ଗୋଟେ ସୁନ୍ଦର ଚାଳଘରର କାହାଣୀ

ବାହାରଟା ଅନ୍ଧାରୁଆ ଆଉ ଧୂଆଁଳିଆ ଦିଶୁଥିଲା । ସେହି ଅନ୍ଧାର ଚିରି ମୋତେ ଗୋଟେ ତୋଫା ମୁହଁ ଦିଶିଗଲା । ପଦ୍ମଫୁଲ ଭଳି ତୋଫା ମୁହଁଟେ ମୋତେ ସେହି ଜାଗାରେ ଦିଶିଗଲା ଯୋଉଠି ଗୋଟେ ସୁନ୍ଦର ଚାଳଘର ଥିଲା ।


ଫଟୋ - ୱିକିମିଡିଆ କମନ୍ସ

ସେ ଘରଟା ଆମ ସମ୍ପର୍କୀୟା ମାଉସୀଙ୍କ ଘରର ଠିକ୍ ପଛରେ ଥିଲା । ନୁଆଁଣିଆ ଚାଳ ଛପର ମାଟି ଘରଟିଏ । ଘର ଆଗରେ ତୁଳସୀ ଚଉଁରା । ଚଉଁରାର ଟିକେ ଆଗକୁ ଓ ଘରର ଗୋଟେ କଡ଼କୁ ଥିଲା ଦୁଇଟି ଟଗର ଗଛ ଓ ଗୋଟିଏ ବଡ଼ ନାଲି ମନ୍ଦାର ଗଛ । ଆହୁରି ବି କେତୋଟି ଛୋଟ ଛୋଟ ରଙ୍ଗଣୀ ଓ କୁକୁଡ଼ା ମୁକୁଟ ଫୁଲଗଛରେ ନାଲି, ହଳଦୀ ଫୁଲମାନ ଭର୍ତ୍ତି ହୋଇ ଘର ସାମ୍ନାଟାର ସୌନ୍ଦର୍ଯ୍ୟକୁ ଖୁବ୍ ଆକର୍ଷଣୀୟ କରୁଥିଲା । କଣି ବାଉଁଶର ବାଡ଼ ଆଉ ଧଡ଼ା ଘରଟିକୁ ବେଢେଇ ରଖିଥିଲେ । ଦୂରରୁ ସେହି ଛୋଟ ଘରଟି ଜଣେ କୁଶଳୀ ଚିତ୍ରକରଙ୍କର ସୁନ୍ଦର ଚିତ୍ରଟିଏ ପରି ମନେ ହେଉଥିଲା ।

ସେହି ଘରେ ରହୁଥିଲେ ଜଣେ ଅଳ୍ପ ବୟସୀ ମାଆ ଓ ତାଙ୍କର ଗୋଟିଏ ଛୋଟ ଛୁଆ । ତାଙ୍କ ସ୍ୱାମୀ କଲିକତାରେ ରହି କିଛି କାମ କରୁଥିଲେ ଓ ମାସକୁ ମାସ କିଛି କିଛି ଟଙ୍କା ପଠାଉଥିଲେ ଏଠି ଘର ଚଳିବା ପାଇଁ । ସେହି ଅଳ୍ପ ବୟସୀ ମାଆ ଜଣକ ସ୍ୱାମୀ ପଠାଉଥିବା ଟଙ୍କାରେ ଘର ଚଳେଇ ସେଥିରୁ କିଛି ଟଙ୍କା ସଞ୍ଚୟ କରି ଡାକ ଘରେ ବି ରଖୁଥିଲେ ବୋଲି ମୋର ସେହି ସମ୍ପର୍କୀୟା ମାଉସୀ କହୁଥିଲେ ।

ମୁଁ ଯେତେବେଳେ ମୋ ମାଆଙ୍କ ସହ ସେହି ଗାଁକୁ ପ୍ରଥମ କରି ଯାଇଥିଲି ସେତେବେଳେ ସେ ଗାଁରେ ବର୍ଷା ଢାଳୁଥିଲା, ଅର୍ଥାତ ସେବେ ବର୍ଷାଋତୁ ଚାଲିଥିଲା । ମାଉସୀଙ୍କ ଘର ପାଖରେ ଅଛି ଗୋଟେ ବଡ଼ ଜଗନ୍ନାଥ ମନ୍ଦିର । ସେଠି ପ୍ରତିବର୍ଷ ଖୁବ୍ ଆଡମ୍ବରରେ ରଥଯାତ୍ରା ହୁଏ । ତାକୁ ହିଁ ଦେଖିବାକୁ ମାଉସୀ ଆମକୁ ଡକେଇଥିଲେ । କିନ୍ତୁ ସେବର୍ଷ ରଥଯାତ୍ରା ପୂର୍ବ ଦିନରୁ ବର୍ଷା ଢ଼ାଳିବା ଆରମ୍ଭ ହେଇଯାଇଥିଲା । ଅନବରତ ବର୍ଷା ବର୍ଷି ଚାଲିଥିଲା । ଆମେ ସମସ୍ତେ ଘର ଭିତରେ ବନ୍ଦୀ ହେଇ ରହିଥିଲୁ । ମୁଁ ମୋ ସମ୍ପର୍କୀୟା ମାଉସୀ (କୁନିମାଉସୀ)ଙ୍କ ଶୋଇବା ଘର ଖଟ ଉପରେ ବସି ମାଉସୀଙ୍କ ବଡ଼ଜାଆଙ୍କ ଝିଅ ଲିଲିନାନୀ ସହ ଲୁଡୁ ଖେଳୁଥିଲି ଓ ସେଇଠି ବିଛଣା ଉପରେ ବସି ଆମେ ଦୁହେଁ ମୁଢ଼ି଼, ଚଣାଚୁର ଖାଉଥିଲୁ ।

ଯେବେ ମୁଁ କୁନିମାଉସୀଙ୍କ ଘରେ ଥିଲି, ସେହି ଦିନମାନଙ୍କରେ ବର୍ଷା ଯେତେବେଳେ ବହୁତ ବେଶି ବଢିଯାଏ ଲିଲିନାନୀ କହେ, "ଝର୍କା ପାଖକୁ ଚାଲ୍, ସେଇଠି ବସିକି ଦେଖିବା ବାଡ଼ିପଟେ କେମିତି ପାଣି ଜମିଲାଣି ।" ଆମେ ଝର୍କାକୁ ମୁହଁ କରି ବସୁ । ମୁଁ ଝର୍କା ବାଟେ ସେହି ନୁଆଁଣିଆ ଚାଳ ଘରଟିକୁ ଦେଖେ । ଚାଳ ଉପରୁ ଧୂଆଁ ବାହାରୁଥାଏ । ଲିଲିନାନୀ କହେ, "ପଦ୍ମିନୀଖୁଡୀ ରାନ୍ଧୁଛନ୍ତି । ତାଙ୍କର ସବୁବେଳେ ଡେରି ରୋଷେଇ ।" ମୁଁ ପଚାରେ, "କିଏ ସେ ପଦ୍ମିନୀଖୁଡୀ ।" ଲିଲିନାନୀ ଆଖି ବଡ଼ ବଡ଼ କରି କହେ, "ଆମ ଗାଁର ସବୁଠୁ ବେଶି ସୁନ୍ଦରୀ ବୋହୂ ପଦ୍ମିନୀଖୁଡୀ । ବଡ଼ ବଡ଼ ଆଖି, ଲମ୍ବା ନାକ, ଗୋଲାପି ଓଠ ଆଉ ଗୋରା ତକ ତକ ଗୋଲ ମୁହଁ ତାଙ୍କର । ତାଙ୍କ ଲମ୍ବା ବେଣୀ ଦେଖିଲେ ତୁ ବେହୋସ ହେଇଯିବୁ । ଏତେ ସୁନ୍ଦର ବାଳ ତୁ କୋଉ ହିରୋଇନର ମୁଣ୍ଡରେ ବି ଦେଖିନଥିବୁ । ସେଇ ଘରେ ସେ ତାଙ୍କ କୁନିପୁଅ ସହ ରହନ୍ତି । ଏକା ରହନ୍ତି । ପ୍ରଫୁଲ୍ଲକକା କଲିକତାରେ କାମ କରନ୍ତି, ବର୍ଷକୁ ଥରେ ଦୁଇଥର ଆସନ୍ତି । କିନ୍ତୁ ଯେତେବେଳେ ଆସନ୍ତି ବହୁତ ବଢିଆ ବଢିଆ ଖାଇବା ଜିନିଷ ଆଣି ଆସନ୍ତି । ପଦ୍ମିନୀଖୁଡୀ ଆମକୁ ପରା ଡାକିକରି ସନ୍ଦେଶ, ମିଠେଇ, ଚଣାଚୁର ଖୁଆନ୍ତି । ଏବେ ଅନେକ ଦିନ ହେଲା ଆସିନାହାଁନ୍ତି । କେବେ ଆସିବେ କେଜାଣି !"

