ହିନ୍ଦୀ ଭାଷା (୨)

୧ ଏପ୍ରିଲ ୧୯୩୬ରେ ଆମ ଓଡ଼ିଶା ତ ଭାରତରେ ଭାଷା ଭିତ୍ତିରେ ଗଢାଯାଇଥିବା ପ୍ରଥମ ରାଜ୍ୟ । ତେବେ ଭାଷାକୁ ନେଇ ଅନ୍ୟ ଆନ୍ଦୋଳନ ମଧ୍ୟରେ ୧୮୫୦ର ଉର୍ଦ୍ଦୁ ଭାଷା ଆନ୍ଦୋଳନ, ତାମିଲ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀ ଭାଷା ବିରୋଧି ଆନ୍ଦୋଳନ (୧୯୩୭), କନ୍ନଡ ଆନ୍ଦୋଳନ (୧୯୮୦) ଆଦି ରହିଛି ।


ଫଟୋ ସୂତ୍ର - ୱିକିମିଡିଆ

ଇଂରେଜ କମ୍ପାନୀ ସରକାର ହିନ୍ଦୁ ଓ ମୁସଲମାନଙ୍କ ଭିତରେ ବିଭେଦ କରିବାକୁ ଧିରେଧିରେ ହିନ୍ଦୀକୁ ହିନ୍ଦୁଙ୍କର ଓ ଉର୍ଦ୍ଦୁକୁ ମୁସଲମାନଙ୍କର ଭାଷା ଭାବରେ ଚିହ୍ନଟ କରିବାର ଖେଳ ଖେଳିଲା । ଏମିତି କିଛି ବିଭାଜନକାରୀ ଚିନ୍ତାଟେ କରିବା ଓ ତାକୁ ବିଧିବଦ୍ଧ ଭାବରେ ଭାରତ ମାଟିରେ ପ୍ରତିରୋପଣ କରିବା ଏକା କଥା ନଥିଲା । ସେଇ ଦାୟିତ୍ୱ ଆପେ ନେଇଥିଲେ ସ୍କଟଲାଣ୍ଡର ଜଣେ ଡାକ୍ତର । ତାଙ୍କ ନାମ ହେଲା ଜନ୍ ଗିଲଖ୍ରୀଷ୍ଟ । ଗିଲଖ୍ରୀଷ୍ଟଙ୍କ ଜନ୍ମ ୧୭୫୯ରେ ଇଡିନବର୍ଗଠାରେ ହୋଇଥିଲା ଓ ମୃତ୍ୟୁ ହୋଇଥିଲା ୧୮୪୧ରେ । ୧୭୮୨ରେ ଗିଲଖ୍ରୀଷ୍ଟ ରୟାଲ୍ ନ୍ୟାଭିରେ ଜଣେ ସହଯୋଗୀ ସର୍ଜନ ଭାବରେ ନିଯୁକ୍ତି ପାଇଥିଲେ ଓ ସେଇସୂତ୍ରରେ ବମ୍ବେରେ ପହଞ୍ଚିଥିଲେ । ସେଇଠି ସେ ଇଷ୍ଟଇଣ୍ଡିଆ କମ୍ପାନୀର ମେଡିକାଲ୍ ସର୍ଭିସ୍ ରେ ଯୋଗ ଦେଇଥିଲେ ଓ ୧୭୮୪ରେ ଆସିଷ୍ଟାଣ୍ଟ ସର୍ଜନ ଭାବରେ ନିଯୁକ୍ତି ପାଇଥିଲେ । ଡାକ୍ତରୀ ପାଠ ପଢିଥିଲେ ମଧ୍ୟ ଗିଲଖ୍ରୀଷ୍ଟଙ୍କର ଭାଷା ବିଜ୍ଞାନ ପ୍ରତି ଦୁର୍ବଳତା ରହିଥିଲା । ଭାରତରେ ପହଞ୍ଚି ସେ ହିନ୍ଦୁସ୍ଥାନୀ ଭାଷା ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ । ସେଥିପାଇଁ ୧୭୮୫ରେ ସେ ଭାଷା ଅଧ୍ୟୟନରେ ଅଧିକ ସମୟ ଦେବା ପାଇଁ କମ୍ପାନୀ ପାଖରୁ ଗୋଟେ ବର୍ଷ ପାଇଁ ଛୁଟି ଦରଖାସ୍ତ କରିଥିଲେ । ଛୁଟି ତାଙ୍କୁ ମିଳିଥିଲା ୧୭୮୭ରେ । ଗିଲଖ୍ରୀଷ୍ଟ କିନ୍ତୁ ତାଙ୍କ ବର୍ଷିକିଆ ଛୁଟିର ଅବଧି ସରିଗଲା ପରେ ବି ଆଉ ତାଙ୍କ ପୁରୁଣା କାମରେ ଯୋଗ ଦେଇନଥିଲେ । ପୂରା ସମୟ ଭାଷା ଅଧ୍ୟୟନକୁ ଦେଇଥିଲେ ।

