ଗୋଟେ ନିରୁଦ୍ଦିଷ୍ଟ ଠିକଣା

ଜୀବନ ହାରିବି ନାହିଁ। ଏଇ ଜୀବନ ମୋ ବୋଉଠୁ ପାଇଛି । ବାପାଙ୍କ କଷ୍ଟ ମୁଁ ଦେଖିଛି । ବାପାଙ୍କ ସ୍ବପ୍ନକୁ ମୁଁ ଧୂଳିସାତ କରିଛି । ଆଜି ଯାଉଛି ତୋ ଜୀବନରୁ । କୁଆଡେ କେମିତି କେଉଁ ଦିଗକୁ ଯାଉଛି ଜାଣେନାହିଁ । ହେଲେ ତୋ ଜୀବନରେ ମୁଁ ନାହିଁ ।


ମୁଁ କେବେଠୁ ତତେ ଭଲପାଏ କେଜାଣି । ବହୁତ ଥର ଚିନ୍ତା କରିଛି, ତୋ ପାଖରେ ଏତେ ଖରାପ ଅଭ୍ୟାସ, ଏତେ ରାଗ, ଅହଙ୍କାର । ଏ' ଭଳି ସ୍ତ୍ରୀ ଲୋକଟେ, ମୋ ସ୍ନେହ, ପ୍ରେମ ପାଇବା ହକଦାର କି ? କିନ୍ତୁ ପ୍ରେମ ଯେ ଅନ୍ଧ । ପୁଣି ପୁଣି ମୁଁ ତୋ ପ୍ରେମରେ ପଡେ । ନିଜ ସୁଖକୁ ଜଳାଞ୍ଜଳି ଦେଇ ଆକ୍ତାମାକ୍ତା ହୁଏ । ତୋ ଉଦାସୀନତା ମତେ କବଳିତ କରେ । ମୁଁ ଯେଉଁ ପ୍ରେମ ପାଇଁ ଘର ସଂସାର ଛାଡ଼ି ଆସିଥିଲି ତୋ ପାଖକୁ କେବଳ ସେତକ ପାଇଁ ମୋ ଅନ୍ତର ଆଜି ବି ଡହଳ ବିକଳ ହୁଏ । ତୁ କହିଲୁ ବୋଲି ବାପା, ବୋଉଙ୍କୁ ଛାଡିଲି । ମନକୁ ବୁଝେଇ ନେଲି, ଯା ହଉ ମୁଁ ଏକମାତ୍ର ପୁତ୍ର ସନ୍ତାନ ନୁହଁ ମୋ ବୋଉର । କେବେ ତୁ ଚାହିଁଲୁ ବୋଲି ମୁଁ ଲମ୍ବା ଚୁଟି ରଖିଲି ପୁଣି କେବେ ଫୁଲ ପ୍ରିଣ୍ଟର ସାର୍ଟ ତ ପୁଣି କେବେ ଅଯଥାରେ ଜାକେଟ ପିନ୍ଧି ନିଜ ଇଚ୍ଛା ବିରୁଦ୍ଧରେ ନିଜକୁ ସଜାଇଲି କେବଳ ତୋ ଖୁସି ପାଇଁ । ତତେ କହିଥିଲି ଚୁଟି କଲର କରେନି । ତୁ ଏତେ ଗାଢ ରଙ୍ଗ ଲଗାନି ଓଠରେ । ମନେଅଛି ଅଙ୍କିତା, କଣ କହିଥିଲୁ ?

'ଓହାେ .....ଅପଟୁଡେଟ୍ ରହିବନି ମଣିଷ ? ମଫସଲିଆ ତମେ ଆଉ ତମ ଘରଲୋକ । ଏତିକି ମୋ ଖର୍ଚ୍ଚ ଦେଇପାରିବନି ଯଦି, କହିଦିଅ । ମୋ ପାଇଁ ବହୁତ ଲୋକ ଖୁସି ଖୁସି ଖର୍ଚ୍ଚ କରିପାରିବେ ।'

