ଇ.ବି.ହାଭେଲ ଓ ଅବନୀନ୍ଦ୍ର

ଅବନୀନ୍ଦ୍ର ମୁଖ୍ୟତଃ ତିନି ପ୍ରକାରର ଛବି ପସନ୍ଦ କରୁଥିଲେ । ସେଗୁଡିକ ହେଲା ମୋଗଲ୍ ମିନିଏଚର୍, ବ୍ରିଟିଶ୍ ଜଳରଙ୍ଗ ଓ ଜାପାନୀ ଛବି । ଅବନୀନ୍ଦ୍ର ଏହି ତିନି ଧାରାକୁ ନିଜ ଛବିରେ ମିଶାଇ ପରୀକ୍ଷା କରିବା ଆରମ୍ଭ କରିଥିଲେ । ଯାହାର ସଫଳ ଉଦାହରଣ ହେଲା 'ଦ ପାସିଂ ଅଫ୍ ଶାହା ଜାହାନ' ।


ଫଟୋ - ୱିକିପିଡିଆ

ରବୀନ୍ଦ୍ରନାଥ ଠାକୁରଙ୍କର ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିଲା । ତାଙ୍କର ମତ ଥିଲା, ଆମେ ଭୁଲିସାରିଛେ ଯେ ଏଇ ଏସିଆ ଭୂଖଣ୍ଡରେ କେତେ କେତେ ବିଶାଳ ଓ ମହାନ ସାମ୍ରାଜ୍ୟ ଗଢିଉଠିଛି । ତା'ର ଦର୍ଶନ, ବିଜ୍ଞାନ, କଳା, ସାହିତ୍ୟର ବ୍ୟାପ୍ତି ହୋଇଛି ଓ ଏଇଠି ଅନେକ ମହାନ ଧର୍ମ ଧାରଣାର ଜନ୍ମ ହୋଇଛି । ଯେବେ ଯେବେ ପାଶ୍ଚାତ୍ୟ ଅନ୍ଧାରରେ ବୁଡିଯାଇଛି, ଆମେ ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତାର ଆଲୋକ ବର୍ତ୍ତିକା ଧରି ରଖିଛେ । ରବୀନ୍ଦ୍ରନାଥ ଅନେକ ବିଦେଶୀ ଲୋକଙ୍କୁ ମଧ୍ୟ ସୋସାଇଟି ସମ୍ପର୍କରେ ଅବଗତ କରାଇଛନ୍ତି । ରବୀନ୍ଦ୍ରନାଥ ସୋସାଇଟି ସହ ମାଡ୍ରାସରୁ ପ୍ରକାଶ ପାଉଥିବା "ନ୍ୟୁ ଇଣ୍ଡିଆ"ର ସହ ସମ୍ପାଦକ ଜେମସ୍. ଏଚ୍. କଜିନସ୍ ଙ୍କ ପରିଚୟ କରାଇଥିଲେ । ଜେମସ୍ ସୋସାଇଟିର ଚିତ୍ର ପ୍ରଦର୍ଶନୀରେ ରିଭ୍ୟୁ ଲେଖି ତାଙ୍କ ପତ୍ରିକାରେ ପ୍ରକାଶ କରିଥିଲେ ।

ସୋସାଇଟି ସାଙ୍ଗରେ ସେତେବେଳର ଅନେକ ମାନ୍ଯଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଛନ୍ତି । ଯଥା; ବର୍ଦ୍ଧମାନର ମହାରାଜା ବିଜୟଚନ୍ଦ୍ର ମହତାବ, ଉତ୍ତରପଡାର ରାଜା ପ୍ୟାରୀ ମୋହନ ମୁଖାର୍ଜୀ, ନାଟୁରର ମହାରାଜା ଜଗଦୀନ୍ଦ୍ରନାଥ ରାୟ । ସୋସାଇଟିର ପ୍ରଥମ ପ୍ରଦର୍ଶନୀରେ ଏହି ସବୁ ମହାରାଜାଙ୍କ ସହ ଦରଭଙ୍ଗା, ସନ୍ତୋଷ ମହାରାଜା ଓ ଉତ୍ତରପଡା ଏବଂ କୁଚ ବିହାର ମହାରାଜା ବି ଯୋଗ ଦେଇଥିଲେ । ଏହି ମହାରାଜା ଓ ମହାରାଣୀମାନେ ପ୍ରଦର୍ଶନୀରୁ ଛବି ମଧ୍ୟ କ୍ରୟ କରିଥିଲେ । ପରେ ବର୍ଦ୍ଧମାନର ମହାରାଜା ସୋସାଇଟିର ସଭାପତି ମଧ୍ୟ ହୋଇଥିଲେ ।