ଲିଲିନାନୀଠୁ ପଦ୍ମିନୀଖୁଡୀଙ୍କ ବିଷୟରେ ଶୁଣି ତାଙ୍କୁ ଥରଟେ ଦେଖିବାକୁ ଭାରି ଇଚ୍ଛା ହେଉଥିଲା । ସେଥିପାଇଁ ମୁଁ ଝର୍କା ପାଖରେ ଘଣ୍ଟା ଘଣ୍ଟା ବସି ରହି ତାଙ୍କ ଘରକୁ ଦେଖୁଥିଲି । କିନ୍ତୁ ବର୍ଷା କାରଣରୁ କି କ'ଣ ସେ ଜମା ଘରୁ ବାହାରୁନଥିଲେ । ଆମେ ବାହୁଡା଼ ଯାଏଁ ରହିଥିଲୁ । ସେହି ଆଠ ଦିନ ଭିତରେ ପଞ୍ଚମ ଦିନ ମୁଁ ସେହି ଅନିନ୍ଦ୍ୟ ସୁନ୍ଦରୀ ମହିଳାଙ୍କୁ ଦେଖିବାର ସୁଯୋଗ ପାଇଲି । ସେଦିନ ବର୍ଷା ହେଇକରି ଛାଡ଼ି ଯାଇଥିଲା । ପଦ୍ମିନୀଖୁଡୀ ମାଉସୀଙ୍କ ଘର ବାଡ଼ି କବାଟ ପିଟିଲେ । କୁନିମାଉସୀ କବାଟ ଫିଟେଇ ଦେଖିଲେ ସେପଟେ ପଦ୍ମିନୀଖୁଡୀ ତାଙ୍କ ପୁଅକୁ କାଖେଇ ଠିଆ ହେଇଛନ୍ତି । ଲିଲିନାନୀ ଓ ମୁଁ ସିଡ଼ି ପାହାଚ ଉପରେ ବସି କାଚ କଉଡ଼ି ଖେଳୁଥିଲୁ । ମାଉସୀ ଆମକୁ ଡାକିଲେ । ଆମେ ବାଡ଼ି ଆଡ଼େ ଦୌଡ଼ିଗଲୁ । ବାଡ଼ି ପିଣ୍ଡାରେ ପଦ୍ମିନୀଖୁଡୀଙ୍କ ଉପରେ ମୋ ନଜର ପଡନ୍ତେ ମୋ ଆଖି ଲାଖିଗଲା ତାଙ୍କ ପଦ୍ମଫୁଲ ସମ ମୁହଁ ପାଖରେ । ଆଃ, ଏତେ ସୁନ୍ଦର ବୋହୂ ମୁଁ ସତରେ ଆଗରୁ କେବେ ଦେଖିନଥିଲି ! ତାଙ୍କୁ ଦେଖି ଲାଗୁଥିଲା ମୋ ମାଆ ଠାକୁର ଘରେ ପୂଜା କରୁଥିବା ଦେବୀ ଫଟୋ ଭିତରୁ ଯେମିତି ସାକ୍ଷାତ ଦେବୀ ବାହାରି ଆସି ଠିଆ ହେଇଛନ୍ତି । ମୁଁ ତାଙ୍କୁ ମୁଗ୍ଧ ହେଇ ଦେଖୁଥାଏ ଆଉ ସେ କୁନିମାଉସୀଙ୍କ ସହ କଥା ହେଇ ବୁଝୁ ଥାଆନ୍ତି ଆମେ କେବେ ଆସିଲୁ ଆଉ କେତେ ଦିନ ରହିବୁ । କଥା ହେଇସାରି ସେ ତାଙ୍କ ଛୋଟ ପୁଅକୁ କୁନିମାଉସୀଙ୍କ କାଖରେ ଦେଇ ଆମ ଆଡ଼େ ଟିକେ ଦେଖି ହସି ହସି ଚାଲିଗଲେ । କୁନିମାଉସୀ ଆମକୁ କହିଲେ, "ନିଅ ଚନ୍ଦୁକୁ, ଖେଳଉଥାଅ ଟିକେ । ତା' ମାଆ ବ୍ୟାଙ୍କ୍ କାମରେ ଯାଇଛି । ଆସିଲେ ନେଇଯିବ । ତୁମେ ଦୁହେଁ ଚନ୍ଦୁକୁ କନ୍ଦେଇବନି ।"

ସେଥର ବାହୁଡା଼ ପରେ ଘରକୁ ଫେରି ଆସିଲାବେଳକୁ ଲିଲିନାନୀ ସହ ମୋର ଖୁବ୍ ଭଲ ବନ୍ଧୁତା ହେଇସାରିଥିଲା । ତେଣୁ ସେ ଆସିବାର କିଛି ମାସ ଭିତରେ ମୁଁ ପୁଣିଥରେ ମଉସାଙ୍କ ସାଙ୍ଗରେ କୁନିମାଉସୀଙ୍କ ଘରକୁ ଗଲି । ଏମିତି ବର୍ଷରେ ଥରେ ଦୁଇଥର ତ ମୁଁ ନିଶ୍ଚୟ ଯାଉଥିଲି ତାଙ୍କ ଘର ଆଡ଼େ । ଯେବେ ବି ଯାଉଥିଲି ମୋତେ ମାଉସୀଙ୍କ ଘର ପଛ ପାଖର ସେହି ସୁନ୍ଦର ନୁଆଁଣିଆ ଚାଳଘର ଓ ସେହି ଘରେ ରହୁଥିବା ସୁନ୍ଦରୀ ପଦ୍ମିନୀଖୁଡୀଙ୍କୁ ଦେଖିବାକୁ ବହୁତ ଭଲ ଲାଗୁଥିଲା ।