ସତରେ ତୁ କ'ଣ ଏମିତି ଥିଲୁ ନା ବାହା ହେବାପରେ ବଦଳିଗଲୁ ? ତତେ ମୁଁ ପିଲାରୁ ଦେଖିଚି । ତୁ କୋଉଭଳି ପରିବାରରେ ବଢିଚୁ ମୁଁ କ'ଣ ଜାଣିନି ? ତମ ପରିବାରଠାରୁ ଆମେ ଢେର୍ ଭଲ ଅବସ୍ଥାରେ ଥିଲୁ । ତୋ ଯୋଗ୍ୟତା କଥା କ'ଣ ବା କହିବି ? ତେବେ ଆମ ଭିତରେ ଏଇସବୁ ଅସାମଞ୍ଜସ୍ୟ ଯେ ଦିନେ ଆମ ପ୍ରେମଠୁ ବଡ ହେଇ ଆମ ସାମ୍ନାକୁ ଆସିବ ମୁଁ ଜାଣି ନଥିଲି । ପ୍ରତି ସ୍ତରରେ ମୁଁ ତୋ ସାଥିରେ ସାଲିସ୍ କରି ଚାଲିଲି । ଅଙ୍କିତା, ତୋ ସାଧାରଣରୁ ଅସାଧାରଣ ହେବାପାଇଁ ଚେଷ୍ଟାରେ ମୁଁ ମୋ ବ୍ୟକ୍ତିତ୍ବ, ମୋ ଅସ୍ତିତ୍ବକୁ ବି ବାଜି ଲଗେଇ ସାରିଥିଲି । କ'ଣ ଆଉ କୋଉଠି ମୋ ଭୁଲ ରହିଲା ?

ତୁ କହିଲୁ 'ବହୁତ ପଇସା ଦରକାର ।'

'ବଡ ଘର ଦରକାର ।'

'ଘରେ କାମ କିଛି କରିବୁନି ।'

କୋଉଠି ମୁଁ ପାଟି ଖୋଲିନି । ସବୁବେଳେ ତୋ ମନ ଖୁସିରହୁ । ତୁ ମତେ ଭଲପାଇଚୁ, ମୋ କର୍ତ୍ତବ୍ୟ ତତେ ଖୁସି ରଖିବା ଭାବି ମନକୁ ବୁଝେଇଦିଏ । ମୋ ବୋଉ, ବାପା, ଭାଇ, ଭଉଣୀଙ୍କୁ ତାଚ୍ଛଲ୍ୟ କରୁ । ତୋ ଘର ଲୋକଙ୍କୁ ମୁଁ ବହୁତ ସମ୍ମାନ ଦିଏ । ତଥାପି ତୁ ଘରେ ଘୂର୍ଣ୍ଣିଝଡ ତିଆରି କରୁଥାଉ । ବୁଝିପାରେନି ସେଦିନ କ'ଣ ହେଇଥିଲା -

ମୁଁ ଅଫିସରୁ ଥକି ଫେରିଥିଲି ।

'ଅଙ୍କିତା, ମୁଁ ଶୋଇବି ।' ଘରେ ପଶୁପଶୁ କହିଥିଲି ଆଉ ଆମ ବେଡରୁମକୁ ଯାଇ ଦେଖେ ତ, ତୋ ପୁତୁରା ଶୋଇଚି ।

'ଲିଷ୍ଟ ପଠେଇଦେଇଚି । ନେଇଆସ । ଅପା, ଭାଇ ସମସ୍ତେ ଆସିବେ ଖାଇବାକୁ ।'

'ମୁଁ ଶୋଇବି । ବେଡ ଖାଲିକର । ମୋ ମୁଣ୍ଡ ବଥାହଉଚି । ଗେଷ୍ଟ ରୁମରେ ନ ଶୋଇ ଏଇଠି କାହିଁକି ଶୋଇଦେଇଚୁ ?' ମୋ ବିରକ୍ତିର କେତେବଡ ଶାସ୍ତି ମତେ ମିଳିଲା । ତୁ କହିଲୁ ତୋ ଘରଲୋକଙ୍କୁ ମୁଁ ପସନ୍ଦ ଯେହେତୁ କରେନି, ତେଣୁ ମୁଁ ତୋ ପାଖକୁ ଆସିବିନି । ମୋ ରୁମ ସେହିଦିନଠୁ ଗେଷ୍ଟ ରୁମକୁ ବଦଳେଇଦେଲୁ । କନ୍ଦାକଟା କରି ଯାହା ନାଟକ କଲୁ । ତୋ ଘରର ପ୍ରତ୍ୟେକ ସଦସ୍ୟଙ୍କ କଟାକ୍ଷ ସହିଚି । ତୋ ଭଳି ଝିଅ ସହିତ, ମୁଁ କୁଆଡେ ଅନ୍ୟାୟ କରୁଛି । ଏତିକି ଭାବିଲେନି ସେମାନେ ଯେ, ମୋ ଘରେ ଠିଆହୋଇ ମତେ କହୁଛନ୍ତି ।