କେବଳ ଭାରତୀୟ ନୁହଁନ୍ତି ଅନେକ ୟୁରୋପୀୟ କଳାପ୍ରେମୀ ଓ କଳାବିଶାରଦମାନେ ମଧ୍ୟ ଭାରତୀୟ ତଥା ପ୍ରାଚ୍ୟ ଭୂଖଣ୍ଡର କଳା ସଂସ୍କୃତିକୁ ଗୁରୁତ୍ୱ ଦେଉଥିଲେ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟର କାର୍ଯ୍ୟକଳାପ ସାଙ୍ଗରେ ସଂପୃକ୍ତ ହେବାକୁ ପସନ୍ଦ କରୁଥିଲେ । ଅବନୀନ୍ଦ୍ରନାଥ ଠାକୁର ତାଙ୍କର ଆତ୍ମଜୀବନୀ ‘ଯୋଡାଶଙ୍ଖର ଧାରେ’ ବହିରେ ଏ ସମ୍ପର୍କରେ ଅନେକ ସ୍ମୃତି ଚାରଣ କରିଛନ୍ତି । କେମିତି ସୋସାଇଟିର ପ୍ରାଥମିକ ସଦସ୍ୟ ଭାବରେ ସେତେବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ତତ୍କାଳୀନ ବିଚାରପତି ଗଭର୍ଣ୍ଣର, ଲେଫ୍ଟନାଣ୍ଟ ଗଭର୍ଣ୍ଣର, ମାଜିଷ୍ଟ୍ରେଟ୍ ଆଦି ଯୋଗ ଦେଇଥିଲେ ।

ସୋସାଇଟି ଧିରେ ଧିରେ ଯେଉଁ ଜାତୀୟ ସାଂସ୍କୃତିକ ଅସ୍ତିତ୍ୱକୁ ଗୁରୁତ୍ୱ ଦେଇ ବାଟ ଚାଲିବା ଆରମ୍ଭ କରିଥିଲା, ସେଥିରେ ଅନେକ ୟୁରୋପୀୟ ଲୋକ ସାମିଲ୍ ହେବା ଏକ ବିଶେଷ ଘଟଣା ନିଶ୍ଚୟ ଥିଲା । ଏଇ ୟୁରୋପୀୟମାନଙ୍କ ତାଲିକାରେ କଲିକତା ସରକାରୀ କଳା ବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଇ.ବି.ହାଭେଲଙ୍କ ନାମ ସର୍ବାଗ୍ରେ ଆସିବ । ସେ କତିପୟ ଇଂରେଜ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅନ୍ୟତମ ଥିଲେ, ଯିଏକି ଭାରତବର୍ଷକୁ ଅଯଥାରେ ୟୁରୋପୀୟକରଣକୁ ବିରୋଧ କରୁଥିଲେ । ବ୍ୟବହାରିକ ଓ ତାତ୍ତ୍ୱିକ ଦିଗରୁ ହାଭେଲ ସବୁବେଳେ ଚେଷ୍ଟା କରୁଥିଲେ ଯେ ଭାରତୀୟମାନେ ଅନ୍ତତଃ ପକ୍ଷେ ସେମାନଙ୍କ ମହାନ ସାଂସ୍କୃତିକ ପରମ୍ପରା ବିଷୟରେ ସଚେତନ ହୁଅନ୍ତୁ । ସେ କେବଳ ଏଥିପାଇଁ ଚେଷ୍ଟା କରୁନଥିଲେ ବରଂ ଭାରତ ବାହାରର ବୃହତ୍ତର ବୁଦ୍ଧିଜୀବୀ ଗୋଷ୍ଠୀ ଆଗରେ ଭାରତର ସମୃଦ୍ଧ ପରମ୍ପରାକୁ ପହଞ୍ଚାଇବାକୁ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ । ଯେମିତିକି ଭାରତୀୟ କଳା ଉପରେ ‘ଇଣ୍ଡିଆନ୍ ସ୍କଲ୍ପଚର୍ ଆଣ୍ଡ ପେଣ୍ଟିଂ’, ‘ଇଣ୍ଡିଆନ୍ ଆର୍କିଟେକ୍ଚର’, ‘ଦ ଆଇଡିଆ ଅଫ୍ ଇଣ୍ଡିଆନ୍ ଆର୍ଟ’, ‘ଏ ହ୍ୟାଣ୍ଡ ବୁକ୍ ଅଫ୍ ଇଣ୍ଡିଆନ୍ ଆର୍ଟ’ ଇତ୍ୟାଦି ।