ଗିଲଖ୍ରୀଷ୍ଟଙ୍କ ବହି ଭାବରେ ପ୍ରଥମ ପ୍ରକାଶନ ଥିଲା ଏକ ଶବ୍ଦକୋଷ; ‘ଏ ଡିକ୍ସନାରୀ: ଇଂଲିଶ୍ ଆଣ୍ଡ ହିନ୍ଦୁସ୍ଥାନୀ’ । ତାଙ୍କର ଅନ୍ୟ ଏକ ପ୍ରମୁଖ ବହି ହେଲା - ‘ଏ ଗ୍ରାମାର ଅଫ୍ ଦି ହିନ୍ଦୁସ୍ଥାନୀ ଲାଙ୍ଗୁଏଜ୍’, ‘ଦି ଓରିଏଣ୍ଟାଲ୍ ଲିଙ୍ଗୁଇଷ୍ଟ’ । ବହି ପ୍ରକାଶ ପାଇଲା ପରେ ସେ ତାକୁ ବ୍ରିଟିଶ ପ୍ରଶାସକ ଓ ଅଧିକାରୀମାନଙ୍କ ମଧ୍ୟରେ ଅଧିକରୁ ଅଧିକ ପ୍ରଚଳନ ପାଇଁ ଚେଷ୍ଟା କରିଥିଲେ । ହିନ୍ଦୁସ୍ଥାନୀ ଭାଷା ଶିକ୍ଷା ପାଇଁ ସେ ଗଭର୍ଣ୍ଣର ଜେନେରାଲଙ୍କୁ ଏକ ଅନୁଷ୍ଠାନ ତିଆରି କରାଯାଉ ବୋଲି ଅନୁରୋଧ କଲେ, ଯେଉଁଠି ହିନ୍ଦୁସ୍ଥାନୀ ଭାଷାର ଟ୍ରେନିଂ ଦିଆଯିବ । ସେଇଠୁ କଲିକତାରେ ଆରମ୍ଭ ହେଲା ‘ଓରିଏଣ୍ଟାଲ୍ ସେମିନାରୀ’ ବା ‘ଗିଲଖ୍ରୀଷ୍ଟ କା ମଦ୍ରାସା’ । ସେଇଟା ବଡ଼ ହେଇ ପରେ ୧୮୦୦ ମସିହାରେ ଫୋର୍ଟ ୱିଲିୟମ୍ ଭିତରେ ‘ଫୋର୍ଟ ୱିଲିୟମ୍ କଲେଜ’ରେ ପରିଣତ ହେଲା । ଗିଲଖ୍ରୀଷ୍ଟ ସେଇଠି ଅନେକ ଭାରତୀୟ ଲେଖକ ଓ ଗବେଷକଙ୍କୁ ଆର୍ଥିକ ସାହାଯ୍ୟ ଦେଇ ହିନ୍ଦୀରେ ଲେଖାଲେଖି କରେଇଥିଲେ । ଫଳରେ ଅନେକ ହିନ୍ଦୀ ବହି ପ୍ରକାଶିତ ହେବାକୁ ଆରମ୍ଭ କଲା । ୧୮୧୮ରେ ହିନ୍ଦୀରେ ବାଇବେଲ୍ ବାହାରିଲା ଓ ୧୮୨୬ରେ ‘ଉଦନ୍ତ ମାର୍ତ୍ତଣ୍ଡ’ ନାମରେ ପ୍ରଥମ ହିନ୍ଦୀ ଖବରକାଗଜ ପ୍ରକାଶିତ ହେଲା । ଫଳରେ ଧିରେଧିରେ ହିନ୍ଦୁସ୍ଥାନୀ ଭାଷା ହିନ୍ଦୀ ଓ ଉର୍ଦ୍ଦୁ ନାମରେ ଦୁଇ ନଦୀ ହେଇ ପ୍ରବାହିତ ହେବାକୁ ଲାଗିଲା । ହିନ୍ଦୀ ଭାଷା ସଂସ୍କୃତରୁ ଓ ଉର୍ଦ୍ଦୁ ଭାଷା ଆରବିକ୍ ଏବଂ ପର୍ସିଆନ୍ ଭାଷାରୁ ଆହୁରି ଆହୁରି ଶବ୍ଦ ଆଣି ଅଲଗା