ଏମିତି ଏମିତିରେ ବର୍ଷ ପରେ ବର୍ଷ ବିତିଗଲା । ମୁଁ ସ୍କୁଲ୍ ସାରି କଲେଜରେ ପାଦ ଦେଲି । କଲେଜ୍ ପଢ଼ିବା ପାଇଁ ଘରଠୁ ଦୂରରେ ହଷ୍ଟେଲରେ ରହିଲି । କୁନିମାଉସୀଙ୍କ ଘରକୁ ଆଉ ଏତେଟା ଯାଏନାହିଁ କି ସେମାନଙ୍କ ଖବର ଏତେଟା ରଖେନାହିଁ । ଏମିତିରେ ବି କୁନିମାଉସୀଙ୍କ ବଡ଼ଜାଆ, ଦେଢ଼ଶୁର ଆଉ ଲିଲିନାନୀ ଗାଁ ଛାଡ଼ି ସେତେବେଳକୁ କୋରାପୁଟରେ ରହୁଥାନ୍ତି । ତେଣୁ ସେମାନଙ୍କ ସହ ସମ୍ପର୍କ ସେତେବେଳକୁ ଦୁର୍ବଳ ହେଇ ସାରିଥାଏ, ଅବଶ୍ୟ ସେମାନଙ୍କୁ ମୁଁ ସେବେଯାଏଁ ଭଲରେ ମନେ ରଖିଥାଏ । ମୋର ପିଜି ପଢ଼ିବା ସମୟର କଥା । ମାଆ ଦିନେ ଫୋନ୍ କରି କହିଲା, "ଜୁଲାଇ ଦଶରେ ଲିଲିର ବାହାଘର । ତାଙ୍କ ଗାଁରେ ହେବ । ସେମାନେ କାର୍ଡ୍ ଦେଇଯାଇଛନ୍ତି । ଲିଲି ତୋ ପାଇଁ ଅଲଗା ଗୋଟେ କାର୍ଡ୍ ପଠେଇଛି । ତୁ ଯେମିତି ହେଲେ ଆସିବୁ ।"

ବର୍ଷାଦିନିଆ ବାହାଘର ମୋତେ ବିଲକୁଲ ଭଲ ଲାଗେନି । କିନ୍ତୁ ହେଇପାରେ ଲିଲିନାନୀର ବାହାଘର ହେଉଛି ବୋଲି କିମ୍ବା ପଦ୍ମିନୀଖୁଡୀଙ୍କ ଘର ଦେଖିବାର ଖୁବ୍ ଇଚ୍ଛା ହେଲା ବୋଲି ମୁଁ ସେହିଦିନ ଉପରବେଳା ଘରକୁ ବାହାରି ପଡିଲି ଲିଲିନାନୀର ବାହାଘରରେ ଯୋଗଦେବା ପାଇଁ । ରାସ୍ତାରେ ଆସିଲାବେଳେ ଭାବୁଥିଲି, "ଅନେକ ବର୍ଷ ହେଇଗଲାଣି ଲିଲିନାନୀକୁ ଦେଖିନି । ଏବେ କେମିତି ଦିଶୁଥିବ କେଜାଣି ! ନିଶ୍ଚୟ ବହୁତ ସୁନ୍ଦର ଦିଶୁଥିବ । ଯାହା ହେଉ ସେ ମୋତେ ଭୁଲିନି । ଆଉ ପଦ୍ମିନୀଖୁଡୀ ? ତାଙ୍କ ପୁଅ ଚନ୍ଦୁ ? ଚନ୍ଦୁ ତ ଏବେ ସ୍କୁଲ୍ ଯିବଣି । ପଦ୍ମିନୀଖୁଡୀ ଏବେ ବି କ'ଣ ସେତିକି ସୁନ୍ଦର ଦିଶୁଥିବେ ? ହଁ, କାହିଁକି ନୁହେଁ !'' ଏମିତି କଥା ସବୁ ଭାବି ଭାବି ଘରେ ପହଞ୍ଚିଲି ।

ବାହାଘର ଦିନ ସକାଳୁ ମୁଁ, ମୋ ସାନ ଭଉଣୀ ଆଉ ମାଆ କୁନିମାଉସୀଙ୍କ ଘରକୁ ବାହାରିଲୁ । ଲିଲିନାନୀକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି । ବାହା ହେବାକୁ ଯାଉଥିବା ସୁନ୍ଦରୀ ଲିଲିନାନୀ ଆଉ ନଅ - ଦଶ ବର୍ଷ ତଳର ସେ ଦୁଷ୍ଟ ଝିଅ ଲିଲିନାନୀ ଭିତରେ ଥିଲା ଆକାଶ ପାତାଳ ଫରକ । ଲିଲିନାନୀ ପୋଷ୍ଟାଲ୍ ରେ ଚାକିରି କରୁଥାଏ । ବ୍ୟାଙ୍କରେ ଚାକିରି କରୁଥିବା ତା କଲେଜବେଳର ବୟଫ୍ରେଣ୍ଡକୁ ଲିଲିନାନୀ ବାହା ହେଉଛି ବୋଲି କୁନିମାଉସୀ ଆମକୁ କହିଲେ ।

ସେଦିନ ସକାଳୁ ପାଗ ସଫା ଥିଲା । ସମସ୍ତେ ଅନୁମାନ କରୁଥିଲେ ବର୍ଷା ହେବନି, ବାହାଘରଟା ଭଲରେ ହେଇଯିବ । ଲିଲିନାନୀ ହଳଦିଆ ଶାଢ଼ୀ ପିନ୍ଧି ସିଡ଼ିଘର କବାଟ ପାଖରେ ବସିଥିଲା । ମୁଁ ଯାଇ ତା ପାଖରେ ବସିଲି । ସେ ମୋତେ ତାଙ୍କ ଲଭଷ୍ଟୋରୀ ଶୁଣାଉଥିଲା ହଠାତ୍ ଆକାଶ ଅନ୍ଧାରୁଆ ହେଇଗଲା । ମେଘୁଆ ଆକାଶକୁ ଦେଖି ଲିଲିନାନୀର ମୁହଁ ବି ଶୁଖିଗଲା । ସେହି କିଛି ସମୟ ଭିତରେ ଖୁବ୍ ଜୋରରେ ବର୍ଷା ହେଲା । ବର୍ଷାକୁ ଦେଖି ମୋତେ ଆମର ସେହି ପିଲାଦିନ କଥା ମନେ ପଡିଗଲା । ମୁଁ ଲିଲିନାନୀକୁ କହିଲି,"ଚାଲୁନ ଦେଖିବା ବାଡ଼ି ଆଡ଼େ କେମିତି ପାଣି ଜମିଲାଣି ।" ମୋ କଥା ଶୁଣି ତାଙ୍କ ଶୁଖିଲା ମୁହଁରେ ବି ହସ ଖେଳିଗଲା । ସେ କହିଲେ, "ତୁ ଭୁଲିନୁ ସେଦିନ କଥା ! ହଉ ଚାଲେ ସାନଖୁଡୀଙ୍କ ରୁମ୍ କୁ ।"

ଆମେ କୁନିମାଉସୀଙ୍କ ଶୋଇବା ଘର ଖଟ ଉପରେ ଆସି ବସିଲୁ । କୁନି ମାଉସୀଙ୍କ ଶୋଇବାଘରଟା ଅନେକ ବଦଳି ଯାଇଥିଲା । ଝର୍କାରେ କାଠ ବଦଳରେ କାଚର ସ୍ଲାଇଡିଙ୍ଗ୍ ଡୋର୍ ଲାଗିଯାଇଥିଲା । ଆମେ ଝର୍କାର ପରଦା ଓ କାଚ କବାଟ ଟାଣି ଝର୍କା ପାଖରେ ବସିଗଲୁ । ମୁଁ ଖୁବ୍ ଉତ୍ସାହରେ ଝରକା ବାହାରକୁ ପଦ୍ମିନୀଖୁଡୀଙ୍କ ଘର ଆଡ଼କୁ ଅନେଇଲି । "ଆରେ, ସେ ସୁନ୍ଦର ଚାଳଘରଟା କୁଆଡ଼େ ଗଲା ?" ମୁଁ ଆଶ୍ଚର୍ଯ୍ୟ ହେଇ ଲିଲିନାନୀକୁ ପଚାରିଲି । ସେ ଝରକା ବାହାରକୁ ହାତ ଦେଖେଇ କହିଲା, "ହେଇ ସେ ଆମ୍ବଗଛ ଆଡ଼କୁ ଦେଖେ, ସେଇ କଡ଼ରେ ଯୋଉ ଛୋଟ ଏକତାଲା କୋଠାଘରଟା ଦେଖୁଛୁ, ସେଇଟା ପ୍ରଫୁଲ୍ଲକକାଙ୍କ ନୂଆଘର । ଚାଳଘରଟା କୋଉଦିନରୁ ଭାଙ୍ଗିଗଲାଣି ।"

