ଇତିହାସ: କଳ୍ପନା ଏବଂ ରଚନା

୨୦୨୨ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ସାହିତ୍ୟରଥି ଆନି ଏର୍ନୋଙ୍କ ସଂପର୍କରେ କୁହାଯାଉଛି ଯେ, ସେ ଜଣେ ବିକଳ୍ପ ଜୀବନୀକାର । ନିଜ ଜୀବନୀର ଆଧାରରେ ସେ ଏକ ବିକଳ୍ପ ଜୀବନୀ ରଚନା କରିଥାନ୍ତି ।


ଫଟୋ - ୱିକିପିଡିଆ

ଗୋଟିଏ ବିଶେଷ ତଥା ଗୋଟିଏ କଥିତ ଇତିହାସ ପୁସ୍ତକ ସଂପର୍କରେ ଏଇଠି ଚର୍ଚ୍ଚା କରାଯିବ ଏବଂ ସେହି ଚର୍ଚ୍ଚାର ଆବଶ୍ୟକତା ଏଇଥିପାଇଁ ରହିଅଛି ଯେ ସେହି ଚର୍ଚ୍ଚା ଭିତରୁ ଆମକୁ ଇତିହାସର ସ୍ୱରୂପ ସଂପର୍କରେ ଗୋଟିଏ ସ୍ପଷ୍ଟ ଧାରଣା ମିଳିଯାଇପାରେ । ସାଧାରଣ ପରିଭାଷାରେ କହିଲେ ଇତିହାସ ହେଉଛି, ଅତୀତର ଘଟଣାବଳୀର ଏକ ଧାରାବାହିକ ବିବରଣୀ । ଇତିହାସର ଏଇଭଳି ଗୋଟିଏ ସଂଜ୍ଞା ସହିତ ଆମେମାନେ ପରିଚିତ ଆଉ ଅଭ୍ୟସ୍ତ । କୌଣସି ଧାରାବାହିକ ବିବରଣୀ ଯାହା ଆମ ଆଖିର ଆଢୁଆଳରେ ଘଟିଯାଇଅଛି ତାହା ଯେତେବେଳେ ଆମ ସାମ୍ନାରେ ଆଉ କାହା ଦ୍ୱାରା ଉପସ୍ଥାପିତ କରାଗଲା ବା କରାଯିବ ସେତେବେଳେ ସେହି ତୃତୀୟବ୍ୟକ୍ତି ଅର୍ଥାତ୍ ଘଟିଥିବା ସେହି ବିବରଣୀର ଧାରାବାହିକତାର ସେହି ଉପସ୍ଥାପକ ଜଣକ ନିଜର ଉପସ୍ଥାପନାରେ କେତେ ସତ୍ୟନିଷ୍ଠ, ସେକଥା ଆମେ ଜାଣିବୁ କେଉଁପରି ? ପୃଥିବୀର ସମସ୍ତ ଘଟଣା ତ ଆମର ଇନ୍ଦ୍ରିୟଗ୍ରାହ୍ୟତାର ପରିସରରେ ସଂଘଟିତ ହୋଇଯାଉନାହିଁ ଯେ ଯାହା ଘଟିଅଛି ତାହାର ଅସଲ କଥାକୁ ଆମେ ସିଧା ଜାଣିପାରିବୁ । ଯେହେତୁ ଇତିହାସ ପୃଷ୍ଠାରେ ଥିବା ଘଟଣାମାନ ପ୍ରାୟତଃ ଅପ୍ରତ୍ୟକ୍ଷ ରୂପରେ ଆମ ଆଗରେ ଉପସ୍ଥାପନା କରାଯାଇଥାଏ ସେଦୃଷ୍ଟିରୁ ଯିଏ ଘଟଣାର ଉପସ୍ଥାପନା କରିଅଛି ଆଉ ଯିଏ ଏହି ଉପସ୍ଥାପନାକୁ ଅଧ୍ୟୟନ କରୁଅଛି ଏହି ଦୁଇଜଣଙ୍କ ମଧ୍ୟରେ ଏକ ବସ୍ତୁସ୍ଥିତିମୂଳକ କଳ୍ପନା ବା ଯାହାକୁ ଇଂରେଜୀରେ କୁହାଯିବ "ଏ ପ୍ରାୟୋରି" ସେଇଭଳି କଳ୍ପନା ରହିବା ଆବଶ୍ୟକ । ଆମ ଭିତରେ ଯଦି ବସ୍ତୁସ୍ଥିତି ମୂଳକ କଳ୍ପନା ରହୁନାହିଁ ତାହାହେଲେ ଆମର ଇତିହାସବୋଧରେ ପ୍ରଶ୍ନଚିହ୍ନ ଲାଗିଯିବ । ସାହିତ୍ୟିକ କଳ୍ପନା ଆଉ ଇତିହାସର କଳ୍ପନା ଉଭୟକୁ ଆମେ ତାହାହେଲେ ସମାନ ବୋଲି ଧରିନେବା । ଉଭୟ କିନ୍ତୁ ଭିନ୍ନ ।

ଇତିହାସର କଳ୍ପନାକୁ ବୁଝିବା ପାଇଁ ପ୍ରସଂଗ ଭିତରକୁ ଗୋଟିଏ ଇତିହାସ ବହିକୁ ଅଣାଯାଇଛି ।

ଆଗ ଲେଖକ ବିଷୟରେ କିଛି ଆଉ ତାହାପରେ ତାଙ୍କର ଲିଖିତ ଏକ ଚର୍ଚ୍ଚିତ ତଥା କଥିତ ଇତିହାସ ପୁସ୍ତକ ସଂପର୍କରେ କିଛି, ଏହା ହେଉଛି ଏଇ ଆଲେଖର ରୂପରେଖ ।

