ଜୀବନ: ହଜିବା ଓ ପାଇବା ଭିତରେ

ହରାଇବା ଓ ପାଇବା ଭିତରେ ଏକ ଅଦ୍ଭୁତ ଭଲପାଇବାର ଏ ଗପ ।


ତୋ ଆଉ ମୋ ଭିତରେ କେତେ ବର୍ଷା,
ବର୍ଷା ଅଭିମାନର
ବର୍ଷା ଭଲପାଇବାର,
ପୁଣି ବର୍ଷା ହଜିଯିବାର,
ହେଲେ ମୁଁ କ'ଣ ଜାଣିଥିଲି ଯେ ତୁ ସତରେ ହଜିଯିବୁ ?

ସକାଳୁ ଉଠିବା ମାତ୍ରେ ମୋ ହାତ ସ୍ବତଃ ଫୋନ୍ ର ସୁଇଚ ଅନ୍ କରେ । ଆଖି ଖୋଜେ ତୋ ଲେଖା । ଗୋଟେ ଡଟ୍ ବି ହଉ ପଛେ, ତୋ ପାଖରୁ ଆସୁ । ମନେଅଛି ତୁ ପ୍ରତିଦିନ ଉଠି ମୋ ପାଇଁ ଗୋଟିଏ ଛୋଟ କବିତା ଲେଖିଥାଉ । ମୁଁ ତାକୁ ଦିନସାରା ଗୁଣୁଗୁଣେଇ ଥାଏ । ଯେତେବେଳେ ଠିକ୍ ସୁର ପାଏ, ଗାଇ ରେକର୍ଡ କରି ତତେ ପଠାଏ । ମୁଁ କଲେଜରେ କ୍ଲାସ ନେଲାବେଳେ, ଘରୁ କଲେଜ ଯିବା ରାସ୍ତାରେ, ମାର୍କେଟରେ ଚାଲିବାବେଳେ, ସବୁଠି ତୋ ଶବ୍ଦକୁ ବଞ୍ଚୁଥାଏ । ଝୁଣ୍ଟୁ ଥାଏ । ତୋରି ଶବ୍ଦଗୁଡିକ ହିଁ ସାଥିରେ ଗୁଡେଇ ତୁଡେଇ ହେଇ ସରିଯାଏ ମୋ ଦିନ । ଏତେ ଜୀବନ ଭରିଦିଅନ୍ତି ତୋ ହାତଲେଖା ପ୍ରତି ଶବ୍ଦ, ମୁଁ ସତେଯେମିତି ପହଁରୁଥାଏ ବା ଉଡୁଥାଏ ।

ଏବେ କେମିତି ବଞ୍ଚିବି କହିଲୁ । ମରୁଭୂମିରେ ସତେ ବା ଏକୁଟିଆ ଚାଲୁଛି । ଏଇ ଏକାକୀତ୍ଵ ନାମକ ରାକ୍ଷସ ମତେ ଅଧା ଖାଇ ସାରିଲାଣି । କ'ଣ ଏମିତି ହେଲା ଯେ, ତୁ ଆଉ ଲେଖିଲୁନି । କ'ଣ ମୁଁ ଗାଇବି ? ଦିନ ସାରା କାହାକୁ ନେଇ ବଞ୍ଚିବି କହ ତ'।

ମୁଁ କାମସାରି କଲେଜ ବାହାରିବାବେଳେ
ତୋ ଫୋନ୍ ଆସେ, 'ଖାଇଚ ? ଜଲଦି ଆସିବ ।'

ମୁଁ ବେଳେବେଳେ ଭାବେ ତୁ ମୋ'ଠୁ ଏତେ ଦୂରରେ, ଆଉ ଗୋଟାଏ ଦେଶରେ । ତୋର ସେଇଠି ଅଧରାତି, ମୁଁ ଯେବେ କଲେଜ ଯାଏ । ସବୁଦିନ ନ ଶୋଇ ଚାହୁଁ ? ନା ନିଦ ଭାଙ୍ଗିଯାଏ ?