ସେହି ସୁନ୍ଦର ଚାଳଘରଟାକୁ ନଦେଖିପାରି ମୋ ମନ ଟିକେ ଦୁଃଖ ହେଇଗଲା । ସେହି ସମୟରେ କୁନିମାଉସୀ ଜଣେ ମହିଳାଙ୍କୁ ସାଙ୍ଗରେ ଧରି ଆସି କହିଲେ,"ହେଇ ପା ଏଇଠି ବସିଛନ୍ତି ସଖି ମଖି । କି ଗପ ଚାଲିଛି ତୁମର ?" । ସାଙ୍ଗରେ ଆଣିଥିବା ମହିଳା ଜଣଙ୍କୁ ଚିହ୍ନେଇ ଦେଇ କୁନିମାଉସୀ କହିଲେ, "ଲିଲି, ଇଏ ଗୁଣମାମୁଁଙ୍କ ବୋହୂ, ହିସାବରେ ତୋର ବଡ଼ମାଆ ହେବେ ।"

ମୁଁ ଓ ଲିଲିନାନୀ ସେହି ଗୁଣମାମୁଁଙ୍କ ବୋହୂକୁ ପ୍ରଣାମ କରିବାକୁ ଉଠୁଥିଲୁ ସେ କହିଲେ, "ନାଇଁ ନାଇଁ ଥାଉ ଥାଉ, ହେଲା ହେଲା ।" ଗୁଣମାମୁଁଙ୍କ ବୋହୂ ଲିଲିନାନୀଙ୍କ ହାତରେ ଲଫାଫାଟେ ଧରେଇ ଦେଇ କୁନିମାଉସୀଙ୍କ ଉଦ୍ଦେଶ୍ୟରେ କହିଲେ, "କୁନି, ମୁଁ ଟିକେ ସେଆଡ଼ୁ ଆସେ । କମଳାନାନୀ ମୋତେ ଡାକୁଥିଲେ । ଆମରି ଗାଁ ଝିଅ ପରା ସେ । ମୁଁ ଆସୁଛି ଟିକେ ତାଙ୍କ ପାଖରୁ ।"

ଗୁଣମାମୁଁଙ୍କ ବୋହୂ ଚାଲିଗଲା ପରେ କୁନିମାଉସୀ କହିଲେ, "ଭାଇନା ସମସ୍ତଙ୍କୁ ଡକେଇଛନ୍ତି । ଘରର ପ୍ରଥମ ବାହାଘର ନା, ସମସ୍ତଙ୍କୁ ଆସିବାକୁ ହେବ । ହେଲେ ଏ ବର୍ଷା..."

କୁନିମାଉସୀ କହୁ କହୁ ରହିଗଲେ ଓ ପୁଣି ପଚାରିଲେ,"କିରେ ତୁମେ ଦିଇଟା ଏଠି ବସି କାହିଁକି ଫୁସଫାସ ହେଉଛ ? ଯାଉନ ସେପଟେ ଛୁଆଙ୍କ ନାଚଗୀତ ଦେଖିବ ! ଗାଁ ସ୍ତ୍ରୀଲୋକ ବି ଆସିକରି ବସିଛନ୍ତି ସେଇଠି । ଲିଲିର ବାହାଘର କିନ୍ତୁ ଲିଲିକୁ କେହି ଖୋଜୁନାହାଁନ୍ତି ।"

ଲିଲିନାନୀ ଅଭିମାନ କରି କହିଲା, "ଯୋଉ ତ ବାହାଘର, ବର୍ଷା ଢାଳୁଛି, ଏଥିରେ କି ରୋଷଣୀ ହେବ, କି ବାଣ ଫୁଟିବ ? ବାପାଙ୍କୁ କହିଲି ମଣ୍ଡପରେ କରିଦେବା, ସେ ମୋ କଥା ଶୁଣିଲେ ତ ! ଛାଡ଼.. ମୋ ଭାଗ୍ୟ ।"

ଲିଲିନାନୀର ମନ ଦୁଃଖ ଦେଖି କୁନିମାଉସୀ ବି ଚୁପ୍ ହେଇଗଲେ କିଛି ସମୟ ପାଇଁ । ତାପରେ ସେ ଆମ ପାଖରୁ ଉଠିଯାଉଥିଲେ ଏୟା କହି ଯେ ଗାଁର କିଛି ମହିଳା ତାଙ୍କୁ ଅପେକ୍ଷା କରିଛନ୍ତି । ଗାଁ ମହିଳାଙ୍କ କଥା ଶୁଣି ମୁଁ ହଠାତ କହି ପକେଇଲି, "ପଦ୍ମିନୀଖୁଡୀ ବି ଆସିଛନ୍ତି କି ? ତାଙ୍କୁ ଡାକୁନ ଏଇଠିକି ।"

ପଦ୍ମିନୀଖୁଡୀ ! ଏଇ ନାଁଟା ଶୁଣି କୁନିମାଉସୀ ଓ ଲିଲିନାନୀ, ଉଭୟଙ୍କ ମୁହଁକୁ ଯେମିତି କଳା ବାଦଲ ଢାଙ୍କିପକେଇଲା । ଉଭୟଙ୍କୁ ଉଦାସ ହେଇଯିବା ଦେଖି ମୁଁ ପଚାରିଲି, "କ'ଣ ହେଲା ? ତାଙ୍କ ଘର ସହ କ'ଣ ଝଗଡା ହେଇଯାଇଛି କି ?"

ମୋ ପ୍ରଶ୍ନର ଉତ୍ତର କେହି ନଦେଇ ଲିଲିନାନୀ କୁନିମାଉସୀଙ୍କୁ ପଚାରିଲା, "ତୁମେ ଏମାନଙ୍କୁ କିଛି କହିନଥିଲ କି ଖୁଡ଼ୀ ?"

କୁନିମାଉସୀ କାନ୍ଥକୁ ଆଉଜି ବସିଯାଇ କହିଲେ, "କେତେବେଳେ ଆଉ କହିଥାନ୍ତି ? ତୁମେମାନେ ଏଠୁ ଗଲା ପରେ, ସେ କ'ଣ ଆଉ ଏଆଡ଼େ ଆସୁଥିଲା ? ଫୋନଫାନ୍ ବି କରେନି କି ମାଉସୀ ମଲା କି ଗଲା ପଚାରେନି ।" ମାଉସୀଙ୍କ ଅଭିମାନ ଭାଙ୍ଗିବାକୁ ମୁଁ ତାଙ୍କ ପାଖରେ ଟିକେ ଗେଞ୍ଜି ହେଇଯାଇ କହିଲି, "ମୋ ମାଉସୀଙ୍କର ତ ଖାଲି ମୁହଁ ଫୁଲା ଆଉ ! ମୁଁ ପା ମାଆକୁ ସବୁବେଳେ ତୁମ କଥା ପଚାରେ । ଜାଣିଛ ମାଉସୀ, ବିଶ୍ଵମ୍ବର ମାମୁଁଙ୍କ ଝିଅ ରିଙ୍କି, ମାମୁଁଘର ପାଖରେ ଯାହାଙ୍କ ଘର, ସେଇ ଯେଉଁ ଡେଙ୍ଗୀ ହେଇକରି ଝିଅଟା ମ, ସେ ରହୁଛି ଆମ ହଷ୍ଟେଲରେ । ଆମେ ଦୁଇଜଣ ପରା ତୁମ ବିଷୟରେ କଥା ହେଉ ।"

