ହବିବ୍ ତନବୀର: ଭାରତୀୟ ରଂଗମଂଚର ପ୍ରବାଦ ପୁରୁଷ

ସ୍ୱାଧୀନ ଭାରତବର୍ଷର ନାଟକ ଇତିହାସକୁ ଯଦି ଆଲୋଚନା କରାଯାଏ; ତେବେ ହବିବ୍ ତନବୀରଙ୍କ ନାମ ପ୍ରମୁଖତାର ସହ ନେବାକୁ ହୁଏ । ହବିବ୍ ତନବୀରଙ୍କ ବ୍ୟତୀତ ସ୍ୱାଧୀନତ୍ତୋର ଭାରତବର୍ଷର ନାଟ୍ୟ ଚର୍ଚ୍ଚା ଅସମ୍ପୂର୍ଣ୍ଣ ।


ଫଟୋ - ୱିକିମିଡିଆ କମନ୍ସ

ହବିବ୍ ତନବୀର ଯଥାର୍ଥରେ କହିଥିଲେ - “ଭାରତବର୍ଷରେ ଆର୍ଥିକ କ୍ଷମତାକୁ ଯଦି ବିଚାର କରାଯାଏ; ତେବେ ଏଠାରେ ଆର୍ଥିକ ଦୃଷ୍ଟିକୋଣରୁ ଯିଏ ଗରିବ; ସାଂସ୍କୃତିକ ଦୃଷ୍ଟିକୋଣରୁ ସେ ସେତେ ଅଧିକ ଧନୀ ।”

ହବିବ୍ ତନବୀର ମନୁଷ୍ୟର ମନର ଭାବନାକୁ ଶବ୍ଦରେ ବାନ୍ଧିପାରନ୍ତି । ଅଭିନୟ ମାଧ୍ୟମରେ ସେମାନଙ୍କୁ ଜୀବନ୍ତ କରିଥାନ୍ତି । ହବିବ୍ ତନବୀରଙ୍କ ନିର୍ଦ୍ଦେଶିତ ନାଟକ କେବଳ ଦର୍ଶକଙ୍କର ମନୋରଞ୍ଜନ କରୁନଥିଲା ବରଂ ବିଶେଷ ସାମାଜିକ ବାର୍ତ୍ତା ମଧ୍ୟ ଦେଉଥିଲା । ଏହା ଥିଲା ହବିବ୍ ତନବୀରଙ୍କର ବିଶେଷତା । ତାଙ୍କର ସୃଷ୍ଟି ମାନବ ଜୀବନର ବିଭିନ୍ନ ଅନୁଭୂତିକୁ ସୁନ୍ଦର ଭାବରେ ଚିତ୍ରଣ କରିଥିଲା । ହବିବ୍ ତନବୀରଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ଏବଂ ସେ ମଧ୍ୟ ରାଜ୍ୟସଭାର ସଦସ୍ୟ ଥିଲେ ।

ସ୍ୱାଧୀନ ଭାରତବର୍ଷର ନାଟକ ଇତିହାସକୁ ଯଦି ଆଲୋଚନା କରାଯାଏ; ତେବେ ହବିବ୍ ତନବୀରଙ୍କ ନାମ ପ୍ରମୁଖତାର ସହ ନେବାକୁ ହୁଏ । ହବିବ୍ ତନବୀରଙ୍କ ବ୍ୟତୀତ ସ୍ୱାଧୀନତ୍ତୋର ଭାରତବର୍ଷର ନାଟ୍ୟ ଚର୍ଚ୍ଚା ଅସମ୍ପୂର୍ଣ୍ଣ । ହବିବ୍ ତନବୀରଙ୍କ ଉପସ୍ଥିତି ହିଁ ଭାରତୀୟ ନାଟକର ଉପସ୍ଥିତି, ଅସ୍ମିତା, ଅଭିବ୍ୟକ୍ତି ଓ ରଂଗମଂଚରେ ଭିନ୍ନ ଭିନ୍ନ ଶୈଳୀର ପ୍ରୟୋଗକୁ ସୂଚାଇଥାଏ ।

