ମାମୁଲି ଚିଜ ଏବଂ ଦେବପଣ

ଆମର ଜୀବନର ସାଧାରଣ ପକ୍ଷଟିଏ ବି ରହିଥାଏ । ଏହାକୁ ଆମେ କଦାପି ଅସ୍ୱୀକାର କରିପାରିବୁ ନାହିଁ । ଜଣେ ଯେତେବଡ ପଣ୍ଡିତ, ଧର୍ମଗୁରୁ ହୋଇଥାଉ ସେ ଯେ ପ୍ରାତ୍ୟହିକ ଶରୀରକର୍ମରୁ ବିରତ ରହିଥିବ, ଏକଥା ନୁହଁ । ଶରୀର ଥିବା ଯାଏଁ ଶରୀରର ନିହାତି ଛୋଟଛୋଟ ପ୍ରୟୋଜନ ଆମକୁ ପୂରଣ କରିବାକୁ ହେବ ।


"ଗଡ୍ ଅଫ୍ ସ୍ମଲ୍ ଥିଙ୍ଗସ୍" ଏହିଭଳି ଗୋଟିଏ ଶୀର୍ଷକ ସହ ଆମେ ବିଶେଷ ଭାବରେ ପରିଚିତ । ଏହିଭଳି ଶୀର୍ଷକରେ ଏକ ଉପନ୍ୟାସ ରଚନା କରି ବିଶିଷ୍ଟ ଲେଖକ ଏବଂ ସମାଜକର୍ମୀ ଶ୍ରୀଯୁକ୍ତା ଅରୁନ୍ଧତୀ ରାୟ ଆନ୍ତର୍ଜାତିକ ସମ୍ମାନ ଜନକ ବୁକର୍ ପୁରସ୍କାର ଲାଭ କରିଥିଲେ । ଦୁଃଖର କଥା ଏଇଠି ସେହି ଚର୍ଚ୍ଚିତ ପୁସ୍ତକ କି ତାହାର ବହୁଳ ଚର୍ଚ୍ଚିତ ଲେଖିକାଙ୍କ ସଂପର୍କରେ କିଛି ବିଶେଷ କଥା ରହିବ ନାହିଁ । ସଂକ୍ଷେପରେ କହିଲେ ଏହି ଉପନ୍ୟାସରେ ଶ୍ରୀଯୁକ୍ତା ଅରୁନ୍ଧତୀ ରାୟ ଜୀବନ ଏବଂ ତାହାର ପାରିପାର୍ଶ୍ୱିକର ନିହାତି ଛୋଟ ଅପାଂକ୍ତେୟ ଘଟଣା ଭିତରୁ ବୃହତ୍ତର ଜୀବନକୁ ଜୀବନ୍ୟାସ ପ୍ରଦାନ କରିଛନ୍ତି । କୌଣସି କ୍ଷୁଦ୍ରତା ଭିତରେ ବିଶାଳତାକୁ ଦେଖିପାରିବା ଭଳି ଦୃଷ୍ଟିଟିଏ କେବଳ କୌଣସି ସୃଜନଶୀଳ ସତ୍ତା ପକ୍ଷରେ ସମ୍ଭବ । ଜଣେ ଅସଲ ସୃଜନଶୀଳ ସତ୍ତାର ଗୋଟିଏ ବିଶ୍ୱଦୃଷ୍ଟି ରହିଥାଏ ବୋଲି ଆମେ ଯାହା କହିଥାଉ ତାହା ଅସଲରେ ହେଉଛି ନିଜ ଭିତରେ ଏକ ବିଶାଳତା ତଥା ପରିବ୍ୟାପ୍ତତାର ଅବବୋଧ ଆଉ ସେଇଥିପାଇଁ ତାହାର ଦୃଷ୍ଟିରେ କ୍ଷୁଦ୍ର ବୋଲି କିଛି ଉପସ୍ଥିତ ନଥାଏ, ସବୁ କିଛି ବିଶାଳ, ସବୁକିଛି ବିପୁଳ ପ୍ରବହମାନତାର ଅଂଶବିଶେଷ । କ୍ଷୁଦ୍ରତାର ପରିସୀମାକୁ ଚିରକାଳ ଏମିତି ଅସ୍ୱୀକାର କରୁଥିବା ସୃଜନଶୀଳ ସତ୍ତାର ଏହିଭଳି ଦୃଷ୍ଟି ହେଉଛି ବିଶ୍ୱଦୃଷ୍ଟି ।

