
ସେଦିନ ଆଉ ଇଚ୍ଛା ହେଲାନି
ତୁମ ସର୍କସରେ
ତାଙ୍କର ଖେଳ, ଚମତ୍କାରିତା
ଦେଖେଇବାକୁ ।
ମାଲିକର ଇଶାରାରେ
ଉଠ୍ ଵସ୍ ହେଵାର ଭୟ ସଵୁ
ଉଭାନ ହେଉଥିଲା ଯେମିତି ।
ଏକ ଅପୂର୍ବ ସାହସ
ସଙ୍ଗଠିତ ହେଉଥିଲା ତା ଭିତରେ
ସଵୁ ବନ୍ଧନରୁ ମୁକ୍ତ ହୋଇ,
କୁଦା ମାରି ଚାଲିଯିବ
ପ୍ରତିବାଦ କରିବ
ନା, ଛାତିପାରି
ଜୀବନ ଦେଇଦଵ ପଛେ
ଆଉ ଇଙ୍ଗିତରେ
ନାଚ ଖେଳ କରିବନି ।
ଵହୁଦିନର କ୍ଲାନ୍ତି, ଅବସାଦ
ମେଣ୍ଟେଇବାକୁ
ଥମ୍ କରି ବସିଯାଉଥିଲା,
ନିଜ ଇଚ୍ଛାରେ ବଞ୍ଚିଵାକୁ
ଦୁନିଆକୁ ଦେଖିବାର
ଚେଷ୍ଟାରେ ....
ସେତିକିଵେଳେ
ମାଲିକାନା ଯିବା ଭୟରେ
ଅସୁରକ୍ଷିତ ସେମାନେ
ଧର୍ମ, ଜାତି, ମାନ, ସମ୍ମାନର
ଠିକା ତ ସେମାନଙ୍କର ।
କାହାର ନିଶ କଟିଯାଏ
କାହା ମୁଣ୍ଡ ତଳକୁ
କେହି ରାଗ ଅହଂକାରେ
ନିଜେ ମରେ
ନଚେତ ମାରିଦିଏ ।
ଛାତି ପତେଇ
ପ୍ରାଣ ଦେଲା ପଛେ
ଆଉ ନାଚିଵାକୁ
କାହା ଇଙ୍ଗିତରେ ଇଚ୍ଛା କଲାନି
ଏଵେ ଉଠଵସ୍
ହେଵେନି ଵୋଲି
ପ୍ରତିଜ୍ଞାବଦ୍ଧ ।
ମାର ପଛେ ଯେତେ
ଶତଶତ ହଜାର
ରକ୍ତରେ ଜୁଡୁଵୁଡୁ ହାତ
ମଶାଲ ଧରି ସାମିଲ
କାହାରି ମୃତ୍ୟୁ ହିଁ ତ ଆଣିବ
ଇନକିଲାବ ।
ଅଧିକାର ପାଇଁ ହାହାକାର
ଜଳୁଛି ପ୍ରତିବାଦର ନିଆଁ
କାଟୁଛି ଚୁଟି
ପୋଡୁଛି ହିଜାଵ,
ଖାଲି ଇରାନ ନୁହେଁ
ପରଦା ତଳେ ଥିବା
ସାରା ଵିଶ୍ଵର
ସେଇମାନେ
ମାଗୁଛନ୍ତି ହିସାବ ।
ଆମ ଓଢଣି,
ତୁମ ହିଜାଵ,
ତାଙ୍କ ପରଦା
ସବୁ ଏକ, କେବଳ
ତାର ରଙ୍ଗ ରୂପ ଅନେକ ।