ଗ୍ରାଫିକ୍ ଚିତ୍ରଶିଳ୍ପୀ ସୁବ୍ରତ କୁମାର

ସୁବ୍ରତଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ଦିଗ ହେଲା, ବରୋଦାରେ ସେ ଆରମ୍ଭ କରିଥିବା "ଲିଥୋଲେଖା" ଷ୍ଟୁଡିଓ । ପ୍ରିଣ୍ଟ ମେକିଂର ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ସେ ଏହି ଷ୍ଟୁଡିଓଟିକୁ ୨୦୧୮ରେ ସ୍ଥାପନ କରିଥିଲେ ।


ଫଟୋ - ସୁମିତ୍ରା ପାଢୀ

ଚିତ୍ରଶିଳ୍ପୀ ସୁବ୍ରତ କୁମାରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଳକ୍ ଅନ୍ତର୍ଗତ ନୂଆଗାଁ ରେ । ବାପା ବିନୋଦ ବେହେରା ଦିବ୍ୟାଙ୍ଗ ଓ ମାଆ ସୁଲୋଚନା ବେହେରା ଗୃହିଣୀ । ତେବେ ଟେଲରିଂ କରି ପରିବାର ଚଳାଉଥିବା ସୁବ୍ରତଙ୍କ ବାପା ହିଁ ଦିନେ ତାଙ୍କୁ ସନ୍ଧାନ ଦେଇଥିଲେ ଆର୍ଟ କଲେଜର । ଜଣେଇଥିଲେ ଚିତ୍ର ପଢିବା ପାଇଁ ବି କଲେଜ୍ ଅଛି ବୋଲି । ତା' ପରଠୁ ଆରମ୍ଭ ହୋଇଥିଲା ସୁବ୍ରତଙ୍କର ପ୍ରଫେସନାଲ୍ ଚିତ୍ର ଜୀବନର ଯାତ୍ରା । ଆଜି ସୁବ୍ରତ ଭାରତର ଅନ୍ୟତମ ନାମକରା ଯୁବ ପ୍ରିଣ୍ଟ ମେକର୍ । ଏଇଠି ମନେ ପକାଇ ଦେବାକୁ ଚାହୁଁଛି, ଶହେ ବର୍ଷ ତଳେ ପ୍ରଥମ ଓଡ଼ିଆ ଭାବରେ କଲିକତା କଳା ବିଦ୍ୟାଳୟରେ ଏକାଡେମିକ କଳା ଶିକ୍ଷା ଲାଭ କରିଥିବା ପୁରୀର ଆନନ୍ଦ ମିଶ୍ର ମଧ୍ୟ ଲିଥୋଗ୍ରାଫି ଶିଖିଥିଲେ । ସେ ଥିଲେ ଆମ ରାଜ୍ୟର ପ୍ରଥମ ପ୍ରିଣ୍ଟ ମେକର୍ ।

