ହାତ ଲେଖା

ଯେଉଁ ବିଶ୍ୱବିଖ୍ୟାତ ଲେଖକ ଜଣକଙ୍କର କଦର୍ଯ୍ୟ ହାତଲେଖାରୁ ଏଇ ହାତଲେଖା ପ୍ରସଂଗଟି ଆସିଛି ସେ ନିଜଠାରୁ ବୟସରେ ଆଠବର୍ଷ ବଡ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କର ଥିଲେ ତିନୋଟି ସନ୍ତାନ ।


ରକ୍ଷା ଆପଣମାନେ ଏବା ଯାହା ଦେଖୁଛନ୍ତି ତାହା ଟାଇପ୍ ର ଲେଖା । ଉପସ୍ଥିତ ଲେଖକର ହାତଲେଖା ଦେଖିବାର ଦୁର୍ଦ୍ଦଶା ଆପଣଙ୍କର ଆଉ ନିଜେ ଉପସ୍ଥିତ ଲେଖକର ଏବେ ନାହିଁ । ବେଶ୍ ଭଲ କଥା ।

ହାତଲେଖାକୁ ନେଇ କିଛି କଥା ।

ଗୋଟିଏ ବିଖ୍ୟାତ ଲେଖକ - ଚରିତ୍ରର ହାତଲେଖାକୁ ନେଇ କିଛି କଥା ଯୋଡିବାର ଇଚ୍ଛା । ଏଇ ବିଖ୍ୟାତ ଲେଖକ - ଚରିତ୍ରଟିର ଛଅଟି ବିଶେଷ ଭାବରେ ଜଣା ଦସ୍ତଖତ ରହିଛି । ତାହା ଛଡା ସେ ନିଜ ନାଆଁକୁ ଭିନ୍ନ ଭିନ୍ନ ଭାବରେ ସନ୍ତକ କରି ଅନ୍ୟମାନଙ୍କୁ ଚମତ୍କୃତ କରିଦେବାର ଫିକରରେ ରହୁଥିଲେ ।

ଏପରିକି ସେ ଅନେକ ସମୟରେ ନିଜ ନାଆଁ ସହ ଅନ୍ୟାନ୍ୟ ଇଂରେଜୀରେ ବନାନ ବି ଭୁଲଭାଲ କରି ଲେଖୁଥିଲେ । ଏହି ଭୁଲ ଜାଣିଶୁଣି ନୁହଁ, ହୁଏତ ନିଜ ନାଆଁର ବା ଶବ୍ଦର କେଉଁଟି ସଠିକ ବନାନ ହେବ ସେହି କଥାକୁ ସେ ଭୁଲି ଯାଉଥିଲେ ।

ଆଉ ଯାହା ହେଉନା କାହିଁକି ଆମର ଲେଖକମାନେ ନିଜ ନାଆଁ ପ୍ରତି ଭାରି ଯତ୍ନଶୀଳ । ନାଆଁ ବୋଲି କଥା । କେତେ ପରିଶ୍ରମରେ ଏମିତି ନାଆଁଟି ମିଳିଛି, ଅର୍ଜିତ ହୋଇଛି, ତାହା ସଂପୃକ୍ତ ଲେଖକ ବାଦ କେବଳ ଖୋଦ୍ ପରମେଶ୍ୱରଙ୍କୁ ଗୋଚର । ତେଣୁ ତାହାର ବିଧିବଦ୍ଧ ଯତ୍ନ ନେବା ବିଧେୟ । ଖାଲି ଲେଖକଟି ନିଜର ନାଆଁ ନୁହଁ, ନାଆଁ ଆଗରେ ଲାଗିବାକୁ ଥିବା ଯଥାଯୋଗ୍ୟ ବିଶେଷଣ, ଏପରିକି ନିଜଲେଖାଟି ଯଦି କେଉଁ ପତ୍ରିକାରେ ବାହାରିଛି ତାହା ଏକ କି ଦୁଇ କି କେଉଁ କ୍ରମାଙ୍କରେ ସ୍ଥାନିତ ହୋଇଛି ଇତ୍ୟାଦି ପ୍ରତି ବି ଘୋର ଯତ୍ନଶୀଳ ସେମାନେ ।

