ମିଛ ଇତିହାସ

୧୯୫୭ରେ ଏଲିସ୍ ବୋନର୍ ଓ ରଥଶର୍ମାଙ୍କର ପ୍ରଥମ ସାକ୍ଷାତ ହେଇଛି । ଏଲିସ୍ ଏଲୋରା ଗୁମ୍ଫା ବୁଲିଲା ପରେ ଧାରଣା କରିଥିଲେ ଯେ ସେଠାର ମୂର୍ତ୍ତି ସବୁ ଏକ ନିର୍ଦ୍ଦିଷ୍ଟ ପଞ୍ଜରକୁ ନେଇ ଗଠିତ । ସେ ବିଶ୍ୱାସ କରୁଥିଲେ, ଭାରତୀୟ ମହାନ ଧର୍ମୀୟ କଳା ପଛରେ ଏକ ପ୍ରତୀକାତ୍ମକ ଅର୍ଥ ନିହିତ ଅଛି ।


ଫଟୋ - ରମାକାନ୍ତ ସାମନ୍ତରାୟ

ବ୍ୟକ୍ତିଗତ ଆଲୋଚନାବେଳେ ଏହି ପୋଥି ବିଷୟରେ ପାଠୀ ସାର୍ ମୋତେ କେତେ ଥର କହିଛନ୍ତି । ପୋଥିଟିକୁ ଦେଖିବାର ସୁଯୋଗ କିନ୍ତୁ ଆସିନଥିଲା । ପୋଥିଟି ଓଡ଼ିଶାରୁ ସଂଗୃହିତ ହେଇଥିଲା । ସଂଗ୍ରହ କରିଥିଲେ ପ୍ରଖ୍ୟାତ ସୁଇସ୍ ବିଦୁଷୀ କଳା ଐତିହାସିକ ଏଲିସ୍ ବୋନର୍ । ଓ ପୋଥିଟିକୁ ତାଙ୍କୁ ଯୋଗେଇଥିଲେ ପୁରୀର ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା । ପୋଥିଟି ବନାରସର ଏଲିସ୍ ବୋନର୍ ଫାଉଣ୍ଡେସନ୍ ରେ ଅଛି । ପାଠୀ ସାରଙ୍କ ପାଖରୁ ପୋଥି କଥା ଶୁଣି ଆମର ଖୁସି ଥିଲା ଯେ ଆମ ଚିତ୍ର କେମିତି ହେବ ତା'ର ନୀତି ନିୟମକୁ ନେଇ ଆମ ଭାଷାରେ ମଧ୍ୟ ଏକ ପ୍ରାଚୀନ ତାଳପତ୍ରର ପୋଥି ରହିଛି । ଯେମିତି ଅଛି ବିଷ୍ଣୁଧର୍ମୋତ୍ତର ଓ ଚିତ୍ରଲକ୍ଷଣ ଆଦି ଚିତ୍ରଶାସ୍ତ୍ରର ପ୍ରାମାଣିକ ଗ୍ରନ୍ଥ ।