ମୋ କଥା ଶୁଣି କୁନିମାଉସୀଙ୍କ ମୁହଁଫୁଲା ଟିକେ କମିଲା ପରେ ମୁଁ ତାଙ୍କୁ ପୁଣି ପଦ୍ମିନୀଖୁଡ଼ୀଙ୍କ କଥା ପଚାରିଲି । ସେ ଝରକା ପାଖକୁ ଚାଲିଆସି ଆମ ପାଖରେ ବସି କହିଲେ, "ପଦ୍ମିନୀ ଭଳି ବୋହୂକୁ ପ୍ରଫୁଲ୍ଲ ଘରୁ କାଢି ଦେଲେ ! ଏ ଗାଁ ଲୋକ ବି ପାଟି ଫିଟେଇଲେନି । ଆଉ କାହା କଥା କ'ଣ କହିବି, ତୁମ ମଉସା ବି ତ ବିଶ୍ୱାସ କଲେ ଚନ୍ଦୁକୁ ପଦ୍ମିନୀ ମାରିଦେଇଛି ।"

"ଚନ୍ଦୁ ମରିଯାଇଛି ? କେମିତି, କେବେ ?" ମୁଁ ଆଶ୍ଚର୍ଯ୍ୟ ହେଇକରି କୁନିମାଉସୀକୁ ଅନେଇ ପଚାରିଲି । କୁନିମାଉସୀ ଆଖିକୁ ଟିକେ ମଳି ଦେଇ କହିଲେ, "ଅନେକ ଦିନ ହେଇଗଲାଣି ।"

"କେମିତି ହେଲା ମାଉସୀ ?" ମୁଁ ପୁଣିଥରେ ପଚାରିଲି ।

ମାଉସୀ କହିଲେ, "ପଦ୍ମିନୀ କିଛି ଟଙ୍କା ସଞ୍ଚୟ କରିଥିଲା । ପ୍ରଫୁଲ୍ଲଙ୍କୁ ନଜଣାଇ ଆର ସାହି ତା ଭାଇର ଶ୍ୱଶୁରଘର ଗାଁରେ କିଛି ଲୋକଙ୍କୁ ଟଙ୍କା ଋଣ ଦେଇଥିଲା । କିଛି ଟଙ୍କା ବ୍ୟାଙ୍କରେ ବି ରଖିଥିଲା । ସେ ମୋତେ କହୁଥିଲା ତା ବାପଘର ଗୋଟେ ଜମି ଉପରେ ରାସ୍ତା ଯାଇଥିଲା । ସରକାର ଜମି ବାବଦକୁ ଯେତିକି ଟଙ୍କା ତା ବାପାଙ୍କୁ ଦେଇଥିଲେ ତା ବାପା ସେଥିରୁ ତାକୁ ବି କିଛି ଦେଇଥିଲେ । ସେ ସେହି ଟଙ୍କା କଥା ପ୍ରଫୁଲ୍ଲଙ୍କୁ ନଜଣେଇ ନିଜେ ରଖିଥିଲା । କାରଣ ପ୍ରଫୁଲ୍ଲ କଲିକତାରେ ରହି କାମ କରିବାକୁ ଚାହୁଁନଥିଲେ । ଗାଁରେ ଗୋଟେ ପାନ ଦୋକାନ କରିବେ ବୋଲି କହୁଥିଲେ । ଟଙ୍କା ମିଳିବା କଥା ଜାଣିଥିଲେ ସେ ଘରକୁ ପଳେଇ ଆସିଥାନ୍ତେ, ଆଉ ଯାଇ ନଥାନ୍ତେ । ପଦ୍ମିନୀ ଭାବୁଥିଲା ଗାଁରେ, ଛକରେ ମାଳ ମାଳ ଦୋକାନ ହେଲାଣି, ଏଠି ଆଉ କ'ଣ ଦୋକାନ ଚାଲିବ ? ସେ ସେଥିପାଇଁ ପ୍ରଫୁଲ୍ଲଙ୍କର ଗାଁ ଆସି ବ୍ୟବସାୟ କରିବା କଥାରେ ରାଜି ହେଉନଥିଲା । କହୁଥିଲା -"କିଛି ବର୍ଷ ଯାଉ, ଚନ୍ଦୁ ଆଉ ଟିକେ ବଡ଼ ହେଇଯାଉ । ଚନ୍ଦୁର ପଢ଼ା ପାଇଁ ଟଙ୍କା ସଞ୍ଚୟ କରିସାରିଲା ପରେ ତୁମେ ପଳେଇ ଆସିବ, ଏଇଠି ମୋ ଭାଇ ପାଖରେ ରହି କିଛି ଗୋଟେ ବ୍ୟବସାୟ ଆରମ୍ଭ କରିବ ।"