ଆମେ ଯେଉଁ ଲେଖକର କଥା ଉଠାଇଛୁ ସେ ନିଜ ନାଆଁର ବନାନ ଏତେ ଭୁଲ୍ କରୁଥିବାରୁ ଲୋକେ ତାହାକୁ "ଅଭ୍ୟାସଗତ ଭୁଲ୍ ବନାନକାରୀ "ବୋଲି କହୁଥିଲେ । ଅବଶ୍ୟ ଏହି ଭୁଲ ବନାନକାରୀ ଜଣକ ଇଂରେଜୀ ଭାଷାକୁ ପ୍ରାୟ ଦୁଇଶହରୁ ଅଧିକ ଶବ୍ଦ ପ୍ରଦାନ କରିଛନ୍ତି ।

ଏଇଠି ସଂଲଗ୍ନ ଛବିରେ ତାଙ୍କର କିଛି ସନ୍ତକର ନମୁନା ଉପସ୍ଥାପନ କରାଯାଇଛି । ସେଥିରେ ଆପଣ କୌଣସି ଅକ୍ଷର ଯେତେ ଶକ୍ତିଶାଳୀ ଯବକାଚ ପକାଇ ଦେଖିଲେ ବି ଚିହ୍ନଟ କରି ପାରିବେ ନାହିଁ ।

ଏତେ ବାଜେ ହସ୍ତାକ୍ଷରର ଅଧିକାରୀଜଣକ ନିଜର ସୃଜନ କର୍ମରେ ଚାରିଶହ ବର୍ଷ ଧରି ବିଶ୍ୱର ସାରସ୍ୱତ ଜଗତରେ ସମାନ ତୁଙ୍ଗିମାର ଆସ୍ଥାନରେ ଅଧିଷ୍ଠିତ ହୋଇରହିପାରେ, ତାହା ଏକ ବିସ୍ମୟ । ଏମିତିରେ କହିଲେ ଏଇ ଘଟଣାଟି ଆମଭଳି ଯେତେକଙ୍କ ହାତଲେଖା ବିଲେଇଗୁହ ଭଳି ତାହା ସେମାନଙ୍କୁ ଏକ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖାଏ । ଏଇଠେ କୁହାଯାଇପାରିବ ଯେ ଜଣକର ହାତଲେଖା କଦର୍ଯ୍ୟ ହେବାର କାରଣ ଦୁଇଟି । ସେହି ଦୁଇଟି କାରଣରୁ ଗୋଟିଏ ଉପସ୍ଥିତ ଲେଖକର କପିରାଇଟ୍ ଭୁକ୍ତ ଓ ଆରଟି ବିଶିଷ୍ଟ ପଣ୍ଡିତମାନଙ୍କର ମତ । ବିଶିଷ୍ଟ ପଣ୍ଡିତମାନଙ୍କ ମତରେ ଜଣକର ହାତଲେଖା ଖରାପ ହେବାର କାରଣ ହେଉଛି ତାହାର ଦ୍ରୁତ ମାନସିକ ବିଚାରର କ୍ରିୟା ସହିତ ତାହାର ଆଙ୍ଗୁଳି ମାର୍ଫତରେ ଶବ୍ଦଲେଖରେ ରହିଥିବା ଏକ ବିସଂଗତିମୂଳକ ପରିଚାଳନା । ଅର୍ଥାତ ନିଜର ଦ୍ରୁତ ମାନସିକ ବିଚାରକୁ ଅବିକଳ ଲେଖିନପାରିବାର ବିଳମ୍ବିତ କ୍ରିୟା । ସେଇଥିପାଇଁ ଯେଉଁମାନେ ବିଶ୍ୱବିଖ୍ୟାତ ଏସ୍ ପିଟକର୍ଡର ଙ୍କ ସର୍ଟହାଣ୍ଡ୍ ବହି ପଢିଛନ୍ତି ଏବଂ ବୃତ୍ତିଗତ ଭାବରେ ନିର୍ଦ୍ଦେଶ -ଗ୍ ରହୀତା ଅଟନ୍ତି, ସେମାନଙ୍କ ଅକ୍ଷର ନିହାତି କଦର୍ଯ୍ୟ । ଆଉ ଯେଉଁମାନଙ୍କ ଅକ୍ଷର ସୁନ୍ଦର ସେମାନେ ହୁଏତ ଅଳ୍ପ ଭାବନ୍ତି ଆଉ ସେହି ଭାବନାକୁ ମାଠିମୁଠି ଲେଖନ୍ତି ଯେମିତି କାଗଜରେ ତାହା ଅବିକଳ ମୁକ୍ତାମାଳା ଭଳି ଦିଶିବ ।

ଜଣକର ହାତଲେଖା ଖରାପ ହେବାର ଉପସ୍ଥିତ ଅପଣ୍ଡିତର ପ୍ରଦତ୍ତ କାରଣଟି ହେଉଛି, ଯେଉଁମାନଙ୍କର ରକ୍ତମାଂସର ପ୍ରେମିକାମାନେ ନାହାଁନ୍ତି ସାଧାରଣତଃ ସେମାନଙ୍କର ହାତଲେଖା ଖରାପ । କଳ୍ପନାର ପ୍ରେମିକାମାନଙ୍କର ତ ଆଉ କୌଣସି ଦୃଷ୍ଟିଦୋଷ ନଥାଏ ତେଣୁ ସେମାନଙ୍କ ପାଇଁ ଯାହା ଯେମିତି ବ ଠ କରି ଲେଖିଲେ ବି ଚଳିବ । ତେଣୁ ନିଜର କାଳ୍ପନିକ ପ୍ରେମିକା ପାଇଁ କିଏ କାହିଁକି ନିଜ ହସ୍ତାକ୍ଷରରେ ସୁଧାର ଆଣିବାକୁ ଚାହିଁବାର ପରିଶ୍ରମ କରିବ ? ବାସ୍ତବ କଥା ଅଲଗା । ବାସ୍ତବରେ ନିଜର ଉଦ୍ଦିଷ୍ଟ ପ୍ରେମପତ୍ରଟି ଯାହାପାଇଁ ତାହା ନିକଟରେ ଅକ୍ଷତ ପହଂଚାଇଦେବାକୁ ଢେର୍ ଦୀର୍ଘଶ୍ୱାସ ଛାଡିବାକୁ ହୋଇଛି ଜଣକୁ, ତାହାପରେ ଯଦି ତାହା ଅପାଠ୍ୟ ରହେ ତେବେ ପ୍ରେମପତ୍ର ଲେଖକର ତାହା ହେବ ସବୁଠୁ ବଡ ଦୁଃସ୍ୱପ୍ନ ।ତେଣୁ ପ୍ରେମପତ୍ର ଲିଖନ - କର୍ମ ସହିତ ଜଣକର ହାତଲେଖା, ଯାହାକୁ କହନ୍ତି ଡାଇରେକ୍ଟଲି ପ୍ରୋପରସନାଲ୍ । ସେଇଥିପାଇଁ ଆମେ ପ୍ରେମପତ୍ରରେ ଆମର ସବୁଠୁ ସୁନ୍ଦର ହାତଲେଖାର ପ୍ରମାଣ ତ ରଖୁ ତାହା ସହିତ ତାହାକୁ ଡାଳପତ୍ର, ପାହାଡସଂଧିରୁ ଉଇଁ ଆସୁଥିବା ସୂର୍ଯ୍ୟ ଓ ବିଭିନ୍ନ ରଂଗର କାଳି ସହଯୋଗରେ ଛବିଳ କରିଦେଇଥାଉ ।

ଆମ ମହାଭାରତର ଶ୍ରୁତଲିଖନକାର ଶ୍ରୀଶ୍ରୀ ଗଣେଷଙ୍କ ହାତଲେଖା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବ ବୋଲି ଉପସ୍ଥିତ ଲେଖକର ଏକ ଅହେତୁକ ଅନୁମାନ ।