ପ୍ରିଣ୍ଟ ମେକିଂରେ ବି.କେ କଲେଜ, ଭୁବନେଶ୍ୱରରୁ ସ୍ନାତକ କରିସାରି ସେ ବରୋଦା ଚାଲିଗଲେ ଉଚ୍ଚଶିକ୍ଷା ପାଇଁ । ଏମ୍.ଏସ୍ ୟୁନିଭର୍ସିଟି, ବରୋଦାରୁ କଲେ ସ୍ନାତକୋତ୍ତର । ସେଠାରେ ସିଟ୍ ପାଇବା ପାଇଁ କିଛି ବର୍ଷ ଅପେକ୍ଷା କରିବା ସମୟରେ ଚିତ୍ରାଭ୍ୟାସ କରୁଥିଲେ । ଅନେକ ଶିଳ୍ପୀଙ୍କ ସହ ମିଶିବା ପରେ ସେଇଠି ତାଙ୍କ ମନରେ ଆଗରୁ ଥିବା ଅନେକ ଦ୍ୱନ୍ଦ ଦୂର ହୋଇଥିଲା ଓ ତାଙ୍କ ନିଜ କାମ ବିଷୟରେ ମଧ୍ୟ ଧାରଣା ତିଆରି ହେଲା । ସେଠାରେ ଥିବା ସମୟରେ ଜଣେ ଆମେରିକୀୟ ଚିତ୍ରଶିଳ୍ପୀଙ୍କ ସହ ପ୍ରକଳ୍ପ କରିବା ଅବସରରେ ସେ କାହାଣୀକୁ ଆଧାର କରି କାମ କରିବାର ପ୍ରେରଣା ପାଇଥିଲେ । ଆମର ସମସ୍ୟା ଓ ଲୋକଗପକୁ ସମସାମୟିକ ଚିତ୍ରକଳାରେ ରୂପ ଦେଇହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଇଠି । ପ୍ରଥମେ ପ୍ରଥମେ ସେ ଯେକୈାଣସି ଗୋଟିଏ ଗପକୁ ନେଇ ଚିତ୍ର ଆଙ୍କୁଥିଲେ, ତା ଭିତରେ ନିଜ ଅଜଣାତରେ ପୈାରାଣିକ କାହାଣୀ ଓ ଚରିତ୍ରମାନଙ୍କର ଛାପ ରହିଯାଉଥିଲା, ନହେଲେ ଅବା ରହି ଯାଉଥିଲା ନିତିଦିନିଆ ଜୀବନ, ସମାଜ ଓ ସମସ୍ୟାର କଥା । ସେ ଅନେକ ଲୋକଗପ, ପୁରାଣ, ଢଗଢମାଳି ଆଦିକୁ ଅନୁଧ୍ୟାନ କରି, ସେସବୁକୁ ନେଇ ଛବି ଆଙ୍କିଛନ୍ତି । ତାଙ୍କ ଚିତ୍ର ସବୁବେଳେ ବର୍ଣ୍ଣନାତ୍ମକ । ପ୍ରାୟ ସମୟରେ ସେ ଗୋଟେ ଲମ୍ବା କାହାଣୀକୁ ନିଅନ୍ତି ବା ଗୋଟେ କାହାଣୀକୁ ଭାଗ ଭାଗ କରି ଯୋଡି ଯୋଡି ଚିତ୍ରର କାହାଣୀ ତିଆରି କରନ୍ତି । ସେ ପ୍ରିଣ୍ଟ ମେକିଂ ପଢିଛନ୍ତି ଯଦିଓ ତାଙ୍କୁ ସବୁ ପ୍ରକାର ମାଧ୍ୟମରେ କାମ କରିବାକୁ ଭଲ ଲାଗେ । ପ୍ରିଣ୍ଟ ମେକିଂ ବିଭିନ୍ନ ପ୍ରକ୍ରିୟାରେ ହୁଏ ଏବଂ ପ୍ରତିଟି ପ୍ରକ୍ରିୟାର ମାଧ୍ୟମ ଭିନ୍ନ ଭିନ୍ନ ଥାଏ । ତେଣୁ ମାଧ୍ୟମର ଭିନ୍ନତା ନେଇ ତାଙ୍କୁ କୈାଣସି ଅସୁବିଧା ହୁଏନି । ସେ ଏବେବି କାହାଣୀକୁ ନେଇ ହିଁ ଚିତ୍ର ଆଙ୍କୁଛନ୍ତି, କିନ୍ତୁ ଆଗର ଶୈଳୀରେ ଏବେ ପରିବର୍ତ୍ତନ ହୋଇଛି । ଚିତ୍ର କରିବାର ପ୍ରକ୍ରିୟା ଧିରେ ଧିରେ ଉନ୍ନତ ହୋଇଛି ।