ପଦ୍ମିନୀର ଟଙ୍କା ରଖିବା କଥା ତା ବାପଘର ଆଉ ଭାଇର ଶ୍ୱଶୁରଘର ଲୋକଙ୍କୁ ଛାଡ଼ି ଆମ ଘର ଲୋକ କେବଳ ଜାଣିଥିଲେ । ଆଉ କିଏ ସେକଥା କୋଉଠୁ କେମିତି ଜାଣିଲା କେଜାଣି ଦିନେ ଅଧ ରାତିରେ ପଦ୍ମିନୀ ଆସି ବାଡ଼ି କବାଟ ପାଖରେ ଠିଆ ହୋଇ ମୋତେ ଡାକିଲା । ମୁଁ କବାଟ ଖୋଲିବାରୁ ଥରି ଥରି ମୋତେ କହିଲା, "ଦୁଇଜଣ ଲୋକ ଆସି ଆମ ଘରେ ବସିଛନ୍ତି । କହୁଛନ୍ତି କଲିକତାରେ ତୁମ ଦିଅରଙ୍କର ଚିହ୍ନା । ଆଜି ରାତିରେ ଆମ ଘରେ ଶୋଇବେ କହୁଛନ୍ତି । ମୁଁ ମିଛ କହି ଚନ୍ଦୁକୁ ନେଇ ଏଠିକି ପଳେଇ ଆସିଲି । ମୋର ସେମାନଙ୍କ ଉପରେ ସନ୍ଦେହ ହେଉଛି । ତୁମେ ଭାଇଙ୍କୁ ଟିକେ କୁହ ତ ବୁଝିବେ । ମୋ ପାଖରେ ତ ଫୋନ ନାହିଁ କି ସେଠି ତାଙ୍କ ପାଖରେ ବି ଫୋନ ନାହିଁ । ଜାଣିବି କେମିତି ସେ ଦୁଇଟା ଲୋକ କିଏ ?" ସେଦିନ ପଦ୍ମିନୀ କଥା ଶୁଣି ମୁଁ ତୋ ମଉସାଙ୍କୁ ଉଠେଇ ତାଙ୍କ ଘରକୁ ନେଇକରି ଗଲାବେଳକୁ ସେ ଲୋକ ଦୁଇଟା ସେଠୁ ପଳେଇଥିଲେ । ମୁଁ ସ୍ପଷ୍ଟ ଦେଖିଛି ସେଦିନ ତାଙ୍କ ଚଉଁରା ପାଖର ମାଟି ଉପରେ ଚପଲ ଚିହ୍ନ ଥିଲା । ସେହି ଘଟଣା ଘଟିବାର ଦିନ କେଇଟା ଭିତରେ ପଦ୍ମିନୀକୁ ଦେଖେ ସେ ଭାରି ଶୁଖିଲା ଶୁଖିଲା ଦିଶୁଛି । ପ୍ରାୟ ଦିନ ସନ୍ଧ୍ୟାବେଳକୁ ସେ ଘରେ କବାଟ କଣ୍ଟା ଦେଇ କୁଆଡ଼େ ଚାଲିଯାଏ । ରାତି ରାତି ଘରେ ତାଙ୍କର ଆଲୁଅ ଜଳେନାହିଁ । ଘରେ ଥିଲେ ବି ସକାଳୁ ଶୀଘ୍ର ଉଠି କବାଟ ଫିଟାଏ ନାହିଁ । ଫୁଲଗଛରେ ପାଣି ଦିଏ ନାହିଁ କି ମନ୍ଦିର ଆଡ଼େ ବି ଯାଏନାହିଁ । ଚନ୍ଦୁ ପାଠପଢ଼ା ଆରମ୍ଭ କରିଥିଲା । ତାକୁ ବି ଆଉ ପିଣ୍ଡାରେ ବସି ପାଠ ପଢ଼ୁଥିବା ମୁଁ ଦେଖେନାହିଁ । ଏମିତି ମାସେ କି ଦୁଇମାସ ତା'ର ଏସବୁ ଏପଟ ସେପଟ ଚଳଣି ଦେଖି ଭାବୁଥିଲି ତାକୁ ପଚାରିବି ତା'ର କ'ଣ ହେଇଛି । କିନ୍ତୁ ମୁଁ ପଚାରିବା ଆଗରୁ ଏ ଦୁର୍ଘଟଣା ଘଟିଗଲା । ସେଦିନ ଭୋରୁ ଭୋରୁ ମନ୍ଦିର ପୂଜାରୀ ବଡ଼ ପାଟି ଚିଲେଇଲାରୁ ଆମେ ସବୁ ଉଠିକି ପ୍ରଫୁଲ୍ଲଙ୍କ ଘର ପାଖକୁ ଗଲୁ । ଲୋକ ରୁଣ୍ଡ ହେଇଯାଇଥିଲେ ସେଠି । ଚନ୍ଦୁକୁ କୁଣ୍ଢେଇକରି ଛାତିରେ ଜାକି ଧରିଥିଲା ପଦ୍ମିନୀ । ତାଙ୍କ ଘର ଭିତର ଛୋଟ ଅଗଣାର ମସଲାବଟା ଶିଳ ପାଖରେ ମୃତପ୍ରାୟ ହାେଇ ଲୋକଟେ ପଡିଥିଲା। ତା ମୁଣ୍ଡରୁ ରକ୍ତ ବାହାରି ମାଟିରେ ପଡ଼ି ଶୁଖିଯାଇଥିଲା । ପାଖରେ ବାଉଁଶ ସିଡ଼ିଟେ ବି ଲମ୍ବା ହେଇକରି ପଡିଥିଲା । ପୂଜାରୀ କହିଲେ ସେ ଖୋଲା କବାଟ ଦେଖି ପଦ୍ମିନୀକୁ ତୁଳସୀ ମାଗିବାକୁ ଆସିଥିଲେ । କିନ୍ତୁ ଭିତରକୁ ଆସି ଏସବୁ ଦେଖିଲେ । ଲୋକମାନେ ସେ ବେହୋସ କ୍ଷତାକ୍ତ ବ୍ୟକ୍ତି ଉପରେ ପାଣି ଢ଼ାଳିବାରୁ ସେ ଆଖି ଖୋଲିଲା । ତା ମୁଣ୍ଡରେ ପଟି ବାନ୍ଧିବାକୁ ତାକୁ ଡାକ୍ତରଖାନା ନେବାକୁ କିଛି ଲୋକ ପରାମର୍ଶ ଦେଉଥିଲେ । କିନ୍ତୁ ଚୌକିଆ ଆସି କହିଲା, "ଡାକ୍ତରଖାନା ନେବା ଦରକାର ନାହିଁ, ତା'ର କିଛି ହେଇନି । ଏଇଠି ପଟି ଗୁଡେଇ ଦିଅ, ପୋଲିସ ଆସିଲେ ଯିଏ ଯୁଆଡ଼େ ଯିବେ ।" ପଦ୍ମିନୀ ସ୍ଥାଣୁ ଭଳି ବସିଥିଲା କବାଟ ବନ୍ଧ ପାଖରେ ଚନ୍ଦୁକୁ ଛାତିରେ ଜାକି । ଯିଏ ଯାହା ପଚାରିଲେ କିଛି କହୁନଥିଲା । ଗାଁ ସ୍କୁଲର ରମାଦିଦି ଆସି ଯେତେବେଳେ ପଦ୍ମିନୀ ପାଖକୁ ଗଲେ ଓ ଚନ୍ଦୁ ଦେହରେ ହାତ ମାରିଲେ ସେତେବେଳେ ଜଣା ପଡ଼ିଲା ଚନ୍ଦୁ ମରିଯାଇଛି । ଜାଣିଛ, ସେତେବେଳେ ମୋ ଛାତି ଫାଟିଯାଉଥିଲା ଯେତେବେଳେ ପଦ୍ମିନୀର ଛାତି ପାଖରୁ ଚନ୍ଦୁର ମୃତଦେହଟାକୁ ଜୋର୍ କରି ଅଲଗା କରାଯାଉଥିଲା । ଟଣା ଭିଡା ଭିତରେ ଚନ୍ଦୁର ମୁଣ୍ଡଟା କବାଟରେ ଟିକେ ବାଜିଗଲା । ମୁଁ ନିଜେ ଶୁଣିଛି ପଦ୍ମିନୀ ବ୍ୟସ୍ତ ହେଇପଡ଼ି କହିଲା, "ଇଲୋ ମୋ ଛୁଆର ମୁଣ୍ଡ ଲୋ !" ସେ ଚନ୍ଦୁର ମୁଣ୍ଡକୁ ଆଉଁସି ପକେଇ ଗେଲ କରି ପକେଇଲା ।

ଚନ୍ଦୁକୁ ଭିଡିନେଲେ ପଦ୍ମିନୀ ପାଖରୁ । ପୋଲିସ ଆସିଲା । ସମସ୍ତଙ୍କ ବୟାନ ନେଲା । ପଦ୍ମିନୀକୁ ବି ଥାନାକୁ ନିଆଗଲା ।"

କୁନିମାଉସୀ ଏଇକଥା କହୁଥିଲାବେଳେ ମୋର ମନେ ପଡୁଥିଲା ସେହି ସମୟରେ ମୁଁ ନୂଆକରି କଲେଜର ହଷ୍ଟେଲକୁ ଯାଇଥାଏ ଓ ମାଆ ମୋତେ ଫୋନ କରିଥିଲାବେଳେ କହୁଥାଏ, "ଜାଣିଛୁ ନା ଲୋ, କୁନିମାଉସୀ ଘର ଆଡ଼େ ଗୋଟେ ଛୋଟ ଛୁଆକୁ ତା ନିଜ ମାଆ, ତା'ର ପ୍ରେମିକ ସହ ମିଶି ମାରିଦେଇଛି । ଛି ଛି କି ଡାହାଣୀ ମାଆ ଲୋ !"