ଯେଉଁ ଲେଖକମାନଙ୍କର ହାତଲେଖା ଖରାପ ସେମାନେ ନିଜର ବିବାହ ସମୟରେ ନିଜର ଭାବିପତ୍ନୀଟି ଯେମିତି ଅନ୍ୟାନ୍ୟ ଗୃହକର୍ମ ନିପୁଣା ସହ ସୁନ୍ଦର ହାତଲେଖାର ଅଧିକାରିଣୀ ହୋଇଥିବ ସେ ବିଷୟରେ ଯଥେଷ୍ଟ ସତର୍କ ଥାଆନ୍ତି । ଏହା ନିହାତି ଶୁଣାକଥା । ଜଣେ ଲେଖକ ନିଜର ଭାବିପତ୍ନୀଙ୍କୁ ପ୍ରଥମଥର ଦେଖିବାକୁ ଗଲାବେଳେ ପକେଟରେ ହୋମିଓପାଥି ଓଷଧ ଦିଆଯାଉଥିବା ଭଳି ସେମିତି ଛୋଟ ଚାରିକୋଣିଆ କାଗଜ ଖଣ୍ଡିଏ ଧରି ଯାଉଥିଲେ । ଭାବିପତ୍ନୀଂକୁ ନାଆଁଟି ପଚାରିବା ପରେ ତାଙ୍କ ଆଡକୁ ସେହି ଚାରିକୋଣିଆ କାଗଜଖଣ୍ଡିକ ସହିତ ନିଜର ପକେଟରେ ଖୋସାଯାଇଥିବା ଦାମିକା ପାର୍କର ପେନ୍ ଟିକୁ ବଢାଇ ଦେଇ ଗଳାର ସ୍ୱରକୁ ଯେତେ ସଂଭବ କୋମଳ କରାଯାଇପାରିବ ସେତିକି କୋମଳତା ଆଣିବାର ପ୍ରଚେଷ୍ଟା କରି କହୁଥିଲେ,ଏଥିରେ ଟିକିଏ ଦସ୍ତଖତ କରିବ ।

ସେହିଭଳି ପାଖରେ ରହିଯାଇଥିବା କିଛି ଦସ୍ତଖତର ଚିରକୁଟର ସଂଗ୍ରହକୁ ଆଧାରକରି ବିରାଟ ଉପନ୍ୟାସ ଲେଖା ଯାଇପାରେ ।

ସେଥିରୁ ଗୋଟିଏ ଦସ୍ତଖତ୍ ତ ନିଜର ପାସବୁକ୍ ର ଜଏଣ୍ଟ ଏକାଉଣ୍ଟରେ ଦସ୍ତଖତ୍ କରିଥାଏ ଆଉ ବାକି ଅନେକ ବସ୍ତଖତ୍ କାଳକ୍ରମରେ ହଜିଯାଏ, କିଛି ହୃଦୟରେ ବି ତଥାପି ରହିଥାଏ ।

ଲିଓ ଟଲଷ୍ଟୟଙ୍କ ସୁବୃହତ ଉପନ୍ୟାସ "ଯୁଦ୍ଧ ଓ ଶାନ୍ତି" ତାଙ୍କର ପରିବାରରେ କେତେ ଯୁଦ୍ଧ ଆଉ କେତେ ଶାନ୍ତି ଆଣିଥିଲା ତାହାର ବିବରଣୀ ଜଣାନାହିଁ, ମାତ୍ର ସୁନ୍ଦର ହାତଲେଖାର ଅଧିକାରିଣୀ ମିସେସ୍ ଟଲଷ୍ଟୟଙ୍କୁ ସେହି ଉପନ୍ୟାସକୁ ଉତ୍ତାରିବାକୁ ହୋଇଥିଲା ସାତଥର । ବିଚାରୀ ଲେଖକ ପତ୍ନୀ ।

