ହିନ୍ଦୀ ଭାଷା (୧)

ଆଜି ଆମେ ଯେଉଁ ହିନ୍ଦୀ ଭାଷାକୁ ଟି.ଭି ଓ ସିନେମାରେ ଶୁଣୁଛେ ଅର୍ଥାତ୍ ଯାହାକୁ ଆମେ ମଡର୍ଣ୍ଣ ହିନ୍ଦୀ ବୋଲି କହିପାରିବା ତାହା ପ୍ରକୃତରେ ଭାରତୀୟ ଭାଷା ପରିବାରର ସର୍ବକନିଷ୍ଠ ଭାଷା ।


ଫଟୋ - ୱିକିମିଡିଆ କମନ୍ସ

ପିଲାଦିନେ ମୋ ଗାଁରେ ହିନ୍ଦୀ କହି ପାରୁଥିବା ଓ ବୁଝି ପାରୁଥିବା ଲୋକ ବୋଧେ କେହି ନଥିଲେ । ଯିଏ ବା ଥିଲେ ସେମାନେ ବିଦେଶରେ ଥିଲେ । ଯେଉଁ ଜଣେ ଦି ଜଣ ମିଲିଟାରୀରେ ଚାକିରି କରୁଥିଲେ ସେମାନେ ହିନ୍ଦୀ ଜାଣିଥିଲେ । ବାକି ହିନ୍ଦୀ ଜାଣିଥିବା ଲୋକ ହେଲେ କିଛି ଯୁବକ । କର୍ମସଂସ୍ଥାନରେ ଗାଁର ଯୁବକମାନେ କେଇମାସ ଲେଖା ବାହାରକୁ ଯାଇ ପୁଣି ଗାଁକୁ ଫେରିଆସୁଥିଲେ । ବାହାରକୁ ମାନେ ସୁରତ, ବାଙ୍ଗାଲୋର କି ଦିଲ୍ଲୀ ଆଦି ସହର । ସେମାନେ ହିଁ ଗାଁକୁ ଫେରିଲେ ପହିଲେ ପହିଲେ ଓଡ଼ିଆ ଶବ୍ଦ ମଝିରେ ହିନ୍ଦୀ ଶବ୍ଦ କହି ଗାଁ ଲୋକଙ୍କୁ ଚମକାଉଥିଲେ ଯାହା ।