ସେହି ଲେଖକ ଜଣକ ୧୭୦୩ ଖ୍ରୀଷ୍ଟାବ୍ଦରେ ଲଣ୍ଡନରେ ପହଞ୍ଚିଥିଲେ ଆଉ ସବୁଠୁ ବଡକଥା ହେଉଛି କାହାରିକୁ ଏହି ଲେଖକଙ୍କ ବିଷୟରେ ଆଗରୁ କୌଣସି କଥା ଆଦୌ ଜଣା ନଥିଲା । ସେ ଯେତେବେଳେ ଲଣ୍ଡନରେ ପହଞ୍ଚିଥିଲେ ସେତେବେଳେ ତାଙ୍କର ହାତରେ ଥିଲା ଗୋଟିଏ ସାଧାରଣ ଆକାରର ପାଣ୍ଡୁଲିପି । ସେ ସମୟରେ ଲେଖକମାନେ ନିଜ ନିଜ ବହିର ଶୀର୍ଷକମାନଙ୍କୁ ବେଶ୍ ଦୀର୍ଘ କରିବା ଏକ ପ୍ରକାର ନୂତନ ଷ୍ଟାଇଲ୍ ଥିଲା । ଏପରିକି ସେତେବେଳେ କିଛି ବହିର ଶୀର୍ଷକରେ ସାତ ଆଠଟି ପୂର୍ଣ୍ଣ ବାକ୍ୟକୁ ଏକାଠି ଗୋଟିଏ ବାକ୍ୟ କରି ଲେଖକମାନେ ନିଜ ବହିର ଶୀର୍ଷକ ରଖୁଥିଲେ । ଏପରି କରିବାର କାରଣ ହେଉଛି ପ୍ରଥମ ଦେଖାରେ ଶୀର୍ଷକକୁ ପଢି ଜଣେ ପାଠକ ଅତି ସହଜରେ ଜାଣିପାରିବ ଯେ ବହି ଭିତରର ଅସଲ ପାଠର ସ୍ୱରୂପ କ'ଣ ? ନିଜର ବହିକୁ ସର୍ବସାଧାରଣରେ ଆଦୃତ କରିବା ପାଇଁ ବହିର ଦୀର୍ଘ ଶୀର୍ଷକ କହିବାକୁ ଗଲେ ଏକ ପ୍ରକାର ପ୍ରକାଶନଗତ କୌଶଳ ଥିଲା ସେତେବେଳେ ।

ଲଣ୍ଡନରେ ପହଞ୍ଚିବା ପରେ ସେହି ଲେଖକ ଜଣକ ପ୍ରଥମେ ସେ ସମୟର ଲେଖକ ତଥା ବିଦ୍ୱାନ ମହଲରେ ନିଜର ଗୋଟିଏ ବିଶେଷ ପରିଚୟ ପ୍ରଦାନ କରିଥିଲେ ଆଉ ସେଇଥିପାଇଁ ତାଙ୍କ ପ୍ରତି ସେସମୟର ଅଭିଜାତ ବର୍ଗରେ ବେଶ୍ କୌତୂହଳ ଏବଂ ସମ୍ମାନବୋଧ ସୃଷ୍ଟି ହୋଇଥିଲା । ନିଜର ପରିଚୟ ଦେବାକୁ ଯାଇ ସେ ନିଜକୁ ଫର୍ମୋଜା ଦେଶର ଜଣେ ରାଜପୁତ୍ର ବୋଲି କହୁଥିଲେ । ଫର୍ମୋଜା ହେଉଛି ସାଧାରଣତଃ ପୂର୍ବ - ଏସିଆର ଗୋଟିଏ ଦ୍ୱୀପ ଏବଂ ଏହାର ବର୍ତ୍ତମାନର ନାଆଁ ହେଉଛି ତାଇୱାନ୍ । ଏହା ଚାଇନା ଦେଶର ଅନ୍ତର୍ଭୁକ୍ତ । ସେ ଯାହାହେଉ ଏହି ଲେଖକ ତଥା ଫର୍ମୋଜାର ରାଜପୁତ୍ର ଜଣକ ନିଜର ଦ୍ୱୀପରୁ ଗୋଟିଏ ଡଙ୍ଗା ସାହାଯ୍ୟରେ ଜାପାନକୁ ଆଉ ଜାପାନରୁ ଗୋଟିଏ ଜାହାଜରେ ଲଣ୍ଡନକୁ ଆସିଛନ୍ତି ବୋଲି କହୁଥିଲେ । ତାଙ୍କର ସେହି ଲୋମହର୍ଷକ ଜଳଯାତ୍ରାର ବିବରଣୀ ତଥା ଜଣେ ପ୍ରାଚ୍ୟ ରାଜପୁତ୍ରର ଅଙ୍ଗେ ଲିଭାଇଥିବା ଏମିତି ଅନୁଭୂତି ସମସ୍ତଙ୍କୁ ଅଧିକ ଆଗ୍ରହାନ୍ୱିତ କରୁଥିଲା ଯେତେବେଳେ ସେ କହୁଥିଲେ ଯେ ନିଜର ବିତାଇଥିବା ପାରିପାର୍ଶ୍ୱିକକୁ ସେ ବିଧିବଦ୍ଧ ଭାବରେ ଗୋଟିଏ ପାଣ୍ଡୁଲିପିରେ ଲିପିବଦ୍ଧ କରି ରଖିଛନ୍ତି ।

ନିଜକୁ ଫର୍ମୋଜାର ରାଜପୁତ୍ର ବୋଲି ପରିଚୟ ଦେଉଥିବା ସେହି ଲେଖକଙ୍କ ନାଆଁ ହେଉଛି ଜର୍ଜ ସାଲମାନଜର ।

ଫର୍ମୋଜାର ଏହି ରାଜପୁତ୍ର ଜର୍ଜ ସାଲମାନଜର ଦେଖିବାକୁ ବେଶ୍ ଇଉରୋପୀୟମାନଙ୍କ ଭଳି ଗୌରବର୍ଣ୍ଣ ଏବଂ ତାଙ୍କର ଆଖି ଦୁଇଟିର ରଂଗ ନୀଳ । ମୋଟାମୋଟି ଭାବରେ କହିଲେ ତାଙ୍କର ଚେହେରାରେ ଏକ ଅଭିଜାତସୁଲଭ ଆକର୍ଷଣ ଏବଂ ପ୍ରଭାବ ରହିଥିଲା । ତାହା ସହିତ ସେ ପ୍ରାଞ୍ଜଳ ଭାବରେ ଫରାସୀ ଓ ଇଂରେଜୀ ଭାଷାରେ କଥାବାର୍ତ୍ତା କରିପାରୁଥିଲେ ।