ଓରିଏଣ୍ଟାଲ୍ ସୋସାଇଟି ଗଠନ ହେବା ପୂର୍ବରୁ ଅବନୀନ୍ଦ୍ରନାଥ ଠାକୁରଙ୍କ ସହ ମିଶି ହାଭେଲ ୧୯୦୫ ମସିହାରେ ‘ବଙ୍ଗୀୟ କଳା ପରିଷଦ’ ଗଠନ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ଏକ ଜାତୀୟ କଳା ଶୈଳୀ ନିର୍ମାଣ କରିବା । ଭାରତୀୟ ଚିତ୍ର, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ଓ ଚିରନ୍ତନ ସୌନ୍ଦର୍ଯ୍ୟର ଅବବୋଧକୁ ଆବିଷ୍କାର କରିବାର ପ୍ରଚେଷ୍ଟା ହିଁ ୧୯୦୭ରେ ‘ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ’ ଗଢାଯିବା ପାଇଁ ରାସ୍ତା ଖୋଲିଥିଲା । ହାଭେଲ ହିଁ ଅବନୀନ୍ଦ୍ରଙ୍କ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଜାଗ୍ରତ କରାଇଥିଲେ । ଫଳରେ ପରବର୍ତ୍ତୀ ସମୟରେ ଭାରତୀୟ ଚିତ୍ରକଳା ରାଜ୍ୟରେ ଏତେବଡ ଘଟଣାର ସୂତ୍ରପାତ ହୋଇପାରିଥିଲା । କିନ୍ତୁ ସୋସାଇଟି ୧୯୦୭ରେ ଗଠନ ହେଲାବେଳକୁ ହାଭେଲ ସ୍ୱାସ୍ଥ୍ୟଗତ କାରଣରୁ ଲଣ୍ଡନ ଚାଲିଯାଇଥିଲେ । ତଥାପି ତାଙ୍କୁ ସୋସାଇଟିର ପ୍ରାଥମିକ ସଦସ୍ୟ ଭାବରେ ରଖାଯାଇଥିଲା ।

ଅବନୀନ୍ଦ୍ର ପ୍ରାଥମିକ ଭାବରେ ୟୁରୋପୀୟ ନେଚୁରାଲିଜିମ୍ ଦ୍ୱାରା ପ୍ରଭାବିତ ହେଇଥିଲେ । କିନ୍ତୁ ହାଭେଲଙ୍କ ଦ୍ୱାରା ବିଭିନ୍ନ ଭାରତୀୟ ଚିତ୍ରକଳା ସହ ପରିଚିତ ହେଲାପରେ ଅବନୀନ୍ଦ୍ର ସବୁଠାରୁ ଅଧିକ ପସନ୍ଦ କରିଥିଲେ ମୋଗଲ୍ ମିନିଏଚରର ଛବିଗୁଡିକୁ । କିନ୍ତୁ ଅବନୀନ୍ଦ୍ରନାଥ ମୋଗଲ୍ ମିନିଏଚର୍ ଛବିରେ ଥିବା ଟିକିନିଖି ବର୍ଣ୍ଣନା ସହ ଭାବର ଅଭାବକୁ ଲକ୍ଷ୍ଯ କରିଥିଲେ । ତେଣୁ ସେ ଭାରତୀୟ ସୌନ୍ଦର୍ଯ୍ୟଶାସ୍ତ୍ରରେ ବର୍ଣ୍ଣିତ ଭାବକୁ ମିଶାଇ କିଛି ମୋଗଲ୍ ମିନିଏଚର୍ ଆଙ୍କିବାକୁ ପ୍ରଥମେ ଚେଷ୍ଟା କଲେ ।

