ପର୍ଯ୍ୟନ୍ତ ଏ ନିୟମ ଲାଗୁ ଥିଲା । ଘରେ ଯେହେତୁ ଅନୁଷ୍ଠାନ ଚାଲୁଥିଲା ଛୁଟିରେ ଆମେ ସେଇଠିକି ହିଁ ଫେରୁଥିଲୁ । ସକାଳ ଜଳଖିଆରେ ଚୁଡ଼ା ସମସ୍ତେ ୧୦ ବର୍ଷ ସର୍ବାଧିକ ଖାଇଥିବେ, ମୁଁ କିନ୍ତୁ ଖାଇଛି ୨୫ ବର୍ଷ କାଳ । ଜୀବନର ୨୫ ବର୍ଷ...

ହଷ୍ଟେଲରେ ଛୋଟମୋଟ ଭୁଲ୍‌ ପାଇଁ ମାଡ଼ ତ ସବୁବେଳେ ହୁଏ । ତେବେ ଅନ୍ୟମାନଙ୍କ ଠୁଁ ଆମକୁ; ମାନେ, ମୋତେ ଓ ମୋ ସାନ ଭାଇକୁ ବେଶି ମାଡ଼ ଖାଇବାକୁ ପଡ଼େ । ଭୁଲ୍ କରିନଥିଲେ ବି । କାଳେ ଅନ୍ୟ ପିଲା କି ଶିକ୍ଷକ ତାଙ୍କ ପିଲା ବୋଲି ମାରିଲେନି କହିଦେବେ କି କେହି ବୋଲି, ଭୁଲ୍ କରିନଥିଲେ ବି ମାଡ଼ ବସେ । ଆଉ ଅଧିକ ବସେ, କାଳେ କିଏ ପୁଣି ନିଜ ପିଲାକୁ କମ୍ ମାରିଲେ ବୋଲି କହିଦେବେ କି ? ଏପଟେ ଶିକ୍ଷକମାନଙ୍କର ବି ବଡ଼ ରାଗ ଥାଏ ଆମ ଉପରେ ।

ମ୍ୟାନେଜମେଣ୍ଟ ସାଇଡ୍ ରୁ ଯାହା ରାଗ ଥାଏ ସେସବୁ କ୍ଲାସରେ ଶୁଝେ । ପିଲାଙ୍କୁ ମାଡ଼ ହେଲେ, ସେମାନେ ସିନା ତାଙ୍କ ବାପାମାଆଙ୍କୁ କହିବେ କି ଘରେ ଜଣେଇଦେବାର ଡର ଥାଏ । ହେଲେ ଆମକୁ ମାରିଲେ କିଏ ବା କାହାକୁ କହିବ ଯେ ? ବାକି ରହିଲେ ସାଙ୍ଗସାଥି । ସେମାନେ ସବୁବେଳେ ନିଜକୁ ଆମଠୁ ଅଲଗା ଭାବନ୍ତି, ଦୂରେଇ ରୁହନ୍ତି, ଇର୍ଷା କରନ୍ତି । ସେକ୍ରେଟାରୀଙ୍କ ପୁଅଝିଅ ସାଙ୍ଗ ହେବାର ଯୋଗ୍ୟ ନୁହେଁ । ତେଣୁ ଆମେ ଏକୂଳର ହେଲୁନି କି ସେକୂଳର ହେଲୁନି । ମାଆ ସହ ମୁଁ ଝିଅ ପରିକା, ମାନେ ମାଆ-ଝିଅ ଭଳି ପ୍ରଥମେ କଥା ହେଲି ଯାଇ ଗ୍ରାଜୁଏସନ୍‌ ବେଳେ ।

ତେଣୁ ମୁଁ ପିଲାବେଳେ କ'ଣ କ'ଣ ହରେଇଛି ତାଲିକାଟା ଖୁବ୍ ଲମ୍ବା ତେବେ ସେ ବିଷୟରେ ଆଉ କେବେ ବିଷଦ ଭାବରେ ଆତ୍ମଜୀବନୀରେ ଲେଖିବା । ଆଜି ହଷ୍ଟେଲ୍ ଜୀବନ ପିଲାମାନଙ୍କ ମାନସିକତାକୁ କେମିତି ଅସୁସ୍ଥ କରେ ଓ ସେ ସମ୍ପର୍କରେ କ'ଣ କରାଯାଇ ପାରିବ, ସେ ବିଷୟରେ କିଛି କହୁଛି ।

ପିଲାକୁ ହଷ୍ଟେଲ୍ ରେ ଛାଡ଼ିବା ପୂର୍ବରୁ କାହିଁକି ଛାଡ଼ିବାକୁ ଚାହୁଁଛନ୍ତି ସେ ବିଷୟରେ ନିଶ୍ଚିତ ହୁଅନ୍ତୁ । ଯଦି ପିଲାକୁ ଘରେ ରଖି ଆପଣ ଦିନକୁ ଚାରିଛଅ ଥର ବା ତା'ଠୁ କମ୍ କି ବେଶୀ ମରାଧରା କରୁଛନ୍ତି, ତେବେ ଆପଣଙ୍କଠୁ ସେ ଦୂରରେ ରହିବା ହିଁ ଭଲ । ଆପଣ ଯଦି ପିଲାକୁ ସମୟ ଦେଇ ପାରୁନାହାଁନ୍ତି ବୋଲି ବାହାରେ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଆଗ ହଷ୍ଟେଲ୍ ପରିବେଶ ଠିକ୍ ଅଛି ନା ନାହିଁ ଦେଖନ୍ତୁ । ପିଲା ଦାୟିତ୍ୱରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ସ୍ନେହୀ କି ନୁହେଁ ଦେଖନ୍ତୁ । ତାଙ୍କ ନାଁ ନୁହେଁ, ବ୍ୟବହାର ସ୍ନେହପୂର୍ଣ୍ଣ ହେଇଥିବା ଦରକାର । ପିଲାକୁ ମାଡ଼ କି ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା ଅବା ଛୋଟ କରି ଦେଖାଯାଉନି ବୋଲି ନିଶ୍ଚିତ ହୁଅନ୍ତୁ । ସ୍ୱାସ୍ଥ୍ୟକର ଖାଇବା ଦିଆଯାଉଛି କି ନାହିଁ ଦେଖନ୍ତୁ । ହଷ୍ଟେଲ୍ ରେ ଛାଡ଼ିବା ପୂର୍ବରୁ ସେ ପୁଅ ହେଉ କି ଝିଅ, ତାକୁ ଗୁଡ୍‌ ଟଚ୍ ଓ ବ୍ୟାଡ୍‌ ଟଚ୍ ବିଷୟରେ ଫରକ୍ ଜଣାନ୍ତୁ । କାରଣ, ସେଠାରେ ତା ମୁହଁକୁ ଚାହିଁଦେଇ, ତାର କ'ଣ ହେଇଚି ସେକଥା ଅନୁମାନ କରିବାକୁ ଆପଣ ନଥିବେ । ହଷ୍ଟେଲ୍ ରେ ରହିବାର କାରଣ ଓ ଲାଭ ବିଷୟରେ ଖୋଲାଖୋଲି ପିଲା ସହ ଆଲୋଚନା କରି ବୁଝାଇବା ପରେ ହିଁ ଛାଡ଼ନ୍ତୁ, ହେଉପଛେ ସେ ପାଞ୍ଚ ବର୍ଷ ବୟସର ପିଲା । ମୋର ବିଶ୍ବାସ, ଆମଠୁ ପିଲାଙ୍କର ବୁଝିବାର ଦକ୍ଷତା ଅଧିକ ।