ଲେଖକପତ୍ନୀଙ୍କ ଉପରେ ଚର୍ଚ୍ଚା କରିବାର ଅଭିଳାଷ ଅଛି । ପରେ କେବେ । ଜଣେ ବଂଧୁ କଥାକଥାକେ ଦସ୍ତୋୟୋଭସ୍କିଙ୍କ ପତ୍ନୀଙ୍କ ଉଦାହରଣ ଦେଇଥାନ୍ତି । ସେହି ମହିଳା ଜଣକ ନିଜର କୃତବିଦ୍ୟ ସ୍ୱାମୀଙ୍କୁ ମଦ୍ୟପାନ, ବେଶ୍ୟାଦ୍ୱାରଗମନ ଓ ଜୁଆ ଖେଳ ପାଇଁ ଆଗ୍ରହର ସହ ଅନୁମତି ପ୍ରଦାନ କରୁଥିଲେ । ତାଙ୍କର ବିଚାର ଯେ ଏହି ସମସ୍ତ କର୍ମ ଅଥବା ପ୍ରୋତ୍ସାହନ ତାଙ୍କର ବିଖ୍ୟାତ ଲେଖକ - ପତିକୁ ସବିଶେଷ ସାରସ୍ୱତ ଉର୍ଜ୍ଜା ପ୍ରଦାନ କରିଅଛି । ଆମେମାନେ ବି ବଂଧୁଙ୍କ ସହ ସମାନ ବିଚାର ରଖୁ । ସେହିସବୁ କର୍ମରେ ବି ଆମର କିଛି ମାତ୍ରାରେ ଆଗ୍ରହ ରହିଛି ମାତ୍ର ପ୍ରାଥମିକ ଭାବରେ ଆମକୁ ଦସ୍ତୋୟୋଭସ୍କିଙ୍କ ଭଳି ଉଚ୍ଚମାନର ଲେଖନକର୍ମ କରିବାକୁ ହେବ, ଯାହା ଏଯାଏଁ ସମ୍ଭବପର ହୋଇନାହିଁ । ତେଣୁ ପତ୍ନୀଙ୍କ ସେହିଭଳି ଅନୁମତି ବା ପ୍ରୋତ୍ସାହନ ଏକପ୍ରକାରେ ସ୍ଥଗିତ ରହିବାକୁ ବାଧ୍ୟ ।

ଯେଉଁ ବିଶ୍ୱବିଖ୍ୟାତ ଲେଖକ ଜଣକଙ୍କର କଦର୍ଯ୍ୟ ହାତଲେଖାରୁ ଏଇ ହାତଲେଖା ପ୍ରସଂଗଟି ଆସିଛି ସେ ନିଜଠାରୁ ବୟସରେ ଆଠବର୍ଷ ବଡ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କର ଥିଲେ ତିନୋଟି ସନ୍ତାନ । କିନ୍ତୁ ସେ ଲେଖକ ଜଣକ ନିଜର ୱିଲ୍ ବା ଈଚ୍ଛାପତ୍ରରେ ନିଜର ପତ୍ନୀଙ୍କ ପାଇଁ ବରାଦ କରି ରଖିଥିଲେ, ସେକେଣ୍ଡ ବେଷ୍ଟ ବେଡ୍ ୱିଥ୍ ଫର୍ଣ୍ଣିଚରସ୍ ଅର୍ଥାତ୍ ଆସବାବପତ୍ର ସହ ଦ୍ୱିତୀୟ ଶ୍ରେଷ୍ଠ ଶେଜ ।

ପ୍ରଥମ ଶେଜଟି ପତ୍ନୀଙ୍କ ପାଇଁ ନୁହଁ, ତାହା ଘରକୁ ବୁଲି ଆସୁଥିବା ଅତିଥିମାନଙ୍କ ପାଇଁ । ଏଇ ସର୍ତ୍ତଟି ଲେଖାଥିଲା ସେହି ଲେଖକଙ୍କ ଈଚ୍ଛାପତ୍ରରେ ।

ଏହି ଅଭ୍ୟାସଗତ ବନାନଭୁଲକାରୀ ବିଶ୍ୱବିଖ୍ୟାତ ଲେଖକ ଜଣକ ହେଉଛନ୍ତି ୱିଲିୟମ୍ ସେକ୍ସପିଅର୍ ।

ଏହାପରେ ସେକ୍ସପିଅରଙ୍କ ବିଶେଷ ପରିଚୟ ଆଉ ଆପଣମାନେ ଲୋଡିବେ ନାହିଁ ।

ଏକଥା ଜଣା ।

Report an Error