ସୁବ୍ରତଙ୍କ ସହ ଵଡବିଲ୍ ଆର୍ଟ ପ୍ରୋଜେକ୍ଟ ୫ ପୂର୍ବରୁ ମୋର ଭେଟ ହୋଇଥିଲା ଭୁବନେଶ୍ୱର ଆର୍ଟ ଟ୍ରେଲବେଳେ । ଉଭୟରେ ତାଙ୍କ ଚିତ୍ରକଳା ସ୍ୱତନ୍ତ୍ର ଥିଲା । ଭୁବନେଶ୍ୱର ଆର୍ଟ ଟ୍ରେଲରେ ସେ ମୁଖ୍ୟତଃ ଷ୍ଟୁଡିଓ ଭିତରେ କାମ କରୁଥିଲେ । ତାଙ୍କର ପ୍ରାୟତଃ ସବୁ କାମ ଷ୍ଟୁଡିଓ ଭିତରେ ହୁଏ । ତେବେ ଭୁବନେଶ୍ୱର ଆସି ସେ ଏଠାକାର ପୁରୁଣା ଭୁବନେଶ୍ୱର ଲୋକକଥା ଉପରେ କିଛିଟା ତଥ୍ୟ ସଂଗ୍ରହ କରିଥିଲେ । ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ଠାରୁ କାହାଣୀ ଶୁଣିଥିଲେ । ସେଇ ସଂଗ୍ରହ କରିଥିବା କାହାଣୀ ସହ ନିଜେ ଜାଣିଥିବା କାହାଣୀ ଓ କଳ୍ପନାକୁ ଆଧାର କରି ଅନେକ ଗୁଡ଼ିଏ ଚିତ୍ର ଆଙ୍କିଥିଲେ । ଏସବୁ ସହ ବିଭିନ୍ନ ମନ୍ଦିର ଗାତ୍ରରେ ଖୋଦେଇ ହୋଇଥିବା ମୂର୍ତ୍ତିର କିଛି ସ୍କେଚ୍ ମଧ୍ୟ କରିଥିଲେ ସେ । ସେ କାମ ସବୁକୁ ଚାରିକାନ୍ଥ ଭିତରେ ଆବଦ୍ଧ ନରଖି ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶିତ କରିଥିଲେ ବି ।

ତେବେ ବଡ଼ବିଲ୍ ଆର୍ଟ ପ୍ରୋଜେକ୍ଟ - ୫ ରେ ତାଙ୍କ କାମ ଥିଲା ସମ୍ପୂର୍ଣ୍ଣ ନୂଆ । ସେ ଆଗରୁ କେବେ ବି କାମ କରିନଥିବା ଓଡ଼ିଶାର ପାରମ୍ପରିକ କଳା ଢୋକରାକୁ ବାଛିଥିଲେ ନିଜ କଥା କହିବାର ମାଧ୍ୟମ ଭାବେ । ତାଙ୍କ ସହ କୋଲାବୋରେଟିଭ୍ ଶିଳ୍ପୀ ଭାବେ ଯୋଗ ଦେଇଥିଲେ ସଦେଇବାରିଣୀର ପାରଂପରିକ ଢୋକରା କାରିଗର ବସନ୍ତ କୁମାର ବେହେରା । ଓ ଏଇ ଶିଳ୍ପୀ ଦ୍ବୟଙ୍କୁ ସହଯୋଗ କରିଥିଲେ ବସନ୍ତଙ୍କ ସହକର୍ମୀ ଓ ସହଧର୍ମିଣୀ ବାସନ୍ତୀ ବେହେରା । ସେମାନେ ଢୋକରା ଶୈଳୀକୁ ବ୍ୟବହାର କରି ଏକ ସମସାମୟିକ ଭାସ୍କର୍ଯ୍ୟ ତିଆରି କରିଥିଲେ ଯେଉଁଠାରେ ପଶୁପକ୍ଷୀମାନଙ୍କୁ ମାନବଜାତି ଅପେକ୍ଷା ଅଧିକ ସମ୍ବେଦନଶୀଳ ଭାବରେ ଚିତ୍ରଣ କରାଯାଇଛି । ସୁବ୍ରତଙ୍କ ଏହି କାମରେ ପ୍ରକୃତି ଛଡା ମଣିଷର କଥା ରହିଛି । ମଣିଷ ହିଁ ପ୍ରକୃତିର ସବୁଠାରୁ ବଡ ଶତୃ । ସଭ୍ୟତା ନାମରେ ମଣିଷର ସ୍ଥାନାନ୍ତରଣ ଆଜି ଏକ ସାଧାରଣ ସତ୍ୟ । ପ୍ରକୃତି ସହ ସହାବସ୍ଥାନ ଆଜି ଅସମ୍ଭବ ବାସ୍ତବତା । ବଡ଼ବିଲ୍ ପରି ଖଣି ଅଂଚଳରେ କ୍ଷୟଶୀଳ ପ୍ରକୃତିକୁ ସେ ପାଖରୁ ଦେଖିଲା ପରେ ଏମିତି ଏକ କାମର ଯୋଜନା କରିଥିଲେ । ନୂଆ ଏକ ପୁରାଣକଳ୍ପ ତିଆରି କଲା ପରି ସୁବ୍ରତ ଏଠି ଏକ ଲମ୍ବା କାହାଣୀ କହନ୍ତି । ସେ ଏକ ସମ୍ଭାବନା ଓ ବିକଳ୍ପ ରାସ୍ତାର କାହାଣୀ । ସେ କାହାଣୀରେ ଅଛି; ଯଦି ମଣିଷକୁ ପ୍ରକୃତରେ ପିଞ୍ଜରାବଦ୍ଧ କରାଯାଏ, ତେବେ ପ୍ରକୃତି ପୁଉଣି ଥରେ ପୂର୍ବାବସ୍ଥାକୁ ଫେରିଆସନ୍ତା । ସହାବସ୍ଥାନ ସରଳ ହୋଇଯାଆନ୍ତା ।

