ହତ୍ୟାକାରୀ

ମୁଁ କେବେ ଡାକିଥିଲି ତୋତେ ? ନାହିଁ ତ । ସବୁ ସ୍ପଷ୍ଟ ଦିନଙ୍କର ମଧ୍ୟଭାଗକୁ ହଠାତ୍ ଅନ୍ଧାର କରି ଦେଇ ତୁ ବାହାରି ଆସିଲୁ କେଉଁଠୁ ?


ମୁଁ କେବେ ଡାକିଥିଲି ତୋତେ ?
ନାହିଁ ତ ।

ଅଥଚ ମୁଁ ଏଯାଏଁ ଅର୍ଜନ କରିଥିବା
ସବୁ ସ୍ପଷ୍ଟ ଦିନଙ୍କର ମଧ୍ୟଭାଗକୁ
ହଠାତ୍ ଅନ୍ଧାର କରି ଦେଇ
ତୁ ବାହାରି ଆସିଲୁ କେଉଁଠୁ ?

ହାତରେ ତୋର
ମୋ ଆଡ଼କୁ ହିଁ ଉଦ୍ୟତ ,ଚକ୍ ଚକ୍ ତୀକ୍ଷ୍ଣ ଛୁରୀ
ଜାଣିଲି, ତୁ ହିଁ ତେବେ ମୋର ହତ୍ୟାକାରୀ !

ମୋ ଭଲ ପାଇବାର, ଆପଣାର ସବୁ ମୁହଁଙ୍କୁ
ତୁ ପିନ୍ଧି ଦେଇଚୁ ମାଳ କରି ତୋ ଗଳାରେ,
ତୁ ହିଁ ତେବେ ମାରି ଦେଇଚୁ

ମୋ ପୃଥିବୀର କୁହୁ ତାନକୁ,
ଚନ୍ଦ୍ରାଲୋକକୁ, ମାଦକତାକୁ, ମହୁକୁ
ନାଗୁଣିର ନୃତ୍ୟକୁ ।
ତୁ ହିଁ ତେବେ ହତ୍ୟା କରିଛୁ
ମୋର ଗୋପନ ଅରଣ୍ୟରେ
ନିନାଦିତ ବଂଶୀ ଧ୍ୱନିକୁ,
ତୋ ଛୁରୀରେ ଲାଗିଚି ନୀଳ ରକ୍ତ ।

ତୋର ମୁକୁଟ ମଣିରେ ମୋର
ଅତୀତ ନାଟକ ଝଲସି ଉଠୁଚି
ତୁ ହସୁଛୁ, ହସୁଛୁ ମୁହୁର୍ମୁହୁ ।
ମୋ ମଥା ନଇଁ ପଡୁଛି ଲାଜରେ
ଭୟରେ ଭକ୍ତିରେ ନା
ଅନ୍ତିମ ଆଶ୍ରୟ ପାଇ ଯାଇଥିବାର
ଆଶ୍ୱାସନାରେ ?

ମୁଁ ଆଉ କୁଆଡେ ଯିବିନି କଥା ଦେଉଚି
ହାତ ପାଦ ବାନ୍ଧନା ମୋର ।

କେଜାଣି କେଉଁଠାରୁ
ହୃଦୟରୁ, ଶିରା ଧମନୀରୁ ଅସ୍ଥି ପିଞ୍ଜରାରୁ
ଜୀବକୋଷରୁ, କେଜାଣି କେଉଁଠୁ
ଏ କି ବ୍ୟାକୁଳ ଇଚ୍ଛା ସ୍ପର୍ଶ ଲୋଡୁଛି
ତୋର ଚକ୍ ଚକ୍ ଛୁରୀର ସ୍ପର୍ଶ ।
ଦାରୁଣ ଏକାଗ୍ର ସେ ସ୍ପର୍ଶ ।

ଏଇ, ନରମ ସଞ୍ଜ ଭଳି କିଛି ଗୋଟାଏ ଯେ
ଘେରି ଆସୁଚି ଚାରିଆଡେ ।

ଆ,
ପାଦ ଦେ ଏଥର ମୋର ପବିତ୍ର ଅଗଣାରେ ।

ତୁ ମୋର ଶେଷ ଅତିଥି ନା ?
ଆ, ତୁ ମୋର ଶେଷ ପ୍ରେମ ବୋଲି ବି
ମୁଁ ଆଜି ଅନୁଭବ କରେ ।

Report an Error