ଇଂଲଣ୍ଡକୁ ୧୭୦୩ ଖ୍ରୀଷ୍ଟାବ୍ଦରେ ଆସିବା ଆଗରୁ ଜର୍ଜ ସାଲମାନଜରଙ୍କର ହଲାଣ୍ଡରେ ଜଣେ ଆଙ୍ଗ୍ଲିକାନ ଧର୍ମ ପ୍ରଚାରକ ବା ମିଶନାରୀଙ୍କ ସହିତ ସାକ୍ଷାତ ହୋଇଥିଲା । ଆଙ୍ଗ୍ଲିକାନ କହିଲେ ସେହି ଖ୍ରୀଷ୍ଟୀୟ ସଂପ୍ରଦାୟକୁ ବୁଝାଇଥାଏ ଯେଉଁମାନେ "ଚର୍ଚ୍ଚ ଅଫ୍ ଇଂଲଣ୍ଡ" ର ଅନୁଗାମୀ । ହଲାଣ୍ଡରେ ସାକ୍ଷାତ ହେବା ପରେ ଜର୍ଜ ସାଲମାନଜର ତାଙ୍କୁ ନିଜର ଯେଉଁ ଅଙ୍ଗେନିଭା କାହାଣୀ କହିଥିଲେ ସେଥିରେ ତାଙ୍କର ବ୍ୟକ୍ତିଗତ ବିପର୍ଯ୍ୟୟର କଥା ସହିତ ଅଧିକ ଭାବରେ ଏକ ଧାର୍ମିକ ଅନୁସଙ୍ଗ ରହିଥିଲା । ଜଣେ ଫର୍ମୋଜାର ରାଜକୁମାର ହିସାବରେ ସେ ଜଣେ "ପାଗାନ" ବା ବହୁଦେବତା ଆରାଧନାରେ ବିଶ୍ୱାସୀ ଥିଲେ । ସେଇଥିପାଇଁ ତାଙ୍କୁ ଖ୍ରୀଷ୍ଟ୍ରୀୟ କାଥୋଲିକ ସଂପ୍ରଦାୟର ଦଳେ ସନ୍ୟାସୀ (ଜେସୁଇଟ୍ ପ୍ରିଷ୍ଟ)ଙ୍କ ଦ୍ୱାରା ଫର୍ମୋଜାରୁ ଅପହରଣ କରି ଦୀର୍ଘ ଜଳଯାତ୍ରା ପରେ ହଲାଣ୍ଡକୁ ଅଣାଯାଇଥିଲା । ହଲାଣ୍ଡରେ ଜେସୁଇଟ୍ ମାନେ ସାଲମାନଜରଙ୍କୁ ଆଉ ଗୋଟିଏ ଖ୍ରୀଷ୍ଟୀୟ ସଂପ୍ରଦାୟଙ୍କୁ ହସ୍ତାନ୍ତର କରିଦେଇଥିଲେ । ସେହି ଖ୍ରୀଷ୍ଟୀୟ ସଂପ୍ରଦାୟକୁ କାଲଭିନିଷ୍ଟ ବୋଲି କୁହାଯାଉଥିଲା । କାଲଭିନିଷ୍ଟମାନେ ହେଉଛନ୍ତି ଜନ୍ କାଲଭିନଙ୍କ ଅନୁଗାମୀ ଏକ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟ୍ରୀୟ ଦଳ । ସାଲମାନଜର ନିଜର ପ୍ରତ୍ୟୁତ୍ପନ୍ନମତିତାର କାରଣରୁ କାଲଭିନିଷ୍ଟମାନଙ୍କ କବଳରୁ ଖସି ଆସିଛନ୍ତି ବୋଲି ଯେତେବେଳେ ହଲାଣ୍ଡରେ ସେହି ଆଙ୍ଗ୍ଲିକାନ ମିଶନାରୀ ଜଣକୁ କହିଥିଲେ ସେହି ମିଶନାରୀ ଜଣକ ଏହି କଥାରେ ଆପ୍ଳୁତ ହୋଇଯାଇଥିଲେ । ସେ ସମୟରେ କାଲଭିନିଷ୍ଟ ଆଉ ଆଙ୍ଗ୍ଲିକାନଙ୍କ ମଧ୍ୟରେ ସାପ - ନେଉଳର ସଂପର୍କ । ତେଣୁ ସେହି ଆଙ୍ଗ୍ଲିକାନ ମିଶନାରୀ ଜଣକ ଜର୍ଜ ସାଲମାନଜରଙ୍କୁ ସହାୟତା ଦେବାପାଇଁ ତାଙ୍କୁ ସାଥିରେ ଧରି ହଲାଣ୍ଡରୁ ଇଂଲଣ୍ଡକୁ ଆସିଥିଲେ । ସେ ଏହା ଭିତରେ ସାଲମାନଜରଙ୍କଠାରୁ ଫର୍ମୋଜା ଦେଶ ଆଉ ତାହାର ଚଳଣି ତଥା ଇତିହାସ ସଂପର୍କରେ ଅନେକ କଥା ଜାଣି ଯାଇଥିଲେ ଏବଂ ସାଲମାନଜର ଯେ ଏଇ ଫର୍ମୋଜାର ଇତିହାସ ଉପରେ ଇଂରେଜୀରେ ଖଣ୍ଡିଏ ପୁସ୍ତକ ରଚନା କରିଛନ୍ତି । ସେଇ ପାଣ୍ଡୁଲିପିକୁ ପାଠ କରି ସେହି ଆଙ୍ଗ୍ଲିକାନ ମିଶନାରୀ ଜଣକ କହିବାକୁ ଗଲେ ବିଭୋର ହୋଇଯାଇଥିଲେ । ତାଙ୍କର ମନେ ହୋଇଥିଲା ଫର୍ମୋଜାର ଅଦ୍ଭୁତ ଇତିହାସ ବିଷୟକୁ ସମସ୍ତଙ୍କର ଜାଣିବା ଆବଶ୍ୟକ ।

ଅଷ୍ଟାଦଶ ଶତାବ୍ଦୀର ଆଦ୍ୟକାଳ ହେଉଛି ଏପରି ଗୋଟିଏ ସମୟ ଯେଉଁଠି ଲଣ୍ଡନବାସୀମାନେ ସେମାନଙ୍କର ଦେଶ ପରେ ଯେଉଁ ସବୁ ଦୂର ଦେଶଗୁଡିକରେ ନିଜର ଉପନିବେଶୀୟ ଶାସନ ପ୍ରତିଷ୍ଠା କରିବାକୁ ସମର୍ଥ ହେବ ସେହି ସବୁ ଦେଶଗୁଡିକ ସଂପର୍କରେ ବିଶେଷ କିଛି ଜାଣିନଥିଲେ । ଦୂର ଦେଶଗୁଡିକ ସଂପର୍କରେ ସେମାନଙ୍କର ଯାହା କିଛି ଧାରଣା ଥିଲା ତାହା କିଛି ପରିବ୍ରାଜକଙ୍କ ମାର୍ଫତ୍ ରୁ ଆସିଥିଲା । ପରିବ୍ରାଜକମାନେ ନିଜର ବୃତ୍ତାନ୍ତରେ କେତେ ବସ୍ତୁସ୍ଥିତିର ବଖାଣ କରୁଥିଲେ କେତେ କଳ୍ପନାର ଉଡାଣ ଭରୁଥିଲେ, ସେକଥା ବିଚାର କରିବା ଭଳି ବିଶ୍ୱାସ ସେମାନଙ୍କ ଭିତରେ ବିକଶିତ ହୋଇନଥିଲା । ଗୋଟିଏ ଉଦାହରଣ ନେଲେ ଯଥେଷ୍ଟ ହେବ । ଲଣ୍ଡନବାସୀମାନେ ଆଫ୍ରିକାରୁ ଆଗତ କୃଷ୍ଣକାୟ କ୍ରୀତଦାସମାନଙ୍କ ସହିତ ଅଭ୍ୟସ୍ତ ଥିଲେ ମାତ୍ର ସେମାନଙ୍କର ଧାରଣା ଥିଲା ଯେ, ଆଫ୍ରିକାର ସୂର୍ଯ୍ୟ ସେମାନଙ୍କୁ ଏହିପରି କୃଷ୍ଣକାୟ କରିଦେଇଅଛି ।