ସୁବ୍ରତଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ଦିଗ ହେଲା, ବରୋଦାରେ ସେ ଆରମ୍ଭ କରିଥିବା "ଲିଥୋଲେଖା" ଷ୍ଟୁଡିଓ । ପ୍ରିଣ୍ଟ ମେକିଂର ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ସେ ଏହି ଷ୍ଟୁଡିଓଟିକୁ ୨୦୧୮ରେ ସ୍ଥାପନ କରିଥିଲେ । ଜଣେ ଶିଳ୍ପୀ ଭାବରେ କାମ କରିବାକୁ ଷ୍ଟୁଡିଓ ମିଳିବାର ଯେଉଁ ଅଭାବବୋଧ ସେ ବ୍ୟକ୍ତିଗତ ଭାବରେ ବରୋଦା ଯିବା ପରେ ଅନୁଭବ କରିଥିଲେ ତାହା ତାଙ୍କୁ ଏହି ଷ୍ଟୁଡିଓ ତିଆରି କରିବା ଲାଗି ପ୍ରେରିତ କରିଥିଲା । ଏବେ ସେଇଠି କେତେନା କେତେ କର୍ମଶାଳା ଚାଲିଛି, ଯୋଗ ଦେଉଛନ୍ତି ଶିଳ୍ପୀ ଓ ଛାତ୍ରଛାତ୍ରୀମାନେ । ପ୍ରବୀଣ ଓ ନବୀନ ଚିତ୍ରଶିଳ୍ପୀମାନେ ଲିଥୋଲେଖା ଷ୍ଟୁଡିଓରେ ପହଂଚି ସେମାନଙ୍କ ଛବିର ରଂଗୀନ ଲିଥୋ ପ୍ରିଣ୍ଟ ନେଉଛନ୍ତି । ସୁବ୍ରତଙ୍କର ଯୋଜନା ଅଛି ସେ ପରେ କେବେ ସମ୍ଭବ ହେଲେ ଓଡିଶାରେ ମଧ୍ୟ ଏମିତି ଏକ ଷ୍ଟୁଡିଓ ସ୍ଥାପନ କରିବେ ।

Report an Error