ହେବାକୁ ଲାଗିଲେ । ତେଣୁ ଆମେ ଆଜି ଯେଉଁ ହିନ୍ଦୀକୁ ଦେଖୁଛେ ତାହା ଊନବିଂଶ ଶତାବ୍ଦୀର ଭାଷା, ଯାହାର ଜନ୍ମସ୍ଥାନ ହେଲା ଫୋର୍ଟ ୱିଲିୟମ୍ କଲେଜ । ଆଇରିସ୍ ଭାଷାତତ୍ତ୍ୱବିଦ୍ ଗ୍ରୀୟେରସନ୍'ଙ୍କ କହିବା ଅନୁସାରେ ଆଜିର ଆଧୁନିକ ହିନ୍ଦୀ ଏକ କୃତ୍ରିମ ଡାଇଲେକ୍ଟ, ଯାହାକି କୌଣସି ଭାରତୀୟଙ୍କ ମାତୃଭାଷା ନୁହେଁ । ୧୮୮୧ରେ ବିହାର ପ୍ରଥମ ପ୍ରଦେଶ ଭାବେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିଥିଲା ।

ଭାରତୀୟ ମୁଖ୍ୟଧାରାର ରାଜନୀତିରେ ଉତ୍ତର ଭାରତର ପ୍ରାଧାନ୍ୟ ସବୁବେଳେ ରହିଆସିଛି । ଉତ୍ତର ଭାରତର ଭାଷା ହିନ୍ଦୀକୁ ସାରା ଭାରତ ଉପରେ ଥାେପି ଦେବାର ଚେଷ୍ଟା ସବୁବେଳେ ହୋଇଆସିଛି । ସେଥିପାଇଁ ହିନ୍ଦୀ ଭାଷାକୁ ନେଇ ଦକ୍ଷିଣ ଭାରତରେ ବିରୋଧର ବାତାବରଣ ରହିଆସିଛି । ଦଶ ହଜାର ବର୍ଷର ଇତିହାସ ଥିବା ଭାରତବର୍ଷର ଜାତୀୟ ଭାଷା ଭାବରେ ମାତ୍ର ଦୁଇଶହ ବର୍ଷ ତଳେ ତିଆରି ଏକ ଭାଷାକୁ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରୁଛନ୍ତି । ସରକାରଙ୍କ ପ୍ରସ୍ତାବ ହେଲା, ଭାରତର ଜାତୀୟ ଭାଷା ହିନ୍ଦୀ ଓ ସବୁ ଭାରତୀୟ ଭାଷାର ଜନନୀ ସଂସ୍କୃତ ବୋଲି କଥାଟିକୁ ସମସ୍ତେ ଗ୍ରହଣ କରିନିଅନ୍ତୁ । ସବୁ ଭାରତୀୟ ଭାଷାର ଜନନୀ ସଂସ୍କୃତ ବା କାହିଁକି ହେବ ? କୌଣସି ଗୋଟିଏ ଭାଷାକୁ ପ୍ରାଚୀନ ଭାରତର ମାତୃଭାଷା କୁହାଯାଇପାରିବନି । ଆମର ଅନେକ ଭାଷା ରହିଛି । ଭାଷାର ବିବିଧତା ଥିବା ଦେଶର ଭାଷାଗୁଡିକ ବିଭିନ୍ନ ସୂତ୍ରରୁ ଆସିଛନ୍ତି । ଯଥା ଇଣ୍ଡୋ - ଆର୍ଯ୍ୟ ବା ଇଣ୍ଡିକ୍, ଦ୍ରାବିଡ଼, ସିନୋ ତିବ୍ଦତିଆନ୍, ଅଷ୍ଟ୍ରୋଏସିଆଟିକ୍, ତାଇ-କଡାଇ (ଦକ୍ଷିଣ ପୂର୍ବ ଏସିଆ) ଓ ଗ୍ରେଟ୍ ଆଣ୍ଡାମାନିଜ୍ । ଏଠି ପ୍ରଶ୍ନ ଉଠୁଛି କୌଣସି ଗୋଟେ ଭାଷାକୁ ରାଷ୍ଟ୍ରଭାଷା କାହିଁକି କରାଯିବ ? ସମ୍ବିଧାନର ୨୯ ଧାରା ଅନୁସାରେ ଦେଶର ସବୁ ନାଗରିକ ସେମାନଙ୍କ ନିଜର ଭାଷା, ଲିପି ଓ ସଂସ୍କୃତିର ସଂରକ୍ଷଣ କରିପାରିବେ । ‘ଗୋଟେ ଦେଶ ଗୋଟେ ଭାଷା’ ଏକ ରାଜନୈତିକ ଚାଲାକି ଛଡ଼ା କିଛି ନୁହେଁ ।

ଅଳ୍ପ ଦିନ ତଳେ ବଲିଉଡ୍ କଳାକାର ଅଜୟ ଦେବଗନ୍ କହିଲେ ଯେ, ହିନ୍ଦୀ ହେଉଛି ଆମ ଦେଶର ଜାତୀୟ ଭାଷା । ତା’ର ପ୍ରତ୍ୟୁତ୍ତର ସାଙ୍ଗେସାଙ୍ଗେ ଦକ୍ଷିଣ ଭାରତର ସିନେମା କଳାକାରମାନଙ୍କ ପାଖରୁ ମିଳିଲା । ଅଜୟ ଦେବଗନ୍ ଓ କନ୍ନଡ ଅଭିନେତା ସୁଦୀପ କିଚ୍ଚାଙ୍କ ମଧ୍ୟରେ ଟ୍ବିଟରରେ ଢେର ଲଢେ଼ଇ ଚାଲିଲା । କ୍ରମେ ସେଥିରେ ରାଜନୈତକ ଦଳର ନେତାମାନେ ମଧ୍ୟ ସାମିଲ ହେଲେ ।

ହିନ୍ଦୀକୁ ନେଇ ବିବାଦ ତ ବେଶ୍ ପୁରୁଣା । ଏବେର ବିବାଦ ଆରମ୍ଭ ହୋଇଛି ଜାତୀୟ ଶିକ୍ଷା ନୀତିରେ ଥିବା ଭାଷା ବିଷୟକ ଚିଠାରୁ । ଜାତୀୟ ଶିକ୍ଷା ନୀତିର ଚିଠାରେ କୁହାଗଲା, ପିଲାଏ ତିନୋଟି ଭାଷା ବାଧ୍ୟତାମୂଳକ ଭାବରେ ପଢ଼ିବେ । ହିନ୍ଦୀ ଓ ଇଂରାଜୀ ସହ ନିଜ ମାତୃଭାଷା । ଆଞ୍ଚଳିକ, ଜାତୀୟ ଓ ବୈଶ୍ୱିକ ଜ୍ଞାନର ଆଦାନ ପ୍ରଦାନ ପାଇଁ ପିଲାଏ ଯଥାକ୍ରମେ ତାଙ୍କ ନିଜ ମାତୃଭାଷା ସହ ହିନ୍ଦୀ ଓ ଇଂରାଜୀ ଭାଷାର ଶିକ୍ଷା ଗ୍ରହଣ କରିବା ଦରକାର ବୋଲି କୁହାଗଲା । ଭାରତ ସ୍ୱାଧୀନ ହେବା ଆଗରୁ ହିନ୍ଦୀକୁ ସର୍ବଭାରତୀୟ ଭାଷା ଭାବରେ ସମସ୍ତଙ୍କୁ ଗ୍ରହଣ କରିନେବାକୁ ବାରବାର ଚେଷ୍ଟା କରାଯାଇଛି । ମହାତ୍ମା ଗାନ୍ଧୀଙ୍କର ମଧ୍ୟ ମତ ଥିଲା ହିନ୍ଦୀକୁ ସମସ୍ତେ ଗ୍ରହଣ କରନ୍ତୁ । ଗାନ୍ଧୀ ୧୯୧୮ରେ ଦକ୍ଷିଣ ଭାରତରେ ହିନ୍ଦୀର ପ୍ରସାର ପାଇଁ ‘ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା’ ଗଠନ କରିଥିଲେ । ୧୯୨୫ରେ ଭାରତୀୟ ଜାତୀୟ କଂଗ୍ରେସ ତା’ର ସମସ୍ତ ଦାପ୍ତରିକ କାମ ଇଂରାଜୀ ବଦଳରେ ହିନ୍ଦୀରେ କରିବା ଆରମ୍ଭ କରିଥିଲା । ଗାନ୍ଧୀ ଓ ନେହେରୁ ଉଭୟେ ଚାହୁଁଥିଲେ ଅଣହିନ୍ଦୀ ପ୍ରଦେଶର ଲୋକେ ହିନ୍ଦୀ ଶିଖନ୍ତୁ । ଗାନ୍ଧୀ ଚାହୁଁଥିଲେ ଆଞ୍ଚଳିକ ଭାଷା ସହ ସମସ୍ତେ ବୁଝିପାରୁଥିବା ଏକ ସାଧାରଣ ଭାଷା ମଧ୍ୟ ରହୁ । ଆମ ଗୋପବନ୍ଧୁ ମଧ୍ୟ ରାଜି ଥିଲେ ସାରା ଭାରତରେ ଯଦି ଗୋଟିଏ ଭାଷା ପ୍ରଚଳନ ହୁଏ ତେବେ ସେ ଓଡ଼ିଆ ଭାଷାକୁ ତ୍ୟାଗ କରିଦେବେ ।

ଭାରତ ସ୍ୱାଧୀନ ହେଲାପରେ ବି ଭାଷାକୁ ନେଇ ସହମତି ହେଇପାରିନଥିଲା । ସମ୍ବିଧାନ ସଭାରେ ଭାଷାକୁ ନେଇ ବେଶ୍ ତର୍କ ହେଲା । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ନେତାଏ ହିନ୍ଦୀ ସପକ୍ଷରେ କହିଲେ ତ ଦକ୍ଷିଣ ଭାରତୀୟ ନେତାଏ ହିନ୍ଦୀକୁ ବିରୋଧ କଲେ । ସ୍ୱାଧିନତା ସଂଗ୍ରାମୀ ରଘୁନାଥ ବିନାୟକ ଧୁଲେକର ୧୯୪୯ରେ ଯୁକ୍ତି ଦେଖାଇ କହିଥିଲେ ଯେ, ହିନ୍ଦୁସ୍ଥାନୀ ଜାଣି ନଥିବା ଲୋକର ଭାରତରେ ରହିବାର କୌଣସି ଅଧିକାର ନାହିଁ । ସେ ହିନ୍ଦୀ ଅର୍ଥରେ ହିନ୍ଦୁସ୍ଥାନୀ କହିଥିଲେ ।

ଅତୀତରେ ଭାଷାକୁ ନେଇ ଆମ ଦେଶରେ କିଛି କମି ଆନ୍ଦୋଳନ ହେଇନି । ୧ ଏପ୍ରିଲ ୧୯୩୬ରେ ଆମ ଓଡ଼ିଶା ତ ଭାରତରେ ଭାଷା ଭିତ୍ତିରେ ଗଢାଯାଇଥିବା ପ୍ରଥମ ରାଜ୍ୟ । ତେବେ ଭାଷାକୁ ନେଇ ଅନ୍ୟ ଆନ୍ଦୋଳନ ମଧ୍ୟରେ ୧୮୫୦ର ଉର୍ଦ୍ଦୁ ଭାଷା ଆନ୍ଦୋଳନ, ତାମିଲ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀ ଭାଷା ବିରୋଧି ଆନ୍ଦୋଳନ (୧୯୩୭), କନ୍ନଡ ଆନ୍ଦୋଳନ (୧୯୮୦) ଆଦି ରହିଛି । ୧୮୭୧ରେ ବଙ୍ଗର ଲେଫ୍ଟନାଣ୍ଟ ଜେନେରାଲ୍ ସେଠାରେ ଉର୍ଦ୍ଦୁକୁ ହଟାଇ ହିନ୍ଦୀ ପ୍ରଚଳନ ଆରମ୍ଭ କଲେ । ଆନ୍ଦୋଳନ ପରେ ୧୯୦୦ରେ ହିନ୍ଦୀ ଓ ଉର୍ଦ୍ଦୁକୁ ସମାନ ମାନ୍ୟତା ଦିଆଗଲା । ସେମିତି ୧୯୩୭ରେ ରାଜଗୋପାଳଚାରୀ ସରକାର ହିନ୍ଦୀ ଭାଷାର ପ୍ରଚଳନକୁ ମାଡ୍ରାସ ପ୍ରେସିଡେନ୍ସିରେ ବାଧ୍ୟତାମୂଳକ କରିବାରୁ ସେଠାରେ ବିରୋଧ ଆରମ୍ଭ ହୋଇଗଲା । ଇ.