ଓଡିଶାରେ ସିନେମା ଘର: ଅତୀତ ଓ ଭବିଷ୍ୟତ

ସିନେମାର ଇତିହାସ ହୁଏତ ଅଛି, ହେଲେ ସିନେମା ହଲ୍ ର ଇତିହାସ କାଇଁ ? ଓଡିଶାରେ ସିନେମା ହଲ୍ ର ଇତିହାସ ଓ ଅବସ୍ଥିତିକୁ ନେଇ ଏକ ଚମତ୍କାର ଆଲେଖ ଏଥିରେ ରହିଛି । ସିନେମାର ଇତିହାସ ସିନେମା ହଲ୍ ର ଇତିହାସଠାରୁ ଅଲଗା ରହି ପାରିବ ନାହିଁ ।


ଫଟୋ - ୱିକିପିଡିଆ

ଚୈତ୍ର ଶୁକ୍ଳପକ୍ଷ ପ୍ରଥମ ଦିନ । ଓଡିଆ ଲୋକଙ୍କ ପାଇଁ ଇତିହାସରେ ସୃଷ୍ଟି ହୋଇଥିଲା ଏକ ଅବିସ୍ମରଣୀୟ ଅଧ୍ୟାୟ । ଏପରି ସୁଯୋଗ ସୃଷ୍ଟି କରିଥିଲା ‘ଉତ୍କଳ ସମ୍ମିଳନୀ’ । ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ସ୍ଥାପିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ । ଭାଷା ସୂତ୍ରରେ ଓଡିଆ ଲୋକଙ୍କୁ ଏକତ୍ର କରି ପକାଇ ଥିଲା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଭିତ୍ତିଭୂମି । ୧୯୩୬ ମସିହାର ଶୁଭ ଦିବସ । ଚୈତ୍ରର ଚିତ୍ରିତ ପୃଷ୍ଠାରେ ଯୋଡି ହୋଇଗଲା ଓଡିଆ ଭାଷା - ଭାଷୀଙ୍କ ଭାଗ୍ୟ । ଏକ ସଂଗେ ଲେଖାଗଲା, ‘ସ୍ବତନ୍ତ୍ର ଓଡିଶା ପ୍ରଦେଶ’ ଓ ଓଡିଆ ସିନେମା ଶିଳ୍ପର ଜନ୍ମ ଜାତକ ।

୧୯୨୩ ମସିହାରେ ‘ସୀତା ବିବାହ’ ଯୋଜନାଟି ଆରମ୍ଭ କରିବାର ଆଗ୍ରହ ଦେଖାଇଥିଲେ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ବାମୀ ଓ ତାଙ୍କ ପ୍ରିୟ ଶିଷ୍ୟ ପ୍ରିୟନାଥ ଗାଙ୍ଗୁଲି । ମଧୁବାବୁଙ୍କ ପବିତ୍ର ଜନ୍ମଦିବସରେ ‘ସୀତା ବିବାହ’ର ସ୍ବତନ୍ତ୍ର ପ୍ରଦର୍ଶନ ହୋଇଥିଲା ପୁରୀର ‘ଲକ୍ଷ୍ମୀ ଟକିଜ୍’ରେ । ଅବଶ୍ୟ ‘ସୀତା ବିବାହ’ର ମୁକ୍ତିଲାଭର ୯ ବର୍ଷ ପୂର୍ବରୁ ଓଡିଶାରେ ନିର୍ମାଣ ହୋଇ ସାରିଥିଲା ସିନେମା ଘରର ଭିତ୍ତିଭୂମି । ୧୯୨୭ ମସିହାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ପ୍ରତିଷ୍ଠା ହୋଇଥିଲା SSVT ବା ‘ସୀତାରାମ୍ ବିଳାସ ଟକିଜ୍’ । ସେ ସମୟରେ କୋଲକତାଠାରୁ ଭାଇଜାକ୍ ମଧ୍ୟରେ କୌଣସି ସିନେମା ହଲ୍’ ନଥିଲା । ଜୟପୁର ସମେତ ଓଡିଶାର ସମସ୍ତ ଦକ୍ଷିଣାଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିଲା । ୧୯୧୧ ମସିହାରେ ମାଡ୍ରାସର ଆର୍ସିଏ କମ୍ପାନୀ ଦ୍ବାରା ଆରମ୍ଭ ହୋଇଥିଲା SSVT ଟକିଜ୍ ର ନିର୍ମାଣ କାର୍ଯ୍ୟ । ଏକ ଚାଳ ଘରେ ଏହା ଆରମ୍ଭ ହୋଇଥିଲା । ୧୯୧୩ ମସିହାରେ ମୁକ୍ତିଲାଭ କରିଥିବା ଦାଦା ସାହେବ ଫାଲକେଙ୍କ ନିର୍ବାକ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ଏବଂ ୧୯୩୧ ମସିହାରେ ମୁକ୍ତିପ୍ରାପ୍ତ ଆର୍ଦେଶିର ଇରାନୀଙ୍କ ‘ଆଲମ ଆରା’ ଏଠାରେ ପ୍ରଦର୍ଶିତ ହୋଇଥିଲା । ସିନେମା ଘରଟିର ମାଲିକ ଥିଲେ ଭୂତିଆ ସେଠୀ । ଗାଁ ଗହଳିର ଲୋକେ ଏ ସିନେମା ହଲକୁ ଭୂତିଆ ସେଠୀ ପେଣ୍ଡଲ ବୋଲି କହୁଥିଲେ । ଭାରତର ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଅନେକ ଥର ଏଠାରେ ସିନେମା ଦେଖିଥିବାର ରେକର୍ଡ ରହିଛି । ଓଡିଶାର ସବୁଠୁ ପୁରୁଣା ସିନେମା ଘର SSVT ଏବଂ ବଡ ସିନେମା ହଲ୍ ‘ଜ୍ୟୋତି’ । ଯାହା ବ୍ରହ୍ମପୁରରେ ନିର୍ମାଣ ହୋଇଥିଲା ।

୧୯୩୪ ମସିହାରୁ ୧୯୩୬ ମସିହା, ଓଡିଆ ଚଳଚ୍ଚିତ୍ର ପାଇଁ ଥିଲା, ସ୍ବପ୍ନ ଓ ସମ୍ଭାବନାର ସମୟ । କଟକରେ ଥିଲା ମାତ୍ର ୨ଟି ସିନେମା ଘର। ‘ଏକମୀ ଥିଏଟର’ ଓ ‘ସିନେମା ପ୍ୟାଲେସ୍’ । ନିର୍ବାକ ସିନେମା ସମୟରୁ ଅନ୍ନପୂର୍ଣ୍ଣା ବି -ଗ୍ରୁପ୍ ହତା ମଧ୍ୟରେ ଥିଲା ‘ଏକମୀ ଥିଏଟର୍’ । ଥିଏଟର୍ ର ମାଲିକ ଥିଲେ ମୋଟର ମେକାନିକ୍ ତଥା ବ୍ୟବସାୟୀ ସ୍ବର୍ଗତ ଚନ୍ଦ୍ର କିଶୋର ଦାସ । କୋଲକତାର ହଳଧର ମୁଖାର୍ଜୀଙ୍କୁ ସେ ‘ଏକମୀ ଥିଏଟର’ଟି ବିକ୍ରି କରି ଦେଇଥିଲେ । ବିକ୍ରି ପରେ ଏହାର ନାମ ହେଲା ‘ହଲମୁଖ୍’ । ପୁରୁଣା ରେଡିଓ ଷ୍ଟେସନ ମଧୁପୁର ରାଜାଙ୍କ କୋଠି ସାମ୍ନାରେ ଥିଲା ‘ସିନେମା ପ୍ୟାଲେସ୍’ । ଏହାର ମାଲିକ ଥିଲେ କେରଳ ଖ୍ରୀଷ୍ଟିଆନ୍ ମୋଟର ମେକାନିକ୍ ମିଷ୍ଟର ଫ୍ରାନସିସ୍ । ୧୯୫୯ ମସିହାରେ ମୁକ୍ତିଲାଭ କଲା ‘ଲଳିତା’ । ଏହାପରେ ‘ଶ୍ରୀଜଗନ୍ନାଥ’ । ୧୯୫୧ ମସିହା ଫେବୃଆରୀ ୫ ତାରିଖରେ ‘ଶ୍ରୀଜଗନ୍ନାଥ’ ମୁକ୍ତିଲାଭ କରିଥିଲା ବ୍ରହ୍ମପୁରର ‘ଜ୍ୟୋତି’ ସିନେମା ହଲ୍ ରେ । ସେ ସମୟରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସିକା ଓ ଗଜପତି ଜିଲ୍ଲାରେ ସ୍ଥାୟୀ ସିନେମା ହଲ୍ ନିର୍ମାଣ ହୋଇ ସାରିଥିଲା । ସିନେମା ହଲ୍’ରେ ଲାଗି ସାରିଥିଲା ସିପ୍ଲେକ୍ସର ପ୍ରୋଜେକ୍ଟର । ତିଆରି ହୋଇସାରିଥିଲା ବାଲକୋନୀ । ୧୯୫୦ ମସିହାରେ ସମ୍ବଲପୁରରେ ଏକ ସିନେମା ହଲ୍ ପ୍ରତିଷ୍ଠା ହୋଇଥିଲା । ରେଢାଖୋଲର ରାଣୀ ସଦା ରାଜଲକ୍ଷ୍ମୀ ଦେବୀଙ୍କ ନାଁ ଅନୁଯାୟୀ ସିନେମା ହଲ୍ ର ନାଁ ଥିଲା ଲକ୍ଷ୍ମୀ । ୧୯୪୯ ମସିହାରୁ ୧୯୫୧ ମସିହା । ଏହି ତିନି ବର୍ଷରେ ଏକ ପରିବର୍ତ୍ତନ ଧାରାର ସମୟ ଓଡିଆ ସିନେମାକୁ ଛଇଁଥିଲା । କଟକରେ ଆରମ୍ଭ ହେଲା ‘କ୍ୟାପିଟାଲ ଟକିଜ୍’ । ଓଡିଶାର ପ୍ରଥମ ଦ୍ବିଭାଷୀ ଚଳଚ୍ଚିତ୍ର ‘ଆମରି ଗାଁ ଝୁଅ’ର ପ୍ରଯୋଜକ ନରେନ ମିତ୍ର ଥିଲେ ଏହାର ମାଲିକ । ଆବଶ୍ୟକତା ପାଇଁ ଆବିଷ୍କାର । ଆକାଂକ୍ଷା ସୃଷ୍ଟି କରେ ଉତ୍ସାହ ଓ ଉତ୍କଣ୍ଠା । ମୌଳିକତା ହିଁ ପ୍ରତିପାଦନ କରେ ମହତ୍ତ୍ବ । ‘ଶ୍ରୀ ଲୋକନାଥ’ ମୁକ୍ତିଲାଭର ପରବର୍ତ୍ତୀ ଅବସ୍ଥା ଥିଲା ଓଡିଆ ସିନେମା ପାଇଁ ଶ୍ରମ ଓ ସଘନର ସମୟ । ୧୯୬୦ ମସିହା ଏପ୍ରିଲ ୧୪ ତାରିଖରେ ‘ଶ୍ରୀ ଲୋକନାଥ’ ମୁକ୍ତିଲାଭ କରିଥିଲା ‘କ୍ୟାପିଟାଲ ଟକିଜ୍’ରେ ।