ବୋଉର କୋଳ ମୋର ମନେପଡେ । ଅସହାୟ ଲାଗେ । ମିଡିଲକ୍ଲାସ ଲୋକ ଆମେ । ଏମିତିରେ କିଛି ସ୍ବାଧୀନତା ଆମକୁ ଆମ ସମାଜ ଓ ଦେଶ ବା ବ୍ୟବସ୍ଥା ଦେଇନି । ସେଥିରେ ଘରେ, ମୋ ଘରେ ମତେ ପଇସା ଛପା ମେସିନ୍ ଭଳି ଧରି ନିଆ ଯାଇଥାଏ । ଅଫିସ ତଥାପି ଭଲଲାଗେ । ସମସ୍ତେ ଘରକୁ ଯିବାକୁ ଖୁସିହୁଅନ୍ତି । ଘଡି ଦେଖୁଥାଆନ୍ତି । ମୁଁ ପୁଣି ଗୋଟିଏ ଅଶାନ୍ତ ପରିବେଶ ପାଇଁ ନିଜକୁ ପ୍ରସ୍ତୁତ କରେ ପ୍ରତିଦିନ ।

ସବୁ ଯୁବକ ଭଳି ମୋର ବି ଇଚ୍ଛାଥିଲା, ମୋର ପ୍ରେମିକା ମୋ ସ୍ତ୍ରୀ ହଉ । ସରଳ ମୋ ଜୀବନରେ ପ୍ରେମର ଫୁଲ ଫୁଟି ମତେ ଓ ମୋ ପରିବାରକୁ ହସଖୁସିରେ ଭରିଦଉ । ମୋର ଗୋଟିଏ ନୁହଁ ଅଧିକ ସନ୍ତାନ ହୁଅନ୍ତୁ । ମୋ ବାପାଙ୍କ ଭଳି ମୁଁ ବି ପିଲାମାନଙ୍କ ଅଳିଅର୍ଦ୍ଦଳି ସହିବି । ଆମେ ନିଜ ପରିବାରକୁ ଖୁସିରେ ଦେଖି ଆତ୍ମହରା ହେବା । ସମସ୍ତଙ୍କଠାରୁ ଆଖି ଲୁଚେଇ ତତେ ଗେଲଟେ କରିଦଉଥିବି । ତୁ ଲାଜରେ ଜୁଡୁବୁଡୁ ହେଇ କହୁଥିବୁ, "ଛାଡ ନା..."

ଏବେ ବୋଉର ଆଖିରେ ଲକ୍ଷେ ଅଭିଯୋଗ । କିନ୍ତୁ କହିପାରେନି । ମୋ ଅବସ୍ଥା ଜାଣିଚି ସେ । ବାପା ରାଗ ଆଉ ତାତ୍ସଲ୍ୟ କରନ୍ତି, ଭର୍ତ୍ସନା କରନ୍ତି । କେମିତି କହିବି ମୋ ଅନ୍ତରର ଦୁଃଖ ?

ଅଙ୍କିତା, ତୁ କହିଲୁ ତତେ ମୋ ଛୁଆର ମା' ହେବା ପାଇଁ ଇଚ୍ଛା ନାହିଁ । ମୁଁ ତେଣୁ ଆଉ ତୋ ଦୌରାତ୍ମ୍ୟ ସହିବା ପରିସ୍ଥିତିରେ ମୁଁ ନାହିଁ । ମୁଁ ବି ଚାହେଁନି ତୋ ଭଳି ସ୍ବାର୍ଥପର, ନିଷ୍ଠୁର ସ୍ତ୍ରୀର ଔରସରୁ ମୋ ଛୁଆ ଜନ୍ମନେଉ ।

ଜୀବନ ହାରିବି ନାହିଁ । ଏଇ ଜୀବନ ମୋ ବୋଉଠୁ ପାଇଛି । ବାପାଙ୍କ କଷ୍ଟ ମୁଁ ଦେଖିଛି । ବାପାଙ୍କ ସ୍ବପ୍ନକୁ ମୁଁ ଧୂଳିସାତ କରିଛି । ଆଜି ଯାଉଛି ତୋ ଜୀବନରୁ । କୁଆଡେ କେମିତି କେଉଁ ଦିଗକୁ ଯାଉଛି ଜାଣେନାହିଁ । ହେଲେ ତୋ ଜୀବନରେ ମୁଁ ନାହିଁ ।

Report an Error