ମଣିଷ ନିଜକୁ କ୍ଷୁଦ୍ର ମନେକରିବା ଭଳି ଯେଉଁ ତୁଳନାତ୍ମକ ଅଭିବ୍ୟକ୍ତି ଅର୍ଜନ କରିଛି ତାହା ସେ ତାହାର ପାରିପାର୍ଶ୍ୱିକ ଅବସ୍ଥାନ ତଥା ପ୍ରକୃତିଠାରୁ ପ୍ରାପ୍ତ । ବାହାରର ଧରିତ୍ରୀ, ଆକାଶ, ନଦୀନାଳ, ପାହାଡପର୍ବତ, ସୂର୍ଯ୍ୟ, ଚନ୍ଦ୍ର, ଅନ୍ୟ ମଣିଷ ଏବଂ ଭୟ ଇତ୍ୟାଦି ମଣିଷକୁ ବାରଂବାର ମନେ ପକାଇଦେଇଛନ୍ତି ଯେ ସେ ହେଉଛି ଏହି ଚରାଚର ଜଗତରେ ନିହାତି କ୍ଷୁଦ୍ର । କାଳରେ ବିଶ୍ୱାସ ଏବଂ ସେହି କାରଣରୁ ମଣିଷ କ୍ଷୁଦ୍ର, ଏଇକଥା ପଛକୁ ଆସିବ । ତେଣୁ ବାରଂବାର ନିଜର କ୍ଷୁଦ୍ରତାରେ ଏକପ୍ରକାର ଅସହଜ ହୋଇ ପଡୁଥିବା, ଅଣନିଃଶ୍ୱାସୀ ହୋଇପଡୁଥିବା ମଣିଷ ତେଣୁ ନିଜର ଏହିଭଳି ଅବସ୍ଥାନରୁ ମୁକ୍ତ ହୋଇଯିବା ପାଇଁ ଏକ ସାମୂହିକତାର ନିର୍ମାଣ କରିବାକୁ ଆଗଭର ହୁଏ । ସେହି ସାମୂହିକତା ବା କଲେକ୍ଟିଭିଜମ୍ ତାହାକୁ ତାହାର ସମସ୍ତ କ୍ଷୁଦ୍ରତାର ଭୟରୁ ସୁରକ୍ଷିତ କରି ରଖିବ । ସେହି ସାମୂହିକତାର ପ୍ରତିଫଳନ ହୁଏ ରାଷ୍ଟ୍ର ନିର୍ମାଣରେ ଆଉ ଦେବ ନିର୍ମାଣରେ । ରାଷ୍ଟ୍ର ଆଉ ଦେବତା ଉଭୟ ମଣିଷକୁ ତାହାର କ୍ଷୁଦ୍ରତାରୁ ମୁକ୍ତି ଦେବାପାଇଁ ଏକ ପ୍ରକାର ବିଶ୍ୱାସର ନିର୍ମାଣ । ରାଷ୍ଟ୍ର ଆଉ ଦେବତା, ଉଭୟ ସାମୂହିକତାର ପରିଭାଷା ହୋଇଥିଲେ ହେଁ ଉଭୟ ଅବଧାରଣା ମଧ୍ୟରେ ମୌଳିକ ଫରକ ହେଉଛି ରାଷ୍ଟ୍ରରେ ମଣିଷର ସାମୂହିକତାର ଭାବ ଅଧିକ ମାତ୍ର ଦେବତା କ୍ଷେତ୍ରରେ ବ୍ୟକ୍ତିଗତ ଭାବ ଅଧିକ ରହିଥାଏ ।

ଛୋଟକୁ କେବଳ ଦେବତା ନୁହଁ ଛୋଟକୁ ସୁନ୍ଦର ବୋଲି ମନେକରିବାର ବିଶ୍ୱାସ ବି ଆମ ଭିତରେ ରହିଅଛି । ଏହା ପଛରେ ରହିଥିବା ଏକମାତ୍ର କାରଣ ମଣିଷ ହିସାବରେ ଆମେ ଛୋଟ ଆଉ ଆମର ଏହି ଛୋଟପଣର ପ୍ରତିଫଳନ ଆମେ ସର୍ବତ୍ର ଦେଖୁଥାଉ । ଆମ ପାଖରେ ଛୋଟପଣର ଏହି ଅଂକଟି ଅତି ସହଜ । ଆମେ ଯେତେବେଳେ ଗୋଟିଏ ସରଳରେଖାର ଆକାରକୁ ବୁଝିବାକୁ ଚାହିଁବା ସେତେବେଳେ ଆମେ ଅତି ସହଜରେ ଆମପାଖରେ ଥିବା ସରଳରେଖାଠାରୁ ଗୋଟିଏ ବଡ ଗାର ଅଥବା ଛୋଟ ଗାର ଟାଣିଦେଇଥାଉ ।