ସେତେବେଳକୁ ଓଡିଶାରେ ଥିଲା ମାତ୍ର ୫୬ ଟି ହଲ୍ । ଓଡିଆ ସିନେମା ଜଗତର ବିଭିନ୍ନ କ୍ଷେତ୍ରରେ ସାମିଲ ଥିବା ଗୋପାଳ ଘୋଷ ୧୧ଟି ଟୁରିଂ ସିନେମା ସହିତ ‘ୟୁନାଇଟେଡ୍’ ଟକିଜ୍ ବୁଝାବୁଝି କରୁଥିଲେ । କଟକର ସହିଦ ଭବନରେ ଅସ୍ଥାୟୀ ଭାବେ ଚାଲୁଥିଲା ‘ୟୁନାଇଟେଡ୍’ ଟକିଜ୍ । ୟୁନାଇଟେଡ୍’ ଟକିଜ୍ ଭାଂଗିଯିବା ପରେ ସହିଦ ଭବନ ସମ୍ମୁଖ ମ୍ୟୁନିସପାଲଟି ପଡିଆରେ ନିର୍ମାଣ ହୋଇଥିଲା ‘ପାର୍ବତୀ ଟକିଜ୍’ । ଗୋଟିଏ ବର୍ଷ ଭିତରେ ଓଡିଶାରେ ଟୁରିଂ ସିନେମା ବନ୍ଦ ହୋଇ ଆସୁଥିଲା । ପ୍ରଜାତନ୍ତ୍ର ଅଫିସ ହତାରେ ସେ ସମୟରେ ଆରମ୍ଭ ହେଲା ‘ସୂରଜ ଟକିଜ୍’ । ‘ପାର୍ବତୀ ଟକିଜ୍’ର ଅଂଶ, ‘ସୂରଜ ଟକିଜ୍’ରେ ଲାଗିଥିବାରୁ ‘ପାର୍ବତୀ ଟକିଜ୍’କୁ ବନ୍ଦ କରି ଦିଆଗଲା । କିଛି ବର୍ଷ ପରେ ‘ସୂରଜ ଟକିଜ୍’ ଭାଂଗିଗଲା ।

ଅତୀତର ଦୃଷ୍ଟି ଓ ଭବିଷ୍ୟତର ଦିଗନ୍ତ ଭିତରେ ବର୍ତ୍ତମାନର ଭୂମିକା । ଓଡିଆ ସିନେମାର ସ୍ଥିତି ଓ ଗତିର ଅନ୍ବେଷଣ । ପ୍ରଫୁଲ୍ଲ ସେନଗୁପ୍ତାଙ୍କ ‘ଶ୍ରୀ ଲୋକନାଥ’ ଠାରୁ ସତୁରି ଦଶକ ପ୍ରାରମ୍ଭର ସିନେମା ‘ଅଦିନ ମେଘ’ ପର୍ଯ୍ୟନ୍ତ ଖୁବ ରୋମାଞ୍ଚକର । ସେ ସମୟରେ ଓଡିଆ ସିନେମା ଜଗତରେ ମୁକ୍ତିଲାଭ କରିଥିଲା ୨୪ଟି ଚଳଚ୍ଚିତ୍ର । ୧୯୬୯ ମସିହା ଫେବୃଆରୀ ୧ ତାରିଖରେ କଟକରେ ଉଦଘାଟିତ ହୋଇଥିଲା ‘ଗ୍ରାଣ୍ଡ୍’ ସିନେମା ହଲ୍ । ହଲ୍ ରେ ୧୯୭୦ ମସିହା ଜାନୁଆରୀ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ‘ଅଦିନ ମେଘ’ । ସିନେମା ଜଗତରେ ୧୯୬୦ ମସିହାର କଥା ଥିଲା ଖୁବ୍ ରୋଚକ । ଏହା ଭିତରେ ୧୯୬୧ ମସିହା, ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ଖଣ୍ଡଗିରି ଷ୍ଟୁଡିଓ । ଓଡିଆ ଚଳଚ୍ଚିତ୍ରକୁ କ୍ଷୁଦ୍ର ଶିଳ୍ପ ଶ୍ରେଣୀ ଭୁକ୍ତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଆଗ୍ରହକୁ ଭୁଲି ହେବ ନାହିଁ । ତାଙ୍କ ପ୍ରେରଣାରେ ସରକାରୀ ବିଧି ବ୍ୟବସ୍ଥା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୯୬୬ ମସିହାରେ ଶ୍ରୀ ସଦାଶିବ ତ୍ରିପାଠୀଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ବିହାର - ଓଡିଶା ଷ୍ଟେଟ୍ ଏଡ୍ ଟୁ ଇଣ୍ଡଷ୍ଟ୍ରିଜ ଆକ୍ଟ ଓ ୧୯୨୩ ରୁଲ୍ ଆଧାରରେ ଓଡିଆ ଚଳଚ୍ଚିତ୍ର କ୍ଷୁଦ୍ର ଶିଳ୍ପ ଅନ୍ତର୍ଭୁକ୍ତ ହୋଇଥିଲା । ’ସୀତା ବିବାହ’ ର ୪୦ ବର୍ଷ ପରେ ମୁକ୍ତିଲାଭ କରିଥିଲା, ପ୍ରଥମ ଓଡିଆ ରଂଗୀନ ସିନେମା ‘ଗପ ହେଲେବି’ ସତ’ । ୧୯୭୬ ମସିହାରେ ଚଳଚ୍ଚିତ୍ରଟି କଟକର ‘ପ୍ରଭାତ’ ଓ ‘ଜ୍ୟୋତି’ ସିନେମା ହଲ୍’ରେ ମୁକ୍ତିଲାଭ କରିଥିଲା । ୧୯୭୭ ମସିହାରେ ଏହା ଦିଲ୍ଲୀ ଆନ୍ତର୍ଜାତିକ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ୧୯୭୮ ମସିହା ଥିଲା କଳାହାଣ୍ଡି ଜିଲ୍ଲା ସିନେଶିଳ୍ପୀଙ୍କ ପାଇଁ ଉତ୍ସାହର ଦିନ । ଏପ୍ରିଲ୍ ୨୧ ତାରିଖ ଦିନ ଭବାନୀପାଟଣାର ସତ୍ୟମ୍ ସିନେମା ହଲରେ ମୁକ୍ତିଲାଭ କରିଥିଲା, ଏଠାରୁ ପ୍ରଯୋଜିତ ଚଳଚ୍ଚିତ୍ର ‘ସମର୍ପଣ’ ।

ପ୍ରେମ ସ୍ପର୍ଶରୁ ପ୍ରଳୟର ପଦଧ୍ବନି । ଓଡିଆ ସିନେମା ଶିଳ୍ପରେ ଏକ ମୁକ୍ତ ଓ ରୋମାଞ୍ଚିତ ଯୁଗ ସୃଷ୍ଟି ହୋଇଥିଲା ‘ଗପ ହେଲେବି ସତ’ ମୁକ୍ତିଲାଭ ପରେ । ଆରମ୍ଭ ହୋଇଥିଲା ଓଡିଆ ସିନେମାରେ ରଂଗୀନ୍ ଯୁଗ । ୧୯୭୬ ମସିହାରୁ ଅତିକ୍ରାନ୍ତ ୨୩ ବର୍ଷ ପରେ ସାରା ଓଡିଶା ସାମ୍ନା କରିଥିଲା ମହାବାତ୍ୟାର ମହାପ୍ରଳୟ । ବିପତ୍ତି ଓ ବିପର୍ଯ୍ୟୟ । ୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ପବନ ଶୁଣାଇ ଥିଲା ପ୍ରଳୟର ସ୍ବର ।