ତେଣୁ ଏହିଭଳି ଏକ ସମୟରେ ସେହି ଆଙ୍ଗ୍ଲିକାନ ମିଶନାରୀ ଜଣକ ଫର୍ମୋଜାର ଅଦ୍ଭୁତ ଇତିହାସ ବିଷୟରେ ଅନ୍ୟ ସମସ୍ତଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଜର୍ଜ ସାଲମାନଜରଙ୍କୁ ଲଣ୍ଡନର ସେ ସମୟର ଅଭିଜାତ ମଣ୍ଡଳୀ ସହ ପରିଚିତ କରାଇଥିଲେ । ଲଣ୍ଡନର ଅଭିଜାତ ମଣ୍ଡଳୀର ସଂପର୍କରେ ଆସିବା ସାଲମାନଜରଙ୍କୁ ସେହି ସୁବର୍ଣ୍ଣ ସୁଯୋଗଟି ପ୍ରଦାନ କରିଥିଲା । ତାହା ଫଳରେ ଲଣ୍ଡନର ଅଭିଜାତ ମଣ୍ଡଳୀରେ ସେ ଫର୍ମୋଜା ବିଷୟରେ କହିବାର ସଂପୂର୍ଣ୍ଣ ସୁଯୋଗ ପାଇଥିଲେ । ଲଣ୍ଡନର ଅଭିଜାତ ବର୍ଗ ସାଲମାନଜରଙ୍କ ବର୍ଣ୍ଣନାରେ ବେଶ ଆମୋଦିତ ହୋଇଯାଉଥିଲେ । ଉପସ୍ଥିତ ଶ୍ରୋତାଙ୍କୁ ସେ ବେଳେବେଳେ ଜଣେ ଫର୍ମୋଜାର ଅଧିବାସୀ ହିସାବରେ ଫର୍ମୋଜାର ଭାଷାରେ କିଛି କହୁଥିଲେ । ସାଲମାନଜରଙ୍କର ଫର୍ମୋଜାର ଭାଷାରେ ଯାହା ଯାହା କହୁଥିଲେ ତାହାର ବିନ୍ଦୁବିସର୍ଗ ଉପସ୍ଥିତ ଶ୍ରୋତାମାନେ ବୁଝିପାରୁନଥିଲେ । ସର୍ବସାଧାରଣଙ୍କ ସାମ୍ନାରେ ବେଳେବେଳେ ଜର୍ଜ ସାଲମାନଜର ଫର୍ମୋଜାର ଭାଷାରେ କିଛି ବଡ ବଡ ଅକ୍ଷରରେ ଲେଖି ସେମାନଙ୍କୁ ଦେଖାଉଥିଲେ । ସାଲମାନଜରଙ୍କ ଅନୁସାରେ ଫର୍ମୋଜାର ଭାଷାରେ ରହିଛି କୋଡିଏଟି ବର୍ଣ୍ଣ ବା ଆଲଫାବେଟ୍ । ଫର୍ମୋଜାର ଅଧିବାସୀମାନେ ଡାହାଣରୁ ବାଆଁ ଆଡକୁ ଲେଖିଥାନ୍ତି । ସାଲମାନଜର ଠିକ୍ ସେଇଭଳି ହିଁ ଲେଖୁଥିଲେ । ସବୁଠାରୁ ବେଶି ଉପସ୍ଥିତ ସଂଭ୍ରାନ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ଯେତେବେଳେ ସେମାନେ ଦେଖୁଥିଲେ ଯେ, ସାଲମାନଜର ନିର୍ବିଚାରରେ କଂଚା ମାଂସକୁ ସିଧା ଭକ୍ଷଣ କରୁଥିଲେ । ସାଲମାନଜରଙ୍କ କହିବା ଅନୁସାରେ ଫର୍ମୋଜାର ଅଧିବାସୀମାନଙ୍କୁ ରୋଷେଇ କରିବା ଜଣାନାହିଁ । ତେଣୁ ସେମାନେ ସର୍ବଦା କଂଚା ଖାଦ୍ୟ ଖାଇଥାନ୍ତି । ଯଦିଓ ଫର୍ମୋଜାର ଲୋକେ ସର୍ବଦା ଉଲଗ୍ନ ରହିଥାଆନ୍ତି, କେବଳ ସେଠିକାର ଉଚ୍ଚବର୍ଗର ଲୋକମାନେ ନିଜନିଜର ଗୁପ୍ତ ଅଙ୍ଗକୁ ଖଣ୍ଡିଏ ଖଣ୍ଡିଏ ଲୁହା ଚାଦର କି ସୁନା ଚାଦରରେ ଘୋଡାଇ ରଖିଥାନ୍ତି, ସେଇକଥା କିନ୍ତୁ ସାଲମାନଜର କଦାପି ତାଙ୍କର ଉପସ୍ଥିତ ଶ୍ରୋତାମାନଙ୍କ ଆଗରେ ପ୍ରଦର୍ଶନ କରିନଥାନ୍ତି ।

ସେ ଯାହାହେଉ ନିଜର ପ୍ରଭାବୀ ବାଚନ ଭଙ୍ଗୀର କାରଣରୁ ଇଂଲଣ୍ଡରେ ପହଞ୍ଚିଗଲା ପରେ ଜର୍ଜ ସାଲମାନଜର ଏବଂ ତାଙ୍କର ଫର୍ମୋଜାର ବିବରଣୀ ଇଂଲଣ୍ଡର ଅଭିଜାତବର୍ଗ ନିକଟରେ ଯଥେଷ୍ଟ ପରିଚିତି ଅର୍ଜନ କରିଥିଲା । ଏହାର କର୍ମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦେଖି ଜର୍ଜ ସାଲମାନଜର ତାଙ୍କର ଫର୍ମୋଜା ଉପରେ ଲେଖାଯାଇଥିବା ପାଣ୍ଡୁଲିପିକୁ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ ।