ସଂଗ୍ରହର ଅନେକ ବର୍ଷ ପରେ ପୋଥିଟି ‘ଦି ଚିତ୍ରଶାସ୍ତ୍ର ପାମ-ଲିଫ୍ ମାନୁସ୍କ୍ରିପ୍ଟ ଫ୍ରମ୍ ଓଡ଼ିଶା (ଇଣ୍ଡିଆ) ଏ ସ୍ପୁରିୟସ୍ ମାନୁଆଲ୍ ଫର୍ ପେଣ୍ଟରସ୍ ଫ୍ରମ୍ ଓଡ଼ିଶା, ଫରମରଲି ଇନ୍ ଦି କଲେକସନ୍ ଅଫ୍ ଏଲିସ୍ ବୋନର’ ନାମରେ ଜୁରିକ୍ ରିଚବର୍ଗ ମ୍ୟୁଜିୟମ୍ ଓ ବନାରସ ଏଲିସ୍ ବୋନର୍ ଫାଉଣ୍ଡେସନ୍ ତରଫରୁ ୨୦୨୦ ମସିହାରେ ପ୍ରକାଶ ପାଇଛି । ଅଠାଅଶି ପୃଷ୍ଠାର ବହିଟିକୁ ମିଳିତ ଭାବରେ ସମ୍ପାଦନା କରିଛନ୍ତି ଦିନନାଥ ପାଠୀ ଓ ଏବରହାର୍ଡ ଫିସର୍ । ବହିଟିରେ ଉଲ୍ଲେଖ ଅଛି ଏହା ଏଲିସ୍ ବୋନର୍ ଡାଏଲଗସ୍ ସିରିଜର ନମ୍ବର ଏକ ଭାବରେ ପ୍ରକାଶ ପାଇଛି । ବହି ଆକାରରେ ଏଇଟି ସମ୍ପାଦିତ ହେଇ ପ୍ରକାଶିତ ହେଲାବେଳକୁ ପାଠୀ ସାରଙ୍କର ଦେହାନ୍ତ ହେଇସାରିଛି ।

ପୋଥିରେ ସମୁଦାୟ ଉଣେଇଶଟି ତାଳପତ୍ର ପୃଷ୍ଠା ରହିଛି । ସମ୍ପାଦକ ଦ୍ୱୟ ବହିଟିରେ ସବୁଗୁଡା ପୃଷ୍ଠାକୁ ଗୋଟି ଗୋଟି କରି ଛାପିଛନ୍ତି । ୩ ଗୁଣନ ୨୮ ସେଣ୍ଟିମିଟର ଆକାର ଥିବା ତାଳପତ୍ରର ପ୍ରତି ପୃଷ୍ଠାରେ କିଛି ଚିତ୍ର ରହିଛି ଓ ଲେଖା ବି ରହିଛି । ବହିର ପ୍ରଚ୍ଛଦରେ ସ୍ପଷ୍ଟ ଲେଖା ଥିବା ସ୍ପୁରିୟସ୍ ମାନୁଆଲ୍ ପାଖରେ କଥାଟି ଅଟକିଛି । ରକ୍ଷା ସମ୍ପାଦକ ଦ୍ୱୟ ସ୍ପୁରିୟସ୍ ମାନୁଆଲ ବୋଲି ଉଲ୍ଲେଖ କରିଛନ୍ତି । ଡିକ୍ସନାରୀ ଅନୁସାରେ ସ୍ପୁରିୟସ୍ ର ଅର୍ଥ ହେଲା ଅବୈଧ, ଜାଲି ଓ ନକଲି । ଏଇଠି ଆମ ଖୁସିରେ ପାଣି ପଶିଯାଇଛି ଜାଣ ।