ସବୁଠୁ ବଡ଼ କଥା ହେଉଛି ସେ ରଂଗମଂଚରେ ଖେଳୁଥିଲେ, ରଂଗମଂଚକୁ ଏକ ଖେଳସ୍ଥାନ ପରି ଉପଯୋଗ କରୁଥିଲେ; ଯେଉଁଠି ଅଭିନେତା, ନିର୍ଦ୍ଦେଶକ ଓ ସମସ୍ତ ନାଟ୍ୟକର୍ମୀ ଖେଳିଥାନ୍ତି, ନିର୍ଦ୍ଦେଶକଙ୍କ ପରିଚାଳନାରେ ।

ନିଶ୍ଚିତଭାବେ ଏହା ସ୍ୱୀକାର୍ଯ୍ୟ ଯେ ଖେଳ ପରେ ଆମ ସମସ୍ତଙ୍କ ଶରୀର ଓ ମନ ସୁସ୍ଥ ରହିଥାଏ । ଶରୀରକୁ ନୂଆ ଶକ୍ତି ମିଳେ । ହବିବ୍ ସାହେବ ନିଜ ନାଟକ ପ୍ରଦର୍ଶନ ପୂର୍ବରୁ ଅଧିକ ସମୟ ନିଜ ନାଟକ ଓ ତତ୍ସମ୍ପର୍କୀୟ ତଥ୍ୟ ଦେଇଥାନ୍ତି ନିଜ ଭାଷଣରେ । ସେ ପ୍ରଦର୍ଶନରେ ଅଭୂତପୂର୍ବ ସାହସିକତା ପ୍ରଦର୍ଶନ କରିଥାନ୍ତି । ନିଜେ ଥରେ ସେ କହିଥିଲେ କି ଭାରତୀୟ ସଂବିଧାନ ତାଙ୍କୁ ନାଟକ କରିବାର ଅଧିକାର ଦେଇଛି; ସେ କେବଳ ନାଟକ ହିଁ କରିପାରିବେ, ଯଦି ଏହି କାର୍ଯ୍ୟରୁ କେହି ତାଙ୍କୁ ବିରତ କରେ ତେବେ ହୁଏତ ସେ ବଂଚି ପାରିବେ ନାହିଁ ।

ଅଶୀତି ବର୍ଷ ବୟସ ପର୍ଯ୍ୟନ୍ତ ସେ ରଂଗମଂଚରୁ ଦୂରେଇ ଯାଇନଥିଲେ । ରଂଗମଂଚରେ ନିଜ ଉପସ୍ଥିତି ଜାହିର ରଖୁଥିଲେ ।

ସେ କୌଣସି ଧର୍ମ ପାଳନ କରୁନଥିଲେ, କୌଣସି ଧର୍ମ ପ୍ରତି ତାଙ୍କର ବିଦ୍ୱେଷ ନଥିଲା, ସେ କହୁଥିଲେ ମୋର ଧର୍ମ ହେଉଛି ନାଟକ, ଯାହାର ପାଳନ କରିବା ମୋର କର୍ତ୍ତବ୍ୟ । ଏହି ଧର୍ମକୁ ପାଳନ ନ କରିବା କ୍ଷେତ୍ରରେ ସମାଜରେ ଓ ନାଟକରେ ଧାର୍ମିକ ଅସହିଷ୍ଣୁତା ଓ ସଂକଟତା ବ୍ୟାପିଯିବାର ଅନେକ ସଂଭାବନା ରହିଛି, ଅତଏବ ଆମକୁ ନିଷ୍ଠାର ସହ ନାଟକ ଧର୍ମ ପାଳନ କରିବାକୁ ପଡ଼ିବ ।