ଅବନୀନ୍ଦ୍ରନାଥଙ୍କ ସଂପର୍କୀୟା ଜ୍ଞାନଦାନନ୍ଦିନୀ ଦେବୀ ହିଁ ଇ. ବି. ହାଭେଲଙ୍କ ସହ ତାଙ୍କର ସାକ୍ଷାତ କରାଇଥିଲେ । ଥରେ ଦେଖାସାକ୍ଷାତ ହେଲା ପରେ ଦୁହିଁଙ୍କ ଭିତରେ ଅନେକ ବାର ଦେଖାସାକ୍ଷାତ ହେଲା । ହାଭେଲ ଜାଣି ସାରିଥିଲେ ତାଙ୍କ କଳା ଦର୍ଶନ ଓ ଚିତ୍ରଧାରଣାକୁ ବାସ୍ତବ ରୂପ ଦେବା ପାଇଁ ଅବନୀନ୍ଦ୍ରଙ୍କଠାରୁ ବଳି ଉପଯୁକ୍ତ ଶିଳ୍ପୀ ତାଙ୍କୁ ମିଳିବେନି । ହାଭେଲ ଜଣେ ଉପଯୁକ୍ତ ଶିଳ୍ପୀଙ୍କୁ କେବଳ ପାଖରେ ପାଇଲେନି, ଅବନୀନ୍ଦ୍ର ମଧ୍ୟ ଜଣେ ବିଦେଶୀ ବିଦ୍ୱାନଙ୍କୁ ପାଇଲେ ଯିଏକି ତାଙ୍କୁ ଭାରତୀୟ କଳା ଇତିହାସର ଗହନ ଜ୍ଞାନ ପ୍ରଦାନ କଲେ ।

ହାଭେଲ ଏଥର ଅବନୀନ୍ଦ୍ରଙ୍କୁ ପାଖରୁ ଛାଡିବାକୁ ଚାହୁଁନଥିଲେ । ତେଣୁ ସେ ଅନେକ ପ୍ରକାର ବାଧାବିଘ୍ନ ଓ କଳା ବିଦ୍ୟାଳୟ ଭିତରୁ ପ୍ରବଳ ବିରୋଧ ସତ୍ତ୍ୱେ ଅବନୀନ୍ଦ୍ରଙ୍କୁ କଲିକତା କଳା ବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ । ଏଥିପାଇଁ ତାଙ୍କୁ ବିଦ୍ୟାଳୟର ଅନେକ ନୀତି ନିୟମକୁ ବଢାଇବାକୁ ହୋଇଥିଲା ଓ ଅବନୀନ୍ଦ୍ରଙ୍କ କେତେଗୁଡା ଖରାପ ଅଭ୍ୟାସକୁ ବରଦାସ୍ତ କରିବାକୁ ହୋଇଥିଲା । ଯେମିତିକି କେବେବି ଠିକ୍ ସମୟରେ ଯିବା ଆସିବା ନକରିବା ଓ ଶ୍ରେଣୀ ଗୃହରେ ବସି ନିର୍ବିକାର ଭାବରେ ହୁକା ପିଇବା । ତଥାପି ହାଭେଲ୍ ଅବନୀନ୍ଦ୍ରଙ୍କୁ ପରବର୍ତ୍ତୀ ସମୟରେ ଯୋଦ୍ଧା ଭାବରେ ଗଢ଼ି ତୋଳିବାକୁ ବଦ୍ଧ ପରିକର ଥିଲେ । ଘଣ୍ଟା ଘଣ୍ଟା ଧରି ତାଙ୍କୁ ଭାରତୀୟ ଚିତ୍ରକଳା ଓ ଭାସ୍କର୍ଯ୍ୟ ବିଷୟରେ ତଥ୍ୟ ସହ ବୁଝାଉଥିଲେ । ତାପରେ ଦୁହେଁ ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷାର ଧାରା ବଦଳାଇଛନ୍ତି । ୟୁରୋପୀୟ ଚର୍ଚ୍ଚା ଜାଗାରେ ଭାରତୀୟ ଛବି ବିଷୟରେ ଚର୍ଚ୍ଚା ଆରମ୍ଭ ହେଇଛି ।