ପ୍ରଶ୍ନ ଉଠୁଛି ପଣ୍ଡିତ ସଦାଶିବ ରଥଶର୍ମା ଏ ମିଛ ପୋଥିଟି ପାଇଲେ କୋଉଠୁ ଓ ଏଲିସ୍ ବୋନର୍ ଏଥିରେ ଠକିଗଲେ କେମିତି ? ବହିଟି ପ୍ରକାଶିତ ହେଲା ପରେ ଜୋହାନସ୍ କେଇ ଖଣ୍ଡ କପି କେଦାର ମିଶ୍ରଙ୍କ ପାଖକୁ ପଠେଇଥିଲେ ଓ ସେଉଠୁ ଖଣ୍ଡେ କପି ମୋ ପାଖରେ ପହଞ୍ଚିଥିଲା । ସେଇଟି ମୋର ହସ୍ତଗତ ହେଲା ପରେ ମୁଁ ବହିର ପ୍ରଚ୍ଛଦକୁ ଫେସବୁକ୍ ରେ ପୋଷ୍ଟ କରିଥିଲି । ପୋଷ୍ଟ ଦେଖି ବିଶିଷ୍ଟ ସାହିତ୍ୟିକ ଓ କଳା ସମାଲୋଚକ ଜେ.ପି ଦାସ ମୋତେ ଫୋନ୍ କରିଥିଲେ । ସେ ଆଗରୁ ସଂପୃକ୍ତ ପୋଥି ବିଷୟରେ ଅବଗତ ଥିଲେ କିନ୍ତୁ ପ୍ରକାଶନ ବିଷୟରେ ଖବର ପାଇନଥିଲେ । ଜେ.ପି ଦାସ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ବିଷୟରେ କିଛି ତଥ୍ୟ ତାଙ୍କ ଫେସବୁକ୍ ପୃଷ୍ଠାରେ ଫେକ୍ ମାନୁସ୍କ୍ରିପ୍ଟ ଶୀର୍ଷକରେ ଲେଖିଥିଲେ । ବହିଟି ପ୍ରକାଶିତ ହେଲାପରେ କଳା ସମାଲୋଚକ ବି.ଏନ୍ ଗୋସ୍ୱାମୀ ମଧ୍ୟ ଏହି ଚିତ୍ରଶାସ୍ତ୍ରର ଶାସ୍ତ୍ରୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି ।

ମିଛ ପୋଥିର ଗୋଲକ ଧନ୍ଦାରେ ଗବେଷକମାନେ ଧନ୍ଦି ହେବା କିଛି ନୂଆ କଥା ନୁହେଁ । ଜେ.ପି ଦାସ ତାଙ୍କ ଅନୁଭୂତିରୁ ଲେଖିଛନ୍ତି ଯେ, ସେ ଯେତେବେଳେ ୧୯୭୯ରେ ହୋମି ଭାବା ଫେଲୋସିପ୍ ପାଇ ଓଡ଼ିଶୀ ଚିତ୍ରକଳା ଉପରେ ଗବେଷଣା ଆରମ୍ଭ କରିଥିଲେ ସେତେବେଳେ ଖବର ପାଇଥିଲେ ଯେ ପୁରୀରେ ଓଡ଼ିଶୀ ଚିତ୍ରକଳା ସମ୍ପର୍କରେ ଏକ ପୁରୁଣା ପୋଥି ରହିଛି । ପୋଥି ଦେଖିଲା ପରେ ଜେ. ପି ଦାସ ଓ ତାଙ୍କ ଗବେଷଣା ସହଯୋଗୀ ଆମେରିକୀୟ ଗବେଷକ ଜୋଆନ୍ନା ଉଇଲିୟମ୍ ତା'ର ସତ୍ୟଶୀଳତା ଉପରେ ସନ୍ଦେହ କରିଥିଲେ । ରଥଶର୍ମା ସେମାନଙ୍କୁ ‘ପଟ୍ଟଚିତ୍ର ନିର୍ଣ୍ଣାୟମ’ ନାମକ ଏକ ପୋଥିର ଚାରି ପାଞ୍ଚ ପୃଷ୍ଠା ଦେଖାଇଥିଲେ । ପରେ ଶ୍ରୀଯୁକ୍ତ ଦାସଙ୍କ ପଟ୍ଟଚିତ୍ର ଉପରେ ବହିଟି ପ୍ରକାଶିତ ହେଲାପରେ ସେ ଏକ ପଦଟିକାରେ ସ୍ପଷ୍ଟ ଭାବରେ ପୁରୀର ପୋଥି ଉପରେ ସନ୍ଦେହ ପ୍ରକଟ କରିଥିଲେ । ହୁଏତ ସେଇ ପୋଥିଟି ହିଁ ଏଲିସ୍ ବୋନରଙ୍କ ଦ୍ୱାରା ସଂଗୃହିତ ହେଇ ଏବେ ପ୍ରକାଶ ପାଇଛି । କିମ୍ବା ‘ପଟ୍ଟଚିତ୍ର ନିର୍ଣ୍ଣାୟମ’ ଅଲଗା ଏକ ପୋଥି ଯାହା ବହି ଆକାରରେ ପ୍ରକାଶିତ ହେଇନି ।