ମୋ ଗାଁ ପାଖରେ ଦଇତାରୀ - ପାରାଦ୍ୱୀପ ଜାତୀୟ ରାଜପଥ ଯାଇଥିବାରୁ ହିନ୍ଦୀ ଭାଷାଭାଷୀ ଟ୍ରକ୍ ଡ୍ରାଇଭରଙ୍କ ଭାଷା ସହ ଅନେକ ଅବଶ୍ୟ ପରିଚିତ ଥିଲେ । ସେ ସମୟରେ ଟ୍ରକ୍ ଚଳଉଥିବା ଡ୍ରାଇଭରମାନେ ମୁଖ୍ୟତଃ ପଞ୍ଜାବୀ ଅବା ବିହାରୀ ଥିଲେ । ବିଶାଳ ବପୁ, ମୁଣ୍ଡରେ ପଗଡ଼ି, ମୁହଁରେ ଦାଢ଼ୀ, ହାତ ବଳାରେ କଡ଼ା, ନାକ ତଳକୁ ଉପରମୁହାଁ ହଳେ ନିଶ । ତା’ ସାଙ୍ଗକୁ ଲୁଙ୍ଗି, ଦେହରେ ପଞ୍ଜାବୀ ଓ ପାଦରେ ଆଗକୁ ମୁନିଆ ହେଇ ରହିଥିବା ଯୋତା । ଆମ ଲୋକେ ସେଇଥିପାଇଁ ସେମାନଙ୍କୁ ଖାଲି ଡ୍ରାଇଭର କହିବାକୁ ପସନ୍ଦ କରୁନଥିଲେ । ବଡ଼ ସମ୍ଭ୍ରମରେ ଡାକୁଥିଲେ ଡ୍ରାଇଭର ସାହେବ୍ । ହିନ୍ଦୀ କହିବା ମାମଲାରେ ଆମେ ପିଲାଏ କିଛି ପଛରେ ନଥିଲୁ । ହିନ୍ଦୀ କହିପାରିଲେ ଜଣେ ଅତ୍ୟନ୍ତ ମାତବର ଲୋକର ମର୍ଯ୍ୟାଦା ମିଳିବାର ଲୋଭ ଆମମାନଙ୍କୁ ହିନ୍ଦୀ କହିବାକୁ ବାରବାର ପ୍ରରୋଚିତ କରୁଥିଲା । ଓଡ଼ିଆ ଭାଷାରେ କେବଳ ‘ଙ୍ଗ’ ଲଗେଇଦେଲେ ଓଡ଼ିଆ ହିନ୍ଦୀ ହେଇଯିବାର ସହଜ ବାଟ ଆମେ ଆବିଷ୍କାର କରିସାରିଥାଉ । ଯେମିତି କି ମୁଁ ଯିବିକୁ ଆମେ ହିନ୍ଦୀ କରି କହୁଥିଲୁ ‘ମୁଁ ଯାଇଙ୍ଗେ’, ମୁଁ ଖାଇବାକୁ ‘ମୁଁ ଖାଇଙ୍ଗେ’ । ସେମିତି ଶୋଇଙ୍ଗେ, ମାରିଙ୍ଗେ, ଭୁଷେଙ୍ଗେ, ସାଇକେଲ ଚଲାଇଙ୍ଗେ ଇତ୍ୟାଦି ଇତ୍ୟାଦି । କେବେ କେବେ ସୁଦୁ ଓଡ଼ିଆ ବାକ୍ୟ ପରେ 'ହେ' ଯୋଗକରି ଭାଷାକୁ ହିନ୍ଦୀ କରିପକାଉଥିଲୁ । ସାଙ୍ଗକୁ କହୁଥିଲୁ କୁଆଡେ ତୁମ୍ ଯାଇ ହେ ? କ୍ୟା ତୁମ ଖାଇ ହେ ? ଅମୁକ ଘରେ ନାଇଁ ହେ । ସମୁକ ସ୍କୁଲ୍ ମେ ମାଡ ଖାଇ ହେ ...ଇତ୍ୟାଦି । ସେତେବେଳେ ଇଂରାଜୀରେ କହିବା ଓ ବୁଝିବା ଆମ ସ୍ୱପ୍ନ ରାଇଜର ବାହାରେ ଥିଲା ।