ଏବେ ଦେଖିବା ମାମୁଲି ଚିଜର ଦେବତା କହିଲେ ଅସଲରେ କିଏ ? ତାହାର ସ୍ୱରୂପକୁ ବୁଝିବାକୁ ଚେଷ୍ଟା କରାଯାଉ । କିଏ ସେ ମାମୁଲି ଚିଜର ଦେବତା ଯାହାକୁ ଆମେ ତୁଚ୍ଛାତିତୁଚ୍ଛ ବିଷୟର କଥା ବୁଝିବାକୁ ସ୍ୱତନ୍ତ୍ର ଭାବରେ ନିବେଦନ କରିବା ? ଉଦାହରଣ ସ୍ୱରୂପ ଧରାଯାଉ ଉପସ୍ଥିତ ଲେଖକ ଦାନ୍ତ ବିନ୍ଧାରେ ଛଟପଟ ହେଉଛି, ଏଥିରୁ ଉଦ୍ଧାର ପାଇଁ ସେ କେଉଁ ଦେବତାଙ୍କୁ ଆବାହନ କରିବ ? ବା ଏଇକଥାକୁ ଅନ୍ୟ ଭାବରେ କହିଲେ ଆମର ମାମୁଲି ଚିଜମାନଙ୍କ ବିଷୟରେ କୌଣସି ସ୍ୱତନ୍ତ୍ର ବିଶେଷଜ୍ଞ ରୂପକ ଦେବମଣ୍ଡଳୀ ନିଜର ଦେବ - ଦପ୍ତର ଖୋଲି ମଣିଷର ସୁବିଧା ଅସୁବିଧାକୁ ବୁଝିବା ପାଇଁ ସେମିତି ରହିଅଛନ୍ତି କି ?

ଆମର ଦେବତାମାନଙ୍କ ନିକଟରେ ଖାଦ୍ୟ, ଯୁଦ୍ଧ, ବିଦ୍ୟା ଆଉ ଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗମାନ ସ୍ୱତନ୍ତ୍ର ପରିଚାଳନା ନିମନ୍ତେ ଉପଲବ୍ଧ ହୋଇ ରହିଅଛି । ଆମର ଦେବ - ପ୍ରବନ୍ଧନରେ ସବୁ ଦେବତା ସବୁ କଥାକୁ ନିୟନ୍ତ୍ରଣ କରିବା ଭଳି ଅବସ୍ଥାନରେ ରହିଛନ୍ତି । ସେହି ଦୃଷ୍ଟିରୁ ଆମର ଦୈବିକ - ବର୍ଗୀକରଣ ବା "ହାଇରାର୍କିଂ" ରେ ଦେବ - ସମୂହ ଛୋଟଠାରୁ ବଡ ପର୍ଯ୍ୟନ୍ତ ଆମର ସମସ୍ତ ଅଳିକୁ ବୁଝିଥାଆନ୍ତି । ସେଇଥିପାଇଁ ତ ଜଣେ ନିଜର ବ୍ୟକ୍ତିଗତ ଆରତ - ନଳିନୀ - ବନକୁ ଦଳନ କରିବାଠାରୁ ଆରମ୍ଭ କରି ଭବସିଂଧୁକୁ ପାର୍ ହେବା ଭଳି କାମନା ଅର୍ଥାତ୍ ବଡ ଠାରୁ ଛୋଟ ସବୁ କଥାକୁ କିଛି ନିର୍ବାଚିତ ଶ୍ରେଷ୍ଠ ଦେବତାଙ୍କୁ ଜଣାଇଥାଉ ।