ପଣ୍ଡିତ ସଦାଶିବ ରଥଶର୍ମାଙ୍କ ମିଛ ପୋଥି ତିଆରି କରି ଚଳାଇନେବାର ପୁରୁଣା ବଦନାମ ଆଗରୁ ରହିଛି । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସେଥିପାଇଁ ରଥଶର୍ମାଙ୍କ ମିଛ ପୋଥି କାରବାରର ଘୋର ବିରୋଧି ଥିଲେ । କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କର ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ବହିରେ ମିଛ ପୋଥି ବିଷୟରେ ବିସ୍ତାରରେ ଲେଖିଛନ୍ତି । କୋଣାର୍କ ମନ୍ଦିରର ନିର୍ମାଣ ପାଇଁ ବ୍ୟବହୃତ ପୋଥି ରଥଶର୍ମା ହିଁ ପାଇଥିଲେ ଓ ତାଙ୍କ ସହ ମିଶି ଏଲିସ୍ ବୋନର୍ ଓ ରାଜେନ୍ଦ୍ର ପ୍ରସାଦ ଦାସ ‘ଦି ନ୍ୟୁ ଲାଇଟ୍ ଅନ୍ ସନ୍ ଟେମ୍ପଲ୍ ଅଫ୍ କୋଣାର୍କ’ ନାମରେ ବହିଟି ସମ୍ପାଦନ କରିଥିଲେ । ବହିଟି ପ୍ରକାଶ ପାଇଲା ପରେ ପୋଥିର ସତ୍ୟାସତ୍ୟତା ନେଇ ଓଡ଼ିଶାର ଐତିହାସିକ ଓ ଗବେଷକମାନେ ଘୋର ଆପତ୍ତି ଉଠେଇଥିଲେ । ସପ୍ତଦଶ ଶତାବ୍ଦୀରେ ଲିଖିତ ଓ ୧୮୮୯ରେ ନକଲ୍ ହେଇଥିବା ପୋଥିରେ ୧୯୦୩, ଏପରିକି ୧୯୩୧ରେ ମନ୍ଦିର ମରାମତି ପରର ଅବସ୍ଥାର ଉଲ୍ଲେଖ ରହିଛି । ଏହିପରି ଅନେକ ବିସଙ୍ଗତି ପ୍ରତି ଗବେଷକମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଗୋଟିଏ ମାତ୍ର ଉଦାହରଣ ନୁହେଁ ରଥଶର୍ମାଙ୍କ ଦ୍ୱାରା ସଂଗୃହିତ ‘ଶିଳ୍ପ ଚନ୍ଦ୍ରିକା’, ‘ପାଇକ ଖେଦା’, 'ଶିଳ୍ପ ପ୍ରକାଶ’ ଓ ‘ମାଧବ ମହାତ୍ମ୍ୟ’ ଆଦି ପୋଥିକୁ ଗବେଷକମାନେ ପରେ ପ୍ରମାଣ ଦେଖାଇ ଜାଲି ବୋଲି କହିଛନ୍ତି ।