ଅବନୀନ୍ଦ୍ର ମୁଖ୍ୟତଃ ତିନି ପ୍ରକାରର ଛବି ପସନ୍ଦ କରୁଥିଲେ । ସେଗୁଡିକ ହେଲା ମୋଗଲ୍ ମିନିଏଚର୍, ବ୍ରିଟିଶ୍ ଜଳରଙ୍ଗ ଓ ଜାପାନୀ ଛବି । ଅବନୀନ୍ଦ୍ର ଏହି ତିନି ଧାରାକୁ ନିଜ ଛବିରେ ମିଶାଇ ପରୀକ୍ଷା କରିବା ଆରମ୍ଭ କରିଥିଲେ । ଯାହାର ସଫଳ ଉଦାହରଣ ହେଲା 'ଦ ପାସିଂ ଅଫ୍ ଶାହା ଜାହାନ' । ଯେଉଁଠି ବୃଦ୍ଧ ଶାହା ଜାହାନ ଆଗ୍ରା ଦୁର୍ଗରେ ବନ୍ଦୀ ଅବସ୍ଥାରେ ଯମୁନାର ଅପରପାର୍ଶ୍ୱରେ ତାଙ୍କ ଦ୍ୱାରା ନିର୍ମିତ ତାଜମହଲକୁ ଅନେଇ ବସିଛନ୍ତି । ଏହି ଛବିଟି ହିଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅବନୀନ୍ଦ୍ରଙ୍କୁ ପରିଚୟ ଦେଇଥିଲା ।

ଇଣ୍ଡିଆନ୍ ସ୍କୁଲରେ ପାଠ ପଢ଼ି ପରେ ନିଜ ପାଇଁ ପରିଚୟ ତିଆରି କରିଥିବା ଚିତ୍ରଶିଳ୍ପୀମାନେ ହେଲେ ମହୀଶୂରର ଏସ୍ ଭେଙ୍କଟପା, ଲକ୍ଷ୍ନୌର ହାକିମ ଖାନ୍ ଓ ସାମି - ଉଜ୍ - ଜାମା, ଲାହୋରରୁ ରୂପକୃଷ୍ଣା । ଏହାଛଡା ଆଖପାଖରୁ ପ୍ରମୋଦ କୁମାର ଚଟ୍ଟୋପାଧ୍ୟାୟ, ଦେବୀପ୍ରସାଦ ରାୟ ଚୌଧୁରୀ, ବୀରେଶ୍ୱର ସେନ୍, ଶୈଳେନ୍ଦ୍ରନାଥ ଦେ, ସୁରେନ୍ଦ୍ରନାଥ କର ଏବଂ ଚଞ୍ଚଲ କୁମାର ବନ୍ଦୋପାଧ୍ୟାୟଙ୍କ ନାମ ନିଆଯାଇପାରେ ।

ସୋସାଇଟିର ଅନ୍ୟତମ ମୁଖ୍ୟ କାମ ଥିଲା ପ୍ରତି ଶୀତ ଦିନରେ ସହରରେ ଗୋଟେ କଳା ପ୍ରଦର୍ଶନୀ ଆୟୋଜନ କରିବା । ତେଣୁ କଲିକତାବାସୀ ଊନବିଂଶ ଶତାବ୍ଦୀରୁ ଚିତ୍ରକଳା ପ୍ରଦର୍ଶନୀ ସହ ପରିଚିତ ହୋଇସାରିଥିଲେ । ପ୍ରତିବର୍ଷ ସେମାନେ ଭାରତ ଓ ଭାରତ ବାହାରର ଚିତ୍ରଶିଳ୍ପୀମାନଙ୍କ ଚିତ୍ରସବୁ ଦେଖିବାକୁ ପାଉଥିଲେ । ଏଇ ସବୁ ପ୍ରଦର୍ଶନୀରେ ଭାରତୀୟ ଚିତ୍ରଧାରାର ଅଙ୍କିତ ଚିତ୍ରକଳା ମୁଖ୍ୟତଃ ସ୍ଥାନ ପାଉଥିଲା ଓ ଅବନୀନ୍ଦ୍ରଙ୍କ ପ୍ରବର୍ତ୍ତିତ ଧାରାରେ ହିଁ ଭିନ୍ନ ଭିନ୍ନ ଚିତ୍ରଶିଳ୍ପୀ ଭିନ୍ନ ଭିନ୍ନ ଛବିରେ ଭାରତୀୟତା ଫୁଟାଇବାକୁ ଚେଷ୍ଟା କରୁଥିଲେ ।