ସାଲମାନଜରଙ୍କ ଲିଖିତ ପୁସ୍ତକର ନାଆଁ, ସେ ସମୟରେ ପ୍ରଚଳିତ ଦୀର୍ଘ ଶୀର୍ଷକ ପରଂପରାକୁ ସଂକ୍ଷିପ୍ତ କରି କହିଲେ, ଏହିପରି ହେବ, "ଆନ୍ ହିଷ୍ଟୋରିକାଲ୍ ଆଣ୍ଡ ଜିଓଗ୍ରାଫିକାଲ୍ ଡେସକ୍ରିପସନ୍ ଅଫ୍ ଫର୍ମୋଜା" ଅର୍ଥାତ୍ "ଫର୍ମୋଜର ଏକ ଐତିହାସିକ ଏବଂ ଭୌଗୋଳିକ ବର୍ଣ୍ଣନା" । ତେଣୁ ଜର୍ଜ ସାଲମାନଜରଙ୍କର ରଚିତ ଏହି ପୁସ୍ତକଟି ହେଉଛି ଫର୍ମୋଜାର ପ୍ରଥମ ବିଧିବଦ୍ଧ ଇତିହାସ ବୋଲି କୁହାଯାଏ ।

କୌଣସି ଇତିହାସ ପୁସ୍ତକରେ ସାଧାରଣତଃ ଆମର ଯଦି ଆକର୍ଷଣ ରହିଛି ତେବେ ଧରିନେବାକୁ ହେବ ଯେ, ତାହାର ପ୍ରମୁଖ ଆଧାର ହେଉଛି ଯାହା ଆମର କୌତୂହଳ, ଅତୀତପ୍ରବଣତା, ବୈଚିତ୍ର୍ୟ ଏବଂ ଆମ ଭିତରର ଜାତୀୟବାଦୀ ଅସ୍ମିତା ଭଳି କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତରମାନ । ଜର୍ଜ ସାଲମାନଜରଙ୍କ ଫର୍ମୋଜାର ଏହି ଇତିହାସ ପୁସ୍ତକ ସେ ଦୃଷ୍ଟିରୁ ଏକ ଉନ୍ନତମାନର ଇତିହାସ ରଚନା । ସେଥିରେ ଫର୍ମୋଜାର ଅଧିବାସୀଙ୍କ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଚଳଣିର ବିସ୍ତୃତ ବର୍ଣ୍ଣନା ରହିଛି । ଏପରିକି ସେଠିକାର ଅଧିବାସୀମାନଙ୍କର ଖାଦ୍ୟ ତଥା ପୋଷାକ ଭଳି କିଛି କିଛି ପ୍ରସଂଗକୁ ଅନ୍ୟମାନଙ୍କୁ ବୁଝାଇବା ପାଇଁ ସେ ନିଜ ହାତରେ କିଛି ରେଖାଚିତ୍ର ପ୍ରସ୍ତୁତ କରି ସେଥିରେ ସନ୍ନିବେସିତ କରିଛନ୍ତି । ଏପରିକି ଏଇ ବହିରେ ଫର୍ମୋଜାରେ ବ୍ୟବହୃତ ବର୍ଣ୍ଣମାଳାର ଏକ ଚାର୍ଟ ତଥା ସେଠିକାର ଭାଷାରେ କିଛି ଲେଖାର ନମୁନା ଲେଖା ବି ଏଥିରେ ରହିଛି ।

ଲଣ୍ଡନରେ ପ୍ରକାଶିତ ହେବା ପରେ ୧୭୦୪ ଖ୍ରୀଷ୍ଟାବ୍ଦରେ ହଠାତ ଏହି ଫର୍ମୋଜାର ଇତିହାସ ବହି ଏବଂ ଏହାର ଲେଖକ ଜର୍ଜ ସାଲମାନଜର ଉଭୟେ ଅଦ୍ଭୁତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ । ଏହି ବହିଟିର ଭିନ୍ନ ଭିନ୍ନ ଇଉରୋପୀୟ ଭାଷାରେ ଅନୁବାଦମାନ ପ୍ରକାଶିତ ହୋଇ ବିପୁଳ ବ୍ୟବସାୟିକ ସଫଳତା ଅର୍ଜନ କରିଥିଲା । ଲେଖକ ଜର୍ଜ ସାଲମାନଜରଙ୍କୁ ଅନେକ ସ୍ଥାନରୁ ନିମନ୍ତ୍ରଣମାନ ମିଳିବାକୁ ଲାଗିଲା ଯେଉଁଠି ତାଙ୍କୁ ନିଜର ଫର୍ମୋଜା ଅନୁଭୂତିକୁ ବିସ୍ତାରରେ କହିବାକୁ ଅନୁରୋଧ ହେଉଥିଲା ।

ଏଇଠି କହିବା ପ୍ରାସଙ୍ଗିକ ହେବ ଯେ, ଫର୍ମୋଜାର ଏହି ଇତିହାସ ପୁସ୍ତକ ସେତେବେଳେ ଅତ୍ୟନ୍ତ ଜନପ୍ରିୟ ହେବାର ଦୁଇଟି ପ୍ରମୁଖ କାରଣ ରହିଥିଲା । ପ୍ରଥମଟି ହେଉଛି ଲେଖକ ଜର୍ଜ ସାଲମାନଜରଙ୍କ ପ୍ରଦତ୍ତ ଫର୍ମୋଜାର ଅଦ୍ଭୁତ ଜୀବନଚର୍ଯ୍ୟା । ତାଙ୍କ କହିବା ଅନୁସାରେ ଫର୍ମୋଜାର ସମାଜ ଏକ ଅଦ୍ଭୁତ ବର୍ବର ସମାଜ ଥିଲା । ସେଠିକାର ସମାଜରେ ଯଦି ଜଣେ ପୁରୁଷର ନରମାଂସ ଭକ୍ଷଣ କରିବାକୁ ଇଚ୍ଛା ହେଉଥିଲା ସେ ତାହାହେଲେ ନିଜର ପତ୍ନୀକୁ ବ୍ୟଭିଚାରିଣୀ ବୋଲି ଘୋଷଣା କରି ତାହାର ମୁଣ୍ଡକୁ କାଟି ଅଲଗା କରି ବାକି ଦେହର ମାଂସକୁ ଆରାମରେ ଖାଇପାରୁଥିଲା । ପ୍ରତିବର୍ଷ ଫର୍ମୋଜାର ଦେବତାଙ୍କ ସାମ୍ନାରେ ନଅ ବର୍ଷରୁ କମ୍ ବୟସର ଅଠର ହଜାର ପିଲାଙ୍କୁ ବଳି ଦିଆଯାଉଥିଲା । ପିଲାଙ୍କୁ ବଳି ଦେବାପରେ ସେମାନଙ୍କ ଦେହରୁ ହୃଦୟକୁ ବାହାର କରି ଲୁହା କଡେଇରେ ସିଝାଇ ଦେବତାଙ୍କୁ ପ୍ରସାଦ ଆକାରରେ ଅର୍ପଣ କରାଯାଉଥିଲା । ଆଉ ଏହି ପ୍ରସାଦକୁ ସମସ୍ତେ ସେବନ କରୁଥିଲେ । ଏହିଭଳି ବର୍ବରତାର ବିଭତ୍ସ ତଥା ଅଦ୍ଭୁତ ରସ ଆସ୍ୱାଦନ ପାଇଁ ସମସ୍ତଙ୍କର ଏହିଭଳି ପୁସ୍ତକ ପଢିବାରେ ଆଗ୍ରହ ରହିବା ସ୍ୱାଭାବିକ । ଏହା ବ୍ୟତୀତ ଏହି ବହିଟି ଜନପ୍ରିୟ ହେବାର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି, ସେତେବେଳକୁ ଅର୍ଥାତ୍ ଅଷ୍ଟାଦଶ ଶତାବ୍ଦୀର ଆଦ୍ୟ କାଳ ବେଳକୁ ଯାହା ଆଗରୁ ଉଲ୍ଲେଖ କରାଯାଇଛି, ଇଉରୋପୀୟମାନେ ଜାଣି ନଥିଲେ ଯେ, ପୂର୍ବ ଏସିଆରେ ଫର୍ମୋଜା ବୋଲି ଏମିତି ଗୋଟିଏ ବିଚିତ୍ର ଦ୍ୱୀପ ରହିଛି ।