୨୯ ତାରିଖରେ ସାମୁଦ୍ରିକ ଝଡ ସଂହାର ଲୀଳା ରଚିବା ପୂର୍ବରୁ ମୁକ୍ତିଲାଭ କରିଥିଲା ୨୫୧ଟି ଚଳଚ୍ଚିତ୍ର । ୧୯୯୯ ମସିହାରେ ମୁକ୍ତିପ୍ରାପ୍ତ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଷୋଳ ଶୁକ୍ରବାର’ । ଶେଷ ଚଳଚ୍ଚିତ୍ର ଥିଲା ‘ରକତ ଚିହ୍ନିଛି ନିଜର କିଏ’ । ରଂଗୀନ୍ ସିନେମା ସଂଧିକ୍ଷଣର ୨୩ ବର୍ଷ ଭିତରେ ନିର୍ମାଣ ହୋଇ ସାରିଥିଲା ଅନେକ ହଲ୍ । କଟକ ବକ୍ସି ବଜାରର ଏକ ପରିତ୍ୟକ୍ତ ପାର୍କିଂ ସାମ୍ନାରେ ଚାଲୁଥିଲା ‘ପ୍ରଭାତ’ । ରାଣୀହାଟ କଲ୍ୟାଣ ମଣ୍ଡପରେ ଥିଲା ‘ହିନ୍ଦ୍’ ସିନେମା ହଲ୍ । ମହତାବ ରୋଡରେ ସୋ’ ପ୍ରଦର୍ଶନ କରୁଥିଲା ‘ଗ୍ରାଣ୍ଡ୍’ । ଏହାର ମାଲିକ ଥିଲେ ଉତ୍ସବାନନ୍ଦ ସାମନ୍ତରାୟ । ୧୯୭୯ ମସିହାରେ ସେ ତାଙ୍କ ସ୍ତ୍ରୀଙ୍କ ନାମରେ ପ୍ରତିଷ୍ଠା କରିଥିଲେ ‘ନିଶାମଣି’ । ୧୯୮୫ ମସିହାରେ ବାଦାମବାଡିରେ ଖୋଲିଥିଲା ‘ଜୟଶ୍ରୀ’ ସିନେମା ହଲ୍ । ହଲ୍ ର ପ୍ରଥମ ପ୍ରଦର୍ଶିତ ସୋ’ ଥିଲା ମୁକୁଲ ଆନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାନୁନ୍ କ୍ୟା କରେଗା’ । କଟକରେ ୧୯୮୨ ମସିହାରେ ‘ସଂଗମ୍’ ସିନେମା ହଲ୍ ପ୍ରତିଷ୍ଠା ହୋଇଥିଲା । ‘ସାଗର’ ଓ ‘ସଂଗମ୍’ ୨ଟି ସିନେମା ହଲ୍ ନାମରେ ଲାଇସେନ୍ସ ଥିଲେ ବି ‘ସଂଗମ୍’ ଚାଲିଲା । ‘ସାଗର’ ଚାଲି ପାରିଲା ନାହିଁ । ପରବର୍ତ୍ତୀ ସମୟରେ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ‘ସାଗର’ ସ୍ଥାନରେ ନିର୍ମାଣ ହୋଇଥିଲା ‘ସଂଗମ୍ ସ୍କ୍ରିନ - ୨’ । ଦେବୀ ଓ ଦୁର୍ଗା ସିନେମା ହଲ୍ ବନ୍ଦ ହୋଇଯିବା ପରେ ନିର୍ମାଣ ହୋଇଥିଲା ଆଇନକ୍ସ ।

ସତୁରି ଦଶକ ଶେଷ ଆଡକୁ ଭୁବନେଶ୍ବରରେ ଚାଲୁଥିଲା ‘ଶ୍ରୀୟା’ ଓ ‘ସ୍ବାତୀ’ । ୧୯୯୨ ମସିହାରେ ଏହା ସହିତ ସଂଯୁକ୍ତ ହୋଇ ପ୍ରତିଷ୍ଠା ହେଲା "ସ୍ତୁତି" । ୧୯୮୨ ମସିହାରେ ଭୁବନେଶ୍ବରରେ ଖୋଲିଲା ଆଉ ଏକ ସିନେମା ହଲ୍ ‘କେଶରୀ’ । ‘ରବି ଟକିଜ୍’ ଓ ‘କଳ୍ପନା’ ସିନେମା ହଲ୍ ପ୍ରତିଷ୍ଠା ହୋଇ ସାରିଥିଲା । ୧୯୯୬ରେ ଆରମ୍ଭ ହୋଇଥିଲା ‘ଏକାମ୍ର’ ସିନେମା ହଲ୍ । ହଲ୍ ରେ AC ନ ଥିଲା, ହେଲେ ଭିଡ ଜମୁଥିଲା । ଅଶୀ ଦଶକରେ ଗ୍ରାମାଞ୍ଚଳ ଦର୍ଶକଙ୍କ ପାଇଁ ଧର୍ମଶାଳା ବ୍ଲକର ଜାରକାରେ ଏକ ଚାଳ ଘରେ ଚାଲୁଥିଲା ‘ଉର୍ବଶୀ ଟକିଜ୍’ । ପୂଜା - ପାର୍ବଣରେ ଭିଡ ଜମୁଥିଲା । ୧୯୮୮ ମସିହାରେ ଧର୍ମଶାଳାରେ ଖୋଲିଲା ‘ଲୋକନାଥ ଟକିଜ୍’ । ଆଜିକାଲି ସିନେମାଟିଏ ମୁକ୍ତିଲାଭ କଲେ କଟକ ଓ ଭୁବନେଶ୍ବରରେ ଆୟୋଜିତ ହେଉଛି ପ୍ରିମିୟର ସୋ’ । ଓଡିଶାର ବିଭିନ୍ନ ପ୍ରାନ୍ତରେ ଚଳଚ୍ଚିତ୍ରକୁ ନେଇ ଉତ୍ସବ ବି କିଛି କମ୍ ନୁହେଁ । କଳାଧଳା ପରଦାରୁ ଥ୍ରୀ - ଡି’ ଟେକ୍ନୋଲୋଜିର ଚମତ୍କାରିତା ଭିତରେ ସିନେମା ଘରମାନଙ୍କୁ ନେଇ ଅଛି ଅନେକ କାହାଣୀ । ନବେ ଦଶକର ଆରମ୍ଭରେ ପାଇରେସ୍, ସ୍ୟାଟ ଲାଇଟ୍ ଓ କେବୁଲ୍ ଟିଭିର ପ୍ରଚାର ପ୍ରସାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଆଶଙ୍କା ସୃଷ୍ଟି କରିଥିଲା । ୧୯୯୯ର ସୁପର ସାଇକ୍ଲୋନରେ ଭାଂଗିରୁଜି ଯାଇଥିଲା ଅନେକ ସିନେମା ଘର । କୋଭିଡ୍ ୧୯ ପାଇଁ ୨୦୨୦ ଏପ୍ରିଲ୍ ୨୪ ତାରିଖରୁ ସମଗ୍ର ଦେଶରେ ଲାଗୁ ହୋଇଥିଲା ‘ଲକ୍ ଡାଉନ୍’ । ଜନଜୀବନକୁ ପ୍ରଭାବିତ କରିଥିବା ଏ ଅଭାବନୀୟ ପରିସ୍ଥିତି ଥିଲା ସିନେମା ପାଇଁ ସଂକଟ ସମୟ । ଦେଶରେ ପ୍ରାୟ ଦୁଇ ବର୍ଷ ଧରି ଚଳଚ୍ଚିତ୍ର ପ୍ରଦର୍ଶନ ବନ୍ଦ ରହିଥିଲା । ଟେଲିଭିଜନରେ ପ୍ରଦର୍ଶନ ସହିତ ବିକଳ୍ପ ମଞ୍ଚ ଭାବେ ମାଧ୍ୟମ ଥିଲା ଓଭର ଦି’ ଟପ୍ (ଓଟିଟି) ପ୍ଲାଟଫର୍ମ ।