ଜାଲି ପୋଥି ତିଆରି କରିବାର ଅନେକ ଉପାୟ ଅଛି । ତାଳପତ୍ର ପତ୍ରକୁ ପୁରୁଣା କରିବାକୁ ଗୋବର ଭିତରେ ପୋତାଯାଏ, ଚୁଲି ଉପରେ ଧୁଆଁରେ ଟଙ୍ଗାଯାଏ, ପଇଡ଼ ଚୋପା ଓ ଆମ୍ବଛାଲି ରସରେ ବୁଡାଯାଏ । ଅନ୍ୟ ଉପାୟ ମଧ୍ୟ ରହିଛି । ପ୍ରକୃତ ପୁରୁଣା ତାଳପତ୍ର ପୋଥିରେ ଶେଷ ଆଡକୁ ବେଳେବେଳେ ଫାଙ୍କା ପୃଷ୍ଠା କିଛି ରହିଯାଇଥାଏ । ସେଗୁଡିକୁ ସେଠୁ ସଂଗ୍ରହ କରି ଲେଖନୀରେ କିଛି ପୁରୁଣା କଥା ଲେଖିଦେଲେ ହେଲା । ପଣ୍ଡିତ ରଥଶର୍ମା ଅନେକ ଦିନ ଧରି ପୁରୀର ଏମାର ମଠରେ ଥିବା ରଘୁନନ୍ଦନ ପାଠାଗାରରେ ମୁଖ୍ୟ ଲାଇବ୍ରେରିୟାନ୍ ଥିଲେ ଓ ପାଠାଗାରରେ ଅନେକ ପୁରୁଣା ତାଳପତ୍ର ପୋଥି ଗଚ୍ଛିତ ଥିଲା । ତାପରେ ରଥଶର୍ମା ଲେଖନୀ ଧରି ତାଳ ପତ୍ରରେ ଲେଖି ଜାଣିଥିଲେ ଓ ତାଙ୍କୁ ଚିତ୍ର ଆଙ୍କିବା ବି ଜଣାଥିଲା । ଏଥିରୁ ଅନୁମାନ କରାଯାଇପାରେ ଜାଲି ପୋଥି ତିଆରି କରିବା ତାଙ୍କ ପାଇଁ କେତେ ସହଜ ଥିଲା ।

ଚିତ୍ରଶାସ୍ତ୍ର ପୋଥିରେ ଅନେକ କଥା ଅଛି ଯାହାକୁ ଏଇଟି ଗୋଟାପଣ ଏକ ମିଛ ପୋଥି ବୋଲି ପ୍ରମାଣ କରୁଛି । ପୋଥିର କଲୋଫୋନରୁ ଆରମ୍ଭ କରି ପାଠ ଓ ଚିତ୍ର ସବୁଠି ମାଳ ମାଳ ଜାଲିଆତି । ପୋଥିରେ କୁହାଯାଇଛି ଏହା ଗଙ୍ଗ/ଗଜପତି ରାଜାଙ୍କ ଦ୍ୱାଦଶ ଅଙ୍କରେ ଲେଖାଯାଇଥିଲା । କିନ୍ତୁ କୋଉ ଗଙ୍ଗ ରଜାଙ୍କ ସମୟରେ ଏହା ବିରଚିତ ହେଇଛି ସ୍ପଷ୍ଟ ହେଇନି । ଆହୁରି କୁହାଯାଇଛି ପୋଥିଟି ଜଣେ ରୂପକାର ବା ବଢେଇ ଜାତିର ବ୍ୟକ୍ତିଙ୍କ ହାତରେ ପ୍ରସ୍ତୁତ । ରୂପକାରମାନେ କାଠରେ କାମ କରନ୍ତି, ତେଣୁ ସେ ଚିତ୍ରକରଙ୍କ ପୋଥି ଲେଖିଲେ କେମିତି ଓ କାହିଁକି ? ପୁରୀର ସବୁ ଜଣାଶୁଣା ପାରମ୍ପରିକ ଚିତ୍ରଶିଳ୍ପୀମାନେ ଚିତ୍ରକର ସମ୍ପ୍ରଦାୟର । ପ୍ରଶ୍ନ ଉଠୁଛି ଜଣେ ରୂପକାର କାହିଁକି ଚିତ୍ରକରଙ୍କ ପରମ୍ପରାକୁ ପୋଥିରେ ଲେଖି ରଖିଥିଲା ? ପୋଥି ରଚନା କରିଥିବା ନିରଞ୍ଜନଙ୍କ ପୁତ୍ର ମାନଗୋବିନ୍ଦଙ୍କ ସମ୍ପର୍କରେ ଗବେଷକ ଦ୍ୱୟ ଅନୁସନ୍ଧାନ କରି କିଛି ତଥ୍ୟ ମଧ୍ୟ ପାଇପାରିନଥିଲେ । ୧୯୭୦ - ୮୦ ପର୍ଯ୍ୟନ୍ତ ପୁରୀର ସବୁ ପ୍ରମୁଖ ଚିତ୍ରକର ନିରକ୍ଷର ଥିଲେ । ତେଣୁ ସେମାନଙ୍କ ଗୋସେଇଁବାପାଙ୍କ ଗୋସେଇଁବାପା ଯେ ଏମିତି ଏକ ପୋଥି ରଚନା କଲେ ତା' ପୁଣି ଓଡ଼ିଆ ଲିପିରେ ଓ ସଂସ୍କୃତ ଭାଷାରେ ?