ଯଦି ଫର୍ମୋଜାର ଇତିହାସକୁ କେହି କେବେ ସନ୍ଦେହ କରି ସାଲମାନଜରଙ୍କୁ ପ୍ରଶ୍ନ କରୁଥିଲା, ସେତେବେଳେ ସେ କେବଳ ଗୋଟିଏ ଉତ୍ତର ଦେଉଥିଲେ, ମୁଁ ସେଇ ଜୀବନ ବଞ୍ଚିଥିଲି ।

କୌଣସି ମଣିଷ କାହାଣୀରେ ଯେମିତି ଠିକ୍ ସେହିଭଳି ଏହି ପୁସ୍ତକ - କାହାଣୀର ଶେଷଟି ଆଦୌ ସୁଖାନ୍ତକ ନୁହଁ। ଲେଖକ ଜର୍ଜ ସାଲମାନଜରଙ୍କୁ ଯଥେଷ୍ଟ ସମ୍ମାନ ଓ ଅର୍ଥ ମିଳିଥିଲା । ଲଣ୍ଡନର ବିଶପ ତାଙ୍କୁ ଅକ୍ସଫୋର୍ଡ ପ୍ରେରଣ କରିଥିଲେ ଯେଉଁଠି ତାଙ୍କୁ ଫର୍ମୋଜାର ଇତିହାସ ଉପରେ ଉଚ୍ଚତର ଅଧ୍ୟୟନ ଓ ଅଧ୍ୟାପନା କରିବାର ସୁଯୋଗ ମିଳିଥିଲା । ଅର୍ଥ ଓ ସମ୍ମାନର କାରଣରୁ କିଛି ବର୍ଷ ଭିତରେ ଜର୍ଜ ସାଲମାନଜରଙ୍କ ଭିତରେ ଏକ ଚାରିତ୍ରଗତ ପରିବର୍ତ୍ତନ ଦେଖାଯାଇଥିଲା । ସେ କ୍ରମଶଃ ଅନେକ ପରିମାଣରେ ବେପରୁଆ, ଜିଦଖୋର୍ ଏବଂ ଅଫିମ ନିଶାରେ ଆସକ୍ତ ହୋଇ ପଡିଥିଲେ । ସେଇଟି କିନ୍ତୁ ତାଙ୍କର ଫର୍ମୋଜାର ଇତିହାସ ଲେଖନର ପରିପ୍ରେକ୍ଷୀରେ ଆଦୌ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ନୁହଁ ।

ଏଇଠି ଏଇ ଫର୍ମୋଜାର ଇତିହାସ ପରିପ୍ରେକ୍ଷୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜନପ୍ରିୟତା ସହିତ ସନ୍ଦେହ ସମାନୁପାତରେ ଜଡିତ ହୋଇ ରହିଥାଏ । କୌଣସି ପ୍ରସଙ୍ଗ ଯେତେ ଯେତେ ଜନପ୍ରିୟ ହେଉଥିବ ତାହାର ଆଧାରକୁ ସନ୍ଦେହ କରିବା ଭଳି ପରିସର ସେତିକି ସେତିକି ବିସ୍ତୃତ ହେଉଥିବ । ତେଣୁ ଜନପ୍ରିୟତା ଏକ ନିରଙ୍କୁଶ ସ୍ୱୈରାଚାରଣ ନୁହଁ ବରଂ ତାହାର ଆଢୁଆଳରେ କ୍ରମଶଃ ବିକଶିତ ହେଉଥାଏ ଏକ ବିଚାର ଆଉ ତର୍କରେ ସମୃଦ୍ଧ ହୋଇ ଏକ ସନ୍ଦେହ, ପ୍ରତିପକ୍ଷ ଆକାରରେ । ଜନପ୍ରିୟତାର ଆବେଶ ଏହାର ଏଇ ବିଚାରଗତ ପ୍ରତିପକ୍ଷ ପ୍ରତି ଅନେକ ସମୟରେ ବେପରୁଆ ମନୋଭାବ ପୋଷଣ କରିଥାଏ । ଜର୍ଜ ସାଲମାନଜରଙ୍କର ଖ୍ୟାତି ଫର୍ମୋଜାର ଇତିହାସକାର ହିସାବରେ ଯେତିକି ବ୍ୟାପକ ହେଉଥାଏ ସେତିକି ସେତିକି ଏହାର ବିରୁଦ୍ଧ ବିଚାରମାନ ସେତିକି ସେତିକି ସଂଘଟିତ ହେଉଥାନ୍ତି । ଜର୍ଜ ସାଲମାନଜରଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ, ପ୍ରଭାବୀ ବକ୍ତବ୍ୟ, ନିହାତି ସ୍ୱାଭାବିକ ଭାବରେ ସମସ୍ତଙ୍କ ସାମ୍ନାରେ ଜଣେ ଫର୍ମୋଜାର ଅଧିବାସୀ ଆକାରରେ (ସେ ନିଜେ କହିଥିବା ଭଳି) କଂଚାମାଂସ ଭକ୍ଷଣର ଡେମୋନଷ୍ଟ୍ରେସନ ଏବଂ ବିଶେଷ ଭାବରେ ଫର୍ମୋଜାର ଇତିହାସ ସଂପର୍କରେ ଯେ କୌଣସି ଅସହଜ ପ୍ରଶ୍ନ ଆସିଲେ ତାହାକୁ ଏଡ଼ାଇଯିବା ଭଳି କୌଶଳ ତାଙ୍କର ଆୟତ୍ତରେ ଥିଲା । ବସ୍ତୁତଃ ସେଇଥିପାଇଁ ସାଲମାନଜର ଲୋକପ୍ରିୟତାର ଶୀର୍ଷରେ ଥିଲେ ।