ମୁଁ ସେଦିନ ମାଆର ସେହି କଥାକୁ ଆଦୌ ଗୁରୁତ୍ୱ ଦେଇନଥିଲି, କାରଣ ମୁଁ ନୂଆକରି ଘର ଛାଡି ହଷ୍ଟେଲ୍ ଯାଇଥିବାରୁ ଘରକୁ କେବେ ଛୁଟି ଦେଖି ଫେରିବି କେବଳ ସେହି ବିଷୟକୁ ଗୁରୁତ୍ୱ ଦେଇ ମାଆ ସହ କଥା ହେଉଥିଲି । ଘର କଥା ମନେପକେଇ ମାଆ ପାଖରେ ଫୋନରେ କାନ୍ଦୁଥିଲି । ମୋତେ ସେଦିନ ଲାଗିଥିଲା ମୋ ମନକୁ ଭୁଲେଇବା ପାଇଁ ମାଆ ସେଦିନ ଏମିତି ଗୋଟେ ଖବର କଥା ମୋତେ କହୁଥିଲା । ସେ ଯାହା ବି ହେଉ ଘଟଣାଟା ସେତେବେଳେ ଆଖପାଖର ଲୋକ ନିଶ୍ଚୟ ଜାଣିଥିଲେ । କେବଳ ମୁଁ ହିଁ ଜାଣିନଥିଲି ସେହି ଘଟଣାଟି ପଦ୍ମିନୀଖୁଡ଼ୀଙ୍କ ସର୍ବନାଶର ଘଟଣା ବୋଲି ।

ମୋତେ ଅନ୍ୟମନସ୍କ ହେଇଯିବା ଦେଖି କୁନିମାଉସୀ କହିଲେ, "ପଦ୍ମିନୀର ମୁହଁକୁ ମନେ ପକାଉଛୁ କି ?"

ମୁଁ କହିଲି, "ମାଉସୀ, ତାଙ୍କ ମୁହଁଟି କ'ଣ ଭୁଲିହେଲା ଭଳି ମୁହଁ ! ଆଚ୍ଛା ମାଉସୀ, ସେ ଯୋଉ ଲୋକ ସେଦିନ ଶିଳ ପାଖରେ ବେହୋସ ହେଇ ପଡିଥିଲା ସେ କ'ଣ ପଦ୍ମିନୀଖୁଡ଼ୀଙ୍କ ପ୍ରେମିକ ?"

ମାଉସୀ ଯୋଉଠୁ ଛାଡିଥିଲେ ସେଇଠୁ କହିଲେ, "କହୁଛି ଶୁଣୁନୁ, ସେ ଲୋକ ଥାନାରେ କହିଲା କି ତା'ର ପଦ୍ମିନୀ ସହ ପ୍ରେମ ସମ୍ପର୍କ ଥିଲା । ଚନ୍ଦୁ ସେଦିନ ରାତିରେ ଦେଖିପକେଇଲା ଓ ସେ ତା ବାପାକୁ କହିଦେବ ବୋଲି କହିଲା । ସେହିଯୋଗୁଁ ପଦ୍ମିନୀ ଆଉ ସେ ଲୋକ କୁଆଡ଼େ ଚନ୍ଦୁକୁ ବୁଝାଉଥିଲେ । କିନ୍ତୁ ପିଲାଟା ବୁଝିଲାନି । ଲୋକଟା କୁଆଡ଼େ ଅଗଣାର ବାଉଁଶ ସିଡ଼ି ଦେଇ ଚାଳକୁ ଉଠୁଥିଲା ଛୁଆଟା ପଛରୁ ଯାଇ ସିଡ଼ି କାଢିଦେବାରୁ ଲୋକଟା ତଳେ ପଡ଼ି ଶିଳରେ ମୁଣ୍ଡ ପିଟି ହେଇ ବେହୋସ ହେଇଗଲା । ତା'ପରେ ସେ ଆଉ କିଛି ଜାଣିନି । ଲୋକଟା କହିଲା ଚନ୍ଦୁ କେମିତି ମଲା ସେ ବିଲକୁଲ ଜାଣେନି । ପଦ୍ମିନୀକୁ ଯେତେବେଳେ ଜେରା କରାଗଲା ସେ କହିଲା ଚନ୍ଦୁର ତଣ୍ଟିଚିପି ଯିଏ ହତ୍ୟା କରିଛି ସେ ଆଗ ସିଡ଼ି ଚଢି ପଳେଇଥିଲା । ଲୋକଟା ତା' ନିଜ ମୁହଁକୁ ରୁମାଲରେ ବାନ୍ଧି ରଖିଥିବାରୁ ପଦ୍ମିନୀ ତାକୁ ଚିହ୍ନି ପାରିନଥିବା କଥା କହିଲା । ପ୍ରେମ ସମ୍ପର୍କ କଥା ପଦ୍ମିନୀ ଆଦୌ ମାନିଲା ନାହଁ । ପ୍ରଫୁଲ୍ଲ ଚାହୁଁଥିଲେ ପଦ୍ମିନୀକୁ ଆଜୀବନ ଜେଲ୍ ହେଇଯାଉ । କିନ୍ତୁ ପ୍ରମାଣ ଅଭାବରୁ ପଦ୍ମିନୀକୁ ଛାଡ଼ି ଦିଆଗଲା । ନିର୍ଦ୍ଦୋଷ ପ୍ରମାଣ ହେଲା ପରେ ବି ପ୍ରଫୁଲ୍ଲ ଆଉ ଆମ ଗାଁ ଲୋକ ପଦ୍ମିନୀକୁ ହିଁ ଚନ୍ଦୁର ହତ୍ୟାକାରୀ ବୋଲି ମାନିନେଇଥିଲେ । ପ୍ରଫୁଲ୍ଲ ଆଉ ପଦ୍ମିନୀକୁ ଘରେ ପଶେଇଲେ ନାହିଁ । ବିଚାରୀ ବାପଘରେ ପଡ଼ି ରହିଥିଲା । କିଛି ଦିନ ତଳେ ଶୁଣିଲୁ ସେ ଆଉ ସେଠି ବି ନାହିଁ । କୁଆଡ଼େ ଗଲା କେଜାଣି ? ତା ମୁଣ୍ଡ ବି କୁଆଡ଼େ ଖରାପ ହେଇଯାଇଥିଲା । କେମିତି ଖରାପ ନହେବ କୁହ !", ଏତିକି କହି କୁନିମାଉସୀ ଦୀର୍ଘଶ୍ୱାସ ମାରିଲେ । ମୁଁ ପଚାରିଲି, "ମାଉସୀ, ସେ ଲୋକଟା କିଏ ଯିଏ କହୁଥିଲା ତା'ର ପଦ୍ମିନୀଖୁଡ଼ୀଙ୍କ ସହ ସମ୍ପର୍କ ଥିଲା ? ସେ ଲୋକ ଯଦି ପଦ୍ମିନୀଖୁଡ଼ୀଙ୍କୁ ସତରେ ଭଲ ପାଉଥାଏ, ତାହେଲେ ହେଇଥିବ ଖୁଡ଼ୀ ତା ସହ କୁଆଡ଼େ ଚାଲିଯାଇଥିବେ " ।

ମାଉସୀ ପୁଣିଥରେ ଗୋଟେ ବଡ଼ ନିଶ୍ୱାସ ଛାଡ଼ି କହିଲେ, "ନାଁ ଲୋ, ସେ କାହଁକି ସେ ବାଜେ ଲୋକ ସହ କୁଆଡ଼େ ଯିବ ? ସେ ଲୋକଟାର ଘର ପରା ଆମ ଆର ସାହିରେ । ସେ ପଦ୍ମିନୀର ନିଜ ଭାଇର ଶଳା । ସେ ପୋଡ଼ାମୁହାଁଟା ବେଶ୍ ଭଲରେ ଅଛି ଲୋ ତା ଛୁଆ ପିଲା ସଂସାର ନେଇ ।"