ଯଦି ଆମର ସୁରକ୍ଷାର କଥା ଉଠିବ ଆମେ କୃତାଞ୍ଜଳିପୁଟରେ ସବୁ ଦେବତାଙ୍କୁ, ବେଳେବେଳେ ଦେବ - ମଣ୍ଡଳୀ ଭିତରୁ ଆପେ କାହାକୁ କାହାକୁ ଆମ ପସନ୍ଦ ଅନୁସାରେ ନିର୍ବାଚନ କରି କୌଣସି ନା କୌଣସି ଦେବତାଙ୍କର ପୂଜା - ଆବାହନ କରିଥାଉ । ଆମର ସେ ପସନ୍ଦର ଦେବତା ଆମକୁ ଏକା ହିଁ ଆମକୁ ଆମର ସର୍ବଦୁଃଖରୁ ପରିତ୍ରାଣ କରିପାରିବେ । ଏଇଠି ତେଣୁ କୁହାଯାଇପାରିବ ଯେ, ଆମେ ଦେବତାଙ୍କୁ ଆମର ଦୁଃଖ ନିବାରଣ କରିବା ପାଇଁ ନିବେଦନ କରିବାବେଳେ ସେହି ଦେବତା ଜଣକ ଆମ ଦୁଃଖକୁ ଦୂର କରିପାରିବେ ବୋଲି ବିଶ୍ୱାସ କରିଥାଉ । ସେତେବେଳେ ସେହି ଦେବତା ଜଣକ ସାମଗ୍ରିକ ଭାବରେ ଆମର ସୁରକ୍ଷାର କଥା ବୁଝିଥାନ୍ତି । ଆମର ସୁରକ୍ଷା ସହିତ ଜଡିତ ସବୁକଥାକୁ ତଳଠାରୁ ଉପର ଯାଏଁ ସେ ଏକାକୀ ନିଜେ ବୁଝିଥାଆନ୍ତି । କହିବା କଥା ହେଉଛି ଆମର ସୁରକ୍ଷା କଥାକୁ ଦେଖିଲେ ଆମର କବାଟ କଥା ବୁଝିବା ପାଇଁ କୌଣସି ସ୍ୱତନ୍ତ୍ର ଦେବତା ନାହାଁନ୍ତି କି ଆମର ତାଲାଚାବି କଥା ବୁଝିବା ପାଇଁ ଭିନ୍ନ କେହି ଦେବତା ସ୍ୱତନ୍ତ୍ର ଭାବରେ ନଥାନ୍ତି ।

ଆମର ଅନ୍ତର୍ନିହିତ ବ୍ୟକ୍ତି ସତ୍ତାକୁ ସଂକୁଚିତ କରିଦେଉଥିବା କାରଣରୁ ଆମେ ରାଷ୍ଟ୍ରର ଏକଛତ୍ରାଧିପତିତ୍ୱକୁ ଗ୍ରହଣ କରିବାକୁ ଚିରକାଳ ନାରାଜ ମାତ୍ର ସମାନ ଭାବରେ ଦେଖିଲେ ଆମେ ଏଇଭଳି ଦେବତାଙ୍କ ଉପରେ ସବୁବେଳେ ଆସ୍ଥାଶୀଳ ଯାହାଙ୍କର କ୍ଷମତା ସର୍ବୋଚ୍ଚ ଏବଂ ଯିଏ ଶ୍ରେଷ୍ଠ, ଅନ୍ୟ କାହାଦ୍ୱାରା ତାଙ୍କର ନିୟନ୍ତ୍ରିତ ହେବାର ନଥାଏ । ଆମେ ସେଇଥିପାଇଁ ଆମ ଦେବତତ୍ତ୍ୱର ଅବଧାରଣାରେ ଦେବ - ବର୍ଗୀକରଣ କଲାବେଳେ ସବା ଉପରେ କିଛି ମୁଖ୍ୟ ଦେବତାଙ୍କୁ ରଖିଥାଉ ଏବଂ ତାଙ୍କର ତଳେ କିଛି ଗୌଣ ଦେବତାଙ୍କୁ ରଖିଥାଉ । ଏହି ଗୌଣଦେବତାମାନେ ସାଧାରଣତଃ ଆମର ସ୍ଥାନୀୟତାକୁ ପରିଭାଷିତ କରୁଥିବା ଦେବଦେବୀ ।

ଆମର ଦେବଚିନ୍ତାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମୁଖ୍ୟଦେବତା ଏବଂ ଗୌଣଦେବତାମାନେ ସବୁବେଳେ ପାରସ୍ପରିକ କ୍ଷମତାକୁ ଯେମିତି ଖୁବ୍ ସୁନ୍ଦର ଭାବରେ ହୃଦୟଙ୍ଗମ କରିଛନ୍ତି ସେହିଭଳି ରହିଥାଏ ସେମାନଙ୍କର ଅବସ୍ଥାନ । ଆମେ ମଣିଷମାନେ ଆମର ଅସମତାକୁ ଗ୍ରହଣ କରିପାରୁନଥିବାବେଳେ ଭାରତୀୟ ଦେବତତ୍ତ୍ୱରେ ଅସମତା କୌଣସି ପ୍ରଶ୍ନ ନୁହଁ । ସମସ୍ତେ ସୁସଂହତ ଏବଂ ମଣିଷର କଲ୍ୟାଣକାରକ ହିସାବରେ ନିଜନିଜର ଆସ୍ଥାନରେ ଉପବେଶନ କରିଥାନ୍ତି ।