୨୦୧୦ ମସିହା ବେଳକୁ ସାରା ଓଡିଶାରେ ମାତ୍ର ୮୧ଟି ସିନେମା ହଲ୍ ଥିଲା । ପରବର୍ତ୍ତୀ ସମୟରେ ସେ ସ୍ଥିତି ବଦଳିଗଲା । ଦର୍ଶକଙ୍କ ମନୋରଂଜନର ମାଧ୍ୟମ ସାଜିଲା ୧୪୮ରୁ ଅଧିକ ସ୍କ୍ରିନ । AC ହଲ୍ ଭିତରେ ଦର୍ଶକ ‘3 - D’ Digital Projectionରେ ସିନେମାର ମଜା ଉଠାଇ ପାରୁଥିଲେ । ୨୦୧୩ ମସିହା ଜାନୁଆରୀ ୪ ତାରିଖରେ ଭୁବନେଶ୍ବରରେ ବ୍ୟବସାୟ ଆରମ୍ଭ କରିଥିଲା ଆଇନକ୍ସ ମଲଟିପ୍ଲେକ୍ସ ସିନେମା ହଲ୍ । ଏହା ସିନେମା ହଲ୍ ର ବଦଳୁଥିବା ରୂପର ଏକ ନମୁନା । ସମୟ ସହିତ ତାଳ ଦେଇ ମନୋରଂଜନର ମାଧ୍ୟମ ମଧ୍ୟ ବଦଳିଛି । ଇଣ୍ଟରନେଟ୍ ଯୁଗରେ ହଲ୍ କୁ ଯାଇ ସିନେମା ଦେଖିବାର ଆଗ୍ରହ କମିଛି । ଖାଲି ପଡୁଛି ସିନେମା ଘରେ ସିଟ୍ । ଦର୍ଶକ ଅଭାବରୁ ବହୁ ପୁରୁଣା ହଲ୍ ବନ୍ଦ ହୋଇ ଗଲାଣି । ତଥାପି, ସିନେ ଶିଳ୍ପୀଙ୍କ ଭିତରେ ଅତୀତକୁ ନେଇ ଆଶା ମରି ନାହିଁ । ଭବିଷ୍ୟତ ପାଇଁ ସ୍ବପ୍ନ ସରି ନାହିଁ । ପରିବର୍ତ୍ତିତ ମୌସୁମୀର ହାୱା ପ୍ରଭାବିତ କରୁଛି ସିନେମା ଶିଳ୍ପର ସ୍ବର୍ଣ୍ଣିମ ଅଧ୍ୟାୟକୁ । ଓଡିଆ ସହିତ ବହୁ ଭାଷୀ ସିନେମା ପ୍ରଦର୍ଶନର କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଓଡିଶାର ସିନେମା ଘର । ନୂଆ ଟେକ୍ନୋଲୋଜି ସହିତ ଦର୍ଶକଙ୍କୁ ଆମନ୍ତ୍ରଣ କରୁଛି । ସିନେମା ଶିଳ୍ପର ବର୍ତ୍ତମାନ ପରିପ୍ରେକ୍ଷୀ ଉପରେ ଦୃଷ୍ଟି ନିବଦ୍ଧ କଲେ ବୁଝି ହେଉଛି ସିନେମା ଘର ପରମ୍ପରା ପ୍ରତି ଆଗ୍ରହ ଓ ଐତିହ୍ୟର ପରିବର୍ତ୍ତିତ ରୂପ, ସିନେମା ଶିଳ୍ପକୁ ବଞ୍ଚାଇ ରଖିଛି ।