ସତ କହତ' ତୁ କ'ଣ କରୁ ? ଫିକ୍ କିନା ହସିଦେଇ କହୁ, 'ଯାଃ ଏଇ ଗୋଟେ କଥା ।'

ମୁଁ ଆସି ଘରେ ପଶୁପଶୁ କହୁ, 'ହୁଁ ଫ୍ରେଶ୍ ହେଇ ଗୋଟେ ରିଫ୍ରେସିଂ ଲେମ୍ବୁ ପାଣି ପିଅ । ଶୁଣ, ହାଲକା ମ୍ୟୁଜିକ କିଛି ଶୁଣ ଭଲ ଲାଗିବ । ବୀଥୋଭେନ କମ୍ପୋଜିସନ ଶୁଣିବ ? ୟୁ ୱିଲ୍ ଫଲ ଇନ୍ ଲଭ୍' । ମତେ କିଏ ଏମିତି ସବୁ କହିବ କହିଲୁ । ଫେରିଆ ପ୍ଲିଜ୍ ।

ରୋହନର ମନରେ ଏମିତି ଚାଲିଥାଏ ଦିନରାତି । ମୀରା ସହିତ ତା' ଚିହ୍ନା ସୋସିଆଲ ମିଡିଆରୁ ।

ସେ ରହେ ଲଣ୍ଡନ୍ ରେ । ହେଲୋ, ହାଏରୁ ଭାରତୀୟ ଦର୍ଶନ, ପାଶ୍ଚାତ୍ୟ ଓ ଏସିଆନ୍ ସାହିତ୍ୟ ଓ ଅନେକ କିଛି ଚର୍ଚ୍ଚା, ପୁଣି ତା ଭିତରେ କେମିତି ଗୋଟେ ଅପ୍ରତ୍ୟାଶିତ ବନ୍ଧୁତ୍ବ ଓ ପ୍ରେମ ।

ପ୍ରେମ କିଛି ଏମିତି ସେମିତି ନୁହଁ, ସେ ଏକଦମ୍ ମନ ଓ ପ୍ରାଣ ଦେବା ପ୍ରେମ । ଉଠିବା ଠୁ ଶୋଇବା ଯାଏଁ ଦୁହିଁଙ୍କ ସମ୍ପର୍କରେ ଥାଆନ୍ତି । ରୋହନ କେବେ ମୀରାକୁ ଭେଟିବାକୁ ଚାହିଁନି । ଏତେ ନିକଟତର ସେମାନେ ଯେ କେମିତି ହେଲେ, ଏଇ ସମ୍ପର୍କର ଲକ୍ଷ୍ୟ କ'ଣ ସେମାନେ ନିଜେ ବି ଜାଣି ନାହାନ୍ତି । ସତେ ଯେମିତି ଆତ୍ମା ସହିତ ଆତ୍ମାର ଏକାକାର ହେବାର ଥିଲା ।

ହଠାତ୍ ମୀରା କଥା ହେବା କମ୍ କରିଦେଲା ।

ରୋହନ ଏହି ବଦଳି ଯାଉଥିବା ମୀରାକୁ ବୁଝିପାରୁନଥାଏ । ସମ୍ଭାଳି ନପାରି ଦିନେ ପଚାରିଲା, 'ଆମେ କ'ଣ ଦୂରେଇ ଯାଉଛେ କି ?'

'ମୁଁ ସବୁବେଳେ ତମ ପାଇଁ କ'ଣ ଏମିତି ରହିପାରିବି ?'

ମୀରାର ଉତ୍ତର ଥିଲା ।

'ତା ହେଲେ ଆମେ କ'ଣ ଦୂରେଇ ଗଲେଣି ?'

ରୋହନ ବ୍ୟସ୍ତ ହେଇ କହିଥିଲା ।

'ମୁଁ ଆଜିକାଲି ଆଗ ଭଳି ସମୟ ଦେଇ ପାରୁନି । ତମେ ବି ତମ ଜୀବନରେ କିଛି ଭିନ୍ନ କାମରେ ବ୍ୟସ୍ତ ରହିପାର ।'

ରୋହନ କିଛି ଭାବିବା ଆଗରୁ ଫୋନ୍ ଡିସ୍ କନେକ୍ଟ ହେଇସାରିଥାଏ ।

କିଛିଦିନ ମୀରା ପୂରା ଚୁପ୍ ।

ସହି ନ ପାରି ରୋହନ କଲ୍ କଲା ।

ମୀରା ଗତ ଦୁଇ ମାସ କର୍କଟ ରୋଗରେ ଲଢି ଶେଷରେ ହାରିଗଲା ଓ ସପ୍ତାହେ ତଳେ ତାର ମୃତ୍ୟୁ ହେଇଛି । ଏହି ଖବର ପାଇ ରୋହନ କିଛି ସମୟ ଚୁପ୍ ହେଇଯାଇଥିଲା ।

ତା ପରଠୁ ସେ ନିଜ ସହିତ ଗପେ ।

ନିଜ ଭିତରେ ଗପୁଥାଏ।

କେଜାଣି ସେ ମୀରାକୁ ହରେଇଲା ନା ପାଇଲା ।

ମୀରା ଏବେ ପୃଥିବୀରେ ନାଇଁ, ହେଲେ ରୋହନ ଏବେ ଗୋଟାପଣେ ମୀରାକୁ ବଞ୍ଚୁଛି ।

Report an Error