ପ୍ରାଥମିକ ପର୍ଯ୍ୟାୟରେ ପ୍ରଦର୍ଶନୀ କଲିକତା କଳା ବିଦ୍ୟାଳୟର ହଲ୍ ରେ ପ୍ରଦର୍ଶିତ ହେଉଥିଲା । କିନ୍ତୁ ପରେ ୬ - ସମବାୟ ମାନସନ୍ ହୋଗ୍ ଷ୍ଟ୍ରିଟ୍ କୁ ଉଠିଯାଇଥିଲା । କେବଳ କଲିକତା ନୁହେଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ସୋସାଇଟି ତା'ର ପ୍ରଦର୍ଶନୀ ଆୟୋଜନ କରିଛି । ଯେମିତିକି ୧୯୧୧ରେ ଆହ୍ଲାବାଦ, ୧୯୧୫ରେ ଟୋକିଓ, ଚିକାଗୋ ଓ ଦାର୍ଜିଲିଂ, ୧୯୧୬ରେ ମାଡ୍ରାସ ଓ ଚନ୍ଦନନଗର, ୧୯୧୭ରେ ସୁମାତ୍ରା, ୧୯୧୯ରେ ମାଡ୍ରାସ ଓ ବାଙ୍ଗାଲୋର । ବେଙ୍ଗଲ୍ ସ୍କୁଲର ପ୍ରଥମ ପ୍ରଦର୍ଶନୀ ମଧ୍ୟ ସୋସାଇଟି ଦ୍ୱାରା ୧୯୧୪ରେ ପ୍ୟାରିସଠାରେ ଆୟୋଜନ କରାଯାଇଥିଲା । ଏହାଛଡା ଭାରତ ବାହାରେ ଲଣ୍ଡନ, ବର୍ଲିନ, ବେଲଜିୟମ୍, ହଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି ।

ବିଂଶ ଶତାବ୍ଦୀରେ ଏହି ସବୁ ପ୍ରଦର୍ଶନୀ ଭାରତୀୟ ଚିତ୍ରକଳାର ଏକ ମଜଭୂତ ମୂଳଦୁଆ ପକାଇଥିଲା । ପରବର୍ତ୍ତୀ ସମୟରେ ଏହା ଭାରତୀୟ ଜାତୀୟ ସାଂସ୍କୃତିକ ପରିଚୟକୁ ପୁର୍ନଗଠନ କରିବା ସହ ଭାରତୀୟ ଜାତୀୟ ଆନ୍ଦୋଳନକୁ ଦୃଢ଼ ଓ ପୁନର୍ଜୀବିତ କରିଥିଲା । ପ୍ରଦର୍ଶନୀ ମାଧ୍ୟମରେ ହିଁ ଅବନୀନ୍ଦ୍ରନାଥ ନିଜକୁ, ନିଜର ଚିତ୍ର ଦର୍ଶନ ଓ ଚିତ୍ର ଧାରଣାକୁ ବୃହତ୍ତର ଦର୍ଶକଙ୍କ ଆଗରେ ରଖି ପାରିଥିଲେ । ଯେଉଁଥିରେ ସେ ମୋଗଲ୍, ଚୈନିକ, ଜାପାନୀ ଓ ପାଶ୍ଚାତ୍ୟ ଚିତ୍ରଲକ୍ଷଣକୁ ନିଜ ଛବି ଭିତରେ ସମାହିତ କରିପାରିଥିଲେ ।