ରୋମୀୟମାନଙ୍କ କ୍ଷେତ୍ରରେ ଦୈବିକ ପ୍ରବନ୍ଧନଟି ଟିକିଏ ଅଧିକ ଗଣତାନ୍ତ୍ରିକ, ଡିସେଣ୍ଟ୍ରାଲାଇଜଡ୍ । ସେମାନେ ମଣିଷର ଛୋଟ ଛୋଟ ଦୁଃଖକୁ ଚିହ୍ନଟ କରି ସେଥିପାଇଁ ଜଣେ ଜଣେ ସ୍ୱତନ୍ତ୍ର ଦେବତାର ଆରାଧନା କରିଥାଆନ୍ତି । ତାଙ୍କର ଆରାଧ୍ୟ ମାମୁଲି ଚିଜମାନଙ୍କର ଦେବତାମାନଙ୍କ ମଧ୍ୟରେ ଗୋଟିଏ ମାମୁଲି ଚିଜର ଗୋଟିଏ ଦେବତାଙ୍କ ଉଦାହରଣରୁ ପ୍ରସଙ୍ଗର "ମାଇକ୍ରୋ - ମ୍ୟାନେଜମେଣ୍ଟ" କଥାର ଗଭୀରତାକୁ ବୁଝାଯାଇପାରିବ । ସେହି ଦେବତାଙ୍କ ନାଆଁ ହେଉଛି "ପ୍ରାୟାପସ୍" । ଏହି ଦେବତା "ପ୍ରାୟାପସ୍" ଙ୍କୁ ଦେଖିଲେ ଆମର ଏଠିକାର କେହି ବିଶୁଦ୍ଧତାବାଦୀ ନିଜର ନାକ ଟେକିପାରନ୍ତି । କିନ୍ତୁ ବ୍ୟବହାରିକ ଜୀବନରେ ଏହି "ପ୍ରାୟପସ୍" ଙ୍କ ଦୟା ଆମର ଆବଶ୍ୟକ ହୁଏ । "ପ୍ରାୟାପସ୍" ହେଉଛନ୍ତି ଉତ୍ଥିତ ପୁଂଲିଙ୍ଗର ଦେବତା । ମଧ୍ୟରାତ୍ରର ଗୋପନ ନୁହଁ ପ୍ରଖର ଦିବାଲୋକରେ ପରେ ଏହି ବିଶେଷ ରୋମୀୟ ଦେବତାଙ୍କ ବିଷୟରେ ଅଧିକ କିଛି ଲେଖିବାର ଇଚ୍ଛା ଉପସ୍ଥିତ ଲେଖକର ଅଛି । ଏବେ ଏ ସଂପର୍କରେ ଆମର କେବଳ ଗୋଟିଏ କଥା ମନେ ରଖିବା ଉଚିତ ଯେ ଯେ ପର୍ଯ୍ୟନ୍ତ ଜଣକର ଲିଙ୍ଗଟି ଶକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ତାହା ଭିତରେ ନୀତିବୋଧ ଜାଗ୍ରତ ହୋଇନାହିଁ । ପୁରୁଷ ଲିଙ୍ଗର ଉତ୍ଥାନ ଆଉ ପତନ କାରଣରୁ ବୈଚାରିକ ଭାବରେ ଆମର ନୀତିବୋଧ ସଂଚାରିତ ଆଉ ପରିଭାଷିତ ହୋଇଥାଏ । ସେ ଯାହାହେଉ ଏଇଠି କହିବାର କଥା ହେଉଛି ରୋମୀୟମାନେ ପୁଂଲିଙ୍ଗର ଉତ୍ଥାନ ଭଳି ଏକ ଶରୀର କର୍ମ ନିମନ୍ତେ "ପ୍ରାୟାପସ୍" ଭଳି ଜଣେ ଦେବତାଙ୍କର ଆରାଧନା କରିବା ଭଳି କଥାକୁ ସେମାନଙ୍କର ବିଶ୍ୱାସରେ ଜଡିତ କରିଥିବା କାରଣରୁ ତଥା ଦେବତାମାନଙ୍କର ବ୍ୟବସ୍ଥାପନାରେ ଏହିଭଳି ଏକ ତୁଚ୍ଛ କଥାକୁ (?) ଜଣେ ଦେବତାଙ୍କ ସ୍ୱତନ୍ତ୍ର ଆଶ୍ରାରେ ନିହିତ କରି ରଖିବା ପ୍ରସଙ୍ଗ ସେମାନଙ୍କର ଦେବତାମାନଙ୍କର ମାଇକ୍ରୋ - ମ୍ୟାନେଜମେଣ୍ଟକୁ ଭଲ ଭାବରେ ବୁଝାଇଥାଏ ।