କଲେଜ ଗଲା ପରେ ହିନ୍ଦୀ ସାଙ୍ଗରେ ପରିଚୟ ହେଲା ମୁଖ୍ୟତଃ ହିନ୍ଦୀ ସିନେମାରୁ । ପ୍ରଥମେ ତ କିଛି ନୂଆ ସାଙ୍ଗଙ୍କ ହିନ୍ଦୀ ସିନେମା ଜ୍ଞାନ ଦେଖି ମୁଁ କାବା ହେଇଗଲି । ସେମାନେ ସବୁ ହିରୋ ହିରୋଇନମାନଙ୍କୁ ସେମାନଙ୍କ ଭାଇ, ବନ୍ଧୁ ବା ପରିଜନଙ୍କ ପରି ଚିହ୍ନିଥିଲେ । ଅଳ୍ପ ଅଧ୍ୟବସାୟ କରି ମୁଁ ହିରୋ କେଇଜଣଙ୍କୁ ଚିହ୍ନିଲି ସିନା କିନ୍ତୁ ମୋତେ ସବୁ ହିରୋଇନଙ୍କ ମୁହଁ ଏକା ପରି ଦିଶୁଥିଲା । ମୋର ପ୍ରଥମ ହିନ୍ଦୀ ସିନେମା ଥିଲା ‘ୱତନ କି ରଖୱାଲା’ । ମୁଁ ଖାଲି ସିନେମା ଦେଖୁଥିଲି ସିନା, ଅଥଚ ସେମାନେ କ’ଣ କହୁଥିଲେ ସେଥିରୁ ବିନ୍ଦୁ ବିସର୍ଗ କିଛି ବି ବୁଝିପାରୁନଥିଲି । ସେ ଯାହା ହେଉ ପରେ ଲୁଚାଛପାରେ ସେଇ ହିନ୍ଦୀ ସିନେମା ଦେଖାରୁ ହିନ୍ଦୀକୁ ବୁଝିବା ମୋର ଆରମ୍ଭ ହେଲା ଜାଣ । ମ୍ୟାଟ୍ରିକ ପଢିଲାବେଳକୁ ଟିଭି ମୁଁ ଦେଖିଲିଣି ଯେ, ହେଲେ ତାହା କେବଳ ସାନ୍ଧ୍ୟକାଳୀନ ଓଡ଼ିଆ କାର୍ଯ୍ୟକ୍ରମ ଭିତରେ ସୀମିତ ଥାଏ । ହିନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ ହେଲେ ଟି.ଭି ବନ୍ଦ କରିଦିଆଯାଉଥିଲା ।

କଳା ମହାବିଦ୍ୟାଳୟରେ ପଢ଼ିବାକୁ ଭୁବନେଶ୍ୱର ଆସିଲା ପରେ ହିନ୍ଦୀ ମୁଁ କିଛି କିଛି ବୁଝିପାରୁଥିଲି କିନ୍ତୁ କହିପାରୁନଥିଲି । (ଅବଶ୍ୟ ଆଜି ବି ମୁଁ ବହୁତ ଖରାପ ହିନ୍ଦୀ କହେ) । ଆମ ସାଙ୍ଗରେ ସେତେବେଳେ କେତେଜଣ ପିଲା ରାଉରକେଲାରୁ ପଢୁଥିଲେ ଓ କଲେଜରେ କିଛି ବିହାରୀ ପିଲା ବି ଥିଲେ । ସେମାନେ ଚଣା ଫୁଟିଲା ପରି ହିନ୍ଦୀ କହିପାରୁଥିଲେ । ସେମାନଙ୍କ ସାଙ୍ଗରେ ଉପରେ ପଡ଼ି ଖଣ୍ଡି ଖଣ୍ଡି ହିନ୍ଦୀ କହିବା ଆମେ କେତେଜଣ ଆରମ୍ଭ କରିଥିଲୁ । ତାପରେ ସବୁ ସଞ୍ଜରେ ସ୍କେଚ୍ କରିବାକୁ ଆମେ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାଉଥିଲୁ । ସେଇଠି ହିନ୍ଦୀ କହୁଥିବା ଯାତ୍ରୀ ମିଳୁଥିଲେ । ଓଡ଼ିଶା ବାହାରେ ରହିଲା ପରେ ହିନ୍ଦୀରେ ସାମାନ୍ୟ ସୁଧାର ଅବଶ୍ୟ ଆସିଲା କିନ୍ତୁ ହିନ୍ଦୀ ଭାଷାର ଲିଙ୍ଗ ପ୍ରକରଣ ଏବେବି ବଡ଼ ହଇରାଣ କରେ । ଅନେକଙ୍କର ସେଇ ଏକା ଅଭିଯୋଗ ।

ହିସାବ ଅନୁସାରେ ପୃଥିବୀର ସବୁଠାରୁ ଅଧିକ ଲୋକ ଚୀନ୍'ର ଭାଷା ମଣ୍ଡାରିନ୍ ରେ କଥାବାର୍ତ୍ତା କରନ୍ତି । ତା’ ତଳକୁ ଅଛି ସ୍ପାନିସ୍ ଓ ଇଂରାଜୀ । ହିନ୍ଦୀ ଭାଷାର ସ୍ଥାନ ଅଛି ଚତୁର୍ଥରେ । ତା’ ମାନେ ପୃଥିବୀର ବହୁତ ଲୋକ ହିନ୍ଦୀରେ କଥାବାର୍ତ୍ତା କରନ୍ତି । ଭାରତର ନଅଟି ରାଜ୍ୟ ଓ ତିନି କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେଉଛି ହିନ୍ଦୀ ।