ସୋସାଇଟିର ପ୍ରଦର୍ଶନୀରେ ଅନେକ ଅଜଣା ଚିତ୍ରଶିଳ୍ପୀଙ୍କର ଛବି ମଧ୍ୟ ସ୍ଥାନ ପାଉଥିଲା । ଚିତ୍ରଶିଳ୍ପୀ ହେବାର ସ୍ୱପ୍ନ ଦେଖିଥିବା ଓ ଚିତ୍ର ଅଭ୍ୟାସ କରୁଥିବା ଅନେକ ନାମହୀନ ଚିତ୍ରଶିଳ୍ପୀମାନଙ୍କ ଛବିକୁ ବାର୍ଷିକ ପ୍ରଦର୍ଶନୀରେ ସାମିଲ୍ କରାଯାଇ ସେମାନଙ୍କୁ ପରିଚୟ ସୃଷ୍ଟି କରିବାକୁ ସୁଯୋଗ ପ୍ରଦାନ ମଧ୍ୟ କରାଯାଉଥିଲା । କେବଳ ବଙ୍ଗ ପ୍ରଦେଶ ନୁହେଁ ଭାରତର ଅନ୍ୟାନ୍ଯ ପ୍ରାନ୍ତରର ଶିଳ୍ପୀମାନେ ମଧ୍ୟ ପ୍ରଦର୍ଶନୀରେ ଯୋଗ ଦେଇଥିଲେ । ନାରୀ ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ଗଗନେନ୍ଦ୍ର ଓ ଅବନୀନ୍ଦ୍ରଙ୍କ ଭଉଣୀ ସୁନୟିନୀ ଦେବୀଙ୍କ ସହ ଗୌରୀ ଦେବୀ, ବାସନ୍ତୀ ଦେବୀ, ଯମୁନା ଦେବୀ, ପ୍ରକୃତୀ ଦେବୀ, ସୀତା ଦେବୀ, ସାବିତ୍ରୀ ଦେବୀ, ଅସୀମା ଦେବୀ, ନୀଳିମା ଦେବୀ, ମୋନିକା ଗୁପ୍ତା, ଯମୁନା ବୋଷ, ନିବେଦିତା ଘୋଷ, ସୁଧା ଦାସ ଗୁପ୍ତା ଆଦି ୧୯୩୦ ବେଳକୁ ସୋସାଇଟିର ପ୍ରଦର୍ଶନୀରେ ନିୟମିତ ଭାବରେ ଭାଗ ନେଲେଣି । ଭାରତୀୟ ଜାତୀୟତାବୋଧକୁ ନେଇ ଛବି ଆଙ୍କୁଥିବା ଏହି ଭାରତୀୟ ନାରୀ ଚିତ୍ରଶିଳ୍ପୀମାନଙ୍କ ଛବିକୁ ଲୋକଲୋଚନକୁ ଆଣିବାରେ ଓ ସେମାନଙ୍କୁ ଯଥେଷ୍ଟ ଉତ୍ସାହ ଓ ଆଗ୍ରହ ଦେଖାଇବାରେ ସୋସାଇଟିର ଭୂମିକା ରହିଥିଲା ।

୧୯୧୪ ମସିହାରେ ସୋସାଇଟି ପ୍ୟାରିସ ସହରର ଏକ ପ୍ରଦର୍ଶନୀ ପାଇଁ ନିମନ୍ତ୍ରଣ ପାଇଥିଲେ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଭାରତବର୍ଷରେ ସାଂସ୍କୃତିକ ନବଜାଗରଣ ଉନ୍ମେଷ କରାଇବାରେ ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟର ଯଥେଷ୍ଟ ଅବଦାନ ରହିଥିଲା । ବ୍ରିଟିଶ ଉପନିବେଶିକ ଶାସନ ବ୍ୟବସ୍ଥା ଭିତରେ ପ୍ରାଚ୍ୟକଳାର ମହାନତାକୁ ସେମାନେ ପୁଣିଥରେ ମନେ ପକେଇଦେଇଥିଲେ ।

ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟିତ ହୋଇଥିବା ଏହି ପ୍ରଦର୍ଶନୀ ଭାରତୀୟ ଚିତ୍ରକଳା ପାଇଁ ଏକ ବିଶେଷ ଘଟଣା ଥିଲା । ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ ଅବନୀନ୍ଦ୍ରନାଥ, ନନ୍ଦଲାଲ, ଗଗନେନ୍ଦ୍ର, ଅସିତ ହାଲଦାର, କ୍ଷୀତିଶ ମଜୁମଦାର, ଭେଙ୍କଟପ୍ପା, ଓ.ସି.ଗାଙ୍ଗୁଲି, ସୁରେନ ଗାଙ୍ଗୁଲି, ପ୍ରଦୋଷ ଚାଟାର୍ଜୀ ଆଦି ଚିତ୍ରଶିଳ୍ପୀଙ୍କର ପାଖାପାଖି ୧୦୦ କଳାକୃତି ସ୍ଥାନ ପାଇଥିଲା । ପ୍ୟାରିସରେ ପ୍ରଦର୍ଶିତ ହେଲାପରେ ପ୍ରଦର୍ଶନୀଟି ଲଣ୍ଡନ, ବେଲଜିୟମ ଓ ହଲାଣ୍ଡ ଦେଶକୁ ମଧ୍ୟ ଯାଇ ସେଠାରେ ଛବିଗୁଡିକ ପ୍ରଦର୍ଶିତ ହୋଇଥିଲା ।

Report an Error