ପ୍ରାଚୀନ ରୋମରେ ପ୍ରତି ମାସର ପହିଲା ଦିନଗୁଡିକୁ "କାଲେଣ୍ଡ" ବୋଲି କୁହାଯାଉଥିଲା । ଏମିତିରେ ଦେଖିଲେ ଧାର୍ମିକ ଉତ୍ସବ ପାଳନ କରିବା ଦୃଷ୍ଟିରୁ ସେମାନଙ୍କ ପାଇଁ ପ୍ରତି କାଲେଣ୍ଡ (kalend) ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଥିଲା । ମାସର ଅନ୍ୟାନ୍ୟ ସମୟ ଅପେକ୍ଷା ଏହି ସମୟରେ ସେମାନେ ଭିନ୍ନ ଭିନ୍ନ ଦେବତାଙ୍କର ସନ୍ତୋଷ ଭାଜନ ହେବା ନିମନ୍ତେ ସେମାନଙ୍କର ଆରାଧନାର ବିଧାନ କରୁଥିଲେ ।

ଜୁନ୍ ମାସର ପହିଲା ଦିନଗୁଡିକରେ ଅର୍ଥାତ୍ ଜୁନ୍ ମାସର କାଲେଣ୍ଡରେ ସେମାନେ ବିଶେଷ ଭାବରେ ଜଣେ ଦେବୀଙ୍କୁ ଆରାଧନା ତଥା ତାହାଙ୍କୁ ନେଇ ବିସ୍ତୃତ ଉତ୍ସବ ପାଳନ କରୁଥିଲେ । ସେଇ ଦେବୀଙ୍କ ନାଆଁ ହେଉଛି "କର୍ଣ୍ଣା" (Carna) । କର୍ଣ୍ଣା ହେଉଛନ୍ତି ପରିବାରର ତଥା ଶରୀରର ଦେବୀ । ଶରୀରର ଦେବୀ ହିସାବରେ ଦେବୀ କର୍ଣ୍ଣାଙ୍କୁ ଆରାଧନା କରିବା ପଛରେ ଯେଉଁ ଶରୀର ପ୍ରସଙ୍ଗ ରହିଛି ତାହା ଆଗରୁ ଉଲ୍ଲେଖ କରାଯାଇଥିବା ଉତ୍ଥିତ ଲିଙ୍ଗର ଦେବତା ପ୍ରାୟାପସ୍ ଙ୍କ ଭଳି ଏକ ପ୍ରାପ୍ତବୟସ୍କର ଶରୀର କର୍ମର କଥା ନୁହଁ । ବସ୍ତୁତଃ କର୍ଣ୍ଣା ହେଉଛନ୍ତି ଆମର ଶରୀରର "ଚଉରାଶି"କୁ ବେଢିଥିବା ଚର୍ମର ଦେବୀ । ସେ ଶରୀରର ଚର୍ମ ପ୍ରବାହ ଭିତରେ ଯେଉଁ ଔଜଲ୍ୟତା ରହିଥାଏ ତାହାର ସଂରକ୍ଷକ ଦେବୀ । ତେଣୁ ଜୁନ୍ ମାସର କାଲେଣ୍ଡ କାଳରେ ନିଜର ପାର୍ଥିବ ଶରୀରକୁ ସୁଦୃଢ କରି ଚିରକାଳ ଧରି ରଖିବା ପାଇଁ (ଚର୍ମର କ୍ଷୟରୁ ତ ଶରୀରର କ୍ଷୟର ଆରମ୍ଭ ) ରୋମାନମାନେ ଚର୍ମର ଦେବୀ କର୍ଣ୍ଣାଙ୍କର ଶରଣାପନ୍ନ ହେଉଥିଲେ ।