ଭି ରାମସ୍ୱାମୀ ଓ ପେରିୟାର୍ ଆଦି ଅନେକ ନେତା ତା’ର ବିରୋଧ କଲେ । ପେରିଆର୍ ଙ୍କୁ ଅନ୍ୟ ତାମିଲ ବିଦ୍ୱାନମାନେ ସମର୍ଥନ ଜଣାଇଲେ । ତାମିଲ ଭାଷା ଭାରତର ଅନ୍ୟତମ ପୁରାତନ ଭାଷା । ଦ୍ରାବିଡ଼ ଭାଷା ପରିବାରର ଏହି ଭାଷାଟିକୁ ସଂସ୍କୃତ ଭାଷାଠାରୁ ବି ପୁରୁଣା କୁହାଯାଏ । ହିନ୍ଦୀ ଭାଷାର ପ୍ରଚଳନ ନେଇ ରାଜଗୋପାଳଚାରୀଙ୍କ କଂଗ୍ରେସ ଦଳ ମଧ୍ୟ ଦୁଇଭାଗ ହେଇଗଲେ । ବ୍ରିଟିଶ ସରକାର ଗଭର୍ଣ୍ଣରଙ୍କ ଦ୍ୱାରା ୧୯୪୦ରେ ଅଧ୍ୟାଦେଶକୁ ପ୍ରତ୍ୟାହାର କରାଗଲା । ପରେ ସମ୍ବିଧାନ ଗଢା ହେଲାବେଳେ ହିନ୍ଦୀକୁ ଜାତୀୟ ଭାଷା ଭାବରେ ମାନ୍ୟତା ଦେବାର ଚେଷ୍ଟାକୁ ଟି. ଟି. କ୍ରିଷ୍ଣାମୂର୍ତ୍ତୀ ବିରୋଧ କଲେ । କଥା ଛିଡିଲା, ମାତ୍ର ପନ୍ଦର ବର୍ଷ ପାଇଁ ହିନ୍ଦୀ ଓ ଇଂରାଜୀକୁ ଅଫିସିଆଲ୍ ଷ୍ଟାଟସ୍ ଦିଆଯିବ । କେ. ଏମ୍. ମୁନସି - ଗୋପାଳସ୍ୱାମୀ ଆୟାଙ୍ଗରଙ୍କର ଫର୍ମୁଲା ଅନୁସାରେ ଦେବନାଗରୀ ଅକ୍ଷରରେ ହିନ୍ଦୀ ଜାତୀୟ ଭାଷା ବଦଳରେ ସରକାରୀ ଦପ୍ତରୀ ଭାଷା ବା ଅଫିସିଆଲ୍ ଲାଙ୍ଗୁଏଜ୍ ହୋଇ ରହିଲା । କୁହାଗଲା, ଅଣ ହିନ୍ଦୀ ରାଜ୍ୟମାନଙ୍କ ସୁବିଧା ପାଇଁ ଇଂରାଜୀ ଭାଷାର ବ୍ୟବହାର ଅବ୍ୟାହତ ରହିବ ୨୬ ଜାନୁୟାରୀ ୧୯୬୫ ପର୍ଯ୍ୟନ୍ତ । ୧୯୬୫ରେ କେବଳ ହିନ୍ଦୀ ସରକାରୀ ଭାଷା ଯାହା ହେବାର ଥିଲା ତାହା ଆଉ ହେଇପାରିଲାନି । ସେତେବେଳକୁ ରାଜନୈତିକ ଦଳ ଭାବରେ ଡି.ଏମ୍.କେ. ତାମିଲନାଡୁରେ ପ୍ରଭାବ ବିସ୍ତାର କରିସାରିଲାଣି । ଜାନୁଆରୀ ୨୫ରୁ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ମଦୁରାଇ ସହରରୁ ଆରମ୍ଭ ହୋଇ ଦଙ୍ଗା ପୂରା ମାଡ୍ରାସକୁ ବ୍ୟାପିଗଲା । ଦୁଇମାସ ଯାଏଁ ଚାଲିଲା ଏସବୁ । ସରକାରୀ ହିସାବରେ ୭୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେତେବେଳକୁ ପଣ୍ଡିତ ନେହେରୁଙ୍କ ଦେହାନ୍ତ ହୋଇସାରିଲାଣି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଦକ୍ଷିଣର ଆନ୍ଦୋଳନକୁ ଆଖିରେ ରଖି ହିନ୍ଦୀକୁ ଜାତୀୟ ଭାଷା କଲେନି । ହିନ୍ଦୀ ଓ ଇଂରାଜୀ ପୁଣି ଅଫିସିଆଲ୍ ଭାଷା ହୋଇ ରହିଲା । ଭାଷା ଆନ୍ଦୋଳନର ଲାଭ ଉଠାଇଲା ଡି.ଏମ୍.କେ. ଦଳ । ୧୯୬୭ ବିଧାନସଭା ନିର୍ବାଚନ ଜିତି ସେମାନେ ସରକାର ଗଢିଲେ ।

ଆମେ ରହୁଥିବା ସହରମାନଙ୍କର ଯୁବପିଢିଙ୍କର ଭାଷା ସଂପୂର୍ଣ୍ଣ ବଦଳି ସାରିଲାଣି । ସପିଂ ମଲ୍ ରେ ଟହଲୁଥିବା ଯୁବକ ଯୁବତୀମାନେ ଯେଉଁ ଭାଷାରେ କଥା ହେଉଛନ୍ତି, ସେଥିରେ ହିନ୍ଦୀ ଓ ଇଂରାଜୀ ଶବ୍ଦ ଅଧିକ ଓ ଓଡ଼ିଆ ଶବ୍ଦ କମ୍ ରହୁଛି । ବାପା ମା ଓ ସ୍କୁଲର ଶିକ୍ଷକମାନେ ପିଲାଙ୍କୁ ଓଡ଼ିଆରେ କଥା ହେବାକୁ ନିରୁତ୍ସାହିତ କରୁଛନ୍ତି । ତେଣୁ ଭାଷାକୁ ନେଇ ରାଜନୀତିର ଶେଷ କେବେବି ହେବନି । ଭାଷାର ସମ୍ପର୍କ ଅନ୍ୟ ଯେ କୌଣସି ସମ୍ପର୍କଠାରୁ ନିବିଡ଼ । ଭାରତଠାରୁ ଅଲଗା ହୋଇ ପାକିସ୍ତାନ ପୁଣି ଥରେ ବିଭାଜିତ ହେଲା କେବଳ ସେଇ ଭାଷା ପାଇଁ । ଶ୍ରୀଲଙ୍କାର ବର୍ଷ ବର୍ଷର ଅଶାନ୍ତିର ବାତାବରଣ ସେଇ ସିଂହଳୀ ଓ ତାମିଲ ଭାଷାର ବିବାଦକୁ ନେଇ । ଇଂରାଜୀ ଏକ ବିଦେଶୀ ଭାଷା ତେଣୁ ତାକୁ ଛାଡିବାକୁ ଆମେ ବର୍ଷ ବର୍ଷ ଧରି ଯେତେ ଚେଷ୍ଟା କରୁଛେ ତା’ର ଚେର ସେତେ ସେତେ ଗହୀରକୁ ପଶି ପଶି ଚାଲିଛି । ହିନ୍ଦୀ କୋଉ ପଛରେ ଅଛି କି ? ଆଜିର ଯୁବପିଢି ହିନ୍ଦୀ - ଇଂରାଜୀ - ଓଡ଼ିଆକୁ ମିଶେଇ ଏକ ନୂଆ ଖେଚୁଡ଼ି ଭାଷା ତିଆରି କରିସାରିଲେଣି । ଆମ ଟି.ଭି.ମାନଙ୍କର ନ୍ୟୁଜ୍ ଆଙ୍କରଙ୍କ ଭାଷା କ’ଣ ଆଉ ଓଡ଼ିଆ ହୋଇ ରହିଛି ? ଭାଷା ବଦଳି ଯାଉଛି ବୋଲି ମୁଁ ଆଦୌ ଚିତ୍କାର କରିବିନି । ଭାଷା ବଦଳିବା କିଛି ଗୋଟେ ନୂଆ କଥା କି ?

ହିନ୍ଦୀ ଭାଷା (୧)

Report an Error