୧୭୪୦ ଖ୍ରୀଷ୍ଟାବ୍ଦରେ ଲଣ୍ଡନର ରୟାଲ୍ ସୋସାଇଟି ଜର୍ଜ ସାଲମାନଜରଙ୍କ ଫର୍ମୋଜାର ଇତିହାସର ପ୍ରାମାଣିକତାକୁ ନେଇ ଗୋଟିଏ ପରିଚର୍ଚ୍ଚା ପ୍ରସ୍ତୁତ କରିଥିଲେ । ଏହି ପରିଚର୍ଚ୍ଚାରେ ସେସମୟର ପ୍ରଖ୍ୟାତ ଜ୍ୟୋତିର୍ବିଦ ଏଡମଣ୍ଡ ହାଲି (୧୬୫୬ - ୧୭୪୨) ଉପସ୍ଥିତ ଥିଲେ । ଫର୍ମୋଜାର ପ୍ରକୃତ ଭୌଗାେଳିକ ସ୍ଥିତିକୁ ଜ୍ୟୋତିର୍ବିଜ୍ଞାନ ଆଧାରରେ ନିର୍ଦ୍ଦିଷ୍ଟ କରିବା ପାଇଁ ସାଲମାନଜରଙ୍କୁ ସେ ପ୍ରଶ୍ନ କରିଥିଲେ, ଫର୍ମୋଜାର ଚିମିନିଗୁଡିକ ଉପରେ କେତେ ସମୟ ଖରା ପଡିଥାଏ ? ଏହାର ଉତ୍ତରରୁ ହାଲି ଧୂମକେତୁର ଆବିଷ୍କର୍ତ୍ତା ଏଡମଣ୍ଡ ହାଲି ସଠିକ ଭାବରେ ନିର୍ଦ୍ଧାରଣ କରିପାରିବେ ଯେ, ଫର୍ମୋଜାର ଅକ୍ଷାଂଶ କେତେ ଆଉ ଦ୍ରାଘିମା କେତେ । ଏହାର ଉତ୍ତରରେ ସାଲମାନଜର କହିଥିଲେ, ଫର୍ମୋଜାର ଚିମିନିଗୁଡିକର ନିର୍ମାଣ ଏହିପରି ଯେ, ତାହା ଉପରେ ଆଦୌ ସୂର୍ଯ୍ୟ କିରଣ ପଡେନାହିଁ । ଆଉ ଜଣେ ସେଇଠି ସାଲମାନଜରଙ୍କୁ ପ୍ରଶ୍ନ କରିଥିଲେ, ଆପଣ ତ ଫର୍ମୋଜାର ଅଧିବାସୀ, ଏବେ କୁହନ୍ତୁ ଆପଣଙ୍କର ଦେହର ରଙ୍ଗ ଜଣେ ଇଉରୋପୀୟ ଭଳି କେମିତି ? ଏହାର ଉତ୍ତରରେ ସାଲମାନଜର କହିଥିଲେ, ସେ ନିଜେ ଜଣେ ରାଜପୁତ୍ର, ଫର୍ମୋଜାର ଉଚ୍ଚବର୍ଗର ବ୍ୟକ୍ତିମାନେ ଭୂଇଁ ତଳେ ପ୍ରାସାଦ ନିର୍ମାଣ କରି ରହିଥାନ୍ତି, ସୂର୍ଯ୍ୟଙ୍କ ସହ ସେମାନଙ୍କର ଆଦୌ ସଂପର୍କ ନଥାଏ । ଚୀନ ଦେଶରୁ ଆସିଥିବା ଜଣେ ପରିବ୍ରାଜକ ଟିକିଏ ଦମ୍ଭର ସହ ପଚାରିଥିଲା, ଫର୍ମୋଜା ତ ଚାଇନାରେ ଆପଣ କେମିତି ଏହା ଜାପାନରେ ଅବସ୍ଥିତ ବୋଲି କହୁଛନ୍ତି ? ଏହାର ଉତ୍ତରରେ ସାଲମାନଜାର କହିଥିଲେ, ଆପଣ ବୋଧହୁଏ ତାଇୱାନର କଥା କହୁଛନ୍ତି ମାତ୍ର ଫର୍ମୋଜା ହେଉଛି ଭିନ୍ନ ।

ଯଦିଓ ଲଣ୍ଡନର ରୟାଲ ସୋସାଇଟିର ସେହି ୧୭୪୦ର ବିତର୍କରେ ସାଲମାନଜରଙ୍କ ଲିଖିତ ଫର୍ମୋଜାର ଇତିହାସକୁ ନେଇ କୌଣସି ସ୍ପଷ୍ଟ ନିଷ୍କର୍ଷ ବାହାରି ପାରି ନଥିଲା ତଥାପି ଏଇଠୁ କହିବାକୁ ଗଲେ ସାଲମାନଜରଙ୍କ ଫର୍ମୋଜାର ଇତିହାସକୁ ନେଇ ଦୃଢ ସନ୍ଦେହ ଆଉ ପ୍ରଶ୍ନଚିହ୍ନର ଆରମ୍ଭ ହୋଇଥିଲା ।

ପରେ ଫର୍ମୋଜାକୁ ପରିବ୍ରାଜକମାନେ ଗଲେ ଆଉ ଆସିଲେ, ଉପନିବେଶ ଶାସନର ଜଣା ପରିସରକୁ ସୁଦୂର ପ୍ରାଚ୍ୟ ଆସିବାକୁ ଆରମ୍ଭ କଲା ଆଉ ତାହାଫଳରେ ଜର୍ଜ ସାଲମାନଜରଙ୍କ ଫର୍ମୋଜାର ଇତିହାସର ବସ୍ତୁସ୍ଥିତିକୁ ଲୋକେ ବୁଝିଯିବାକୁ ଆରମ୍ଭ କରିଥିଲେ । ତାଙ୍କର ରଚିତ ଫର୍ମୋଜାର ଇତିହାସ ଯେ ଦୀର୍ଘକାଳ ଧରି ବାସ୍ତବତା ରହିତ ଏକ କଳ୍ପନା ଏବଂ ଏହା ଆଦ୍ୟନ୍ତ ଭ୍ରମାତ୍ମକ ବୋଲି ଇଂଲଣ୍ଡର ବିଦ୍ୱାନଜଗତର ଦୃଢ ଅବବୋଧ ହେବାକୁ ଲାଗିଲା । ଏହା ଫଳରେ ଜନପ୍ରିୟତାର ଶୀର୍ଷରେ ଥିବା ଜର୍ଜ ସାଲମାନଜର ତଳକୁ ଖସିବାକୁ ଲାଗିଲେ । ଜଣେ ମିଥ୍ୟାବାଦୀ ଯିଏ ଦୀର୍ଘ କାଳ ଧରି ଅଭିଜାତ ତଥା ବିଦ୍ୱାନମଣ୍ଡଳୀକୁ ପ୍ରବଞ୍ଚିତ କରି ଆସିଛି ତାହାକୁ କେହି କ୍ଷମା ଦେବାକୁ ନଥିଲେ ।