ପୋଥିରେ ଖୋଦିତ ଛବି, ବିଶେଷକରି ମଣିଷମାନଙ୍କର; ପାରମ୍ପରିକ ପଟ୍ଟଚିତ୍ର ଅପେକ୍ଷା ଛାପା ଆଧୁନିକ ସମୟରେ ମିଳୁଥିବା ବହିର ବ୍ରୋଞ୍ଜ ଓ ପଥର ମୂର୍ତ୍ତି ସହ ସାମ୍ୟତା ଦର୍ଶାଉଛି । ସବୁଠାରୁ ମଜା କଥାଟି ହେଲା, ପୋଥିର କିଛି ଚିତ୍ର ସିଧାସଳଖ ଅବନୀନ୍ଦ୍ରନାଥଙ୍କ ୧୯୧୪ରେ, ଓ.ସି. ଗାଙ୍ଗୁଲିଙ୍କ ଦ୍ୱାରା ସମ୍ପାଦିତ ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟର ଜର୍ଣ୍ଣାଲ ‘ରୂପମ୍’ରେ ପ୍ରକାଶିତ ଛବିରୁ ନିଆଯାଇଛି । ସେ ଜର୍ଣ୍ଣାଲ୍ ସବୁ ଓଡ଼ିଶା ମ୍ୟୁଜିୟମ୍ ଲାଇବ୍ରେରୀରେ ଅନେକ ବର୍ଷରୁ ଅଛି । ତାପରେ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋଙ୍କ ଦ୍ୱାରା ରଚିତ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୫୫ ମସିହାରେ ପ୍ରକାଶିତ ପୁସ୍ତକ ‘କଳାର ବିଚାର’ ବହିରେ ଅବନୀନ୍ଦ୍ରନାଥଙ୍କ ସେହି ଚିତ୍ର ମଧ୍ୟ ଛପା ଯାଇଛି । ସେଥିରୁ ମଧ୍ଯ ନିଆଯାଇଥାଇପାରେ।

ଯାହା ଅନୁମାନ କରାଯାଏ ଚିତ୍ରଶାସ୍ତ୍ର ପୋଥିଟି ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏମିତି ଜଣେ ଧୂରୀଣ ବ୍ୟକ୍ତିଙ୍କ ହାତରେ ତିଆରି ହେଇଛି, ଯିଏ କି ସଂସ୍କୃତ ଭାଷା ଜାଣିଥିଲେ ଓ ପୋଥି ଏବଂ ପୋଥି ପାଠ ବିଷୟରେ ଜ୍ଞାନ ରଖିଥିଲେ । କିମ୍ବା ଖୋଦ୍ ପଦ୍ମଶ୍ରୀ ରଥଶର୍ମା ନିଜ ହାତରେ ପୋଥି ତିଆରି କରି ୧୯୬୦ରେ ଏଲିସ୍ ବୋନର୍ ଙ୍କ ହାତରେ ଧରେଇଥିଲେ ।