ହବିବ୍ ସାହେବ ଇଂଲଣ୍ଡରେ ରୟାଲ ଏକାଡେମୀ ଅଫ ଥିଏଟର ଆର୍ଟସରେ ଇବ୍ରାହିମ୍ ଅଲକାଜୀଙ୍କ ସହ ନାଟକ ଶିକ୍ଷା ନେଉଥିଲେ । ମାତ୍ର ନାଟକ ଶିକ୍ଷା ଅଧାରୁ ପରିତ୍ୟାଗ କରି ସାରା ୟୁରୋପ ଭ୍ରମଣ କରିବା ସହ ବ୍ରେଖ୍ତଙ୍କ ନାଟକ ଶୈଳୀ ଉପରେ ଗଭୀର ଅଧ୍ୟୟନ କରିଥିଲେ । ନାଟକରେ ସରଳତାର ଯେ ଗଭୀର ପ୍ରଭାବ ରହିଛି ଓ ସରଳତା ହିଁ ଗମ୍ଭୀର ପ୍ରସଙ୍ଗକୁ ସାବଲୀଳତାର ସହ ଜନମାନସରେ ରେଖାପାତ କରିପାରିବ ସେ ୟୁରୋପରେ ବ୍ରେଖ୍ତଙ୍କ ନାଟକ ଶୈଳୀରୁ ଶିକ୍ଷା ପାଇଥିଲେ ଯାହା ହବିବ୍ ସାହେବ୍ ଆଜୀବନ ନିଜ ନାଟକରେ ଉପଯୋଗ କରିଥିଲେ । ପରୀକ୍ଷାନୀରିକ୍ଷା କରିଥିଲେ । ଭାରତୀୟ ନାଟକକୁ ଏକତ୍ରୀକରଣ କରିବାରେ ନାଟ୍ୟରସ ଉତ୍ପାଦନ କରିବା ସହ ରସର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଆସୁଥିଲେ ।

ଭାଷା ଆମ ଶରୀରର ପାଦ ପରି, ଯାହା ଉପରେ ଆମ ଶରୀରର ସମସ୍ତ ଭାର ନ୍ୟସ୍ତ ଥାଏ । ହବିବ୍ ସାହେବ ନିଜ ନାଟକରେ ଭାଷାର ଚମତ୍କାର ଉପଯୋଗ କରୁଥିଲେ । ନିଜ ଅଂଚଳର ନିଜ କଥିତ ଭାଷାର ଉପଯୋଗ କରିବା ସହ ନାଟକକୁ ଜନମନ ସହ ଯୋଡ଼ି ପାରିଥିଲେ ।

ସବୁଠୁ ବଡ଼ କଥା ହେଲା ସେ ନାଟକରେ ବ୍ଲକିଂ ପରମ୍ପରାକୁ ଭାଂଗିଥିଲେ । ବ୍ଲକିଂ ବଦଳରେ ଇମ୍ପ୍ରୁଭାଇଜେସନ୍ ଉପରେ ଗୁରୁତ୍ୱ ଦେଉଥିଲେ । ବାରମ୍ବାର ଅଭ୍ୟାସ ପରେ କଳାକାରଙ୍କ ମନ - ମସ୍ତିଷ୍କ ଓ ଶରୀରରୁ ଉତ୍ପନ୍ନ ଭାବଭଂଗୀକୁ ଗୁରୁତର ସହ ନେଇ ସେ ନିଜ ନାଟକର ପରିବେଷଣ ଶୈଳୀ ନିର୍ଦ୍ଧାରଣ କରୁଥିଲେ ।

ସାଧାରଣ ଜନଜୀବନର ଦୈନନ୍ଦିନ ଜୀବନଶୈଳୀ ହେଉ ଅବା କଠିନରୁ କଠିନ ପରିସ୍ଥିତି, ସାଧାରଣ ବ୍ୟକ୍ତିର ଜୀବନ ସଂଗ୍ରାମ ହେଉ ଅବା ପାରିବାରିକ ସମସ୍ୟା ଏ ସମସ୍ତ ଦିଗକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ନିଜ ନାଟକରେ ଦେଖାଇବା ଥିଲା ହବିବ୍ ସାହେବଙ୍କ ନିରୁତା ଶୈଳୀ । ସେଥିଲାଗି ହବିବ୍ ସାହେବଙ୍କ ନାଟକ ନିଜର ନିଜର ଲାଗେ । ଲାଗେ ଏଇଠି କେଉଁଠି ଘଟିଥିବା କଥା ଦେଖିଥିବା ଘଟଣା ମଂଚରେ ପରିବେଷଣ ହେଉଛି ।