ଭାରତ ଏକ ଭାଷା ବହୁଳ ଦେଶ । ସାରା ଦେଶରେ ବିଭିନ୍ନ ପ୍ରାନ୍ତରରେ ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ରହିଛି । ଅନେକ ଭାଷା, ପୁଣି ଅନେକ ଉପଭାଷା । କାହାର ନିଜର ଲିପି ଅଛି ତ କାହାର ନାହିଁ । କିଏ କେବଳ କଥିତ ଭାଷା ଭାବରେ ଶହ ଶହ ବର୍ଷ ହେଲାଣି ବଞ୍ଚି ରହିଛି । ସରକାରୀ ଭାବରେ ଭାରତରେ ୨୨ଟି ଅନୁସୂଚିତ ଭାଷା ରହିଛି । ସେ ସବୁ ହେଲା ଅହମିୟା, ବଙ୍ଗଳା, ବୋଡୋ, ଡୋଗ୍ରୀ, ଗୁଜରାଟି, କନ୍ନଡ, କାଶ୍ମରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲାମ୍, ମରାଠୀ, ମଣିପୁରୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ, ସିନ୍ଧି, ତାମିଲ, ତେଲୁଗୁ, ହିନ୍ଦୀ ଓ ଉର୍ଦ୍ଦୁ । ସରକାରୀ ଭାଷା ଭାବରେ ହିନ୍ଦୀ ଓ ଇଂରାଜୀ ରହିଛି । କ୍ଲାସିକାଲ୍ ଲାଙ୍ଗୁଏଜ୍ ଭାବରେ ଛଅଟି ଭାଷା ରହିଛି । କନ୍ନଡ, ମାଲାୟାଲାମ, ଓଡ଼ିଆ, ସଂସ୍କୃତ, ତାମିଲ ଓ ତେଲୁଗୁ । ସମ୍ବିଧାନରେ ପ୍ରଥମରୁ ୧୪ଟି ଭାଷା ରହିଥିଲା । ୧୯୬୭ରେ ସିନ୍ଧି, ୧୯୯୨ରେ କୋଙ୍କଣୀ, ମଣିପୁରୀ ଓ ନେପାଳୀ ଏବଂ ୨୦୦୪ରେ ବୋଡୋ, ଡୋଗ୍ରୀ, ମୈଥିଳୀ ଓ ସାନ୍ତାଳୀକୁ ଯୋଗ କରାଯାଇଥିଲା । ଫଳରେ ସଂଖ୍ୟା ୧୪ରୁ ଯାଇଁ ୨୨ରେ ପହଞ୍ଚିଥିଲା । ୨୦୦୧ର ଜନଗଣନା ଅନୁସାରେ ଭାରତରେ ୧୨୨ଟି ଭାଷା ଓ ୧୫୯୯ଟି ଉପଭାଷା ରହିଛି । ଅନେକ ହିନ୍ଦୀ ଭାଷାକୁ ଭାରତର ଜାତୀୟ ଭାଷା ବୋଲି କୁହନ୍ତି, ଯାହାକି ସତ୍ୟ ନୁହେଁ । ପ୍ରକୃତରେ ଭାରତରେ ସରକାରୀ ଭାବେ କୌଣସି ଜାତୀୟ ଭାଷା ନାହିଁ ।