କର୍ଣ୍ଣାଙ୍କର ପ୍ରିୟ ଖାଦ୍ୟ ଥିଲା ବିନ୍ ଜାତୀୟ ପରିବା ଏବଂ ଚର୍ବି ଜାତୀୟ ପଦାର୍ଥ । ରୋମାନମାନେ ଏହି ସମୟରେ ଚର୍ବିରେ ଭଜା ବିନ୍ ବା ଶିମ୍ବ ଜାତୀୟ ପରିବା କର୍ଣ୍ଣାଙ୍କୁ ଅର୍ପଣ କରି ସମବେତ ଭାବରେ ଗ୍ରହଣ କରୁଥିଲେ । ଯେଉଁମାନେ ଦରିଦ୍ର ବା ଯେଉଁମାନଙ୍କ ପାଇଁ ପଶୁମାଂସର ଚର୍ବି ମିଳିବା ସହଜ ନଥିଲା ସେମାନେ ଏହି ସମୟରେ "କାଲେଣ୍ଡେ ଫେବରାଇ" ବା କାଲେଣ୍ଡର ପ୍ରିୟ ହିସାବରେ ସାଦା ବିନ୍ ବା ଡିମ୍ବ ଜାତୀୟ ପରିବାର ଭଜା ଭକ୍ଷଣ କରୁଥିଲେ । ଏଇଠି କହିବା ଉଲ୍ଲେଖଯୋଗ୍ୟ ଯେ ଆମର ଶରୀର ତଥା ଆମର ଚର୍ମର ଔଜଲ୍ୟତା ବିନ୍ ଜାତୀୟ ପରିବା ଏବଂ ଚର୍ବି ଜାତୀୟ ଖାଦ୍ୟ ଗ୍ରହଣରୁ ହିଁ ମିଳିଥାଏ ।

ରୋମାନମାନଙ୍କର ମାମୁଲି ଚିଜର ଦେବତାମାନଙ୍କ ସଂପର୍କରେ ସୁଦୀର୍ଘ ଆଲୋଚନା କରାଯାଇପାରେ । ସେମାନଙ୍କର ସମୁଦ୍ରର ଦେବତା ଆକାରରେ ଯେମିତି ଜଣେ ଦେବତା ରହିଥିଲେ ଯାହାଙ୍କର ନାଆଁ ହେଉଛି ନେପଚୁନ୍, ସେଇଭଳି ତାଙ୍କ ନିକଟରେ ରହିଥିଲେ ଦେବୀ ଦେବେରାସ୍ (Deveras), ଦେବୀ କ୍ଲୋଆକିନାସ୍ (Cloacinas) । ଦେବେରାସ୍ ହେଉଛନ୍ତି ଝାଡୁର ଦେବୀ ଆଉ କ୍ଲୋଆକିନାସ୍ ହେଉଛନ୍ତି ପରିମଳ ବ୍ୟବସ୍ଥାର ଦେବୀ ।

ଆଜି ଆମେ ଯେମିତି ଠିକ୍ ସେହିଭଳି ପ୍ରାଚୀନ ରୋମାନମାନେ ନିଜର ସୁରକ୍ଷା ନିମନ୍ତେ ଦେବତାଙ୍କ ଉପରେ ଅଧିକ ନିର୍ଭରଶୀଳ ଥିଲେ । ସେଇଥିପାଇଁ ସେମାନଙ୍କର ଅଗଣାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଜଣେ ଅଗଣାର ଦେବତା ଅର୍ଥାତ୍ ଲିମେଣ୍ଟିନସ୍ (Limentinus), କବାଟକୁ ସୁରକ୍ଷା ଦେବାପାଇଁ ଜଣେ କବାଟର ଦେବତା ଅର୍ଥାତ୍ ଫୋର୍କୁଲସ୍ (Forculus) ସର୍ବଦା ସେମାନଙ୍କର ପ୍ରାର୍ଥନାରେ ଉପସ୍ଥିତ ରହୁଥିଲେ ।

