
ଡିବିରିର ଦିକ୍ ଦିକ୍ ଆଲୁଅ
ଦରଶୁଖା କାଠର ସେ
ଆଖିପୋଡା ଧୂଆଁ,
ରାନ୍ଧୁରାନ୍ଧୁ
ହାତକୁ ଧରି
ଖଡି ଖଣ୍ଡକରେ
ମଡେଇ ମଡେଇ ଲେଖେଇଛି
ଅ, ଆ, ଇ ଆଉ ଈ
କଳା ସିଲଟ ଉପରେ,
ଯେପର୍ଯ୍ୟନ୍ତ ହେଇନି
ହାତ ସଳଖ କି
ଅକ୍ଷର ସଵୁ ଗୋଲିଆ ।
ସେଇ ହାଣ୍ଡିଶାଳରେ
ପଡିଛି କେତେ ଯେ କେଜାଣି
କେତେଜଣଙ୍କ ମୂଳଦୁଆ
ତାର ହିସାବ ରଖିନି କେହି ।
କେହି ଅଫିସର
କେହି କଵି, କେହି ଲେଖକ
ମାଷ୍ଟର, ଶିଳ୍ପପତି
କିଏ ନେତା, କିଏ ମନ୍ତ୍ରୀ
କେହି ଡାକ୍ତର ତ
କେହି ଇଜିଂନିୟର
ଆହୁରି କେତେ
ସଫଳତାର ଗନ୍ତାଘର ।
ତା ପାଖରେ
ନଥିଲା
କିଛି ଡିଗ୍ରୀ, ନା ତାଲିମ
ନା ଥିଲା ଚେୟାର
ଟେଵୁଲ କି କଳାପଟା
ନା ଥିଲା କିଛି
ନିର୍ଦ୍ଧାରିତ ସ୍ବତନ୍ତ୍ର ସମୟ ।
ସେଇଥିରେ
ଧୂଆଁକୁ ଆଡେଇ
ଓଢ଼ଣା ଭିତରୁ
ତୁନି ତୁନି କଥାରେ
ପଢେଇଛି
ବର୍ଣ୍ଣବୋଧ, ଛବି ଵହି
ସଂଖ୍ଯା ଆଉ ପଣକିଆ ।
ସେଇଠି ଗଢିଛି ସେ
ଗାନ୍ଧୀ, ଗୋପବନ୍ଧୁ
ଭଗତ୍, ଖୁଦିରାମ
ସୁବାସ, ଆମ୍ବେଦକର ।
କେତେବେଳେ
ପୁରାଣରୁ ପଦେ
ଗୀତା, ଭାଗଵତରୁ ଚେନାଏ
କେତେବେଳେ
ରାମାୟଣ ତ
କେତେବେଳେ ମହାଭାରତ
ଏମିତି ସାଉଁଟିଛି
କେତେ ନୀତି ଶିକ୍ଷା
କାନେ କାନେ କହିଛି
ଭଲ ମଣିଷଟିଏ ହେବାକୁ
ମନ୍ତ୍ର ଦେଇଛି ।
ହେଲେ
ପୁଅ ଝିଅ ସଫଳ ହେଲେ
ବାପା ଦାଦା ଜେଜେଙ୍କ
ଛାତି ଫୁଲିଛି
ଅସଫଳରେ
ମା'ର ନିନ୍ଦା
ଘରଠୁ ବାହାର,
ଗାଁଠୁ ସହର
ଡେଙ୍ଗୁରା ପିଟିଛି ।
ଵିଦ୍ୟାଳୟର ହତା
ମାଡ଼ି ନଥାଏ
ଦେଶ ଦୁନିଆର ସଵୁ କଥାରୁ
ବଂଚିତ ଥାଏ
ହେଲେ,
ତାଠୁ ଏକ ସୁନ୍ଦର
ପୃଥିବୀ ଗଢିବାରେ
ଅଧିକାର ସହ
ଆମେ ସ୍ବପ୍ନ ଦେଖୁଥାଉ ।