ବହିର ଫରୱାର୍ଡରେ ଜୋହାନସ୍ ଲେଖିଛନ୍ତି, ସେ ଯେବେ ଏକ ସମ୍ପାନରେ ଏବରହାର୍ଡ ଫିସରଙ୍କୁ ଅନୁରୋଧ କଲେ ଚିତ୍ରଶାସ୍ତ୍ର ବିଷୟରେ କହିବାକୁ ସେତେବେଳେ ଏବରହାର୍ଡ ଟିକେ ପଛଘୁଞ୍ଚା ଦେଇଥିଲେ । ତା'ର କାରଣ ଥିଲା ଓଡ଼ିଶାରୁ ଏଲିସ୍ ବୋନରଙ୍କ ଦ୍ୱାରା ସଂଗୃହିତ କିଛି ପୋଥିର ସତ୍ୟାସତ୍ୟତା ଉପରେ ତାଙ୍କର ସନ୍ଦେହ ଥିଲା । ଅବଶ୍ୟ ଏଲିସ୍ ବୋନର୍ ଚିତ୍ରଶାସ୍ତ୍ରର ପୋଥିଟି ନକଲି ବୋଲି ଜାଣିଥିଲେ କିମ୍ବା ପୋଥି ଉପରେ ତାଙ୍କର କିଛି ସନ୍ଦେହ ଥିଲା । ଫଳରେ ପୋଥିକୁ ସେ ତାଙ୍କ ଜୀବଦଶାରେ ପ୍ରକାଶ କରିନଥିଲେ । ଜୋହାନସ୍ ଙ୍କ କହିବା ଅନୁସାରେ ଏଲିସ୍ ବୋନରଙ୍କ ଅଭିଲେଖରେ ସାଇତାଥିବା ରଥଶର୍ମାଙ୍କ ଚିଠିରେ ବେଶୀ ଭାଗ ପୋଥି ଓ ତା'ର ପ୍ରତିବଦଳରେ ପଇସାପତ୍ରର ଆଦାନପ୍ରଦାନର ହିସାବ ନେଇ ଝିକା ଓଟରା କଥା ସବୁ ଅଛି ।

ପୁରୀ ଠାରେ ୧୯୫୭ରେ ଏଲିସ୍ ବୋନର୍ ଓ ରଥଶର୍ମାଙ୍କର ପ୍ରଥମ ସାକ୍ଷାତ ହେଇଛି । ଏଲିସ୍ ଏଲୋରା ଗୁମ୍ଫା ବୁଲିଲା ପରେ ଧାରଣା କରିଥିଲେ ଯେ ସେଠାର ମୂର୍ତ୍ତି ସବୁ ଏକ ନିର୍ଦ୍ଦିଷ୍ଟ ପଞ୍ଜରକୁ ନେଇ ଗଠିତ । ସେ ବିଶ୍ୱାସ କରୁଥିଲେ, ଭାରତୀୟ ମହାନ ଧର୍ମୀୟ କଳା ପଛରେ ଏକ ପ୍ରତୀକାତ୍ମକ ଅର୍ଥ ନିହିତ ଅଛି । ସେ ସେହି ଗୁଢ ରହସ୍ୟକୁ ଭେଦ କରିବାକୁ ତତ୍କାଳୀନ ଅନେକ ସଂସ୍କୃତ ବିଦ୍ୱାନମାନଙ୍କୁ ପଚାରିଥିଲେ ଯେ, ତାଙ୍କ ଧାରଣାକୁ ପୁଷ୍ଟ କଲା ପରି କିଛି ପ୍ରାଚୀନ ପୋଥି ଅଛି କି ? ଅନେକଙ୍କ ଠୁ ନିରାଶ ହେଲାପରେ ୧୯୫୭ରେ ଯେତେବେଳେ ଏଲିସଙ୍କର ରଥଶର୍ମାଙ୍କ ସହ ଦେଖା ହେଲା, ସେତେବେଳେ ଖଣ୍ଡେ କାଗଜରେ ଏଲିସ୍ ଏକ ମୂର୍ତ୍ତିର ଛବି ଆଙ୍କି ତା'ର ଅର୍ନ୍ତନିହିତ ପଞ୍ଜରକୁ ଦେଖାଇଲେ । ତାଙ୍କୁ ଆଶ୍ଚର୍ଯ୍ୟ କରି ରଥଶର୍ମା ତତକ୍ଷଣାତ୍ ଆଉ ଏକ ମୂର୍ତ୍ତିର ଛବି ଆଙ୍କି ତା'ର ପଞ୍ଜର ଦେଖାଇଦେଲେ । ରଥଶର୍ମା ବୁଝିଯାଇଥିଲେ ବିଦେଶୀ ମହିଳା ଜଣକ ପ୍ରକୃତରେ କ'ଣ ଚାହୁିଁଛନ୍ତି । ସେବେଠୁ ସେ ଏଲିସଙ୍କୁ ଅନେକ ପୋଥି ଯୋଗେଇ ଚାଲିଲେ ।