ଯଥାର୍ଥରେ ସେ କହିଥାନ୍ତି କି “ଭାରତବର୍ଷରେ ଆର୍ଥିକ କ୍ଷମତାକୁ ଯଦି ବିଚାର କରାଯାଏ; ତେବେ ଏଠାରେ ଆର୍ଥିକ ଦୃଷ୍ଟିକୋଣରୁ ଯିଏ ଗରିବ; ସାଂସ୍କୃତିକ ଦୃଷ୍ଟିକୋଣରୁ ସେ ସେତିକି ଅଧିକ ଧନୀ ।” ହବିବ୍ ସାହେବ୍ ସମାଜର ସବୁଠୁ ତଳବର୍ଗରୁ କଳାକାର ଖୋଜି ଖୋଜି ସେମାନଙ୍କୁ ନାଟକର ବିଦ୍ୟା ଶିକ୍ଷା ଦେଇ ନାଟକ ପରିବେଷଣ କରୁଥିଲେ । ସେ କହୁଥିଲେ କି ଆମକୁ ପଶ୍ଚିମ ସଭ୍ୟତାର ବିରୋଧ କରିବା ଉଚିତ୍ ନୁହେଁ; ବରଂ ପଶ୍ଚିମ ଓ ଆମ ସଭ୍ୟତାର ଏକ ମେଳ କରିବା ଉଚିତ୍ । ଆମକୁ କାହାରି ଭାବନା ଉପରେ ଆଘାତ ଦେବା ଠିକ୍ ନୁହେଁ କାହାରି ଆସ୍ଥାକୁ ଭାଂଗିବା ଉଚିତ୍ ନୁହେଁ କିନ୍ତୁ ଆସ୍ଥା ଉପରେ ଗଭୀର ପ୍ରଭାବ ପକାଇବା ଦିଗରେ ଚିନ୍ତା କରିବା ଉଚିତ୍ । ଏ ଦିଗରେ ବିଚାରବିମର୍ଶ କରିବା ଦରକାର । ଆମ ସଂସ୍କୃତି ବିବିଧତାର ସଂସ୍କୃତି । ବଡ଼ କଥା ହେଉଛି ଆମକୁ ଆମ ବିଭବଶାଳୀ ସଂସ୍କୃତିକୁ ଆଗକୁ ନେବା ଦରକାର । ସେ ଭାରତୀୟ ଆଧୁନିକତାକୁ ଅଧିକ ଦେଶୀୟ, ଅଧିକ ଲୋକପ୍ରିୟ ଓ ଅଧିକ ବୈକଳ୍ପିକରେ ରୂପାନ୍ତରିତ କରିବାର ନିୟମିତ ପ୍ରୟାସରତ ଥିଲେ ।

ହବିବ୍ ସାହେବଙ୍କ ପ୍ରସ୍ତୁତ ପ୍ରଥମ ନାଟକ 'ଆଗ୍ରାବଜାର’ ଭାରତବର୍ଷର ପ୍ରଥମ ଅନାଟକ ଯାହା କୌଣସି କାହାଣୀ ଆଧାରିତ ନଥିଲା । ଯେଉଁଥିରେ କବି ନଜୀବ ଓ ଆକବରବାଦୀଙ୍କ ଲିଖିତ କବିତା ଓ କିଛି ଚିତ୍ରର ଅପୂର୍ବ ସମାହାର ଥିଲା । ହବିବ୍ ଙ୍କ ନାଟ୍ୟପ୍ରସ୍ତୁତି ଯଥାର୍ଥରେ ଏକ ଖେଳକୁଦ ହିଁ ଥିଲା; ଯେଉଁଠି କଳାକାରମାନେ ସରଳତାର ସହ ଖେଳକୁଦ ଜରିଆରେ ନାଟକ ପ୍ରସ୍ତୁତ କରୁଥିଲେ । ଫଳରେ ଦର୍ଶକଙ୍କୁ ଯଥାର୍ଥ ନାଟକ ଦେଖିବାକୁ ମିଳୁଥିଲା । ସେ ହିଁ ପରବର୍ତ୍ତୀ ପିଢ଼ି ପାଇଁ ଚ୍ୟାଲେଂଜ୍ ସୃଷ୍ଟି କରିଯାଇଛନ୍ତି, ନାଟକକୁ ଜୀବନ୍ତତାର ସହ ଗ୍ରହଣ କର । ଦର୍ଶକ ତୁମକୁ ଗ୍ରହଣ କରିବେ ।

Report an Error