ମାଉସୀଙ୍କ କଥା ଶୁଣି ମୋ ମନ ଭୀଷଣ ଦୁଃଖରେ ଭରିଗଲା । ଚନ୍ଦୁର ଗୁଲୁଗୁଲିଆ ମୁହଁ ଆଉ ପଦ୍ମିନୀଖୁଡ଼ୀଙ୍କ ପଦ୍ମଫୁଲିଆ ମୁହଁ ଆଖି ଆଗରେ ଝଲସି ଉଠିଲା । ଲିଲିନାନୀର ଯେ ବାହାଘର ସେ କଥା ମୁଁ ଭୁଲିଗଲି । ଲିଲିନାନୀ ବି ଉଦାସ ଦିଶିଲା । ସେ ଝରକା ସେପଟେ କ'ଣ ଗୋଟେ ଦେଖି ମୋତେ କହିଲା, "ଦେଖ୍ ଦେଖ୍ ସେ ଆସି ଗେଟ୍ ଖୋଲିଲାଣି ।"

ମୁଁ ଝରକା ଆଡ଼େ ଦେଖି ପଚାରିଲି , "କିଏ ? କାହା କଥା କହୁଛ ତୁମେ ?"

ପଦ୍ମିନୀଖୁଡ଼ୀଙ୍କ ନୂଆ କୋଠାଘର ଗେଟ୍ ପାଖରେ ଠିଆ ହେଇଥିବା ସୁନ୍ଦରୀ ମହିଳାଙ୍କୁ ଦେଖେଇ ଲିଲିନାନୀ କହିଲା, "ଏଇ ଦେଖୁନୁ ତାକୁ, ସେଇ ପା ପଦ୍ମିନୀଖୁଡ଼ୀଙ୍କ ସଉତୁଣୀ । ପଦ୍ମିନୀଖୁଡ଼ୀ ଗଲା ପରେ ପ୍ରଫୁଲ୍ଲକକା ୟାକୁ ବାହା ହେଇଛନ୍ତି ।"

ପ୍ରଫୁଲ୍ଲକକା ବାହା ହେଇଛନ୍ତି କଥାଟା କୁନିମାଉସୀଙ୍କୁ ବୋଧେ ଭଲ ଲାଗିଲାନି । ସେ ମୁହଁ ବଙ୍କେଇ କହିଲେ, "ହୁଁ, ବାହା ନା ଛେନାଗୁଡ଼ । ଏ ବଙ୍ଗାଳୀ ମାଇକିନାକୁ ତ ସେ କଲିକତାରୁ ଆଣି ରଖିଛି, ବାହା କୋଉଠି ଆଉ ହେଲା ଯେ ? ମୋତେ ତ ଲାଗୁଚି ଆଗରୁ ବୋଧେ ତା ସହ କିଛି ସଂପର୍କ ଥିଲା, ନହେଲେ ପଦ୍ମିନୀ ଏଠୁ ଯାଉ ଯାଉ ୟାକୁ କେମିତି ପାଇଗଲା କହୁନ ! ଆଉ ପୁଣି ତାଙ୍କର ଏ କୋଠାଘର ! ତିନି ଚାରି ମାସ ଭିତରେ ଚାଳଘର ଭାଙ୍ଗି କୋଠା ଉଠେଇଦେଲେ ! ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଲା ପଦ୍ମିନୀର ଭାଇ ଆସିଥିଲା ଏମାନଙ୍କ ଘର ପ୍ରତିଷ୍ଠା ଦିନ । ପଦ୍ମିନୀର ଭାଇକୁ ପ୍ରଫୁଲ୍ଲର ଏ ବଙ୍ଗାଳୀ ସ୍ତ୍ରୀ ଧରମଭାଇ କରିଛି । ରାଖୀ ବାନ୍ଧୁଛି ତା ହାତରେ । କିଛି ତ ଗୋଟେ ରହସ୍ୟ ଅଛି ନିଶ୍ଚୟ ।"

ମାଉସୀଙ୍କ କଥାକୁ ଆଗ୍ରହର ସହ ଶୁଣୁଥିଲା ଲିଲିନାନୀ । ପଦ୍ମିନୀଖୁଡ଼ୀଙ୍କ ସଉତୁଣୀ ଗେଟ୍ ପାଖରୁ ତାଙ୍କ ଘର ଭିତରକୁ ପଳେଇଲା ପରେ ସେ କହିଲା, "କ'ଣ ମ ଖୁଡ଼ୀ ତୁମେ ଏବେ ଯାଏଁ ବି କିଛି ବୁଝିନ ! ତୁମେ କ'ଣ ଭାବୁଛ ପଦ୍ମିନୀଖୁଡ଼ୀ ଆଉ ବଞ୍ଚିଥିବେ ? ପଦ୍ମିନୀଖୁଡ଼ୀଙ୍କ ବାପା ତାଙ୍କର ସେ ଜମି ବାବଦକୁ ମିଳିଥିବା ଟଙ୍କାରୁ ପଦ୍ମିନୀଖୁଡ଼ୀଙ୍କୁ ଭାଗଦେବାଟା ଖୁଡ଼ୀଙ୍କ ଜୀବନ ପାଇଁ କାଳ ହେଇଗଲା । ତାଙ୍କ ପୁଅର ବି ଜୀବନ ଗଲା ତାଙ୍କ ବ୍ୟାଙ୍କ୍ ଖାତାରେ ଜମା ହେଇଥିବା ସେହି କିଛି ଟଙ୍କା ପାଇଁ ।"

ଲିଲିନାନୀର କଥା ସରିନି ମାଉସୀଙ୍କର ଜଣେ ଖୁଡ଼ୀଶାଶୁ ହାତରେ ଜରି ପୁଟୁଳିଟେ ଧରି ଆସି କହିଲେ, "ନେ ଲୋ ଲିଲି, ସେ ପ୍ରଫୁଲ୍ଲର ପଛ ଭାର୍ଯ୍ୟା ତୋ ପାଇଁ ଦେଇ ପଠେଇଛି, ରଖ । କହୁଥିଲା କଲିକତାରୁ ମଗେଇଛି ତୋ ପାଇଁ । ଅଳତା, ସିନ୍ଦୁର ଆଉ ଶଙ୍ଖା ଅଛି ଏଥିରେ । ନେ ରଅଖ ।"

ଜରି ପୁଟୁଳିଟା ଧରି ଲିଲିନାନୀ ଆମ ଆଡ଼େ ଦେଖିଲା । କୁନିମାଉସୀଙ୍କର କାମ ଥିଲା ସେ ଉଠି ଚାଲିଗଲେ । ମୁଁ ଝରକାର ଖୁବ୍ ପାଖରେ ମୁହଁ ରଖି ବାହାରକୁ ଦେଖିଲି । ବର୍ଷାର ବେଗ ବଢ଼ୁଥିଲା । ବାହାରଟା ଅନ୍ଧାରୁଆ ଆଉ ଧୂଆଁଳିଆ ଦିଶୁଥିଲା । ସେହି ଅନ୍ଧାର ଚିରି ମୋତେ ଗୋଟେ ତୋଫା ମୁହଁ ଦିଶିଗଲା । ପଦ୍ମଫୁଲ ଭଳି ତୋଫା ମୁହଁଟେ ମୋତେ ସେହି ଜାଗାରେ ଦିଶିଗଲା ଯୋଉଠି ଗୋଟେ ସୁନ୍ଦର ଚାଳଘର ଥିଲା ।

Report an Error