ଲଣ୍ଡନର ଅଭିଜାତ ମଣ୍ଡଳୀର ଏକଦା ଅଦ୍ଭୁତ ଆକର୍ଷଣ ଜର୍ଜ ସାଲମାନଜରଙ୍କର ଅବସ୍ଥା ଏପରି ଖରାପ ହେବାକୁ ଲାଗିଲା ଯେ ସେ ଶେଷରେ ରାସ୍ତାରେ ବସି ଯାତାୟତ କରୁଥିବା ବ୍ୟକ୍ତିମାନଙ୍କର ଦରଖାସ୍ତ ଆଉ ଚିଠି ଆଦି ଲେଖିବାକୁ ଆରମ୍ଭ କଲେ । ଅଫିମର ନିଶା ତାଙ୍କୁ ଏକପ୍ରକାର ଭିକ୍ଷୁକରେ ପରିଣତ କରିଦେଇଥିଲା ।

୧୭୬୩ ଖ୍ରୀଅରେ ତାଙ୍କର ମୃତ୍ୟୁ ପରେ ତାଙ୍କର କିଛି ହାତଲେଖା ମିଳିଥିଲା । ସେହି ହାତଲେଖା ଅସଲରେ ତାଙ୍କର ଆତ୍ମକଥା ଥିଲା । ସେଇ ଆତ୍ମକଥା ତାଙ୍କର ସ୍ୱୀକାରୋକ୍ତି ଥିଲା । ନିଜର ଆତ୍ମକଥାରେ ଏହି ଅପଖ୍ୟାତ ଇତିହାସ ଲେଖକ ଜର୍ଜ ସାଲମାନଜର ସ୍ପଷ୍ଟ ଲେଖିଛନ୍ତି ଯେ, ସେ ଫର୍ମୋଜା ବୋଲି କୌଣସି ସ୍ଥାନକୁ କେବେ ଯାଇନାହାଁନ୍ତି । ପରେ କିଛି କିଛି ଅନୁସଂଧାନରୁ ଜଣାପଡିଛି ଯେ ସେ ଜନ୍ମତଃ ଜଣେ ଫରାସୀ ଥିଲେ ମାତ୍ର ତାଙ୍କ ସଂପର୍କରେ ଆଉ କୌଣସି ପ୍ରାମାଣିକ ତଥ୍ୟ ମିଳିନାହିଁ ।

ଏବେ ବି ଅନେକ ମନେ କରନ୍ତି ତାଙ୍କର ପ୍ରକୃତ ନାଆଁ ସମ୍ଭବତଃ ଜର୍ଜ ସାଲମାନଜର ନଥିଲା ।

ଜୀବନରେ ଅନେକ ପ୍ରତାରଣା ଭଳି ଆମେ ଇତିହାସରେ ପ୍ରତାରଣାକୁ ବୁଝିବାରେ ଅଭ୍ୟସ୍ତ ହୋଇ ଆସୁଥିବାବେଳେ ଏକଦା ଏଇଭଳି ଏକ ଜର୍ଜ ସାଲମାନଜର ଆମକୁ ସମ୍ଭବତଃ ଏବେ ଏତେ ଆଶ୍ଚର୍ଯ୍ୟଚକିତ କରି ନପାରେ । କିନ୍ତୁ ଇତିହାସ ରଚନାରେ ପାରିପାର୍ଶ୍ୱିକ କାଳଖଣ୍ଡର ଏବଂ ଘଟଣା ପ୍ରବାହର ପ୍ରାମାଣିକତାକୁ ପୁଷ୍ଟ କରିବା ପାଇଁ ପ୍ରମୁଖ ଭୂମିକା ରହିଅଛି । ଯେମିତି ଗୋଟିଏ ଗୁଇନ୍ଦା ତାହାର ଯୁକ୍ତି ଏବଂ ପ୍ରମାଣ ଆଧାରରେ କୌଣସି କ୍ରାଇମ୍ ସ୍ଥଳରୁ କ୍ରିମିନାଲକୁ ନିର୍ଣ୍ଣୟ କରିଥାଏ ଠିକ୍ ସେହିଭଳି ହେଉଛି ଜଣେ ଇତିହାସକାର । ନିଜର ଅନ୍ତରାଳରେ ଘଟିଯାଇଥିବା ଘଟଣାକୁ ଯଥାଯଥ ଭାବରେ ସନାକ୍ତ କରିବା ପାଇଁ ସେ ତର୍କ, ତଥ୍ୟ ଆଉ ଆନୁସଂଗିକ କଳ୍ପନାର ବିନିଯୋଗ କରିଥାଏ । ତାହାପରେ ଯାଇ ଆମେ ମିଛର ଉହାଡରୁ ସତ୍ୟବାଚକ ଘଟଣାର ବର୍ଣ୍ଣଛଟାକୁ ଦେଖିବାକୁ ସକ୍ଷମ ହେଉ ।

ଶେଷରେ ଇତିହାସ କଳ୍ପନା ଆଉ ସାହିତ୍ୟ କଳ୍ପନାକୁ ନେଇ ପଦଟିଏ କଥା ।

୨୦୨୨ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ସାହିତ୍ୟରଥି ଆନି ଏର୍ନୋଙ୍କ ସଂପର୍କରେ କୁହାଯାଉଛି ଯେ, ସେ ଜଣେ ବିକଳ୍ପ ଜୀବନୀକାର । ନିଜ ଜୀବନୀର ଆଧାରରେ ସେ ଏକ ବିକଳ୍ପ ଜୀବନୀ ରଚନା କରିଥାନ୍ତି । ଠିକ୍ ସେହିଭଳି କୌଣସି ଇତିହାସର ଆଧାରରେ ଏକ ବିକଳ୍ପ ଇତିହାସର ରଚନା କରାଯାଇପାରେ ମାତ୍ର ନିଜର ସମସ୍ତ ବସ୍ତୁପରକତା ସତ୍ତ୍ୱେ ତାହା ଇତିହାସ ହେବ ନାହିଁ, କାରଣ ସେଥିରେ ଦେଶ, କାଳ ଆଉ ପାତ୍ର ସବୁ କାଳ୍ପନିକ ପ୍ରବିଧିରେ ଉପସ୍ଥିତ ଏବଂ ସଂପର୍କୀକୃତ ।

ଜର୍ଜ ସାଲମାନଜର ଇତିହାସ ଭଳି ଯାହା ଲେଖିଛନ୍ତି ତାହା ସେଇଥିପାଇଁ ସାହିତ୍ୟ ହେବ ।

Report an Error