ଏଥିରୁ ଆମେ ଏହିଭଳି ମାମୁଲି ଚିଜର ଦେବତାମାନଙ୍କ କଥା ବୁଝିପାରିବା ।

ଜୁନ୍ ମାସର ପହିଲା ଦିନମାନ ବା କାଲେଣ୍ଡ ଚର୍ମର ଦେବୀ କର୍ଣ୍ଣାଙ୍କ ଆରାଧନା ନିମନ୍ତେ ନିର୍ଦ୍ଦିଷ୍ଟ ଥିଲା । କିନ୍ତୁ ଜୁନ୍ ମାସର ପହିଲା ତାରିଖ ଦିନଟି ସେମାନେ ଆଉ ଜଣେ ଦେବୀଙ୍କର ଆରାଧନା କରିବାରୁ ହିଁ ଦେବୀ କର୍ଣ୍ଣାଙ୍କ ଉତ୍ସବ ପାଳନର ଆରମ୍ଭ କରୁଥିଲେ ।

ନିଜର ସୁରକ୍ଷା ପାଇଁ ମଣିଷ କେତେ ପରିମାଣର ଚିନ୍ତିତ ଥିଲା ସେହି ନିର୍ଦ୍ଦିଷ୍ଟ ଦେବୀଙ୍କ ଆରାଧନାରୁ ହିଁ ଭଲ ଭାବରେ ବୁଝି ହେବ ।

ଜୁନ୍ ମାସର ଏକ ତାରିଖ ଦିନ ପ୍ରାଚୀନ ରୋମାନମାନେ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଦେବୀଙ୍କ ଆରାଧନା କରୁଥିଲେ ସେ ନିଶ୍ଚିତ ଭାବରେ ଜଣେ ଗଡେସ୍ ଅଫ୍ ସ୍ମଲ୍ ଥିଙ୍ଗସ୍ ।

କବାଟକୁ ସୁରୁଖୁରୁରେ ଖୋଲିବା ଆଉ ବନ୍ଦ କରିବା ପାଇଁ କବାଟ ଦେହରେ ଯେଉଁ କବିଜା ବା Hinges ଲାଗିଥାଏ, ସେ ହେଉଛନ୍ତି ସେହି କବିଜାର ଦେବୀ, ଦେବୀ କାର୍ଡିଆ (Cardea )।

ମାମୁଲି ଚିଜର ଦେବପଣ ବିଚାର କଲାବେଳେ ଯେଉଁ ପ୍ରସଂଗଟି ଆମର ମନେ ରଖିବା ଉଚିତ ତାହା ହେଉଛି ମଣିଷର ଜୀବନକୁ ନେଇ ଆମର ଅବଧାରଣା । ମଣିଷର ଜୀବନକୁ ନେଇ ଆମେ ଅନେକ ତତ୍ତ୍ୱକଥା କହିପାରିବୁ । ମଣିଷ ଜନ୍ମର ଅସାଧାରଣତ୍ୱକୁ ନେଇ ଆମେ ଅନେକ ପରିମାଣରେ ମୁଖର ହୋଇପାରିବୁ । ମାତ୍ର ଆମର ଜୀବନର ସାଧାରଣ ପକ୍ଷଟିଏ ବି ରହିଥାଏ । ଏହାକୁ ଆମେ କଦାପି ଅସ୍ୱୀକାର କରିପାରିବୁ ନାହିଁ । ଜଣେ ଯେତେବଡ ପଣ୍ଡିତ, ଧର୍ମଗୁରୁ ହୋଇଥାଉ ସେ ଯେ ପ୍ରାତ୍ୟହିକ ଶରୀରକର୍ମରୁ ବିରତ ରହିଥିବ, ଏକଥା ନୁହଁ । ଶରୀର ଥିବା ଯାଏଁ ଶରୀରର ନିହାତି ଛୋଟଛୋଟ ପ୍ରୟୋଜନ ଆମକୁ ପୂରଣ କରିବାକୁ ହେବ । ଜଣେ ବିଦ୍ୱାନ ନିଃଶରୀରରେ ବସବାସ କରିପାରେ ମାତ୍ର ଏହାର ବାସ୍ତବତା କେତେ ତାହାକୁ ନେଇ ତର୍କ ହୋଇପାରେ ।

ଶରୀର ଅଛି ମାନେ ଆମର ଛୋଟପଣ ଅଛି । ଆମର ଛୋଟପଣ ଅଛି ମାନେ ଆମର ତାହା ଭିତରେ ଦେବତାର ଅବସ୍ଥାନ ଘଟିଥାଏ । ଏବଂ ଏହା ହିଁ ବସ୍ତୁତଃ ହେଉଛି ଦେବତାର ଶରୀରୀ ପ୍ରୟୋଜନ ଅଥବା ଶରୀରର ଦୈବିକ ପ୍ରୟୋଜନ ।

Report an Error