ମିଛ ପୋଥି ତିଆରି ପଛରେ ପଇସା କଥା ତ ନିଶ୍ଚୟ ଅଛି । ତା' ସାଙ୍ଗରେ ଅଛି ଜାତୀୟତାବୋଧ ଓ ମୋ ଜାତି ଅନ୍ୟ ଠାରୁ ଆଗରେ ଓ ଶ୍ରେଷ୍ଠ ବୋଲି ପ୍ରମାଣ କରିବାର କୁଛ୍ର ସାଧନା । କୌଣସି ଗବେଷଣା ଶେଷ ଗବେଷଣା ନୁହେଁ । ବିଜ୍ଞାନର ଅଗ୍ରଗତି ସହ ଗବେଷଣାର ପରିସର ବ୍ୟାପକ ଓ ତଥ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ଅନୁଶୀଳନ କରିବାର ଅବକାଶ ବଢିଛି । ଏମିତି ଏକ ପୋଥି ଓ ତା'ର ସତ୍ୟାସତ୍ୟତାକୁ ନେଇ ଦୁଇ ଗବେଷକ ଉପସ୍ଥାପିତ କରିଥିବା ତଥ୍ୟକୁ ଅନୁଶୀଳନ କଲାପରେ କୋଉଠି ନା କୋଉଠି ପ୍ରଶ୍ନଟିଏ ଉଠୁଛି ଯେ, ବିଦେଶୀ ଗବେଷକମାନଙ୍କ ଦ୍ୱାରା ଗବେଷଣାଲବ୍ଧ ତଥ୍ୟକୁ ନେଇ ପ୍ରକାଶିତ ପୁସ୍ତକକୁ ଏବେ ସମ୍ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ ତ ? ଅବଶ୍ୟ ମିଛ କେବେବି ବେଶୀ ଦିନ ସତ ହେଇ ରହିପାରିବନି । ଜାତୀୟତାବାଦ ଓ ଅତ୍ୟଧିକ ଦେଶପ୍ରୀତି(!) ସବୁକିଛିକୁ କେମିତି ବିଗାଡି ଦିଏ ସାମ୍ପ୍ରତିକ ସମୟକୁ ନିରିଖେଇ ଚାହିଁଲେ ଜଳ ଜଳ ହେଇ ଦିଶିବ । ଆଜି ବିଭିନ୍ନ କାରଣରୁ ସତ ଇତିହାସ ପଛକୁ ପଳଉଛି ଓ ତା' ଜାଗାରେ କେତେ ପ୍ରକାର ମିଛ ଇତିହାସ ଆଖିକୁ ଜଳକା କରି ପକଉଛି । ସେଇ ଜଳକାପଣକୁ ସମ୍ଭାଳି ପାରିଲେ ହେଲା ।

Report an Error