ଆଜି ଆମେ ଯେଉଁ ହିନ୍ଦୀ ଭାଷାକୁ ଟି.ଭି ଓ ସିନେମାରେ ଶୁଣୁଛେ ଅର୍ଥାତ୍ ଯାହାକୁ ଆମେ ମଡର୍ଣ୍ଣ ହିନ୍ଦୀ ବୋଲି କହିପାରିବା ତାହା ପ୍ରକୃତରେ ଭାରତୀୟ ଭାଷା ପରିବାରର ସର୍ବକନିଷ୍ଠ ଭାଷା । ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ ବ୍ୟବହୃତ ଖଡ଼ିବୋଲିରୁ ସେଇଟି ମୁଖ୍ୟତଃ ବାହାରିଛି ଓ ଅଷ୍ଟାଦଶ ଶତାବ୍ଦୀବେଳକୁ ସେଥିରେ ସାହିତ୍ୟ ରଚନା ଆରମ୍ଭ ହେଇଛି । ଖଡ଼ିବୋଲି ବାହାରିଛି ତା'ଠାରୁ ପୁରୁଣା ଭାଷା ଅୱଧିରୁ । ଅୱଧି ଏକ ମିଠା ଭାଷା, ଯେଉଁଥିରେ ସନ୍ଥ ତୁଳସୀ ଦାସ ସପ୍ତଦଶ ଶତାବ୍ଦୀରେ ତାଙ୍କ ‘ରାମଚରିତ ମାନସ’ ରଚନା କରିଥିଲେ । ଅୱଧି ଭାଷାରେ ରଚିତ ‘ରାମଚରିତ ମାନସ’ ଭକ୍ତି ସଂଗୀତ ପୂରା ଉତ୍ତର ଭାରତରେ ବେଶ୍ ଲୋକପ୍ରିୟ ହୋଇଥିଲା ଓ ପ୍ରଭୁ ଶ୍ରୀରାମଙ୍କୁ ଲୋକପ୍ରିୟ କରାଇଥିଲା । ବ୍ରଜ ଭାଷା ମଧ୍ୟ ପୁରାତନ ହିନ୍ଦୀର ଅନ୍ୟ ଏକ ରୂପ । ପୁରାତନ ହିନ୍ଦୀ ସାହିତ୍ୟ ସେଇ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀବେଳକୁ ଲିଖିତ ହେଇଛି ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ଓ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଷ୍ଟ ଇଣ୍ଡିଆ କମ୍ପାନୀର କାରବାର ତଥା ଶାସନ ଅଧୀନରେ ହିନ୍ଦୀ ଓ ଉର୍ଦ୍ଦୁ ଭାଷା ଅଲଗା ଭାବରେ ପ୍ରଚଳିତ ହେବା ଆରମ୍ଭ କଲା । ୧୮୦୦ ମସିହାରୁ ପର୍ସିଆନ୍ ଭାଷା ଅନେକ ଶବ୍ଦରେ ସମୃଦ୍ଧ ହୋଇଥିବାବେଳେ ଉର୍ଦ୍ଦୁ ଏକ ସମ୍ମାନଜନକ ଭାଷା ଭାବରେ ତା’ର ଆସ୍ଥାନ ଜମେଇ ସାରିଥିଲା । ଦିଲ୍ଲୀ ସୁଲତାନା ଶାସନ କାଳରେ ପୁରୁଣା ହିନ୍ଦୀ ସହ ପର୍ସିଆନ୍ ଭାଷା ମିଶି ହିନ୍ଦୁସ୍ଥାନୀ ଭାଷା ତିଆରି ହୋଇଥିଲା । ହିନ୍ଦୀ ଦେବନାଗରୀ ସ୍କ୍ରିପ୍ଟରେ ଲେଖାଯାଉଥିବାବେଳେ ଉର୍ଦ୍ଦୁ ପର୍ସୋ - ଆରବିକ୍ ସ୍କ୍ରିପ୍ଟରେ ଲେଖାଯାଏ । ଉଭୟେ ହେଉଛନ୍ତି ହିନ୍ଦୁସ୍ଥାନୀ ଭାଷା ।

Report an Error